ଆପଣମାନଙ୍କୁ ସମସ୍ତଙ୍କୁ ଭଗବାନ ବସବେଶ୍ଵରଙ୍କ ଜନ୍ମ ଜୟନ୍ତୀ ଅବସରରେ ଅନେକ ଅନେକ ଶୁଭକାମନା ।
ବୈଶ୍ୱିକ ମହାମାରୀ କରୋନା ସଂକଟ ଏବେ ସମଗ୍ର ବିଶ୍ୱ ଆଗରେ ଏକ ବିରାଟ ସମସ୍ୟା ରୂପେ ଉଭା ହୋଇଛି । ଏହାକୁ ଦେଖି ମୁଁ ଏହି କାମନା କରୁଛି ଯେ ଆମେ ସମସ୍ତଙ୍କ ଉପରେ ଭଗବାନ ବସବେଶ୍ଵରଙ୍କ ଅପାର କୃପା ରହିଥାଉ । ଆମେ ଭାରତବାସୀ ଏକାଠି ମିଳିମିଶି ଏହି ମହାମାରୀକୁ ନିଶ୍ଚିତ ରୂପେ ପରାସ୍ତ କରିପାରିବା । ଏହା କେବଳ ଭାରତ କଥା ନୁହେଁ, ସମଗ୍ର ମାନନ ସମାଜର କଲ୍ୟାଣ ପାଇଁ ଭଗବାନ ବସବାନ୍ନାଙ୍କ କରୁଣା ଅବଶ୍ୟ ମିଳୁ ।
ସାଥୀଗଣ,
ମୋତେ ଭଗବାନ ବସବେଶ୍ଵରଙ୍କ ବଚନ, ତାଙ୍କର ବାର୍ତ୍ତାରୁ ନିରନ୍ତର ଶିକ୍ଷାଲାଗ କରିବାର ସୌଭାଗ୍ୟ ପ୍ରାପ୍ତ ହୋଇଛି । ତାହା ତାଙ୍କର ବଚନକୁ ଦେଶର 23ଟି ଭିନ୍ନ ଭିନ୍ନ କ୍ଷେତ୍ରୀୟ ଭାଷାରେ ଅନୁବାଦ କଲାବେଳେ ହୋଇଥାଉ ଅଥବା ଲଣ୍ଡନରେ ତାଙ୍କର ପ୍ରତିମୂର୍ତ୍ତି ଅନାବରଣ କରିବା ଅବସରରେ ହୋଇଥାଉ, ପ୍ରତି ଥର ମୁଁ ଏକ ନୂତନ ଶକ୍ତି ପ୍ରାପ୍ତ ହୋଇଥିବାର ଅନୁଭବ କରିଛି ।
ସାଥୀଗଣ,
ମୋତେ ସୂଚୀତ କରାଯାଇଛି ଯେ 2017 ମସିହାରେ ବସବାନ୍ନାଙ୍କ ବଚନର ଡ଼ିଜିଟାଇଜେସନ୍ କରିବା ସକାଶେ ମୁଁ ଦେଇଥିବା ପ୍ରସ୍ତାବ ଦିଗରେ ଏବେସୁଦ୍ଧା ବ୍ୟାପକ କାର୍ଯ୍ୟ ସଂପାଦନ କରାଯାଇସାରିଛି । କେବଳ ସେତିକି ନୁହେଁ, ଏଥରର ଏହି ସମାରୋହ ମଧ୍ୟ ଡ଼ିଜିଟାଲି ସମଗ୍ର ବିଶ୍ୱରେ ଆୟୋଜିତ କରାଯାଉଛି ।
ଲକଡାଉନର ନିୟମଗୁଡିକ ପାଳନ କରିବା ସହ ଏକ ପ୍ରକାର ଏଭଳି ଅନଲାଇନ୍ ସମାରୋହର ଆୟୋଜନ ସମସ୍ତଙ୍କ ପାଇଁ ବଡ଼ ଉଦାହରଣ ହୋଇପାରିବ ।
ଆପଣମାନେ ଏହିଭଳି ଭାବେ ବସବାନ୍ନାଙ୍କ ଦ୍ୱାରା ପ୍ରଦର୍ଶିତ ମାର୍ଗ ଏବଂ ତାଙ୍କର ଆଦର୍ଶକୁ ସମଗ୍ର ବିଶ୍ୱରେ ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବା ଏବଂ ସେମାନଙ୍କ ଏହି କାର୍ଯ୍ୟକ୍ରମ ସହ ସଂଯୋଗ କରିପାରିବେ ।
ସାଥୀଗଣ,
