ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଆଜି ଭାରତ ଏବଂ ତୁର୍କୀ ମଧ୍ୟରେ ପପି ବୀଜ କାରବାର ଘେନି ସ୍ୱାକ୍ଷରିତ ବୁଝାମଣା ପତ୍ରକୁ ସ୍ୱୀକୃତି ମିଳିଛି । ଏହା ଫଳରେ ଉଭୟ ରାଷ୍ଟ୍ର ମଧ୍ୟରେ ଯଥାଶୀଘ୍ର ତଥା ସ୍ୱଚ୍ଛ ଭାବେ ପପି ବୀଜ ବ୍ୟବସାୟ ହୋଇପାରିବ ।
ବୁଝାମଣା ପତ୍ରର ବିସ୍ତୃତ ବିବରଣୀ:
ଏହି ବୁଝାମଣା ପତ୍ରରେ ଥିବା ପ୍ରମୁଖ୍ୟ ସର୍ତ୍ତାବଳୀଗୁଡ଼ିକ ହେଲା:
1. ଟର୍କିଶ୍ ଗ୍ରେନ୍ ବୋର୍ଡ଼ (ଟିଏମଓ) ଏକ ଅନଲାଇନ୍ ବ୍ୟବସ୍ଥା ପରିଚାଳନା କରିବ ଯଦ୍ୱାରା ତୁର୍କୀରୁ ଭାରତକୁ ପପି ବୀଜ ରପ୍ତାନୀ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ । ରପ୍ତାନୀକାରୀ କମ୍ପାନୀମାନେ ଏଥି ସକାଶେ ସେମାନଙ୍କର ଆବେଦନପତ୍ର ଏଜିଆନ୍ ଏକ୍ସପୋର୍ଟର୍ସ ଆସୋସିଏସନ୍ (ଇଆଇବି) ମାଧ୍ୟମରେ ପୈଠ କରିବେ । ଏବଂ ଟିଏମଓ ଏହି ଆବେଦନ ପତ୍ର ପାଇବା ପରେ ସେମାନଙ୍କୁ ଅନଲାଇନ୍ ବ୍ୟବସ୍ଥାରେ ସଦସ୍ୟତା ପ୍ରଦାନ କରିବେ ।
2. ପ୍ରତି ବର୍ଷ ଯେତିକି ପରିମାଣର ପପି ବୀଜ ଭାରତକୁ ରପ୍ତାନୀ କରାଯିବ ତାହା ଭାରତ ସରକାର ତୁର୍କୀ ସରକାରଙ୍କ ସହ ପରାମର୍ଶ କ୍ରମେ ସ୍ଥିର କରିବେ । ସେ ଦେଶର ଉତ୍ପାଦନ ସ୍ଥିତିକୁ ଚାହିଁ ତାହା ପ୍ରତିବର୍ଷ ସ୍ଥିର କରାଯିବ ଏବଂ ଅବଶିଷ୍ଟ ପରିମାଣ ପୂର୍ବ ବର୍ଷର ଉତ୍ପାଦନରୁ ଆମଦାନି କରାଯିବ । ପୁଣି ତୁର୍କୀର ଘରୋଇ ଚାହିଦା ତଥା ଅନ୍ୟ ଦେଶର ରପ୍ତାନୀ ଆବଶ୍ୟକତାକୁ ପୂରଣ କରିବା ସହ ଏହା ସ୍ଥିର କରାଯିବ ।
3. ଟିଏମଓ ସହ ସମସ୍ତ ରପ୍ତାନୀକାରୀ କମ୍ପାନୀ ସେମାନଙ୍କର ନାମ ପଂଜୀକରଣ କରାଇବେ । ଭାରତୀୟ ଆମଦାନୀକାରୀଙ୍କ ସହ ରାଜିନାମା ସ୍ୱାକ୍ଷର କରୁଥିବା ପ୍ରତ୍ୟେକ ରପ୍ତାନୀକାରୀ କମ୍ପାନୀ ଟିଏମଓରେ ନାମ ପଂଜୀକରଣ କରିଥିବା ଜରୁରୀ । ଏହା ଅନଲାଇନ୍ ବ୍ୟବସ୍ଥା ମଧ୍ୟରେ କରାଯିବ ଏବଂ ପାରା-2ରେ ବର୍ଣ୍ଣିତ ପରିମାଣ ଠାରୁ ପଂଜୀକୃତ ବିକ୍ରୟ ରାଜିନାମାର ପରିମାଣ କୌଣସି ପରିସ୍ଥିତିରେ ଅଧିକ ନହୋଇଥିବା ଉଚିତ ।
