Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ “ମନ୍ କି ବାତ୍‌” ର ଓଡ଼ିଆ ଭାଷାନ୍ତର


ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆଜି ପୁଣିଥରେ ‘ମନ କି ବାତ୍‌’ ମାଧ୍ୟମରେ ଆପଣ ସମସ୍ତେ ମୋର କୋଟି କୋଟି ପରିବାରଜନଙ୍କ ସହିତ ମିଶିବାର ସୁଯୋଗ ମିଳିଛି । ‘ମନ୍ କି ବାତ୍‌’ରେ ଆପଣ ସମସ୍ତଙ୍କୁ ସ୍ୱାଗତ। କିଛିଦିନ ପୂର୍ବେ ଦେଶ ଏଭଳି ଗୋଟିଏ ଉପଲବ୍ଧି ହାସଲ କରିଛି, ଯାହା ଆମ ସମସ୍ତଙ୍କୁ ପ୍ରେରଣା ଯୋଗାଉଛି । ଭାରତର ସାମର୍ଥ୍ୟ ପ୍ରତି ଗୋଟିଏ ନୂତନ ବିଶ୍ୱାସକୁ ଜାଗ୍ରତ କରୁଛି । ଆପଣମାନେ କ୍ରିକେଟ୍ ପଡ଼ିଆରେ ଟିମ୍ ଇଣ୍ଡିଆର କୌଣସି ବ୍ୟାଟ୍‌ସମ୍ୟାନ୍‌ଙ୍କ ସେଞ୍ଚୁରୀ କଥା ଶୁଣି ଖୁସି ହେଉଥିବେ, କିନ୍ତୁ ଭାରତ ଆଉ ଗୋଟିଏ କ୍ଷେତ୍ରରେ ସେଂଚୁରୀ ହାସଲ କରିଛି ଏବଂ ତାହା ବହୁତ ଗୁରୁତ୍ୱପୂର୍ଣ୍ଣ । ଏହି ମାସ ୫ ତାରିଖ ଦିନ ଦେଶରେ ୟୂନିକର୍ନ ସଂଖ୍ୟା ୧୦୦କୁ ସ୍ପର୍ଶ କରିଛି ଏବଂ ଆପଣମାନେ ତ ଜାଣନ୍ତି ଯେ, ଗୋଟିଏ ୟୁନିକର୍ନ ଅର୍ଥାତ୍ ଅତି କମ୍‌ରେ ସାଢ଼େ ସାତ ହଜାର କୋଟି ଟଙ୍କାର ଷ୍ଟାର୍ଟ ଅପ୍ । ଏହି ୟୁନିକର୍ଣ୍ଣର ମୋଟ ମୂଲ୍ୟାୟନ ୩୩୦ ବିଲିୟନ ଡଲାର୍ ଅର୍ଥାତ୍ ୨୫ ଲକ୍ଷ କୋଟି ଟଙ୍କାରୁ ମଧ୍ୟ ଅଧିକ । ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏହା ନିଶ୍ଚିତ ଭାବେ ଏକ ଗର୍ବର କଥା । ଏକଥା ଜାଣି ମଧ୍ୟ ଆପଣ ଆଶ୍ଚର୍ଯ୍ୟ ହେବେ ଯେ, ଆମର ସମୁଦାୟ ୟୁନିକର୍ନ ମଧ୍ୟରୁ ୪୪ଟି ଗତବର୍ଷ ସୃଷ୍ଟି ହୋଇଥିଲା । କେବଳ ସେତିକି ନୁହେଁ, ଚଳିତ ବର୍ଷର ୩–୪ ମାସ ମଧ୍ୟରେ ହିଁ ୧୪ଟି ନୂତନ ୟୁନିକର୍ନ ସୃଷ୍ଟି ହେଲା । ଏହାର ଅର୍ଥ ହେଲା ଯେ, ବିଶ୍ୱବ୍ୟାପୀ ମହାମାରୀର ଏହି ସମୟରେ ମଧ୍ୟ ଆମର ଷ୍ଟାର୍ଟ ଅପ୍ ଗୁଡ଼ିକ ୱେଲ୍‌ଥ ଓ ଭାଲ୍ୟୁ ସୃଷ୍ଟି କରି ଚାଲିଛନ୍ତି । ଭାରତୀୟ ୟୁନିକର୍ଣ୍ଣର ହାରାହାରି ବାର୍ଷିକ ଅଭିବୃଦ୍ଧି ଦର ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ ଏବଂ ଅନ୍ୟାନ୍ୟ ଅନେକ ଦେଶ ଅପେକ୍ଷା ଅଧିକ । ବିଶେଷଜ୍ଞମାନେ ଏକଥା ମଧ୍ୟ କହୁଛନ୍ତି ଯେ, ଆଗାମୀ ସମୟରେ ଏହି ସଂଖ୍ୟା ଆହୁରି ଦୃତ ଗତିରେ ବୃଦ୍ଧି ପାଇବ । ଆଉ ଗୋଟିଏ ଭଲ କଥା ହେଲା ଯେ, ଆମ ୟୁନିକର୍ନଗୁଡ଼ିକ ବିବିଧ କ୍ଷେତ୍ରର । ଏମାନେ ଇ-କମର୍ସ, ଫିନ୍‌-ଟେକ୍‌, ଏଡ୍‌-ଟେକ୍‌, ବାୟୋ ଟେକ୍ ଭଳି ଅନେକ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି । ଆଉ ଗୋଟିଏ କଥା, ଯାହାକୁ ମୁଁ ଗୁରୁତ୍ୱପୂର୍ଣ୍ଣ ମନେକରୁଛି, ଯେ, ଷ୍ଟାର୍ଟ ଅପ୍‌ର ଦୁନିଆ ନ୍ୟୁ ଇଣ୍ଡିଆର ଉତ୍ସାହକୁ ପ୍ରତିଫଳିତ କରୁଛି । ଆଜି ଭାରତର ଷ୍ଟାର୍ଟ ଅପ୍ ଇକୋ ସିଷ୍ଟମ୍ କେବଳ ବଡ଼ ସହରଗୁଡ଼ିକ ମଧ୍ୟରେ ସୀମିତ ହୋଇ ରହିନି, ବରଂ ଛୋଟ ଛୋଟ ସହର ଏବଂ ଅଞ୍ଚଳରୁ ମଧ୍ୟ ଉଦ୍ୟମୀମାନେ ସମ୍ମୁଖକୁ ଆସୁଛନ୍ତି । ଏଥିରୁ ଜଣାପଡ଼ୁଛି ଯେ, ଭାରତରେ ଯାହା ପାଖରେ ଇନ୍ନୋଭେଟିଭ୍ ଆଇଡିଆ ରହିଛି, ସେ ୱେଲ୍‌ଥ କ୍ରିଏଟ୍ କରିପାରିବ ।

ବନ୍ଧୁଗଣ, 

ଦେଶର ଏହି ସଫଳତା ପଛରେ ଦେଶର ଯୁବଶକ୍ତି, ଦେଶର ପ୍ରତିଭାଶାଳୀ ଏବଂ ସରକାର, ସମସ୍ତେ ମିଶି ପ୍ରଚେଷ୍ଟା କରୁଛନ୍ତି । ଏଥିରେ ସମସ୍ତଙ୍କ ଯୋଗଦାନ ରହିଛି । କିନ୍ତୁ ଏଥିରେ ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ରହିଛି । ତାହାହେଲା, ଷ୍ଟାର୍ଟ ଅପ୍ ଦୁନିଆରେ ସଠିକ ମେଣ୍ଟରିଂ ଅର୍ଥାତ ସଠିକ ମାର୍ଗଦର୍ଶନ । ଜଣେ ଭଲ ମେଣ୍ଟରିଂ ଷ୍ଟାର୍ଟ ଅପ୍‌କୁ ନୂତନ ଶିଖରକୁ ନେଇଯାଇପାରେ । ସେ ଏହାର ପ୍ରତିଷ୍ଠାତାମାନଙ୍କୁ ଠିକ୍ ନିଷ୍ପତି ନେବାପାଇଁ ପରାମର୍ଶ ଦେଇପାରେ । ମୁଁ ଏ କଥାକୁ ନେଇ ଗର୍ବ ଅନୁଭବ କରୁଛି ଯେ, ଭାରତରେ ଏଭଳି ବହୁତ ମେଣ୍ଟରିଂ ଅଛନ୍ତି, ଯେଉଁମାନେ ଷ୍ଟାର୍ଟ ଅପ୍‌କୁ ଆଗକୁ ନେବାପାଇଁ ନିଜକୁ ସମର୍ପି ଦେଇଛନ୍ତି ।

