• ସେବାଗୁଡ଼ିକର ମିଶ୍ରଣ ଫଳରେ ‘ଅମଲାତନ୍ତ୍ର’ ଶେଷ ହେବ
• ରେଳବାଇରେ ସୁବ୍ୟବସ୍ଥିତ କାର୍ଯ୍ୟକୁ ମିଳିବ ପ୍ରୋତ୍ସାହନ
• ନିଷ୍ପତ୍ତି ନେବାର ପ୍ରକ୍ରିୟା ଦ୍ରୁତ ହେବ
• ସଂଗଠନ ପାଇଁ ଏକ ସୁସଙ୍ଗତ ଭିଜନ ସୃଷ୍ଟି ହେବ ଏବଂ ଯୁକ୍ତିସଙ୍ଗତ ନିଷ୍ପତ୍ତିକୁ ମିଳିବ ପ୍ରୋତ୍ସାହନ
• ରେଳବାଇ ବୋର୍ଡର ଗଠନ ଏବେଠୁ ବିଭାଗୀୟ ଆଧାରରେ ହେବ ନାହିଁ ଏବଂ ଏହା ସ୍ଥାନରେ ଏକ ଛୋଟ ଢାଂଚା କାର୍ଯ୍ୟ କରିବ ଯାହାର ଗଠନ କାର୍ଯ୍ୟାତ୍ମକ ଆଧାରରେ ହେବ
• ରେଳବାଇ ବୋର୍ଡର ଅଧ୍ୟକ୍ଷତା କରିବେ ରେଲୱେ ବୋର୍ଡର ଚେୟାରମ୍ୟାନ, ସେ ଏହାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ହେବେ, ଏଥିରେ 4 ଜଣ ସଦସ୍ୟଙ୍କ ବ୍ୟତୀତ କେତେ ଜଣ ସ୍ୱତନ୍ତ୍ର ସଦସ୍ୟ ରହିବେ
• ରେଳବାଇରେ ସୁଧାର ଲାଗି ଗଠିତ ବିଭିନ୍ନ ସମିତି ସେବାଗୁଡ଼ିକର ସମ୍ମିଶ୍ରଣ ପାଇଁ ସୁପାରିସ କରିଥିଲେ
• 7 ଏବଂ 8 ଡିସେମ୍ବର, 2019ରେ ଆୟୋଜିତ ଦୁଇ ଦିନିଆ ‘ପରିବର୍ତ୍ତନ ସେମିନାର’ରେ ରେଳ ଅଧିକାରୀମାନଙ୍କ ସର୍ବସମ୍ମତି ଏବଂ ବ୍ୟାପକ ସମର୍ଥନ ପରେ ଏହି ସୁଧାର ଅଣାଯାଇଛି
• ନିରପେକ୍ଷତା ଓ ପାରଦର୍ଶିତା ସୁନିଶ୍ଚିତ କରିବା ଲାଗି କ୍ୟାବିନେଟ ଦ୍ୱାରା ଗଠିତ ବୈକଳ୍ପିକ ବ୍ୟବସ୍ଥାକୁ ମଞ୍ଜୁରି ଫଳରେ ଡିଓପିଟି ସହିତ ପରାମର୍ଶ କରି ସେବାଗୁଡ଼ିକର ଏକୀକରଣ ପାଇଁ ରୂପରେଖ ନିର୍ଦ୍ଧାରଣ କରାଯିବ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଭାରତୀୟ ରେଳବାଇର ରୂପାନ୍ତରଣକାରୀ ଢାଂଚାଗତ ପୁନର୍ଗଠନ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଏହି ଐତିହାସିକ ସୁଧାର ଭାରତୀୟ ରେଳବାଇକୁ ଭାରତର ‘ବିକାଶ ଯାତ୍ରା’ର ବିକାଶ ଇଞ୍ଜିନ କରିବା ଦିଗରେ ସରକାରଙ୍କ ସଂକଳ୍ପକୁ ସାକାର କରିବାରେ ବେଶ ସହାୟକ ସାବ୍ୟସ୍ତ ହେବ ।
