ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୭ ଓ ୮ ତାରିଖରେ କେନ୍ଦ୍ରଶାସିତ ପ୍ରଦେଶ ଦାଦ୍ରା ଓ ନଗର ହାବେଳୀ ତଥା ଦମନ ଓ ଡିଉ ଏବଂ ଗୁଜରାଟ ଗସ୍ତ କରିବେ । ସେ ମାର୍ଚ୍ଚ ୭ ତାରିଖରେ ସିଲଭାସା ଯିବେ ଏବଂ ଦ୍ୱିପ୍ରହର ପ୍ରାୟ ୨ଟାରେ ନମୋ ହସପିଟାଲ (ପ୍ରଥମ ପର୍ଯ୍ୟାୟ)ର ଉଦଘାଟନ କରିବେ । ଦ୍ୱିପ୍ରହର ପ୍ରାୟ ୨ଟା ୪୫ରେ ସିଲଭାସାରେ କେନ୍ଦ୍ରଶାସିତ ପ୍ରଦେଶ ପାଇଁ ୨୫୮୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବେ । ଏହାପରେ ସେ ସୁରଟ ଯିବେ ଏବଂ ସନ୍ଧ୍ୟା ପ୍ରାୟ ୫ଟାରେ ସୁରଟ ଖାଦ୍ୟ ସୁରକ୍ଷା ସଂତୃପ୍ତି ଅଭିଯାନର ଶୁଭାରମ୍ଭ କରିବେ । ମାର୍ଚ୍ଚ ୮ରେ ପ୍ରଧାନମନ୍ତ୍ରୀ ନବସାରୀ ଯିବେ ଏବଂ ସକାଳ ପ୍ରାୟ ୧୧ ଟା ୩୦ରେ ଲକ୍ଷପତି ଦିଦି ମାନଙ୍କ ସହ ଆଲୋଚନା କରିବେ । ଏହାପରେ ଏକ ସାର୍ବଜନୀକ ସମାବେଶରେ ବିଭିନ୍ନ ଯୋଜନାର ଶୁଭାରମ୍ଭ କରାଯିବ ।
କେନ୍ଦ୍ରଶାସିତ ପ୍ରଦେଶ ଦାଦ୍ରା ଓ ନଗର ହାବେଳୀରେ ପ୍ରଧାନମନ୍ତ୍ରୀ
ଦେଶର ପ୍ରତ୍ୟେକ ଭାଗରେ ସ୍ୱାସ୍ଥ୍ୟସେବା ସମ୍ପର୍କିତ ସୁବିଧା ବଢ଼ାଇବା ଦିଗରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ଏହି ଅନୁସାରେ ସେ ସିଲଭାସାରେ ସେ ନମୋ ହସପିଟାଲ (ପ୍ରଥମ ପର୍ଯ୍ୟାୟ)ର ଉଦଘାଟନ କରିବେ । ମୋଟ ୪୬୦ କୋଟି ଟଙ୍କାରୁ ଅଧିକ ଟଙ୍କା ଖର୍ଚ୍ଚରେ ୪୫୦ ଶଯ୍ୟା ବିଶିଷ୍ଟ ହସପିଟାଲ ଏହି କେନ୍ଦ୍ରଶାସିତ ପ୍ରଦେଶରେ ସ୍ୱାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବ । ଏହି ହସପିଟାଲ ଏହି ଅଞ୍ଚଳର ଲୋକ, ବିଶେଷ କରି ଆଦିବାସୀ ସମୁଦାୟଙ୍କୁ ଅତ୍ୟାଧୁନିକ ଚିକିତ୍ସା ସେବା ପ୍ରଦାନ କରିବ ।
