ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆଜି ୨୦୨୫ର ପ୍ରଥମ ‘ମନ୍ କି ବାତ୍’ । ଆପଣମାନେ ଗୋଟିଏ କଥା ନିଶ୍ଚୟ ଲକ୍ଷ୍ୟ କରିଥିବେ । ପ୍ରତି ଥର ‘ମନ୍ କି ବାତ୍’ ମାସର ଶେଷ ରବିବାର ଦିନ ହୋଇଥାଏ । କିନ୍ତୁ ଏଥର, ଆମର ଗୋଟିଏ ସପ୍ତାହ ପୂର୍ବରୁ . . . ଚତୁର୍ଥ ରବିବାର ପରିବର୍ତ୍ତେ ତୃତୀୟ ରବିବାର ଦିନ ସାକ୍ଷାତ ହେଉଛି । କାରଣ, ଆସନ୍ତା ସପ୍ତାହ ରବିବାର ଦିନ ହେଉଛି ସାଧାରଣତନ୍ତ୍ର ଦିବସ । ମୁଁ ସମସ୍ତ ଦେଶବାସୀଙ୍କୁ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଆଗୁଆ ଶୁଭେଚ୍ଛା ଜଣାଉଛି ।
ବନ୍ଧୁଗଣ, ଏଥରର ସାଧାରଣତନ୍ତ୍ର ଦିବସର ଅନେକ ବିଶେଷତ୍ୱ ରହିଛି । ଏହା ଭାରତୀୟ ଗଣତନ୍ତ୍ରର ୭୫ତମ ବାର୍ଷିକୀ ଅଟେ । ଚଳିତ ବର୍ଷ ସମ୍ବିଧାନ କାର୍ଯ୍ୟକାରୀ ହେବାର ୭୫ ବର୍ଷ ପୂରଣ ହେଉଛି । ମୁଁ ସମ୍ବିଧାନ ସଭାର ସେହି ସମସ୍ତ ମହାନ ବ୍ୟକ୍ତିତ୍ୱମାନଙ୍କୁ ପ୍ରଣାମ କରୁଛି, ଯେଉଁମାନେ ଆମକୁ ଆମ ପବିତ୍ର ସମ୍ବିଧାନ ପ୍ରଦାନ କରିଛନ୍ତି । ସମ୍ବିଧାନ ସଭା ସମୟରେ ଅନେକ ବିଷୟ ଉପରେ ସୁଦୀର୍ଘ ଆଲୋଚନା ହୋଇଥିଲା । ସେହି ଆଲୋଚନା, ସମ୍ବିଧାନ ସଭାର ସଭ୍ୟମାନଙ୍କ ଚିନ୍ତାଧାରା, ସେମାନଙ୍କ ବାଣୀ, ଆମର ଏକ ବହୁତ ବଡ଼ ସମ୍ପତି । ‘ମନ୍ କି ବାତ୍’ ରେ ଆଜି ଆପଣମାନଙ୍କୁ କିଛି ମହାନ ନେତାମାନଙ୍କ ମୂଳ ସ୍ୱର ଶୁଣାଇବାକୁ ପ୍ରୟାସ କରିଛି ।
ବନ୍ଧୁଗଣ, ସମ୍ବିଧାନ ସଭା ଯେତେବେଳେ ନିଜ କାର୍ଯ୍ୟ ଆରମ୍ଭ କଲା, ସେତେବେଳେ ବାବାସାହେବ ଆମ୍ବେଦକର ମିଳିତ ସହଯୋଗ ସମ୍ପର୍କରେ ଗୋଟିଏ ମହତ୍ତ୍ୱପୂର୍ଣ୍ଣ କଥା କହିଥିଲେ । ତାଙ୍କର ସେହି କଥନ ଇଂରାଜୀରେ ରହିଛି । ଏହାର ଗୋଟିଏ ଅଂଶ ମୁଁ ଆପଣମାନଙ୍କୁ ଶୁଣାଉଛି ।
“So far as the ultimate goal is concerned, I think none of us need have any apprehensions. None of us need have any doubt, but my fear which I must express clearly is this, our difficulty as I said is not about the ultimate future. Our difficulty is how to make the heterogeneous mass that we have today, take a decision in common and march in a cooperative way on that road which is bound to lead us to unity. Our difficulty is not with regard to the ultimate; our difficulty is with regard to the beginning.”
ବନ୍ଧୁଗଣ, ବାବାସାହେବ ଏକଥା ଉପରେ ଗୁରୁତ୍ୱ ଦେଉଥିଲେ ଯେ, ସମ୍ବିଧାନ ସଭା, ମିଳିତ ଭାବେ, ଏକମତ ସହ ମିଶିକରି ସମସ୍ତଙ୍କ ହିତ ପାଇଁ କାର୍ଯ୍ୟ କରୁ । ମୁଁ ଆପଣଙ୍କୁ ସମ୍ବିଧାନ ସଭାର ଆଉ ଗୋଟିଏ ଅଡିଓ କ୍ଲିପ୍ ଶୁଣାଉଛି । ଏହି ସ୍ୱର ହେଉଛି ଡ. ରାଜେନ୍ଦ୍ର ପ୍ରସାଦଙ୍କର, ଯିଏ ସମ୍ବିଧାନ ସଭାର ମୁଖ୍ୟ ଥିଲେ । ଆସନ୍ତୁ ଶୁଣିବା ଡ. ରାଜେନ୍ଦ୍ର ପ୍ରସାଦଙ୍କ ସ୍ୱର –
“Our history shows us and our culture teaches us that we are and have always been peace loving. Our empire and our conquests have been of a different kind. We have never tried to shackle others in chains, be they of iron or gold. We have bound others with us by a silk thread that is stronger than iron chains but more beautiful and pleasant and that bond is of religion, culture and knowledge. We will continue to tread the same path and we have only one desire and wish; that wish is… we can help in establishing happiness and peace in the world and give the world the infallible weapons of truth and non-violence which have brought us freedom today. There is something in our life and culture that has given us the strength to survive despite the blows of time. If we keep our ideals before us, we will be able to offer a great service to the world.”
ବନ୍ଧୁଗଣ, ଡ. ରାଜେନ୍ଦ୍ର ପ୍ରସାଦ ମାନବୀୟ ମୂଲ୍ୟବୋଧ ପ୍ରତି ଦେଶର ପ୍ରତିବଦ୍ଧତା କଥା କହିଥିଲେ । ଏବେ ମୁଁ ଆପଣଙ୍କୁ ଡ. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ସ୍ୱର ଶୁଣାଉଛି । ସେ ସୁଯୋଗର ସମାନତା ବିଷୟ ଉତ୍ଥାପନ କରଛନ୍ତି । ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀ କହିଥିଲେ –
“I hope sir that we shall go ahead with our work in spite of all difficulties and thereby help to create that great India which will be the motherland of not this community or that, not this class or that, but of every person, man, woman and child inhabiting in this great land irrespective of race, caste, creed or community. Everyone will have an equal opportunity, so that he or she can develop himself or herself according to best talent and serve the great common motherland of India.”
