ଦେଶରେ ସବଅର୍ଡିନେଟ ବିଚାର ବିଭାଗ ପାଇଁ ଦ୍ୱିତୀୟ ରାଷ୍ଟ୍ରୀୟ ଜୁଡିସିଆଲ ବେତନ କମିଶନ ଗଠନ କରାଯିବ । ଏହି ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି । କ୍ୟାବିନେଟଙ୍କ ଅନୁମୋଦନ ଅନୁଯାୟୀ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଶ୍ରୀ ଜେ.ପି.ଭେଙ୍କଟରାମା ରେଡ୍ଡୀ ଏହି କମିଶନର ଅଧ୍ୟକ୍ଷ ହେବ । ଏହି କମିଶନରେ କେରଳ ହାଇକୋର୍ଟର ପୂର୍ବତନ ବିଚାରପତି ଶ୍ରୀ ଆର.ବସନ୍ତ କମିଶନର ସଦସ୍ୟ ରହିବେ ।
କମିଶନ 18 ମାସ ସମୟ ମଧ୍ୟରେ ରାଜ୍ୟ ସରକାରମାନଙ୍କୁ ତାଙ୍କ ସୁପାରିଶ ପ୍ରଦାନ କରିବେ ।
ପ୍ରସ୍ତାବିତ ଆୟୋଗ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳମାନଙ୍କରେ କାର୍ଯ୍ୟରତ ବିଚାର ବିଭାଗ ଅଧିକାରୀମାନଙ୍କର ଦରମା, ଢ଼ାଂଚା ଏବଂ ସେବା ବ୍ୟବସ୍ଥା ସମ୍ପର୍କ ତର୍ଜମା କରିବେ । ସବଅର୍ଡିନେଟ ବିଚାର ବିଭାଗର ଅଧିକାରୀମାନଙ୍କ ବେତନ ଢ଼ାଂଚା ଓ ଭତ୍ତା ବିଷୟରେ ସର୍ବଶେଷ ନୀତି ପ୍ରସ୍ତୁତ କରିବେ । ଏହାସହିତ ବିଚାର ବିଭାଗ ଅଧିକାରୀମାନଙ୍କର କାର୍ଯ୍ୟ ପରିବେଶ ଏବଂ କେଉଁ ପରିବେଶ ପାଇଁ କି ପ୍ରକାର ଭତ୍ତାର ଆବଶ୍ୟକତା ରହିଛି, ବେତନ ସମୀକରଣ ଆଦି ବିଷୟରେ ତର୍ଜମା ଓ ସୁପାରିଶ କରିବେ ।
ଏହିସବୁ କାର୍ଯ୍ୟ ସମ୍ପାଦନା ଲାଗି ଦ୍ୱତୀୟ ରାଷ୍ଟ୍ରୀୟ ବିଚାର ବିଭାଗ ବେତନ କମିଶନ ନିଜସ୍ୱ କାର୍ଯ୍ୟଧାରା ଓ ମୋଡାଲିଟି ପ୍ରସ୍ତୁତ କରିବେ । ସମଗ୍ର ଦେଶରେ ବିଚାର ବିଭାଗ ଅଧିକାରୀମାନଙ୍କୁ ସମାନ ହାରରେ ଓ ଢ଼ାଂଚାରେ ବେତନ ନିର୍ଦ୍ଧାରଣ ଓ ସେବା ବ୍ୟବସ୍ଥା କରିବା ଦିଗରେ ପଦକ୍ଷେପ ନେବେ ।
ବିଚାର ବିଭାଗ ପ୍ରଶାସନକୁ ବ୍ୟାପକ କରିବା ଏବଂ ଏହି ବ୍ୟବସ୍ଥାରେ ପାରଦର୍ଶିତା ଆଣିବା ଦିଗରେ କି କି ପଦକ୍ଷେପ ନିଆଯିବା ଆବଶ୍ୟକ ସେଥିନେଇ ମଧ୍ୟ କମିଶନ ସୁପାରିଶ କରିବେ । ପରିଶେଷରେ ପୂର୍ବ କମିଶନଙ୍କ ଦ୍ୱାରା ସୁପାରିଶ କରାଯାଇଥିବା ପ୍ରସ୍ତାବଗୁଡିକ ଲାଗୁ କରିବା କ୍ଷେତ୍ରରେ ରହିଥିବା ପ୍ରତିବନ୍ଧକଗୁଡିକୁ ହଟାଇବା ଦିଗରେ ମଧ୍ୟ ନୂତନ ଆୟୋଗ ପ୍ରୟାସ କରିବେ ।
***