ନମସ୍କାର,
କ୍ୟାବିନେଟରେ ମୋର ସହଯୋଗୀ ଡକ୍ଟର ହର୍ଷବର୍ଦ୍ଧନ ମହାଶୟ, ବିଭାଗୀୟ ଜାତୀୟ ସଭାପତି ଡକ୍ଟର ବିଜୟ ଭଟକର ମହାଶୟ, ସମ୍ମାନନୀୟ ବୈଜ୍ଞାନିକଗଣ, ଭଦ୍ରମହିଳା ଓ ଭଦ୍ରବ୍ୟକ୍ତିଗଣ।
ପାର୍ବଣ, ଉତ୍ସବ, ପର୍ବପର୍ବାଣୀ, ଏହା ହେଉଛି ଭାରତର ସ୍ୱଭାବ ଏବଂ ଭାରତର ପରମ୍ପରା ମଧ୍ୟ। ଆଜିକାର ଏହି ପର୍ବରେ ଆମେ ବିଜ୍ଞାନର ଉତ୍ସବ ପାଳନ କରୁଛୁ। ଆମେ ସେହି ମାନବୀୟ ଉତ୍ସାହକୁ ମଧ୍ୟ ପାଳନ କରୁଛୁ ଯାହା ଆମକୁ କ୍ରମାଗତ ଭାବେ ନବସୃଜନ ପାଇଁ ପ୍ରୋତ୍ସାହିତ କରିଥାଏ।
ବନ୍ଧୁଗଣ,
ଭାରତର ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ କ୍ଷେତ୍ରରେ ଏକ ସମୃଦ୍ଧ ପରମ୍ପରା ରହିଛି। ଆମ ବୈଜ୍ଞାନକମାନେ ନୂତନ ପଥ ଉନ୍ମୁକ୍ତ କରିବା ଭଳି ଗବେଷଣା କରିଛନ୍ତି। ଆମର ବୈଷୟିକ ଉଦ୍ୟୋଗ ବିଭିନ୍ନ ବିଶ୍ୱସ୍ତରୀୟ ସମସ୍ୟାର ସମାଧାନ କ୍ଷେତ୍ରରେ ଆଗଧାଡ଼ିରେ ଅଛନ୍ତି। କିନ୍ତୁ ଭାରତ ଆହୁରି ଅଧିକ କିଛି କରିବାକୁ ଚାହୁଁଛି। ଆମେ ଅତୀତକୁ ଗର୍ବର ସହିତ ଦେଖୁଛୁ କିନ୍ତୁ ଭବିଷ୍ୟତରେ ଆହୁରି ଭଲ କରିବା ପାଇଁ ଚାହୁଁଛୁ।
ସାଥୀଗଣ,
ଏଥିପାଇଁ ଭାରତ ମୌଳିକ ସୁବିଧାଗୁଡ଼ିକ ଉପରେ ଗୁରୁତ୍ୱ ପ୍ରଦାନ କରୁଛି। ଆପଣ ସମସ୍ତଙ୍କ ଠାରୁ ଆଉ କିଏ ଏହାକୁ ଭଲ ଭାବେ ଜାଣିଛନ୍ତି ଯେ, ବୈଜ୍ଞାନିକ ସ୍ୱଭାବକୁ ବିକଶିତ କରିବା ପାଇଁ ପିଲାଦିନ ହିଁ ସବୁଠାରୁ ଉନ୍ନତ ସମୟ ? ଆଜି ଭାରତର ଶିକ୍ଷା ବ୍ୟବସ୍ଥାରେ ଗଠନମୂଳକ ସଂସ୍କାର ଅଣାଯାଉଛି, ଫଳରେ ପୁସ୍ତକ ଜ୍ଞାନରୁ ଆଗକୁ ଯାଇ ଅନୁସନ୍ଧାନ ମନୋବୃତିକୁ ପ୍ରୋତ୍ସାହନ ମିଳୁଛି । ତିନି ଦଶକର ଦୀର୍ଘ ସମୟ ପରେ ଦେଶକୁ ଜାତୀୟ ଶିକ୍ଷାନୀତି ମିଳି ସାରିଛି । ଏହି ନୀତି ଦ୍ୱାରା ଶିକ୍ଷା କ୍ଷେତ୍ରର ଦୃଷ୍ଟିଭଙ୍ଗୀ ବଦଳି ଯାଇଛି।