ବନ୍ଧୁଗଣ, ମୁଁ ଆଶା କରୁଛି, ଆପଣଙ୍କୁ ମଧ୍ୟ ସମ୍ବିଧାନ ସଭାର ବିତର୍କ ମଧ୍ୟରୁ ଏହି ମୂଳ ସ୍ୱରସବୁ ଶୁଣି ଭଲ ଲାଗିଥିବ । ଆମେ ଦେଶବାସୀ, ଏହି ଚିନ୍ତାଧାରାରୁ ପ୍ରେରଣା ଗ୍ରହଣ କରି, ଏଭଳି ଭାରତ ନିର୍ମାଣ ପାଇଁ କାମ କରିବାକୁ ହେବ, ଯାହାକୁ ନେଇ ଆମ ସମ୍ବିଧାନ ନିର୍ମାତାମାନେ ମଧ୍ୟ ଗର୍ବିତ ହେବେ ।
ବନ୍ଧୁଗଣ, ସାଧାରଣତନ୍ତ୍ର ଦିବସର ଗୋଟିଏ ଦିନ ପୂର୍ବରୁ ଜାନୁଆରୀ ୨୫ ତାରିଖ ହେଉଛି ଜାତୀୟ ମତଦାତା ଦିବସ । ଏହି ଦିନଟି ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ କାରଣ, ଏହି ଦିନ ଭାରତୀୟ ନିର୍ବାଚନ ଆୟୋଗର ପ୍ରତିଷ୍ଠା ହୋଇଥିଲା … Election Commission। ଆମ ସମ୍ବିଧାନ ନିର୍ମାତାଗଣ ସମ୍ବିଧାନରେ ଆମ ନିର୍ବାଚନ ଆୟୋଗକୁ ଏବଂ ଗଣତନ୍ତ୍ରରେ ଜନସାଧାରଣଙ୍କ ଅଂଶଗ୍ରହଣକୁ ବହୁତ ଗୁରୁତ୍ୱ ପ୍ରଦାନ କରିଛନ୍ତି । ଦେଶରେ ଯେତେବେଳେ ୧୯୫୧–୫୨ ମସିହାରେ ପ୍ରଥମ ଥର ପାଇଁ ନିର୍ବାଚନ ହୋଇଥିଲା, ସେତେବେଳେ “ଏ ଦେଶରେ କ’ଣ ଗଣତନ୍ତ୍ର ଜୀବିତ ରହିପାରିବ!” ସେ କଥାକୁ ନେଇ କିଛି ଲୋକଙ୍କ ମନରେ ଆଶଙ୍କା ଥିଲା । କିନ୍ତୁ ଆମ ଗଣତନ୍ତ୍ର ସମସ୍ତ ଆଶଙ୍କାକୁ ଭୁଲ ପ୍ରମାଣିତ କଲା । ଯେତେହେଲେ, ଭାରତ ହେଉଛି ଗଣତନ୍ତ୍ରର ଜନନୀ । ବିଗତ ଦଶନ୍ଧିମାନଙ୍କରେ ମଧ୍ୟ ଦେଶର ଗଣତନ୍ତ୍ର ସଶକ୍ତ ହୋଇଛି, ସମୃଦ୍ଧ ହୋଇଛି । ମୁଁ ନିର୍ବାଚନ ଆୟୋଗଙ୍କୁ ମଧ୍ୟ ଧନ୍ୟବାଦ ଦେଉଛି, ଯିଏ ସମୟ ସମୟରେ ଆମ ନିର୍ବାଚନ ପ୍ରକ୍ରିୟାକୁ ଆଧୁନିକ କରିଛନ୍ତି, ସୁଦୃଢ଼ କରିଛନ୍ତି । ଜନଶକ୍ତିକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ବୈଷୟିକ ଶକ୍ତିକୁ ବ୍ୟବହାର କରିଛନ୍ତି । ନିରପେକ୍ଷ ନିର୍ବାଚନ ପାଇଁ ତାଙ୍କର ସମର୍ପଣ ଭାବ ଯୋଗୁଁ ମୁଁ ତାଙ୍କୁ ଅଭିନନ୍ଦନ ଜଣାଉଛି । ମୁଁ ଦେଶବାସୀଙ୍କୁ ଅନୁରୋଧ କରୁଛି – ସେ ଅଧିକରୁ ଅଧିକ ସଂଖ୍ୟାରେ ନିଜର ମତାଧିକାରକୁ ଉପଯୋଗ କରନ୍ତୁ, ସର୍ବଦା କରନ୍ତୁ ଏବଂ ଦେଶର ଗଣତାନ୍ତ୍ରିକ ପ୍ରଣାଳୀର ଅଂଶବିଶେଷ ହୁଅନ୍ତୁ ଏବଂ ଏହି ପ୍ରଣାଳୀକୁ ସଶକ୍ତ ମଧ୍ୟ କରନ୍ତୁ ।
ମୋର ପ୍ରିୟ ଦେଶବାସୀଗଣ, ପ୍ରୟାଗରାଜରେ ମହାକୁମ୍ଭର ଶୁଭାରମ୍ଭ ହୋଇସାରିଛି । ଚିରସ୍ମରଣୀୟ ଜନସ୍ରୋତ, ଅକଳ୍ପନୀୟ ଦୃଶ୍ୟ ଏବଂ ସମାନତାର ଅସାଧାରଣ ସଙ୍ଗମ! ଏଥର କୁମ୍ଭରେ ଅନେକ ଦିବ୍ୟ ଯୋଗ ମଧ୍ୟ ସୃଷ୍ଟି ହେଉଛି । ଏହି କୁମ୍ଭ ଉତ୍ସବ ବିବିଧତାରେ ଏକତାର ଉତ୍ସବ ପାଳନ କରିଥାଏ । ସଙ୍ଗମର ବାଲୁକା ରାଶିରେ ସାରା ଭାରତର, ସମଗ୍ର ବିଶ୍ୱର ଲୋକେ ଏକତ୍ରିତ ହୋଇଥାଆନ୍ତି । ହଜାର ହଜାର ବର୍ଷ ଧରି ଚାଲି ଆସିଥିବା ଏହି ପରମ୍ପରାରେ ନ ଥାଏ କୌଣସି ଭେଦଭାବ, ନଥାଏ ଜାତିବାଦ । ଏଥିରେ ଭାରତର ଦକ୍ଷିଣାଂଚଳରୁ ଲୋକେ ଆସନ୍ତି, ଭାରତର ପୂର୍ବାଞ୍ଚଳ ଓ ପଶ୍ଚିମାଞ୍ଚଳରୁ ଲୋକେ ମଧ୍ୟ ଆସିଥାଆନ୍ତି । କୁମ୍ଭରେ ଧନୀ–ଗରିବ ସମସ୍ତେ ଏକ ହୋଇଯାଆନ୍ତି । ସମସ୍ତେ ସଙ୍ଗମରେ ବୁଡ଼ ପକାନ୍ତି, ଅନ୍ନଛତ୍ରରେ ଏକାଠି ଭୋଜନ କରନ୍ତି, ପ୍ରସାଦ ସେବନ କରନ୍ତି । ସେଇଥିପାଇଁ ତ କୁମ୍ଭ ହେଉଛି ଏକତାର ମହାକୁମ୍ଭ । କୁମ୍ଭର ଆୟୋଜନ ଆମକୁ ଏକଥା ମଧ୍ୟ ସୂଚାଇ ଥାଏ ଯେ, ଆମ ପରମ୍ପରା ଗୁଡ଼ିକ କିଭଳି ସମଗ୍ର ଭାରତକୁ ଏକତାର ସୂତ୍ରରେ ବାନ୍ଧି ରଖୁଛି । ଉତ୍ତରରୁ ଦକ୍ଷିଣ ଯାଏଁ ସମସ୍ତଙ୍କ ବିଶ୍ୱାସ ଏବଂ ଏହାର ପାଳନ ଏକାଭଳି ରହିଛି । ଗୋଟିଏ ପଟେ ପ୍ରୟାଗରାଜ୍, ଉଜ୍ଜୟିନୀ, ନାସିକ ଏବଂ ହରିଦ୍ୱାରରେ କୁମ୍ଭର ଆୟୋଜନ ହୋଇଥାଏ, ସେହିପରି, ଦକ୍ଷିଣାଞ୍ଚଳରେ ଗୋଦାବରୀ, କୃଷ୍ଣା, ନର୍ମଦା ଏବଂ କାବେରୀ ନଦୀତଟରେ ମଧ୍ୟ ପୁଷ୍କରମ୍ ଅନୁଷ୍ଠିତ ହୋଇଥାଏ । ଏହି ଉଭୟ ପର୍ବ ଆମ ପବିତ୍ର ନଦୀଗୁଡ଼ିକ ସହ, ଏହାପ୍ରତି ରହିଥିବା ଆସ୍ଥା ସହ ଜଡ଼ିତ । ସେହିଭଳି, କୁମ୍ଭକୋଣମ୍ ଠାରୁ ତିରୁକ୍କଡ଼–ୟୂର୍, କୁଡ଼୍–ୱାସଲ୍ ଠାରୁ ତିରୁଚେରାଇ ପର୍ଯ୍ୟନ୍ତ ଏଭଳି ଅନେକ ମନ୍ଦିର ରହିଛି ଯାହାର ପରମ୍ପରା କୁମ୍ଭ ସହ ଜଡ଼ିତ ।
ବନ୍ଧୁଗଣ, ଏଥର କୁମ୍ଭରେ ବିଶେଷ ଭାବେ ଯୁବବର୍ଗ ଅଂଶଗ୍ରହଣ କରିଥିବା ଆପଣମାନେ ସମସ୍ତେ ଲକ୍ଷ୍ୟ କରିଥିବେ । ଏଥିରେ ସେମାନଙ୍କ ଭାଗନେବା ବ୍ୟାପକ ଭାବେ ଦୃଷ୍ଟିଗୋଚର ହେଉଛି ଏବଂ ଏକଥା ମଧ୍ୟ ସତ୍ୟ ଯେ, ଯେତେବେଳେ ଯୁବ ପିଢ଼ି, ନିଜ ସଭ୍ୟତା ସହ ଗର୍ବର ସହ ଯୋଡ଼ି ହୋଇଥାଏ, ସେତେବେଳେ ଏହାର ମୂଳଦୂଆ ଆହୁରି ସୁଦୃଢ଼ ହୋଇଥାଏ । ଆଉ ସେତେବେଳେ ତା’ର ସ୍ୱର୍ଣ୍ଣିମ ଭବିଷ୍ୟତ ମଧ୍ୟ ସୁନିଶ୍ଚିତ ହୋଇଯାଇଥାଏ । ଏଥର ଆମେ କୁମ୍ଭର ଡିଜିଟାଲ୍ ଫୁଟପ୍ରିଣ୍ଟସ୍ ମଧ୍ୟ ବ୍ୟାପକ ଭାବରେ ଦେଖିପାରୁଛୁ । କୁମ୍ଭର ଏହି ବୈଶ୍ୱିକ ଲୋକପ୍ରିୟତା ପ୍ରତ୍ୟେକ ଭାରତୀୟ ପାଇଁ ଗର୍ବର ବିଷୟ ।
