Israel Hayom Editor-in-Chief Boaz Bismuth with Prime Minister Narendra Modi
1.2 ଦୁଇ କୋଟି ଲୋକଙ୍କୁ ପ୍ରତିନିଧିତ୍ୱ କରୁଥିବା ଏବଂ ଉଭୟ – ନିଜ ଦେଶରେ ଓ ବିଦେଶରେ ଜଣେ ସୁପରଷ୍ଟାର ଭାବେ ବିବେଚିତ ହେଉଥିବା ଜଣେ ପ୍ରଧାନମନ୍ତ୍ରୀଙ୍କୁ ପ୍ରତିଦିନ ଭେଟିବା ସମ୍ଭବପର ନୁହେଁ । ସମ୍ଭବତଃ ସେହି କାରଣରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତକାର ଏପରି ବିଶେଷତା ବହନ କରେ ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଜୁଲାଇ 4 ତାରିଖରେ ଇସ୍ରାଏଲ ଗସ୍ତରେ ଆସି ପହଞ୍ଚିବାର କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି । ଏହା ତାଙ୍କର ଏକ ଐତିହାସିକ ଗସ୍ତ : କ୍ଷମତାସୀନ କୌଣସି ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ । ଦୁଇ ରାଷ୍ଟ୍ର ମଧ୍ୟରେ ଆୟତନ ଦୃଷ୍ଟିରୁ ବହୁ ପାର୍ଥକ୍ୟ ରହିଛି । ତଥାପି, ଉଭୟଙ୍କ ମଧ୍ୟରେ ସମ୍ପର୍କ ସମାନ ଓ ଘନିଷ୍ଠ ବିଶେଷକରି ଶ୍ରୀ ମୋଦୀଙ୍କ ଦୃଷ୍ଟିରେ ।
ମୋଦୀ ଜଣେ ଭିନ୍ନ ଧରଣର ନେତା । ଭାରତୀୟମାନଙ୍କ ମଧ୍ୟରେ ତାଙ୍କ ଲୋକପ୍ରିୟତା ନଭଶ୍ଚୁମ୍ବୀ । ସେ ଯାହା ଅନୁଭବ କରନ୍ତି ତାହା ପ୍ରକାଶ କରିଥାନ୍ତି ଏବଂ ଯେଉଁ ସଂସ୍କାର ଆଣିବାକୁ ଚାହାନ୍ତି ତାହା ସାକାର କରିଥାନ୍ତି । ଭାରତକୁ ପ୍ରଗତିପଥରେ ଆଗେଇ ନେବା ଏବଂ ଭାରତକୁ ଏକ ବିଶ୍ୱ ନେତୃତ୍ୱରେ ପରିଣତ କରିବା ତାଙ୍କର ଏକମାତ୍ର ଲକ୍ଷ୍ୟ ଏବଂ ତାଙ୍କ ପାଇଁ ଏହି ଲକ୍ଷ୍ୟ ହାସଲ କରିବାର ଯେଉଁ ମାର୍ଗ ଆଗକୁ ଲମ୍ବିଛି, ତାହା ଇସ୍ରାଏଲ ଦେଇ ପଡିଛି । ସମସ୍ତ ଇସ୍ରାଏଲ ନାଗରିକଙ୍କ ପାଇଁ ଏହା ଏକ ସମ୍ମାନର ଚିହ୍ନ । ସେ ଜାଣନ୍ତି ଯେ ଭାରତୀୟମାନେ ତାଙ୍କୁ ଭଲ ପାଆନ୍ତି, ପୁଣି ସେ ଏକଥା ମଧ୍ୟ ଜାଣନ୍ତି ଯେ ସେ ବିଫଳ ହେବା ଅନୁଚିତ । ତାହା ହିଁ ହେଲା ତାଙ୍କ ନିମନ୍ତେ ସବୁଠାରୁ ବଡ ଚାଲେଞ୍ଜ ।
