ମାନ୍ୟଗଣ୍ୟ,
ତୃତୀୟ ଫିପିକ ସମ୍ମିଳନୀରେ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ସ୍ୱାଗତ । ମୋତେ ଖୁସି ଲାଗୁଛି ଯେ ପ୍ରଧାନମନ୍ତ୍ରୀ ଜେମ୍ସ ମରାପେ ମୋ ସହିତ ଏହି ସମ୍ମିଳନୀର ଆୟୋଜନ କରୁଛନ୍ତି । ଏଠାରେ ପୋର୍ଟ ମୋରେସବୀରେ ଅନୁଷ୍ଠିତ ସମ୍ମିଳନୀର ବ୍ୟବସ୍ଥା ପାଇଁ ମୁଁ ତାଙ୍କୁ ଏବଂ ତାଙ୍କର ଟିମକୁ ଧନ୍ୟବାଦ ଜଣାଉଛି ।
ମାନ୍ୟଗଣ୍ୟ,
ଏଥର ଆମେ ବହୁ ଦିନ ପରେ ସାକ୍ଷାତ କରୁଛୁ । ଏହା ମଧ୍ୟରେ ବିଶ୍ୱ କୋଭିଡ୍ ମହାମାରୀ ଏବଂ ଅନ୍ୟାନ୍ୟ ଅନେକ ଆହ୍ୱାନର କଠିନ ସମୟ ଦେଇ ଗତି କରୁଛି । ଏହି ଆହ୍ୱାନ ଗୁଡ଼ିକର ପ୍ରଭାବ ଗ୍ଲୋବାଲ ସାଉଥର ଦେଶମାନଙ୍କ ଉପରେ ସର୍ବାଧିକ ପଡ଼ିଛି । ଜଳବାୟୁ ପରିବର୍ତ୍ତନ, ପ୍ରାକୃତିକ ବିପର୍ଯ୍ୟୟ, କ୍ଷୁଧା, ଦାରିଦ୍ର୍ୟ, ସ୍ୱାସ୍ଥ୍ୟ ସହିତ ଜଡ଼ିତ ବହୁତ ଗୁଡ଼ିଏ ଆହ୍ୱାନଗୁଡ଼ିକ ପୂର୍ବରୁ ଥିଲା । ବର୍ତ୍ତମାନ, ନୂତନ ସମସ୍ୟାମାନ ଉତ୍ପନ୍ନ ହେଉଛି । ଖାଦ୍ୟ, ଇନ୍ଧନ, ସାର ଏବଂ ଫାର୍ମାର ଯୋଗାଣ ଶୃଙ୍ଖଳାରେ ବାଧା ଆସୁଛି । ଯେଉଁମାନଙ୍କୁ ଆମେ ନିଜର ବୋଲି ବିଶ୍ୱାସଯୋଗ୍ୟ ମାନୁଥିଲୁ, ଜଣାପଡ଼ିଲା ଯେ ଆବଶ୍ୟକତା ସମୟରେ ସେମାନେ ଆମ ସହିତ ଛିଡ଼ା ହୋଇ ନ ଥିଲେ । ଏହି କଠିନ ସମୟରେ ପୁରୁଣା କଥା ସତ ହେଲା– ଆବଶ୍ୟକତା ସମୟର ବନ୍ଧୁ ପ୍ରକୃତ ବନ୍ଧୁ ।
ମୁଁ ଖୁସି ଯେ ଏହି ଆହ୍ୱାନ ସମୟରେ ଭାରତ ପ୍ରଶାନ୍ତ ମହାସାଗରରେ ଥିବା ସାଥୀମାନଙ୍କ ସହିତ କାନ୍ଧ ମିଳାଇ ଠିଆ ହୋଇଥିଲା । ଭାରତରେ ତିଆରି ହୋଇଥିବା ଭାକସିନ ହେଉ କିମ୍ବା ଅତ୍ୟାବଶ୍ୟକ ଔଷଧ, ଗହମ ହେଉ କିମ୍ବା ଚିନି, ଭାରତ ନିଜର ସାମର୍ଥ୍ୟ ଅନୁଯାୟୀ ସମସ୍ତ ସାଥୀ ଦେଶକୁ ସାହାଯ୍ୟ କରିବାକୁ ଲାଗିଲେ ।