ବନ୍ଧୁଗଣ, କିଛିଦିନ ତଳେ ହିଁ ପଶ୍ଚିମବଙ୍ଗରେ ‘ଗଙ୍ଗା ସାଗର ମେଳା’ର ମଧ୍ୟ ସୁନ୍ଦର ଆୟୋଜନ ହୋଇଛି । ପବିତ୍ର ସଂକ୍ରାନ୍ତି ଅବସରରେ ଅନୁଷ୍ଠିତ ଏହି ମେଳାରେ ସମଗ୍ର ପୃଥିବୀର ଲକ୍ଷ ଲକ୍ଷ ଭକ୍ତ ବୁଡ଼ ପକାଇଛନ୍ତି । ‘କୁମ୍ଭ’, ‘ପୁଷ୍କରମ୍’ ଓ ‘ଗଙ୍ଗା ସାଗର ମେଳା’- ଆମର ଏଇ ପର୍ବ, ଆମର ସାମାଜିକ ଘନିଷ୍ଠତାକୁ, ସଦ୍ଭାବକୁ, ଏକତାକୁ ବଢ଼ାଇବାର ପର୍ବ । ଏହି ପର୍ବ ଭାରତୀୟଙ୍କୁ ଭାରତର ପରମ୍ପରା ସହିତ ଯୋଡ଼ିଥାଏ ଏବଂ ଆମ ଶାସ୍ତ୍ର ଯେମିତି ସଂସାରରେ ଧର୍ମ, ଅର୍ଥ, କାମ, ମୋକ୍ଷ, ଚାରିଟି ଉପରେ ଗୁରୁତ୍ୱ ଦେଇଛି ଠିକ୍ ସେମିତି ଆମର ପର୍ବ ଓ ପରମ୍ପରା ମଧ୍ୟ ଆଧ୍ୟାତ୍ମିକ, ସାମାଜିକ, ସାଂସ୍କୃତିକ ଏବଂ ଆର୍ଥିକ ପ୍ରତ୍ୟେକ ପକ୍ଷକୁ ସଶକ୍ତ କରିଥାନ୍ତି ।
ବନ୍ଧୁଗଣ, ଆମେ ଏଇ ମାସରେ ‘ପୌଷ ଶୁକ୍ଳ ଦ୍ୱାଦଶୀ’ ଦିନ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପର୍ବର ପ୍ରଥମ ବାର୍ଷିକୀ ପାଳନ କରିଛୁ । ଏ ବର୍ଷ ‘ପୌଷ ଶୁକ୍ଳ ଦ୍ୱାଦଶୀ’ ୧୧ ଜାନୁଆରୀରେ ପଡ଼ିଥିଲା । ଏହି ଦିନ ଲକ୍ଷ ଲକ୍ଷ ଭକ୍ତ ଅଯୋଧ୍ୟାରେ ରାମଲାଲାଙ୍କ ସାକ୍ଷାତ ଦର୍ଶନ କରି ତାଙ୍କ ଆଶୀର୍ବାଦ ଗ୍ରହଣ କଲେ । ପ୍ରାଣ ପ୍ରତିଷ୍ଠାର ଏହି ଦ୍ୱାଦଶୀ, ଭାରତର ସାଂସ୍କୃତିକ ଚେତନାର ପୁନଃପ୍ରତିଷ୍ଠାର ଦ୍ୱାଦଶୀ । ସେଇଥିପାଇଁ ପୌଷ ଶୁକ୍ଳ ଦ୍ୱାଦଶୀର ଏହି ଦିନ ଏକ ପ୍ରକାରର ପ୍ରତିଷ୍ଠା–ଦ୍ୱାଦଶୀ ଦିବସ ପାଲଟିଯାଇଛି । ଆମକୁ ବିକାଶର ରାସ୍ତାରେ ଚାଲିବା ବେଳେ ଏହିପରି ନିଜର ଐତିହ୍ୟ ଗୁଡ଼ିକୁ ସଂରକ୍ଷିତ କରିବା ସହିତ, ସେଗୁଡ଼ିକରୁ ପ୍ରେରଣା ନେଇ ଅଗ୍ରସର ହେବା ଦରକାର ।
ମୋର ପ୍ରିୟ ଦେଶବାସୀଗଣ, ୨୦୨୫ ଆରମ୍ଭରେ ହିଁ ଭାରତ ମହାକାଶ କ୍ଷେତ୍ରରେ କେତେକ ଐତିହାସିକ ସଫଳତା ହାସଲ କରିଛି । ଆଜି ଏକଥା ଜଣାଇବା ବେଳେ ମୋତେ ଗର୍ବ ଲାଗୁଛି ଯେ ଜଣେ ଭାରତୀୟ ସ୍ପେସ୍–ଟେକ୍ ଷ୍ଟାର୍ଟଅପ୍ ବେଙ୍ଗାଲୁରୁର ପିକ୍ସେଲ୍ ଭାରତର ପ୍ରଥମ ଘରୋଇ ସାଟେଲାଇଟ୍ କନ୍ଷ୍ଟେଲେସନ – ‘ଫାୟାର୍ଫ୍ଲାଏ’କୁ ସଫଳତାର ସହ ଆରମ୍ଭ କରିଛି । ଏହି ସାଟେଲାଇଟ୍ କନ୍ଷ୍ଟେଲେସନ ପୃଥିବୀର ସବୁଠୁ ହାଇ ରିଜୋଲ୍ୟୁସନ ହାଇପର୍ ସ୍ପେକ୍ଟ୍ରାଲ୍ ସାଟେଲାଇଟ୍ କନ୍ଷ୍ଟେଲେସନ ଅଟେ । ଏହି ସଫଳତା କେବଳ ଭାରତକୁ ଆଧୁନିକ ମହାକାଶ ପ୍ରଯୁକ୍ତିରେ ଅଗ୍ରଣୀ କରିନାହିଁ ବରଂ ଏହା ଆତ୍ମନିର୍ଭର ଭାରତ ଦିଗରେ ଏକ ବଡ଼ ପଦକ୍ଷେପ । ଏହି ସଫଳତା ଆମର ଘରୋଇ ମହାକାଶ କ୍ଷେତ୍ରର କ୍ରମବର୍ଦ୍ଧିଷ୍ଣୁ ଶକ୍ତି ଓ ନବସୃଜନର ପ୍ରତୀକ । ମୁଁ ଏହି ସଫଳତା ପାଇଁ ପିକ୍ସେଲ୍ ଟିମ୍, ଇସ୍ରୋ ଓ ଇନ୍–ସ୍ପେସ୍ର ଟିମକୁ ସମଗ୍ର ଦେଶ ତରଫରୁ ଅଭିନନ୍ଦନ ଜଣାଉଛି ।
ବନ୍ଧୁଗଣ, କିଛିଦିନ ତଳେ ଆମର ବୈଜ୍ଞାନିକମାନେ ମହାକାଶ କ୍ଷେତ୍ରରେ ହିଁ ଆଉ ଏକ ବଡ଼ ସଫଳତା ହାସଲ କରିଛନ୍ତି । ଆମ ବୈଜ୍ଞାନିକମାନେ ଉପଗ୍ରହର ସ୍ପେସ୍ ଡକିଙ୍ଗ୍ କରାଇଛନ୍ତି । ଯେତେବେଳେ ମହାକାଶରେ ମହାକାଶଯାନ ଯୋଡ଼ାଯାଏ, ସେହି ପ୍ରକ୍ରିୟାକୁ ସ୍ପେସ୍ ଡକିଙ୍ଗ୍ କୁହାଯାଏ । ଏହି ପ୍ରଯୁକ୍ତି ମହାକାଶରେ ସ୍ପେସ୍ ଷ୍ଟେସନ ପର୍ଯ୍ୟନ୍ତ ସପ୍ଲାଏ ପଠାଇବା ଓ କ୍ରିଉ ମିଶନ ପାଇଁ ଗୁରୁତ୍ୱପୂର୍ଣ୍ଣ । ଭାରତ ଚତୁର୍ଥ ଦେଶ ଭାବେ ଏହି ସଫଳତା ହାସଲ କରିଛି ।
ବନ୍ଧୁଗଣ, ଆମର ବୈଜ୍ଞାନିକ ମହାକାଶରେ ଚାରା ଉତ୍ପାଦନ ଓ ସେଗୁଡ଼ିକୁ ଜୀବିତ ରଖିବାର ପ୍ରୟାସ ମଧ୍ୟ କରୁଛନ୍ତି । ଏଥିପାଇଁ ଇସ୍ରୋର ବୈଜ୍ଞାନିକମାନେ lobia (ଲୋବିଆ) ମଞ୍ଜିକୁ ବାଛିଥିଲେ । ଡିସେମ୍ବର ୩୦ରେ ପଠାଯାଇଥିବା ଏହି ମଞ୍ଜି ମହାକାଶରେ ହିଁ ଗଜା ହୋଇଛି । ଏହା ଏକ ବହୁତ ପ୍ରେରଣାଦାୟକ ଗବେଷଣା, ଯାହା ଭବିଷ୍ୟତରେ ମହାକାଶରେ ପନିପରିବା ଉତ୍ପାଦନର ରାସ୍ତା ଖୋଲିବ । ଏହା ଦେଖାଇ ଦେଇଛି ଯେ ଆମର ବୈଜ୍ଞାନିକମାନେ କେତେ ଦୂରଦର୍ଶୀ ବିଚାର ସହିତ କାର୍ଯ୍ୟ କରୁଛନ୍ତି ।
