୧. ବାଂଲାଦେଶ ସାଧାରଣତନ୍ତ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ମହାମହିମ ଶେଖ ହସିନା ୫ରୁ ୮ ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆମନ୍ତ୍ରଣକ୍ରମେ ତିନିଦିନିଆ ଭାରତ ଗସ୍ତରେ ଆସିଛନ୍ତି । ଗସ୍ତ କାଳରେ ମହାମହିମ ପ୍ରଧାନମନ୍ତ୍ରୀ ଶେଖ ହସିନା ଭାରତ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଓ ଉପରାଷ୍ଟ୍ରପତି ଶ୍ରୀ ଜଗଦୀଶ ଧନଙ୍କଡଙ୍କୁ ସାକ୍ଷାତ କରିଥିଲେ । ବୈଦେଶିକ ବ୍ୟାପାରମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଓ ଉତ୍ତର ପୂର୍ବାଞ୍ଚଳ ବିକାଶ ମନ୍ତ୍ରୀ ଶ୍ରୀ ଜି କିଶନ ରେଡଡୀ ମଧ୍ୟ ତାଙ୍କୁ ସାକ୍ଷାତ କରିଥିଲେ । ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ କାର୍ଯ୍ୟକ୍ରମ ମଧ୍ୟରେ ୧୯୭୧ ମସିହା ବାଂଲାଦେଶ ସ୍ୱାଧୀନତା ସଂଗ୍ରାମରେ ଶହୀଦ ଅଥବା ଗୁରୁତର ଆହତ ସଶସ୍ତ୍ର ସେନାର ଦାୟାଦମାନଙ୍କ ମଧ୍ୟରୁ ୨୦୦ ଜଣଙ୍କୁ “ବଙ୍ଗବନ୍ଧୁ ଶେଖ ମୁଜିବୁର ରହେମାନ ଛାତ୍ରବୃତ୍ତି କାର୍ଯ୍ୟକ୍ରମର ଶୁଭାରମ୍ଭ ଅନ୍ତର୍ଭୁକ୍ତ ।” ଭାରତ-ବାଂଲାଦେଶ ବ୍ୟାବସାୟିକ ଗୋଷ୍ଠୀ ପକ୍ଷରୁ ମିଳିତ ଭାବେ ସେପ୍ଟେମ୍ବର ୭ ତାରିଖ ଦିନ ଆୟୋଜିତ ବ୍ୟାବସାୟିକ ଆଲୋଚନାରେ ମଧ୍ୟ ସେ ଉଦବୋଧନ ଦେଇଥିଲେ ।
୨. ଉଭୟ ପ୍ରଧାନମନ୍ତ୍ରୀ ପରସ୍ପର ଆପୋଷ ଆଲୋଚନା ପରେ ସେପ୍ଟେମ୍ବର ୦୬ ତାରିଖ ଦିନ ଏକ ପ୍ରତିନିଧିସ୍ତରୀୟ ଆଲୋଚନା ମଧ୍ୟ ହୋଇଥିଲା । ବୈଠକ ଏକ ସୌହାଦ୍ଧ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ହୋଇଥିଲା । ଉଭୟ ଦେଶ ଏକ ଐତିହାସିକ ଓ ଭାତୃତ୍ୱ ବନ୍ଧନ ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ସ୍ୱାଧୀନ ଗୋଷ୍ଠୀଭିତ୍ତିକ ସମାଜର ବନ୍ଧନ ଓ ଦ୍ୱିପାକ୍ଷିକ ସମ୍ପର୍କ ବନ୍ଧା ଦୁଇ ଦେଶର ଆଲୋଚନା ନେଇ ଖୁସୀ ପ୍ରକଟ କରିଥିଲେ । ଏହି ଦୁଇ ଦେଶର ସମ୍ପର୍କ ସାର୍ବଭୌମତ୍ୱ, ସମାନତା, ଆସ୍ଥା, ବୁଝାମଣା ଓ ରଣନୀତିକ ଭାଗୀଦାରିତା ଉପରେ ପର୍ଯ୍ୟବସିତ ।
୩. ଉଭୟ ନେତା ବାଂଲାଦେଶ ସ୍ୱାଧୀନତାର ସୁବର୍ଣ୍ଣଜୟନ୍ତୀ ସମାରୋହ ତଥା ଜାତିର ପିତା ବଙ୍ଗବନ୍ଧୁ ଶେଖ ମୁଜିବୁର ରହେମାନଙ୍କ ଜନ୍ମ ଶତବାର୍ଷିକୀ ସମାରୋହ ଓ ଉଭୟ ଦେଶର ୫୦ ବର୍ଷର କୂଟନୀତିକ ସମ୍ପର୍କ ପୂର୍ତ୍ତିରେ ଯୋଗଦେବାକୁ ମାର୍ଚ୍ଚ ୨୦୨୧ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବାଂଲାଦେଶ ଗସ୍ତର ସ୍ମୃତିଚାରଣ କରିଥିଲେ । ପରେ ପରେ ଡିସେମ୍ବର ୨୦୨୧ରେ ଭାରତର ରାଷ୍ଟ୍ରପତିଙ୍କ ବାଂଲାଦେଶ ବିଜୟ ଦିବସର ସୁବର୍ଣ୍ଣଜୟନ୍ତୀରେ ସମ୍ମାନିତ ଅତିଥି ଭାବେ ଯୋଗଦାନର ମଧ୍ୟ ସ୍ମୃତିଚାରଣ କରିଥିଲେ ।
୪. ଉଭୟ ପ୍ରଧାନମନ୍ତ୍ରୀ ଦୁଇ ଦେଶର ଉଚ୍ଚସ୍ତରୀୟ ଗସ୍ତ ପ୍ରଗତି ଓ ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଥିବା ନେଇ ସନ୍ତୋଷ ପ୍ରକଟ କରିଥିଲେ । ଜୁନ ୨୦୨୨ରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଯୁଗ୍ମ ବିଚାରବିମର୍ଷ ଆୟୋଗର ସପ୍ତମ ସଫଳ ବୈଠକରେ ଉଭୟ ଦେଶର ବୈଦେଶିକ ମନ୍ତ୍ରୀଙ୍କ ଯୋଗଦାନ ନେଇ ମଧ୍ୟ ଆଲୋଚନା କରିଥିଲେ ।
