Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତରେ ଖେଳଣା ଉତ୍ପାଦନ ବୃଦ୍ଧି ସଂକ୍ରାନ୍ତ ଉପାୟ ବାବଦରେ ଆଲୋଚନା ପାଇଁ ପ୍ରଧାନମନ୍ତ୍ରୀଙ୍କ ବୈଠକ


  • ଅନ୍ତର୍ଜାତୀୟ ମାନକ ଅନୁସାରେ ଗୁଣଯୁକ୍ତ ଉତ୍ପାଦ ନିର୍ମାଣ ଲାଗି ପ୍ରଯୁକ୍ତି ଓ ଅଭିନବୀକରଣର ବ୍ୟବହାରକୁ ଗୁରୁତ୍ୱ ଦେବା ଆବଶ୍ୟକ: ପ୍ରଧାନମନ୍ତ୍ରୀ
  • ଭାରତୀୟ ସଂସ୍କୃତି ଓ ଲୋକାଚାର ସହ ଜଡ଼ିତ ଖେଳଣାଗୁଡ଼ିକୁ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ଶିକ୍ଷା ଉପକରଣ ରୂପରେ ବ୍ୟବହାର କରାଯିବା ଉଚିତ: ପ୍ରଧାନମନ୍ତ୍ରୀ
  • ଏକ ଭାରତ, ଶ୍ରେଷ୍ଠ ଭାରତଭାବନାକୁ ବଳିଷ୍ଠ କରିବା ପାଇଁ ଖେଳଣା ଏକ ଉତ୍କୃଷ୍ଟ ମାଧ୍ୟମ ସାଜିପାରିବ: ପ୍ରଧାନମନ୍ତ୍ରୀ
  • ଖେଳଣା ପ୍ରଯୁକ୍ତି ଏବଂ ଡିଜାଇନରେ ନୂତନତ୍ୱ ଆଣିବା ପାଇଁ ହାକାଥନ ଆୟୋଜନ କରାଯିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି
  • ଭାରତୀୟ ସଂସ୍କୃତି ଓ ଲୋକକଥାରୁ ପ୍ରେରିତ ଗେମକୁ ଅଧିକ ବିକଶିତ କରି ଭାରତ ଡିଜିଟାଲ ଗେମିଙ୍ଗ କ୍ଷେତ୍ରରେ ଥିବା ବିପୁଳ ସୁଯୋଗରୁ ଫାଇଦା ହାସଲ କରିପାରିବ: ପ୍ରଧାନମନ୍ତ୍ରୀ

ଅନ୍ତର୍ଜାତୀୟ ସ୍ତରରେ ଭାରତୀୟ ଖେଳଣାର ଚାହିଦା ବୃଦ୍ଧି ଏବଂ ଉତ୍ପାଦନ ବୃଦ୍ଧି ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବରିଷ୍ଠ ମନ୍ତ୍ରୀ ଏବଂ ଅଧିକାରୀମାନେ ଉପସ୍ଥିତ ଥିଲେ ।

ବୈଠକରେ ପ୍ରଧାନମନ୍ତ୍ରୀ କହିଥିଲେ, ଭାରତରେ ଅନେକ ଖେଳଣା କ୍ଲଷ୍ଟର ରହିଛି ଏବଂ ହଜାର ହଜାର କାରିଗର ଏଠାରେ ସ୍ୱଦେଶୀ ଖେଳଣା ଉତ୍ପାଦନ କରୁଛନ୍ତି । ଏମାନଙ୍କ ଉତ୍ପାଦରେ କେବଳ ଭାରତୀୟ ସଂସ୍କୃତିର ଛାପ ରହୁନାହିଁ, ବରଂ ଏମାନଙ୍କ ଜରିଆରେ ପିଲାମାନଙ୍କଠାରେ କମ ବୟସରୁ ଜୀବନ କୌଶଳ ଏବଂ ସାଇକୋମୋଟର ଦକ୍ଷତାର ପରିସ୍ଫୁଟ ହୋଇପାରୁଛି । ତେଣୁ ନୂତନ ତଥା ସୃଜନଶୀଳ ପ୍ରଣାଳୀ ଜରିଆରେ ଏଭଳି କ୍ଲଷ୍ଟରଗୁଡ଼ିକୁ ପ୍ରୋତ୍ସାହିତ କରାଯିବାର ଆବଶ୍ୟକତା ରହିଛି ।