ବନ୍ଧୁଗଣ, ମୁଁ ଆପଣମାନଙ୍କୁ ଆଉ ଗୋଟିଏ ପ୍ରେରଣାଦାୟକ ଉଦ୍ୟମ ସମ୍ପର୍କରେ କହିବାକୁ ଚାହୁଁଛି । ଆଇଆଇଟି ମାଡ୍ରାସର ଏକ୍ସଟେମ୍ କେନ୍ଦ୍ର ମହକାଶରେ ମାନୁଫାକ୍ଚରିଙ୍ଗ୍ ପାଇଁ ନୂଆ ପ୍ରଯୁକ୍ତି ଦିଗରେ କାମ କରୁଛି । ଏହି କେନ୍ଦ୍ର ମହାକାଶରେ ଥ୍ରୀଡି ପ୍ରିଣ୍ଟେଡ୍ ବିଲ୍ଡିଂସ୍, ମେଟାଲ୍ ଫୋମ୍ସ ଓ ଅପ୍ଟିକାଲ୍ ଫାଇବର୍ସ ଭଳି ପ୍ରଯୁକ୍ତି ଉପରେ ଗବେଷଣା କରୁଛି । ଏହି କେନ୍ଦ୍ର ବିନା ପାଣିରେ କଂକ୍ରିଟ୍ ନିର୍ମାଣ ଭଳି ବୈପ୍ଳବିକ ପଦ୍ଧତିର ମଧ୍ୟ ବିକାଶ କରୁଛି । ଏକ୍ସଟେମ୍ର ଏହି ଗବେଷଣା ଭାରତର ଗଗନଯାନ ମିଶନ ଓ ଭବିଷ୍ୟତର ସ୍ପେସ୍ ଷ୍ଟେସନକୁ ଶକ୍ତିଶାଳୀ କରିବ । ଏହାଦ୍ୱାରା ମାନୁଫାକ୍ଚରିଙ୍ଗରେ ଆଧୁନିକ ପ୍ରଯୁକ୍ତିର ନୂଆ ରାସ୍ତା ମଧ୍ୟ ଖୋଲିବ ।
ବନ୍ଧୁଗଣ, ଏହି ସମସ୍ତ ସଫଳତା ଏହାର ପ୍ରମାଣ ଯେ ଭାରତର ବୈଜ୍ଞାନିକ ଓ ଉଦ୍ଭାବକମାନେ ଭବିଷ୍ୟତ ଆହ୍ୱାନ ଗୁଡ଼ିକର ସମାଧାନ ପାଇଁ କେତେ ଦୂରଦର୍ଶୀ । ଆମ ଦେଶ ଆଜି ମହାକାଶ ପ୍ରଯୁକ୍ତିରେ ନୂଆ କୀର୍ତ୍ତି ସ୍ଥାପନ କରୁଛି । ମୁଁ ଭାରତର ବୈଜ୍ଞାନିକ, ଉଦ୍ଭାବକ ଓ ଯୁବ ଉଦ୍ୟୋଗୀମାନଙ୍କୁ ସମଗ୍ର ଦେଶ ପକ୍ଷରୁ ଶୁଭକାମନା ଜଣାଉଛି ।
ମୋର ପ୍ରିୟ ଦେଶବାସୀଗଣ, ଆପଣ ଅନେକ ଥର ମଣିଷ ଓ ପଶୁଙ୍କ ଭିତରେ ଅଦ୍ଭୁତ ପ୍ରକାର ବନ୍ଧୁତାର ଫଟୋ ଦେଖିଥିବେ, ଆପଣ ପଶୁମାନଙ୍କର ବିଶ୍ୱସ୍ତତାର କାହାଣୀ ଶୁଣିଥିବେ । ପୋଷା ହେଉ କି ଜଙ୍ଗଲରେ ରହୁଥିବା ପଶୁ, ମଣିଷ ସହିତ ତାଙ୍କର ସମ୍ପର୍କ ଅନେକ ସମୟରେ ଆଶ୍ଚର୍ଯ୍ୟ କରିଦିଏ । ପଶୁମାନେ କହିପାରନ୍ତିନି ସିନା, ସେମାନଙ୍କ ଭାବନାକୁ, ସେମାନଙ୍କ ହାବଭାବକୁ ମଣିଷ ଅନାୟାସରେ ଠଉରାଇନିଏ । ପଶୁମାନେ ମଧ୍ୟ ମଣିଷର ଭାଷା ବୁଝନ୍ତି, ତାକୁ ପାଳନ କରନ୍ତି । ମୁଁ ଆପଣମାନଙ୍କୁ ଆସାମର ଏକ ଉଦାହରଣ ଦେବାକୁ ଚାହୁଁଛି । ଆସାମର ଗୋଟିଏ ଜାଗା ହେଉଛି ‘ନୌଗାଓଁ’ । ‘ନୌଗାଓଁ’ ଆମ ଦେଶର ମହାପୁରୁଷ ଶ୍ରୀମନ୍ତ ଶଙ୍କରଦେବଙ୍କ ଜନ୍ମସ୍ଥାନ ମଧ୍ୟ । ଏହି ସ୍ଥାନଟି ବହୁତ ସୁନ୍ଦର । ଏଠାରେ ହାତୀମାନଙ୍କର ଏକ ବଡ଼ ରହଣୀସ୍ଥଳ ମଧ୍ୟ ଅଛି । ପୂର୍ବରୁ ଏହି ଅଞ୍ଚଳରେ ଅନେକ ଘଟଣା ଦେଖାଯାଉଥିଲା, ଯେଉଁଥିରେ ହାତୀପଲ ଫସଲ ନଷ୍ଟ କରୁଥିଲେ, ଚାଷୀମାନେ ହଇରାଣ ହେଉଥିଲେ; ଫଳରେ ଆଖପାଖ ପ୍ରାୟ ୧୦୦ଟି ଗାଁର ଲୋକ ବହୁତ ଚିନ୍ତିତ ଥିଲେ, କିନ୍ତୁ ଗ୍ରାମବାସୀ ହାତୀମାନଙ୍କର ବିବଶତା ମଧ୍ୟ ବୁଝିପାରୁଥିଲେ । ସେମାନେ ଜାଣିଥିଲେ ଯେ ହାତୀମାନେ ନିଜର ଭୋକ ମେଣ୍ଟାଇବା ପାଇଁ କ୍ଷେତକୁ ଆସୁଛନ୍ତି, ତେଣୁ ଗ୍ରାମବାସୀ ଏହାର ସମାଧାନ ବାହାର କରିବା କଥା ଚିନ୍ତା କଲେ । ଗ୍ରାମବାସୀ ଗୋଟିଏ ଦଳ ତିଆରି କଲେ, ଯାହାର ନାଁ ଥିଲା ‘ହାତୀ ବନ୍ଧୁ’ । ହାତୀ ବନ୍ଧୁମାନେ ବିଚାରବିମର୍ଶ କରି ପ୍ରାୟ ୮୦୦ ବିଘା ପତିତ ଜମିରେ ଏକ ନିଆରା ପ୍ରୟାସ କଲେ । ଏହି ଗ୍ରାମବାସୀ ମିଳିମିଶି ନାପିଏର୍ ଘାସ ଚାଷ କଲେ । ଏହି ଘାସକୁ ହାତୀମାନେ ବହୁତ ପସନ୍ଦ କରିଥାନ୍ତି । ଏହାର ପ୍ରଭାବ ଏଭଳି ପଡ଼ିଲା ଯେ ହାତୀମାନେ ଆଉ କ୍ଷେତ ଆଡ଼କୁ ଯିବା କମ୍ କରିଦେଲେ । ଏହା ହଜାର ହଜାର ଗ୍ରାମବାସୀଙ୍କ ପାଇଁ ବହୁତ ଆଶ୍ୱାସନାର କଥା ଥିଲା । ସେମାନଙ୍କର ଏହି ଉଦ୍ୟମ ହାତୀମାନଙ୍କୁ ମଧ୍ୟ ଖୁବ୍ ଭଲ ଲାଗିଲା ।
ବନ୍ଧୁଗଣ, ଆମ ସଂସ୍କୃତି ଓ ଐତିହ୍ୟ ଆମ ଆଖପାଖର ପଶୁପକ୍ଷୀମାନଙ୍କୁ ଭଲ ପାଇବା ଶିଖାଇଥାଏ । ଏହା ଆମ ସମସ୍ତଙ୍କ ପାଇଁ ବହୁତ ଖୁସିର କଥା ଯେ ଗତ ଦୁଇମାସ ଭିତରେ ଆମ ଦେଶରେ ଦୁଇଟି ନୂଆ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପ୍ରତିଷ୍ଠା ହୋଇଛି । ଏଥିରୁ ଗୋଟିଏ ହେଲା ଛତିଶଗଡ଼ର ଗୁରୁ ଘାସିଦାସ–ତମୋର–ପିଙ୍ଗଲା ଟାଇଗର୍ ରିଜର୍ଭ ଓ ଦ୍ୱିତୀୟଟି ହେଉଛି ଏମ୍ପିର ରାତାପାନି ଟାଇଗର୍ ରିଜର୍ଭ ।
ମୋର ପ୍ରିୟ ଦେଶବାସୀଗଣ, ସ୍ୱାମୀ ବିବେକାନନ୍ଦ ଜୀ କହିଥିଲେ, ଯେଉଁ ବ୍ୟକ୍ତି ଭିତରେ ବିଚାରକୁ ନେଇ ଆବେଗ ରହିଥାଏ, ସେ ନିଜର ଲକ୍ଷ୍ୟ ହାସଲ କରିବାରେ ସଫଳ ହୁଏ । କୌଣସି ବିଚାରକୁ ସଫଳ କରିବାକୁ ହେଲେ ଆମର Passion ଏବଂ Dedication ସବୁଠୁ ଜରୁରୀ ହୋଇଥାଏ । ସଂପୂର୍ଣ୍ଣ ଯତ୍ନ ଓ ଉତ୍ସାହ ଦ୍ୱାରା Innovation, Creativity ଓ ସଫଳତାର ରାସ୍ତା ଅବଶ୍ୟ ବାହାରିଥାଏ । କିଛିଦିନ ତଳେ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀରେ ମୋତେ ‘ବିକଶିତ ଭାରତ୍ ୟଙ୍ଗ୍ ଲିଡର୍ସ ଡାଏଲଗ୍’ରେ ଅଂଶଗ୍ରହଣ କରିବାର ସୌଭାଗ୍ୟ ମିଳିଥିଲା । ସେଠାରେ ମୁଁ ଦେଶର କୋଣ ଅନୁକୋଣରୁ ଆସିଥିବା ଯୁବବନ୍ଧୁମାନଙ୍କ ସହିତ ପୁରା ଦିନ ବିତାଇଥିଲି । ଯୁବକଯୁବତୀମାନେ ଷ୍ଟାର୍ଟଅପ୍ସ, ସଂସ୍କୃତି, ମହିଳା, ଯୁବ ଓ ଭିତ୍ତିଭୂମି ଭଳି ଅନେକ କ୍ଷେତ୍ରକୁ ନେଇ ନିଜ ନିଜର ବିଚାର ଉପସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମ ମୋ ପାଇଁ ବହୁତ ସ୍ମରଣୀୟ ଥିଲା ।
