• ଦେଶର 1.55 ଲକ୍ଷ ଡାକ ଘରେ ପର୍ଯ୍ୟାୟ କ୍ରମେ ଉପଲବ୍ଧ ହେବ ବ୍ୟାଙ୍କ ସେବା
• ଡାକ କର୍ମଚାରୀ, ଗ୍ରାମୀଣ ଡାକ ସେବକଙ୍କୁ ମିଳିବ ପ୍ରୋତ୍ସାହନ କମିଶନ
ଭାରତୀୟ ଡାକ ପେମେଣ୍ଟ ବ୍ୟାଙ୍କ (ଆଇପିପିବି) ପ୍ରତିଷ୍ଠା ଲାଗି ସଂଶୋଧିତ ପ୍ରକଳ୍ପ ବ୍ୟୟ ଅଟକଳ 800 କୋଟିରୁ 1,435 କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ଏହି ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଛି । ସଂଶୋଧିତ ବ୍ୟୟ ଅଟକଳ ବାବଦକୁ ଖର୍ଚ୍ଚ ହେବାକୁ ଥିବା 635 କୋଟି ଟଙ୍କା ମଧ୍ୟରୁ 400 କୋଟି ଟଙ୍କା ପ୍ରଯୁକ୍ତି ମୂଲ୍ୟ ଏବଂ 235 କୋଟି ଟଙ୍କା ମାନବ ସମ୍ବଳ ବାବଦକୁ ବ୍ୟୟ କରାଯିବ ।
ବିବରଣୀ :
–ଆଇପିପିବି ସେବା ସେପ୍ଟେମ୍ବର ପହିଲା 2018 ଠାରୁ 650ଟି ଆଇପିପିବି ଶାଖା ଏବଂ 3250ଟି ଏକ୍ସେସ ପଏଣ୍ଟରେ ଉପଲବ୍ଧ ହେବ ଏବଂ ଡିସେମ୍ବର 2018 ଠାରୁ ସମସ୍ତ 1.55ଲକ୍ଷ ଡାକ କାର୍ଯ୍ୟାଳୟ ରେ ଉପଲବ୍ଧ ହେବ ।
–ଏହି ପ୍ରକଳ୍ପ 3500 ଦକ୍ଷ ବ୍ୟାଙ୍କିଙ୍ଗ ପେସାଦାର ଏବଂ ସାରା ଦେଶରେ ଆର୍ଥିକ ସାକ୍ଷରତା ପ୍ରଚାର କରିବାରେ ସମ୍ପୃକ୍ତ ଅନ୍ୟ ସଂସ୍ଥାଗୁଡ଼ିକ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।
–ଏହି ପ୍ରକଳ୍ପର ଲକ୍ଷ୍ୟ ହେଉଛି ଜନସାଧାରଣଙ୍କ ପାଇଁ ସବୁଠୁ ଗ୍ରହଣୀୟ, ସୁଲଭ ଏବଂ ବିଶ୍ୱସନୀୟ ବ୍ୟାଙ୍କ ସେବା ବିକଶିତ କରିବା । ଘର ପାଖରେ ବ୍ୟାଙ୍କ ସେବା ପ୍ରଦାନ ସହ ବ୍ୟାଙ୍କ ସେବା ଯୋଗାଣ କ୍ଷେତ୍ରରେ ଥିବା ବାଧା ଦୂର କରି ଆର୍ଥିକ ଅନ୍ତର୍ଭୂକ୍ତିକରଣ ଲକ୍ଷ୍ୟ ହାସଲରେ ଅଗ୍ରଣୀ ଭୂମିକା ଗ୍ରହଣ କରିବ ।
– “କମ ନଗଦ” ଅର୍ଥବ୍ୟବସ୍ଥା ପାଇଁ ସରକାରଙ୍କ ସଂକଳ୍ପକୁ ଏହି ପ୍ରକଳ୍ପ ସହାୟତା ଯୋଗାଇଦେବା ସହିତ ଉଭୟ ଅର୍ଥନୈତିକ ଅଭିବୃଦ୍ଧି ଏବଂ ଆର୍ଥିକ ଅନ୍ତର୍ଭୂକ୍ତିକରଣକୁ ପ୍ରୋତ୍ସାହନ ଦେବ ।
–ବ୍ୟାଙ୍କ ଗ୍ରେଡ ପ୍ରଦର୍ଶନ, ଠକେଇ ଏବଂ ବିପଦ ମୁକାବିଲା ମାନକ ଏବଂ ପେମେଣ୍ଟ ଏବଂ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଚଳନ ପ୍ରତି ଧ୍ୟାନ ଦିଆଯାଇ ଆଇପିପିବିର ଦୃଢ଼ ଆଇଟି ଢାଂଚା ପ୍ରସ୍ତୁତ କରାଯାଇଛି ।
ଆଇପିପିବି ସେବା
–ପ୍ରଯୁକ୍ତି ସଂଚାଳିତ ସମାଧାନ ଜରିଆରେ ଆଇପିପିବି ଏକାଧିକ ପେମେଣ୍ଟ/ଆର୍ଥିକ ସେବା ଯୋଗାଇ ଦେବ ଯାହାକୁ ଡାକ ବିଭାଗ (ଡିଓପି) କର୍ମଚାରୀ/ଶେଷମୁଣ୍ଡରେ ଥିବା ଏଜେଣ୍ଟମାନେ କାର୍ଯ୍ୟକାରୀ କରିବେ । ସେମାନେ ଏଣିକି ଚିଠି ବିତରକରୁ ଆର୍ଥିକ ସେବା ଯୋଗାଣକାରୀରେ ପରିଣତ ହୋଇଯିବେ ।
–ଆଇପିପିବି ସେବା ଯୋଗାଇ ଦେବା ଲାଗି ଶେଷମୁଣ୍ଡରେ ଥିବା ଜଏଣ୍ଟ (ଡାକ କର୍ମଚାରୀ ଏବଂ ଗ୍ରାମୀଣ ଡାକ ସେବକ)ମାନଙ୍କୁ ପ୍ରୋତ୍ସାହନ ରାଶି/କମିଶନ ସେମାନଙ୍କ ଏକାଉଣ୍ଟକୁ ସିଧାସଳଖ ଯୋଗାଇ ଦିଆଯିବ । ଏହାଦ୍ୱାରା ଗ୍ରାହକଙ୍କ ନିକଟରେ ଆଇପିପିବି ଡିଜିଟାଲ ସେବା ଯୋଗାଇଦେବା ଲାଗି ସେମାନେ ଅନୁପ୍ରାଣିତ ହୋଇପାରିବେ ।
–ଆଇପିପିବି ଦ୍ୱାରା ଡାକ ବିଭାଗକୁ ପଇଠ କରାଯିବାକୁ ଥିବା କମିଶନର ଏକ ଅଂଶ ଡାକ କାର୍ଯ୍ୟାଳୟର ସାମର୍ଥ୍ୟ ବୃଦ୍ଧିରେ ଉପଯୋଗ ହେବ ।
**********