ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଭାରତ ଓ ତାଞ୍ଜାନିଆ ମଧ୍ୟରେ ଜଳସମ୍ପଦର ପରିଚାଳନା ଓ ବିକାଶ ପାଇଁ ଦ୍ୱିପାକ୍ଷିକ ସହଯୋଗ ନିମନ୍ତେ ବୁଝାମଣା (ଏମ୍ଓୟୁ) ସ୍ୱାକ୍ଷରକୁ ଅନୁମୋଦନ ମିଳିଛି ।
ଦୁଇ ଦେଶ ମଧ୍ୟରେ ଜଳ ସଂରକ୍ଷଣ ଜ୍ଞାନକୌଶଳ, ଭୂତଳ ଜଳ ପରିଚାଳନା ଓ ବିକାଶ ସହ ଏହାକୁ ପରିପୁଷ୍ଟ କରିବା କ୍ଷେତ୍ରରେ ସହଯୋଗ ବୃଦ୍ଧି ହେବ । ପାରସ୍ପରିକ ସହମତିରେ ବିଶେଷ ଦକ୍ଷତା ଥିବା କ୍ଷେତ୍ରର ଜ୍ଞାନକୌଶଳର ଆଦାନ ପ୍ରଦାନ ଓ ସହଭାଗିତା ଦ୍ୱାରା ଦେଶର ଜଳ ସଂରକ୍ଷଣ, ଜଳ ଅମଳ, ଭୂତଳ ଜଳ ପରିଚାଳନା ଓ ବିକାଶ, ପରିପୁଷ୍ଟୀକରଣ ଆଦିର ବୈଷୟିକ ଫାଇଦା ମିଳିପାରିବ । ସରକାର ମଧ୍ୟ ଜଳ ସମ୍ପଦର ପରିଚାଳନା ପାଇଁ ଜ୍ଞାନକୌଶଳର ଆଦାନପ୍ରଦାନ, ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ, ଅନୁଧ୍ୟାନମୂଳକ ଭ୍ରମଣ(Study Tour) ଓ ପାଇଲଟ ଅନୁଧ୍ୟାନକୁ ପ୍ରୋତ୍ସାହନ ଯୋଗାଇବେ । ଏହି ଏମ୍ଓୟୁ ଆଧାରରେ ହେଉଥିବା ସମସ୍ତ ଗତିବିଧିର ତଦାରଖ ପାଇଁ ଏକ ମିଳିତ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ କରାଯାଇଛି ।
କେନ୍ଦ୍ର ଜଳ ସମ୍ପଦ, ନଦୀ ବିକାଶ ଓ ଗଙ୍ଗା ସଂରକ୍ଷଣ ମନ୍ତ୍ରଣାଳୟ ଏବେ ଜଳସମ୍ପଦର ବିକାଶ ଓ ପରିଚାଳନା କ୍ଷେତ୍ରରେ ଅନ୍ୟ ରାଷ୍ଟ୍ର ସହ ଦ୍ୱିପାକ୍ଷିକ ସହଯୋଗ ଉପରେ ଗୁରୁତ୍ୱ ଦେଉଛନ୍ତି । ତାଞ୍ଜାନିଆ ଜଳସମ୍ପଦ ମନ୍ତ୍ରୀଙ୍କ 2014 ଜୁଲାଇ 16 ତାରିଖରେ ନୂଆଦିଲ୍ଲୀ ଗସ୍ତ ପରେ ଏହି ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ହୋଇଛି । ଉଭୟ ଦେଶ ଜଳ ସଂରକ୍ଷଣ ଓ ପରିଚାଳନାର ଦିଗ ଉପରେ ଆଲୋଚନା କରିବା ପରେ ପାରସ୍ପରିକ ସହମତିରେ ଏମ୍ଓୟୁ ସ୍ୱାକ୍ଷର କରିଛନ୍ତି ।