ସଂସାରରେ ଭିନ୍ନ ଭିନ୍ନ ପ୍ରକାରର ଲୋକ ବସବାସ କରୁଛନ୍ତି । ଆମେ ଦେଖିବାକୁ ପାଉ ଯେ କିଛି ଲୋକ କଥା ତ ଭଲ କହନ୍ତି, କିନ୍ତୁ ନିଜେ ତାହା ଆଚରଣରେ ଅବଲମ୍ବନ କରନ୍ତିନାହିଁ । କିଛି ଲୋକ ଏଭଳି ବି ଅଛନ୍ତି ଯେଉଁମାନେ ଏକଥା ଭଲଭାବେ ଜାଣଣନ୍ତି ଯେ ଉଚିତ କଣ । କିନ୍ତୁ ସତ କଥାକୁ ସେମାନେ ସତ କଥା ବୋଲି କହିବାକୁ ଡ଼ରିଥାନ୍ତି । କିନ୍ତୁ ବସବାନ୍ନା କେବଳ ଉଚିତ ମାର୍ଗରେ ଚାଲିବାକୁ ଉପଦେଶ ଦେଇନଥିଲେ ବରଂ ଯେଉଁ ସୁଧାର ସେ ବ୍ୟକ୍ତିଠାରେ, ସମାଜଠାରେ ଦେଖିବାକୁ ଚାହୁଁଥିଲେ, ତାହାକୁ ସେ ନିଜେ ଆରମ୍ଭ କରିଥିଲେ । ଯେତେବେଳେ ଆମେ ପରିବର୍ତ୍ତନକୁ, ରିଫର୍ମ ଉପରେ ନିଜେ ବିଜୟ ଲାଭ କରିପାରିବା, ନିଜେ ତାହାର ଉଦାହରଣ ବନିପାରିବା । ବସବାନ୍ନା ତାହା ହିଁ ଆରମ୍ଭ କରିଥିଲେ । ବସବାନ୍ନାଙ୍କ ଠାରୁ ଆମେ ସଭିଏଁ ଏହି ଦିବ୍ୟଗୁଣ ଶିକ୍ଷାଲାଭ କରିପାରିବା ଏବଂ ଏଥି ସହ ସେ ଜଣେ ଉତ୍ତମ ପ୍ରଶାସକ ମଧ୍ୟ ଥିଲେ । ଜଣେ ଉତ୍ତମ ସୁଧାରକ ଭାବେ ମୁଁ ତାଙ୍କଠାରୁ ଢ଼େର ପ୍ରେରଣା ଲାଭ କରିଛି । ଆପଣମାନେ ସଭିଏଁ ତାହା ପାଇପାରିବେ । ଭଗବାନ ବସବେଶ୍ଵରଙ୍କ ବାଣୀ, ତାଙ୍କର ବଚନ, ତାଙ୍କର ଉପଦେଶ, ଜ୍ଞାନର ଏଭଳି ଏକ ସ୍ରୋତ ଯାହା ଆଧ୍ୟାତ୍ମିକ ତ ନିଶ୍ଚିୟ, ସେଥିସହ ଆମମାନଙ୍କୁ ସମସ୍ତଙ୍କୁ ତାହା ଏକ ବାସ୍ତବ ଗାଇଡ଼ ଭଳି ମାର୍ଗ ପ୍ରଦର୍ଶନ କରିଥାଏ । ତାଙ୍କର ଉପଦେଶ ଆମମାନଙ୍କୁ ଜଣେ ଜଣେ ଉତ୍ତମ ମଣିଷ ହେବାକୁ ପ୍ରେରଣା ଓ ଶିକ୍ଷା ପ୍ରଦାନ କରିଥାଏ ଏବଂ ଆମର ସମାଜକୁ ବି ଅଧିକ ଉଦାର, ଦୟାଳୁ ଏବଂ ମାନବୀୟ କରିବା ସକାଶେ ଅନୁପ୍ରେରିତ କରିଥାଏ ।
ସାଥୀଗଣ, ଭଗବାନ ବସବେଶ୍ଵର ଯାହା କହି ଯାଇଛନ୍ତି, ତାହା ସୂଚୀତ କରେ ଯେ ସେ କେତେ ବଡ଼ ଦୂରଦ୍ରଷ୍ଟା ଥିଲେ । ଆଜି ଠାରୁ ଶହ ଶହ ବର୍ଷ ପୂର୍ବରୁ ଭଗବାନ ବସବେଶ୍ଵର ସାମାଜିକ ତଥା ଲିଙ୍ଗଗତ ଏକତା ପ୍ରସଙ୍ଗରେ ସମାଜକୁ ମାର୍ଗଦର୍ଶନ କରିଥିଲେ । ଯେତେବେଳେ ଦୁର୍ବଳମାନଙ୍କୁ ସମାନ ଅଧିକାର ମିଳିବ ଏବଂ ସମ୍ମାନ ମିଳିବ ସେତେବେଳେ ଯାଇ ସମଗ୍ର ସମାଜର ଉନ୍ନତ ସମ୍ଭବପର ହୋଇପାରିବ । ନଚେତ୍ ଆମର ଉନ୍ନତି ଓ ପ୍ରଗତି ଅଧାଅଧୁରା ରହିଯିବ । ଏହି କଥା ସେତେବେଳେ ସେ ନିଜେ ବଞ୍ଚୁଥିବା ସମାଜକୁ କହିଥିଲେ ।