ଶ୍ରୀଧର ୱେମ୍ବୁଙ୍କୁ ନିକଟ ଅତୀତରେ ପଦ୍ମ ସମ୍ମାନ ମିଳିଛି । ସେ ନିଜେ ଜଣେ ସଫଳ ଉଦ୍ୟୋଗୀ । କିନ୍ତୁ ଏବେ ସେ ଅନ୍ୟ ଉଦ୍ୟୋଗୀମାନଙ୍କୁ ମାର୍ଗଦର୍ଶନ ଦେବାପାଇଁ ମଧ୍ୟ ଅଣ୍ଟା ଭିଡ଼ିଛନ୍ତି । ଶ୍ରୀଧର ନିଜ କାମ ଗ୍ରାମାଞ୍ଚଳରୁ ଆରମ୍ଭ କରିଛନ୍ତି । ସେ ଗ୍ରାମାଞ୍ଚଳର ଯୁବବର୍ଗଙ୍କୁ ଗାଁରେ ହିଁ ରହି ନିଜ ଅଞ୍ଚଳ ପାଇଁ କିଛି କରିବାକୁ ପ୍ରୋତ୍ସାହିତ କରୁଛନ୍ତି । ଏଠାରେ ମଦନ ପଡ଼ାକିଙ୍କ ଭଳି ବ୍ୟକ୍ତି ମଧ୍ୟ ଅଛନ୍ତି, ଯିଏ ଗ୍ରାମାଞ୍ଚଳର ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ୨୦୧୪ରେ ୱାନ୍ ବ୍ରୀଜ୍ ନାମରେ ଗୋଟିଏ ମଂଚ ତିଆରି କରିଥିଲେ । ଆଜି ସେହି ୱାନ୍ ବ୍ରିଜ୍ ଦକ୍ଷିଣ ଏବଂ ପୂର୍ବ ଭାରତର ୭୫ରୁ ଅଧିକ ଜିଲ୍ଲାରେ କାର୍ଯ୍ୟ କରୁଛି । ଏହାସହିତ ଜଡ଼ିତ ୯୦୦୦ ରୁ ଅଧିକ ଗ୍ରାମୀଣ ଉଦ୍ୟୋଗୀ, ଗ୍ରାମାଂଚଳର ଉପଭୋକ୍ତାମାନଙ୍କୁ ନିଜର ସେବା ପ୍ରଦାନ କରୁଛନ୍ତି । ମୀରା ଶେନୋୟ୍ ମଧ୍ୟ ଏଭଳି ଏକ ଉଦାହରଣ । ସେ ଗ୍ରାମାଞ୍ଚଳ, ଆଦିବାସୀ ଏବଂ ଦିବ୍ୟାଙ୍ଗ ଯୁବବର୍ଗଙ୍କ ପାଇଁ ମାର୍କେଟ ଲିଙ୍କ୍‌ଡ ସ୍କିଲ୍ ଟ୍ରେନିଂ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଛନ୍ତି । ମୁଁ ଏଠାରେ ମାତ୍ର ଅଳ୍ପ କିଛି ନାମ ଉଲ୍ଲେଖ କରିଛି, କିନ୍ତୁ ଆଜି ଆମ ପାଖରେ ମେଂଟରମାନଙ୍କ ଅଭାବ ନାହିଁ । ଏହା ଆମ ପାଇଁ ଖୁସିର କଥା ଯେ, ଷ୍ଟାର୍ଟ ଅପ୍ ପାଇଁ ଆଜି ଦେଶରେ ଗୋଟିଏ ସମ୍ପୂର୍ଣ୍ଣ ସପୋର୍ଟ ସିଷ୍ଟମ୍ ପ୍ରସ୍ତୁତ ହେଉଛି । ମୋର ବିଶ୍ୱାସ ଯେ ଆଗାମୀ ସମୟରେ ଆମକୁ ଭାରତର ଷ୍ଟାର୍ଟ ଅପ୍ ଦୁନିଆରେ ପ୍ରଗତିର ଗୋଟିଏ ନୂତନ ଉଡ଼ାଣ ଦେଖିବାକୁ ମିଳିବ ।

ବନ୍ଧୁଗଣ, 

କିଛିଦିନ ପୂର୍ବେ ମୋତେ ଏଭଳି ଗୋଟିଏ କୌତୁହଳପୂର୍ଣ୍ଣ ଓ ଆକର୍ଷକ ବସ୍ତୁ ମିଳିଲା, ଯେଉଁଥିରେ ଦେଶବାସୀଙ୍କ ସୃଜନଶୀଳତା ଏବଂ ତାଙ୍କ କଳାତ୍ମକ ପ୍ରତିଭାର ରଙ୍ଗ ଭରିରହିଛି । ଏହା ଗୋଟିଏ ଉପହାର, ଯାହା ତାମିଲନାଡ଼ୁର ତାଞ୍ଜାୱୁର୍‌ର ଗୋଟିଏ ସ୍ୱୟଂସହାୟକ ଗୋଷ୍ଠୀ ମୋତେ ପଠାଇଛନ୍ତି । ଏହି ଉପହାରରେ ଭାରତୀୟତ୍ୱର ସୁଗନ୍ଧ ରହିଛି ଓ ରହିଛି ମାତୃଶକ୍ତିର ଆଶୀର୍ବାଦ । ତା’ଛଡ଼ା ମୋ ପ୍ରତି ସେମାନଙ୍କ ସ୍ନେହର ଝଲକ୍ ମଧ୍ୟ ରହିଛି । ଏହା ତାଞ୍ଜାୱୁର୍‌ର ଏକ ବିଶେଷ କଣ୍ଢେଇ, ଯାହାକୁ ଜି.ଆଇ. ଟ୍ୟାଗ୍ ମଧ୍ୟ ମିଳିଛି । ମୁଁ ତାଞ୍ଜାୱୁର୍‌ର ସ୍ୱୟଂସହାୟକ ଗୋଷ୍ଠୀକୁ ବିଶେଷ ଭାବେ ଧନ୍ୟବାଦ ଦେଉଛି ଯେ, ସେ ମୋତେ ସ୍ଥାନୀୟ ସଂସ୍କୃତିରେ ରସସିକ୍ତ ଏହି ଉପହାର ମୋତେ ପଠାଇଲେ । ବନ୍ଧୁଗଣ, ଏହି ତାଞ୍ଜାୱୁର୍‌ର କଣ୍ଢେଇ ଦେଖିବାକୁ ଯେତିକି ସୁନ୍ଦର ଠିକ୍ ସେହିଭଳି ଏହା ମହିଳା ସଶକ୍ତିକରଣର ନୂତନ ଗାଥା ବି ଲେଖିଚାଲିଛି । ତାଞ୍ଜାୱୁର୍‌ରେ ମହିଳାମାନଙ୍କ ସ୍ୱୟଂ ସହାୟକ ଗୋଷ୍ଠୀର ଷ୍ଟୋର ଓ କିଓସ୍କ ମାନ ମଧ୍ୟ ଖୋଲାଗଲାଣି । ଏହାଯୋଗୁଁ ଅନେକ ଗରିବ ପରିବାରଙ୍କ ଜୀବନ ବଦଳିଗଲାଣି । ଏଭଳି କିଓସ୍କ ଓ ଷ୍ଟୋରଗୁଡ଼ିକ ସହାୟତାରେ ଏହି ମହିଳାମାନେ ଏବେ ନିଜର ଉତ୍ପାଦ ଗ୍ରାହକମାନଙ୍କୁ ସିଧାସଳଖ ଭାବେ ବିକ୍ରି କରିପାରୁଛନ୍ତି । ଏହି ନୂତନ ପ୍ରଚେଷ୍ଟାକୁ ‘ତାର୍‌ଗଇଗଲ୍ କଇୱିନଇ ପୋରୁତ୍‌ତକଲ୍ ୱିରପ୍ପନଇ ଅଙ୍ଗାଡ଼ି’ ନାମ ଦିଆଯାଇଛି । ବିଶେଷ କଥା ହେଲା ଯେ, ଏହି ପ୍ରଚେଷ୍ଟା ସହ ୨୨ଟି ସ୍ୱୟଂ ସହାୟକ ଗୋଷ୍ଠୀ ଯୋଡ଼ିହୋଇ ରହିଛନ୍ତି । ଏ କଥା ଜାଣିଲେ ମଧ୍ୟ ଆପଣଙ୍କୁ ଖୁସି ଲାଗିବ ଯେ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଏହି ଷ୍ଟୋରଗୁଡ଼ିକ ତାଞ୍ଜାୱୁର୍‌ର ପ୍ରମୁଖ ସ୍ଥଳମାନଙ୍କରେ ଖୋଲିଛି । ଏହାର ଯତ୍ନର ଦାୟିତ୍ୱ ମଧ୍ୟ ଏହି ମହିଳାମାନେ ବହନ କରୁଛନ୍ତି । ଏହି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ତାଞ୍ଜାୱୁର୍ କଣ୍ଢେଇ ଏବଂ ବ୍ରୋଞ୍ଜ ଲ୍ୟାମ୍ପ ଭଳି ଜିଆଇ ଉତ୍ପାଦ ଛଡ଼ା ଖେଳଣା, ମଶିଣା ଓ ନକଲି ଗହଣା ମଧ୍ୟ ତିଆରି କରୁଛନ୍ତି । ଏଭଳି ଷ୍ଟୋର ଯୋଗୁଁ ଜିଆଇ ଉତ୍ପାଦ ସହିତ ହସ୍ତଶିଳ୍ପ ବସ୍ତୁଗୁଡ଼ିକର ବିକ୍ରିରେ ମଧ୍ୟ ଦ୍ରୁତ ଉନ୍ନତି ପରିଲକ୍ଷିତ ହୋଇଛି । ଏହି ଅଭିଯାନ ଫଳରେ କେବଳ କାରିଗରମାନେ ଉପକୃତ ହୋଇଛନ୍ତି ତା’ନୁହେଁ ବରଂ ମହିଳାମାନଙ୍କ ଆୟ ବୃଦ୍ଧି ପାଇବା ଦ୍ୱାରା ସେମାନଙ୍କ ସଶକ୍ତିକରଣ ମଧ୍ୟ ହେଉଛି । ‘ମନ୍ କି ବାତ୍‌’ର ଶ୍ରୋତାମାନଙ୍କୁ ମୋର ଗୋଟିଏ ଅନୁରୋଧ ରହିଛି । ଆପଣ ନିଜ ଗ୍ରାମାଞ୍ଚଳରେ କେଉଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କାର୍ଯ୍ୟ କରୁଛନ୍ତି ତାହାର ସନ୍ଧାନ କରନ୍ତୁ । ସେମାନଙ୍କ ଉତ୍ପାଦ ବିଷୟରେ ମଧ୍ୟ ଆପଣ ସୂଚନା ଏକତ୍ରିତ କରନ୍ତୁ ଏବଂ ଏଗୁଡ଼ିକୁ ଅଧିକରୁ ଅଧିକ ବ୍ୟବହାର କରନ୍ତୁ । ଏହା କରିବା ଦ୍ୱାରା ଆପଣ ସେହି ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ଆୟ ବୃଦ୍ଧିରେ ସହାୟକ ହେବା ସହ ଆତ୍ମନିର୍ଭର ଭାର ଅଭିଯାନକୁ ମଧ୍ୟ ଗତିଶୀଳ କରିବେ ।

