ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ 2017-18 ଆର୍ଥିକ ବର୍ଷରେ ଭାରତୀୟ ଆଭ୍ୟନ୍ତରୀଣ ଜଳପଥ ପ୍ରାଧିକରଣ ଦ୍ୱାରା ଭାରତ ସରକାର 660 କୋଟି ଟଙ୍କାର ଅତିରିକ୍ତ ବଜେଟାରୀ ବଣ୍ଡ ଉଠାଣ ପୁନଃବୈଧୀକରଣ ଅନୁମତି ପ୍ରସ୍ତାବକୁ ସ୍ୱୀକୃତି ପ୍ରଦାନ କରାଯାଇଛି । ଏହି ବଣ୍ଡ ଜାରିରୁ ଲବ୍ଧ ଅର୍ଥକୁ IWAI ଦ୍ୱାର ଜାତୀୟ ଜଳପଥଗୁଡିକର ବିକାଶ ଏବଂ ରକ୍ଷଣାବେକ୍ଷଣ ଦିଗରେ ବ୍ୟୟ କରାଯିବ ଯାହାକି ଜାତୀୟ ଜଳପଥ ଆଇନ 2016 (12.04.2016 ଠାରୁ କାର୍ଯ୍ୟକାରୀ) ଅନୁସାରେ ହେବ । ଏହି ବଣ୍ଡ ଲବ୍ଧ ଅର୍ଥକୁ କେବଳ ମୂଳପୁଞ୍ଜି ଯଥା ଭିତ୍ତିଭୂମି ବିକାଶ ଦିଗରେ ବ୍ୟୟ କରାଯିବ ।
ଚିହ୍ନିତ ଜାତୀୟ ପଳପଥ ଗୁଡିକର ଭିତ୍ତିଭୂମି ବିକାଶ ନିମନ୍ତେ 2017-18 ଆର୍ଥିକ ବର୍ଷରେ ପ୍ରାୟ 2412.50 କୋଟି ଟଙ୍କା ବ୍ୟୟ କରାଯିବ ବୋଲି ଆକଳନ କରାଯାଇଛି । 12.04.2017 ରେ ବିଶ୍ୱବ୍ୟାଙ୍କ ଜଳମାର୍ଗ ବିକାଶ ପ୍ରକଳ୍ପ ସକାଶେ 375 ନିୟୁତ ଡଲାର ଋଣ ଆକାରରେ ଯୋଗେଇ ଦେଇଛି । 2017-18ରେ JMVP ପାଇଁ ବ୍ୟୟ ହେବାକୁ ଥିବା ମୋଟ 1715 କୋଟି ଟଙ୍କାରୁ ବିଶ୍ୱବ୍ୟାଙ୍କ 857.50 କୋଟି ଟଙ୍କା ପ୍ରଦାନ କରିବ । 2017-18 ରେ ଏଥିପାଇଁ ମୋଟ 2412.50 କୋଟି ଟଙ୍କା ଆବଶ୍ୟକ ପଡିବାର ଅନୁମାନ କରାଯାଉଛି । ତେଣୁ ବଣ୍ଡ ଜାରି କରି ଆବଶ୍ୟକ ଅର୍ଥ ସଂଗ୍ରହର ଲକ୍ଷ୍ୟ ରଖାଯାଇଛି ।
****