4. ପାରା-2ରେ ବର୍ଣ୍ଣତ ବ୍ୟବସ୍ଥା ଅନୁସାରେ ପ୍ରତିବର୍ଷ ଭାରତୀୟ ଆମଦାନୀକାରୀ କମ୍ପାନୀମାନେ ତୁର୍କୀରୁ କେତେ ପରିମାଣର ପପି ବୀଜ ଆମଦାନି କରିବେ ତାହା ସ୍ଥିର କରାଯିବ ।
5. କେନ୍ଦ୍ରୀୟ ନାର୍କୋଟିକ୍ସ ବ୍ୟୁରୋ (ସିବିଏନ) ଟିଏମଓ ସହ ଏକ ବିକ୍ରୟ ରାଜିନାମା ପଂଜୀକରଣ କରିବେ ଯାହାକି ଟିଏମଓ ଅନଲାଇନ୍ ବ୍ୟବସ୍ଥା ଅନୁସାରେ ହୋଇଥିବ । ପୁନଶ୍ଚ ତାହା ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟଙ୍କ ଗାଇଡ଼ଲାଇନର ସର୍ତ୍ତାବଳୀକୁ ପୂରଣ କରୁଥିବ । ସିବିଏନ ତାଙ୍କ ନିକଟରେ ଆମଦାନି ପାଇଁ ପଂଜୀକୃତ ରାଜିନାମାର ବିସ୍ତୃତ ବିବରଣୀ ଅନଲାଇନ୍ ବ୍ୟବସ୍ଥା ମାଧ୍ୟମରେ ପ୍ରଦର୍ଶିତ କରିବେ । ଓଏମଓ ଏଭଳି ରପ୍ତାନୀକୁ ଅନୁମତି ପ୍ରଦାନ କରିବ ଯେଉଁମାନେ’କି ସିବିଏନ ଦ୍ୱାରା ପଂଜୀକୃତ ହୋଇଥିବେ ।
6. ଟିଏମଓ ପପି ବୀଜ ରପ୍ତାନୀକାରୀମାନଙ୍କୁ ଆଇନଗତ ଉତ୍ପାଦନ ସାର୍ଟିଫିକେଟ ପ୍ରଦାନ କରିବେ ଯେଉଁମାନେ’କି ତାଙ୍କ ନିକଟରେ ବିକ୍ରୟ ରାଜିନାମା ପୈଠ କରିଥିବେ ଏବଂ ଅନ୍ୟ ସମସ୍ତ ପ୍ରକାର ସର୍ତ୍ତାବଳୀ ପୂରଣ କରୁଥିବେ ।
ଏହି ବୁଝାମଣା ପତ୍ର ମାଧ୍ୟମରେ ତୁରନ୍ତ ତଥା ସ୍ୱଚ୍ଛ ବ୍ୟବସ୍ଥା ମାଧ୍ୟମରେ ଦୁଇ ଦେଶ ମଧ୍ୟରେ ପପି ବୀଜ କାରବାର ହୋଇପାରିବ । ସେହିଭଳି ନିର୍ଦ୍ଦିଷ୍ଟ ପରିମାଣର ପପି ବୀଜ ଆମଦାନୀକାରୀମାନଙ୍କୁ ମିଳିପାରିବ । ଫଳରେ ଏହି ବ୍ୟବସ୍ଥାରେ କୌଣସି ପ୍ରକାର ବିବାଦ ଉତ୍ପନ୍ନ ହେବ ନାହିଁ ଏବଂ ବିଦେଶରୁ ପପି ବୀଜ ଆମଦାନୀ ସହଜସାଧ୍ୟ ହୋଇପାରିବ । ପୁନଶ୍ଚ ଏହା ଦ୍ୱାରା ଭାରତରେ ପପି ବୀଜର ଚାହିଦା ପୂରଣ ହୋଇପାରିବ ଏବଂ ଭାରତୀୟ ଉପଭୋକ୍ତାମାନେ ସେମାନଙ୍କ ଆବଶ୍ୟକ ମୁତାବକ ପୋସ୍ତ ପାଇପାରିବେ ।
**********