Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତ-ସ୍ୱିଡେନ୍‍ ଭର୍ଚୁଆଲ୍ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

ଭାରତ-ସ୍ୱିଡେନ୍‍ ଭର୍ଚୁଆଲ୍ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ


ନମସ୍କାର ମାନ୍ୟବର!

ସର୍ବପ୍ରଥମେ, COVID-19 ରେ ସ୍ୱିଡେନରେ ଜୀବନ ହାନି ପାଇଁ ମୁଁ ଭାରତ ତରଫରୁ ମୋର ହୃଦୟରୁ ସମବେଦନା ଜଣାଇବାକୁ ଚାହୁଁଛି । ଗତକାଲି ସ୍ୱିଡେନରେ ହୋଇଥିବା ହିଂସାତ୍ମକ ଆକ୍ରମଣ ପାଇଁ ମୁଁ ସମସ୍ତ ଭାରତୀୟ ନାଗରିକଙ୍କ ତରଫରୁ ସ୍ୱିଡେନ୍‍ ଲୋକଙ୍କ ସହ ଏକତା ପ୍ରକାଶ କରିବାକୁ ଚାହେଁ । ଆମେ ଚାହୁଁ ଯେ ଆକ୍ରମଣରେ ଆହତମାନେ ଶୀଘ୍ର ସୁସ୍ଥ ହୁଅନ୍ତୁ ।

ମାନ୍ୟବର,

2018 ରେ ସ୍ୱିଡେନ୍‍ ପ୍ରଥମ ଭାରତ-ନର୍ଡିକ୍ ଶିଖର ସମ୍ମିଳନୀ କରିଥିଲା । ସେତେବେଳେ ମୋତେ ଷ୍ଟକହୋମକୁ ଆସିବାର ସୁଯୋଗ ମିଳିଥିଲା । ମୁଁ ଆଶା କରୁଛି ଶୀଘ୍ର ଦ୍ୱିତୀୟ ଭାରତ-ନର୍ଡିକ୍ ଶିଖର ସମ୍ମିଳନୀରେ ଆମେ ପୁଣିଥରେ ସାକ୍ଷାତ କରିବାର ସୁଯୋଗ ପାଇବା । 2019 ରେ ମହାରାଜା ଏବଂ ମହାରାଣୀଙ୍କ ଭାରତ ଗସ୍ତ ଆମ ପାଇଁ ଏକ ଭାଗ୍ୟଶାଳୀ ସୁଯୋଗ ଥିଲା । ବିଭିନ୍ନ ବିଷୟ ଉପରେ ସେମାନଙ୍କ ସହିତ ମୋର ବହୁତ ଭଲ ଆଲୋଚନା ହୋଇଥିଲା । ମୁଁ ସ୍ପଷ୍ଟ ଭାବରେ ମନେ ରଖିଛି ଯେ, ମହାରାଜା ଏବଂ ମୁଁ ତାପଜ ବିଦ୍ୟୁତ୍‍ କେନ୍ଦ୍ରରେ ବ୍ୟବହାର ପାଇଁ ନଡା ବିଡା ତିଆରି କରିବା ସକାଶେ ସହଯୋଗର ସମୀକ୍ଷା କରିଥିଲି । ଆପଣ ଜାଣି ଖୁସି ହେବେ ଯେ ଏହାର ପ୍ରଦର୍ଶନ କାରଖାନା ଭଲ କାମ କରୁଛି । ବର୍ତ୍ତମାନ ଆମେ ଏହାକୁ ବାୟୋମାସରୁ କୋଇଲା ତିଆରି ପାଇଁ ବ୍ୟାପକ ଭାବରେ ବ୍ୟବହାର କରୁଛୁ । 