ବନ୍ଧୁଗଣ, ଏଇ କିଛିଦିନ ତଳେ ଷ୍ଟାର୍ଟ–ଅପ ଇଣ୍ଡିଆକୁ ୯ ବର୍ଷ ପୂରଣ ହେଲା । ଆମ ଦେଶରେ ଯେତିକି ଷ୍ଟାର୍ଟ–ଅପ୍ସ ୯ ବର୍ଷରେ ହୋଇଛନ୍ତି ସେଗୁଡ଼ିକ ଭିତରୁ ଅଧାରୁ ଅଧିକ ଟାୟାର–୨ ଏବଂ ଟାୟାର–୩ ବର୍ଗର ସହରରୁ ଆସିଛନ୍ତି । ଯେତେବେଳେ ଆମେ ଏହା ଶୁଣୁଛେ ସେତେବେଳେ ପ୍ରତ୍ୟେକ ଭାରତୀୟର ମନ ଆନନ୍ଦିତ ହୋଇଯାଉଛି । ଅର୍ଥାତ୍ ଆମର ଷ୍ଟାର୍ଟ–ଅପ୍ Cultureର କେବଳ ବଡ଼ ସହର ପର୍ଯ୍ୟନ୍ତ ସୀମିତ ନାହିଁ । ଆଉ ଆପଣ ଏକଥା ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଛୋଟ ଛୋଟ ସହରର ଷ୍ଟାର୍ଟ–ଅପ୍ସଗୁଡ଼ିକ ମଧ୍ୟରୁ ଅଧାରୁ ଅଧିକରେ ଆମର ଝିଅମାନେ ନେତୃତ୍ୱ ନେଉଛନ୍ତି । ଯେତେବେଳେ ଶୁଣିବାକୁ ମିଳୁଛି ଯେ ଅମ୍ବାଲା, ହିସାର, କାଙ୍ଗଡା, ଚେଙ୍ଗଲପଟ୍ଟୁ, ବିଳାସପୁର, ଗ୍ୱାଲିୟର ଏବଂ ୱାସିମ୍ ଭଳି ସହରଗୁଡ଼ିକରେ ଷ୍ଟାର୍ଟ–ଅପର କେନ୍ଦ୍ର ସୃଷ୍ଟି ହେଉଛି; ସେତେବେଳେ ମନ ଆନନ୍ଦରେ ପୂରିଉଠୁଛି । ନାଗାଲାଣ୍ଡ ଭଳି ରାଜ୍ୟରେ ଗତବର୍ଷ ଷ୍ଟାର୍ଟ–ଅପ୍ସର ପଞ୍ଜୀକରଣ ସଂଖ୍ୟା ୨୦୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି । Waste Management, Non-Renewable Energy, Biotechnology ଏବଂ ଲଜିଷ୍ଟିକ୍ସ ଭଳି କ୍ଷେତ୍ରରେ ଷ୍ଟାର୍ଟ–ଅପ୍ସ ସବୁଠାରୁ ଅଧିକ ଦେଖିବାକୁ ମିଳିଛି । ଏଗୁଡ଼ିକ ପାରମ୍ପରିକ କ୍ଷେତ୍ର ନୁହେଁ କିନ୍ତୁ ଆମର ଯୁବବନ୍ଧୁମାନେ ମଧ୍ୟ ପାରମ୍ପରିକ ଠାରୁ ଆହୁରି ଆଗକୁ ଚିନ୍ତା କରୁଛନ୍ତି । ସେଥିପାଇଁ ସଫଳତା ବି ମିଳୁଛି ।
ବନ୍ଧୁଗଣ, ୧୦ ବର୍ଷ ପୂର୍ବେ କେହି ଜଣେ ଯଦି ଷ୍ଟାର୍ଟ–ଅପ୍ ଆରମ୍ଭ କରିବାକୁ କହୁଥିଲା ସେତେବେଳେ ତାକୁ ନାନା ପ୍ରକାର କଥା ଶୁଣିବାକୁ ମିଳୁଥିଲା । କିଏ କହୁଥିଲା ଆରେ ଏ ଷ୍ଟାର୍ଟ–ଅପ୍ ଗୋଟେ କ’ଣ? ଆଉ କିଏ କହୁଥିଲା ଏଥିରେ କିଛି ହେଇପାରିବ ନାହିଁ ! କିନ୍ତୁ ଆଜି ଦେଖନ୍ତୁ, ଗୋଟିଏ ଦଶକରେ କେତେ ବଡ଼ ପରିବର୍ତ୍ତନ ଆସିଗଲା । ଆପଣ ମଧ୍ୟ ଭାରତରେ ସୃଷ୍ଟି ହେଉଥିବା ନୂଆ ନୂଆ ସୁଯୋଗର ଲାଭ ଉଠାନ୍ତୁ । ଯଦି ଆପଣ ନିଜ ଉପରେ ବିଶ୍ୱାସ ରଖିବେ ତେବେ ଆପଣଙ୍କ ସ୍ୱପ୍ନ ମଧ୍ୟ ବହୁତ ଆଗକୁ ଯାଇପାରିବ ।
ମୋର ପ୍ରିୟ ଦେଶବାସୀଗଣ, ନିଷ୍ଠାର ସହିତ ନିଃସ୍ୱାର୍ଥ ଭାବନା ନେଇ କରାଯାଇଥିବା କାମର ଚର୍ଚ୍ଚା ଦୂରଦୂରାନ୍ତ ଯାଏଁ ପହଞ୍ଚିଯାଇଥାଏ । ଆଉ ଆମର ‘ମନ୍ କି ବାତ୍’ ତ ଏହାର ବହୁତ ବଡ଼ ପ୍ଲାଟଫର୍ମ । ଆମର ଏତେ ବଡ଼ ଦେଶ ଯେ ଦୂରଦୂରାନ୍ତ ସ୍ଥାନରେ ଯଦି କେହି ଭଲ କାମ କରୁଛି, କର୍ତ୍ତବ୍ୟ ଭାବନାକୁ ସର୍ବୋଚ୍ଚ ସ୍ଥାନ ଦେଉଛି ତେବେ ତା’ର ପ୍ରୟାସକୁ ଲୋକଲୋଚନକୁ ଆଣିବା ପାଇଁ ଏହା ଗୋଟିଏ ଖୁବ୍ ଭଲ ମଞ୍ଚ । ଅରୁଣାଚଳ ପ୍ରଦେଶର ଦୀପକ ନାବାମ ଜୀ ସେବାର ନିଆରା ଉଦାହରଣ ସୃଷ୍ଟି କରିଛନ୍ତି । ଦୀପକ ଜୀ ଏଠାରେ ଲିଭିଂ ହୋମ୍ ଚଳାଉଛନ୍ତି; ଯେଉଁଠାରେ ମାନସିକ ଭାବରେ ଅସୁସ୍ଥ, ଶାରୀରିକ ଅସମର୍ଥ ଲୋକ ଏବଂ ବୟସ୍କ ଲୋକଙ୍କ ସେବା କରାଯାଉଛି । ଏଠାରେ ଡ୍ରଗ୍ସର ଶୀକାର ହୋଇଥିବା ଲୋକମାନଙ୍କୁ ମଧ୍ୟ ଯତ୍ନ କରାଯାଉଛି । ଦୀପକ ଜୀ କୌଣସି ସାହାଯ୍ୟ ବିନା ସମାଜର ବଞ୍ଚିତ ଲୋକମାନଙ୍କୁ, ହିଂସାପୀଡ଼ିତ ପରିବାରଗୁଡ଼ିକୁ ଏବଂ ଗୃହହୀନ ଲୋକଙ୍କୁ ଆଶ୍ରୟ ଦେବାର ଅଭିଯାନ ଆରମ୍ଭ କରିଛନ୍ତି । ଆଜି ତାଙ୍କର ସେବା ଗୋଟିଏ ସଂସ୍ଥାର ରୂପ ନେଇସାରିଛି । ଆଜି ତାଙ୍କର ସଂସ୍ଥା ଅନେକ ପୁରସ୍କାର ଦ୍ୱାରା ସମ୍ମାନିତ ହୋଇଛି । ଲାକ୍ଷାଦ୍ୱୀପର କାୱାର୍ତ୍ତି ଦ୍ୱୀପରେ ନର୍ସ ଭାବେ କାମ କରୁଥିବା କେ. ହିଙ୍ଗଡୁମ୍ବି ଜୀଙ୍କ କାମ ମଧ୍ୟ ବହୁତ ପ୍ରେରଣାଦାୟକ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ସେ ୧୮ ବର୍ଷ ପୂର୍ବେ ସରକାରୀ ଚାକିରିରୁ ସେବାନିବୃତ୍ତ ହୋଇସାରିଛନ୍ତି । କିନ୍ତୁ ଆଜି ମଧ୍ୟ ସେହିଭଳି କରୁଣା ଏବଂ ସ୍ନେହର ସହିତ ଲୋକଙ୍କ ସେବାରେ ଲାଗିରହିଛନ୍ତି; ଯେମିତି ସେ ପୂର୍ବରୁ କରୁଥିଲେ । ସେହି ଲାକ୍ଷାଦ୍ୱୀପର କେ.ଜି. ମହମ୍ମଦ ଜୀଙ୍କ ପ୍ରୟାସ ମଧ୍ୟ ଅଦ୍ଭୁତ । ତାଙ୍କ ପରିଶ୍ରମ ଦ୍ୱାରା ମିନିକଏ ଦ୍ୱୀପର ସାମୁଦ୍ରିକ ଇକୋସିଷ୍ଟମ ମଜଭୁତ୍ ହେଉଛି । ପରିବେଶ ସୁରକ୍ଷା ପ୍ରତି ଲୋକଙ୍କୁ ସଚେତନ କରିବା ପାଇଁ ସେ ଅନେକ ଗୀତ ଲେଖିଛନ୍ତି । ଲାକ୍ଷାଦ୍ୱୀପ ସାହିତ୍ୟ କଳା ଏକାଡେମୀ ତରଫରୁ ତାଙ୍କୁ ଉତ୍ତମ ଲୋକସଙ୍ଗୀତ ପୁରସ୍କାର ମଧ୍ୟ ମିଳିସାରିଛି । କେ.ଜି. ମହମ୍ମଦ୍ ଅବସର ଗ୍ରହଣ କରିବା ପରେ ମଧ୍ୟ ସେଠାକାର ସଂଗ୍ରହାଳୟ ସହିତ ମିଶି କାମ କରୁଛନ୍ତି ।