ମୁଁ ଯେତେବେଳେ ଶ୍ରୀ ମୋଦୀଙ୍କ ସରକାରୀ ବାସଭବନରେ ପହଞ୍ଚିଲି, ମୁଁ ଆବିଷ୍କାର କଲି ଯେ କ୍ୟାମେରା ସାମ୍ନାରେ ସଦାବେଳେ ଅତି ଗମ୍ଭୀର ଓ କଠିନ ପ୍ରତୀୟମାନ ହେଉଥିବା ଏହି ବ୍ୟକ୍ତିଜଣକ ସତରେ ବେଶ ବନ୍ଧୁବତ୍ସଳ । ଅନ୍ୟକୁ ସ୍ୱାଗତ କରିବା ବେଳେ କିପରି ମୁହଁରେ ହସଫୁଟାଇବାକୁ ହୁଏ ସେ କଳା ତାଙ୍କୁ ଭଲ ଭାବେ ଜଣା । ଏକ ଦାରିଦ୍ର୍ୟ ପରିବେଶରେ ଜନ୍ମହୋଇ ସେଥିରୁ ନିଜକୁ ମୁକ୍ତ କରିବା ସହ ଅର୍ଜନ କରିଥିବା ସଫଳତା ପାଇଁ ସେ ନିଜକୁ ବେଶ ଗୌରାବାନ୍ୱିତ ମନେକରନ୍ତି ।
ମୁହଁରେ ଗଭୀର ଆତ୍ମବିଶ୍ୱାସ ଫୁଟାଇ ସେ ମୋ ସହିତ କରମର୍ଦ୍ଦନ କଲାବେଳେ ତାଙ୍କ ତୁଣ୍ଡରୁ ସେଇ ସଦାନିଃସୃତ ବାଣୀ ବାହାରି ଆସିଲା “ସର୍ବଜନ ହିତାୟ ସର୍ବଜନ ସୁଖାୟ, ସବକା ସାଥ ସବକା ବିକାଶ ।” ଏହାକୁ ସାଧାରଣ ଅର୍ଥରେ ବ୍ୟାଖ୍ୟାକରି କୁହାଯାଇପାରେ, ସମସ୍ତଙ୍କ ସ୍ୱାର୍ଥ ପାଇଁ, ସମସ୍ତଙ୍କ ଉପକାର ପାଇଁ, ସମସ୍ତଙ୍କୁ ନେଇ, ସମସ୍ତଙ୍କ ଲାଗି ବିକାଶ ।
ସାକ୍ଷାତକାର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଭାରତ ଓ ଇସ୍ରାଏଲ ଲୋକଙ୍କ ମଧ୍ୟରେ ଥିବା ଘନିଷ୍ଠ ସମ୍ପର୍କ ଓ ବନ୍ଧନକୁ ସୂଚାଇବା ଲାଗି ଶ୍ରୀ ମୋଦୀ ଅତି ସଚେତନ ପ୍ରୟାସ କରିଥିଲେ । ତାଙ୍କର ଦୃଢ଼ ବିଶ୍ୱାସ ଯେ ଦୁଇ ଦେଶ ମଧ୍ୟରେ ଆତ୍ମିକ ସମ୍ପର୍କ ରହିଛି । ଉଦ୍ୟୋଗ ଓ ନବସୃଜନର ମନୋଭାବ ଉଭୟ ଦେଶର ନାଗରିକଙ୍କ ମନରେ ଅଛି ଯାହାକି ସେମାନଙ୍କ ସହଭାଗୀତାକୁ ପ୍ରୋତ୍ସାହନ ଯୋଗାଇଛି । ଏହି ମନୋଭାବ ପ୍ରକଟ ନିମନ୍ତେ ସେ ଓ ତାଙ୍କ ପ୍ରତିନିଧିମଣ୍ଡଳର ସଦସ୍ୟମାନେ ସ୍ଥାନୀୟ ଭାରତୀୟ ସମୁଦାୟଙ୍କ ସକାଶେ ଜୁଲାଇ 5 ତାରିଖ ଦିନ ତେଲ ଆଭିଭଠାରେ ଏକ ରାଲିର ଆୟୋଜନ କରିଛନ୍ତି । ସ୍ୱୟଂ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏହି ରାଲିର ନେତୃତ୍ୱ ନେବେ । ଏହି କାର୍ଯ୍ୟକ୍ରମକୁ ସେ ତାଙ୍କ ଇସ୍ରାଏଲ ଗସ୍ତର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ବିବେଚନା କରନ୍ତି । ଏହିଭଳି ଭାବେ ସ୍ଥାନୀୟ ଭାରତୀୟ ସମୁଦାୟଙ୍କ ପ୍ରତି ସେ ତାଙ୍କର ସମ୍ମାନ ପ୍ରକଟ କରିପାରିବେ ବୋଲି କହନ୍ତି ।
ଇସ୍ରାଏଲ ସମ୍ପର୍କରେ ଆପଣ କଣ ଜାଣନ୍ତି ? ଆପଣ ପୂର୍ବରୁ କେବେ ଇସ୍ରାଏଲ ଗସ୍ତ କରିଛନ୍ତି ?
