ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୭, ୨୦୨୪ରେ ଶ୍ରୀନଗର , ଜାମ୍ମୁ ଓ କାଶ୍ମୀର ଗସ୍ତ କରିବେ । ମଧ୍ୟାହ୍ନ ପ୍ରାୟ ୧୨ଟାରେ ପ୍ରଧାନମନ୍ତ୍ରୀ ଶ୍ରୀନଗରର ବକ୍ସି ଷ୍ଟାଡିୟମରେ ପହଞ୍ଚିବେ, ଯେଉଁଠାରେ ସେ ‘ବିକଶିତ ଭାରତ ବିକଶିତ ଜାମ୍ମୁ କାଶ୍ମୀର’ କାର୍ଯ୍ୟକ୍ରମରେ ଯୋଗ ଦେବେ ।
ଏହି କାର୍ଯ୍ୟକ୍ରମ ଅବସରରେ, ପ୍ରଧାନମନ୍ତ୍ରୀ ଜାମ୍ମୁ ଏବଂ କାଶ୍ମୀରରେ କୃଷି ଅର୍ଥ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ପାଇଁ ପାଖାପାଖି ୫୦୦୦ କୋଟି ଟଙ୍କାର କାର୍ଯ୍ୟକ୍ରମ – ‘ସାମଗ୍ରିକ କୃଷି ବିକାଶ କାର୍ଯ୍ୟକ୍ରମ’କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ସ୍ୱଦେଶ ଦର୍ଶନ ଏବଂ ପ୍ରସାଦ (ତୀର୍ଥଯାତ୍ରା କାୟାକଳ୍ପ ଏବଂ ଆଧ୍ୟାତ୍ମିକ, ଐତିହ୍ୟ ବୃଦ୍ଧି ଅଭିଯାନ) ଯୋଜନା ଅଧୀନରେ ୧୪୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପର୍ଯ୍ୟଟନ କ୍ଷେତ୍ର ସହ ଜଡ଼ିତ ଏକାଧିକ ପ୍ରକଳ୍ପର ଶୁଭାରମ୍ଭ କରିବେ, ଯେଉଁଥିରେ , ଶ୍ରୀନଗର ସ୍ଥିତ ହଜରତବଲ ଧାର୍ମିକ ସ୍ଥଳୀର ସାମଗ୍ରିକ ବିକାଶ ମଧ୍ୟ ସାମିଲ୍ ଅଟେ । ପ୍ରଧାନମନ୍ତ୍ରୀ ‘ଦେଖୋ ଅପନା ଦେଶ ପିପୁଲ୍ସ ଚଏସ୍ ଟୁରିଷ୍ଟ ଡେଷ୍ଟିନେସନ୍ ପୋଲ୍’ ଏବଂ ‘ଚଲୋ ଇଣ୍ଡିଆ ଗ୍ଲୋବାଲ୍ ଡାୟସ୍ପୋରା କ୍ୟାମ୍ପେନ୍’ର ଶୁଭାରମ୍ଭ କରିବେ । ଚ୍ୟାଲେଞ୍ଜ ବେସ୍ଡ ଡେଷ୍ଟିନେସନ ଡେଭଲପମେଣ୍ଟ (ସିବିଡିଡି) / ଆହ୍ୱାନ ଆଧାରିତ ଗନ୍ତବ୍ୟ ସ୍ଥଳୀର ବିକାଶ ଯୋଜନାରେ ଚୟନ ହୋଇଥିବା ପର୍ଯ୍ୟଟନସ୍ଥଳୀ ବିଷୟରେ ମଧ୍ୟ ସେ ଘୋଷଣା କରିବେ । ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ଜାମ୍ମୁ ଏବଂ କାଶ୍ମୀରର ପ୍ରାୟ ୧୦୦୦ ନୂତନ ସରକାରୀ ନିଯୁକ୍ତି ପାଇଥିବା ବ୍ୟକ୍ତିଙ୍କୁ ଆଦେଶ ପତ୍ର ବଣ୍ଟନ କରିବେ ଏବଂ ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀଙ୍କ ସହ ଆଲୋଚନା କରିବେ , ଯେଉଁମାନଙ୍କ ମଧ୍ୟରେ ସଫଳତା ହାସଲ କରିଥିବା ମହିଳା, ଲକ୍ଷପତି ଦିଦି, କୃଷକ, ଉଦ୍ୟୋଗୀ ଇତ୍ୟାଦି ଅନ୍ତର୍ଭୁକ୍ତ ।
ଜାମ୍ମୁ ଓ କାଶ୍ମୀରର କୃଷି ଅର୍ଥ ବ୍ୟବସ୍ଥାକୁ ଏକ ବଡ଼ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ପ୍ରଧାନମନ୍ତ୍ରୀ ‘ସାମଗ୍ରିକ କୃଷି ବିକାଶ କାର୍ଯ୍ୟକ୍ରମ’ (ଏଚ୍ଏଡିପି) କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଏଚଏଡିପି ହେଉଛି ଏକ ସମନ୍ୱିତ କାର୍ଯ୍ୟକ୍ରମ ଯେଉଁଥିରେ ଜାମ୍ମୁ ଓ କାଶ୍ମୀରର କୃଷି – ଅର୍ଥନୀତିର ତିନୋଟି ପ୍ରମୁଖ କ୍ଷେତ୍ର ଯଥା ଉଦ୍ୟାନ କୃଷି, କୃଷି ଏବଂ ପଶୁପାଳନ ସମ୍ପର୍କିତ କାର୍ଯ୍ୟକଳାପର ସମ୍ପୂର୍ଣ୍ଣ ସ୍ପେକ୍ଟ୍ରମ୍ ଅନ୍ତର୍ଭୁକ୍ତ । ଏହି କାର୍ଯ୍ୟକ୍ରମରେ ଉତ୍ସର୍ଗୀକୃତ ଦକ୍ଷ କିଷାନ ପୋର୍ଟାଲ ମାଧ୍ୟମରେ ପ୍ରାୟ ୨.୫ ଲକ୍ଷ କୃଷକଙ୍କୁ ଦକ୍ଷତା ବିକାଶ ମାଧ୍ୟମରେ ସଶକ୍ତ କରାଯିବ ବୋଲି ଆଶା କରାଯାଉଛି । ଏହି କାର୍ଯ୍ୟକ୍ରମ ଅଧୀନରେ ପାଖାପାଖି ୨୦୦୦ କୃଷକ ଖିଦମତ ଘର ପ୍ରତିଷ୍ଠା କରାଯିବା ସହ କୃଷକଙ୍କ କଲ୍ୟାଣ ପାଇଁ ସୁଦୃଢ଼ ମୂଲ୍ୟ ଶୃଙ୍ଖଳା ସ୍ଥାପନ କରାଯିବ । ଏହି କାର୍ଯ୍ୟକ୍ରମ ଦ୍ୱାରା ନିଯୁକ୍ତି ସୃଷ୍ଟି ହେବ, ଯାହା ଦ୍ୱାରା ଜାମ୍ମୁ ଓ କାଶ୍ମୀରର ଲକ୍ଷ ଲକ୍ଷ ନାମମାତ୍ର ପରିବାର ଉପକୃତ ହୋଇପାରିବେ ।
ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ ହେଉଛି ଏହି ସ୍ଥାନ ଗୁଡ଼ିକରେ ବିଶ୍ୱସ୍ତରୀୟ ଭିତ୍ତିଭୂମି ଏବଂ ସୁବିଧା ସୁଯୋଗ ସୃଷ୍ଟି କରି ଦେଶବ୍ୟାପୀ ପ୍ରମୁଖ ତୀର୍ଥ ଓ ପର୍ଯ୍ୟଟନ ସ୍ଥଳୀକୁ ଆସୁଥିବା ପର୍ଯ୍ୟଟକ ଓ ତୀର୍ଥଯାତ୍ରୀଙ୍କ ସାମଗ୍ରିକ ଅନୁଭୂତିରେ ଉନ୍ନତି ଆଣିବା । ଏହି କ୍ରମରେ ପ୍ରଧାନମନ୍ତ୍ରୀ ସ୍ୱଦେଶ ଦର୍ଶନ ଓ ପ୍ରସାଦ ଯୋଜନା ଅଧୀନରେ ୧୪୦୦ କୋଟିରୁ ଅଧିକ ଟଙ୍କାର ଏକାଧିକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ଏବଂ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉଦ୍ଦେଶ୍ୟରେ ଯେଉଁ ପ୍ରକଳ୍ପଗୁଡ଼ିକୁ ଉତ୍ସର୍ଗ କରିବେ ତାହା ମଧ୍ୟରେ ଜାମ୍ମୁ ଓ କାଶ୍ମୀରର ଶ୍ରୀନଗରରେ ‘ହଜରତବଲ ଧର୍ମ ସ୍ଥଳୀର ସମନ୍ୱିତ ବିକାଶ’ ; ଉତ୍ତର – ପୂର୍ବ ଅଂଚଳରେ ମେଘାଳୟରେ ବିକଶିତ ପର୍ଯ୍ୟଟନ ସୁବିଧା; ବିହାର ଓ ରାଜସ୍ଥାନରେ ଆଧ୍ୟାତ୍ମିକ ସର୍କିଟ୍; ବିହାରର ଗ୍ରାମୀଣ ଓ ତୀର୍ଥଙ୍କର ସର୍କିଟ୍ ; ତେଲେଙ୍ଗାନାରେ ଜୋଗୁଲାମ୍ବା ଗଡ଼ୱାଲ ଜିଲ୍ଲାରେ ଜୋଗୁଲାମ୍ବା ଦେବୀ ମନ୍ଦିରର ବିକାଶ; ଏବଂ ମଧ୍ୟପ୍ରଦେଶର ଅନୁପୁର ଜିଲ୍ଲାର ଅମରକଣ୍ଟକ ମନ୍ଦିରର ବିକାଶ ଇତ୍ୟାଦି ଅନ୍ତର୍ଭୁକ୍ତ ।
ହଜରତବଲ ଧର୍ମସ୍ଥଳୀକୁ ଆସୁଥିବା ତୀର୍ଥଯାତ୍ରୀ ଓ ପର୍ଯ୍ୟଟକ ମାନଙ୍କ ପାଇଁ ବିଶ୍ୱସ୍ତରୀୟ ଭିତ୍ତିଭୂମି ଓ ସୁବିଧା ସୁଯୋଗ ସୃଷ୍ଟି କରିବା ଏବଂ ସେମାନଙ୍କର ସାମଗ୍ରିକ ଆଧ୍ୟାତ୍ମିକ ଅଭିଜ୍ଞତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ‘ହଜରତବଲ ଧର୍ମସ୍ଥଳୀ ସମନ୍ୱିତ ବିକାଶ’ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି । ଏହି ପ୍ରକଳ୍ପର