ମାନ୍ୟବର,

COVID-19 ସମୟରେ, ଆମେ ଉଭୟ ଆଞ୍ଚଳିକ ଏବଂ ବିଶ୍ୱ ସ୍ତରରେ ସହଯୋଗର ଗୁରୁତ୍ୱକୁ ସ୍ୱୀକୃତି ଦେଇଛୁ । COVID-19 ମହାମାରୀ ବିରୋଧରେ ଲଢିବାପାଇଁ ବିଶ୍ୱକୁ ସମର୍ଥନ କରିବା ଲାଗି ଭାରତ 150 ରୁ ଅଧିକ ଦେଶକୁ ଔଷଧ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଉପକରଣ ଯୋଗାଇ ଦେଇଛି । ଅନଲାଇନ୍ ତାଲିମ କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଏସିଆ, ଦକ୍ଷିଣ-ପୂର୍ବ ଏସିଆ ଏବଂ ଆଫ୍ରିକାର ଆଗଧାଡିରେ କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମୀ ଏବଂ ନୀତି ନିର୍ଦ୍ଧାରକମାନଙ୍କ ସହିତ ଆମର ଅଭିଜ୍ଞତା ବାଣ୍ଟିଛୁ । ଆମେ ଏପର୍ଯ୍ୟନ୍ତ ପ୍ରାୟ 50 ଟି ଦେଶକୁ ” ମେଡ୍‍ ଇନ୍ ଇଣ୍ଡିଆ’ ଟିକା ଉପଲବ୍ଧ କରାଇଛୁ । ଆଗାମୀ ଦିନରେ ଆହୁରି ଅନେକ ଦେଶକୁ ଟିକା ଯୋଗାଇବା ପାଇଁ ଆମେ ପ୍ରତିବଦ୍ଧ ।

ମାନ୍ୟବର,

ଆଜିର ପରିବେଶରେ ସମସ୍ତ ଦେଶ ମଧ୍ୟରେ ସମନ୍ୱୟ, ସହଯୋଗ ଏବଂ ମିଳିତ କାର୍ଯ୍ୟ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପାରିଛି । ଅଂଶୀଦାରର ମୂଲ୍ୟ ଯଥା ଗଣତନ୍ତ୍ର, ମାନବିକ ଅଧିକାର, ଆଇନର ନିୟମ, ସମାନତା, ସ୍ୱାଧୀନତା, ନ୍ୟାୟ ଆମର ସମ୍ପର୍କ ଏବଂ ପାରସ୍ପରିକ ସହଯୋଗକୁ ଦୃଢ କରେ । ଜଳବାୟୁ ପରିବର୍ତ୍ତନର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆମ ଉଭୟ ଦେଶ ପାଇଁ ଏକ ପ୍ରାଥମିକତା ଏବଂ ଆମେ ଏହା ଉପରେ ଆପଣଙ୍କ ସହ କାମ କରିବାକୁ ଚାହୁଁଛୁ । ଭାରତୀୟ ସଂସ୍କୃତି ସର୍ବଦା ପରିବେଶର ସଂରକ୍ଷଣ ତଥା ପ୍ରକୃତି ସହିତ ସମନ୍ୱୟ ରକ୍ଷାକରି ବଞ୍ଚିବା ଉପରେ ଗୁରୁତ୍ୱ ଦେଇଥାଏ ।