ସୁଧାରଗୁଡ଼ିକ ମଧ୍ୟରେ ସାମିଲ ରହିଛି :
1. ରେଳବାଇ ଗ୍ରୁପ ‘ଏ’ର ବର୍ତ୍ତମାନର 8ଟି ସେବାକୁ ଗୋଟିଏ କେନ୍ଦ୍ରୀୟ ସେବା ‘ଭାରତୀୟ ରେଳବାଇ ପ୍ରବନ୍ଧନ ସେବା (ଆଇଆରଏମଏସ)ରେ ସମ୍ମିଶ୍ରଣ
2. ରେଳବାଇ ବୋର୍ଡର ପୁନର୍ଗଠନ କାର୍ଯ୍ୟତ୍ମକ ଆଧାରରେ ହେବ, ଯାହାର ଅଧ୍ୟକ୍ଷତା କରିବେ ସିଆରବି । ଏଥିରେ 4 ଜଣ ସଦସ୍ୟଙ୍କ ବ୍ୟତିତ କେତେଜଣ ସ୍ୱତନ୍ତ୍ର ସଦସ୍ୟ ରହିବେ ।
3. ବର୍ତ୍ତମାନ ସେବା ‘ଭାରତୀୟ ରେଳବାଇ ଚିକିତ୍ସା ସେବା (ଆରଇଆରଏମଏସ)’ର ନାମକରଣ ପରିବର୍ତ୍ତିତ ହୋଇ ଭାରତୀୟ ରେଳବାଇ ସ୍ୱାସ୍ଥ୍ୟସେବା (ଆଇଆରଏଚଏସ) ରଖାଯିବ ।
ରେଳବାଇ ଆସନ୍ତା 12 ବର୍ଷ ମଧ୍ୟରେ 50 ଲକ୍ଷ କୋଟି ଟଙ୍କାର ପ୍ରସ୍ତାବିତ ନିବେଶ ଜରିଆରେ ଆଧୁନିକୀକରଣ ସହିତ ଯାତ୍ରୀମାନଙ୍କୁ ଉଚ୍ଚମାନର ସୁରକ୍ଷା, ଗତି ଏବଂ ସେବା ପ୍ରଦାନ କରିବା ଲାଗି ଏକ ମହତ୍ୱାକାଂକ୍ଷୀ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛି । ଏଥିପାଇଁ ଦ୍ରୁତ ଗତି ଏବଂ ବ୍ୟାପକ ସ୍ତରରେ ଯୁକ୍ତ ଏକ ଏକୀକୃତ ଏବଂ ସଶକ୍ତ ସଂଗଠନର ଆବଶ୍ୟକତା ରହିଛି, ଯାହାଦ୍ୱାରା ଏହି ଉତ୍ତରଦାୟିତ୍ୱକୁ ସମ୍ପୂର୍ଣ୍ଣ ଏକାଗ୍ରତାର ସହିତ ପୂରଣ କରାଯାଇପାରିବ ଏବଂ ଏଥିସହିତ ବିଭିନ୍ନ ଆହ୍ୱାନର ମୁକାବିଲା ଲାଗି ସଂଗଠନ ସକ୍ଷମ ହୋଇପାରିବ । ଆଜିର ଏହି ସୁଧାର ପ୍ରକୃତରେ ବର୍ତ୍ତମାନର ସରକାରଙ୍କ ଅଧୀନରେ ପୂର୍ବରୁ ଲାଗୁ ହୋଇସାରିଥିବା ବିଭିନ୍ନ ସୁଧାର ଶୃଙ୍ଖଳା ଅଧୀନରେ ଆସୁଛି ଯେଉଁଥିରେ ରେଳ ବଜେଟର ବିଲୟ କେନ୍ଦ୍ରୀୟ ବଜେଟରେ ରହିବା, ମହା ପ୍ରବନ୍ଧକ (ଜିଏମ) ଏବଂ କ୍ଷେତ୍ରୀୟ ଅଧିକାରୀ (ଫିଲ୍ଡ ଅଫିସର)ଙ୍କୁ କ୍ଷମତାସମ୍ପନ୍ନ କରିବା ଲାଗି ସେମାନଙ୍କୁ ଅଧିକାର ଦେବା, ପ୍ରତିଦ୍ୱନ୍ଦ୍ୱୀ ଅପରେଟରମାନଙ୍କୁ ରେଳ ଗାଡ଼ି ଚଳାଇବା ଲାଗି ଅନୁମତି ଦେବା ଆଦି ସାମିଲ ରହିଛି ।
ପରବର୍ତ୍ତୀ ସ୍ତରର ଆହ୍ୱାନ ସହ ମୁକାବିଲା କରିବା ଏବଂ ବିଭିନ୍ନ ବର୍ତ୍ତମାନର ଜଟିଳତାକୁ ଦୂର କରିବା ଲାଗି ପଦକ୍ଷେପ ନିଆଯିବାର ଆବଶ୍ୟକତାକୁ ଅନୁଭବ କରାଯାଉଥିଲା । ସାରା ବିଶ୍ୱରେ ରେଳ ପ୍ରଣାଳୀର ନିଗମୀକରଣ କରାଯାଇଥିବା ସମୟରେ ଭାରତୀୟ ରେଳବାଇର ପରିଚାଳନା ସିଧାସଳଖ ସରକାରଙ୍କ ଦ୍ୱାରା କରାଯାଉଛି । ଏହାକୁ ବିଭିନ୍ନ ବିଭାଗ ଯେପରିକି ଯାତାୟାତ, ସିଭିଲ, ଯାନ୍ତ୍ରିକ, ବିଦ୍ୟୁତୀୟ, ସିଗନାଲ ଏବଂ ଦୂରସଂଚାର, ଷ୍ଟୋର, କାର୍ମିକ, ଲେଖା ଇତ୍ୟାଦିରେ ସଂଗଠିତ କରାଯାଇଥାଏ । ଏହି ବିଭାଗଗୁଡ଼ିକୁ ଉପରଠୁ ଆରମ୍ଭ କରି ତଳ ପର୍ଯ୍ୟନ୍ତ ପୃଥକ କରାଯାଇଥାଏ ଏବଂ ଏହାର ଅଧ୍ୟକ୍ଷତା ରେଳବାଇ ବୋର୍ଡର ସଚିବ ସ୍ତରର ଅଧିକାରୀ (ସଦସ୍ୟ)ଙ୍କ ଦ୍ୱାରା କରାଯାଇଥାଏ । ବିଭାଗର ଏହି ଗଠନକୁ ଉପରୁ ଆରମ୍ଭ କରି ତଳ ପର୍ଯ୍ୟନ୍ତ ଯାଇ ରେଳବାଇର ତୃଣମୂଳସ୍ତରର ପର୍ଯ୍ୟନ୍ତ ସୁନିଶ୍ଚିତ କରାଯାଇଥାଏ । ସେବାର ଏକୀକରଣ ଫଳରେ ଏହା ‘ଅମଲାତନ୍ତ୍ର’ ଢାଂଚା ସମାପ୍ତ ହୋଇଯିବ, ରେଳବାଇର ସୁବ୍ୟବସ୍ଥିତ କାମକାର୍ଯ୍ୟକୁ ପ୍ରୋତ୍ସାହନ ମିଳିବ, ନିଷ୍ପତ୍ତି ନେବା ପ୍ରକ୍ରିୟା ଦ୍ରୁତ ହେବ, ସଂଗଠନ ପାଇଁ ଏକ ସୁସଙ୍ଗତ ଭିଜନ ସୃଷ୍ଟି ହେବ ଏବଂ ଯୁକ୍ତିଯୁକ୍ତ ନିର୍ଣ୍ଣୟ ନେବାରେ ସୁବିଧା ହେବ । ରେଳବାଇରେ ସୁଧାର ଲାଗି ଗଠିତ ବିଭିନ୍ନ ସମିତି ସେବାଗୁଡ଼ିକର ଏକୀକରଣ ନିମନ୍ତେ ସୁପାରିସ କରିଥିଲେ ଏଥିମଧ୍ୟରେ ପ୍ରକାଶ ଟଣ୍ଡନ ସମିତି (1994), ରାକେଶ ମୋହନ ସମିତି (2001), ସାମ ପିତ୍ରୋଡା ସମିତି (2012) ଏବଂ ବିବେକ ଦେବରାୟ ସମିତି (2015) ସାମିଲ ରହିଛି ।
7 ଏବଂ 8 ଡିସେମ୍ବର, 2019ରେ ଦିଲ୍ଲୀରେ ଆୟୋଜିତ ଦୁଇ ଦିନିଆ ‘ପରିବର୍ତ୍ତନ ସେମିନାର’ରେ ରେଳ ଅଧିକାରୀଙ୍କ ସର୍ବସମ୍ମତି ଏବଂ ବ୍ୟାପକ ସମର୍ଥନ ପରେ ଏହି ସୁଧାର ଅଣାଯାଇଛି । ଏହି ଭାବନାକୁ ସମ୍ମାନ ଦେବା ଏବଂ ରେଳ ଅଧିକାରୀଙ୍କ ପରାମର୍ଶକୁ ଗୁରୁତ୍ୱ ଦେବାକୁ ନେଇ ଏଥିରେ ବ୍ୟାପକ ଭରସା ଉତ୍ପନ୍ନ କରିବା ଲାଗି ରେଳବାଇ ବୋର୍ଡ 8 ଡିସେମ୍ବର 2019ରେ ହିଁ ସମ୍ମିଳନୀ ଅବସରରେ ବୋର୍ଡର ଏ ଅସାଧାରଣ ବୈଠକ ଆୟୋଜନ କରିଥିଲା ଏବଂ ଉପରୋକ୍ତ ସୁଧାର ସହିତ ଅନେକ ସୁଧାର ପାଇଁ ସୁପାରିସ କରିଥିଲା ।
ଏବେ ପରବର୍ତ୍ତୀ ନିଯୁକ୍ତି ଚକ୍ର ବା ପ୍ରକ୍ରିୟା ଠାରୁ ଗୋଟିଏ ଏକୀକୃତ ଗ୍ରୁପ ‘ଏ’ ସେବା ସୃଷ୍ଟି କରିବା ଲାଗି ପ୍ରସ୍ତାବ ଦିଆଯାଉଛି ଯାହା ‘ଭାରତୀୟ ରେଳବାଇ ପ୍ରବନ୍ଧନ ସେବା’ (ଆଇଆରଏମଏସ) ନାମରେ ନାମିତ ହେବ । ଆସନ୍ତା ନିଯୁକ୍ତି ବର୍ଷରେ ନିଯୁକ୍ତିରେ ସୁବିଧା ଲାଗି ଡିଓପିଟି ଏବଂ ୟୁପିଏସସି ଠାରୁ ପରାମର୍ଶ ନେଇ ନୂଆ ସେବା ସୃଷ୍ଟି କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ ।
