Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରବାସୀ ଓ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରୁଥିବା ଲୋକମାନଙ୍କ ସହାୟତା ତଥା ଥଇଥାନ ଲାଗି ବୃହତ ଯୋଜନାକୁ କ୍ୟାବିନେଟ ମଞ୍ଜୁରି


ପ୍ରବାସୀ ଏବଂ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରୁଥିବା ଲୋକମାନଙ୍କ ସହାୟତା ଏବଂ ଥଇଥାନ ଲାଗି ଏକ ବଡ ଯୋଜନାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ମଞ୍ଜୁର କରିଛନ୍ତି । ବୃହତ ଯୋଜନା ଅନ୍ତର୍ଗତ ଗୃହ ମନ୍ତ୍ରଣାଳୟର 8ଟି ବର୍ତ୍ତମାନର ଯୋଜନା ମାର୍ଚ୍ଚ, 2020 ପର୍ଯ୍ୟନ୍ତ ଜାରି ରଖିବା ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ଅନୁମୋଦନ ମିଳିଛି ।

ଆର୍ଥିକ ପ୍ରଭାବ :

2017-18 ଠାରୁ 2019-20 ସମୟରେ ଏହି ଉଦ୍ଦେଶ୍ୟ ଲାଗି ଆର୍ଥିକ ବ୍ୟୟ ଆନୁମାନିକ 3083 କୋଟି ଟଙ୍କା ହେବ । ବର୍ଷୱାରୀ ଆର୍ଥିକ ବ୍ୟୟ ଅଟକଳ 2017-18 ବର୍ଷ ଲାଗି 911 କୋଟି ଟଙ୍କା, 2018-19 ଲାଗି 1372 କୋଟି ଟଙ୍କା ଏବଂ 2019-20 ବର୍ଷ ଲାଗି 900 କୋଟି ଟଙ୍କା ଅଟେ ।

ଲାଭ :

ଏହି ଯୋଜନା ଦ୍ୱାରା ଶରଣାର୍ଥୀ, ବିସ୍ଥାପିତ ଲୋକ ଆତଙ୍କ/ଜାତିଭିତ୍ତିକ ହିଂସାରେ ପୀଡ଼ିତ ଏବଂ ସୀମାରେ ହେଉଥିବା ଗୁଳିମାଡ଼ରେ ପୀଡ଼ିତ ଏବଂ ଖଣି/ଆଇଇଡି ବିସ୍ଫୋରଣ ଏବଂ ସାମ୍ପ୍ରଦାୟିକ ହିଂସାରେ ପୀଡ଼ିତ ଲୋକମାନଙ୍କ ସହାୟତା ଏବଂ ଥଇଥାନ ପ୍ରଦାନ କରାଯିବ ।

ବିବରଣୀ : ମଞ୍ଜୁର କରାଯାଇଥିବା 8ଟି ଯୋଜନା ବର୍ତ୍ତମାନ ପ୍ରଚଳିତ ଅଛି ଏବଂ ମଞ୍ଜୁରୀପ୍ରାପ୍ତ ନିର୍ଦ୍ଦେଶ ଅନୁଯାୟୀ ଯୋଜନାର ଲାଭକୁ ନିର୍ଦ୍ଧାରିତ ସମୂହଙ୍କ ନିକଟରେ ପହଁଚାଯିବ ।

ଯୋଜନାଗୁଡ଼ିକ ନିମ୍ନରେ ଦିଆଗଲା :

ପାକ ଅଧିକୃତ ଜାମ୍ମୁ କାଶ୍ମୀର (ପିଓକେ)ରୁ ବିସ୍ଥାପିତ ପରିବାର ଏବଂ ଜାମ୍ମୁ କାଶ୍ମୀର ରାଜ୍ୟରେ ରହୁଥିବା ଚାମ୍ବମାନଙ୍କର ଥଇଥାନ ଲାଗି ସମ୍ପୂର୍ଣ୍ଣ କେନ୍ଦ୍ରୀୟ ସହାୟତା ।

ସୀମା ଭୂମି ବୁଝାମଣା ଅନ୍ତର୍ଗତ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଜନବସତି ଇଲାକାର ହସ୍ତାନ୍ତର ପରେ ବାଂଲାଦେଶ ଏବଂ କୁଚବିହାର ଜିଲ୍ଲାର ଜନବସତି ଇଲାକାରେ ଥଇଥାନ ପ୍ୟାକେଜ ଏବଂ ଭିତ୍ତିଭୂମି ବିକାଶ ।

ତାମିଲନାଡ଼ୁ ଏବଂ ଓଡ଼ିଶାର କ୍ୟାମ୍ପରେ ରହୁଥିବା ଶ୍ରୀଲଙ୍କା ଶରଣାର୍ଥୀମାନଙ୍କୁ ରିଲିଫ ସହାୟତା ।

ତିବ୍ବତୀୟ ଶରଣାର୍ଥୀସ୍ଥଳରେ ପ୍ରଶାସନିକ ଏବଂ ସାମାଜିକ କଲ୍ୟାଣ ବ୍ୟୟ ନିମନ୍ତେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ କେନ୍ଦ୍ରୀୟ ତିବ୍ବତୀୟ ଥଇଥାନ ସମିତି (ସିଟିଆରସି)କୁ ଆର୍ଥିକ ସହାୟତା ।

ତ୍ରିପୁରାର ଥଇଥାନ ଶିବିରରେ ରହୁଥିବା ବ୍ରୁସର ରକ୍ଷଣାବେକ୍ଷଣ ଲାଗି ତ୍ରିପୁରା ସରକାରଙ୍କୁ ଆର୍ଥିକ ସହାୟତା ।

ତ୍ରିପୁରାର ବ୍ରୁସ/ରିୟାଙ୍ଗ ପରିବାରଗୁଡ଼ିକୁ ମିଜୋରାମରେ ଥଇଥାନ ।

1984 ଶିଖ ବିରୋଧୀ ଦଙ୍ଗାରେ ମୃତକଙ୍କ ପାଇଁ ଥଇଥାନ ରାଶି ବୃଦ୍ଧି କରି ପାଞ୍ଚ ଲକ୍ଷ ଟଙ୍କା କରାଗଲା ।

ଆତଙ୍କ/ଜାତିଗତ ହିଂସାରେ ଏବଂ ସୀମା ପାର ଫାୟାରିଂରେ ଏବଂ ଖଣି/ଆଇଇଡି ବିସ୍ଫୋରଣର ପୀଡ଼ିତମାନଙ୍କ ସହାୟତା ଲାଗି କେନ୍ଦ୍ରୀୟ ଯୋଜନା ।

 

**********