ପୂର୍ବରୁ ବାହ୍ୟ ପରିସୀମା ଉପରେ ଗୁରୁତ୍ୱ ଦିଆଯାଉଥିଲା, ଏବେ ଫଳାଫଳ ଉପରେ ଗୁରୁତ୍ୱ ଦିଆଯାଉଛି। ପ୍ରଥମେ ପାଠ୍ୟପୁସ୍ତକ ପଠନ ଉପରେ ଗୁରୁତ୍ୱ ଦିଆଯାଉଥିଲା, ଏବେ ଗବେଷଣା ଏବଂ ଉପଯୋଗ ଉପରେ ଗୁରୁତ୍ୱ ଦିଆଯାଉଛି। ନୂତନ ଜାତୀୟ ଶିକ୍ଷାନୀତିରେ ଏକ ଏଭଳି ବାତାବରଣ ଦେଶରେ ସୃଷ୍ଟି କରିବା ଉପରେ ଧ୍ୟାନ ଦିଆଯାଉଛି, ଯାହାଦ୍ୱାରା ଉନ୍ନତମାନର ଶିକ୍ଷକଙ୍କର ଏକ ଗୋଷ୍ଠୀ ଦେଶରେ ସୃଷ୍ଟି ହୋଇ ପାରିବେ। ଏହି ଅଭିବ୍ୟକ୍ତି ଆମର ନୂଆ ଏବଂ ଉଦୀୟମାନ ବୈଜ୍ଞାନିକମାନଙ୍କୁ ମଧ୍ୟ ସାହାଯ୍ୟ କରିବ।
ଭଦ୍ରମହିଳା ଓ ଭଦ୍ରବ୍ୟକ୍ତିଗଣ, ଶିକ୍ଷାକ୍ଷେତ୍ରରେ ଏ ଯେଉଁ ପରିବର୍ତନ କରାଯାଉଛି, ଏହାକୁ ପରିପୂରକ କରିବା ପାଇଁ ଅଟଳ ନବସୃଜନ ମିଶନ ମଧ୍ୟ ଆରମ୍ଭ କରାଯାଇଛି। ଏହି ମିଶନ ଅନୁସନ୍ଧାନକୁ, ଉଦ୍ୟମୀଙ୍କୁ, ନବସୃଜନକୁ, ପ୍ରୋତ୍ସାହିତ କରିଥାଏ। ଏହା ଅଧୀନରେ ସାରା ଦେଶରେ ଅନେକ ସ୍କୁଲରେ ଅଟଳ ଟିଙ୍କରିଂ ଗବେଷଣାଗାର ମାନ ପ୍ରସ୍ତୁତ କରାଯାଉଛି, ଯାହା ନବସୃଜନ ପାଇଁ ନୂତନ କ୍ଷେତ୍ର ସାଜିଛି । ଏହି ଗବେଷଣାଗାର ଦ୍ଵାରା ଆମ ସ୍କୁଲଗୁଡ଼ିକରେ ବିଜ୍ଞାନ ସହିତ ଜଡ଼ିତ ଭିତିଭୂମି ସୁଦୃଢ଼ ହେଉଛି। ଉଚ୍ଚଶିକ୍ଷାରେ ଅଟଳ ନବୋନ୍ମେଷ କେନ୍ଦ୍ର ପ୍ରସ୍ତୁତ କରାଯାଉଛି ଯାହାଦ୍ୱାରା ଦେଶରେ ଗବେଷଣା ଏବଂ ବିକାଶ ସହିତ ଜଡ଼ିତ ପରିସଂସ୍ଥାନ ଉନ୍ନତ ହେଉଛି । ଏହିଭଳି ଭାବେ ଅଧିକରୁ ଅଧିକ ଉନ୍ନତ ଇଂଜିନିୟରିଂ କଲେଜ, ଅଧିକ ଆଇଆଇଟି ପ୍ରତିଷ୍ଠା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି।
ସାଥୀଗଣ,
