ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଭାରତ ଓ ଜର୍ଜିଆ ମଧ୍ୟରେ ବିମାନ ସେବା ଚୁକ୍ତିକୁ ଅନୁମୋଦନ ମିଳିଛି । ଦୁଇ ଦେଶ ମଧ୍ୟରେ ବିମାନ ସେବା ବୃଦ୍ଧି କରିବା ଲକ୍ଷ୍ୟରେ ଆନ୍ତର୍ଜାତିକ ବେସାମରିକ ବିମାନ ଚଳାଚଳ ସଂସ୍ଥାର ପ୍ରକ୍ରିୟା ଅନୁସାରେ ଏହି ବୁଝାମଣା ହୋଇଛି ।
ଚୁକ୍ତି ଅନୁଯାୟୀ ଦୁଇ ଦେଶ ଗୋଟିଏ କିମ୍ବା ତା’ ଠାରୁ ଅଧିକ ଏୟାରଲାଇନ୍ସ କମ୍ପାନିକୁ ଦୁଇ ଦେଶ ମଧ୍ୟରେ ବିମାନ ସେବା ସକାଶେ ଚିହ୍ନଟ କରିବେ ।
ଏବେ ଭାରତର ଯେକୌଣସି ସହରରୁ ଏୟାରଲାଇନ୍ସ ଜର୍ଜିଆର ଯେକୌଣସି ସହରକୁ ଉଡ଼ାଣ କରିପାରିବେ । ସେହିପରି ଜର୍ଜିଆରୁ ନୂଆଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, ଚେନ୍ନାଇ ଏବଂ ଗୋଆକୁ ବିମାନ ଉଡ଼ାଣର ସୁବିଧା ମିଳିବ । ଏହାବାଦ୍ ଅନ୍ୟ ସହରକୁ ମଧ୍ୟ ଆବଶ୍ୟକ ସ୍ଥଳେ ଚିହ୍ନଟ ହୋଇଥିବା ଏୟାରଲାଇନ୍ସ ସେବା ଦେଇପାରିବେ । ଦୁଇ ଦେଶର ଚିହ୍ନଟ ହୋଇଥିବା ଏୟାରଲାଇନ୍ସ ଭିନ୍ନ ଭିନ୍ନ ସହରରେ ସେବା ପ୍ରଦାନ ପାଇଁ କାର୍ଯ୍ୟାଳୟ ଖୋଲିପାରିବେ । ଚିହ୍ନଟ ହୋଇଥିବା ଏୟାରଲାଇନ୍ସ ଅନ୍ୟ ଦେଶର ତୃତୀୟ ପକ୍ଷ ଏୟାରଲାଇନ୍ସ ସହ ମଧ୍ୟ ବିମାନ ସେବା ପାଇଁ ବୁଝାମଣା କରିପାରିବେ ।
ଏହି ଚୁକ୍ତିନାମା ଯୋଗୁ ଭାରତ ଓ ଜର୍ଜିଆ ମଧ୍ୟରେ ବାଣିଜ୍ୟ, ନିବେଶ, ପର୍ଯ୍ୟଟନ ଏବଂ ସଂସ୍କୃତି କ୍ଷେତ୍ରରେ ଅଧିକ ଭାବ ଆଦାନପ୍ରଦାନର ସୁଯୋଗ ସୃଷ୍ଟି ହେବ ।