ବନ୍ଧୁଗଣ, 

ଆମ ଦେଶରେ ଅନେକ ଭାଷା, ଲିପି ଏବଂ କଥିତ ଭାଷାର ଭଣ୍ଡାର ମହଜୁଦ ରହିଛି । ଭିନ୍ନ ଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ବେଶପୋଷାକ, ଖାଦ୍ୟପାନୀୟ, ସଂସ୍କୃତି – ଏହାହିଁ ଆମ ପରିଚୟ । ଏହି ବିବିଧତା ଗୋଟିଏ ରାଷ୍ଟ୍ର ରୂପେ ଆମକୁ ଅଧିକ ସଶକ୍ତ କରୁଛି ଏବଂ ଏକାଠି ବାନ୍ଧିରଖୁଛି । ଏହିଭଳି ଗୋଟିଏ ଅତ୍ୟନ୍ତ ପ୍ରେରଣାଦାୟୀ ଉଦାହରଣ ହେଉଛି କଳ୍ପନାଙ୍କର, ଯାହା ବିଷୟରେ ମୁଁ ଆପଣମାନଙ୍କୁ କହିବାକୁ ଚାହୁଁଛି । ତାଙ୍କ ନାଁ ହେଉଛି କଳ୍ପନା, କିନ୍ତୁ ତାଙ୍କ ପ୍ରଚେଷ୍ଟା ଏକ ଭାରତ ଶ୍ରେଷ୍ଠ ଭାରତର ପ୍ରକୃତ ଭାବନାରେ ପରିପୂର୍ଣ୍ଣ । ପ୍ରକୃତରେ କଳ୍ପନା ନିକଟ ଅତୀତରେ କର୍ଣ୍ଣାଟକରେ ଦଶମ ଶ୍ରେଣୀ ପରୀକ୍ଷା ପାସ୍ କରିଛନ୍ତି । କିନ୍ତୁ ତାଙ୍କ ସଫଳତାର ବିଶେଷତ୍ୱ ହେଲା, ଯେ କିଛି ସମୟ ପୂର୍ବ ଯାଏ କଳ୍ପନା କନ୍ନଡ଼ ଭାଷା ମୋଟେ ଜାଣି ନ ଥିଲେ । ମାତ୍ର ୩ ମାସ ମଧ୍ୟରେ ସେ କେବଳ ଯେ କନ୍ନଡ଼ ଭାଷା ଶିଖିଲେ ତା’ନୁହେଁ, ବରଂ ସେଥିରେ ୯୨ ନମ୍ବର ହାସଲ କରି ସମସ୍ତଙ୍କୁ ଚମତ୍କୃତ କରିଦେଲେ । ଏହାଶୁଣି ଆପଣମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ, କିନ୍ତୁ ଏହା ସତ୍ୟ । ତାଙ୍କର ଆଉ କେତୋଟି କଥା ମଧ୍ୟ ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ ଓ ପ୍ରେରଣା ଯୋଗାଇବ । କଳ୍ପନା ମୂଳତଃ ଉତ୍ତରାଖଣ୍ଡର ଯୋଶୀମଠ୍‌ର ବାସିନ୍ଦା । ପୂର୍ବରୁ ସେ ଯକ୍ଷ୍ମାରୋଗରେ ପୀଡ଼ିତ ହୋଇଥିଲେ ଏବଂ ତୃତୀୟ ଶ୍ରେଣୀରେ ପଢ଼ିବା ସମୟରେ ସେ ତାଙ୍କ ଦୃଷ୍ଟିଶକ୍ତି ମଧ୍ୟ ହରାଇଥିଲେ । କିନ୍ତୁ, ଯାହା କଥାରେ ଅଛି – ଇଚ୍ଛା ଥିଲେ ଉପାୟ ମିଳେ । କଳ୍ପନା ମହୀଶୂରରେ ରହୁଥିବା ପ୍ରଫେସର ତାରାମୂର୍ତ୍ତିଙ୍କ ସଂସ୍ପର୍ଶରେ ଆସିଲେ, ଯିଏ ତାଙ୍କୁ ପ୍ରେରିତ କରିବା ସହ ତାଙ୍କୁ ସବୁ ପ୍ରକାର ସାହାଯ୍ୟ କଲେ । ନିଜ ପରିଶ୍ରମ ଯୋଗୁଁ ଆଜି ସେ ଆମ ସମସ୍ତଙ୍କ ପାଇଁ ଗୋଟିଏ ଉଦାହରଣ ପାଲଟିଯାଇଛନ୍ତି । ତାଙ୍କ ଧୈର୍ଯ୍ୟ ପାଇଁ ମୁଁ କଳ୍ପନାଙ୍କୁ ଅଭିନନ୍ଦନ ଜଣାଉଛି। ସେହିଭଳି ଆମେ ଦେଶର ଏମିତି ଲୋକ ମଧ୍ୟ ଅଛନ୍ତି ଯେଉଁମାନେ ଦେଶର ଭାଷାଗତ ବିବିଧତାକୁ ସୁଦୃଢ଼ କରିବାର କାର୍ଯ୍ୟ କରୁଛନ୍ତି । ଏଭଳି ଜଣେ ବନ୍ଧୁ ହେଲେ ପଶ୍ଚିମବଙ୍ଗ, ପୁରୁଲିୟାର ଶ୍ରୀପତି ଟୁଡୁ । ଶ୍ରୀ ଟୁଡୁ ହେଉଛନ୍ତି ପୁରୁଲିୟାର ସିଦ୍ଧୋ-କାନୋ-ବିର୍ସା ବିଶ୍ୱବିଦ୍ୟାଳୟର ସାନ୍ତାଳୀ ଭାଷା ପ୍ରାଧ୍ୟାପକ । ସେ ସାନ୍ତାଳୀ ସମାଜ ପାଇଁ ସେମାନଙ୍କ ନିଜର ଅଲ୍‌ଚିକି ଲିପିରେ ଦେଶର ସମ୍ବିଧାନର ନକଲ ପ୍ରସ୍ତୁତ କରିଛନ୍ତି । ଶ୍ରୀପତି ଟୁଡୁ କହନ୍ତି ଯେ, ଆମ ସମ୍ବିଧାନ ଆମ ଦେଶର ପ୍ରତ୍ୟେକ ନାଗରିକକୁ ତାଙ୍କର ଅଧିକାର ଏବଂ କର୍ତବ୍ୟ ସମ୍ପର୍କରେ ଜ୍ଞାନ ଦେଇଥାଏ । ତେଣୁ ପ୍ରତ୍ୟେକ ନାଗରିକ ଏହାସହ ପରିଚିତ ହେବା ଆବଶ୍ୟକ । ଏଥିପାଇଁ ସେ ସାନ୍ତାଳୀ ସମାଜ ପାଇଁ ସେମାନଙ୍କ ନିଜ ଲିପିରେ ସମ୍ବିଧାନର ନକଲ ପ୍ରସ୍ତୁତ କରି ଉପହାର ସ୍ୱରୂପ ପ୍ରଦାନ କରିଛନ୍ତି । ମୁଁ ଶ୍ରୀପତି ମହାଶୟଙ୍କ ଏହି ଚିନ୍ତାଧାରା ଏବଂ ତାଙ୍କ ଉଦ୍ୟମକୁ ପ୍ରଶଂସା କରୁଛି । ଏହା ଏକ ଭାରତ ଶ୍ରେଷ୍ଠ ଭାରତ ଭାବନାର ଜୀବନ୍ତ ଉଦାହରଣ । ଏହି ଭାବନାକୁ ଆଗେଇ ନେଉଥିବା ଏଭଳି ଅନେକ ପ୍ରଚେଷ୍ଟା ସମ୍ପର୍କରେ ଆପଣମାନଙ୍କୁ ଏକ ଭାରତ ଶ୍ରେଷ୍ଠ ଭାରତର ୱେବ୍‌ସାଇଟ୍‌ରେ ସୂଚନା ଉପଲବ୍ଧ ହେବ । ଏଠାରେ ଆପଣଙ୍କୁ ଖାଦ୍ୟପେୟ, କଳା, ସଂସ୍କୃତି, ପର୍ଯ୍ୟଟନ ସମେତ ଏଭଳି ଅନେକ ଗତିବିଧି ସମ୍ପର୍କରେ ଜାଣିବାକୁ ମିଳିବ । ଆପଣମାନେ ଏସବୁ ଗତିବିଧିରେ ଅଂଶଗ୍ରହଣ ମଧ୍ୟ କରିପାରିବେ । ଏହାଦ୍ୱାରା ଆପଣଙ୍କୁ ନିଜ ଦେଶ ସମ୍ପର୍କରେ ଜାଣିବାକୁ ମିଳିବ ଏବଂ ଆପଣ ଦେଶର ବିବିଧତାକୁ ଅନୁଭବ ମଧ୍ୟ କରିପାରିବେ ।