ଗୁଣାତ୍ମକ ଗବେଷଣା ପାଇଁ ସରକାର ପ୍ରଧାନମନ୍ତ୍ରୀ ଗବେଷଣା ଫେଲୋସିପ ଯୋଜନାକୁ ମଧ୍ୟ ଚାଲୁ ରଖିଛନ୍ତି। ଏହାର ଲକ୍ଷ୍ୟ ହେଉଛି ଦେଶର ଯେଉଁ ଶ୍ରେଷ୍ଠ ପ୍ରତିଭା ଅଛନ୍ତି, ସେମାନଙ୍କୁ ନିଜ ପସନ୍ଦର ଗବେଷଣା କରିବାରେ ଆହୁରି ସୁବିଧା ମିଳୁ। ଦେଶର ସମସ୍ତ ଆଇଆଇଟି, ସମସ୍ତ ଆଇଜର, ବେଙ୍ଗାଲୁରୁର ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନ ଏବଂ କିଛି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଓ ଏନଆଇଟିରେ ଏହି ଯୋଜନା ବିଦ୍ୟାର୍ଥୀମାନଙ୍କୁ ବହୁତ ଆର୍ଥିକ ସହାୟତା ପ୍ରଦାନ କରୁଛି। ଦେଶର ଅନ୍ୟ ଅନୁବନ୍ଧିତ ପ୍ରତିଷ୍ଠାନ ଏବଂ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କୁ ଏହାର ଲାଭ ମିଳିପାରୁ, ଏଥିପାଇଁ ୬–୭ ମାସ ପୂର୍ବରୁ ଯୋଜନାରେ କିଛି ପରିବର୍ତନ ମଧ୍ୟ କରାଯାଇଛି।
ସାଥୀଗଣ,
ବିଗତ କିଛି ମାସରେ ମୋର ଅନେକ ବୈଜ୍ଞାନିକଙ୍କ ସହିତ ଆଲୋଚନା ହୋଇଛି। ଏହି ନିକଟରେ ଭାରତ ‘ବୈଭବ ସମ୍ମିଳନୀ’ ମଧ୍ୟ ଆୟୋଜନ କରିଥିଲା। ଏକମାସ ଧରି ଚାଲିଥିବା ଏହି ସମ୍ମିଳନୀରେ ସାରା ବିଶ୍ୱର ଭାରତୀୟ ବଂଶୋଦ୍ଭବ ବୈଜ୍ଞାନିକ ଏବଂ ଗବେଷକମାନଙ୍କୁ ଗୋଟିଏ ମଞ୍ଚରେ ଏକାଠି କରାଯାଇଥିଲା। ଏଥିରେ ପ୍ରାୟ ୨୩ ହଜାର ବନ୍ଧୁ ଅଂଶଗ୍ରହଣ କରିଥିଲେ। ୭୦୦ ଘଣ୍ଟାରୁ ମଧ୍ୟ ଅଧିକ ଆଲୋଚନା ହୋଇଥିଲା। ମୁଁ ମଧ୍ୟ ଅନେକ ବୈଜ୍ଞାନିକମାନଙ୍କ ସହିତ ଆଲୋଚନା କରିଥିଲି। ଏହି ଆଲୋଚନାରେ ଅଧିକାଂଶ ଦୁଇଟି କଥା ଉପରେ ଗୁରୁତ୍ୱ ଦେଇଥିଲେ। ସେହି ଦୁଇଟି କଥା ହେଉଛି ବିଶ୍ୱାସ ଏବଂ ସହଯୋଗ। ଦେଶ ଆଜି ଏହି ଦିଗରେ କାର୍ଯ୍ୟ କରୁଛି।