ବନ୍ଧୁଗଣ, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରୁ ମଧ୍ୟ ଆଉ ଗୋଟିଏ ବଡ଼ ଖବର ଅଛି । ନିକୋବର ଜିଲ୍ଲାରେ Virgin Coconut Oilକୁ ନିକଟରେ ଜିଆଇ ଟ୍ୟାଗ୍ ମିଳିଛି । Virgin Coconut Oilକୁ ଜିଆଇ ଟ୍ୟାଗ୍ ମିଳିବା ପରେ ଆଉ ଗୋଟିଏ ନୂତନ ପ୍ରୟାସ ମଧ୍ୟ କରାଯାଇଛି । ଏହି ତେଲ ଉତ୍ପାଦନ କରୁଥିବା ମହିଳାମାନଙ୍କୁ ସଂଗଠିତ କରି ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରାଯାଉଛି, ସେମାନଙ୍କୁ ମାର୍କେଟିଂଗ ଏବଂ ବ୍ରାଣ୍ଡିଂ ପାଇଁ ସ୍ୱତନ୍ତ୍ର ଟ୍ରେନିଂ ମଧ୍ୟ ଦିଆଯାଉଛି । ଏହା ଆମର ଆଦିବାସୀ ସମୁଦାୟକୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରିବା ଦିଗରେ ଏକ ବଡ଼ ପଦକ୍ଷେପ । ମୋର ବିଶ୍ୱାସ ଅଛି ଯେ ଭବିଷ୍ୟତରେ ନିକୋବରର Virgin Coconut Oil ସାରା ବିଶ୍ୱରେ ବେଶ୍ ପ୍ରସିଦ୍ଧି ଲାଭ କରିବ ଏବଂ ଏଥିରେ ସବୁଠାରୁ ବଡ଼ ଭୂମିକା ଗ୍ରହଣ କରିବ ଆଣ୍ଡାମାନ୍ ଏବଂ ନିକୋବରର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ।
ମୋର ପ୍ରିୟ ଦେଶବାସୀଗଣ, କ୍ଷଣକ ପାଇଁ ଆପଣମାନେ ଗୋଟିଏ ଦୃଶ୍ୟର କଳ୍ପନା କରନ୍ତୁ – କୋଲକାତାରେ ଜାନୁଆରୀର ସମୟ । ଦ୍ୱିତୀୟ ବିଶ୍ୱଯୁଦ୍ଧ ତା’ର ଚରମସୀମାରେ ପହଞ୍ଚିଛି ଏଣେ ଭାରତରେ ଇଂରେଜମାନଙ୍କ ବିରୁଦ୍ଧରେ କ୍ରୋଧ ମଧ୍ୟ ଶିଖର ଛୁଇଁଛି । ସେହି କାରଣରୁ ସହରର କୋଣ ଅନୁକୋଣରେ ପୋଲିସ ମୁତୟନ କରାଯାଇଛି । କୋଲକାତାର ମଝା–ମଝି ଗୋଟିଏ ଘରର ଚାରିପାଖେ ପୁଲିସ ମୁତୟନ ଅଧିକ କଡ଼ାକଡ଼ି ହୋଇଛି । ୟା’ଭିତରେ ଲମ୍ବା ବ୍ରାଉନ୍ କୋଟ୍, ପ୍ୟାଣ୍ଟ ଏବଂ କଳାଟୋପି ପିନ୍ଧିଥିବା ଜଣେ ବ୍ୟକ୍ତି ଗୋଟିଏ ବଙ୍ଗଳାରୁ କାରରେ ବାହାରକୁ ବାହାରୁଛି । ଅନେକଗୁଡ଼ିଏ ମଜଭୁତ୍ ସୁରକ୍ଷାର ବଳୟକୁ ଭେଦକରି ସେ ଗୋମୋ ନାମକ ରେଳଷ୍ଟେସନରେ ପହଞ୍ଚିଯାଉଛି । ଏହି ଷ୍ଟେସନଟି ଏବେ ଝାଡ଼ଖଣ୍ଡରେ । ଏଠାରୁ ଗୋଟିଏ ଟ୍ରେନ୍ ଧରି ସେ ଆଗକୁ ବାହାରିଯାଉଛି । ଏହାପରେ ଆଫଗାନିସ୍ଥାନ ହୋଇ ସେ ଯାଇ ୟୁରୋପରେ ପହଞ୍ଚିଯାଉଛି ଏବଂ ଏସବୁ କଥା ଇଂରେଜ ଶାସନର ଅଭେଦ୍ୟ ସୁରକ୍ଷାବଳୟ ସତ୍ତ୍ୱେ ସମ୍ଭବ ହେଉଛି ।
ବନ୍ଧୁଗଣ, ଏ କାହାଣୀ ଆପଣମାନଙ୍କୁ ଚଳଚ୍ଚିତ୍ରର ଦୃଶ୍ୟ ଭଳି ଲାଗୁଥିବ । ଆପଣଙ୍କୁ ଲାଗୁଥିବ ଯେ ଏତେ ସତ୍ସାହସ ଦେଖାଉଥିବା ଲୋକଟି କେଉଁ ଦେଶର ମାଟିରେ ଗଢ଼ା ହୋଇଥିବ! ବାସ୍ତବରେ ଏହି ବ୍ୟକ୍ତି ଜଣକ ଅନ୍ୟ କେହି ନ ଥିଲେ, ଆମ ଦେଶର ମହାନ ବିଭୂତି, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ହିଁ ଥିଲେ । ୨୩ ଜାନୁୟାରୀ, ତାଙ୍କର ଜନ୍ମଜୟନ୍ତୀକୁ ଆମେ ‘ପରାକ୍ରମ ଦିବସ’ ଭାବରେ ପାଳନ କରୁଛନ୍ତି । ତାଙ୍କର ଶୌର୍ଯ୍ୟ ସହିତ ଜଡ଼ିତ ଏହି ଗାଥାରେ ମଧ୍ୟ ଅନେକ ପରାକ୍ରମର ଝଲକ ଦେଖିବାକୁ ମିଳେ । କିଛିବର୍ଷ ପୂର୍ବେ ମୁଁ ତାଙ୍କର ସେହି ଘରକୁ ଯାଇଥିଲି ଯେଉଁଠାରୁ ସେ ଇଂରେଜମାନଙ୍କ ଆଖିରେ ଧୂଳିଦେଇ ଖସିଯାଇଥିଲେ । ତାଙ୍କର ସେହି କାର୍ ଆଜିବି ସେଇଠି ଅଛି । ତାହା ମୋ ପାଇଁ ଏକ ବିଶେଷ ଅନୁଭବ । ସୁବାଷ ବାବୁ ଜଣେ ଦୂରଦୃଷ୍ଟିସମ୍ପନ୍ନ ବ୍ୟକ୍ତିତ୍ୱ ଥିଲେ । ସାହସ ତାଙ୍କ ସ୍ୱଭାବର ଅଂଶ ଥିଲା । ଖାଲି ସେତିକି ନୁହେଁ ସେ ଖୁବ୍ କୁଶଳ ପ୍ରଶାସକ ମଧ୍ୟ ଥିଲେ । ମାତ୍ର ୨୭ ବର୍ଷ ବୟସରେ ସେ କୋଲକାତା କର୍ପୋରେସନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ହୋଇଥିଲେ ତା’ପରେ ସେ ମେୟରର ଦାୟିତ୍ୱ ମଧ୍ୟ ସମ୍ଭାଳିଥିଲେ । ଜଣେ ପ୍ରଶାସକ ଭାବରେ ମଧ୍ୟ ସେ ଅନେକ ବଡ଼ କାମ କରିଯାଇଛନ୍ତି । ପିଲାମାନଙ୍କ ପାଇଁ ସ୍କୁଲ, ଗରିବ ପିଲାମାନଙ୍କ ପାଇଁ ଦୁଗ୍ଧର ବ୍ୟବସ୍ଥା ଏବଂ ସ୍ୱଚ୍ଛତାକୁ ନେଇ ତାଙ୍କର ଅନେକ ପ୍ରୟାସ ଆଜି ବି ଲୋକଙ୍କୁ ମନେପଡେ । ନେତାଜୀ ସୁଭାଷଙ୍କ ରେଡ଼ିଓ ସହିତ ମଧ୍ୟ ବହୁତ ଗଭୀର ସମ୍ପର୍କ ଥିଲା । ସେ ଆଜାଦ ହିନ୍ଦ ରେଡ଼ିଓର ସ୍ଥାପନା କରିଥିଲେ; ଯେଉଁଥିରେ ତାଙ୍କ କଥା ଶୁଣିବାକୁ ଲୋକମାନେ ବେଶ୍ ଉତ୍କଣ୍ଠାର ସହ ଅପେକ୍ଷା କରୁଥିଲେ । ତାଙ୍କ ସମ୍ବୋଧନ ଦ୍ୱାରା ବିଦେଶୀ ଶାସନ ବିରୁଦ୍ଧରେ ସଂଗ୍ରାମକୁ ଏକ ନୂତନ ଶକ୍ତି ମିଳୁଥିଲା । ଆଜାଦ ହିନ୍ଦ୍ ରେଡ଼ିଓରେ ଇଂରାଜୀ, ହିନ୍ଦୀ, ତାମିଲ, ବଙ୍ଗଳା, ମରାଠୀ, ପଞ୍ଜାବୀ, ପସ୍ତୋ ଏବଂ ଉର୍ଦ୍ଦୁରେ ନିଉଜ ବୁଲେଟିନ୍ ସବୁ ପ୍ରସାରଣ କରାଯାଉଥିଲା । ମୁଁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ପ୍ରଣାମ ଜଣାଉଛି । ସାରାଦେଶର ଯୁବକମାନଙ୍କୁ ମୋର ପରାମର୍ଶ ଯେ ସେମାନେ ତାଙ୍କ ବିଷୟରେ ଅଧିକରୁ ଅଧିକ ପଢ଼ନ୍ତୁ ଏବଂ ତାଙ୍କ ଜୀବନରୁ ନିରନ୍ତର ପ୍ରେରଣା ନିଅନ୍ତୁ ।