ମାନ୍ୟଗଣ୍ୟ,
ଯେମିତି ମୁଁ ପୂର୍ବରୁ ମଧ୍ୟ କହିଥିଲି, ମୋ ପାଇଁ ଆପଣ ବିଶାଳ ମହାସାଗର ଅଟନ୍ତି, ଛୋଟ ଦ୍ୱୀପପୁଞ୍ଜ ନୁହନ୍ତି । ଆପଣଙ୍କ ସହ ଏହି ମହାସାଗର ଭାରତକୁ ଆପଣଙ୍କ ସହିତ ଯୋଡ଼ିଥାଏ । ଭାରତୀୟ ବିଚାରଧାରାରେ ସମ୍ପୂର୍ଣ୍ଣ ବିଶ୍ୱକୁ ଗୋଟିଏ ପରିବାର ଭଳି ଦେଖାଯାଇଛି । ଚଳିତ ବର୍ଷ ଆମର ଚାଲିଥିବା ଜି–୨୦ ପ୍ରେସିଡେନ୍ସିର ବିଷୟବସ୍ତୁ ଥିଲା– ‘ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ’ ମଧ୍ୟ ଏହି ବିଚାରଧାରା ଉପରେ ଆଧାରିତ ଅଟେ । ଚଳିତ ବର୍ଷ ଜାନୁଆରୀରେ ଆମେ ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍ ସମ୍ମିଳନୀର ଆୟୋଜନ କରିଥିଲୁ । ଆପଣଙ୍କ ପ୍ରତିନିଧିମାନେ ଏଥିରେ ଅଂଶଗ୍ରହଣ କରିଥିଲେ । ନିଜସ୍ୱ ବିଚାରଧାରାକୁ ବାଣ୍ଟିଥିଲେ । ଏଥିପାଇଁ ମୁଁ ଆପଣଙ୍କୁ ଅଭିନନ୍ଦନ ଜଣାଉଛି । ଭାରତ ଗ୍ଲୋବାଲ୍ ସାଉଥର ଚିନ୍ତାଧାରା, ତାହାର ଭବିଷ୍ୟତ ଏବଂ ଆକାଂକ୍ଷାକୁ ଜି–୨୦ ମାଧ୍ୟମରେ ବିଶ୍ୱ ସମ୍ମୁଖରେ ପହଂଚାଇବା ଆମର ଦାୟିତ୍ୱ ହୋଇଥାଏ ।
ମାନ୍ୟଗଣ୍ୟ,
ଗତ ଦୁଇଦିନ ମଧ୍ୟରେ, ଜି–୭ ଆଉଟରିଚ ସମ୍ମିଳନୀରେ ମଧ୍ୟ ମୋର ଏହି ପ୍ରୟାସ ରହିଥିଲା । ସେଠାରେ ତାଙ୍କର ମହାମହିମ ମାର୍କ ବ୍ରାଉନ, ଯିଏ ପ୍ରଶାନ୍ତ ଦ୍ୱୀପପୁଞ୍ଜ ଫୋରମର ପ୍ରତିନିଧିତ୍ୱ କରୁଥିଲେ, ସେ ଏହାର ସାକ୍ଷୀ ଅଟନ୍ତି ।
ମାନ୍ୟଗଣ୍ୟ,
ଜଳବାୟୁ ପରିବର୍ତ୍ତନ ବିଷୟ ଉପରେ ଭାରତ ମହତ୍ୱାକାଂକ୍ଷୀ ଲକ୍ଷ୍ୟ ତା’ର ସମ୍ମୁଖରେ ରଖିଛି । ମୋତେ ଖୁସି ଲାଗୁଛି ଯେ, ଆମେ ଏହା ଉପରେ ଦ୍ରୁତ ଗତିରେ କାର୍ଯ୍ୟ କରୁଛୁ । ଗତବର୍ଷ, ମିଳିତ ଜାତିସଂଘର ସେକ୍ରେଟାରୀ ଜେନେରାଲଙ୍କ ସହ ମୁଁ ମିଶନ ଲାଇଫ– ପରିବେଶଗତ ଜୀବନ ଶୈଳୀ ଶୁଭାରମ୍ଭ କରିଥିଲି । ମୁଁ ଚାଂହିବି ଯେ ଆପଣ ମଧ୍ୟ ଏହି ଆଂଦୋଳନରେ ଯୋଗ ଦିଅନ୍ତୁ । ଭାରତ ଅନ୍ତର୍ଜାତୀୟ ସୋଲାର ଆଲାଏନ୍ସ ଏବଂ ସିଡିଆରଆଇ ଭଳି ପଦକ୍ଷେପ ନେଇଛି । ମୁଁ ବୁଝିପାରୁଛି ଯେ ସୋଲାର ଆଲାଏନ୍ସ ସହିତ ଆପଣମାନଙ୍କ ମଧ୍ୟରୁ ଅଧିକରୁ ଅଧିକ ଦେଶ ଯୋଡ଼ି ହୋଇଛନ୍ତି । ମୋର ବିଶ୍ୱାସ ଯେ ସିଡିଆରଆଇ କାର୍ଯ୍ୟକ୍ରମକୁ ମଧ୍ୟ ଆପଣ ଉପଯୋଗୀ ଭାବରେ ପାଇବେ । ମୁଁ ଏହି ଅବସରରେ ଆପଣ ସମସ୍ତଙ୍କୁ ଏହି ପଦକ୍ଷେପ ସହିତ ଯୋଡ଼ି ହେବା ପାଇଁ ନିମନ୍ତ୍ରଣ କରୁଛି ।
ମାନ୍ୟଗଣ୍ୟ,
ଖାଦ୍ୟ ନିରାପତ୍ତାକୁ ପ୍ରାଥମିକତା ଦେବାବେଳେ ଆମେ ପୁଷ୍ଟିକର ଖାଦ୍ୟ ଏବଂ ପରିବେଶ ସୁରକ୍ଷାକୁ ମଧ୍ୟ ଧ୍ୟାନରେ ରଖିଛୁ । ଜାତିସଂଘ ଦ୍ୱାରା ୨୦୨୩ ବର୍ଷକୁ ଅନ୍ତର୍ଜାତୀୟ ମିଲେଟ ବର୍ଷ ଭାବରେ ଘୋଷଣା କରାଯାଇଛି । ଭାରତ ଏହି ସୁପର ଫୁଡକୁ ଶ୍ରୀ ଅନ୍ନ ମାନ୍ୟତା ଦେଇଛି । ସେଗୁଡ଼ିକର ଚାଷ ପାଇଁ କମ ଜଳ ଆବଶ୍ୟକ ପଡ଼ିଥାଏ ଏବଂ ସେଗୁଡ଼ିକ ଅଧିକ ପୁଷ୍ଟିକର ଖାଦ୍ୟ ମଧ୍ୟ ହୋଇଥାଏ । ମୁଁ ବିଶ୍ୱାସ କରୁଛି ଯେ ଆପଣଙ୍କ ଦେଶରେ ମଧ୍ୟ ନିରନ୍ତର ଭାବେ ଖାଦ୍ୟ ନିରାପତ୍ତା ସୁନିଶ୍ଚିତ କରିବାରେ ମିଲେଟ ଏକ ବଡ଼ ଅବଦାନ ଦେଇପାରେ ।
ମାନ୍ୟଗଣ୍ୟ,
ଭାରତ ଆପଣଙ୍କର ପ୍ରାଥମିକତା ଗୁଡ଼ିକର ସମ୍ମାନ କରିଥାଏ । ଆପଣଙ୍କର ବିକାଶରେ ସହଯୋଗୀ ହେବା ଉପରେ ଗର୍ବ ଅନୁଭବ କରିଥାଏ । ମାନବିକତାର ସହାୟତା ହେଉ କିମ୍ବା ଆପଣଙ୍କର ବିକାଶ; ଭାରତକୁ ଆପଣ ନିର୍ଭରଯୋଗ୍ୟ ଅଂଶୀଦାର ଭାବରେ ଦେଖିପାରିବେ । ଆମର ଆଭିମୁଖ୍ୟ ମାନବିକ ମୂଲ୍ୟବୋଧ ଉପରେ ଆଧାରିତ ।
ପାଲାଭର ସମ୍ମିଳନୀ କେନ୍ଦ୍ର;