ପ୍ରଧାନମନ୍ତ୍ରୀ ସିଲଭାସାରେ କେନ୍ଦ୍ରଶାସିତ ପ୍ରଦେଶ ପାଇଁ ୨୫୮୦ କୋଟିରୁ ଅଧିକ ଟଙ୍କା ନିବେଶରେ ହୋଇଥିବା ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବେ । ଏହା ମଧ୍ୟରେ ବିଭିନ୍ନ ଗ୍ରାମ୍ୟ ସଡ଼କ ଓ ସଡ଼କ ଭିତ୍ତିଭୂମି, ବିଦ୍ୟାଳୟ, ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ର, ପଞ୍ଚାୟତ ଏବଂ ପ୍ରଶାସନିକ ଭବନ, ଅଙ୍ଗନବାଡ଼ି କେନ୍ଦ୍ର, ଜଳଯୋଗାଣ ଏବଂ ସିୱେଜ ଭିତ୍ତିଭୂମି ରହିଛି । ଏହି ପ୍ରକଳ୍ପ ଗୁଡ଼ିକର ଉଦେ୍ଦଶ୍ୟ ଯୋଗାଯୋଗକୁ ସୁଦୃଢ଼ କରିବା, ଔଦ୍ୟୋଗିକ ବିକାଶକୁ ବଢ଼ାଇବା, ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା, ରୋଜଗାର ସୁବିଧା ସୃଷ୍ଟି କରିବା ଏବଂ ଅଞ୍ଚଳରେ ଜନକଲ୍ୟାଣ ସମ୍ପର୍କିତ ପଦକ୍ଷେପକୁ ବଢ଼ାଇବା ।
ପ୍ରଧାନମନ୍ତ୍ରୀ ରୋଜଗାର ମେଳା ଅନ୍ତର୍ଗତ ନିଯୁକ୍ତିପତ୍ର ବଣ୍ଟନ କରିବେ । ସେ ମଧ୍ୟ ପି ଏମ ଆବାସ ଯୋଜନା-ସହରାଞ୍ଚଳ, ଗିର ଆଦର୍ଶ ଆଜୀବିକା ଯୋଜନା ଏବଂ ସିଲଭାନ ଦିଦି ଯୋଜନାର ଲାଭାର୍ଥୀଙ୍କୁ ଲାଭ ବିତରଣ କରିବେ ।
ଗିର ଆଦର୍ଶ ଆଜୀବିକା ଯୋଜନାର ଉଦେ୍ଦଶ୍ୟ ଏହି ଅଞ୍ଚଳର ଅନୁସୂଚିତ ଜାତି (ଏସସି), ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି), ଅଳ୍ପସଂଖ୍ୟା ସମୁଦାୟ ଏବଂ ଦିବ୍ୟାଙ୍ଗଜନ ଶ୍ରେଣୀର ମହିଳାମାନଙ୍କ ପାଇଁ ଛୋଟ ଡାଏରୀ ଫାର୍ମ ସ୍ଥାପନ କରି ସେମାନଙ୍କ ଜୀବନର ସାମାଜିକ ଓ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆଣି ସେମାନଙ୍କ ଆର୍ଥିକ ସଶକ୍ତିକରଣକୁ ବଢ଼ାଇବା । ସିଲଭନ ଯୋଜନାରେ ମହିଳା ଷ୍ଟ୍ରିଟ ଭେଣ୍ଡରମାନଙ୍କୁ ସୁନ୍ଦର ଢଙ୍ଗରେ ଡିଜାଇନ କରାଯାଇଥିବା ଠେଲାଗାଡ଼ି ପ୍ରଦାନ କରି ସେମାନଙ୍କ ଉତ୍ଥାନରେ ସହାୟତା କରିବା । ଏହି ଠେଲାଗାଡ଼ି ପାଇଁ ସହ-ଆର୍ଥିକ ସହାୟତା ପିଏମ୍ ସ୍ୱନିଧି ଯୋଜନାରେ ଦିଆଯାଉଛି ।
ଗୁଜରାଟରେ ପ୍ରଧାନମନ୍ତ୍ରୀ
