ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା (ପିଏମଏସଏସୱାଇ) ଅଧୀନରେ ହିମାଚଳ ପ୍ରଦେଶର ବିଳାସପୁରଠାରେ ଏକ ନୂଆ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ପ୍ରତିଷ୍ଠା କରାଯିବ । ଏ ସଂକ୍ରାନ୍ତ ପ୍ରସ୍ତାବକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ମଞ୍ଜୁରି ମିଳିଛି । ଏହି ପ୍ରକଳ୍ପ ଲାଗି 1351 କୋଟି ଟଙ୍କା ବ୍ୟୟ ହେବ ।
ପ୍ରମୁଖ ବିଶେଷତ୍ୱ :
ଏହି ନୂଆ ଏମ୍ସ ସମ୍ପୂର୍ଣ୍ଣ ହେବା ଲାଗି 48 ମାସ ସମୟ ଲାଗିବ । ନିର୍ମାଣ ପୂର୍ବବର୍ତ୍ତୀ 12 ମାସ, ନିର୍ମାଣ ପାଇଁ 30 ମାସ ଏବଂ କାର୍ଯ୍ୟକ୍ଷମ ହେବା ପାଇଁ 6 ମାସ ଲାଗିବ ।
ଏହି ସଂସ୍ଥାନରେ 750 ଶଯ୍ୟା ବିଶିଷ୍ଟ ଏକ ହସପିଟାଲ ଏବଂ ଟ୍ରମା କେନ୍ଦ୍ର ସୁବିଧା ରହିବ ।
ଏଥିରେ ବାର୍ଷିକ 100ଜଣ ଏମବିବିଏସ ଛାତ୍ର ନାମ ଲେଖାଇପାରିବେ ।
ସେହିପରି ବର୍ଷକୁ 60 ବିଏସସି ନର୍ସିଂ ଛାତ୍ରୀଙ୍କ ପଢ଼ିବା ପାଇଁ ଏକ ନର୍ସିଂ କଲେଜ ମଧ୍ୟ ରହିବ ।
ଆବାସିକ କମ୍ପ୍ଲେକ୍ସ ଏବଂ ଆନୁସଙ୍ଗିକ ସୁବିଧା/ସେବା ନୂଆଦିଲ୍ଲୀ ଏମ୍ସ ଡାଂଚାରେ ନିର୍ମାଣ କରାଯିବ ।
ହସପିଟାଲରେ 20ଟି ସ୍ପେଶାଲିଟି/ସୁପର-ସ୍ପେଶାଲିଟି ବିଭାଗ ସହିତ 15ଟି ଅପରେସନ ଥିଏଟର ରହିବ ।
ଏହା ମଧ୍ୟରେ ଏକ 30 ଶଯ୍ୟା ବିଶିଷ୍ଟ ଏକ ଆୟୁଷ ବିଭାଗ ମଧ୍ୟ ରହିବ ଯେଉଁଥିରେ ପାରମ୍ପରିକ ପଦ୍ଧତିରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ।
ପ୍ରଭାବ :
ନୂଆ ଏମ୍ସ ପ୍ରତିଷ୍ଠା ଦ୍ୱାରା ସ୍ଥାନୀୟ ଅଂଚଳର ଲୋକମାନଙ୍କୁ ଉଚ୍ଚମାନର ସ୍ୱାସ୍ଥ୍ୟସେବା ଉପଲବ୍ଧ ହେବା ସହିତ ଅଧିକ ସଂଖ୍ୟାରେ ତାଲିମପ୍ରାପ୍ତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ସୃଷ୍ଟି ହୋଇପାରିବେ । ଏମାନେ ସ୍ଥାନୀୟ ଅଂଚଳରେ ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନଏଚଏମ) ଅଧୀନରେ ପ୍ରାଥମିକ ଏବଂ ମାଧ୍ୟମିକସ୍ତରର ଡାକ୍ତରଖାନା ପାଇଁ ଉପଲବ୍ଧ ହୋଇପାରିବେ ।
ସୂଚନାଯୋଗ୍ୟ ଯେ ଏହି ଯୋଜନା ଅଧୀନରେ ଭୁବନେଶ୍ୱର, ଭୋପାଳ, ରାୟପୁର, ଯୋଧପୁର, ଋଷିକେଶ ଏବଂ ପାଟନାରେ ଏମ୍ସ ପ୍ରତିଷ୍ଠା ହୋଇସାରିଛି । ରାଏବରେଲୀ ଏମ୍ସ ନିର୍ମାଣ କାମ ବର୍ତ୍ତମାନ ଜାରି ରହିଛି । ସେହିପରି ନାଗପୁର, ପଶ୍ଚିମବଙ୍ଗର କଲ୍ୟାଣୀ ଏବଂ ଆନ୍ଧ୍ରପ୍ରଦେଶର ଗୁଂଟୁରସ୍ଥିତ ମଙ୍ଗଳଗିରିରେ ଏମ୍ସ ପ୍ରତିଷ୍ଠାକୁ ମଞ୍ଜୁରି ମିଳିଛି ।
**********