ନାଭରୁ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର;
ଫିଜିର ସାଇକ୍ଲୋନ ପ୍ରଭାବିତ କୃଷକମାନଙ୍କ ପାଇଁ ବିହନ;
ଏବଂ କିରିବାସର ସୋଲୋର ଆଲୋକ ପ୍ରକଳ୍ପ ।
ଏହା ସମସ୍ତ ଏହି ଅନୁଭବ ଉପରେ ଆଧାରିତ ଅଟେ । ଆମେ ବିନା କୌଣସି ସଂକୋଚରେ, ନିଜର ସାମର୍ଥ୍ୟ ଏବଂ ଅଭିଜ୍ଞତାକୁ ଆପଣଙ୍କ ସହିତ ବାଣ୍ଟିବାକୁ ପ୍ରସ୍ତୁତ ଅଛୁ । ଡିଜିଟାଲ ଟେକ୍ନୋଲୋଜି ହେଉ କିମ୍ବା ସ୍ପେସ୍ ଟେକ୍ନୋଲୋଜୀ; ସ୍ୱାସ୍ଥ୍ୟ ସୁରକ୍ଷା ହେଉ କିମ୍ବା ଖାଦ୍ୟ ସୁରକ୍ଷା; ଜଳବାୟୁ ପରିବର୍ତ୍ତନ ହେଉ କିମ୍ବା ପର୍ଯ୍ୟାବରଣ ସଂରକ୍ଷଣ; ଆମେ ସବୁ ସମୟରେ ଆପଣଙ୍କ ସହିତ ରହିଛୁ ।
ମାନ୍ୟଗଣ୍ୟ,
ଆପଣଙ୍କ ଭଳି ଆମେ ବହୁ ପକ୍ଷୀୟତା ଉପରେ ବିଶ୍ୱାସ କରୁ । ମୁକ୍ତ, ଖୋଲା ଏବଂ ଅନ୍ତର୍ଭୁକ୍ତ ଇଣ୍ଡୋ–ପାସିଫିକର ସମର୍ଥନ କରୁଛୁ । ସମସ୍ତ ଦେଶର ସାର୍ବଭୌମତ୍ୱ ଏବଂ ଅଖଣ୍ଡତାକୁ ସମ୍ମାନ ଦେଉଛୁ । ଜାତିସଂଘ ସୁରକ୍ଷା ପରିଷଦର ଶିଖରରୁ ଗ୍ଲୋବାଲ ସାଉଥର ସ୍ୱର ମଧ୍ୟ ଉଠାଯିବା ଉଚିତ । ଏଥିଫାଇଁ ଅନ୍ତର୍ଜାତୀୟ ଅନୁଷ୍ଠାନଗୁଡ଼ିକର ସଂସ୍କାର ଆମର ସାଧାରଣ ପ୍ରାଥମିକତା ହେବା ଉଚିତ । ହିରୋସିମା, ଅଷ୍ଟ୍ରେଲିଆ, ଆମେରିକା ଏବଂ ଜାପାନ ସହିତ କ୍ୱାଡରେ କଥାହେଲି । ଏହି ବାର୍ତ୍ତାଳପ ସମୟରେ ବିଶେଷ ଭାବରେ ଭାରତ–ପ୍ରଶାନ୍ତ ମହାସାଗର ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରାଯାଇଛି । କ୍ୱାଡର ବୈଠକରେ ଆମେ ପାଲାଉରେ ରେଡିଓ ଆକ୍ସେସ ନେଟୱର୍କ (ଆରଏଏନ) ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛୁ । ଆମେ ବହୁମୁଖି ଫର୍ମାଟରେ ପ୍ରଶାନ୍ତ ଦ୍ୱୀପ ଦେଶଗୁଡ଼ିକ ସହିତ ଯୋଗାଯୋଗ ବୃଦ୍ଧି କରିବୁ ।