ଆମର ସମସ୍ତ ପ୍ରୟାସ ଭାରତକୁ ବୈଜ୍ଞାନିକ ଶିକ୍ଷା ପାଇଁ ବିଶ୍ୱସ୍ତ କେନ୍ଦ୍ର କରିବା ପାଇଁ ଉଦ୍ଦିଷ୍ଟ। ସେହି ସମୟରେ, ଆମେ ଚାହୁଁଛୁ ଯେ ଆମର ବୈଜ୍ଞାନିକ ଗୋଷ୍ଠୀ ସର୍ବଶ୍ରେଷ୍ଠ ବିଶ୍ୱ ପ୍ରତିଭାର ଏକ ଅଂଶୀଦାର ହୁଅନ୍ତୁ ଓ ବିକଶିତ କରନ୍ତୁ। ଆଶ୍ଚର୍ଯ୍ୟର କଥା ଯେ ଭାରତ ସକ୍ରିୟତାର ସହ ହେକାଥନ ଆୟୋଜନ କରୁଛି ଏବଂ ଅଂଶଗ୍ରହଣ କରୁଛି। ସେଗୁଡ଼ିକ ଭାରତ ଏବଂ ବିଦେଶରେ ଅନୁଷ୍ଠିତ ହେଉଛି। ଏହା ଆମର ବୈଜ୍ଞାନିକମାନଙ୍କୁ ସୁଯୋଗ ଓ ପ୍ରୋତ୍ସାହନ ଉଭୟ ପ୍ରଦାନ କରୁଛି।
ସାଥୀଗଣ,
ବିଜ୍ଞାନ ଏବଂ ବୈଷୟିକଜ୍ଞାନ ସେ ପର୍ଯ୍ୟନ୍ତ ଅଧୁରା ରହିଥାଏ, ଯେ ପର୍ଯ୍ୟନ୍ତ ଏହାର ଲାଭ ଏବଂ ଉପଲବ୍ଧି ସମସ୍ତଙ୍କ ପାଇଁ ସମ୍ଭବ ନହୁଏ। ବିଗତ ୬ ବର୍ଷରେ ଯୁବକମାନଙ୍କୁ ସୁଯୋଗ ସହିତ ଯୋଡିବା ପାଇଁ ଦେଶରେ ବିଜ୍ଞାନ ଓ ବୈଷୟିଜ୍ଞାନ ଉପଯୋଗର ସମ୍ପ୍ରସାରଣ କରାଯାଇଛି। ବିଜ୍ଞାନ ଓ ବୈଷୟିକ ଜ୍ଞାନ ଏବେ ଭାରତରେ ଅଭାବ ଏବଂ ପ୍ରଭାବର ଶୂନ୍ୟସ୍ଥାନ ପୂରଣ କରିବା ପାଇଁ ଏକ ସେତୁ ହେବାକୁ ଯାଉଛି। ଏହାର ସହାୟତାରେ ପ୍ରଥମଥର ଗରିବରୁ ଗରିବକୁ ମଧ୍ୟ ସରକାରଙ୍କ ସହିତ, ବ୍ୟବସ୍ଥା ସହିତ ସିଧାସଳଖ ଯୋଡା ହୋଇଛି। ଡିଜିଟାଲ ଟେକ୍ନୋଲୋଜି ମାଧ୍ୟମରେ ସାଧାରଣ ଭାରତୀୟଙ୍କୁ ଶକ୍ତି ମଧ୍ୟ ମିଳିଛି ଏବଂ ସରକାରୀ ସହାୟତାର ସିଧା, ଦ୍ରୁତ ଗତିରେ ପହଞ୍ଚିବାର ଭରସା ମଧ୍ୟ ଦେଇଛି। ଆଜି ଗାଁରେ ଇଂଟନେଟ ବ୍ୟବହାରକାରୀଙ୍କ ସଂଖ୍ୟା ସହରଠାରୁ ଅଧିକ ହୋଇ ସାରିଛି। ଗାଁର ଗରିବ କୃଷକ ମଧ୍ୟ ଡିଜିଟାଲ କାରବାର କରୁଛି। ଆଜି ଭାରତର ଏକ ବୃହତ ଜନସଂଖ୍ୟା ସ୍ମାର୍ଟ ଫୋନ ଆଧାରିତ ଆପ୍ସ ସହିତ ଯୋଡି ହୋଇଛନ୍ତି। ଆଜି ଭାରତ ଗ୍ଲୋବାଲ ହାଇ–ଟେକ ଶକ୍ତିର ବିବର୍ତନ ଏବଂ ବିପ୍ଳବ ଉଭୟର କେନ୍ଦ୍ର ପାଲଟିଛି।
