ଭାରତ ଓ ଜର୍ମାନର ଷ୍ଟେନବିସ ଜିଏମବିଏଚ କୋ କେଜି ମଧ୍ୟରେ ବୈଷୟିକ ଜ୍ଞାନ କୌଶଳର ଆଦାନ ପ୍ରଦାନ ସଂକ୍ରାନ୍ତ ବୁଝାମଣା ପତ୍ର ସ୍ୱାକ୍ଷରକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କେବିନେଟ ଅନୁମୋଦନ ଦେଇଛନ୍ତି । ଏହି ଜ୍ଞାନ କୌଶଳ ମୁଖ୍ୟତଃ ବିନିର୍ମାଣ ଶିଳ୍ପ ସମେତ ମୌଳିକ ସାମଗ୍ରୀ ଉତ୍ପାଦନ ନିମନ୍ତେ ଉଦ୍ଦିଷ୍ଟ ହୋଇଥିବା ବେଳେ ସେହି ବୁଝାମଣା ପତ୍ର ଜର୍ମାନୀର ହାନୋଭରଠାରେ ଆୟୋଜିତ ଶିଳ୍ପ ପ୍ରଦର୍ଶନୀ ହାନୋଭର ମେସେରେ 2016 ଅପ୍ରେଲ 25 ତାରିଖରେ ସ୍ୱାକ୍ଷରିତ ହୋଇଥିଲା ।
ଷ୍ଟେନବିସ ଜିଏମବିଏଚ ସମଗ୍ର ୟୁରୋପରେ ଏକ ପ୍ରମୁଖ ପ୍ରୟୋଗାତ୍ମକ ଶିଳ୍ପ ଗବେଷଣା ସଂସ୍ଥା । ଏହା ବୈଷୟିକ ଜ୍ଞାନ କୌଶଳ ସଂବନ୍ଧର ଏକ ଅଂଶୀଦାର ହୋଇ ଚିହ୍ନଟ ସାମଗ୍ରୀର ବିନିର୍ମାଣ ପ୍ରକଳ୍ପ ପାଇଁ କାର୍ଯ୍ୟ କରିବ । ଉକ୍ତ ବୁଝାମଣା ପତ୍ରରେ ଥିବା ସହଯୋଗର କ୍ଷେତ୍ର ମଧ୍ୟରେ ସ୍ୱତନ୍ତ୍ର ଜ୍ଞାନକୌଶଳର ନିର୍ଦ୍ଧାରଣ, ମୌଳିକ (ବୃହତ୍ତ) ସାମଗ୍ରୀ ଉପକ୍ଷେତ୍ର ପାଇଁ ବୈଷୟିକ ଜ୍ଞାନ କୌଶଳର ପ୍ରସ୍ତୁତି, ବୃହତ୍ତ ସାମଗ୍ରୀଗୁଡିକୁ ନେଇ ସମ୍ମିଳିତ ବୈଷୟିକ ଆକଳନ, ବୈଷୟିକ ଜ୍ଞାନ କୌଶଳର ସହଯୋଗ କ୍ଷେତ୍ର ଏବଂ ବୈଷୟିକ ପ୍ରତିଷ୍ଠାନଗୁଡିକର ଉନ୍ନତିକରଣ – ଭାରତରେ ଗ୍ରୀନଫିଲ୍ଡ ପ୍ରତିଷ୍ଠାନ ସ୍ଥାପନ ଏବଂ ଅନ୍ୟ ସହଯୋଗ ଓ ସମନ୍ୱୟ ସଂକ୍ରାନ୍ତରେ ଜ୍ଞାନ କୌଶଳର ନିର୍ଦ୍ଧାରଣ ଆଦି ଅନ୍ତର୍ଭୂକ୍ତ ।
ଭାରତୀୟ ମୌଳିକ (ବୃହତ୍ତ) ସାମଗ୍ରୀ କ୍ଷେତ୍ରରେ ଏହି ବୁଝାମଣାଟି ଏକ ପ୍ରମୁଖ ଆଧାର ହୋଇ ଶିଳ୍ପ ବୈଷୟିକ ପ୍ରକଳ୍ପଗୁଡିକୁ ସୁବିଧା ଯୋଗାଇବ । ଏହି ବୁଝାମଣା ବିଭିନ୍ନ ସରକାରୀ ଉଦ୍ୟୋଗ ଏବଂ ମୌଳିକ ସାମଗ୍ରୀ କ୍ଷେତ୍ର ପାଇଁ ଏକ ଭିତ୍ତିଭୂମି ପ୍ରସ୍ତୁତ କରିବ ଯାହାଫଳରେ ଷ୍ଟେନବିସ ଜିଏମବିଏଚର ଦକ୍ଷତାର ବିନିଯୋଗ ହୋଇ ସାମର୍ଥ୍ୟ ବୃଦ୍ଧି ହେବ ଏବଂ ବୈଷୟିକ ଜ୍ଞାନ କୌଶଳର ଅଭାବ ପୂରଣ ହେବ ।