ବସବାନ୍ନା ଭଳି ସାମାଜିକ ଲୋକତନ୍ତ୍ରର ଆଧାରଶୀଳା ରଖିଥିଲେ ଯେଉଁଠାରେ ସମାଜର ଶେଷତମ ଧାଡ଼ିରେ ଠିଆ ହୋଇଥିବା ବ୍ୟକ୍ତିର ଚିନ୍ତା ପ୍ରତି ପ୍ରାଥମିକତା ପ୍ରଦାନ କରାଯାଉଥିଲା । ବସବାନ୍ନା ମାନବ ଜୀବନର ପ୍ରତ୍ୟେକ କ୍ଷେତ୍ରକୁ ଛୁଇଁ ପାରିଥିଲେ । ସେମାନଙ୍କୁ ଉନ୍ନତ କରିବା ଲାଗି ସେ ସମାଧାନ ସୂତ୍ର ପ୍ରଦାନ କରିଥିଲେ । ବସବାନ୍ନା ସଦାବେଳେ ଶ୍ରମକୁ ହିଁ ସମ୍ମାନ ପ୍ରଦର୍ଶନ କରୁଥିଲେ । ସେ ଶ୍ରମର ମହତ୍ତ୍ୱକୁ ଉତ୍ତମ ରୂପେ ହୃଦୟଙ୍ଗମ କରିଥିଲେ । ସେ କହୁଥିଲେ ସମାଜରେ ବଡ଼ ହୁଅନ୍ତୁ ଅବା ଗରିବ ଲୋକ, ପ୍ରତ୍ୟେକ ବ୍ୟକ୍ତି ରାଷ୍ଟ୍ର ସେବାରେ ଜଣେ ଜଣେ ଶ୍ରମିକ ମାତ୍ର ।
ବସବାନ୍ନାଙ୍କ ବିଶ୍ୱ ଦର୍ଶନ କରୁଣା ଏବଂ ପ୍ରେମରେ ଭରପୂର ଥିଲା । ସେ ସଦାବେଳେ ଅହିଂସା ଏବଂ ପ୍ରେମକୁ ଭାରତର ସଂସ୍କୃତିର କେନ୍ଦ୍ରବିନ୍ଦୁରେ ରଖିଥିଲେ । ସେଥିପାଇଁ ଆଜି ଯେତେବେଳେ ଆମ ଦେଶ, ଆମର ପ୍ରିୟ ଭାରତ, ଅନେକ ସମସ୍ୟାର ସମ୍ମୁଖୀନ ହେଉଛି ସେସବୁକୁ ପାର କରି ଆଗକୁ ବଢ଼ୁଛି, ସେତେବେଳେ ବସବାନ୍ନାଙ୍କ ବିଚାର ସେତିକି ପ୍ରାସଙ୍ଗିକ ବୋଲି ପ୍ରତୀୟମାନ ହେଉଛି ।
ତାଙ୍କର ଈଶ୍ୱରୀୟ ବଚନ ତ ସମସ୍ତଙ୍କ ହୃଦୟକୁ ଛୁଇଁ ଥିଲା, ଏଥିସହ ତାଙ୍କର ଅନୁଭବସିଦ୍ଧ ଲୋକତାନ୍ତ୍ରିକ ବ୍ୟବସ୍ଥା ପ୍ରତି ଥିବା ଆସ୍ଥା କିମ୍ବା ସ୍ୱାବଲମ୍ବନର ପ୍ରୟାସ, ସଦାବେଳେ ସମାଜ ନିର୍ମାଣ ପ୍ରତି ଉଦ୍ଦିଷ୍ଟ ଥିଲା । ସମାଜ ଏବଂ ପ୍ରକୃତିର ଏକତ୍ୱ ଭାବ, ପ୍ରାକୃତିକ ଏବଂ ସାମାଜିକ ସଂସାଧନର ସଂଯମର ସହ ଉପଯୋଗ, ତାଙ୍କର ସେହି ଭାବନା ଶହ ଶହ ବର୍ଷ ପୂର୍ବେ ଯେତିକି ମହତତ୍ୱପୂର୍ଣ୍ଣ ଥିଲା, ଆଜି ମଧ୍ୟ ତାହାର ସେତିକି ପ୍ରାସଙ୍ଗିକତା ରହିଛି ।
ସାଥୀଗଣ,