ମୁଖ୍ୟ କାର୍ଯ୍ୟଗୁଡିକ ମଧ୍ୟରେ ମନ୍ଦିରର ସୀମା ପାଚେରି ନିର୍ମାଣ ସମେତ ସମଗ୍ର ଧାର୍ମିକ ସ୍ଥଳୀର ବିକାଶ; ହଜରତବଲ ଧର୍ମ ସ୍ଥଳୀର ପରିସରର ଆଲୋକୀକରଣ; ଏହି ଧର୍ମ ସ୍ଥଳୀର ଚାରିପଟେ ଘାଟ ଓ ଦେବରୀ ମାର୍ଗର ଉନ୍ନତି; ସୁଫି ବ୍ୟାଖ୍ୟା କେନ୍ଦ୍ର ନିର୍ମାଣ; ପର୍ଯ୍ୟଟନ ସୁବିଧା କେନ୍ଦ୍ର ନିର୍ମାଣ; ସଙ୍କେତ ଲଗାଇବା; ବହୁସ୍ତରୀୟ ମହଲା କାର୍ ପାର୍କିଂ ବ୍ୟବସ୍ଥା; ଜନସୁବିଧା ବ୍ଲକ ଓ ପ୍ରବେଶ ଦ୍ୱାର ନିର୍ମାଣ ଇତ୍ୟାଦି ଅନ୍ତର୍ଭୁକ୍ତ ।
ପ୍ରଧାନମନ୍ତ୍ରୀ ପ୍ରାୟ ୪୩ଟି ପ୍ରକଳ୍ପର ଶୁଭାରମ୍ଭ କରିବେ ଯାହା ସମଗ୍ର ଦେଶରେ ବିଭିନ୍ନ ତୀର୍ଥ ଏବଂ ପର୍ଯ୍ୟଟନ ସ୍ଥଳୀର ଏକ ବିସ୍ତୃତ ଶୃଙ୍ଖଳାର ବିକାଶ କରିବ । ଏଥିରେ ଆନ୍ଧ୍ରପ୍ରଦେଶର କାକିନାଡା ଜିଲ୍ଲାର ଆନ୍ନାଭରମ୍ ମନ୍ଦିର ; ତାମିଲନାଡୁର ତାଞ୍ଜାଭୁର ଏବଂ ମାଇଲାଦୁଥୁରାଇ ଜିଲ୍ଲା ଏବଂ ପୁଡୁଚେରୀର କରାଇକାଲ ଜିଲ୍ଲାରେ ନବଗ୍ରହ ମନ୍ଦିର; କର୍ଣ୍ଣାଟକର ମହୀଶୂର ଜିଲ୍ଲାସ୍ଥିତ ଶ୍ରୀ ଚାମୁଣ୍ଡେଶ୍ୱରୀ ଦେବୀ ମନ୍ଦିର; ରାଜସ୍ଥାନର ବିକାନେର ଜିଲ୍ଲାର କର୍ଣ୍ଣି ମାତା ମନ୍ଦିର; ହିମାଚଳ ପ୍ରଦେଶର ଉନା ଜିଲ୍ଲାର ମା’ ଚିନ୍ତାପୂର୍ଣ୍ଣି ମନ୍ଦିର; ଗୋଆର ବାସିଲିକା ଅଫ୍ ବୋମ ଯୀଶସ୍ ଚର୍ଚ୍ଚ ଭଳି ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ସ୍ଥଳ ରହିଛି । ଏହି ପ୍ରକଳ୍ପ ଗୁଡିକରେ ଅରୁଣାଚଳ ପ୍ରଦେଶର ମେଚୁକା ଆଡଭେଞ୍ଚର ପାର୍କ; ଉତ୍ତରାଖଣ୍ଡର ଗୁଞ୍ଜି, ପିଥୋରାଗଡ଼ରେ ଗ୍ରାମୀଣ ପର୍ଯ୍ୟଟନ କ୍ଲଷ୍ଟର ଅଭିଜ୍ଞତା; ତେଲେଙ୍ଗାନାରେ ଅନନ୍ତଗିରିସ୍ଥିତ ଅନନ୍ତଗିରି ଜଙ୍ଗଲ, ଇକୋ ଟୁରିଜିମ୍ ଜୋନ୍; ମେଘାଳୟର ସୋହରା ଠାରେ ମେଘାଳୟ ପୁରୁଣା ଯୁଗର ଗୁମ୍ଫା ଦେଖିବା ଏବଂ ଜଳପ୍ରପାତକୁ ଦେଖିବାର ଅନୁଭୂତି; ଆସାମର ଜୋରହାଟସ୍ଥିତ ସିନମାରା ଚା’ ବଗିତାର ପୁନଃକଳ୍ପନା; ପଞ୍ଜାବର କପୁରଥାଲାସ୍ଥିତ କାଞ୍ଜଲି ଆର୍ଦ୍ରଭୂମିରେ ପରିବେଶ ପର୍ଯ୍ୟଟନ ଅନୁଭୂତି; ଲେହସ୍ଥିତ ଜୁଲି ଲେହ ଜୈବ ବିବିଧତା ପାର୍କ ପରି ଅନ୍ୟାନ୍ୟ ସ୍ଥାନ ଏବଂ ଅଭିଜ୍ଞତା କେନ୍ଦ୍ରର ବିକାଶ ମଧ୍ୟ ଅନ୍ତର୍ଭୁକ୍ତ ।
ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଚ୍ୟାଲେଞ୍ଜ ବେସ୍ଡ ଡେଷ୍ଟିନେସନ ଡେଭଲପମେଣ୍ଟ (ସିବିଡିଡି) ଯୋଜନାରେ ଚୟନ ହୋଇଥିବା ୪୨ଟି ପର୍ଯ୍ୟଟନସ୍ଥଳୀ ବିଷୟରେ ଘୋଷଣା କରିବେ । କେନ୍ଦ୍ର ବଜେଟ ୨୦୨୩ – ୨୪ରେ ଘୋଷଣା କରାଯାଇଥିବା ଏହି ଅଭିନବ ଯୋଜନାର ଉଦ୍ଦେଶ୍ୟ ହେଉଛି ପର୍ଯ୍ୟଟନ ସ୍ଥଳୀର ବିକାଶକୁ ପ୍ରୋତ୍ସାହିତ କରିବା ସହିତ ପର୍ଯ୍ୟଟନ କ୍ଷେତ୍ରରେ ସ୍ଥାୟୀତାକୁ ପ୍ରୋତ୍ସାହିତ କରିବା ଏବଂ ପ୍ରତିଦ୍ୱନ୍ଦ୍ୱିତା ସୃଷ୍ଟି କରି ପର୍ଯ୍ୟଟକଙ୍କ ଅନୁଭୂତି ପ୍ରଦାନ କରିବା । ୪୨ଟି ସ୍ଥାନକୁ ୪ଟି ବର୍ଗରେ ଚିହ୍ନଟ କରାଯାଇଛି (ସଂସ୍କୃତି ଓ ଐତିହ୍ୟ ଗନ୍ତବ୍ୟ ସ୍ଥଳରେ ୧୬ଟି; ଆଧ୍ୟାତ୍ମିକ ଗନ୍ତବ୍ୟ ସ୍ଥଳରେ ୧୧ ଟି; ଇକୋ ଟୁରିଜିମ୍ ଏବଂ ଅମୃତ ଧରୋହରରେ ୧୦; ଏବଂ ଭାଇବ୍ରେଣ୍ଟ ଭିଲେଜରେ ୫ ଟି) ।
ପ୍ରଧାନମନ୍ତ୍ରୀ ‘ଦେଖୋ ଅପନା ଦେଶ ପିପୁଲ୍ସ ଚଏସ୍ ୨୦୨୪’ ଆକାରରେ ପର୍ଯ୍ୟଟନ କ୍ଷେତ୍ରରେ ଦେଶର ବାସ୍ତବତାକୁ ଚିହ୍ନିବା ପାଇଁ ପ୍ରଥମ ଦେଶବ୍ୟାପୀ ପଦକ୍ଷେପର ଶୁଭାରମ୍ଭ କରିବେ । ୫ଟି ପର୍ଯ୍ୟଟନ ବର୍ଗ, ଯଥା : ଆଧ୍ୟାତ୍ମିକ, ସାଂସ୍କୃତିକ ଓ ଐତିହ୍ୟ, ପ୍ରକୃତି ଓ ବନ୍ୟପ୍ରାଣୀ, ଦୁଃସାହସିକତା ଏବଂ ଅନ୍ୟାନ୍ୟ ଭଳି