2006 ମସିହାରେ ଇସ୍ରାଏଲ ଗସ୍ତ କଲାବେଳେ ମୁଁ ସେ ଦେଶ ସମ୍ପର୍କରେ ପ୍ରତ୍ୟକ୍ଷ ଅନୁଭୂତି ଅର୍ଜନ କରିଥିଲି । ସେତେବେଳେ ମୁଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲି ଓ ଗୋଟିଏ ଏଗ୍ରୀଟେକ ପ୍ରଦର୍ଶନୀରେ ଅଂଶଗ୍ରହଣ କରିବା ସକାଶେ ମୁଁ ଇସ୍ରାଏଲ ଯାଇଥିଲି । ପ୍ରାୟ ଏକ ଦଶନ୍ଧିରୁ ଅଧିକ ସମୟ ପରେ ପୁଣି ଥରେ ଇସ୍ରାଏଲ ଯିବାର ସୁଯୋଗ ମିଳିଥିବାରୁ ମୁଁ ବେଶ୍ ଖୁସି । ଏଇ ସମୟ ମଧ୍ୟରେ ଇସ୍ରାଏଲରେ ଘଟିଥିବା ବିକାଶ ଓ ଅଗ୍ରଗତିକୁ ଦେଖିବା ଲାଗି ମୁଁ ବେଶ ବ୍ୟଗ୍ର ।
“ଇସ୍ରାଏଲ ସମ୍ପର୍କରେ ମୋ ଦେଶବାସୀଙ୍କ ମନୋଭାବ କଣ ମୁଁ ତାହା କହିବାକୁ ଚାହେଁ । ଭାରତୀୟମାନଙ୍କ ଧାରଣା ଯେ ଇସ୍ରାଏଲ ହେଲା ପ୍ରଯୁକ୍ତିର ଏକ ଶକ୍ତି ସ୍ଥଳ । ତାହା ଏପରି ଏକ ରାଷ୍ଟ୍ର ଯିଏ ଅନେକ ସଙ୍କଟକୁ ସାହାସର ସହ ସମ୍ମୁଖୀନ ହୋଇଛି । ଅନେକ ପ୍ରଯୁକ୍ତିଭିତ୍ତିକ ଉଦ୍ଭାବନର ମୂଳ ଆଧାର ଇସ୍ରାଏଲର ବିଶ୍ୱବିଦ୍ୟାଳୟ ଏବଂ ବିଜ୍ଞାନାଗାରମାନଙ୍କରେ ରହିଛି ଯାହା ସମଗ୍ର ମାନବସମାଜର ଉପକାର ସାଧନ କରିଛି । ସେସବୁ ସାମଗ୍ରୀର ତାଲିକା USB ଫ୍ଲାସ ଡ୍ରାଇଭଠାରୁ ଆରମ୍ଭ କରି ଚେରୀ ଟମୋଟା ପର୍ଯ୍ୟନ୍ତ ଲମ୍ବିଛି । ଏକ ଜଳକ୍ଲିଷ୍ଟ ରାଷ୍ଟ୍ରରୁ ଆପଣମାନେ ନିଜ ଦେଶକୁ ଯେଉଁଭଳି ଏକ ଜଳ ଉଦବୃତ୍ତ ରାଷ୍ଟ୍ରରେ ପରିଣତ କରିପାରିଛନ୍ତି, ଯେଉଁଭଳି ଭାବେ ଆପଣମାନେ ଆପଣଙ୍କ ମରୁକ୍ଷେତ୍ରକୁ ଶସ୍ୟଶ୍ୟାମଳା କରିଛନ୍ତି, ଏହା ସବୁ ବିସ୍ମୟକର ସାଫଲ୍ୟ ବୋଲି କୁହାଯାଇପାରେ । ମୋ ମନରେ ଏହି ସବୁ କଥା ଗଭୀର ଭାବେ ରେଖାପାତ କରିଛି ।”
ଏହି ଐତିହାସିକ ଗସ୍ତରେ ଯିବାଲାଗି ଆପଣ କାହିଁକି ନିଷ୍ପତ୍ତି କଲେ ?
: “ଆମ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ସଦାବେଳେ ସୁଦୃଢ଼ ରହିଆସିଛି । ବସ୍ତୁତଃ, ସମୟକ୍ରମେ ସେ ସମ୍ପର୍କ କ୍ରମାଗତ ଭାବେ ବିସ୍ତାରିତ, ବହୁଧା ଓ ବିବିଧାତ୍ମକ ହୋଇଚାଲିଛି । ନିକଟ ଅତୀତରେ ଆମ ସମ୍ପର୍କ ଅଧିକ ସୁଦୃଢ଼ ହେବାର ପ୍ରତିଫଳନ ଉଭୟ ରାଷ୍ଟ୍ର ମଧ୍ୟରେ ଉଚ୍ଚପ୍ରତିନିଧିମଣ୍ଡଳସ୍ତରୀୟ ଗସ୍ତମାନଙ୍କରୁ ସ୍ପଷ୍ଟ ପ୍ରମାଣିତ । ଆପଣ ହୁଏତ ଲକ୍ଷ୍ୟ କରିଥିବେ ଯେ ଗତ ତିନିବର୍ଷ ମଧ୍ୟରେ ଏଭଳି ପ୍ରତିନିଧିସ୍ତରୀୟ ଗସ୍ତର ମାତ୍ରା ଯଥେଷ୍ଟ ବୃଦ୍ଧି ପାଇଛି । 2015 ମସିହାରେ ଆମ ରାଷ୍ଟ୍ରପତିଙ୍କ ଇସ୍ରାଏଲ ଗସ୍ତ ପୂର୍ବରୁ କୌଣସି ଭାରତୀୟ ରାଷ୍ଟ୍ରପତି ଅବା ପ୍ରଧାନମନ୍ତ୍ରୀ ସେ ଦେଶ” ଗସ୍ତ କରିନଥିଲେ । 2016 ମସିହାରେ ଇସ୍ରାଏଲ ରାଷ୍ଟ୍ରପତି ରୁଭେନ ରିଭଲିନଙ୍କ ଭାରତ ଗସ୍ତ କୌଣସି ଇସ୍ରାଏଲ ରାଷ୍ଟ୍ରପତିଙ୍କ ଦ୍ୱିତୀୟ ଭାରତ ଗସ୍ତ ଥିଲା ।
“ମୋର ଆଗାମୀ ଇସ୍ରାଏଲ ଗସ୍ତ ଆମ ଦୁଇ ସମାଜ ମଧ୍ୟରେ ଥିବା ଗଭୀର ଓ ଶହ ଶହ ବର୍ଷର ପୁରୁଣା ସମ୍ପର୍କକୁ ସ୍ମରଣ କରାଇଦିଏ । ଆମର ଏହି ମନୋଭାବ ଆମ ସମ୍ପର୍କର ଘନିଷ୍ଠତା ପ୍ରତିଫଳିତ ହେବ ଏବଂ ତାହା ପ୍ରତ୍ୟେକ ସ୍ତରରେ ଅନୁଭବ କରାଯାଇପାରିବ । ଏହା ଦ୍ୱାରା ନିୟମିତ ଭାବେ ଉଭୟ ରାଷ୍ଟ୍ରର ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳ ପ୍ରତିପକ୍ଷ ରାଷ୍ଟ୍ର ଗସ୍ତ କରିବେ । ମୁଁ ଭାବୁଛି, ଯେ ଚଳିତ ବର୍ଷ ଆମେ ଯେତେବେଳେ ଆମ କୂଟନୈତିକ ସମ୍ପର୍କ ସ୍ଥାପନର 25ତମ ବାର୍ଷିକୀ ପାଳନ କରୁଛୁ । ଆମ ଦ୍ୱିପାକ୍ଷିକ ସମ୍ପର୍କକୁ ଆଉ ଏକ ନୂଆ ପର୍ଯ୍ୟାୟରେ ପହଞ୍ଚାଇବାର ଏହା ପ୍ରକୃଷ୍ଟ ଅବସର ।”
ଏଭଳି ନିଷ୍ପତ୍ତି କଣ ମିଳିତ ଜାତିସଂଘରେ ଅଧିକ ଇସ୍ରାଏଲ-ଅନୁକୂଳ ମନୋଭାବ ପୋଷଣର ସୂଚନା ଦିଏ ?
“ମିଳିତ ଜାତିସଂଘରେ ଆମର ସ୍ଥିତି ନିର୍ଦ୍ଦିଷ୍ଟ ପ୍ରସଙ୍ଗର ସୁଫଳ ଉପରେ ଆଧାରିତ ଏବଂ ତାହା ଆମ ମୂଳ ମୂଲ୍ୟବୋଧ ଓ ନୀତି ଦ୍ୱାରା ପରିଚାଳିତ । ଇସ୍ରାଏଲକୁ ମିଶାଇ ଆମେ ଆମର ସମସ୍ତ ସହଯୋଗୀଙ୍କ ସହ ସମ୍ପର୍କ ରକ୍ଷା କରିଆସୁଛି । ଜାତିସଂଘ ଓ ଅନ୍ୟ ବହୁପକ୍ଷୀୟ ସଂଗଠନ ଯାହାକି ଆମମାନଙ୍କ ସମାନ ଓ ସହଭାଗୀ ଉଦ୍ଦେଶ୍ୟ ଓ ଉଦବେଗକୁ ପ୍ରତିଫଳିତ କରୁଛି, ସେଥିରୁ ସର୍ବାଧିକ ସୁଫଳ ପାଇବା ଆଶା କରୁଛୁ । ଜାତିସଂଘରେ ଭାରତ କୌଣସି ନିର୍ଦ୍ଦିଷ୍ଟ ରାଷ୍ଟ୍ରକୁ ଏକାକୀ କରିବା ସପକ୍ଷରେ କଦାପି ନୁହେଁ ।”
ପାଶ୍ଚାତ୍ୟ ଅଥବା ପ୍ରାଚ୍ୟ ଗୋଷ୍ଠୀ ସହ ସାମିଲ ହୋଇନାହିଁ ବୋଲି କଣ ଭାରତ ଏବେ ସୁଦ୍ଧା ନିଜକୁ ବିବେଚନା କରେ ?
“ଆମେ “ବସୁଧୈବ କୁଟୁମ୍ବକମ” ଆଦର୍ଶରେ ବିଶ୍ୱାସୀ । ଯାହାର ଅର୍ଥ ହେଲା, ସମଗ୍ର ବିଶ୍ୱ ଗୋଟିଏ ପରିବାର । ତେଣୁ ଉଭୟ ପ୍ରାଚ୍ୟ ଓ ପାଶ୍ଚାତ୍ୟ ସହ ଆମେ ଗଠନମୂଳକ ଆଲୋଚନା ଓ ସମ୍ପର୍କ ରକ୍ଷାରେ ନିୟୋଜିତ ରହିବାକୁ ଚାହୁଁ ।”
ଭାରତ ଓ ଇସ୍ରାଏଲ କଣ ଆତଙ୍କବାଦଠାରୁ ଏକାପ୍ରକାର ବିପଦର ସାମ୍ନା କରୁଛନ୍ତି ?