ଏକବିଂଶ ଶତାବ୍ଦୀର ଭାରତରେ ସୁଦ୍ଧା ମୁଁ ଆଜି ମୋର ଆଖପାଖରେ, ଯୁବସାଥୀମାନଙ୍କ ଠାରେ, ଦେଶବାସୀଙ୍କ ଠାରେ ସାର୍ଥକ ପରିବର୍ତ୍ତନର ସାମର୍ଥ୍ୟ ଦେଖିପାରୁଛି । ସେମାନଙ୍କର ମଜଭୁତ ଇଚ୍ଛାଶକ୍ତି, ସଂକଳ୍ପଶକ୍ତିକୁ ଅନୁଭବ କରିପାରୁଛି । ସେହି ସଂକଳ୍ପ ଶକ୍ତି, ଯାହାର ପ୍ରେରଣା ସେମାନେ ବସବାନ୍ନାଙ୍କ ଠାରୁ ପ୍ରାପ୍ତ ହୋଇଛନ୍ତି ।
ଆଜି ଭାରତବାସୀଙ୍କୁ ଏପରି ଲାଗୁଛି ଯେ ପରିବର୍ତ୍ତନ ସତରେ ତାଙ୍କରି ଠାରୁ ହିଁ ଆରମ୍ଭ ହୋଇଥିଲା । ଏହିଭଳି ଆଶା ଏବଂ ବିଶ୍ୱାସ ଦେଶକୁ ଜଟିଳରୁ ଜଟିଳତର ସମସ୍ୟା ଭିତରୁ ବାହାରକୁ ବାହାରିବାରେ ଢ଼େର୍ ମାତ୍ରାରେ ସହାୟକ ହୋଇପାରିବ ଏବଂ ପାରୁଛି ମଧ୍ୟ ।
ସାଥୀଗଣ,
ଏଭଳି ଆଶା ଓ ବିଶ୍ୱାସର ସଂଦେଶ ଆମମାନଙ୍କୁ ଆଗକୁ ଅଗ୍ରସର ହେବାକୁ ପ୍ରେରଣା ଦେଉଛି ଏବଂ ଆମମାନଙ୍କୁ ମଜଭୁତ କରୁଛି । ଏହି ବଚନ ହିଁ ଆମମାନଙ୍କୁ ଶ୍ରମ ଓ ପରୋପକାର ପାଇଁ ପ୍ରେରିତ କରୁଛି । ଏହା ହିଁ ଦଶନ୍ଧି ଦଶନ୍ଧି ଧରି ଆମର ରାଷ୍ଟ୍ରକୁ ନୂତନ ଶୀର୍ଷରେ ପହଞ୍ଚାଇଚାଲିଛି ।
ଆପଣମାନେ ସମସ୍ତେ ଭଗବାନ ବସବାନ୍ନାଙ୍କ ବଚନକୁ, ତାଙ୍କର ଆଦର୍ଶକୁ ସାରା ବିଶ୍ୱରେ ପ୍ରସାରିତ କରି ଆସୁଛନ୍ତି । ବିଶ୍ୱକୁ ଆହୁରି ସୁନ୍ଦର ଭାବେ ଗଢ଼ୁଛନ୍ତି । ଏହି କାମନାର ସହ ମୁଁ ଆଜି ମୋର ବାଣୀକୁ ବିରାମ ଦେଉଛି ।
ହଁ, ଏହି ସବୁ କାର୍ଯ୍ୟ ଭିତରେ, ଆପଣମାନେ ସମସ୍ତେ ନିଜର ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଧ୍ୟାନ ଦେବା ଉଚିତ ଏବଂ ‘ଦୁଇ ଗଜର ଦୂରତା ରକ୍ଷା’ କଥା ସ୍ମରଣ ରଖିବା ବାଂଛନୀୟ । ଏହି ନିୟମ ପାଳନ କରି ଆପଣମାନେ ନିଜ ନିଜର କାର୍ଯ୍ୟ ସଂପାଦନ କରିବା ଉଚିତ । ପୁଣି ଥରେ ଆପଣମାନଙ୍କୁ ବସବାନ୍ନା ଜୟନ୍ତୀ ଅବସରରେ ଶୁଭକାମନା!!
ଧନ୍ୟବାଦ!!!
Shared my thoughts about the rich and noble ideals of Lord Basavanna in the video conference - Global Basava Jayanthi – 2020. https://t.co/RMDe2bTiMD
— Narendra Modi (@narendramodi) April 26, 2020