ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ପ୍ରଗତି ମୈଦାନରେ “Uniting India: Sardar Patel” ଶୀର୍ଷକ ଡିଜିଟାଲ ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ ।
ପ୍ରଧାନମନ୍ତ୍ରୀ ଏହି ଅବସରରେ “ଏକ ଭାରତ ଶ୍ରେଷ୍ଠ ଭାରତ” ଅଭିଯାନର ମଧ୍ୟ ଶୁଭାରମ୍ଭ କରିଥିଲେ । ପ୍ରତ୍ୟେକ ରାଜ୍ୟ ଏବଂ ଏହାର ଜନସାଧାରଣ ପରସ୍ପରକୁ ଚିହ୍ନିବା ଓ ଜାଣିବା ହେଉଛି ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ । ଏହା ଦେଶରେ ବିବିଦ୍ଧତା ମଧ୍ୟରେ ଏକତାର ଭାବନାକୁ ବିକଶିତ ଓ ମଜବୁତ କରିବ । “ଏକ ଭାରତ ଶ୍ରେଷ୍ଠ ଭାରତ” କାର୍ଯ୍ୟକ୍ରମ ଅଧୀନରେ ଆଜି ବିଭିନ୍ନ ରାଜ୍ୟ ମଧ୍ୟରେ ୬ ଟି ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଛି ।
ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ମହାନ ରାଷ୍ଟ୍ର ନାୟକ ସର୍ଦ୍ଦାର ପଟେଲଙ୍କ ଅମ୍ଳାନ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେ କହିଥିଲେ ଯେ, ରାଷ୍ଟ୍ର ଗଠନରେ ପଟେଲଙ୍କ ମହନୀୟ ଅବଦାନ ରହିଛି । ଲୋକେ ଏହିଭଳି ମହାପୁରୁଷଙ୍କୁ କେବେହେଲେ ଭୁଲି ପାରିବେ ନାହିଁ ।
ଭାରତରେ ତତ୍କାଳୀନ ଦେଶୀୟ ତଥା ସାମନ୍ତ ରାଜ୍ୟମାନଙ୍କର ମିଶ୍ରଣ ଓ ଦେଶ ଏକତ୍ରିକରଣରେ ସର୍ଦ୍ଦାର ପଟେଲଙ୍କ ଐକାନ୍ତିକ ଅବଦାନ ଏବଂ ଭୂମିକା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶେଷ ଭାବେ ସ୍ମୃତିଚାରଣ କରିଥିଲେ ।
ପ୍ରଧାନମନ୍ତ୍ରୀ ଏହି ଅବସରରେ ଅନେକ ଉଦାହରଣର ଅବତାରଣା କରି “ଏକ ଭାରତ ଶ୍ରେଷ୍ଠ ଭାରତ” କିପରି ଦେଶର ରାଜ୍ୟ ରାଜ୍ୟ ଏବଂ ଜନଗଣଙ୍କ ମଧ୍ୟରେ ପାରସ୍ପରିକ ଭାବଗତ ସମ୍ପର୍କକୁ ମଜବୁତ କରିବ ସେ ସମ୍ପର୍କରେ ବୁଝାଇଥିଲେ ।
Flagged off the ‘Run for Unity.’ Role of Sardar Patel in unifying the nation is invaluable. pic.twitter.com/xlDAoHMYrs
— Narendra Modi (@narendramodi) October 31, 2016