ସାଥୀଗଣ,
ଭାରତ ଏବେ ବିଶ୍ୱସ୍ତରୀୟ ଶିକ୍ଷା, ସ୍ୱାସ୍ଥ୍ୟ, ଯୋଗାଯୋଗ ବ୍ୟବସ୍ଥା, ଗରିବରୁ ଗରିବ ପର୍ଯ୍ୟନ୍ତ, ଗାଁ–ଗାଁ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ହାଇଟେକ୍ ସମାଧାନ ପ୍ରସ୍ତୁତ କାରିବା ଏବଂ ଆପଣେଇବା ପାଇଁ ତତ୍ପର ହୋଇଛି। ଭାରତ ପାଖରେ ହାଇଟେକ୍ ରାଜପଥ ନିମନ୍ତେ ତଥ୍ୟ, ଜନସାଂଖୀୟ ଚାହିଦା ଏବଂ ଏହି ସମସ୍ତକୁ ସମ୍ଭାଳିବା ପାଇଁ, ସଂନ୍ତୁଳନ ଏବଂ ସଂରକ୍ଷଣ ଦେବାପାଇଁ ଗଣତନ୍ତ୍ର ମଧ୍ୟ ଅଛି। ଏଥିପାଇଁ ବିଶ୍ୱ ଆଜି ଭାରତ ଉପରେ ଏତେ ଭରସା କରୁଛି।
ସାଥୀଗଣ,
ନିକଟରେ ଡିଜିଟାଲ ଇଣ୍ଡିଆ ଅଭିଯାନର ଆହୁରି ସମ୍ପ୍ରସାରଣ କରିବା ପାଇଁ ‘ପିଏମ୍-ବାଣୀ’ ଯୋଜନାର ଶୁଭାରମ୍ଭ କରାଯାଇଛି। ଏହାଦ୍ୱାରା ସମଗ୍ର ବିଶ୍ୱରେ ସର୍ବସାଧାରଣ ସ୍ଥାନରେ, ସମସ୍ତଙ୍କ ପାଇଁ ଗୁଣାତ୍ମକ ୱାଇ–ଫାଇ ସଂଯୋଗ ବ୍ୟବସ୍ଥା ସମ୍ଭବ ହୋଇଯିବ। ଏହାର ସିଧାସଳଖ ଲାଭ ବିଜ୍ଞାନକୁ ମଧ୍ୟ ହେବ କାରଣ ଦେଶର ଗାଁର ଯୁବକ ମଧ୍ୟ ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକ ଜ୍ଞାନକୁ ସହଜରେ ହାସଲ କରି ପାରିବ।
ସାଥୀଗଣ,
ଆମ ଦେଶରେ ଜଳ ସଙ୍କଟ, ପ୍ରଦୂଷଣ, ମୃତିକାର ମାନ, ଖାଦ୍ୟ ନିରାପତା ଭଳି ଅନେକ ଆହ୍ୱାନ ଅଛି ଯାହାର ଆଧୁନିକ ସମାଧାନ ବିଜ୍ଞାନ ପାଖରେ ରହିଛି। ଆମ ସମୁଦ୍ରରେ ଯେଉଁ ଜଳ, ଶକ୍ତି ଏବଂ ଖାଦ୍ୟର ଭଣ୍ଡାର ଅଛି, ତାହାକୁ ଦ୍ରୁତ ଗତିରେ ଅନ୍ୱେଷଣ କରିବାରେ ମଧ୍ୟ ବିଜ୍ଞାନର ବଡ଼ ଭୂମିକା ରହିଛି। ଯେଉଁଭଳି ଭାବରେ ଆମେ ମହାକାଶ କ୍ଷେତ୍ରରେ ସଫଳତା ପାଇଛେ, ସେହିଭଳି ଭାବେ ଆମକୁ ଗଭୀର ସମୁଦ୍ର କ୍ଷେତ୍ରରେ ମଧ୍ୟ ସଫଳତା ପାଇବାର ଅଛି। ଭାରତ ଏଥିପାଇଁ ଗଭୀର ସାଗର ମିଶନ ମଧ୍ୟ ଚଲାଉଛି।