“ଆତଙ୍କବାଦ ସମଗ୍ର ବିଶ୍ୱ ପାଇଁ ବିପଦ ସୃଷ୍ଟି କରିଛି । ଭାରତ ଓ ଇସ୍ରାଏଲ ଏଥିରୁ ମୁକ୍ତ ନୁହନ୍ତି । ମୁଁ ଏକଥାରେ ସମ୍ପୂର୍ଣ୍ଣ ସହମତ ଯେ ନିରୀହ ଲୋକମାନଙ୍କ ଉପରେ ହିଂସା ଚଳାଇଥିବା ତତ୍ତ୍ଵମାନଙ୍କୁ କଦାପି କାୟା ବିସ୍ତାର କରିବାକୁ ଦିଆଯିବା ଉଚିତ ନୁହେଁ । ସୀମାପାର ଆତଙ୍କବାଦ ଆମ ପାଇଁ ଏକ ବିରାଟ ଚାଲେଞ୍ଜ । ସୀମା ଆରପଟୁ ବିଭେଦ ସୃଷ୍ଟିକାରୀ ଶକ୍ତି ଆମ ରାଷ୍ଟ୍ରର ଏକତାକୁ ବ୍ୟାହତ କରିବା ସକାଶେ ଉଦ୍ୟମ କରୁଛନ୍ତି । ଏହି ସଂକଟ ସୃଷ୍ଟିକାରୀମାନେ ଧର୍ମକୁ ଅସ୍ତ୍ର ରୂପେ ବ୍ୟବହାର କରି ଆମ ଦେଶର, ଆମ କ୍ଷେତ୍ରର ଯୁବକମାନଙ୍କୁ ବିପଥଗାମୀ କରିବାକୁ ପ୍ରୟାସ ଚଳାଇଛନ୍ତି । କୌଣସି ନିର୍ଦ୍ଦିଷ୍ଟ ଧର୍ମ ସହ ଆତଙ୍କବାଦକୁ ତୁଳନା କରିବା ଅନୁଚିତ । ଭାରତ ଓ ଇସ୍ରାଏଲ ଅଧିକ ଘନିଷ୍ଠ ଭାବେ ପାରସ୍ପରିକ ସହଯୋଗ ବୃଦ୍ଧି କରି, ଆତଙ୍କବାଦ ଭଳି ଅପଶକ୍ତି ତତ୍ତ୍ଵଙ୍କ ବିରୋଧରେ ପରସ୍ପରକୁ ସହଯୋଗ କରିପାରିବେ ।”
ଏହାକୁ ସମ୍ପର୍କର ପୁନଃସ୍ଥାପନ ଅଥବା ଉନ୍ନତିକରଣ ବୋଲି କୁହାଯିବ ?
“ମୋ ଗସ୍ତର ବିଶେଷ ମହତ୍ତ୍ଵ ରହିଛି, କାରଣ ପ୍ରଥମ ଥର ପାଇଁ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ଇସ୍ରାଏଲ ଗସ୍ତରେ ଯାଉଛନ୍ତି । ମୋର ଦୃଢ଼ ବିଶ୍ୱାସ ଯେ ମୋର ଏହି ଗସ୍ତ ଫଳରେ ବିଭିନ୍ନ କ୍ଷେତ୍ରରେ ଆମର ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ମଜବୁତ ହେବ ଏବଂ ସହଯୋଗର ନୂତନ ଆବଶ୍ୟକତା ଉନ୍ମୋଚିତ ହୋଇପାରିବ ।”
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରି ଆପଣ ଜେରୁଜେଲମ ଓ ୱେଷ୍ଟର୍ଣ୍ଣ ୱାଲ (ପଶ୍ଚିମ ପ୍ରାଚୀର) ଗସ୍ତ କରିବାକୁ ରାଜି ହେବେ କି?
“ମୋ ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ହେଲା ଭାରତ ଓ ଇସ୍ରାଏଲ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ନିବିଡ କରିବା । ମୁଁ ନିଶ୍ଚିତ ଯେ ମୁଁ ଜେରୁଜେଲମ ଗସ୍ତ କରିବି । ମୋ ଗସ୍ତ ଏବଂ ଏହାର କାର୍ଯ୍ୟକ୍ରମ ଏଭଳି ଭାବେ ସ୍ଥିର କରାଯାଇଛି ଯେ ଇସ୍ରାଏଲ ସହ ସମସ୍ତ କ୍ଷେତ୍ରରେ ଆମର ସହଭାଗୀତାକୁ ଯେପରି ଆମେ ଆଗକୁ ଆଗେଇ ନେଇପାରିବୁ । ସେଥିରୁ ପ୍ରଯୁକ୍ତିଠାରୁ ନବସୃଜନ କ୍ଷେତ୍ରରେ ସହଯୋଗ, କୃଷି ଓ ସମ୍ପଦର ସଫଳ ଉପଯୋଗ ସାମିଲ ।”
ଜେରୁଜେଲମର ସାର୍ବଭୌମତ୍ୱ ପ୍ରସଙ୍ଗରେ ଆପଣଙ୍କର ମତ କଣ ? ଭାରତ ତାର ଦୂତାବାସକୁ ସେଠାକୁ ସ୍ଥାନାନ୍ତରିତ କରିବ କି ?