ମାନ୍ୟଗଣ୍ୟ,
ମୁଁ ଖୁସି ଯେ ଫିଜିର ଦକ୍ଷିଣ ପ୍ରଶାନ୍ତ ବିଶ୍ୱବିଦ୍ୟାଳୟରେ ସ୍ଥାୟୀ ଉପକୂଳ ଏବଂ ମହାସାଗର ଅନୁସନ୍ଧାନ ପ୍ରତିଷ୍ଠାନ (ଏସସିଓଆରଆଇ) ପ୍ରତିଷ୍ଠା କରାଯାଇଛି । ଏହି ଅନୁଷ୍ଠାନ ପ୍ରଶାନ୍ତ ଦ୍ୱୀପପୁଞ୍ଜର ଦୂରଦୃଷ୍ଟି ସହିତ ନିରନ୍ତର ବିକାଶରେ ଭାରତର ଅଭିଜ୍ଞତାକୁ ଯୋଡ଼ିବ । ଆରଏଣ୍ଡଡି ସହିତ ଜଳବାୟୁ ପରିବର୍ତ୍ତନର ଆହ୍ୱାନଗୁଡ଼ିକୁ ସମାଧାନ କରିବାରେ ଏହା ମଧ୍ୟ ଉପଯୋଗୀ ହେବ । ଆଜି ମୁଁ ୧୪ ଦେଶ ନାଗରିକଙ୍କ କଲ୍ୟାଣ, ପ୍ରଗତି ଏବଂ ସମୃଦ୍ଧତା ପାଇଁ ଉତ୍ସର୍ଗ କରି ମୁଁ ଖୁସି ଅନୁଭବ କରୁଛି । ସେହିଭଳି ଭାବରେ, ମୋତେ ଖୁସି ଲାଗୁଛି ଯେ ଜାତୀୟ ଏବଂ ମାନବ ବିକାଶରେ ସ୍ପେସ୍ ଟେକ୍ନୋଲୋଜୀର ବ୍ୟବହାର ପାଇଁ ୱେବସାଇଟ ଉନ୍ମୋଚିତ ହୋଇଛି । ଏହା ମାଧ୍ୟମରେ, ଆପଣ ଭାରତୀୟ ଉପଗ୍ରହ ନେଟୱର୍କରୁ ଆପଣଙ୍କ ଦେଶର ରିମୋଟ ସେନ୍ସିଂ ଡାଟା ଡାଉନଡୋଲ କରିବାକୁ ସମର୍ଥ ହେବେ । ଏହାକୁ ନିଜ ନିଜ ଜାତୀୟ ବିକାଶ ଯୋଜନାରେ ବ୍ୟବହାର କରିବାକୁ ସକ୍ଷମ ହେବେ ।
ମାନ୍ୟଗଣ୍ୟ,
ବର୍ତ୍ତମାନ ମୁଁ ଆପଣ ସମସ୍ତଙ୍କ ବିଚାର ଜାଣିବା ପାଇଁ ଆଗ୍ରହୀ ଅଛି । ପୁଣିଥରେ, ଆଜି ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଥିବାରୁ ଆପଣ ସମସ୍ତଙ୍କୁ ବହୁତ ଧନ୍ୟବାଦ ।
NS/MB
Sharing my remarks at the FIPIC Summit. https://t.co/hrAcS0TnYE
— Narendra Modi (@narendramodi) May 22, 2023
At the FIPIC Summit in Papua New Guinea with fellow FIPIC leaders. pic.twitter.com/nOArwGJWdc
— Narendra Modi (@narendramodi) May 22, 2023