ପ୍ୟାରିସ୍ ଚୁକ୍ତିରେ ଦିଆଯାଇଥିବା ପ୍ରତିଶ୍ରୁତି ଉପରେ ଆମେ ଦୃୃୃଢ ଭାବରେ କାର୍ଯ୍ୟ କରୁଛୁ । ଆମେ କେବଳ ଏହି ଲକ୍ଷ୍ୟ ହାସଲ କରିବୁ ନାହିଁ, ବରଂ ସେଗୁଡିକୁ ମଧ୍ୟ ଅତିକ୍ରମ କରିବୁ । ଭାରତ ବୋଧହୁଏ G-20 ଦେଶ ମଧ୍ୟରେ ଦେଇଥିବା ପ୍ରତିଶ୍ରୁତି ଉପରେ ଭଲ ଅଗ୍ରଗତି କରିବାରେ ସକ୍ଷମ ହୋଇଛି । ଆମର ଅଣପାରମ୍ପରିକ ଶକ୍ତି କ୍ଷମତା ଗତ ପାଞ୍ଚ ବର୍ଷ ମଧ୍ୟରେ 162 ପ୍ରତିଶତ ବୃଦ୍ଧି ପାଇଛି । ଆମେ 2030 ସୁଦ୍ଧା 450 ଗିଗାୱାଟ ଅଣପାରମ୍ପରିକ ଶକ୍ତିର ଲକ୍ଷ୍ୟ ସ୍ଥିର କରିଛୁ । ଏଲଇଡି ଲାଇଟ୍ ବ୍ୟବହାରକୁ ପ୍ରୋତ୍ସାହିତ କରି ଆମେ 30 ନିୟୁତ ଟନ୍ କାର୍ବନ ଡାଇଅକ୍ସାଇଡ୍ ର୍ନିଗମନ ସଞ୍ଚୟ କରୁଛୁ । ଆନ୍ତର୍ଜାତୀୟ ସୌର ଗୋଷ୍ଠିରେ ଯୋଗଦେବା ପାଇଁ ସ୍ୱିଡେନର ନିଷ୍ପତ୍ତିକୁ ଆମେ ସ୍ୱାଗତ କରୁଛୁ । ଆମେ ମଧ୍ୟ ଶୀଘ୍ର ବିପର୍ଯ୍ୟୟ ସହନଶୀଳ ଭିତ୍ତିଭୂମି ପାଇଁ ମିଳିତ ମଞ୍ଚରେ ଯୋଗଦେବାକୁ ଆମନ୍ତ୍ରଣ କରୁଛୁ ।

ମାନ୍ୟବର,

କୋଭିଡ ପରବର୍ତ୍ତୀ ସ୍ଥିରତା ଏବଂ ପୁନରୁଦ୍ଧାରରେ ଭାରତ-ସ୍ୱିଡେନ ସହଭାଗୀତା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ । ନବସୃଜନ, ପ୍ରଯୁକ୍ତିବିଦ୍ୟା, ପୁଞ୍ଜି ବିନିଯୋଗ, ଷ୍ଟାର୍ଟ ଅପ୍ ଏବଂ ଅନୁସନ୍ଧାନ କ୍ଷେତ୍ରରେ ଆମେ ସହଯୋଗକୁ ଦୃଢ କରିପାରିବା । ସ୍ମାର୍ଟ ସିଟି, ଜଳ ବିଶୋଧନ, ବର୍ଜ୍ୟବସ୍ତୁ ପରିଚାଳନା, ସର୍କୁଲାର ଇକୋନୋମି, ସ୍ମାର୍ଟ ଗ୍ରୀଡ୍‌, ଇ-ମୋବିଲିଟି ଏବଂ ଡିଜିଟାଲ୍ ଟ୍ରାନ୍ସଫର୍ମେସନ୍ ସହିତ ଅନେକ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ଏକ ବିରାଟ ସମ୍ଭାବନା ଅଛି । ମୁଁ ନିଶ୍ଚିତ ଯେ ଆମର ଭର୍ଚୁଆଲ୍ ସମ୍ମିଳନୀ ଆଜି ସହଯୋଗରେ ନୂତନ ଦିଗ ଯୋଗ କରିବ ।

ମାନ୍ୟବର,

ପୁଣି ଥରେ, ମୁଁ ସ୍ୱିଡେନ ନାଗରିକଙ୍କ ପ୍ରତି ଭାରତର ଉତ୍କୃଷ୍ଟ ବନ୍ଧୁତ୍ୱର ଯାତ୍ରା ମନେ ପକାଉଛି ଏବଂ ବର୍ତ୍ତମାନ ଆପଣଙ୍କର ଉଦବୋଧନକୁ ନିମନ୍ତ୍ରଣ କରୁଛି ।

***

HS