“ଆମେ ଦୁଇରାଷ୍ଟ୍ର ସମାଧାନ ଭାବନାରେ ବିଶ୍ୱାସୀ ଯେଉଁଥିରେ ଇସ୍ରାଏଲ ଏବଂ ଭବିଷ୍ୟତର ପାଲେଷ୍ଟିନୀୟ ରାଷ୍ଟ୍ର ଶାନ୍ତିପୂର୍ଣ୍ଣ ଭାବେ ସହାବସ୍ଥାନ କରିପାରିବେ । ଏ ସମ୍ପର୍କରେ ଚୂଡାନ୍ତ ସ୍ଥିତି ରାଜିନାମା ସମସ୍ତ ପ୍ରଭାବିତ ପକ୍ଷଙ୍କ ମାନସିକତା ଓ ଦାବିକୁ ସମ୍ମାନ ଦେବା ଉଚିତ । ଏହି ବିବାଦର ସମାଧାନ ଚାବିକାଠି ପ୍ରଭାବିତ ପକ୍ଷଙ୍କଠାରେ ନିହିତ । ତେଣୁ ଭାରତ ଏହାର ଏକ ସର୍ବଜନ-ଗ୍ରହଣୀୟ ସମାଧାନ ପନ୍ଥା ବାହାର କରିବା ନିମନ୍ତେ ହେଉଥିବା ସକଳ ପ୍ରୟାସକୁ ସମର୍ଥନ କରେ । ସେଥିରେ ଜେରୁଜେଲମ ବି ସାମିଲ । ମୁଁ ଭାବୁଛି ଆପଣଙ୍କ ପ୍ରଶ୍ନ ତେଲ ଆଭିଭଠାରେ ଥିବା ଆମ ଦୂତାବାସ ପ୍ରତି ଉଦ୍ଦିଷ୍ଟ । ଜେରୁଜେଲମ ସମ୍ପର୍କରେ ଉଭୟପକ୍ଷ ଏକ ରାଜିନାମାରେ ପହଞ୍ଚିସାରିବା ପରେ ଆମେ ସେ ସମ୍ପର୍କରେ ନିଷ୍ପତ୍ତି ନେବୁ ।”
ଆପଣଙ୍କର ଜୀବନୀ କହେ ଯେ ଦାରିଦ୍ର୍ୟ ଭିତରୁ ଆପଣ ଉଠି ନିଜର କର୍ମନିଷ୍ଠା ବଳରେ ଉତ୍ଥାନର ସିଢ଼ି ଚଢ଼ି ଦେଶର ପ୍ରଧାନମନ୍ତ୍ରୀ (ଶାସନ ମୁଖ୍ୟ) ହୋଇପାରିଛନ୍ତି । ଯେକୌଣସି ଦୃଷ୍ଟିରୁ ବିଚାର କରି ଦେଖିଲେ ଏହା ସମସ୍ତଙ୍କୁ ପ୍ରଭାବିତ କରେ । ଆପଣଙ୍କର ଏପରି ଅତୀତ ସତ୍ତ୍ୱେ ଆପଣ ପୁଞ୍ଜିବାଦୀ ବ୍ୟବସ୍ଥାର ଜଣେ ଦୃଢ଼ ସମର୍ଥକ ଏବଂ ଅର୍ଥବ୍ୟବସ୍ଥାର ଉଦାରୀକରଣ ପାଇଁ ଆଗ୍ରହୀ । ଆପଣ ଏ ସମ୍ପର୍କରେ ନିଜର ବିଶ୍ୱଦୃଷ୍ଟିଭଙ୍ଗୀ ଉପରେ ଆଲୋକପାତ କରିବେ କି ?
“ମୁଁ କୌଣସି “ବାଦ”(ism)ରେ ବିଶ୍ୱାସ କରେନାହିଁ । ମୁଁ ଓ ମୋ ସରକାର ଏକ ମନରେ “ସମସ୍ତଙ୍କୁ ସାଥୀରେ ନେଇ, ସମସ୍ତଙ୍କ ବିକାଶ” ଲକ୍ଷ୍ୟରେ କାର୍ଯ୍ୟ କରୁଛୁ । ଆମେ ଚାହୁଁ ଆମ ଯୁବକଯୁବତୀମାନେ କେବଳ ଚାକିରୀ ନଖୋଜନ୍ତୁ ବରଂ ଅନ୍ୟକୁ ଚାକିରି ଦିଅନ୍ତୁ । ତେଣୁ ସେମାନଙ୍କ ଭିତରେ ଥିବା ଅଭିନବତ୍ୱ ଓ ଉଦ୍ୟୋଗ ସାମର୍ଥ୍ୟକୁ ଆମେ ଉନ୍ମୋଚନ କରିବା ଦିଗରେ ସବୁ ପ୍ରକାର ଉଦ୍ୟମ କରୁଛୁ । ଯେ କୌଣସି ପ୍ରକାର କାର୍ଯ୍ୟକ୍ରମକୁ ମୁଁ ସମର୍ଥନ ଅଥବା ଏହାକୁ ଗ୍ରହଣ କରିବାର ମାପଦଣ୍ଡଟି ହେଲା ତା ଦ୍ୱାରା ଆମ ଲୋକମାନଙ୍କ ଜୀବନଧାରଣ ମାନରେ କେତେକ ଉନ୍ନତି ସାଧିତ ହୋଇପାରିବ । ଯେତେବେଳେ ଏହି ଚିନ୍ତାଧାରାକୁ ଅଗ୍ରାଧିକାର ପ୍ରଦାନ କରାଯିବ, ସେଥିରୁ ଯଥେଷ୍ଟ ସୁଫଳ ହାସଲ କରାଯାଇପାରିବ । ସେକଥା ମୁଁ ମୋ ନିଜ ରାଜ୍ୟ ଗୁଜରାଟରେ ମୁଖ୍ୟମନ୍ତ୍ରୀ ଥିବାବେଳେ ଦେଖିଛି ସେଠାରେ ମୁଁ 13 ବର୍ଷ ଧରି ମୁଖ୍ୟମନ୍ତ୍ରୀ ରହିଥିଲି । ଏବଂ ଭାରତରେ ଏବେ ଜାତୀୟ ସ୍ତରରେ ତାହା ହିଁ ଲକ୍ଷ୍ୟ କରୁଛି ।”