ଭାରତୀୟ ଖେଳଣା ବଜାରରେ ବିପୁଳ ସୁଯୋଗ ରହିଛି ଏବଂ ଆତ୍ମନିର୍ଭର ଭାରତ ଅଭିଯାନ ଅଧୀନରେ ଭୋକାଲ ଫର ଲୋକାଲକୁ ପ୍ରୋତ୍ସାହିତ କରି ଏଥିରେ ରୂପାନ୍ତରିତ ପରିବର୍ତ୍ତନ ଅଣାଯିବା ଆବଶ୍ୟକ ବୋଲି ବୈଠକରେ ମତପ୍ରକାଶ ପାଇଥିଲା । ଅନ୍ତର୍ଜାତୀୟ ମାନକ ଅନୁସାରେ ଗୁଣଯୁକ୍ତ ଉତ୍ପାଦ ନିର୍ମାଣ ଲାଗି ପ୍ରଯୁକ୍ତି ଓ ଅଭିନବୀକରଣର ବ୍ୟବହାରକୁ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ । ପିଲାମାନଙ୍କର ସାଇକୋମୋଟର/ସଂଜ୍ଞାନାତ୍ମକ ଦକ୍ଷତା ଉପରେ ଖେଳଣାର ପ୍ରଭାବ ଏବଂ ରାଷ୍ଟ୍ରର ଭବିଷ୍ୟତ ପିଢ଼ି ଗଠନ ଏବଂ ସମାଜରେ ଏହା କିଭଳି ପରିବର୍ତ୍ତନ ଆଣିପାରିବ, ସେ ଦିଗରେ ମଧ୍ୟ ଆଲୋଚନା ହୋଇଥିଲା ।

ପିଲାମାନଙ୍କର ମାନସିକ ଶକ୍ତିକୁ ବୃଦ୍ଧି କରିବାରେ ଖେଳଣାର ମହତ୍ତ୍ୱ ଉପରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତୀୟ ସଂସ୍କୃତି ଏବଂ ଲୋକାଚାର ସହ ଜଡ଼ିତ ଖେଳଣାଗୁଡ଼ିକୁ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ଶିକ୍ଷା ଉପକରଣ ରୂପରେ ବ୍ୟବହାର କରାଯିବା ଆବଶ୍ୟକ । ଏହାଦ୍ୱାରା ପିଲାମାନଙ୍କର ସାମଗ୍ରିକ ବିକାଶ ହୋଇପାରିବ । ଏଥିସହ ଖେଳଣା ପାଇଁ ଯୁବପିଢ଼ି ଏଭଳି ଅଭିନବ ଡିଜାଇନ ବିକଶିତ ଦିଗରେ ମନୋନିବେଶ କରିବା ଆବଶ୍ୟକ, ଯାହା ରାଷ୍ଟ୍ରୀୟ ଲକ୍ଷ୍ୟ ଏବଂ ଉପଲବ୍ଧିକୁ ବାସ୍ତବ ରୂପ ଦେଇପାରିବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ‘ଏକ ଭାରତ, ଶ୍ରେଷ୍ଠ ଭାରତଭାବନାକୁ ବଳିଷ୍ଠ କରିବା ପାଇଁ ଖେଳଣା ଏକ ଉତ୍କୃଷ୍ଟ ମାଧ୍ୟମ ସାଜିପାରିବ ଏବଂ ଖେଳଣାରେ ଭାରତୀୟ ମୂଲ୍ୟ ବ୍ୟବସ୍ଥା ଏବଂ ସାଂସ୍କୃତିକ ସ୍ଥାପନା ତଥା ପରିବେଶ ଅନୁକୂଳ ଦୃଷ୍ଟିକୋଣ ପ୍ରତିଫଳନ ହେବା ଆବଶ୍ୟକ । ଏହାଛଡ଼ା ହାତ ତିଆରି ଖେଳଣା ପାଇଁ ପ୍ରସିଦ୍ଧ ଅଞ୍ଚଳଗୁଡ଼ିକରେ ଭାରତୀୟ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ଲାଗି ପର୍ଯ୍ୟଟନ ଏକ ମାଧ୍ୟମ ସାଜିପାରିବ ବୋଲି ସେ ପରାମର୍ଶ ଦେଇଥିଲେ । ଖେଳଣା ପ୍ରଯୁକ୍ତି ଓ ଡିଜାଇନ, ଅନଲାଇନ ଗେମ ଆଦିରେ ଅଭିନବୀକରଣ ବା ନୂତନତ୍ୱ ଆଣିବା ପାଇଁ ଯୁବପିଢ଼ି ଓ ଛାତ୍ରଛାତ୍ରୀଙ୍କ ଲାଗି ହାକାଥନ ଆୟୋଜନ କରାଯିବା ଆବଶ୍ୟକ । ଏଥିରେ ଭାରତୀୟ ଲୋକାଚାର ଏବଂ ମୂଲ୍ୟବୋଧ ପ୍ରତିଫଳିତ ହେବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଦ୍ରୁତ ଅଭିବୃଦ୍ଧିଶୀଳ ଡିଜିଟାଲ ଗେମିଙ୍ଗ ଉପରେ ମନୋନିବେଶ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି କ୍ଷେତ୍ରରେ ଥିବା ବିପୁଳ ସୁଯୋଗର ଭାରତ ଫାଇଦା ଉଠାଇବା ଆବଶ୍ୟକ । ଭାରତୀୟ ସଂସ୍କୃତି ଏବଂ ଲୋକକଥା ଦ୍ୱାରା ପ୍ରେରିତ ଗେମଗୁଡ଼ିକୁ ବିକଶିତ କରି ଅନ୍ତର୍ଜାତୀୟ ଡିଜିଟାଲ ଗେମିଙ୍ଗ କ୍ଷେତ୍ରରେ ଭାରତ ଅଗ୍ରଣୀ ଭୂମିକା ଗ୍ରହଣ କରିପାରିବ ।

 

**********