୫. ଦୁଇ ଜଣ ଯାକ ପ୍ରଧାନମନ୍ତ୍ରୀ ରାଜନୀତିକ ଓ ସୁରକ୍ଷା ସହଯୋଗ, ପ୍ରତିରକ୍ଷା, ସୀମାନ୍ତ ପରିଚାଳନା, ବାଣିଜ୍ୟ ଓ ସଂଯୋଗୀକରଣ, ଜଳ ସମ୍ପଦ, ଶକ୍ତି, ଉନ୍ନୟନ ସହଯୋଗ ସାଂସ୍କୃତିକ ଓ ଲୋକ ସମ୍ପର୍କ ଇତ୍ୟାଦି ଦ୍ୱିପାକ୍ଷିକ ସହଯୋଗ ନେଇ ବିସ୍ତୃତ ଆଲୋଚନା କରିଥିଲେ । ସେମାନେ ପରିବେଶ, ଜଳବାୟୁ ପରିବର୍ତ୍ତନ, ସାଇବର ସୁରକ୍ଷା, ଆଇସିଟି, ମହାକାଶ ପ୍ରଯୁକ୍ତିବିଦ୍ୟା, ସବୁଜ ଶକ୍ତି ଓ ମତ୍ସ୍ୟ ବା ନୀଳ ଅର୍ଥନୀତି ଭଳି ନୂତନ ସହଯୋଗର ଦିଗ ଉପରେ ମଧ୍ୟ କାର୍ଯ୍ୟ କରିବାକୁ ସହମତ ହୋଇଥିଲେ ।
୬. ସେମାନେ ସ୍ୱାର୍ଥ ସମ୍ବଳିତ ବିଭିନ୍ନ ଆଞ୍ଚଳିକ ଓ ବୈଶ୍ୱିକ ସମସ୍ୟାର ବିଭିନ୍ନ ଦିଗ ଉପରେ ମଧ୍ୟ ଆଲୋଚନା କରିଥିଲେ । ବୈଶ୍ୱିକ କୋଭିଡ-୧୯ ମହାମାରୀ ପ୍ରଭାବକୁ ଦୃଷ୍ଟିରେ ରଖି ତଥା ବୈଶ୍ୱିକ ପରିବର୍ତ୍ତନ ଯୋଗୁଁ ଯୋଗାଣ ବ୍ୟବସ୍ଥାରେ ହୋଇଥିବା ଅବ୍ୟବସ୍ଥା ପାଇଁ ନେତାଗଣ ବନ୍ଧୁତ୍ୱ ଓ ସମୃଦ୍ଧି ଭାଗୀଦାରିତା ଓ ଆଞ୍ଚଳିକ ବିକାଶ ଉପରେ ଗୁରତ୍ୱ ଆରୋପ କରିଥିଲେ ।
୭. ଦୁଇ ଦେଶ ଦ୍ୱିପାକ୍ଷିକ ଏବଂ ଉପ ଆଞ୍ଚଳିକ ରେଳ, ସଡକ ଓ ଅନ୍ୟାନ୍ୟ ସଂଯୋଗୀକରଣ ପଦକ୍ଷେପକୁ ତ୍ୱରାନ୍ୱିତ କରିବା ନେଇ ସହମତ ହୋଇଥିଲେ । ଉଭୟ ନେତା ବର୍ତ୍ତମାନ ଚାଲିଥିବା ଦ୍ୱିପାକ୍ଷିକ ପଦକ୍ଷେପ, ଯେପରିକି ଟୋଙ୍ଗୀ-ଅକାହୁରା ରେଳ ଲାଇନର ଦୋହରିକରଣ, ରେଳବାଇ ରୋଲିଂ ଷ୍ଟକ ଯୋଗାଣ, ବାଂଲାଦେଶ ରେଳବାଇ ମାନବସମ୍ବଳ ସାମର୍ଥ୍ୟ ବୃଦ୍ଧି, ବାଂଲାଦେଶ ରେଳବାଇରେ ଥିବା ସୂଚନା ଓ ପ୍ରଯୁକ୍ତି ସମାଧାନର ସ୍ୱାଗତ କରିଥିଲେ । ଉଭୟ ପକ୍ଷ ନୂତନ ପଦକ୍ଷେପ ସ୍ୱରୂପ କଉନିଆ-ଲାଲମନିରହାଟ-ମୋଗଲଘାଟ ନୂତନ ଗିତାଲଦହା ସଂଯୋଗ, ହିଲୀ ଓ ବିରାମପୁର ମଧ୍ୟରେ ସଂଯୋଗ ସ୍ଥାପନ, ଟ୍ରାକ ଓ ସିଗନାଲ ପଦ୍ଧତିର ବିନାପୋଲ-ଯଶୋର ଲାଇନର ଉନ୍ନିତକରଣ, ବୁରିମାରୀ ଓ ଚଙ୍ଗରବନ୍ଧା ମଧ୍ୟରେ ଲାଇନର ପୁନରୁଦ୍ଧାର, ସିରାଜଗଞ୍ଜରେ କଣ୍ଟେନର ଡିପୋ ନିର୍ମାଣ ଇତ୍ୟାଦି । ଦ୍ୱିପାକ୍ଷିକ ଉନ୍ନୟନ ସହଯୋଗ ଦ୍ୱାରା ପ୍ରକଳ୍ପଗୁଡିକ ପାଇଁ ପାଣ୍ଠି ଯୋଗାଣ ନିମନ୍ତେ ମଧ୍ୟ ଉଭୟ ପକ୍ଷ ସହମତ ହୋଇଥିଲେ । ବାଂଲାଦେଶ ପକ୍ଷ ଭାରତ ଦ୍ୱାରା ୨୦ଟି ବ୍ରଡଗଜ ଡିଜେଲ ଲୋକମୋଟିଭ ମଞ୍ଜୁର କରିଥିବା ନେଇ ସ୍ୱାଗତ ଜଣାଇଥିଲେ ।
୮. ଉଭୟ ନେତା ଦ୍ୱିପାକ୍ଷିକ ବାଣିଜ୍ୟ ଅଭିବୃଦ୍ଧିକୁ ପ୍ରଶଂସା କରିଥିଲେ । ବାଂଲାଦେଶ ଏସିଆରେ ବୃହତ୍ତମ ରପ୍ତାନୀ ଲକ୍ଷ୍ୟସ୍ଥଳ ହେବାକୁ ଯାଉଥିବାରୁ ଏହି ଅଭିବୃଦ୍ଧି ବେଶ ସ୍ୱାଗତଯୋଗ୍ୟ । ବାଂଲାଦେଶ ପକ୍ଷରୁ ଭାରତରୁ ଦରକାରୀ ଖାଦ୍ୟ ସାମଗ୍ରୀ ଯଥା ଚାଉଳ, ଗହମ, ଚିନି, ପିଆଜ, ଅଦା ଓ ରୁସଣ ଇତ୍ୟାଦି ଯୋଗାଣ ନିମନ୍ତେ ଅନୁରୋଧ କରିଥିଲେ । ବାଂଲାଦେଶର ଅନୁରୋଧକୁ ଭାରତର ଯୋଗାଣ ଅବସ୍ଥା ଅନୁଧ୍ୟାନ କରି ସହନୁଭୂତିର ସହ ବିଚାର କରାଯିବା ସହ ଏ ଦିଗରେ ଉଦ୍ୟମ କରାଯିବ ବୋଲି ପ୍ରତିଶୃତି ଦିଆଯାଇଥିଲା ।
