ମହାମହିମ, ରାଷ୍ଟ୍ରପତି ଇମାନୁଏଲ ମାକ୍ରୋଁ
ଭାରତ ଏବଂ ପ୍ରାନ୍ସର ସମ୍ମାନିତ ପ୍ରତିନିଧିଗଣ,
ବନ୍ଧୁଗଣ,
ବୋଁ ସ୍ୱୋ,
ନମସ୍କାର
ସର୍ବପ୍ରଥମେ ମୁଁ ନିଜର ପ୍ରିୟ ବନ୍ଧୁ ରାଷ୍ଟ୍ରପତି ମାକ୍ରୋଁଙ୍କୁ ହାର୍ଦ୍ଦିକ ଧନ୍ୟବାଦ ଜଣାଉଛି । ସେ ଏହି ଐତିହାସିକ ସ୍ଥଳରେ ମୋ ପ୍ରତିନିଧିଦଳର ଏବଂ ମୋର ଅତ୍ୟନ୍ତ ଭବ୍ୟ ତଥା ଅତ୍ୟନ୍ତ ସ୍ନେହପୂର୍ବକ ସ୍ୱାଗତ କଲେ । ଏହା ମୋ ପାଇଁ ଏକ ସ୍ମରଣୀୟ ମୁହୂର୍ତ । ଜି-7 ଶିଖର ସମ୍ମିଳନୀ ଲାଗି ରାଷ୍ଟ୍ରପତି ମାକ୍ରୋଁଙ୍କ ଆମନ୍ତ୍ରଣ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ରଣନୈତିକ ସମ୍ପର୍କ ଏବଂ ମୋ ପ୍ରତି ତାଙ୍କ ମୈତ୍ରୀଭାବର ଏକ ଉଦାହରଣ । ଆଜି ଆମେ ଦୀର୍ଘ ସମୟ ପର୍ଯ୍ୟନ୍ତ ଆଲୋଚନା କଲୁ ଏବଂ ଜି-7ର ଯେଉଁ ଏଜେଣ୍ଡା ରହିଛି, ଯାହାର ନେତୃତ୍ୱ ଫ୍ରାନ୍ସ ନେଉଛି ସେଥିରେ ସମ୍ପୂର୍ଣ୍ଣ ସଫଳତା ମିଳୁ ଏବଂ ଭାରତ ଠାରୁ ଯେଉଁ ସହଯୋଗ ଆଶା କରାଯାଉଛି ସେହି ସହଯୋଗ ସମ୍ପୂର୍ଣ୍ଣ ଭାବେ ଆପଣମାନଙ୍କୁ ମିଳୁ, ଏହା ହିଁ ସବୁବେଳେ ଭାରତର ସଂକଳ୍ପ ରହିବ । ଜୈବ ବିବିଧତା ହେଉ, ଜଳବାୟୁ ପରିବର୍ତ୍ତନ ହେଉ, କୁଲିଂ ଏବଂ ଗ୍ୟାସର ପ୍ରସଙ୍ଗ ହେଉ, ଏ ସମସ୍ତ ବିଷୟ ଉପରେ ଭାରତ ଶହ ଶହ ବର୍ଷ ଧରି ପରମ୍ପରା, ସଂସ୍କୃତି, ସଂସ୍କାର ଜରିଆରେ ପ୍ରକୃତି ସହିତ ତାଳମେଳ ରକ୍ଷା କରି ଜୀବନ ନିର୍ବାହ କରିବାକୁ ସମର୍ଥନ କରିଆସିଛି । ପ୍ରକୃତିର ବିନାଶ କେବେହେଲେ ମାନବ ସମାଜ ଲାଗି ଉପକାରୀ ହେବ ନାହିଁ । ତେଣୁ ଏହି ବିଷୟ ଚଳିତ ଜି-7 ଶିଖର ସମ୍ମିଳନୀରେ ଆଗତ କରାଯାଇଥିବାରୁ ଭାରତ ପାଇଁ ଏହା ଆହୁରି ଖୁସିର ବିଷୟ ।
ବନ୍ଧୁଗଣ,
ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ସମ୍ପର୍କ ଶହ ଶହ ବର୍ଷ ପୁରୁଣା । ଆମର ବନ୍ଧୁତା କୌଣସି ସ୍ୱାର୍ଥକୁ ନେଇ ନୁହେଁ ବରଂ ‘ସ୍ୱାଧୀନତା, ସମାନତା ଏବଂ ଭ୍ରାତୃତ୍ୱଭାବ’ର ଦୃଢ଼ ଆଦର୍ଶ ଉପରେ ପର୍ଯ୍ୟବସିତ । ଏହି କାରଣରୁ ଭାରତ ଏବଂ ଫ୍ରାନ୍ସ କାନ୍ଧରେ କାନ୍ଧ ମିଶାଇ ସ୍ୱାଧୀନତା ଏବଂ ଗଣତନ୍ତ୍ର ରକ୍ଷା କରିଛନ୍ତି, ଫାସୀବାଦ ଏବଂ ଉଗ୍ରବାଦର ମୁକାବିଲା କରିଛନ୍ତି । ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ହଜାର ହଜାର ଭାରତୀୟ ସୈନିକଙ୍କ ବଳିଦାନ ଆଜି ମଧ୍ୟ ଫ୍ରାନ୍ସରେ ସ୍ମରଣ କରାଯାଇଥାଏ । ଆଜି ଆତଙ୍କବାଦ, ଜଳବାୟୁ ପରିବର୍ତ୍ତନ, ପରିବେଶ ଏବଂ ପ୍ରଯୁକ୍ତିର ସମାବେଶୀ ବିକାଶ ଆହ୍ୱାନର ମୁକାବିଲା କରିବା ଲାଗି ଫ୍ରାନ୍ସ ଓ ଭାରତ ମିଳିତ ହୋଇ ଦୃଢ଼ ଭାବେ ଛିଡ଼ା ହୋଇଛନ୍ତି । ଆମ ଦୁଇ ଦେଶ କେବଳ ଭଲ ଭଲ କଥା କହିନାହୁଁ, ଦୃଢ଼ ପଦକ୍ଷେପ ମଧ୍ୟ ନେଇଛୁ । ଅର୍ନ୍ତଜାତୀୟ ସୌର ମେଂଟ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଏପରି ଏକ ସଫଳ ପ୍ରୟାସ ।
ବନ୍ଧୁଗଣ,
ଦୁଇ ଦଶନ୍ଧି ଧରି ଆମେ ରଣନୈତିକ ଭାଗିଦାରୀ ମାର୍ଗରେ ଚାଲିଛୁ । ଆଜି ଫ୍ରାନ୍ସ ଓ ଭାରତ ପରସ୍ପରର ଭରସାଯୋଗ୍ୟ ସହଭାଗୀ । ଆମର କଠିନ ସମୟରେ ଆମେ ପାରସ୍ପରିକ ଦୃଷ୍ଟିକୋଣକୁ ବୁଝିଛୁ ଏବଂ ପରସ୍ପର ସହ ଛିଡ଼ା ହୋଇଛୁ ।
ବନ୍ଧୁଗଣ,
ରାଷ୍ଟ୍ରପତି ମାକ୍ରୋଁ ଏବଂ ମୁଁ ଆଜି ଆମ ସମ୍ପର୍କର ସମସ୍ତ ପକ୍ଷ ଉପରେ ବିସ୍ତୃତ ଭାବେ ଆଲୋଚନା କଲୁ । 2022ରେ ଭାରତର ସ୍ୱାଧୀନତାକୁ 75 ବର୍ଷ ପୂରଣ ହେବ, ସେତେବେଳ ସୁଦ୍ଧା ଆମେ ନୁ୍ୟ ଇଣ୍ଡିଆ ପାଇଁ ଅନେକଗୁଡ଼ିଏ ଲକ୍ଷ୍ୟ ରଖିଛୁ । ଆମର ପ୍ରମୁଖ ଉଦ୍ଦେଶ୍ୟ ହେଉଛି ଭାରତକୁ 5 ଟ୍ରିଲିୟନ ଅର୍ଥବ୍ୟବସ୍ଥାରେ ପରିଣତ କରିବା । ବିକାଶ ଲାଗି ଭାରତର ଆବଶ୍ୟକତାରେ ଫରାସୀ ଉଦ୍ୟୋଗ ପାଇଁ ସ୍ୱର୍ଣ୍ଣିମ ସୁଯୋଗ ରହିଛି । ଆମର ଆର୍ଥିକ ସହଯୋଗ ବଢ଼ାଇବା ଲାଗି ଆମେ ଦକ୍ଷତା ବିକାଶ, ବେସାମରିକ ବିମାନ ଚଳାଚଳ, ଆଇଟି, ମହାକାଶ ଏବଂ ଅନ୍ୟ ଅନେକଗୁଡ଼ିଏ କ୍ଷେତ୍ରରେ ନୂଆ ପ୍ରୟାସ ଲାଗି ତତ୍ପର ଅଛୁ । ପ୍ରତିରକ୍ଷା ସହଯୋଗ ଆମ ସମ୍ପର୍କର ଏକ ସୁଦୃଢ଼ ସ୍ତମ୍ଭ । ମୁଁ ଆନନ୍ଦିତ ଯେ ବିଭିନ୍ନ ପ୍ରକଳ୍ପ ଉପରେ ଆମେ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି କରିସାରିଛୁ । 36ଟି ରାଫେଲ ଯୁଦ୍ଧ ବିମାନ ମଧ୍ୟରୁ ପ୍ରଥମଟି ଆସନ୍ତା ମାସ ଭାରତକୁ ଦିଆଯିବ । ଆମେ ପ୍ରଯୁକ୍ତି ଏବଂ ସହ-ଉତ୍ପାଦନରେ ସହଯୋଗ ବୃଦ୍ଧି କରିବୁ । ଫ୍ରାନ୍ସ ପ୍ରଥମ ଦେଶ ଯାହା ସହିତ ଆମେ ନୂଆ ପିଢ଼ିର ବେସାମରିକ ଆଣବିକ ଚୁକ୍ତି ସ୍ୱାକ୍ଷର କରିଛୁ । ଆମେ ଆମ କମ୍ପାନୀଗୁଡ଼ିକୁ ଅନୁରୋଧ କରିଛୁ ଯେ ସେମାନେ ଜୈତାପୁର ପ୍ରକଳ୍ପ ଦିଗରେ ଆଗକୁ ବଢ଼ିବେ ଏବଂ ବିଦ୍ୟୁତର ମୂଲ୍ୟ ପ୍ରତି ମଧ୍ୟ ଧ୍ୟାନ ଦେବେ । ଏହା ମଧ୍ୟ ଖୁସିର କଥା ଯେ ଦୁଇ ପକ୍ଷରୁ ପର୍ଯ୍ୟଟନ ବୃଦ୍ଧି ପାଉଛି । ପାଖାପାଖି 2.5 ଲକ୍ଷ ଫ୍ରାନ୍ସ ପର୍ଯ୍ୟଟକ ଏବଂ 7 ଲକ୍ଷ ଭାରତୀୟ ପର୍ଯ୍ୟଟକ ପ୍ରତ୍ୟେକ ବର୍ଷ ପରସ୍ପରର ଦେଶକୁ ଯାଉଛନ୍ତି । ଛାତ୍ରଛାତ୍ରୀଙ୍କ ବିନିମୟକୁ ଉଚ୍ଚ ଶିକ୍ଷା କ୍ଷେତ୍ରରେ ସ୍ୱତନ୍ତ୍ର ଭାବେ ପ୍ରୋତ୍ସାହନ ଦେବା ଉଚିତ । 2021-22ରେ ସାରା ଫ୍ରାନ୍ସରେ ଭାରତୀୟ ସାଂସ୍କୃତିକ ପର୍ବ “ନମସ୍ତେ ଫ୍ରାନ୍ସ”ର ପରବର୍ତୀ ସଂସ୍କରଣ ଅନୁଷ୍ଠିତ ହେବ । ମୁଁ ଆଶା କରୁଛି ଯେ ଏହି ପର୍ବ ଭାରତର ବିବିଧତାପୂର୍ଣ୍ଣ ସଂସ୍କୃତି ପ୍ରତି ଫ୍ରାନ୍ସର ଲୋକମାନଙ୍କ ମନରେ ଆହୁରି ଆଗ୍ରହ ବୃଦ୍ଧି କରିବ । ମୁଁ ଜାଣିଛି ଯେ ଯୋଗ ଫ୍ରାନ୍ସରେ ଖୁବ ଲୋକପ୍ରିୟ । ମୁଁ ଆଶା କରୁଛି ଯେ ଫ୍ରାନ୍ସରେ ମୋର ଆହୁରି କିଛି ବନ୍ଧୁ ଏହାକୁ ସୁସ୍ଥ ଜୀବନଶୈଳୀ ଭାବେ ଆପଣାଇବେ ।
ବନ୍ଧୁଗଣ,
