ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଆଜି ଭାରତ ଏବଂ ନିର୍ବାଚନ କମିଶନ ଅଫ ନାମିବିୟା (ଇସିଏନ) ଏବଂ ଇଲେକସନ ଟ୍ରାଇବ୍ୟୁନାଲ ଅଫ ପାନାମା (ଇଟିପି) ମଧ୍ୟରେ ନିର୍ବାଚନ ପରିଚାଳନା ଏବଂ ପ୍ରଶାସନ କ୍ଷେତ୍ରରେ ସହଯୋଗ ସମ୍ପର୍କରେ ବୁଝାମଣାପତ୍ର (ଏମଓୟୁ) ପ୍ରସ୍ତାବକୁ ମଞ୍ଜୁରି ମିଳିଛି ।
ପ୍ରମୁଖ ବିଶେଷତ୍ୱ :
ଏହି ଏମଓୟୁରେ ଏପରି ମାନକ ଅନୁଚ୍ଛେଦ/ଧାରା ସାମିଲ ରହିଛି, ଯାହା ସାମଗ୍ରୀକ ଭାବେ ନିର୍ବାଚନ ପରିଚାଳନା ଏବଂ ପ୍ରଶାସନ କ୍ଷେତ୍ରରେ ସହଯୋଗକୁ ପ୍ରୋତ୍ସାହନ ଦେବାର ପ୍ରତିବଦ୍ଧତାକୁ ବ୍ୟକ୍ତ କରୁଛି, ଯେଉଁଥିରେ ନିର୍ବାଚନ ପ୍ରକ୍ରିୟାର ସଂଗଠନାତ୍ମକ ଏବଂ ବୈଷୟିକ ବିକାଶ ବିଷୟରେ ସୂଚନା ଏବଂ ଅଭିଜ୍ଞତାର ବିନିମୟ କରିବା, ସୂଚନା ବିନିମୟ କରିବା, ସଂସ୍ଥାଗତ ସୁଦୃଢ଼ୀକରଣ କରିବା ଏବଂ କ୍ଷମତା ନିର୍ମାଣ କରିବା, କାର୍ମିକ ପ୍ରଶିକ୍ଷଣ, ନିୟମିତ ବିଚାର-ବିମର୍ଶ ଆଦିକୁ ପ୍ରୋତ୍ସାହନ ଦେବା ସାମିଲ ରହିଛି ।
ପ୍ରଭାବ :
ଏହି ବୁଝାମଣାପତ୍ର ଦ୍ୱାରା ଦ୍ୱିପାକ୍ଷିକ ସହଯୋଗକୁ ପ୍ରୋତ୍ସାହନ ମିଳିପାରିବ । ଏହାର ଲକ୍ଷ ଇଲେକସନ କମିଶନ ଅଫ ନାମିବିୟା (ଇସିଏନ) ଏବଂ ଇଲେକସନ ଟ୍ରାଇବୁନାଲ ଅଫ ପାନାମା (ଇଟିପି) ଲାଗି ବୈଷୟିକ ସହାୟତା/କ୍ଷମତା ନିର୍ମାଣ କରିବା । ଏହା ନିର୍ବାଚନ ପରିଚାଳନା ଏବଂ ପ୍ରଶାସନ କ୍ଷେତ୍ରରେ ସହଯୋଗ ଏବଂ ଏହି ଦେଶଗୁଡ଼ିକ ମଧ୍ୟରେ ନିର୍ବାଚନ ଆୟୋଜନ କରିବାରେ ସହାୟତା ଉପଲବ୍ଧ କରାଇବାର ପରିକଳ୍ପନା କରୁଛି । ଯାହାର ଫଳସ୍ୱରୂପ ଭାରତର ଅନ୍ତର୍ଜାତୀୟ ସମ୍ପର୍କକୁ ପ୍ରୋତ୍ସାହନ ମିଳିପାରିବ ।
***