ମୋର ପ୍ରିୟ ଦେଶବାସୀଗଣ,

 ବର୍ତ୍ତିମାନ ଆମ ଦେଶରେ ଉତରାଖଣ୍ଡର ଚାରିଧାମର ପବିତ୍ର ଯାତ୍ରା ଅନୁଷ୍ଠିତ ହେଉଛି । ଚାରିଧାମ, ବିଶେଷକରି କେଦାରନାଥରେ ପ୍ରତିଦିନ ସହସ୍ରାଧିକ ଶ୍ରଦ୍ଧାଳୁ ପହଞ୍ଚୁଛନ୍ତି । ଲୋକେ ସେମାନଙ୍କ ଚାରିଧାମ ଯାତ୍ରାର ସୁଖକର ଅନୁଭୂତି ଶେୟାର୍ କରୁଛନ୍ତି । କିନ୍ତୁ, ମୁଁ ଏକଥା ମଧ୍ୟ ଲକ୍ଷ୍ୟକଲି ଯେ, ଶ୍ରଦ୍ଧାଳୁମାନେ କେଦାରନାଥରେ କିଛି ଯାତ୍ରୀମାନଙ୍କ ଦ୍ୱାରା ସୃଷ୍ଟି କରାଯାଉଥିବା ଆବର୍ଜନା କାରଣରୁ ଦୁଃଖ ପ୍ରକାଶ କରୁଛନ୍ତି । ସାମାଜିକ ଗଣମାଧ୍ୟମରେ ମଧ୍ୟ କିଛି ଲୋକ ଏ କଥା ଉପସ୍ଥାପନ କରିଛନ୍ତି । ଆମେ ପବିତ୍ର ଯାତ୍ରା ଉଦ୍ଦେଶ୍ୟରେ ଯିବା ଏବଂ ସେଠାରେ ଯଦି ଆବର୍ଜନା ଗଦା ରହିଥିବ, ତାହା ଉଚିତ ନୁହେଁ । କିନ୍ତୁ ବନ୍ଧୁଗଣ, ଏଭଳି ଅଭିଯୋଗ ମଧ୍ୟରେ କିଛି ଭଲ ଚିତ୍ର ମଧ୍ୟ ଦେଖିବାକୁ ମିଳୁଛି । ଯେଉଁଠି ଶ୍ରଦ୍ଧା ରହିଛି, ସେଠାରେ ସୃଜନ ଏବଂ ସକାରାତ୍ମକତା ମଧ୍ୟ ରହିଛି । ଏଭଳି ମଧ୍ୟ ଅନେକ ଶ୍ରଦ୍ଧାଳୁ ରହିଛନ୍ତି, ଯେଉଁମାନେ ବାବା କେଦାରଙ୍କ ଧାମରେ ପୂଜା-ଅର୍ଚ୍ଚନା ସହ ସ୍ୱଚ୍ଛତା ସାଧନା ମଧ୍ୟ କରୁଛନ୍ତି । କିଏ ନିଜ ରହିବା ସ୍ଥାନ ପାଖ ଜାଗା ସଫାସୁତୁରା କରୁଛି ତ କିଏ ଯାତ୍ରାମାର୍ଗରୁ ଅଳିଆ ଆବର୍ଜନା ସଫେଇ କାର୍ଯ୍ୟ କରୁଛି । ସ୍ୱଚ୍ଛ ଭାରତ ଅଭିଯାନ ଟିମ୍ ସହ ଏକାଠି ମିଶି ଅନେକ ଅନୁଷ୍ଠାନ ଏବଂ ସ୍ୱେଚ୍ଛାସେବୀ ସଂସ୍ଥା ମଧ୍ୟ ଏହି କାମ କରୁଛନ୍ତି । ବନ୍ଧୁଗଣ, ଆମର ଯେଉଁଭଳି ତୀର୍ଥଯାତ୍ରାର ଗୁରୁତ୍ୱ ରହିଛି, ଠିକ୍ ସେହିଭଳି ତୀର୍ଥସେବାର ମଧ୍ୟ ଗୁରୁତ୍ୱ ଦର୍ଶାଯାଇଛି । ଆଉ ମୁଁ ତ ଏକଥା କହିବି ଯେ, ତୀର୍ଥସେବା ବିନା ତୀର୍ଥଯାତ୍ରା ଅସମ୍ପୂର୍ଣ୍ଣ । ଦେବଭୂମି ଉତରାଖଣ୍ଡରେ ଏଭଳି ଅନେକ ଲୋକ ଅଛନ୍ତି, ଯେଉଁମାନେ ସ୍ୱଚ୍ଛତା ଏବଂ ସେବା ସାଧନାରେ ନିମଗ୍ନ । ରୁଦ୍ରପ୍ରୟାଗର ବାସିନ୍ଦା ଶ୍ରୀଯୁକ୍ତ ମନୋଜ ବେଁଜୱାଲ୍‌ଙ୍କ ଠାରୁ ମଧ୍ୟ ଆପଣଙ୍କୁ ବହୁତ ପ୍ରେରଣା ମିଳିବ । ମନୋଜ ଗତ ୨୫ ବର୍ଷରୁ ପରିବେଶର ଯତ୍ନ ନେବାର ଅଭିଯାନ ଚଳାଇ ଆସୁଛନ୍ତି । ସେ ସ୍ୱଚ୍ଛତା ଅଭିଯାନ ଚଳାଇବା ସହ, ପବିତ୍ର ସ୍ଥାନମାନଙ୍କୁ ପ୍ଲାଷ୍ଟିକମୁକ୍ତ ରଖିବା କାର୍ଯ୍ୟରେ ମଧ୍ୟ ଲାଗିରହିଥାନ୍ତି । ସେହିଭଳି ଗୁପ୍ତକାଶୀରେ ରହୁଥିବା ସୁରେନ୍ଦ୍ର ବଗ୍‌ୱାଡ଼ି ମଧ୍ୟ ସ୍ୱଚ୍ଛତାକୁ ନିଜ ଜୀବନର ମନ୍ତ୍ର ରୂପେ ଗ୍ରହଣ କରିନେଇଛନ୍ତି । ସେ ଗୁପ୍ତକାଶୀରେ ନିୟମିତ ଭାବେ ସଫେଇ କାର୍ଯ୍ୟକ୍ରମ ପରିଚାଳିତ କରନ୍ତି, ଏବଂ ମୁଁ ଜାଣିବାକୁ ପାଇଛି ଯେ, ତାଙ୍କର ସେହି କାର୍ଯ୍ୟକ୍ରମର ନାଁ ମଧ୍ୟ ସେ ‘ମନ୍ କି ବାତ୍‌’ ରଖିଛନ୍ତି । ସେହିଭଳି ଦେୱର୍ ଗାଁର ଚମ୍ପାଦେବୀ ଗତ ତିନିବର୍ଷ ଧରି ନିଜ ଗାଁର ମହିଳାମାନଙ୍କୁ ଆବର୍ଜନା ପରିଚାଳନା ଅର୍ଥାତ ୱେଷ୍ଟ ମ୍ୟାନେଜମେଣ୍ଟ ସମ୍ପର୍କରେ ଶିଖାଉଛନ୍ତି । ଚମ୍ପା ଦେବୀ ଶହ ଶହ ବୃକ୍ଷରୋପଣ ମଧ୍ୟ କରିଛନ୍ତି ଏବଂ ନିଜ ପରିଶ୍ରମରେ ସେ ଗୋଟିଏ ସୁନ୍ଦର ସବୁଜ ବନ ମଧ୍ୟ ପ୍ରସ୍ତୁତ କରିଦେଇଛନ୍ତି । ବନ୍ଧୁଗଣ, ଏହିଭଳି ଲୋକଙ୍କ ପ୍ରଚେଷ୍ଟା ଫଳରେ ଦେବଭୂମି ଏବଂ ତୀର୍ଥସ୍ଥାନମାନଙ୍କର ଯେଉଁ ଦିବ୍ୟ ଅନୁଭୂତି ରହିଛି, ଯାହାକୁ ଅନୁଭବ କରିବା ପାଇଁ ଆମେ ସେଠାକୁ ଯାତ୍ରା କରୁ, ଏହି ଦେବତ୍ୱ ଏବଂ ଅଧ୍ୟାତ୍ମିକତାକୁ ସେହିଭଳି ରଖିବାର ଦାୟିତ୍ୱ ବି ତ ଆମର । ଏବେ ଆମ ଦେଶରେ ଚାରିଧାମ ଯାତ୍ରା ସହ ଆଗାମୀ ଦିନରେ ଅମରନାଥ ଯାତ୍ରା, ପଣ୍ଢରପୁର ଯାତ୍ରା ଏବଂ ଜଗନ୍ନାଥ ଯାତ୍ରା ଭଳି ଅନେକ ଯାତ୍ରା ଅନୁଷ୍ଠିତ ହେବ । ଶ୍ରାବଣ ମାସରେ ହୁଏତ ପ୍ରତ୍ୟେକ ଗାଁରେ କୌଣସି ନା କୌଣସି ମେଳା-ମହୋତ୍ସବର ଆୟୋଜନ ହେଉଥିବ ।

