ବର୍ହିଶୁଳ୍କ ପ୍ରସଙ୍ଗରେ ପାରସ୍ପରିକ ସହଯୋଗ ଓ ସହାୟତା ନିମନ୍ତେ ଭାରତ ଓ ଫିଲିପାଇନ୍ସ ମଧ୍ୟରେ ଏକ ବୁଝାମଣା ସ୍ୱାକ୍ଷରିତ ହେବ । ଏହି ବୁଝାମଣାରେ ସ୍ୱାକ୍ଷର ଏବଂ ଏହାର ଅନୁସମର୍ଥନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ମନ୍ତ୍ରୀମଣ୍ଡଳର ବୈଠକ ବସି ଏହି ବିଷୟ ଉପରେ ଆଲୋଚନା କରାଯାଇଥିଲା ।
ବର୍ହିଶୁଳ୍କ ସଂକ୍ରାନ୍ତ ଅପରାଧଗୁଡିକୁ ରୋକିବା ଏବଂ ଏ ସଂକ୍ରାନ୍ତ ମାମଲାଗୁଡିକର ଯାଂଚ ସମ୍ପର୍କିତ ତଥ୍ୟ ଆଦାନପ୍ରଦାନ କ୍ଷେତ୍ରରେ ପ୍ରସ୍ତାବିତ ବୁଝାମଣା ବେଶ ସହାୟକ ହେବ । ଏହା ମଧ୍ୟ ଦୁଇ ଦେଶ ମଧ୍ୟରେ ସାମଗ୍ରୀ କାରବାରକୁ ତ୍ୱରାନ୍ୱିତ କରିବା ସହିତ ବ୍ୟବସାୟ, ବାଣିଜ୍ୟକୁ ବଢ଼ାଇବ ।
ଦୁଇ ଦେଶ ଆବଶ୍ୟକ ରାଷ୍ଟ୍ରୀୟ ଆଇନ ପ୍ରଣୟନ କରିବା ପରେ ଏହି ବୁଝାମଣା କାର୍ଯ୍ୟକାରୀ ହେବ । ଦୁଇ ଦେଶର ବର୍ହିଶୁଳ୍କ ପ୍ରଶାସନ ଦ୍ୱାରା ଅନୁମୋଦିତ ହେବା ପରେ ପ୍ରସ୍ତାବିତ ରାଜିନାମା ଚିଠାକୁ ଚୂଡାନ୍ତ ରୂପ ଦିଆଯାଇ କେନ୍ଦ୍ର କ୍ୟାବିନେଟରେ ପାସ କରାଯାଇଛି ।
**********