୯. ଭାରତ- ବାଂଲାଦେଶ ସୀମାନ୍ତର ଶାନ୍ତିପୂର୍ଣ୍ଣ ପରିଚାଳନା ଦୁଇ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଉଭୟ ନେତା ନିଜ ନିଜ ଅଧିକାରୀମାନଙ୍କୁ ଶୂନ୍ୟରେଖାର ୧୫୦ ଗଜ ମଧ୍ୟରେ ସମସ୍ତ ବାକିଥିବା ଉନ୍ନୟନ କାର୍ଯ୍ୟ ତୁରନ୍ତ ସାରିବାକୁ ନିର୍ଦ୍ଦେଶ ଦେବାସହ ତ୍ରିପୁରା କ୍ଷେତ୍ରର ସୀମାନ୍ତକୁ ଶାନ୍ତି ଓ ଅପରାଧ ରହିତ କରିବାକୁ କହିଥିଲେ ।
୧୦. ସୀମାନ୍ତରେ ବିଭିନ୍ନ ଘଟଣାଯୋଗୁଁ ମୃତ୍ୟୁ ସଂଖ୍ୟା ଆଶାତୀତ ଭାବେ ହ୍ରାସ ପାଇଥିବାରୁ ଉଭୟ ପକ୍ଷ ଏହାକୁ ଶୂନ୍ୟରେ ପହଞ୍ଚାଇବା ନେଇ କାର୍ଯ୍ୟ କରିବାକୁ ସହମତ ହୋଇଥିଲେ । ଉଭୟ ପକ୍ଷ ସୀମାରେ ପହରା କାର୍ଯ୍ୟ ଜୋରଦାର କରି ଅସ୍ତ୍ରଶସ୍ତ୍ର ମାଦକ ଦ୍ରବ୍ୟ ଓ ଜାଲ ମୁଦ୍ରା ଚୋରାଚାଲାଣ ଓ ମାନବ ଚୋରାଚାଲାଣ, ବିଶେଷ କରି ମହିଳା ଓ ଶିଶୁଙ୍କ ଚାଲାଣ ରୋକିବା ନେଇ ପଦକ୍ଷେପରେ ସନ୍ତୋଷ ବ୍ୟକ୍ତ କରିଥିଲେ । ଉଭୟ ନେତା ସମସ୍ତ ପ୍ରକାର ଆତଙ୍କବାଦର ମୂଳୋତ୍ପାଟନ ସହ ଆତଙ୍କବାଦର ପ୍ରସାର ଓ ନିରାକରଣ ଓ ସବୁ ପ୍ରକାର ଉଗ୍ରବାଦୀ କାର୍ଯ୍ୟକଳାପ ଦମନ କ୍ଷେତ୍ରରେ ମଜଭୁତ ଅଙ୍ଗୀକାରବଦ୍ଧତାକୁ ଦୋହରାଇ ଥିଲେ ।
୧୧. ଅଗଷ୍ଟ ୨୩-୨୫, ୨୦୨୨ରେ ନୂଆଦିଲ୍ଲୀଠାରେ ଆହୂତ ଭାରତ-ବାଂଲାଦେଶ ଯୁଗ୍ମ ନଦୀ ଆୟୋଗର ୩୮ତମ ମନ୍ତ୍ରୀମଣ୍ଡଳସ୍ତରୀୟ ବୈଠକ ନେଇ ସନ୍ତୋଷ ପ୍ରକାଶ କରିଥିଲେ । ଦୁଇ ନେତା ଭାରତ ସରକାରଙ୍କ ଜଳଶକ୍ତି ମନ୍ତ୍ରଣାଳୟ ବାଂଲାଦେଶ ଲୋକତନ୍ତ୍ର ସରକାରଙ୍କ ଜଳ ସମ୍ପଦ ମନ୍ତ୍ରଣାଳୟ ମଧ୍ୟ ସ୍ୱାକ୍ଷରିତ ବୁଝାମଣା ସନନ୍ଦକୁ ସ୍ୱାଗତ କରିଥିଲେ । ଭାରତ- ବାଂଲାଦେଶ ସୀମାରେ ଥିବା କୁଶୀୟାରା ନଦୀର ଜଳ ଅଟକାଇବା ଦ୍ୱାରା ବାଂଲାଦେଶର ଜଳସେଚନ ଆବଶ୍ୟକତା ପୂରଣ ହେବା ସହ ଦକ୍ଷିଣ ଆସାମରେ ମଧ୍ୟ ଜଳ ପ୍ରକଳ୍ପ ହୋଇପାରିବ ।
୧୨. ତ୍ରିପୁରା ରାଜ୍ୟର ତତ୍କାଳ ଜଳସେଚନ ଆବଶ୍ୟକତା ଦୃଷ୍ଟିରୁ ଫେନୀ ନଦୀ ଜଳବଣ୍ଟନ ମଧ୍ୟବର୍ତ୍ତୀକାଳୀନ ରାଜିନାମା ତୁରନ୍ତ ସ୍ୱାକ୍ଷର କରିବାକୁ ଭାରତ ପକ୍ଷରୁ ଅନୁରୋଧ କରାଯାଇଥିଲା । ବାଂଲାଦେଶ ପକ୍ଷରୁ ଏହି ଅନୁରୋଧକୁ ଗୁରୁତ୍ୱର ସହ ଗ୍ରହଣ କରାଯାଇଥିଲା । ଦୁଇ ଦେଶ ମଧ୍ୟରେ ୨୦୧୯ ବୁଝାମଣା ସନନ୍ଦ ଅନୁସାରେ ଫେନୀ ନଦୀରୁ ୧.୮୨ ଘନଫୁଟ ଜଳ ତ୍ରିପୁରାର ସବରୁମ ସହରକୁ ପାନୀୟ ଜଳ ଯୋଗାଇବା ପାଇଁ କୂପ ନିର୍ମାଣ ପାଇଁ ଅନୁମତି ପ୍ରଦାନ କରିଥିବାରୁ ଭାରତୀୟ ଦଳ ପକ୍ଷରୁ ବାଂଲାଦେଶକୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା ।
୧୩. ଦ୍ୱିପାକ୍ଷିକ ସମ୍ପର୍କରେ ଜଳ ପରିଚାଳନାକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରି ନେତାଗଣ ମଧ୍ୟବର୍ତ୍ତୀକାଳୀନ ଜଳ ବିଭାଜନ ରାଜିନାମା ଓ ଅଧିକ ନଦୀକୁ ଏଥିରେ ସାମିଲ କରିବା ପାଇଁ ଯୁଗ୍ମଜଳ ଆୟୋଗ ନେଇଥିବା ନିଷ୍ପତ୍ତିର ସ୍ୱାଗତ କରିଥିଲେ । ଗଙ୍ଗା ଜଳ ପ୍ରାପ୍ତି ରାଜିନାମା ୧୯୯୬ ଅନୁସାରେ ବାଂଲାଦେଶ ପାଉଥିବା ଜଳ ଓ ତାହାର ଉପଯୋଗର ଅନୁଧ୍ୟାନ ନିମନ୍ତେ ଏକ ଯୁଗ୍ମ ବୈଷୟିକ କମିଟି ଗଠନକୁ ନେତୃବୃନ୍ଦ ସ୍ୱାଗତ କରିଥିଲେ ।