ମୁଁ ବୈଶ୍ୱିକ ଆହ୍ୱାନ ଲାଗି ଭାରତ ଓ ଫ୍ରାନ୍ସର ସହଯୋଗର ଗୁରୁତ୍ୱ ଦିଗରେ ଇସାରା ଦେଇଥିଲି । ଆମ ଦୁଇ ଦେଶକୁ ଆତଙ୍କବାଦ ଏବଂ ଉଗ୍ରବାଦର ଲଗାତାର ସାମ୍ନା କରିବାକୁ ପଡ଼ୁଛି । ସୀମାବର୍ତ୍ତୀ ଆତଙ୍କବାଦର ମୁକାବିଲା କରିବାରେ ଆମକୁ ଫ୍ରାନ୍ସର ବହୁମୂଲ୍ୟ ସମର୍ଥନ ଏବଂ ସହଯୋଗ ମିଳିଛି । ଏଥିପାଇଁ ଆମେ ରାଷ୍ଟ୍ରପତି ମାକ୍ରୋଁଙ୍କୁ ଧନ୍ୟବାଦ ଦେଉଛୁ । ଆମେ ସୁରକ୍ଷା ଏବଂ ଆତଙ୍କବାଦ ମୁକାବିଲା କ୍ଷେତ୍ରରେ ସହଯୋଗକୁ ବ୍ୟାପକ କରିବା ଲାଗି ଉଦ୍ଦେଶ୍ୟ ବ୍ୟକ୍ତ କରିଛୁ । ସାମୁଦ୍ରିକ ଏବଂ ସାଇବର ସୁରକ୍ଷାରେ ମଧ୍ୟ ଆମର ବୃଦ୍ଧି ପାଉଥିବା ସହଯୋଗକୁ ଆହୁରି ସୁଦୃଢ଼ କରିବା ଲାଗି ନିଷ୍ପତ୍ତି ଆମେ ନେଇଛୁ । ମୁଁ ଖୁସି ଯେ ସାଇବର ସୁରକ୍ଷା ଏବଂ ଡିଜିଟାଲ ପ୍ରଯୁକ୍ତି ସମ୍ପର୍କରେ ଏକ ନୂଆ କାର୍ଯ୍ୟଖସଡ଼ା ଉପରେ ଆମେ ସହମତ ହୋଇଛୁ । ଭାରତ ମହାସାଗର କ୍ଷେତ୍ରରେ ଆମର କାର୍ଯ୍ୟକଳାପ ସହଯୋଗ ଆହୁରି ଆଗକୁ ବଢ଼ୁଛି । ଏହି କ୍ଷେତ୍ରରେ ସୁରକ୍ଷା ଏବଂ ସମସ୍ତଙ୍କ ଲାଗି ଅଗ୍ରଗତି ସୁନିଶ୍ଚିତ କରିବାରେ ଏହି ସହଯୋଗ ଗୁରୁତ୍ୱପୂର୍ଣ୍ଣ ।
ବନ୍ଧୁଗଣ,
ମୁଁ ନିଜ ଅଭିନ୍ନ ବନ୍ଧୁ ରାଷ୍ଟ୍ରପତି ମାକ୍ରୋଁଙ୍କୁ ଏହି ଆହ୍ୱାନପୂର୍ଣ୍ଣ ସମୟରେ ଏକ ନୂଆ ସଂକଳ୍ପ, ଉତ୍ସାହ ଏବଂ କୌଶଳ ସହ ଫ୍ରାନ୍ସ ଏବଂ ଜି-7ର ନେତୃତ୍ୱ ଲାଗି ଶୁଭକାମନା ଜଣାଉଛି ।
ମହାମହିମ,
ଏହି ପ୍ରୟାସରେ 130 କୋଟି ଭାରତୀୟଙ୍କ ସମ୍ପୂର୍ଣ୍ଣ ସହଯୋଗ ଏବଂ ସମର୍ଥନ ଆପଣଙ୍କ ସହିତ ରହିଛି । ଆମେ ଦୁଇ ଦେଶ ମିଶି, ସୁରକ୍ଷିତ ଏବଂ ସମୃଦ୍ଧ ବିଶ୍ୱର ମାର୍ଗ ପ୍ରଶସ୍ତ କରିପାରିବା । ବିଆରିଜରେ ଜି-7 ଶିଖର ସମ୍ମିଳନୀରେ ଭାଗ ନେବା ଲାଗି ମୁଁ ଉତ୍ସୁକ ଏବଂ ଏହି ଶିଖର ସମ୍ମିଳନୀର ସଫଳତା ପାଇଁ ଆପଣଙ୍କୁ ଏବଂ ସମ୍ପୂର୍ଣ୍ଣ ଫ୍ରାନ୍ସକୁ ଅନେକ ଅନେକ ଶୁଭକାମନା ଜଣାଉଛି । ଆପଣଙ୍କ ସ୍ନେହପୂର୍ଣ୍ଣ ନିମନ୍ତ୍ରଣ ଲାଗି ମୁଁ ପୁଣିଥରେ ଅନେକ ଅନେକ କୃତଜ୍ଞତା ପ୍ରକଟ କରୁଛି ।
ଧନ୍ୟବାଦ
ଉର୍ସୀ ବୁକୁ
ଓ ରୁୱା
**********