ଏହାଦ୍ୱାରା ରେଳବାଇ ନିଜର ଆବଶ୍ୟକତା ଅନୁଯାୟୀ ଇଞ୍ଜିନିୟରିଂ ଏବଂ ଅଣ ଇଞ୍ଜିନିୟରିଂରେ ନିଯୁକ୍ତି କରିବା ଏବଂ ଏଥିସହିତ କ୍ୟରିଅରରେ ଉନ୍ନତି ଲାଗି ଏହି ଦୁଇଟି ଶ୍ରେଣୀକୁ ସମାନ ସୁଯୋଗ ଦେବା ଲାଗି ସୁପାରିସ କରିବାରେ ସକ୍ଷମ ହୋଇପାରିବ । ନିରପେକ୍ଷତା ଏବଂ ପାରଦର୍ଶିତା ସୁନିଶ୍ଚିତ କରିବା ଲାଗି କ୍ୟାବିନେଟ ଦ୍ୱାରା ଗଠିତ ବିକଳ୍ପ ବ୍ୟବସ୍ଥାର ମଞ୍ଜୁରି ଫଳରେ ରେଳ ମନ୍ତ୍ରଣାଳୟ ଡିଓପିଟି ସହିତ ପରାମର୍ଶ କରି ସେବାର ଏକୀକରଣର ରୂପରେଖ ପ୍ରସ୍ତୁତ କରିବ । ଏହି ପ୍ରକ୍ରିୟା ଗୋଟିଏ ବର୍ଷ ମଧ୍ୟରେ ପୂରଣ ହେବ ।
ନିଯୁକ୍ତି ପାଇବାକୁ ଥିବା ନୂଆ ଅଧିକାରୀ ଆବଶ୍ୟକତା ଅନୁଯାୟୀ ଇଞ୍ଜିନିୟରିଂ ଏବଂ ଅଣଇଞ୍ଜିନିୟରିଂ କ୍ଷେତ୍ରରୁ ଆସିବେ ଏବଂ ସେମାନଙ୍କ ଦକ୍ଷତା ଓ ବିଶେଷଜ୍ଞତା ଅନୁସାରେ ସେମାନଙ୍କୁ ନିଯୁକ୍ତି ଦିଆଯିବ । ଯାହାଦ୍ୱାରା ସେମାନେ ଏକ ସାମଗ୍ରିକ ଦୃଷ୍ଟିକୋଣ ବିକଶିତ କରିପାରିବେ ଏବଂ ବରିଷ୍ଠ ସ୍ତରରେ ସାଧାରଣ ପରିଚାଳନା ଦାୟିତ୍ୱ ନିର୍ବାହ କରିବା ଲାଗି ପ୍ରସ୍ତୁତ ହୋଇପାରିବେ । ସାଧାରଣ ପରିଚାଳନା ପଦବୀ ଲାଗି ଚୟନ ଯୋଗ୍ୟତା ଆଧାରିତ ପ୍ରଣାଳୀ ଜରିଆରେ କରାଯିବ ।
ରେଳବାଇ ବୋର୍ଡର ଗଠନ ଏବେଠାରୁ ବିଭାଗୀୟ ଆଧାରରେ ହେବ ନାହିଁ ଏବଂ ଏହା ସ୍ଥାନରେ ଏକ ଛୋଟ ଆକାରର ଢାଂଚା ରହିବ ଯାହାର ଗଠନ କାର୍ଯ୍ୟାତ୍ମକ ଆଧାରରେ ହେବ । ଏଥରେ ଜଣେ ଚେୟାରମ୍ୟାନ ରହିବେ, ଯିଏକି ‘ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ’ ଭାବେ କାର୍ଯ୍ୟ କରିବେ । ଏଥିସହିତ 4 ଜଣ ସଦସ୍ୟ ରହିବେ ଯାହାଙ୍କୁ ଭିତ୍ତିଭୂମି, ପରିଚାଳନା ଏବଂ ବ୍ୟବସାୟିକ ବିକାଶ, ରୋଲିଂ ଷ୍ଟକ ଏବଂ ଆର୍ଥିକ କାରବାର ସହ ଜଡ଼ିତ କାର୍ଯ୍ୟର ଭିନ୍ନ ଭିନ୍ନ ଉତ୍ତରଦାୟିତ୍ୱ ଦିଆଯିବ । ଚେୟାରମ୍ୟାନ ହେବେ କ୍ୟାଡର ନିୟନ୍ତ୍ରଣକାରୀ ଅଧିକାରୀ । ସେ ମାନବ ସମ୍ବଳ (ଏଚଆର) ଲାଗି ଉତ୍ତରଦାୟୀ ଏବେ ଏବଂ ତାଙ୍କୁ ଜଣେ ଡିଜି (ଏଚଆର) ସହାୟତା ଯୋଗାଇ ଦେବେ । ଶୀର୍ଷ ସ୍ତରର ତିନୋଟି ପଦବୀକୁ ରେଳବାଇ ବୋର୍ଡରୁ ସମାପ୍ତ (ସରେଣ୍ଡର) କରି ଦିଆଯିବ ଏବଂ ରେଳବାଇ ବୋର୍ଡର ଅବଶିଷ୍ଟ ପଦବୀ ସମସ୍ତ ଅଧିକାରୀମାନଙ୍କ ପାଇଁ ଉନ୍ମୁକ୍ତ ରହିବ, ସେମାନେ ଯେକୌଣସି ସେବାର ଅନ୍ତର୍ଗତ ହୋଇଥାଆନ୍ତୁ ପଛେ । ବୋର୍ଡରେ କେତେଜଣ ସ୍ୱତନ୍ତ୍ର ସଦସ୍ୟ (ଏମାନଙ୍କ ସଂଖ୍ୟା ସମୟ ବ୍ୟବଧାନରେ କ୍ଷମତାପ୍ରାପ୍ତ ପ୍ରାଧିକରଣଙ୍କ ଦ୍ୱାରା ନିର୍ଦ୍ଧାରଣ କରାଯିବ) ମଧ୍ୟ ରହିବେ ଯେଉଁମାନେ ଗଭୀର ଜ୍ଞାନଧାରୀ ଅତ୍ୟନ୍ତ ବିଶିଷ୍ଟ ପେସାଦାର ହୋଇଥିବେ । ସେମାନଙ୍କର ଉଦ୍ୟୋଗ ଜଗତ, ଅର୍ଥ, ଅର୍ଥଶାସ୍ତ୍ର ଏବଂ ପରିଚାଳନା କ୍ଷେତ୍ରରେ ଶୀର୍ଷ ସ୍ତରରେ କାର୍ଯ୍ୟ କରିବା ସହିତ 30ବର୍ଷରୁ ଊର୍ଦ୍ଧ୍ଵ ବ୍ୟାପକ ଅଭିଜ୍ଞତା ରହିଥିବ । ସ୍ୱତନ୍ତ୍ର ସଦସ୍ୟ ବିଶିଷ୍ଟ ରଣନୈତିକ ଦିଗ ନିର୍ଦ୍ଧାରଣ କରିବାରେ ରେଳବାଇ ବୋର୍ଡର ସହାୟତା କରିବେ । ବୋର୍ଡ ଠାରୁ ମଞ୍ଜୁରି ମିଳିବା ପରେ ପୁନର୍ଗଠନିତ ବୋର୍ଡ କାର୍ଯ୍ୟ କରିବା ଆରମ୍ଭ କରିଦେବ । ଏହାର ଅନ୍ତର୍ଗତ ଏହା ସୁନିଶ୍ଚିତ କରାଯିବ ଯେ ଅଧିକାରୀମାନଙ୍କୁ ପୁନର୍ଗଠିତ ବୋର୍ଡରେ ସାମିଲ କରାଯିବ କିମ୍ବା ସେମାନଙ୍କ ଅବସର ପର୍ଯ୍ୟନ୍ତ ସମାନ ବେତନ ଏବଂ ରେଙ୍କରେ ଆଡଜଷ୍ଟ କରାଯିବ ।
**********