ନୂଆ ଦଶନ୍ଧି ଏବଂ ନୂଆ ବର୍ଷର ନିଜର ପ୍ରଥମ ମନ କୀ ବାତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବ୍ରୁ ରିଆଙ୍ଗ ରାଜିନାମା ବିଷୟରେ ଉଲ୍ଲେଖ କରି କହିଛନ୍ତି ଯେ ଏହାଦ୍ୱାରା ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ଵ ପୁରୁଣା ଶରଣାର୍ଥୀ ସଂକଟ ଦୂର ହେବା ସହ ମିଜୋରାମର 34 ହଜାରରୁ ଊର୍ଦ୍ଧ୍ଵଶରଣାର୍ଥୀଙ୍କୁ ସହାୟତା ଓ ଆଶ୍ୱସ୍ତି ମିଳିବ ।
ଏହି ସମସ୍ୟା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ସମସ୍ୟା ନବେ ଦଶକରେ ଆରମ୍ଭ ହୋଇଥିଲା । ଜାତିଗତ ଉତେଜନାକୁ କେନ୍ଦ୍ର କରି ବ୍ରୁ-ରିଆଙ୍ଗ ଜନଜାତିଙ୍କୁ ମିଜୋରାମ ଛାଡ଼ି ତ୍ରିପୁରାରେ ଶରଣ ନେବାକୁ ପଡ଼ିଥିଲା । ଉତ୍ତର ତ୍ରିପୁରାର କଂଚନପୁରସ୍ଥିତ ଅସ୍ଥାୟୀ ଶିବିରରେ ଏହି ଶରଣାର୍ଥୀମାନଙ୍କୁ ରଖାଯାଇଥିଲା । ବ୍ରୁ-ରିଆଙ୍ଗ ଜନଜାତିର ଲୋକମାନେ ସେମାନଙ୍କ ଜୀବନର ଗୁରୁତ୍ୱପୂର୍ଣ୍ଣ ସମୟ ଶରଣାର୍ଥୀ ଭାବେ ରହି ନଷ୍ଟ କରିଦେବା ଅତ୍ୟନ୍ତ ଯନ୍ତ୍ରଣାଦାୟକ ଥିଲା । ଶରଣାର୍ଥୀ ଶିବିରରେ ରହିବାର ଅର୍ଥ ମୌଳିକ ସୁବିଧାରୁ ବଂଚିତ ରହିବା । 23 ବର୍ଷ ଧରି ପରିବାର ପାଇଁ ଜମି, ଘର କିମ୍ବା ଚିକିତ୍ସା ସୁବିଧା ମିଳିନଥିଲା ଓ ସେମାନଙ୍କ ପିଲାମାନେ ମଧ୍ୟ ଶିକ୍ଷା ସୁବିଧାରୁ ବଂଚିତ ହୋଇଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଶରଣାର୍ଥୀଙ୍କ ସମସ୍ୟା ଓ ଯନ୍ତ୍ରଣା ପ୍ରତି କୌଣସି ସରକାର ଧ୍ୟାନ ଦେଇନଥିଲେ । ତେବେ ଭାରତୀୟ ସମ୍ବିଧାନ ପ୍ରତି ଏହି ଶରଣାର୍ଥୀଙ୍କ ଆସ୍ଥା ପ୍ରଶଂସାଯୋଗ୍ୟ ଥିଲା । ତାଙ୍କର ଏହି ବିଶ୍ୱାସ ଯୋଗୁ ଦିଲ୍ଲୀରେ ଚଳିତ ମାସ ଏହି ଐତିହାସିକ ରାଜିନାମା ସ୍ୱାକ୍ଷରିତ ହେଲା ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।
ଏହି ଆସ୍ଥା କାରଣରୁ ସେମାନଙ୍କ ଜୀବନ ଆଜି ଏକ ନୂଆ ସକାଳର ଦ୍ୱାରଦେଶରେ ଛିଡ଼ା ହୋଇଛି । ଏହି ରାଜିନାମା ଫଳରେ ସେମାନଙ୍କ ପାଇଁ ଏକ ସମ୍ମାନଜନକ ଜୀବନର ମାର୍ଗ ପ୍ରଶସ୍ତ ହୋଇଛି । ଶେଷରେ 2020ର ନୂଆ ଦଶନ୍ଧି ବ୍ରୁ-ରିଆଙ୍ଗ ସମୁଦାୟଙ୍କ ଜୀବନରେ ନୂଆ ଆଶାର ଆଲୋକ ଆଣିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ରାଜିନାମାର ସୁଫଳ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, “ପାଖାପାଖି 34 ହଜାର ବ୍ରୁ ଶରଣାର୍ଥୀଙ୍କୁ ତ୍ରିପୁରାରେ ଥଇଥାନ କରାଯିବ । କେବଳ ସେତିକି ନୁହେଁ ସେମାନଙ୍କ ଥଇଥାନ ଏବଂ ସାମୂହିକ ବିକାଶ ଲାଗି ସରକାର ପାଖାପାଖି 600 କୋଟି ଟଙ୍କାର ସହାୟତା ଯୋଗାଇ ଦେବେ । ପ୍ରତ୍ୟେକ ବିସ୍ଥାପିତ ପରିବାରକୁ ଘର ପାଇଁ ଜମି ଯୋଗାଇ ଦିଆଯିବ । ସେମାନଙ୍କୁ ଘର ନିର୍ମାଣ ପାଇଁ ସହାୟତା ମିଳିବ । ଏହାସହିତ ସେମାନଙ୍କୁ ରାସନ ମଧ୍ୟ ମିଳିବ । ସେମାନେ ଏବେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କଲ୍ୟାଣକାରୀ ଯୋଜନାର ସୁଫଳ ପାଇପାରିବେ ।”