୧୪. ପୂର୍ବ ଆଲୋଚନାକୁ ଦୋହରାଇ ପ୍ରଧାନମନ୍ତ୍ରୀ ଶେଖ ହସିନା ଦୀର୍ଘଦିନ ଧରି ପଡି ରହିଥିବା ତଥା ୨୦୧୧ରେ ଚୂଡାନ୍ତ ହୋଇଥିବା ତିସ୍ତାନଦୀ ଜଳ ବିଭାଜନ ମଧ୍ୟବର୍ତ୍ତୀକାଳୀନ ରାଜିନାମା ଚିଠାକୁ ଚୂଡାନ୍ତ ରୂପ ଦେବା ନେଇ ପୁନଃ ମତ ଉତଥାପନ କରିଥିଲେ । ଉଭୟ ନେତା ସେମାନଙ୍କ ଅଧିକାରୀମାନଙ୍କୁ ନଦୀର ପ୍ରଦୂଷଣ ସମସ୍ୟା, ନଦୀ ପରିବେଶ ଓ ବିଶେଷ କରି ଉଭୟ ଦେଶର ନଦୀଗୁଡିକର ଅନ୍ୟାନ୍ୟ ସମସ୍ୟା ସମାଧାନ ଦିଗରେ ନିର୍ଦ୍ଦେଶ ଦେଇଥିଲେ ।
୧୫. ଉପ ଆଞ୍ଚଳିକ ସହଯୋଗ ବୃଦ୍ଧି ଦୃଷ୍ଟିରୁ ଉଭୟ ନେତା ଦୁଇ ଦେଶର ପାୱାର ଗ୍ରୀଡକୁ ସଂଯୋଗ କରିବା ଉପରେ ସହମତି ପ୍ରକାଶ କରିଥିଲେ । ଏଥିରେ ଉଚ୍ଚ କ୍ଷମତା ସମ୍ପନ୍ନ ପ୍ରସ୍ତାବିତ ୭୬୫ କେଭି ବିହାରର କଟିହାରରୁ ଆସାମର ବଡନଗର ସରବରାହ ଲାଇ ବାଂଲାଦେଶର ପାର୍ବତୀପୁର ଦେଇ ଯିବାକୁ ତଥା ଭାରତ- ବାଂଲାଦେଶର ଯୁଗ୍ମ ପ୍ରକଳ୍ପ ଅନ୍ତର୍ଭୁକ୍ତ । ଶକ୍ତିକ୍ଷେତ୍ରରେ ଉପ ଆଞ୍ଚଳିକ ସହଯୋଗକୁ ମଜଭୁତ କରିବାକୁ ସହମତି ହୋଇଥିଲା । ବାଂଲାଦେଶ ପକ୍ଷରୁ ଭାରତ ଦେଇ ନେପାଳ ଓ ଭୂଟାନରୁ ଶକ୍ତି ଆମଦାନୀ ପାଇଁ ଅନୁରୋଧ କରାଯାଇଥିଲା । ଏଥିପାଇଁ ମାର୍ଗଦର୍ଶିକା ଥିବା ଭାରତ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ।
୧୬. ଭାରତ-ବ ବାଂଲାଦେଶ ପାଇପଲାଇନ ଯାହା ବାଂଲାଦେଶର ଶକ୍ତି ଚାହିଦା ପୂରଣ କରିବ ସେଥିନେଇ ହୋଇଥିବା ପ୍ରଗତି ସମ୍ପର୍କରେ ଦୁଇ ନେତା ସମୀକ୍ଷା କରିଥିଲେ । ସେମାନେ ଖୁବ ଶୀଘ୍ର ପ୍ରକଳ୍ପ ଶେଷ ହେବ ବୋଲି ଆଶା ପୋଷଣ କରିଥିଲେ । ବାଂଲାଦେଶ ପକ୍ଷରୁ ଭାରତୀୟ ପକ୍ଷକୁ ସେମାନଙ୍କ ଘରୋଇ ପେଟ୍ରୋଲିୟମ ସାମଗ୍ରୀ ଚାହିଦା ପୂରଣ ନେଇ ଅନୁରୋଧ କରାଯାଇଥିଲା । ଉଭୟ ପକ୍ଷରୁ ସ୍ୱୀକୃତିପ୍ରାପ୍ତ ଏଜେଣ୍ଟମାନଙ୍କ ସହ ଆଲୋଚନା କରିବାକୁ ଭାରତ ପକ୍ଷରୁ ମତ ପ୍ରକାଶ ପାଇଥିଲା । ଭାରତ ପକ୍ଷରୁ ମେଘାଳୟ ଓ ଆସାମର ପ୍ରଳୟଙ୍କରୀ ବନ୍ୟା ଯୋଗୁଁ ଆସାମରୁ ତ୍ରିପୁରାକୁ ବାଂଲାଦେଶ ଦେଇ ପେଟ୍ରୋଲିୟମ, ତୈଳ ଓ ଅନ୍ୟାନ୍ୟ ଘର୍ଷଣ ସାମଗ୍ରୀ ପଠାଇବା ନେଇ ବାଂଲାଦେଶର ସକାରାତ୍ମକ ପଦକ୍ଷେପକୁ ଭାରତ ପକ୍ଷରୁ ପ୍ରଶଂସା କରାଯାଇଥିଲା । ଭାରତୀୟ ତୈଳ ନିଗମ ଲିମିଟେଡକୁ ବାଂଲାଦେଶରେ ପଞ୍ଜୀକୃତ ଜିଟୁଜି(G2G) ବିଶୋଧିତ ପେଟ୍ରୋଲିୟମ ସାମଗ୍ରୀ ଯୋଗାଣକାରୀ ଭାବେ ତାଲିକା ଭୁକ୍ତ କରାଯାଇଥିବାରୁ ଭାରତ ପକ୍ଷରୁ ନିଷ୍ପତ୍ତିର ସ୍ୱାଗତ କରାଯାଇଥିଲା ।
୧୭. ଉନ୍ନୟନମୂଳକ ଭାଗୀଦାରିତାରେ ଯଥେଷ୍ଟ ସହଯୋଗ ନେଇ ଉଭୟ ଦେଶ ସନ୍ତୋଷ ବ୍ୟକ୍ତ କରିଥିଲେ । ଭାରତ ଦ୍ୱାରା ଉନ୍ନୟନ ପାଣ୍ଠି ଯୋଗାଣରେ ଦେଖାଇଥିବା ପାରଦର୍ଶିତାକୁ ବାଂଲାଦେଶ ପକ୍ଷରୁ ପ୍ରଶଂସା କରାଯାଇଥିଲା । ଗତ ଆଥିର୍କ ବର୍ଷରେ ଭାରତ ଉନ୍ନୟନ ଜନିତ ପାଣ୍ଠି ପ୍ରଦାନରେ ସର୍ବାଗ୍ରେ ରହିଛି ।