ମାର୍ଚ୍ଚ ୭ ରେ ପ୍ରଧାନମନ୍ତ୍ରୀ ସୁରଟର ଲିମ୍ବାୟତଠାରେ ସୁରଟ ଖାଦ୍ୟ ସୁରକ୍ଷା ସଂତୃପ୍ତି ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ଏବଂ ୨.୩ ଲକ୍ଷରୁ ଅଧିକ ଲାଭାର୍ଥୀଙ୍କୁ ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅଧୀନରେ ଲାଭ ବିତରଣ କରିବେ ।
ମହିଳା ସଶକ୍ତିକରଣ ସରକାରଙ୍କ ଦ୍ୱାରା କରାଯାଉଥିବା ବିଭିନ୍ନ କାର୍ଯ୍ୟର ଆଧାର । ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣରେ ପ୍ରୋତ୍ସାହିତ ହୋଇ ସରକାର ସେମାନଙ୍କ ସମସ୍ତ ପ୍ରକାର ବିକାଶ ପାଇଁ ପଦକ୍ଷେପ ନେବାକୁ ପ୍ରତିବଦ୍ଧ । ଏହି ଅନୁସାରେ ମାର୍ଚ୍ଚ ୮ ତାରିଖ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନବସାରୀ ଜିଲ୍ଲାର ବଂଶୀ ବୋର୍ସୀ ଗ୍ରାମରେ ଲକ୍ଷପତି ଦିଦିଙ୍କ କାର୍ଯ୍ୟକ୍ରମରେ ସାମିଲ ହୋଇ ସେମାନଙ୍କ ସହ ଭାବ ବିନିମୟ କରିବେ । ସେ ମଧ୍ୟ ୫ ଜଣ ଲକ୍ଷପତି ଦିଦିଙ୍କୁ ଲକ୍ଷପତି ଦିଦି ସାର୍ଟିଫିକେଟରେ ସମ୍ମାନିତ କରିବେ ।
ପ୍ରଧାନମନ୍ତ୍ରୀ ଗୁଜରାଟ ସରକାରଙ୍କ ଜି-ସଫଳ(ଅନ୍ତୋଦୟ ପରିବାର ପାଇଁ ଉତ୍ତମ ଜୀବିକା ସକାଶେ ଗୁଜରାଟ ଯୋଜନା) ଏବଂ ଜି-ମୈତ୍ରୀ (ଗ୍ରାମୀଣ ଆୟରେ ପରିବର୍ତ୍ତନ ସକାଶେ ଗୁଜରାଟ ମେଣ୍ଟରସିପ୍ ଏବଂ ବ୍ୟକ୍ତିଙ୍କ ତ୍ୱରଣ)ର ଶୁଭାରମ୍ଭ କରିବେ ।
ଜି-ମୈତ୍ରୀ ଯୋଜନାରେ ସେହି ଷ୍ଟାର୍ଟ ଅପ୍ ଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ କରାଯିବ, ଯେଉଁଗୁଡ଼ିକ ଗ୍ରାମୀଣ ଜୀବିକା ଦିଗରେ ଅନୁକୂଳ ବାତାବରଣ ସୃଷ୍ଟି ଉଦେ୍ଦଶ୍ୟରେ ପ୍ରତିଷ୍ଠା କରାଯାଇଥିବ ।
ଜି-ସଫଳ ଯୋଜନାରେ ଗୁଜରାଟର ଦୁଇଟି ଆକାଂକ୍ଷୀ ଜିଲ୍ଲା ଏବଂ ୧୩ଟି ଆକାଂକ୍ଷୀ ବ୍ଲକରେ ଅନ୍ତୋଦୟ ପରିବାରରେ ସ୍ୱୟଂ ସହାୟକ ଗୋଷ୍ଠୀ ସହ ଜଡ଼ିତ ଥିବା ମହିଳାମାନଙ୍କୁ ଆର୍ଥିକ ସହାୟତା ଏବଂ ଉଦ୍ୟମଶୀଳତା ସମ୍ବନ୍ଧୀୟ ପ୍ରଶିକ୍ଷଣ ପ୍ରଦାନ କରାଯିବ ।
SR