ଭାରତୀୟ ସମାଜରେ ସଂସ୍କାର ଆଣିବାକୁ ଆପଣ ଚେଷ୍ଟା କରିଛନ୍ତି । ଦୁର୍ଗମ ଓ ଗ୍ରାମାଞ୍ଚଳରେ ଯେଉଁଠାରେ ଉପଯୁକ୍ତ ପରିମଳ ବ୍ୟବସ୍ଥା ସୁଦ୍ଧା ନାହିଁ ସେଠାରେ ଆଧୁନିକ ପ୍ରଯୁକ୍ତିର ଆଂଶିକ ପ୍ରୟୋଗ ପାଇଁ ଆପଣ ପ୍ରୟାସ କରୁଛନ୍ତି । ଆପଣଙ୍କ ଏହି ଉଦ୍ୟମରେ ଇସ୍ରାଏଲ କିଛି ସହାୟକ ହେବ ବୋଲି ଆପଣ ଭାବୁଛନ୍ତି କି ?
“ନିଶ୍ଚୟ । ଏଭଳି ସଂସ୍କାର ପ୍ରକ୍ରିୟାରେ ଇସ୍ରାଏଲ ଏକ ପ୍ରଯୁକ୍ତି ସହଭାଗୀ ହୋଇପାରିବ । ଆମର “ଗଙ୍ଗା ସଂରକ୍ଷଣ” (ଗଙ୍ଗୀ ନଦୀକୁ ପ୍ରଦୂଷଣମୁକ୍ତ କରିବାରେ ପ୍ରୟାସ) ଏବଂ ସ୍ମାର୍ଟସିଟି ଭଳି ଫ୍ଲାଗସିପ କାର୍ଯ୍ୟକ୍ରମରେ ଇସ୍ରାଏଲର ସାମର୍ଥ୍ୟ ବେଶ ସହାୟକ ହେବ । ଯଦି ଇସ୍ରାଏଲର ପ୍ରଯୁକ୍ତିବିତମାନେ ସେମାନଙ୍କ ଉତ୍ପାଦକୁ ଆମ ଦେଶର ଗ୍ରାମାଞ୍ଚଳ ଲୋକଙ୍କ ଆବଶ୍ୟକତା ଅନୁସାରେ ରିମଡେଲ କରନ୍ତି ତା ହେଲେ ଆମ ଦେଶର କୋଟି କୋଟି ଜନତା ଇସ୍ରାଏଲ ପ୍ରଯୁକ୍ତିରୁ ଉପକୃତ ହୋଇପାରିବେ । ଗ୍ରାମାଞ୍ଚଳ ଲୋକଙ୍କ ଚାହିଦା ଓ ବଜାର ଧାରାକୁ ବୁଝିବା ଏ ଦିଗରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ।”
କୃଷି, ବ୍ୟବସାୟ ଅଥବା ଅନ୍ୟାନ୍ୟ କ୍ଷେତ୍ରରେ ହେଉ, ସେଥିପ୍ରତି ଇସ୍ରାଏଲ ଏବଂ ଭାରତର ଆଭିମୁଖ୍ୟରେ କି ପ୍ରକାର ବୈଷମ୍ୟ ରହିଛି ବୋଲି ଆପଣ ମନେ କରନ୍ତି ?
“ସମାଜ ଦୃଷ୍ଟିରୁ ଦେଖିଲେ, ଉଭୟ ଭାରତ ଓ ଇସ୍ରାଏଲ ଏକ ସୁଦୃଢ଼ ଉଦ୍ୟୋଗ ଭାବଧାରା ଦ୍ୱାରା ପରିଚାଳିତ । ଉଭୟ ରାଷ୍ଟ୍ରର ବ୍ୟବସାୟିକ ସଂସ୍କୃତି ଅନନ୍ୟ । ଯେଉଁ ପ୍ରକାର ପରିସ୍ଥିତିରୁ ସେମାନେ ଉପରକୁ ଉଠିଛନ୍ତି ସେଇ ଭାବେ ସେମାନଙ୍କ ମାନସିକତାର ବିକାଶ ଘଟିଛି । ହୁଏତ ସେମାନଙ୍କ ଆଭିମୁଖ୍ୟରେ ବୈଷମ୍ୟ ଥାଇପାରେ କିନ୍ତୁ ଉଭୟ ଭାରତୀୟ ଓ ଇସ୍ରାଏଲୀ ବ୍ୟବସାୟୀମାନେ ଯେଉଁମାନଙ୍କୁ ମୁଁ ଜାଣେ ସେମାନେ ମୋତେ କହିଛନ୍ତି ଯେ ଉଭୟଙ୍କ ମନରେ ଏକା ପ୍ରକାର ବୈଜ୍ଞାନିକ ଚେତନା ଓ ମାନସିକତା ରହିଛି ।”
ଇସ୍ରାଏଲ ଏବଂ ଭାରତ ମଧ୍ୟରେ ନବସୃଜନ କ୍ଷେତ୍ରରେ ଯେଉଁ ସମ୍ପର୍କ ସ୍ଥାପନ ହୋଇଛି ତାକୁ ଆମେ ସାଧାରଣ ଲୋକଙ୍କୁ କିପରି ବୁଝାଇ ପାରିବା ?