୧୮. ଉଭୟ ଦେଶ ରାଜିନାମା ଜରିଆରେ ଚଟ୍ଟଗ୍ରାମ ଓ ମଙ୍ଗଳା ବନ୍ଦରର ସଫଳତାର ସହ କାର୍ଯ୍ୟ ସମ୍ପନ୍ନକୁ ସ୍ୱାଗତ କରିଥିବା ବେଳେ, ଏହା ସମ୍ପୂର୍ଣ୍ଣ କାର୍ଯ୍ୟକାରିତାକୁ ଯଥାସମ୍ଭବ ଦେଖିବାକୁ ଚାହୁଁଛନ୍ତି । ଉଭୟ ପକ୍ଷ ଦ୍ୱିପାକ୍ଷିକ ଉପକୂଳ ଜାହାଜ ଚଳାଚଳ ରାଜିନାମା ୨୦୧୫କୁ କାର୍ଯ୍ୟକାରୀ କରି ତୃତୀୟ ଦେଶ ଏକ୍ସିମ କାର୍ଗୋ ମଧ୍ୟ ଅନ୍ତର୍ଭୁକ୍ତ କରିବାକୁ ନିଜର ସଂକଳ୍ପ ଦୋହରାଇଥିଲେ । ସେମାନେ ମଧ୍ୟ ନଦୀରେ ନୌସେବା ନିଷ୍ପତ୍ତିକୁ ତ୍ୱରାନ୍ୱିତ କରିବା ସହ ଇନଲ୍ୟାଣ୍ଡ ୱାଟର ଟ୍ରାଞ୍ଜିଟ ଓ ଟ୍ରେଡ ରୁଟ ୫ ଓ ୬ ଧୁଲିୟାନରୁ ରାଜସାହୀ-ଆରିସା ପର୍ଯ୍ୟନ୍ତ ସମ୍ପ୍ରସାରିତ ଓ ରୁଟ ୯ ଓ ୧୦ ଦାଉଦକାଣ୍ଡିରୁ ସୋନମୁରା ପର୍ଯ୍ୟନ୍ତ ନୌସେବା ଆରମ୍ଭ ପାଇଁ ସହମତ ହୋଇଥିଲେ । ଭାରତୀୟ ପକ୍ଷ ମଧ୍ୟ ତ୍ରିପୁରାରୁ ବାଂଲାଦେଶ ସଂଯୋଗ କରୁଥିବା ଫେନୀ ନଦୀ ଉପରେ ମୈତ୍ରୀ ସେତୁର ଭିତ୍ତିଭୂମୀ, ଇମିଗ୍ରେସନ ଓ କଷ୍ଟମ ସୁବିଧା ଇତ୍ୟାଦି କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ଅନୁରୋଧ ଜଣାଇଥିଲେ ।
୧୯. ମୋଟର ଯାନ ରାଜିନାମା ଅନୁସାରେ ଦ୍ୱିପାକ୍ଷିକ ଓ ଉପ ଆଞ୍ଚଳିକ ସଂଯୋଗୀକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଉଭୟ ନେତା ସହମତ ହୋଇଥିଲେ । ଭାରତୀୟ ପକ୍ଷ ମଧ୍ୟ ଉପ ଆଞ୍ଚଳିକ ସଂଯୋଗୀକରଣ ପ୍ରକଳ୍ପ ଜରିଆରେ ବାଂଲାଦେଶ ଦେଇ ପଶ୍ଚିମବଙ୍ଗର ହିଲ୍ଲୀରୁ ମେଘାଳୟର ମହେନ୍ଦ୍ରଗଞ୍ଜ ରାଜପଥ ବିକାଶ ପାଇଁ ଅନୁରୋଧ କରିବା ସହ ଏକ ସର୍ବଶେଷ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତିର ପ୍ରସ୍ତାବ ଦେଇଥିଲେ । ସେହିପରି ବାଂଲାଦେଶ ମଧ୍ୟ ଭାରତ-ମିଆଁମାର-ଥାଇଲାଣ୍ଡ ତ୍ରିଦେଶୀୟ ରାଜପଥ ପ୍ରକଳ୍ପ ପାଇଁ ଆଗ୍ରହ ପ୍ରକାଶ କରିଥିଲେ ।
୨୦. ଭାରତ ପକ୍ଷରୁ ଅବଗତ କରାଯାଇଥିଲା ଯେ ଭାରତ ଏହାର ଭୂଖଣ୍ଡରୁ ବାଂଲାଦେଶକୁ ନିର୍ଦ୍ଦିଷ୍ଣ ଭୂଭାଗ ଶୁଳ୍କ କେନ୍ଦ୍ର/ବିମାନଘାଟୀ ଓ ସାମୁଦ୍ରିକ ବନ୍ଦର ଜରିଆରେ ରପ୍ତାନୀ ପାଇଁ ଅବାଧ ପ୍ରବେଶ ଅନୁମତି ଦେଇଛି । ଏହି ପରିପ୍ରେକ୍ଷୀରେ ଭାରତ ପକ୍ଷରୁ ବାଂଲାଦେଶ ବ୍ୟାବସାୟିକ ଗୋଷ୍ଠୀଙ୍କୁ ତୃତୀୟ ଦେଶକୁ ରପ୍ତାନୀ ପାଇଁ ଏହାର ବନ୍ଦର ଭିତ୍ତିଭୂମୀ ସୁବିଧାର ଉପଯୋଗ ପାଇଁ ଅନୁମତି ଦେଇଛି । ନେପାଳ ଓ ଭୂଟାନକୁ ସାମଗ୍ରୀ ରପ୍ତାନୀ ନିମନ୍ତେ ଭାରତ ବାଂଲାଦେଶ ପକ୍ଷ ମଧ୍ୟ ନୂତନ ଭାବେ ଉଦଘାଟିତ ଚିଲହଟି-ହଳଦୀବାରୀ ରାସ୍ତାରେ ରେଳ ସଂଯୋଗ ଭୂଟାନକୁ ଯୋଗାଇବା ପାଇଁ ଅନୁରୋଧ କରିଥିଲା । ଭାରତ ପକ୍ଷରୁ ମଧ୍ୟ ଏହାର ସମ୍ଭାବ୍ୟ କାର୍ଯ୍ୟକାରିତା ଅନୁଧ୍ୟାନ କରି ବିଚାର କରିବାକୁ ପ୍ରତିଶୃତି ଦିଆଯାଇଛି । ସୀମାବର୍ତ୍ତୀ ରେଳ ସଂଯୋଗ ସମ୍ଭାବନାକୁ ଦୃଷ୍ଟିରେ ରଖି ଭାରତ ପକ୍ଷରୁ ବନ୍ଦର କଟକଣା ଚିଲହାଟୀ-ହଳଦୀବାରୀ କ୍ରସିଂରେ ହଟାଇବା ପାଇଁ ବାଂଲାଦେଶକୁ ଅନୁରୋଧ କରାଯାଇଛି ।
୨୧. ନିକଟରେ ଚୂଡାନ୍ତ ହୋଇଥିବା ବିସ୍ତୃତ ଆର୍ଥିକ ଭାଗୀଦାରିତା ରାଜିନାମା ଉଭୟ ଦେଶ ପାଇଁ ହିତକାରୀ ହେବା ସେଥିପାଇଁ ପ୍ରସ୍ତୁତ ଯୁଗ୍ମ ସମ୍ଭାବ୍ୟ ରିପୋର୍ଟ ଉଭୟ ନେତା ସ୍ୱାଗତ କରିଥିଲେ । ସେମାନେ ୨୦୨୨ ମସିହା ସୁଦ୍ଧା ଏହା ସମ୍ପୂର୍ଣ୍ଣ କରିବା ପାଇଁ ଉଭୟ ପକ୍ଷର ବାଣିଜ୍ୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