ବନ୍ଧୁଗଣ, 

ଆମେ ଯେଉଁଠିକି ବି ଯିବା ସେହି ତୀର୍ଥକ୍ଷେତ୍ରଗୁଡ଼ିକର ଗରିମା ବଜାୟ ରଖିବାକୁ ଯତ୍ନବାନ ହେବା । ପବିତ୍ରତା, ପରିଷ୍କାର ପରିଚ୍ଛନ୍ନତା, ଏକ ପବିତ୍ର ବାତାବରଣ ଏସବୁକୁ ଆମେ କେବେ ମଧ୍ୟ ଭୁଲିବା ନାହିଁ । ତାକୁ ନିଶ୍ଚିତ ବଜାୟ ରଖିବା ଏବଂ ଏକଥା ଏଇଥିପାଇଁ ଜରୁରୀ ଯେ ଆମେ ସ୍ୱଚ୍ଛତାର ସଂକଳ୍ପକୁ ମନେରଖିବା । କିଛିଦିନ ପରେ ଜୁନ୍ ୫ ତାରିଖକୁ ବିଶ୍ୱ ପରିବେଶ ଦିବସ ରୂପେ ପାଳନ କରାଯିବ । ପରିବେଶକୁ ନେଇ ଆମେ ନିଜ ଆଖପାଖରେ ସକାରାତ୍ମକ ଅଭିଯାନ ଚଳାଇବା ଉଚିତ ଏବଂ ଏହା ନିରନ୍ତର କରିବା ଭଳି କାର୍ଯ୍ୟ । ଆପଣ ଏଥର ସମସ୍ତଙ୍କୁ ସାଙ୍ଗରେ ନେଇ ସ୍ୱଚ୍ଛତା ଏବଂ ବୃକ୍ଷରୋପଣ ପାଇଁ ନିଶ୍ଚୟ କିଛି ପ୍ରୟାସ କରନ୍ତୁ । ଆପଣ ନିଜେ ବି କିଛି ଗଛ ଲଗାନ୍ତୁ ଏବଂ ଅନ୍ୟମାନଙ୍କୁ ମଧ୍ୟ ଏଥିପାଇଁ ପ୍ରେରିତ କରନ୍ତୁ ।

ମୋର ପ୍ରିୟ ଦେଶବାସୀଗଣ, 

ଆସନ୍ତା ମାସର ଜୁନ୍ ୨୧ ତାରିଖରେ ଆମେ ‘ଅଷ୍ଟମ ଅନ୍ତରାଷ୍ଟ୍ରୀୟ ଯୋଗଦିବସ’ ପାଳନ କରିବା । ଏଥର ଯୋଗଦିବସର ବିଷୟ ରହିଛି ‘Yoga for Humanity’। ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରିବି ଏହି ଯୋଗଦିବସକୁ ଆପଣ ସମସ୍ତେ ଖୁବ୍ ଉତ୍ସାହର ସହିତ ପାଳନ କରନ୍ତୁ । ହଁ କରୋନା ସହ ସଂଯୁକ୍ତ ସାବଧାନତାଗୁଡ଼ିକୁ ଭୁଲିବେନି । ଏବେ ସାରା ପୃଥିବୀରେ କରୋନାକୁ ନେଇ ରହିଥିବା ସ୍ଥିତିରେ ଅନେକ ଉନ୍ନତି ପରିଲକ୍ଷିତ ହୋଇଛି, ଅଧିକରୁ ଅଧିକ ଟିକାକରଣ କାରଣରୁ ଲୋକେ ଆଗ ଅପେକ୍ଷା ଅଧିକ ବାହାରକୁ ଯିବା ଆସିବା କରୁଛନ୍ତି । ତେଣୁ ସାରା ବିଶ୍ୱରେ ଯୋଗଦିବସକୁ ନେଇ ଅନେକ ପ୍ରସ୍ତୁତି ଦେଖିବାକୁ ମିଳୁଛି । କରୋନା ମହାମାରୀ ଆମ ସମସ୍ତଙ୍କୁ ଏହି ଅନୁଭବ ଦେଇଛି ଯେ ଆମ ଜୀବନରେ ସ୍ୱାସ୍ଥ୍ୟର କେତେ ଅଧିକ ମହତ୍ୱ ରହିଛି ଏବଂ ସ୍ୱାସ୍ଥ୍ୟରକ୍ଷାରେ ଯୋଗ ଏକ ବଡ଼ ମାଧ୍ୟମ । ଲୋକେ ଅନୁଭବ କରୁଛନ୍ତି ଯେ ଯୋଗ ଦ୍ୱାରା ଶାରୀରିକ, ଆଧ୍ୟାତ୍ମିକ ଓ ମାନସିକ ସୁସ୍ଥତାକୁ ଶକ୍ତି ମିଳିପାରୁଛି । ବିଶ୍ୱର ପ୍ରମୁଖ ଶିଳ୍ପପତିଙ୍କଠୁ ନେଇ ଚଳଚ୍ଚିତ୍ର ଓ କ୍ରୀଡ଼ାବିତ୍‌ଙ୍କ ପର୍ଯ୍ୟନ୍ତ, ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକ ପର୍ଯ୍ୟନ୍ତ, ସମସ୍ତେ ଯୋଗକୁ ନିଜ ଜୀବନର ଅଭିନ୍ନ ଅଙ୍ଗ କରୁଛନ୍ତି । ମୋର ସଂପୂର୍ଣ୍ଣ ବିଶ୍ୱାସ ଯେ ସାରା ପୃଥିବୀରେ ଯୋଗର କ୍ରମବର୍ଦ୍ଧିଷ୍ଣୁ ଲୋକପ୍ରିୟତାକୁ ଦେଖି ଆପଣମାନଙ୍କୁ ବହୁତ ଭଲ ଲାଗୁଥିବ । ବନ୍ଧୁଗଣ, ଏଥର ଦେଶ-ବିଦେଶରେ ଯୋଗ ଦିବସରେ ହେବାକୁ ଥିବା କେତେକ ବହୁତ ସୃଜନଶୀଳ ଉଦାହରଣ ସମ୍ପର୍କରେ ମୋତେ ସୂଚନା ମିଳିଛି । ସେଥିରୁ ଗୋଟିଏ ହେଉଛି ଗାର୍ଡିଆନ ରିଙ୍ଗ୍‌- ଗୋଟିଏ ବଡ଼ ନିଆରା କାର୍ଯ୍ୟକ୍ରମ ହେବ । ଏଥିରେ ମୁଭମେଣ୍ଟ ଅଫ୍ ସନ୍‌କୁ ସେଲିବ୍ରେଟ୍ କରାଯିବ, ଅର୍ଥାତ ସୂର୍ଯ୍ୟ ଯେତିକି ଯେତିକି ଯାତ୍ରା କରିବ, ପୃଥିବୀର ଭିନ୍ନ ଭିନ୍ନ ଅଂଚଳରୁ ଆମେ ଯୋଗ ଜରିଆରେ ତା’ର ସ୍ୱାଗତ କରିବା । ଭିନ୍ନ ଭିନ୍ନ ଦେଶରେ ଇଣ୍ଡିଆନ ମିଶନ୍‌ସ ସେଠାକାର ସ୍ଥାନୀୟ ସମୟ ଅନୁସାରେ ସୂର୍ଯ୍ୟୋଦୟ ସମୟରେ ଯୋଗ କାର୍ଯ୍ୟକ୍ରମ ଆୟୋଜନ କରିବେ । ଗୋଟିଏ ଦେଶ ପରେ ଆଉ ଗୋଟିଏ ଦେଶରେ କାର୍ଯ୍ୟକ୍ରମ ଆରମ୍ଭ ହେବ । ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ ନିରନ୍ତର ଯାତ୍ରା ଚାଲିବ, ପୁଣି ଏପରି ଭାବେ ଏହା ଆଗକୁ ବଢ଼ିଚାଲିବ । ଏହି କାର୍ଯ୍ୟକ୍ରମଗୁଡ଼ିକର ଷ୍ଟ୍ରିମିଂ ମଧ୍ୟ ସେହିପରି ଭାବେ ଗୋଟିଏ ପରେ ଗୋଟିଏ ଯୋଡ଼ିହୋଇ ଚାଲିବ । ଅର୍ଥାତ୍‌, ଏହା ଏକ ପ୍ରକାରର ରିଲେ ଯୋଗ ଷ୍ଟ୍ରିମିଂ ଇଭେଂଟ ହେବ । ଆପଣ ମଧ୍ୟ ଏହାକୁ ନିଶ୍ଚିତ ଦେଖନ୍ତୁ ।

