ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତ ସରକାରଙ୍କ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ବିଭାଗ ଏବଂ ଜର୍ମାନୀର ଶିକ୍ଷା ଓ ଅନୁସନ୍ଧାନ ମନ୍ତ୍ରଣାଳୟ ମଧ୍ୟରେ ଭାରତ-ଜର୍ମାନୀ ଦୀର୍ଘସ୍ଥାୟୀ କେନ୍ଦ୍ର (ଆଇଜିସିଏସ୍) ବିଷୟରେ ସଂଯୁକ୍ତ ପ୍ରୟୋଜନ ଘୋଷଣାପତ୍ରକୁ ଅନୁମୋଦନ ମିଳିଛି । ମିଳିତ ପ୍ରୟୋଜନ ଘୋଷଣା ପତ୍ର ପ୍ରଧାନମନ୍ତ୍ରୀ ଏବଂ ଜର୍ମାନୀ ଚାନ୍ସେଲରଙ୍କ ମଧ୍ୟରେ ବର୍ଲିନଠାରେ ଚତୁର୍ଥ ଆନ୍ତଃସରକାରୀ ବିଚାର-ବିମର୍ଶ ସମୟରେ 30 ମେ, 2017ରେ ସମ୍ପନ୍ନ ହୋଇଥିଲା । ମିଳିତ ଘୋଷଣାପତ୍ରରେ କେନ୍ଦ୍ରୀୟ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ତଥା ଭୂବିଜ୍ଞାନ ମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ଏବଂ ଜର୍ମାନୀର ଶିକ୍ଷା ଏବଂ ଅନୁସନ୍ଧାନ ମନ୍ତ୍ରୀ ପ୍ରଫେସର ଡଃ.ଜୋହାନା ବାଙ୍କା ସ୍ୱାକ୍ଷର କରିଥିଲେ ।
ଭାରତ-ଜର୍ମାନୀ ଦୀର୍ଘସ୍ଥାୟୀ କେନ୍ଦ୍ର ବିଷୟରେ ମିଳିତ ପ୍ରୟୋଜନ ଘୋଷଣାପତ୍ରର ଉଦ୍ଦେଶ୍ୟ ମୌଳିକ ଏବଂ ବ୍ୟବହାରିକ ବୈଜ୍ଞାନିକ ଅନୁସନ୍ଧାନ ବିଷୟରେ ଜର୍ମାନୀ ଏବଂ ଭାରତର ବୈଜ୍ଞାନିକଙ୍କ ମଧ୍ୟରେ ସହଯୋଗକୁ ପ୍ରୋତ୍ସାହନ ଦେବା । ଏଥିରେ ନୀତିଗତ ସହଯୋଗ, ଅଧ୍ୟାପନା, ପ୍ରଶିକ୍ଷଣ ଏବଂ ସ୍ଥିର ବିକାଶ ଓ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ଆନ୍ତଃ ବିଷୟ/ବିଷୟ ଊଦ୍ଧ୍ୱର୍ରେ ଅନୁସନ୍ଧାନ ଜରିଆରେ ସୂଚନାର ପ୍ରସାର ସାମିଲ ରହିଛି । ଭାରତ-ଜର୍ମାନୀ ଦୀର୍ଘସ୍ଥାୟୀ କେନ୍ଦ୍ର ଭାରତ ଏବଂ ଜର୍ମାନୀରେ ଅନ୍ୟ ବିଶ୍ୱବିଦ୍ୟାଳୟ, ସଂସ୍ଥାନ ଏବଂ ଉଦ୍ୟୋଗ ସହିତ ନେଟୱାର୍କ ବିସ୍ତାର କରି ଭବିଷ୍ୟତରେ ସହଯୋଗକୁ ପ୍ରୋତ୍ସାହନ ଦେବ । ଭାରତ ପକ୍ଷରୁ ଭାରତୀୟ ପ୍ରଯୁକ୍ତିବିଦ୍ୟା ସଂସ୍ଥାନ (ଆଇଆଇଟି), ମାଡ୍ରାସ ଆଇଜିସିଏସ ପାଇଁ ଆୟୋଜକ ସଂସ୍ଥା ରୂପରେ କାର୍ଯ୍ୟ କରିବ ।
ମିଳିତ ଘୋଷଣାପତ୍ର ଅନ୍ତର୍ଗତ ଆବଶ୍ୟକ ସଂସ୍ଥାଗତ ଢାଂଚା ବିକଶିତ କରାଯିବ ଯଦ୍ଦ୍ୱାରା ଡିଏସଟି ଏବଂ ବିଏମବିଏଫ ଦ୍ୱାରା ଆଇଆଇଟି ମାଡ୍ରାସ୍ ଏବଂ ଆଇଜିସିଏସର ସହାୟତା ପାଇଁ ଅର୍ଥ ରାଶି ପ୍ରଦାନ କରାଯାଇପାରିବ । ଡିଏସଟି ସ୍ଥିର ବିକାଶ ପାଇଁ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ଅନୁସନ୍ଧାନ କରିବା ଲାଗି ଆଇଜିସିଏସକୁ ଅନୁଦାନ ଦେବ । ଡିଏସଟି ଏବଂ ବିଏମ୍ବିଏଫ୍ ଜାନୁଆରୀ 2018 ରୁ 5 ବର୍ଷର ଅବଧି ପାଇଁ ଆଇଜିସିଏସକୁ ମିଳିତ ଭାବେ ସହାୟତା କରିବେ ।