“ମୁଁ ଭାବୁଛି ସାଧାରଣ ଲୋକ ଆମ ଅଭିନବ ସୃଜନାତ୍ମକ ସମ୍ପର୍କ ବିଷୟରେ ବେଶ୍ ସଚେତନ । କାରଣ ଏହାର ସୁଫଳ ସେମାନଙ୍କ ଜୀବନଧାରାକୁ ଛୁଇଁଛି । ସୃଜନଶୀଳତା ସମ୍ପର୍କରେ ଆମ ଦୃଷ୍ଟିଭଙ୍ଗୀ ଭିନ୍ନ ହୋଇଥାଇପାରେ, କିନ୍ତୁ ଆମ ସମାଜ ସହ ମୂଲ୍ୟବୋଧ ଓ ସମ୍ପଦ ସଂଯୋଗ କରିବା ସକାଶେ ଆମେ ଉଭୟେ ଏହା ଉପରେ ନିର୍ଭରଶୀଳ । ଇସ୍ରାଏଲବାସୀ ଓ ଭାରତବାସୀ ଜନ୍ମରୁ ଅଭିନବ ସୃଜନାତ୍ମକ ଚିନ୍ତାଧାରାରେ ପ୍ରଭାବିତ । ଏଭଳି ବାତାବରଣକୁ ଉଭୟ ଦେଶବାସୀ ସମର୍ଥନ ଜଣାନ୍ତି, ବିଶ୍ଵାସ କରନ୍ତି ଓ ଗ୍ରହଣ କରନ୍ତି । ପୁଣି ଏଭଳି ବାତାବରଣକୁ ଜାରି ରଖିବାରେ ଉଭୟେ ବିଶ୍ୱାସୀ । ତେଣୁ ଅଭିନବତ୍ତ୍ଵର ସୃଜନଶୀଳତା ସହ ଉଦ୍ୟୋଗ ଶକ୍ତିକୁ ସଂଯୋଗ କରିବା ହେଲା ଉଭୟଙ୍କର ସମାନ ଲକ୍ଷ୍ୟ ।”
ଇସ୍ରାଏଲଠାରୁ କି ପ୍ରକାର ସାମଗ୍ରୀ ଆମଦାନି କରିବ ବୋଲି ଭାରତ ଆଶା କରୁଛି ?
“ଇସ୍ରାଏଲ ସହ ଆମେ କେବଳ ପାରମ୍ପରିକ ଆମଦାନି-ରପ୍ତାନି ସମ୍ପର୍କ ରକ୍ଷା କରିବାକୁ ଚାହୁଁନା । ଆମେ ସେ ଦେଶ ସହ ପ୍ରଯୁକ୍ତିଭିତ୍ତିକ ସହଭାଗୀତା ଯେଉଁଥିରେ କି “ମେକ ଇନ ଇଣ୍ଡିଆ”କୁ ପ୍ରାଧାନ୍ୟ ଦିଆଯିବ, ସେଭଳି ସମ୍ପର୍କ ବୃଦ୍ଧି ପାଇଁ ଆଗ୍ରହୀ । “ସ୍ଵଚ୍ଛ ଗଙ୍ଗା” ଠାରୁ ଆରମ୍ଭ କରି ଆମର ଅନେକ ଫ୍ଲାଗସିପ କାର୍ଯ୍ୟକ୍ରମରେ ସହଯୋଗ କରିବାକୁ ଇସ୍ରାଏଲର ଶିଳ୍ପସଂସ୍ଥାମାନେ ବେଶ ସକାରାତ୍ମକ ମନୋଭବ ପୋଷଣ କରିଛନ୍ତି । ତେଣୁ ସେହିସବୁ ଫ୍ଲାଗସିପ କାର୍ଯ୍ୟକ୍ରମରେ ଭାରତ ସଙ୍ଗେ ସହଭାଗୀ ହେବାକୁ ଏବଂ ଏହି ସମ୍ପର୍କକୁ ଘନିଷ୍ଠ କରିବା ଲାଗି ପର୍ଯ୍ୟାପ୍ତ ସୁଯୋଗ ରହିଛି ବୋଲି ମୁଁ ଭାବୁଛି ।”
ଉତ୍ସ