୨୨. ଦୁଇ ଦେଶର ବାଣିଜ୍ୟର ଗୁରୁତ୍ୱ ଉପଲବ୍ଧ କରି ସେମାନେ ଭୂଭାଗ ଶୁଳ୍କ କେନ୍ଦ୍ର/ଭୂଭାଗସ୍ଥିତ ବନ୍ଦର ଇତ୍ୟାଦିରେ ଭିତ୍ତିଭୂମୀ ସୁବିଧାର ଉନ୍ନତିକରଣ, ବନ୍ଦର କଟକଣା ଓ ଅନ୍ୟାନ୍ୟ ଅଣଶୁଳ୍କ ବାଧାବିଘ୍ନ ହଟାଇବା ନେଇ ଗୁରୁତ୍ୱ ଆରୋପ କରିଛନ୍ତି । ଭାରତୀୟ ପକ୍ଷ ଅନ୍ତତଃ ଗୋଟିଏ ଲ୍ୟାଣ୍ଡପୋର୍ଟ ପୋର୍ଟ କଟକଣା ବିହୀନ ଉତ୍ତର ପୂର୍ବାଞ୍ଚଳ ରାଜ୍ୟରେ କରିବାକୁ ଅନୁରୋଧ କରିଥିଲେ । ଆଇସିପି-ଆଗରତଲା-ଅଖୁରାରେ ଏହା ସହଜବଜାର ପ୍ରବେଶ ଦୃଷ୍ଟିରୁ କରିବାକୁ ଅନୁରୋଧ କରିଥିଲେ । ଉଭୟ ନେତା ପେଟ୍ରାପୋଲ-ବେନାପୋଲ ଆଇସିପିରେ ଦ୍ୱିତୀୟ ପଣ୍ୟ ଫାଟକ ନେଇ ଭାରତୀୟ ପ୍ରସ୍ତାବକୁ ସ୍ୱାଗତ କରିବା ସହ ଯଥା ସମ୍ଭବ କାର୍ଯ୍ୟ ଶେଷ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
୨୩. ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗର ତୀବ୍ରତା ନେଇ ଉଭୟ ନେତା ସନ୍ତୋଷ ପ୍ରକାଶ କରିଥିଲେ । ପ୍ରତିରକ୍ଷା ପାଇଁ ଲାଇନ ଅଫ କ୍ରେଡିଟ ଅଧୀନରେ ସଅଳ ପ୍ରକଳ୍ପ ଚୂଡାନ୍ତ କରିବା ପାଇଁ ସେମାନେ ସହମତ ହୋଇଥିଲେ । ବାଂଲାଦେଶ ସଶସ୍ତ୍ର ସେନା ନିମନ୍ତେ ଯାନବାହାନ ଆହରଣ ପ୍ରକ୍ରିୟା ଓ ଦ୍ୱିପାକ୍ଷିକ ପ୍ରତିରକ୍ଷା ସମ୍ପର୍କକୁ ଭାରତ ପକ୍ଷରୁ ସ୍ୱାଗତ କରାଯାଇଥିଲା । ଯେତେ ଶୀଘ୍ର ସମ୍ଭବ ଅଧିକ ସାମୁଦ୍ରିକ ସୁରକ୍ଷା ନିମନ୍ତେ ୨୦୧୯ ବୁଝାମଣା ସନନ୍ଦ ଅନୁଯାୟୀ ଉପକୂଳ ରାଡର ପଦ୍ଧତି ନେଇ ଭାରତ ଏହାର ଅନୁରୋଧ ଦୋହରାଇଥିଲା ।
୨୪. କୋଭିଡ-୧୯ ମହାମାରୀ କାଳରେ ଭ୍ୟାକ୍ସିନ ମୈତ୍ରୀ ଓ ବାଂଲାଦେଶକୁ ଅମ୍ଳଜାନ ଏକ୍ସପ୍ରେସ ଓ ବାଂଲାଦେଶର ଭାରତକୁ ଔଷଧର ଉପହାର ସମେତ ସୁସମନ୍ୱୟକୁ ସ୍ୱାଗତ କରି ଉଭୟ ନେତା ଉଭୟ ଦେଶବାସୀଙ୍କ ଜନ ସମ୍ପର୍କ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ନେତାଗଣ ରେଳ ସେବାର ପୁନଃ ପ୍ରଚଳନ, ଆକାଶ ଓ ଜଳପଥ ସଂଯୋଗକୁ ସ୍ୱାଗତ କରିଥିଲେ । ଏହି ପରିପ୍ରେକ୍ଷୀରେ ବାଂଲାଦେଶ ଅଧିକାଂଶ ସଡକ ଓ ରେଳ ଇମିଗ୍ରେସନ ଦେଶର ଫାଟକ ଗୁଡିକ ପୁନଃ ଖୋଲିବା ସହ କୋଭିଡ-୧୯ ପୂର୍ବ ସୁବିଧାର ପୁନଃ ପ୍ରଚଳନ ପାଇଁ ବାଂଲାଦେଶ ପକ୍ଷରୁ ଭାରତକୁ ଅନୁରୋଧ କରାଯାଇଥିଲା । ଜୁନ ୨୦୨୨ରୁ ଭାରତ ବାଂଲାଦେଶ ମଧ୍ୟରେ ତୃତୀୟ ପାସେଞ୍ଜର ଟ୍ରେନ ମିତାଲୀ ଏକ୍ସପ୍ରେସର ନିୟମିତ ସେବା ଆରମ୍ଭକୁ ଉଭୟ ନେତା ସ୍ୱାଗତ କରିଥିଲେ ।