ସାଥୀଗଣ,
ବିଜ୍ଞାନରେ ଯାହାକିଛି ଆମେ ନୂଆ ହାସଲ କରୁଛେ,ଏହାର ଲାଭ ଆମକୁ ବାଣିଜ୍ୟରେ, ବ୍ୟାପାର–କାରବାରରେ ମଧ୍ୟ ହେବ। ଏବେ ଯେପରି ମହାକାଶ କ୍ଷେତ୍ରରେ ସଂସ୍କାର ଅଣାଯାଇଛି। ଏହାଦ୍ୱାରା ଆମେ ନିଜର ଯୁବକମାନଙ୍କୁ, ଦେଶର ଘରୋଇ କ୍ଷେତ୍ରକୁ ମଧ୍ୟ ଆକାଶରେ ନୁହେଁ ଅସୀମ ଅନ୍ତରୀକ୍ଷର ଶୀର୍ଷ ସ୍ଥାନ ଛୁଇଁବା ପାଇଁ ଉତ୍ସାହିତ କରୁଛୁ। ଯେଉଁ ନୂତନ ଉତ୍ପାଦନ ସଂଯୁକ୍ତ ପ୍ରୋତ୍ସାହନ ଯୋଜନା ଅଛି, ଏଥିରେ ମଧ୍ୟ ବିଜ୍ଞାନ ଏବଂ ବୈଷୟିକ ଜ୍ଞାନ ସହିତ ଜଡିତ ଇକୋ ସିଷ୍ଟମ ଉନ୍ନତ ହେବ। ଏହାଦ୍ୱାରା ନବସୃଜନ ପାଇଁ ଅଧିକ ସମ୍ବଳ ସୃଷ୍ଟି ହେବ। ଏହାଦ୍ୱରା ବିଜ୍ଞାନ ଏବଂ ଉଦ୍ୟୋଗ ମଧ୍ୟରେ ଭାଗିଦାରୀରର ଏକ ନୂତନ ସଂସ୍କୃତି ପ୍ରସ୍ତୁତ ହେବ। ସେ (ହାଇଡ୍ରେଜେନ) ଉଦଜାନ ଅର୍ଥନୀତି ହେଉ, ନୀଳ ଅର୍ଥନୀତି ହେଉ, ଅବା ପୁଣି କୃତ୍ରିମ ବୁଦ୍ଧିମତାର ଉପଯୋଗ ହେଉ, ନୂତନ ସହଯୋଗରେ ନୂତନ ପଥ ବାହାର କରିବା। ମୋର ବିଶ୍ୱାସ ଯେ ଏହି ମହୋତ୍ସବ, ବିଜ୍ଞାନ ଏବଂ ଉଦ୍ୟୋଗ ମଧ୍ୟରେ ଉତ୍ସାହର ସମନ୍ୱୟ ଏବଂ ସହଯୋଗର ନୂତନ ପରିଣାମ ଦେବ।
ସମ୍ପ୍ରତି, ବିଜ୍ଞାନ ସମ୍ମୁଖୀନ ହେଉଥିବା ବଡ଼ ଆହ୍ୱାନ କୋଭିଡ–୧୯ ମହାମାରୀର ଟିକା ହୋଇପାରେ। ତଥାପି, ଏହା ବର୍ତମାନ ପାଇଁ ଏକ ଆହ୍ୱାନ। ବିଜ୍ଞାନ ସମ୍ମୁଖୀନ ହେଉଥିବା ସବୁଠାରୁ ଦୀର୍ଘକାଳୀନ ଆହ୍ୱାନ ହେଉଛି ଉଚ୍ଚମାନର ଯୁବକମାନଙ୍କୁ ଆକର୍ଷିତ କରିବା ଏବଂ ସେମାନଙ୍କର ପ୍ରତିଭାକୁ ବଜାୟ ରଖିବା। ବେଳେବେଳ ଶୁଦ୍ଧ ବିଜ୍ଞାନ ଅପେକ୍ଷା ଟେକ୍ନୋଲୋଜି ଏବଂ ଇଂଜିନୟରିଂ ଡୋମେନ୍ ଯୁବକମାନଙ୍କ ପାଇଁ ଅଧିକ ଆକର୍ଷଣୀୟ ମନେହୁଏ। ତଥାପି, ଯେକୌଣସି ଦେଶର ବିକାଶ ପାଇଁ, ଏହାକୁ ଶକ୍ତି ଦେବା ପାଇଁ ବିଜ୍ଞାନର ଆବଶ୍ୟକତା ରହିଛି। କାରଣ ସେମାନେ ଯେପରି କୁହନ୍ତି: ଯାହାକୁ ଆଜି ବିଜ୍ଞାନ କୁହାଯାଏ, ତାହା ଆସନ୍ତାକାଲି ପାଇଁ ଟେକ୍ନୋଲୋଜି ଓ ପରେ ଏକ ଇଂଜିନୟରିଂ ସମାଧାନ ପାଲଟିଯାଏ।
ତେଣୁ, ଆମ ବିଜ୍ଞାନର ଡୋମେନରେ ଭଲ ପ୍ରତିଭାଙ୍କୁ ଆକର୍ଷିତ କରିବା ଚକ୍ର ଆରମ୍ଭ ହେବା ଆବଶ୍ୟକ। ଏଥିପାଇଁ ସରକାର ବିଭିନ୍ନ ସ୍ତରରେ ଛାତ୍ରବୃତି ଘୋଷଣା କରିଛନ୍ତି। କିନ୍ତୁ ଏହା ବିଜ୍ଞାନ ସମୁଦାୟରୁ ବହୁତ ବଡ଼ ପ୍ରଚାର ଓ ପ୍ରସାର ଆବଶ୍ୟକ କରେ। ଚନ୍ଦ୍ରାୟାନ ମିଶନ ସହିତ ଏହାକୁ ଘେରି ରହିଥିବା ଉତ୍ସାହ ଏକ ଭଲ ଆରମ୍ଭ ବିନ୍ଦୁ ଥିଲା। ଆମେ ଯୁବକମାନଙ୍କଠାରେ ବହୁତ ଅଧିକ ଆଗ୍ରହ ଦେଖିଲୁ। ଆମର ଭବିଷ୍ୟତର ବୈଜ୍ଞାନିକମାନେ ସେହିଠାରୁ ହିଁ ଆସିବେ। ଆମକୁ କେବଳ ସେମାନଙ୍କୁ ପ୍ରେରଣା ଦେବା ଆବଶ୍ୟକ।
ବନ୍ଧୁଗଣ,
ଏହି ସମାବେଶ ମାଧ୍ୟମରେ ମୁଁ ବିଶ୍ୱ ସମୁଦାୟକୁ ଭାରତୀୟ ପ୍ରତିଭାରେ ଏବଂ ଭାରତର ଅଭିନବତାରେ ନିବେଶ କରିବାକୁ ଆମନ୍ତ୍ରଣ କରୁଛି। ଭାରତରେ ଉଜ୍ଜ୍ୱଳ ମନ ମସ୍ତିଷ୍କ ରହିଛି। ଭାରତ ପାରଦର୍ଶୀତା ଏବଂ ଉନ୍ମୁକ୍ତ ଭାବ ଥିବା ସଂସ୍କୃତି ପାଳନ କରେ। ଭାରତ ସରକାର ଯେ କୌଣସି ଆହ୍ୱାନର ସମାଧାନ ତଥା ଏଠାରେ ଗବେଷଣାର ବାତାବରଣରେ ଉନ୍ନତି ଆଣିବା ପାଇଁ ପ୍ରସ୍ତୁତ ଅଛନ୍ତି।
ସାଥୀଗଣ,
ବିଜ୍ଞାନ, ବ୍ୟକ୍ତିର ଅନ୍ତରର ସାମର୍ଥ୍ୟକୁ, ବ୍ୟକ୍ତିର ଭିତରେ ଯେଉଁ ଶ୍ରେଷ୍ଠତ୍ୱ ଅଛି, ତାହାକୁ ବାହାରକୁ ଆଣିଥାଏ। ଏହି ଉତ୍ସାହ ଆମେ କୋଭିଡ ଟିକା ପାଇଁ କାର୍ଯ୍ୟ କରୁଥିବା ବୈଜ୍ଞାନିକମାନଙ୍କ ମାନଙ୍କ ମଧ୍ୟରେ ଦେଖିଛୁ। ଆମ ବୈଜ୍ଞାନିକମାନେ କରୋନା ବିରୁଦ୍ଧରେ ଲଢେଇରେ ଆମକୁ ଆଗରେ ରଖିଛନ୍ତି, ଉନ୍ନତ ସ୍ଥିତିରେ ରଖିଛନ୍ତି।