ବନ୍ଧୁଗଣ, ‘ମନ୍ କି ବାତ୍’ର ଏହି କାର୍ଯ୍ୟକ୍ରମ, ପ୍ରତ୍ୟେକ ଥର ମୋତେ ରାଷ୍ଟ୍ରର ସାମୂହିକ ପ୍ରୟାସ ସହିତ, ଆପଣମାନଙ୍କ ସାମୂହିକ ଇଚ୍ଛାଶକ୍ତି ସହିତ ଯୋଡ଼ୁଛି । ପ୍ରତି ମାସରେ ମୋତେ ଅଧିକ ସଂଖ୍ୟକ ଆପଣଙ୍କ ପରାମର୍ଶ, ଆପଣଙ୍କ ମତାମତ ମିଳୁଛି ଏବଂ ପ୍ରତ୍ୟେକ ଥର ଏହି ମତାମତକୁ ଦେଖି ବିକଶିତ ଭାରତର ସଂକଳ୍ପ ଉପରେ ମୋର ବିଶ୍ୱାସ ଆହୁରି ବଢ଼ୁଛି । ଆପଣମାନେ ସମସ୍ତେ ଏହିଭଳି ନିଜ ନିଜ କାମ ଦ୍ୱାରା ଭାରତକୁ ସର୍ବଶ୍ରେଷ୍ଠ କରି ଗଢ଼ିବାର ପ୍ରଚେଷ୍ଟା କରୁଥାନ୍ତୁ । ଏଥରର ‘ମନ୍ କି ବାତ୍’ରେ ଆଜି ଏତିକି । ଆସନ୍ତା ମାସରେ ଭାରତବାସୀଙ୍କ ଉପଲବ୍ଧି, ସଂକଳ୍ପ ଏବଂ ସିଦ୍ଧିର ନୂତନ କାହାଣୀକୁ ନେଇ ପୁଣି ଭେଟିବା । ବହୁତ ବହୁତ ଧନ୍ୟବାଦ । ନମସ୍କାର ।
*********
Tune in to the first #MannKiBaat episode of 2025 as we discuss a wide range of topics. https://t.co/pTRiFkvi5V
— Narendra Modi (@narendramodi) January 19, 2025
This year's Republic Day is very special as it is the 75th anniversary of the Indian Republic. #MannKiBaat pic.twitter.com/2ssQij11Ew
— PMO India (@PMOIndia) January 19, 2025
25th January marks National Voters' Day, the day the Election Commission of India was established. Over the years, the Election Commission has consistently modernised and strengthened our voting process, empowering democracy at every step. #MannKiBaat pic.twitter.com/6h1pT7MIZZ
— PMO India (@PMOIndia) January 19, 2025
‘कुंभ’, ‘पुष्करम’ और ‘गंगा सागर मेला’ - हमारे ये पर्व, हमारे सामाजिक मेल-जोल को, सद्भाव को, एकता को बढ़ाने वाले पर्व हैं। ये पर्व भारत के लोगों को भारत की परंपराओं से जोड़ते हैं। #MannKiBaat pic.twitter.com/i8RNjJ6cLc
— PMO India (@PMOIndia) January 19, 2025
In the beginning of 2025 itself, India has attained historic achievements in the space sector. #MannKiBaat pic.twitter.com/ZYi7SZpMnE
— PMO India (@PMOIndia) January 19, 2025
A unique effort by Assam's 'Hathi Bandhu' team to protect crops. #MannKiBaat pic.twitter.com/NdCHvMSrZD
— PMO India (@PMOIndia) January 19, 2025
It's a moment of great joy that in the last two months, India has added two new Tiger Reserves - Guru Ghasidas-Tamor Pingla in Chhattisgarh and Ratapani in Madhya Pradesh. #MannKiBaat pic.twitter.com/0nat38vlY4
— PMO India (@PMOIndia) January 19, 2025
Heartening to see StartUps flourish in Tier-2 and Tier-3 cities across the country. #MannKiBaat pic.twitter.com/I9v7scRghO
— PMO India (@PMOIndia) January 19, 2025
In Arunachal Pradesh, Deepak Nabam Ji has set a remarkable example of selfless service. #MannKiBaat pic.twitter.com/qGHjdqpCjb
— PMO India (@PMOIndia) January 19, 2025
Praiseworthy efforts by K. Hindumbi Ji and K.G. Mohammed Ji of Lakshadweep. #MannKiBaat pic.twitter.com/SWz9BeZbCO
— PMO India (@PMOIndia) January 19, 2025
Virgin coconut oil from the Nicobar has recently been granted a GI tag. #MannKiBaat pic.twitter.com/1c8DOJCixx