ସହଯୋଗୀ ସଂଘବାଦ ଭାବନାର ପ୍ରତୀକ ଏହି ରାଜିନାମାକୁ ପ୍ରଧାନମନ୍ତ୍ରୀ ସ୍ୱତନ୍ତ୍ର ବୋଲି ଅଭିହିତ କରିଥିଲେ ।
ସେ କହିଥିଲେ, “ଏଇ ବୁଝାମଣା ଭାରତୀୟ ସଂସ୍କୃତିରେ ସମାହିତ ହୋଇଥିବା କରୁଣା ଭାବ ଏବଂ ସହୃଦୟତାର ଏକ ଜ୍ୱଳନ୍ତ ନିଦର୍ଶନ ।
ହିଂସା ପରିହାର କରି ମୁଖ୍ୟଧାରାକୁ ଫେରନ୍ତୁ
ପ୍ରଧାନମନ୍ତ୍ରୀ କହିଥିଲେ ଯେ ହିଂସା କୌଣସି ସମସ୍ୟାର ସମାଧାନ ନୁହେଁ । ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିବା ପରେ ମୁଖ୍ୟଧାରାକୁ ଫେରିଥିବା ଆସାମର 8ଟି ସଂଗଠନର 644 ଉଗ୍ରବାଦୀଙ୍କୁ ସେ ପ୍ରଶଂସା କରିଥିଲେ । ସେ କହିଥିଲେ ‘ଖେଲୋ ଇଣ୍ଡିଆ’ କ୍ରୀଡ଼ାର ସଫଳ ଆୟୋଜନ କରିଥିବା ଆସାମ ଆଉ ଏକ ଉଲ୍ଲେଖନୀୟ ଉପଲବ୍ଧି ହାସଲ କରିଛି । କିଛିଦିନ ପୂର୍ବେ 8ଟି ବିଭିନ୍ନ ଉଗ୍ରବାଦୀ ସଂଗଠନର 644 ଜଣ ଉଗ୍ରବାଦୀ ସେମାନଙ୍କ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିଛନ୍ତି । ଯେଉଁମାନେ ହିଂସାର ମାର୍ଗ ଆପଣାଇଥିଲେ ସେମାନେ ଶାନ୍ତି ପ୍ରତି ବିଶ୍ୱାସ ପ୍ରକଟ କରିଛନ୍ତି ଏବଂ ଦେଶର ପ୍ରଗତିରେ ଅଂଶୀଦାର ହେବା ଓ ମୁଖ୍ୟଧାରାକୁ ଫେରିବା ଲାଗି ନିଷ୍ପତ୍ତି ନେଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ସେ କହିଥିଲେ, ତ୍ରିପୁରାରେ 80ରୁ ଊର୍ଦ୍ଧ୍ଵ ଲୋକ ହିଂସାର ମାର୍ଗ ପରିତ୍ୟାଗ କରି ମୁଖ୍ୟଧାରାକୁ ଫେରିଛନ୍ତି । ଉତ୍ତର-ପୂର୍ବାଂଚଳରେ ଉଗ୍ରବାଦ ସମସ୍ୟା ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି ।
ସେ କହିଥିଲେ, ଏହାର ପ୍ରମୁଖ କାରଣ ହେଉଛି ଏହି କ୍ଷେତ୍ରର ପ୍ରକ୍ୟେକ ସମସ୍ୟା ସଚ୍ଚୋଟ ଭାବେ ଏବଂ ଶାନ୍ତିପୂର୍ଣ୍ଣ ଢଙ୍ଗରେ କଥାବାର୍ତ୍ତା ମାଧ୍ୟମରେ ସମାଧାନ କରାଯାଉଛି ।
ହିଂସାର ମାର୍ଗରେ ଥିବା ଲୋକମାନଙ୍କୁ ମୁଖ୍ୟଧାରାକୁ ଫେରି ଆସିବା ଲାଗି ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିଲେ ।
“ସାଧାରଣତନ୍ତ୍ର ଦିବସର ଏହି ଗୁରୁତ୍ୱପୂର୍ଣ୍ଣ ଅବସରରେ, ହିଂସା ଓ ଅସ୍ତ୍ରଶସ୍ତ୍ର ମାଧ୍ୟମରେ ସମସ୍ୟାର ସମାଧାନ ଚାହୁଁଥିବା ଦେଶର ପ୍ରତ୍ୟେକ କୋଣରେ ଥିବା ଲୋକମାନଙ୍କୁ ମୁଖ୍ୟଧାରାକୁ ଫେରି ଆସିବା ଲାଗି ମୁଁ ଅନୁରୋଧ କରୁଛି । ଶାନ୍ତିପୂର୍ଣ୍ଣ ଢଙ୍ଗରେ ସମସ୍ୟା ସମାଧାନ ଲାଗି ସେମାନଙ୍କର ନିଜ ସମାର୍ଥ୍ୟ ଓ ଏହି ଦେଶର ସାମର୍ଥ୍ୟ ଉପରେ ଭରସା ରହିବା ଉଚିତ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
**********