୨୫. ଉଭୟ ନେତା ମିଳିତ ଭାବେ ପ୍ରଯୋଜନା କରିଥିବା ବଙ୍ଗବନ୍ଧୁ ମୁଜିବ-ଜି ମେକିଂ ଅଫ ଏ ନେସନ ଚଳଚ୍ଚିତ୍ରର ଆଶୁ ମୁକ୍ତିଲାଭ ପାଇଁ ବ୍ୟଗ୍ର ଥିଲେ । ଉଭୟ ନେତା ଅନ୍ୟାନ୍ୟ ପଦକ୍ଷେପ ମଧ୍ୟରେ ସ୍ୱାଧୀନତାର ସଡକ ବାଂଲାଦେଶର ମୁଜିମନଗରଠାରୁ ବାଂଲାଦେଶ ସୀମାନ୍ତ ପଶ୍ଚିମବଙ୍ଗର ନଦିଆ ପର୍ଯ୍ୟନ୍ତ ୧୯୭୧ ବାଂଲାଦେଶ ମୁକ୍ତି ସଂଗ୍ରାମର ବୃତ୍ତଚିତ୍ର ନିର୍ମାଣ ନେଇ ସହମତ ହୋଇଥିଲେ । ବାଂଲାଦେଶ ପକ୍ଷରୁ ମିଳିତ ଭାବେ ବାଂଲାଦେଶ ମୁକ୍ତି ସଂଗ୍ରାମ ଉପରେ ଦୃଶ୍ୟଶ୍ରାବ୍ୟ ଚିତ୍ର ପାଇଁ ମଧ୍ୟ ବାଂଲାଦେଶ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା । ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ବଙ୍ଗବନ୍ଧୁ ଚେୟାର ସ୍ଥାପନ ନେଇ ମଧ୍ୟ ବାଂଲାଦେଶ ପକ୍ଷରୁ ସନ୍ତୋଷ ବ୍ୟକ୍ତ କରାହୋଇଥିଲା ।
୨୬. ବାଂଲାଦେଶର ଷ୍ଟାର୍ଟଅପ ପ୍ରତିନିଧି ଭାରତ ଆସି ନବୋନ୍ମେଷ ଓ ଭାଗୀଦାରିତାର ନୂତନ ଦିଗ ଉନ୍ମୁକ୍ତ କରିବାକୁ ଉଭୟ ନେତା ଅପେକ୍ଷା କରିଛନ୍ତି । ଆଗାମୀ ମାସରେ ଉଭୟ ଦେଶ ମଧ୍ୟରେ ଯୁବପ୍ରତିଭା ଆଦାନପ୍ରଦାନ ନେଇ ମଧ୍ୟ ଉଭୟ ପକ୍ଷରୁ ଖୁସୀ ବ୍ୟକ୍ତ କରାଯାଇଛି । ଭାରତରେ ବାଂଲାଦେଶ ମୁକ୍ତିଯୋଦ୍ଧାଙ୍କୁ ଡାକ୍ତରୀ ଚିକିତ୍ସା ସୁବିଧା ଉପଲବ୍ଧ କରାଇବା ନେଇ ଭାରତର ପଦକ୍ଷେପକୁ ବାଂଲାଦେଶ ପକ୍ଷରୁ ଭୂୟସୀ ପ୍ରଶଂସା କରାଯାଇଛି ।
୨୭. ୨୦୧୧ରେ ସୁନ୍ଦରବନର ସଂରକ୍ଷଣ ନେଇ ହୋଇଥିବା ବୁଝାମଣାପତ୍ର ଠିକ ଭାବେ ତ୍ୱରାନ୍ୱିତ କରିବା ଉପରେ ନେତାଗଣ ଗୁରୁତ୍ୱ ଆରୋପ କରିଥିଲେ । ଏଥିପାଇଁ ତୁରନ୍ତ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ କଲେ ଏହି ତ୍ରିକୋଣଭୂମୀ ଜଙ୍ଗଲର ଜୈବ ବିବିଧତା ଓ ତାହା ଉପରେ ନିର୍ଭରଶୀଳ ଜନସାଧାରଣ ନିରନ୍ତର ଓ ସ୍ଥାୟୀ ହୋଇ ରହିପାରିବେ ।
୨୮. ଉଭୟ ପକ୍ଷ ନୂତନ ସହଯୋଗ ପଦ୍ଧତିର ସାମର୍ଥ୍ୟ ଉପରେ ଗୁରୁତ୍ୱଆରୋପ କରିବା ସହ ନିଜର କର୍ତ୍ତୃପକ୍ଷଙ୍କୁ ଭୂଭାଗର ଶାନ୍ତିପୂର୍ଣ୍ଣ ବ୍ୟବହାର, ସବୁଜ ଇନ୍ଧନ ଓ ପ୍ରଯୁକ୍ତିବିଦ୍ୟା ପରିଚାଳିତ ଅର୍ଥ, ସ୍ୱାସ୍ଥ୍ୟ ଓ ଶିକ୍ଷା ପଦ୍ଧତି ଉପରେ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।
୨୯. ଆଞ୍ଚଳିକ ପରିସ୍ଥିତି ଦୃଷ୍ଟିରୁ ମିଆଁମାର ରାଖିନ ରାଜ୍ୟରୁ ବଳପୂର୍ବକ ବିସ୍ଥାପିତ ହୋଇଥିବା ପ୍ରାୟ ଏକ ନିୟୁତ ଜନସାଧାରଣଙ୍କୁ ମାନବିକତା ଦୃଷ୍ଟିକୋଣରୁ ବାଂଲାଦେଶରେ ଶରଣ ଦେଇଥିବାରୁ ସେଭଳି ଦୟାଭାବ ପ୍ରଦର୍ଶନକୁ ଭାରତ ପକ୍ଷରୁ ପ୍ରଶଂସା କରାଯାଇଥିଲା । ଏକମାତ୍ର ପଡୋଶୀ ଦେଶ ଭାବେ ଭାରତ ଉଭୟ ମିଆଁମାର ଓ ବାଂଲାଦେଶକୁ ସମର୍ଥନ କରିବାକୁ ଅଙ୍ଗୀକାରବଦ୍ଧ । ଏହି ବଳପୂର୍ବକ ବିସ୍ଥାପିତ ଲୋକମାନେ ଯେପରି ନିଜ ଦେଶକୁ ଫେରିବେ ସେମାନଙ୍କ ନିରାପଦ ପ୍ରତ୍ୟାବର୍ତ୍ତନ ନିମନ୍ତେ ଭାରତ ଉଦ୍ୟମ ଅବ୍ୟାହତ ରଖିବ ।
୩୦. ଆଞ୍ଚଳିକ ସଂଗଠନ ଗୁଡିକ ଜରିଆରେ ଆଞ୍ଚଳିକ ସହଯୋଗ ମଜଭୁତ କରିବା ପାଇଁ ଉଭୟ ଦେଶ ସହମତ ହୋଇଥିଲା । ବାଂଲାଦେଶ ବିମଷ୍ଟେକ ସଚିବାଳୟ ସ୍ଥାପନ କରି ଏହାର ଭିତ୍ତିଭୂମୀର ବିକାଶ କରିବା କାର୍ଯ୍ୟକୁ ଭାରତ ପକ୍ଷରୁ ପ୍ରଶଂସା କରାଯାଇଥିଲା । ଭାରତ ମହାସାଗର ରିମ ସଂଘ ଅଧ୍ୟକ୍ଷ ଭାବେ ଭାରତ ବାଂଲାଦେଶକୁ ସମର୍ଥନ ଦେବାର ପ୍ରତିବଦ୍ଧତାକୁ ଦୋହରାଇଥିଲା ।
୩୧. ଗସ୍ତକାଳରେ ସ୍ୱାକ୍ଷରିତ ବୁଝାମଣାପତ୍ର ଓ ରାଜିନାମା ନିମ୍ନରେ ପ୍ରଦତ୍ତ ହେଲା ।