ସାଥୀଗଣ,
ଦୁଇ ହଜାର ବର୍ଷ ପୂର୍ବେ ମହାନ ତାମିଲ ସନ୍ଥ ଏବଂ ସମାଜ ସଂସ୍କାରକ ତିରୁବଲ୍ଲୁର ଜୀ ସୂତ୍ରବାକ୍ୟର, ଯେଉଁମନ୍ତ୍ର ଦେଇ ଯାଇଥିଲେ, ତାହା ଆଜି ମଧ୍ୟ ସେତିକି ସଠିକ, ପ୍ରାସଙ୍ଗିକ ରହିଛି। ସେ କହିଥିଲେ-‘ବାଲୁକା ମାଟିରେ, ତୁମେ ଯେତେ ଅଧିକ ଖୋଳିବ, ତୁମେ ନିମ୍ନ ସ୍ତରରେ ଥିବା ଜଳ ଉତ୍ସ ନିକଟରେ ପହଞ୍ଚିବ; ତୁମେ ଯେତେ ଅଧିକ ପଢିବ, ଜ୍ଞାନର ମୁକ୍ତ ସ୍ରୋତ ପ୍ରବାହିତ ହେବ।’ ଅର୍ଥାତ ବାଲୁକା ମାଟିରେ ଆପଣ ଯେତେ ଗଭୀରକୁ ଖୋଳି ଚାଲିବେ, ଦିନେ ନା ଦିନେ ନିଶ୍ଚୟ ପାଣି ପାଖରେ ପହଞ୍ଚିବେ। ଠିକ ସେହିପରି ଆପଣ ଯେତେ ଅଧିକ ଶିଖିଚାଲିବେ, ଦିନେ ନା ଦିନେ ଜ୍ଞାନର, ବୁଦ୍ଧିମତାର ପ୍ରବାହ ପର୍ଯ୍ୟନ୍ତ ନିଶ୍ଚୟ ପହଞ୍ଚିବେ।
ମୋର ଆପଣ ସମସ୍ତଙ୍କୁ ଅନୁରୋଧ, ଶିଖିବାର ଏହି ପ୍ରକ୍ରିୟାକୁ, ଶିକ୍ଷାର ପ୍ରକ୍ରିୟାକୁ ସର୍ବଦା ଚାଲୁ ରଖନ୍ତୁ । ଆପଣ ଯେତେ ଶିଖିବେ, ଆପଣ ଯେତେ ନିଜର ଦକ୍ଷତାକୁ ବିକଶିତ କରିବେ, ସେତିକି ଆପଣଙ୍କର ବିକାଶ ହେବ ଆଉ ଦେଶର ମଧ୍ୟ । ଏହି ଉତ୍ସାହ ଆଗକୁ ଜାରି ରହୁ । ବିଜ୍ଞାନ ଭାରତର ତଥା ସଂମ୍ପୂର୍ଣ୍ଣ ବିଶ୍ୱର ବିକାଶକୁ ତ୍ୱରାନ୍ୱିତ କରୁଥାଉ । ଏହି କାମନା, ଏହି ବିଶ୍ୱାସ ସହିତ ଆପଣ ସମସ୍ତଙ୍କୁ ବହୁତ ବହୁତ ଶୁଭକାମନା !
ଧନ୍ୟବାଦ, ଆପଣମାନଙ୍କୁ ବହୁତ–ବହୁତ ଧନ୍ୟବାଦ।
*****
Speaking at the India International Science Festival. https://t.co/AosroYdIQI
— Narendra Modi (@narendramodi) December 22, 2020