ବନ୍ଧୁଗଣ, 

ଆମ ଦେଶରେ ଏଥର ଅମୃତ ମହୋତ୍ସବକୁ ଦୃଷ୍ଟିରେ ରଖି ଦେଶର ୭୫ଟି ପ୍ରମୁଖ ସ୍ଥାନରେ ମଧ୍ୟ ଆନ୍ତର୍ଜାତିକ ଯୋଗ ଦିବସର ଆୟୋଜନ କରାଯିବ । ଏହି ଅବସରରେ ଅନେକ ସଂଗଠନ ଓ ଦେଶବାସୀ ନିଜ ନିଜ ସ୍ତରରେ ନିଜ ନିଜ ଅଂଚଳରେ ବିଶେଷ ସ୍ଥାନମାନଙ୍କରେ କିଛି ନା କିଛି ନୂଆ କାମ କରିବାର ପ୍ରସ୍ତୁତି ଚଳାଇଛନ୍ତି। ମୁଁ ଆପଣଙ୍କୁ ମଧ୍ୟ କହିବି ଯେ ଏଥର ଯୋଗଦିବସ ମନାଇବା ପାଇଁ ଆପଣ ନିଜ ସହର, ଗାଁ, ପଡ଼ାର କୌଣସି ଏକ ଜାଗାକୁ ବାଛନ୍ତୁ ଯାହା ସବୁଠୁ ସ୍ୱତନ୍ତ୍ର ହୋଇଥିବ । ଏହି ଜାଗା କୌଣସି ପ୍ରାଚୀନ ମନ୍ଦିର ବା ପର୍ଯ୍ୟଟନ କେନ୍ଦ୍ର ହୋଇପାରେ ବା କୌଣସି ପ୍ରସିଦ୍ଧ ନଦୀ, ଝରଣା, ଜଳାଶୟର ତଟବର୍ତ୍ତୀ ଅଞ୍ଚଳ ବି ହୋଇପାରେ । ଏହାଦ୍ୱାରା ଯୋଗ ସହ ଆପଣଙ୍କ ଏହି କ୍ଷେତ୍ରର ପରିଚୟ ବି ବୃଦ୍ଧି ପାଇବ ଏବଂ ପର୍ଯ୍ୟଟନକୁ ପ୍ରୋତ୍ସାହନ ମିଳିବ। ଏବେ ଯୋଗଦିବସକୁ ନେଇ ୧୦୦ ଦିନର କାଉଣ୍ଟଡାଉନ ଜାରି ରହିଛି, ଏମିତି ବି କୁହାଯାଇପାରେ ଯେ ବ୍ୟକ୍ତିଗତ ସ୍ତରରେ ଏବଂ ସାମାଜିକ ସ୍ତରରେ ସଂଶ୍ଳିଷ୍ଟ କାର୍ଯ୍ୟକ୍ରମଗୁଡ଼ିକ ତିନିମାସ ପୂର୍ବରୁ ହିଁ ଆରମ୍ଭ ହୋଇସାରିଛି । ଯେମିତିକି ଦିଲ୍ଲୀରେ ୧୦୦ ଦିନ ଏବଂ ୭୫ ଦିନର କାଉଣ୍ଟଡାଉନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇସାରିଛି । ଆସାମର ଶିବସାଗରରେ ୫୦ତମ ଏବଂ ହାଇଦ୍ରାବାଦରେ ୨୫ତମ କାଉଂଟ୍‌ଡାଉନ ଇଭେଣ୍ଟ ଆୟୋଜନ କରାଯାଇଛି । ମୁଁ ଚାହିଁବି ଯେ ଆପଣ ମଧ୍ୟ ଆପଣଙ୍କର ସେଇଠି ଏବେଠାରୁ ଯୋଗ ଦିବସର ପ୍ରସ୍ତୁତି ଆରମ୍ଭ କରିଦିଅନ୍ତୁ । ଅଧିକରୁ ଅଧିକ ଲୋକଙ୍କୁ ଭେଟନ୍ତୁ । ପ୍ରତ୍ୟେକଙ୍କୁ ଯୋଗ ଦିବସ କାର୍ଯ୍ୟକ୍ରମ ସହିତ ଯୋଡ଼ି ହେବାପାଇଁ କୁହନ୍ତୁ, ପ୍ରେରଣା ଦିଅନ୍ତୁ । ମୋର ସଂପୂର୍ଣ୍ଣ ବିଶ୍ୱାସ ଯେ ଆପଣମାନେ ସମସ୍ତେ ଯୋଗ ଦିବସରେ ବହୁ ସଂଖ୍ୟାରେ ଅଂଶଗ୍ରହଣ କରିବେ । ତା’ସହିତ ଯୋଗକୁ ନିଜର ଦୈନିକ ଜୀବନରେ ମଧ୍ୟ ଆପଣାଇବେ ।

ବନ୍ଧୁଗଣ, 

କିଛିଦିନ ତଳେ ମୁଁ ଜାପାନ ଯାଇଥିଲି । ନିଜର କେତେକ କାର୍ଯ୍ୟକ୍ରମ ମଧ୍ୟରେ ମୋତେ କେତେଜଣ ଚମତ୍କାର ବ୍ୟକ୍ତିଙ୍କ ସହ ମିଶିବାର ସୁଯୋଗ ମିଳିଲା । ମୁଁ ‘ମନ୍ କୀ ବାତ୍‌’ରେ ଆପଣଙ୍କ ସହିତ ସେମାନଙ୍କ ସମ୍ପର୍କରେ ଆଲୋଚନା କରିବାକୁ ଚାହୁଁଛି । ସେମାନେ ଜାପାନର ସିନା, କିନ୍ତୁ ଭାରତ ପ୍ରତି ସେମାନଙ୍କ ଭିତରେ ଅଦ୍ଭୁତ ପ୍ରକାରର ଆକର୍ଷଣ ଓ ପ୍ରେମ ରହିଛି । ଏମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ହିରୋଶି କୋଇକେ, ଯିଏ ଜଣେ ଜଣାଶୁଣା କଳା ନିର୍ଦେଶକ । ଆପଣଙ୍କୁ ଜାଣି ଖୁସିହେବେ ଯେ ଏହି ମହାଶୟ ମହାଭାରତ ପ୍ରୋଜେକ୍ଟର ନିର୍ଦେଶନା ଦେଇଥିଲେ । ଏହି ପ୍ରକଳ୍ପର ଆରମ୍ଭ କାମ୍ବୋଡିଆରେ ହୋଇଥିଲା ଏବଂ ଗତ ୯ ବର୍ଷ ଧରି ଏହା ନିରନ୍ତର ଜାରି ରହିଛି । ହିରୋଶି କୋଇକେ ପ୍ରତ୍ୟେକ କାମ ଅଲଗା ଢଙ୍ଗରେ କରନ୍ତି । ସେ ପ୍ରତିବର୍ଷ ଏସିଆର କୌଣସି ଦେଶକୁ ଯାତ୍ରା କରନ୍ତି ଏବଂ ସେଠାରେ ସ୍ଥାନୀୟ କଳାକାର ଓ ସଂଗୀତଜ୍ଞଙ୍କ ସହ ମହାଭାରତର କେତେକ ଅଂଶ ପ୍ରଦର୍ଶନ କରନ୍ତି । ଏହି ପ୍ରକଳ୍ପ ମାଧ୍ୟମରେ ସେ ଭାରତ, କାମ୍ବୋଡିଆ ଏବଂ ଇଣ୍ଡୋନେସିଆ ସମେତ ନଅଟି ଦେଶରେ ପ୍ରଯୋଜନା କରିଛନ୍ତି ଏବଂ ମଞ୍ଚଭିନୟ ମଧ୍ୟ କରିଛନ୍ତି । ହିରୋଶି କୋଇକେ ସେହି କଳାକାରମାନଙ୍କୁ ଏକାଠି କରନ୍ତି, ଯେଉଁମାନଙ୍କର ଶାସ୍ତ୍ରୀୟ ଓ ପାରମ୍ପରିକ ଏସିଆନ ପର୍‌ଫର୍ମିଂ ଆର୍ଟରେ ବିବିଧ ପୃଷ୍ଠଭୂମି ରହିଛି । ଏହି କାରଣରୁ ତାଙ୍କ କାମରେ ବିବିଧ ରଙ୍ଗ ଦେଖିବାକୁ ମିଳିଥାଏ । ଇଣ୍ଡୋନେସିଆ, ଥାଇଲାଣ୍ଡ, ମାଲେସିଆ ଓ ଜାପାନର କଳାକାରମାନେ ଜାଭା ନୃତ୍ୟ, ବାଲି ନୃତ୍ୟ, ଥାଇ ନୃତ୍ୟ ଜରିଆରେ ଏହାକୁ ଅଧିକ ଆକର୍ଷଣୀୟ କରିଦିଅନ୍ତି । ବିଶେଷ କଥା ହେଉଛି ଏଥିରେ ପ୍ରତ୍ୟେକ କଳାକାର ନିଜ ମାତୃଭାଷାରେ ହିଁ କହିଥାଏ ଓ ନୃତ୍ୟ ବହୁତ ସୁନ୍ଦର ଭାବେ ଏହି ବିବିଧତାକୁ ପ୍ରଦର୍ଶିତ କରିଥାଏ ଏବଂ ସଂଗୀତର ବିବିଧତା ଏହି କଳାକୁ ଅଧିକ ଜୀବନ୍ତ କରିଦିଏ । ତାଙ୍କର ଉଦ୍ଦେଶ୍ୟ ଗୋଟିଏ କଥାକୁ ସାମ୍ନା ଆଣିଥାଏ ଯେ ଆମର ସମାଜରେ ବିବିଧତା ଏବଂ ସହାବସ୍ଥାନର ଯେଉଁ ମହତ୍ୱ ରହିଛି ତାହା କିଭଳି ଶାନ୍ତିପୂର୍ଣ୍ଣ ଢଙ୍ଗରେ ବାସ୍ତବତାରେ ପରିଣତ ହୋଇପାରିବ । ତାଙ୍କୁ ବାଦ୍‌ଦେଲେ ମୁଁ ଜାପାନରେ ଯେଉଁ ଅନ୍ୟ ଦୁଇଜଣ ବ୍ୟକ୍ତିଙ୍କୁ ଭେଟିଥିଲି ସେମାନେ ହେଉଛନ୍ତି ଆତ୍‌ସୁସି ମାତ୍‌ସୁଓ ଏବଂ କେଞ୍ଜି ଜୋସି । ଏ ଦୁଇଜଣ TEM Production Company ସହ ଜଡ଼ିତ । ୧୯୯୩ ମସିହାରେ ରିଲିଜ ହୋଇଥିବା ରାମାୟଣର ଏକ ଜାପାନୀ ଆନିମେସନ୍ ଫିଲ୍ମ ସହ ଏହି କମ୍ପାନୀର ସମ୍ବନ୍ଧ ରହିଛି । ପାଖାପାଖି ୪୦ ବର୍ଷ ପୂର୍ବେ ୧୯୮୩ରେ ତାଙ୍କୁ ପ୍ରଥମ ଥର ପାଇଁ ରାମାୟଣ ସମ୍ପର୍କରେ ସୂଚନା ମିଳିଲା । ରାମାୟଣ ତାଙ୍କ ହୃଦୟକୁ ଛୁଇଁଗଲା । ଏହାପରେ ସେ ଏହା ଉପରେ ଗଭୀର ଭାବେ ଗବେଷଣା ଆରମ୍ଭ କରିଦେଲେ । କେବଳ ଏତିକି ନୁହେଁ, ସେ ଜାପାନୀ ଭାଷାରେ ରାମାୟଣର ୧୦ଟି ସଂସ୍କରଣ ପଢ଼ିଲେ ଏବଂ ସେତିକିରେ ମଧ୍ୟ ସେ ଅଟକିଲେ ନାହିଁ । ସେ ଏହାର ଆନିମେସନ ମଧ୍ୟ ନିର୍ମାଣ କରିବାକୁ ଚାହୁଁଥିଲେ । ଏଥିରେ ଭାରତୀୟ ଆନିମେଟର୍‌ମାନେ ମଧ୍ୟ ତାଙ୍କୁ ବହୁତ ସାହାଯ୍ୟ କଲେ । ତାଙ୍କୁ ଚଳଚ୍ଚିତ୍ରରେ ପ୍ରଦର୍ଶିତ ଭାରତୀୟ ରୀତିନୀତି ଓ ପରମ୍ପରା ସମ୍ପର୍କରେ ମାର୍ଗଦର୍ଶନ କଲେ । ତାଙ୍କୁ କୁହାଗଲା ଯେ ଭାରତର ଲୋକେ ଧୋତି କିପରି ପିନ୍ଧନ୍ତି, ଶାଢ଼ି କିପରି ପିନ୍ଧନ୍ତି, କେଶସଜ୍ଜା କିପରି କରନ୍ତି । ପିଲାମାନେ ପରିବାର ଭିତରେ ପରସ୍ପରକୁ କିପରି ମାନସମ୍ମାନ ଦିଅନ୍ତି, ଆଶୀର୍ବାଦର ପରମ୍ପରା କ’ଣ । ସକାଳୁ ଉଠି ନିଜର ବରିଷ୍ଠମାନଙ୍କୁ ପ୍ରଣାମ କରିବା, ସେମାନଙ୍କର ଆଶୀର୍ବାଦ ନେବା- ଏସବୁ କଥା ଏବେ ୩୦ ବର୍ଷ ପରେ ଏହି ଆନିମେସନ ଚଳଚ୍ଚିତ୍ର ପୁଣିଥରେ ଫୋର୍ କେରେ ରି-ମାଷ୍ଟର୍ କରାଯାଉଛି । ଏହି ପ୍ରକଳ୍ପ ଶୀଘ୍ର ସଂପୂର୍ଣ୍ଣ ହେବାର ସମ୍ଭାବନା ରହିଛି । ଆମଠୁ ହଜାର ହଜାର କିଲୋମିଟର ଦୂର ଜାପାନରେ ବସି ଲୋକେ ଯେଉଁମାନେ ନା ଆମର ଭାଷା ଜାଣନ୍ତି ନା ଆମ ପରମ୍ପରା ବିଷୟରେ ସେତେ ଜାଣନ୍ତି, ସେମାନଙ୍କର ଆମର ସଂସ୍କୃତି ପାଇଁ ସମର୍ପଣ, ଏହି ଶ୍ରଦ୍ଧା, ଏହି ଆଦର ବହୁତ ପ୍ରଶଂସନୀୟ- କେଉଁ ଭାରତୀୟ ଏଥିରେ ଗର୍ବ ନ କରିବ?