କ). ଉଭୟ ଦେଶ ସୀମାନ୍ତରେ ଅବସ୍ଥିତ ଖୁସୀୟାରା ନଦୀର ଉଦବୃତ୍ତ ଜଳର ଭାରତ ଓ ବାଂଲାଦେଶ ଦ୍ୱାରା ଉପଯୋଗ ନେଇ ଭାରତ ସରକାରଙ୍କ ଜଳ ଶକ୍ତି ମନ୍ତ୍ରଣାଳୟ ଓ ବାଂଲାଦେଶ ସାଧାରଣତନ୍ତ୍ରର ଜଳ ସମ୍ପଦ ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣାପତ୍ର ।
ଖ). ଭାରତ ସରକାରଙ୍କ ରେଳ ମନ୍ତ୍ରଣାଳୟ (ରେଳବାଇ ବୋର୍ଡ) ଓ ବାଂଲାଦେଶ ସରକାରଙ୍କ ରେଳ ମନ୍ତ୍ରଣାଳୟ ମଧ୍ୟରେ ଭାରତରେ ବାଂଲାଦେଶ ରେଳ କର୍ମଚାରୀଙ୍କ ତାଲିମ ନେଇ ବୁଝାମଣାପତ୍ର ।
ଗ). ଭାରତ ସରକାରଙ୍କ ରେଳ ମନ୍ତ୍ରଣାଳୟ (ରେଳ ବୋର୍ଡ) ଓ ବାଂଲାଦେଶ ସରକାରଙ୍କ ରେଳ ମନ୍ତ୍ରଣାଳୟ ମଧ୍ୟର ବାଂଲାଦେଶ ରେଳବାଇ ନିମନ୍ତେ ସୂଚନା ଓ ପ୍ରଯୁକ୍ତିବିଦ୍ୟା ସମନ୍ୱୟ ଓ ଅନ୍ୟାନ୍ୟ ପ୍ରଯୁକ୍ତି ସଂକ୍ରାନ୍ତ ବୁଝାମଣାପତ୍ର ।
ଘ). ଭାରତ ବିଜ୍ଞାନ ଓ ଶିଳ୍ପଗତ ଗବେଷଣା ପରିଷଦ ଓ ବାଂଲାଦେଶ ବିଜ୍ଞାନ ଓ ଶିଳ୍ପପତି ଗବେଷଣା ପରିଷଦ ମଧ୍ୟରେ ବିଜ୍ଞାନ ଓ ବୈଷୟିକଜ୍ଞାନ ସହଯୋଗ ନେଇ ବୁଝାମଣାପତ୍ର ।
ଙ). ମହାକାଶ ବୈଷୟିକଜ୍ଞାନ କ୍ଷେତ୍ରରେ ଭାରତର ନ୍ୟୁସ୍ପେସ ଓ ବାଂଲାଦେଶ ସାଟେଲାଇଟ କମ୍ପାନୀ ଲିମିଟେଡ ମଧ୍ୟରେ ବୁଝାମଣାପତ୍ର ।
ଚ). ପ୍ରସାରଣରେ ସହଯୋଗ ନିମନ୍ତେ ପ୍ରସାର ଭାରତୀ ଓ ବାଂଲାଦେଶ ଟେଲିଭିଜନ ମଧ୍ୟରେ ବୁଝାମଣାପତ୍ର ।
ଛ). ଭାରତୀୟ ଜାତୀୟ ବିଚାରବିମୁଖ ପ୍ରତିଷ୍ଠାନ ଓ ବାଂଲାଦେଶ ସୁପ୍ରିମକୋର୍ଟଙ୍କ ମଧ୍ୟରେ ବାଂଲାଦେଶ ବିଚାରବିଭାଗ ଅଧିକାରୀକୁ ତାଲିମ ଓ ସାମର୍ଥ୍ୟ ବୃଦ୍ଧି କାର୍ଯ୍ୟକ୍ରମ ପାଇଁ ବୁଝାମଣା ପତ୍ର ।
୩୨. ଗସ୍ତକାଳରେ ନିମ୍ନଲିଖିତ ବିଷୟ ଉପରେ ଘୋଷଣା/ଉନ୍ମୋଚନ ଜାରି କରାଯାଇଥିଲା ।
କ). ବାଂଲାଦେଶର ରାମପାଲଠାରେ ମୈତ୍ରୀ ସୁପର ତାପଜ ବିଦ୍ୟୁତ କାରଖାନାର ଏକ ନମ୍ବର ୟୁନିଟର ଉନ୍ମୋଚନ ।
ଖ. ରୂପଶା ରେଳସେତୁର ଉଦଘାଟନ
ଗ. ଖୁଲନା-ଦର୍ଶନା ରେଳପଥ ଓ ପାର୍ବୋତୀପୁର-କଉନିଆ ରେଳପଥର ପରିଚାଳନା ଉପଦେଷ୍ଟା ଚୁକ୍ତି ସ୍ୱାକ୍ଷର ସମ୍ପର୍କରେ ଘୋଷଣା
ଘ. ବଙ୍ଗବନ୍ଧୁ ଶେଖ ମୁଜିବୁର ରହମାନଙ୍କ ଐତିହାସିକ ‘ମାର୍ଚ୍ଚ ୭ ଅଭିଭାଷଣ’ର ୨୩ଟି ଭାରତୀୟ ଓ ପାଞ୍ଚଟି ଅନ୍ୟାନ୍ୟ ଦକ୍ଷିଣ ଏସୀୟ ରାଜ୍ୟ ଭାଷାର ଅନୁବାଦ ପୁସ୍ତକ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଦାନ ।
ଙ. ମଞ୍ଜୁରୀ ଭିତ୍ତିରେ ବାଂଲାଦେଶକୁ ୨୦ଟି ବ୍ରଡଗଜ ଲୋକମୋଟିଭ ପ୍ରଦାନ ସମ୍ପର୍କରେ ଘୋଷଣା ।
ଚ. ବାଂଲାଦେଶ ସରକାରଙ୍କ ସଡକ ଓ ରାଜପଥ ବିଭାଗକୁ ସଡକ ନିର୍ମାଣ ଯନ୍ତ୍ରୋପକରଣ ଯୋଗାଣ ସମ୍ପର୍କରେ ଘୋଷଣା ।
୩୩. ପ୍ରଧାନମନ୍ତ୍ରୀ ଶେଖ ହସିନା ଭାରତ ସରକାର ଓ ଜନସାଧାରଣଙ୍କ ଉଚ୍ଛସିତ ସମ୍ବର୍ଦ୍ଧନା ଓ ଆଦରଯନ୍ତ୍ର ନିମନ୍ତେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଧାନମନ୍ତ୍ରୀ ଶେଖ ହସିନା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବାଂଲାଦେଶ ଗସ୍ତ ପାଇଁ ସାଦର ଆମନ୍ତ୍ରଣ ଜଣାଇବା ସହ ଦୁଇ ନେତା ପ୍ରତ୍ୟେକ ସ୍ତରରେ ମତବିନିମୟ ଅବ୍ୟାହତ ରଖିବେ ବୋଲି ସହମତ ହୋଇଥିଲେ ।
SM/DD