— PMO India (@PMOIndia) January 19, 2025
Tributes to Netaji Subhas Chandra Bose. He was a visionary and courage was in his very nature. #MannKiBaat pic.twitter.com/1s24iSzsJB
— PMO India (@PMOIndia) January 19, 2025
Began today’s #MannKiBaat with a tribute to the makers of our Constitution. Also played parts of speeches by Dr. Babasaheb Ambedkar, Dr. Rajendra Prasad and Dr. Syama Prasad Mookerjee. We will always work to fulfil the vision of the makers of our Constitution. pic.twitter.com/nrMR4mxVdQ
— Narendra Modi (@narendramodi) January 19, 2025
Highlighted how our collective spirit and proactive efforts by the Election Commission of India have made our democracy more vibrant. #MannKiBaat pic.twitter.com/43NA3HPCqU
— Narendra Modi (@narendramodi) January 19, 2025
StartUp India has given wings to the aspirations of so many youngsters. The good news is - small towns are increasingly becoming StartUp Centres. Equally gladdening is to see women take the lead in so many StartUps. #MannKiBaat pic.twitter.com/2FI7TZ6LUK
— Narendra Modi (@narendramodi) January 19, 2025
India will always remember the contribution of Netaji Subhas Chandra Bose. #MannKiBaat pic.twitter.com/O1B1yj0v2r
— Narendra Modi (@narendramodi) January 19, 2025
The last few days have been outstanding for the space sector! #MannKiBaat pic.twitter.com/q5WOHJvtpw
— Narendra Modi (@narendramodi) January 19, 2025
An effort in Assam’s Nagaon to reduce man-animal conflict has the power to motivate everyone. #MannKiBaat pic.twitter.com/18kcva0Tup
— Narendra Modi (@narendramodi) January 19, 2025
From helping misguided people in Arunachal Pradesh, boosting women empowerment in Andaman and Nicobar Islands to serving society and protecting local culture in Lakshadweep, India is filled with several inspiring life journeys. #MannKiBaat pic.twitter.com/avRnyANnBz
— Narendra Modi (@narendramodi) January 19, 2025
इस बार हम गणतंत्र दिवस की 75वीं वर्षगांठ मनाने जा रहे हैं। इस विशेष अवसर पर देश को समानता और सर्वहित से जुड़ा पवित्र संविधान देने वाली राष्ट्र विभूतियों को मेरा नमन! आइए, उनके विचारों से प्रेरणा लेकर एक ऐसे विकसित भारत का निर्माण करें, जिस पर हर किसी को गर्व हो। #MannKiBaat pic.twitter.com/9fhF3tKgUq
— Narendra Modi (@narendramodi) January 19, 2025
25 जनवरी को National Voters’ Day को देखते हुए देशवासियों से मेरा आग्रह है कि वे लोकतंत्र के उत्सव का हिस्सा जरूर बनें और Mother of Democracy को मजबूत करने के लिए हमेशा आगे आएं। #MannKiBaat pic.twitter.com/xa0jrxHd1l
— Narendra Modi (@narendramodi) January 19, 2025
प्रयागराज महाकुंभ में एक बार फिर एकता, समता और समरसता का अद्भुत संगम दिख रहा है। इसमें हमारी युवा पीढ़ी की बढ़-चढ़कर भागीदारी बताती है कि वो किस प्रकार अपनी परंपरा और विरासत के साथ आधुनिकता को अपनाकर देश की जड़ों से जुड़ रही है। #MannKiBaat pic.twitter.com/Odcqxuo4hq
— Narendra Modi (@narendramodi) January 19, 2025