ମୋର ପ୍ରିୟ ଦେଶବାସୀଗଣ, 

ସ୍ୱ ରୁ ଉପରକୁ ଉଠି ସମାଜସେବାର ମନ୍ତ୍ର, ସେଲ୍‌ଫ ଫର୍ ସୋସାଇଟିର ମନ୍ତ୍ର, ଆମ ସଂସ୍କାରର ଅଙ୍ଗ । ଆମ ଦେଶରେ ଅଗଣିତ ଲୋକ ଏହି ମନ୍ତ୍ରକୁ ନିଜ ଜୀବନର ଧ୍ୟେୟ କରିଛନ୍ତି । ମୋତେ ଆନ୍ଧ୍ରପ୍ରଦେଶର ମର୍କାପୁରମରେ ରହୁଥିବା ଜଣେ ବନ୍ଧୁ ରାମଭୂପାଲ ରେଡ୍ଡିଙ୍କ ସମ୍ପର୍କରେ ସୂଚନା ମିଳିଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ରାମଭୂପାଲ ରେଡ୍ଡି ଅବସର ପରେ ମିଳିଥିବା ନିଜର ସମସ୍ତ ଉପାର୍ଜନକୁ ଝିଅମାନଙ୍କର ଶିକ୍ଷା ପାଇଁ ଦାନ କରିଦେଇଛନ୍ତି । ସେ ପ୍ରାୟ ୧୦୦ ଜଣ ଝିଅଙ୍କ ପାଇଁ ସୁକନ୍ୟା ସମୃଦ୍ଧି ଯୋଜନାରେ ଖାତା ଖୋଲାଇଛନ୍ତି ଏବଂ ସେଥିରେ ନିଜର ୨୫ ଲକ୍ଷରୁ ଅଧିକ ଟଙ୍କା ଜମା କରିଦେଇଛନ୍ତି । ଏପରି ସେବାର ଆଉ ଏକ ଉଦାହରଣ ଉତରପ୍ରଦେଶର ଆଗ୍ରା ଅନ୍ତର୍ଗତ କଚୌରା ଗାଁର । ବହୁତ ବର୍ଷରୁ ଏହି ଗାଁରେ ପିଇବା ପାଣିର ଅସୁବିଧା ଥିଲା । ଇତିମଧ୍ୟରେ ଗାଁର ଜଣେ କୃଷକ କୁଅଁର ସିଂକୁ ଗାଁଠୁ ଛଅ ସାତ କିଲୋମିଟର ଦୂର ନିଜ ଜମିରେ ମିଠା ପିଇବା ପାଣିର ସନ୍ଧାନ ମିଳିଲା । ଏକଥା ତାଙ୍କପାଇଁ ବହୁତ ଖୁସିର ବିଷୟ ଥିଲା । ସେ ଚିନ୍ତା କଲେ ଏ ପାଣିକୁ ତାଙ୍କର ସମସ୍ତ ଗ୍ରାମବାସୀଙ୍କ ସେବାରେ କାହିଁକି ନ ଲଗାଇବେ! କିନ୍ତୁ ତାଙ୍କ ଜମିରୁ ଗାଁ ପର୍ଯ୍ୟନ୍ତ ପାଣି ଆଣିବା ପାଇଁ ୩୦ରୁ ୩୨ ଲକ୍ଷ ଟଙ୍କାର ଆବଶ୍ୟକତା ଥିଲା । କିଛିଦିନ ପରେ କୁଅଁର ସିଂ ନିଜର ଛୋଟଭାଇ ଶ୍ୟାମ ସିଂ ଯିଏ ସେନାବାହିନୀରୁ ଅବସର ନେଇ ଗାଁରେ ରହୁଥିଲେ ତାଙ୍କୁ ଏ ସମ୍ପର୍କରେ ଜଣାଇଲେ। ସାନଭାଇ ଶ୍ୟାମ ସିଂ ଅବସର ପରେ ମିଳିଥିବା ତାଙ୍କର ସମସ୍ତ ଧନରାଶିକୁ ଏହି ମହତ କାମ ପାଇଁ ସମର୍ପିଦେଲେ ଏବଂ ବଡ଼ଭାଇଙ୍କ ଜମିରୁ ଗାଁ ପର୍ଯ୍ୟନ୍ତ ପାଇପଲାଇନ୍ ବିଛେଇ ଗ୍ରାମବାସୀଙ୍କ ପାଇଁ ମିଠା ପାନୀୟଜଳର ସୁବିଧା କରିଦେଲେ । ଆପଣଙ୍କ ପାଖରେ ଯଦି ନିଷ୍ଠା ଅଛି, କର୍ତ୍ତବ୍ୟ ପ୍ରତି ଗମ୍ଭୀରତା ରହିଛି ତାହେଲେ ଜଣେ ବ୍ୟକ୍ତି ବି କେମିତି ପୁରା ସମାଜର ଭବିଷ୍ୟତକୁ ବଦଳାଇଦେଇପାରେ, ଏହି ପ୍ରୟାସ ଏହାର ବଡ଼ ଉଦାହରଣ । ଆମେ କର୍ତବ୍ୟ ପଥରେ ଚାଲିବା ଦ୍ୱାରା ହିଁ ସମାଜକୁ ସଶକ୍ତ କରିପାରିବା, ଦେଶକୁ ସଶକ୍ତ କରିପାରିବା । ସ୍ୱାଧୀନତାର ଏହି ଅମୃତ ମହୋତ୍ସବରେ ଏହା ଆମର ସଂକଳ୍ପ ହେବା ଦରକାର ଏବଂ ଏହା ଆମର ସାଧନା ମଧ୍ୟ ହେବା ଉଚିତ ଏବଂ ଯାହାର ଗୋଟିଏ ହିଁ ମାର୍ଗ – କର୍ତ୍ତବ୍ୟ, କର୍ତ୍ତବ୍ୟ ଏବଂ କର୍ତ୍ତବ୍ୟ ।

ମୋର ପ୍ରିୟ ଦେଶବାସୀଗଣ, 

ଆଜି ‘ମନ୍ କୀ ବାତ୍‌’ରେ ଆମେ ସମାଜ ସହିତ ସଂପୃକ୍ତ ଅନେକ ମହତ୍ୱପୂର୍ଣ୍ଣ ବିଷୟ ଆଲୋଚନା କଲେ । ଆପଣମାନେ ସମସ୍ତେ ଭିନ୍ନ ଭିନ୍ନ ବିଷୟ ସହିତ ସଂପୃକ୍ତ ମହତ୍ୱପୂର୍ଣ୍ଣ ପରାମର୍ଶ ମୋ ପାଖକୁ ପଠାଇଥାନ୍ତି ଏବଂ ସେହି ଆଧାରରେ ଆମର ଆଲୋଚନା ଆଗକୁ ବଢ଼ିଥାଏ । ‘ମନ୍ କୀ ବାତ୍‌’ର ଆଗାମୀ ସଂସ୍କରଣ ପାଇଁ ନିଜର ପରାମର୍ଶ ପଠାଇବାକୁ ଭୁଲିବେ ନାହିଁ । ଏବେ ସ୍ୱାଧୀନତାର ଅମୃତ ମହୋତ୍ସବ ସହିତ ସଂପୃକ୍ତ କାର୍ଯ୍ୟକ୍ରମ ଚାଲିଛି, ଯେଉଁ ଆୟୋଜନରେ ଆପଣ ସାମିଲ ହେଉଛନ୍ତି, ସେ ସମ୍ପର୍କରେ ମଧ୍ୟ ଆପଣ ମୋତେ ନିଶ୍ଚୟ ଜଣାଇବେ । ନମୋ ଆପ୍ ଏବଂ ମାଇ ଗଭ୍‌ରେ ମୁଁ ଆପଣମାନଙ୍କର ପରାମର୍ଶକୁ ଅପେକ୍ଷା କରିବି । ଆସନ୍ତା ଥର ଆମେ ପୁଣିଥରେ ଭେଟିବା, ପୁଣିଥରେ ଦେଶବାସୀଙ୍କ ସହ ସଂପୃକ୍ତ ଏପରି ଅନେକ ବିଷୟରେ କଥା ହେବା । ଆପଣ, ନିଜର ଯତ୍ନ ନିଅନ୍ତୁ ଏବଂ ନିଜ ଆଖପାଖର ସମସ୍ତ ଜୀବଜନ୍ତୁଙ୍କର ମଧ୍ୟ ଯତ୍ନ ନିଅନ୍ତୁ । ଏହି ଗ୍ରୀଷ୍ମଋତୁରେ, ଆପଣ ପଶୁପକ୍ଷୀଙ୍କ ପାଇଁ ଖାଦ୍ୟ ଓ ପାଣି ଦେବାର ନିଜର ମାନବୀୟ ଦାୟିତ୍ୱ ମଧ୍ୟ ତୁଲାଇବେ- ଏହା ନିଶ୍ଚିତ ମନେ ରଖନ୍ତୁ । ସେହି ପର୍ଯ୍ୟନ୍ତ ବହୁତ ବହୁତ ଧନ୍ୟବାଦ ।