ଭାରତ-ତାଇପେ ସଂଘ ଏବଂ ତାଇପେ ଅର୍ଥନୈତିକ ଓ ସାଂସ୍କୃତିକ କେନ୍ଦ୍ର ମଧ୍ୟରେ ବିମାନ ସେବା ରାଜିନାମା ହସ୍ତାକ୍ଷରକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବ ଉପରେ ଆଲୋଚନା ପରେ ମଞ୍ଜୁରି ପ୍ରଦାନ କରାଯାଇଛି ।
ବର୍ତ୍ତମାନ ଭାରତ ଓ ତାଇୱାନ ମଧ୍ୟରେ କୌଣସି ପ୍ରକାର ବିଧିବଦ୍ଧ ବୀମାନ ସେବା ରାଜିନାମା ନାହିଁ । ଦୁଇ ଦେଶ ମଧ୍ୟରେ କେବଳ ଏକ ବୁଝାମଣାର ଆଦାନ ପ୍ରଦାନ ଦ୍ୱାରା ବିମାନ ଚଳାଚଳ ସେବା ଜାରି ରହିଛି । ଏୟାର ଇଣ୍ଡିଆ ଚାର୍ଟର୍ସ ଲିମିଟେଡ୍ ଏବଂ ତାଇପେ ଏୟାର ଲାଇନ୍ସ ସଂଘ ମଧ୍ୟରେ ଏହି ବୁଝାମଣା ପତ୍ର ହୋଇଥିଲା ।
ଏବେ ବିମାନ ଚଳାଚଳ ସେବା ପାଇଁ ବିଧିବଦ୍ଧ ରାଜିନାମା ହେବା ପରେ ଭାରତ-ତାଇୱାନ ମଧ୍ୟରେ ଏହି କ୍ଷେତ୍ରରେ ଏକ ଯୁଗାନ୍ତକାରୀ ସମ୍ପର୍କ ପ୍ରତିଷ୍ଠା ହେବ । ତା’ଛଡା ବ୍ୟବସାୟ, ବାଣିଜ୍ୟ, ପର୍ଯ୍ୟଟନ ଓ ସାଂସ୍କୃତିକ ବିନିମୟ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସମ୍ବଦ୍ଧ ଆହୁରି ମଜବୁତ ହେବ ।