Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଶ୍ରୀ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଟେଲିଫୋନ ବାର୍ତାଳାପ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆମେରିକା ରାଷ୍ଟ୍ରପତି ଶ୍ରୀ ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ଆଜି ଟେଲିଫୋନରେ ବାର୍ତାଳାପ କରିଛନ୍ତି । ନିଜର 30 ମିନିଟର ବାର୍ତାଳାପ ସମୟରେ ସେ ଦ୍ୱିପାକ୍ଷିକ ଏବଂ ଆଞ୍ଚଳିକ ବିଷୟ ସମ୍ବନ୍ଧରେ ଚର୍ଚ୍ଚା କରିଥିଲେ । ଦୁଇ ନେତାଙ୍କ ମଧ୍ୟରେ ଉଷ୍ମ ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ରହିଛି ।

ପ୍ରଧାନମନ୍ତ୍ରୀ ଚଳିତ ବର୍ଷ ଜୁନ ଶେଷବେଳକୁ ଜି-20 ଶିଖର ସମ୍ମିଳନୀ ଅବସରରେ ଓସାକାଠାରେ ସେମାନଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକ ସମ୍ବନ୍ଧରେ ସ୍ମରଣ କରିଥିଲେ । ଓସାକାରେ ହୋଇଥିବା ଦ୍ୱିପାକ୍ଷିକ ବିଚାର-ବିମର୍ଶର ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଏହି ଆଶା ପ୍ରକାଶ କରିଥିଲେ ଯେ ଭାରତର ବାଣିଜ୍ୟ ମନ୍ତ୍ରୀ ଏବଂ ଆମେରିକାର ବାଣିଜ୍ୟିକ ପ୍ରତିନିଧି ପାରସ୍ପରିକ ହିତ ନେଇ ଦ୍ୱିପାକ୍ଷିକ ବ୍ୟବସାୟିକ ସମ୍ଭାବନା ବାବଦରେ ବିଚାର ବିମର୍ଶ କରିବା ପାଇଁ ଖୁବ ଶୀଘ୍ର ଭେଟିବେ ।

ଆଞ୍ଚଳିକ ସ୍ଥିତି ସନ୍ଦର୍ଭରେ ପ୍ରଧାନମନ୍ତ୍ରୀ କହିଲେ ଯେ ଏହି କ୍ଷେତ୍ରର କିଛି ନେତାଙ୍କ ଦ୍ୱାରା ଭାରତ ବିରୋଧରେ ହିଂସାତ୍ମକ କାର୍ଯ୍ୟ ପାଇଁ କରାଯାଇଥିବା ବୟାନବାଜୀ ଶାନ୍ତି ପାଇଁ ଅନୁକୂଳ ନୁହେଁ । ସେ ବିନା କୌଣସି ବ୍ୟତିକ୍ରମରେ ଆତଙ୍କ ଏବଂ ହିଂସାରୁ ମୁକ୍ତ ବାତାବରଣ ସୃଷ୍ଟି ଏବଂ ସୀମାପାର ଆତଙ୍କବାଦରୁ ଦୁରେଇ ରହିବାର ମହତ୍ୱ ଉପରେ ଜୋର ଦେଇଥିଲେ ।

ପ୍ରଧାନମନ୍ତ୍ରୀ ଦାରିଦ୍ର୍ୟ, ଅଶିକ୍ଷା ଏବଂ ରୋଗ ସହିତ ଲଢିବାରେ ଏହି ମାର୍ଗକୁ ଅନୁସରଣ କରୁଥିବା କୌଣସି ବି ବ୍ୟକ୍ତିଙ୍କ ସହିତ ସହଯୋଗ କରିବା ପାଇଁ ଭାରତର ପ୍ରତିବଦ୍ଧତାକୁ ଦୋହରାଇଥିଲେ ।

ଆଜି ଆଫଗାନିସ୍ତାନର ସ୍ୱାଧୀନତାର 100 ବର୍ଷ ପୁରଣ ହେଉଥିବାର ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଏକ ସୁରକ୍ଷିତ ଲୋକତାନ୍ତ୍ରିକ ଏବଂ ବାସ୍ତବରେ ସ୍ୱାଧୀନ ଆଫଗାନିସ୍ତାନ ସହିତ କାମ କରିବା ନେଇ ଭାରତର ଦୀର୍ଘ ଏବଂ ଅତୁଟ ପ୍ରତିବଦ୍ଧତାକୁ ଦୋହରାଇଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ସେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହିତ ନିୟମିତ ଭାବେ ସମ୍ପର୍କରେ ରହିବାର ପ୍ରଶଂସା କରିଥିଲେ ।

************