ବର୍ଗରେ ସର୍ବାଧିକ ପସନ୍ଦର ପର୍ଯ୍ୟଟନ ଆକର୍ଷଣ ଚିହ୍ନଟ କରିବା ଏବଂ ପର୍ଯ୍ୟଟକଙ୍କ ବିଚାରକୁ ଜାଣିବା ପାଇଁ ନାଗରିକମାନଙ୍କ ସହ ଯୋଗାଯୋଗ କରିବା ଏହି ସର୍ଭେର ଉଦ୍ଦେଶ୍ୟ । ୪ଟି ମୁଖ୍ୟ ବର୍ଗ ବ୍ୟତୀତ , ‘ଅନ୍ୟାନ୍ୟ’ ବର୍ଗରେ ଜଣେ ନିଜ ବ୍ୟକ୍ତିଗତ ପସନ୍ଦର ସ୍ଥାନକୁ ଭୋଟ୍ ଦେଇ ଭାଇବ୍ରେଣ୍ଟ ବର୍ଡର ଭିଲେଜ୍ (ସ୍ଫୁର୍ତ୍ତିଶୀଳ ସୀମାନ୍ତ ଗ୍ରାମ), ୱେଲନେସ୍ ଟୁରିଜିମ୍ (କଲ୍ୟାଣ ପର୍ଯ୍ୟଟନ) , ୱେଡିଂ ଟୁରିଜିମ୍ (ବିବାହ ପାଇଁ ପର୍ଯ୍ୟଟନସ୍ଥଳୀ) ଆଦି ଅଜଣା ପର୍ଯ୍ୟଟନ ଆକର୍ଷଣ ଓ ଗନ୍ତବ୍ୟସ୍ଥଳ ଆକାରରେ ଲୁଚି ରହିଥିବା ପର୍ଯ୍ୟଟନ ରତ୍ନକୁ ଉନ୍ମୋଚନ କରିବାରେ ସାହାଯ୍ୟ କରିପାରିବ । ଭାରତ ସରକାରଙ୍କ ନାଗରିକ ଯୋଗଦାନ ପୋର୍ଟାଲ ମାଇଁ ଗଭ ପ୍ଲାଟଫର୍ମରେ ଏହି ପୋଲ୍ ଆୟୋଜନ କରାଯାଉଛି ।
ପ୍ରବାସୀ ଭାରତୀୟଙ୍କୁ ଅତୁଳନୀୟ ଭାରତର ରାଷ୍ଟ୍ରଦୂତ ହେବା ପାଇଁ ପ୍ରେରିତ କରିବା ଏବଂ ଭାରତର ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ‘ଚଲୋ ଇଣ୍ଡିଆ ଗ୍ଲୋବାଲ୍ ଡାୟସ୍ପୋରା ଅଭିଯାନ’ର ଶୁଭାରମ୍ଭ କରିବେ । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ଆଧାରରେ ଏହି ଅଭିଯାନ ଆରମ୍ଭ କରାଯାଉଛି, ଯେଉଁଥିରେ ସେ ଭାରତୀୟ ପ୍ରବାସୀ ସଦସ୍ୟମାନଙ୍କୁ ଅନୁରୋଧ କରିଛନ୍ତି ଯେ ସେମାନେ ସମସ୍ତେ ଅତି କମ୍ରେ ୫ ଜଣ ଲେଖାଏଁ ଅଣ ଭାରତୀୟ ବନ୍ଧୁଙ୍କୁ ଭାରତ ଭ୍ରମଣ ପାଇଁ ଉତ୍ସାହିତ କରନ୍ତୁ । ୩ କୋଟିରୁ ଅଧିକ ପ୍ରବାସୀ ଭାରତୀୟ ସାଂସ୍କୃତିକ ରାଷ୍ଟ୍ରଦୂତ ଭାବରେ କାର୍ଯ୍ୟ କରି ଭାରତୀୟ ପର୍ଯ୍ୟଟନ ପାଇଁ ଏକ ଶକ୍ତିଶାଳୀ ଉତ୍ ପ୍ରେରକ ଭାବରେ କାର୍ଯ୍ୟ କରିପାରିବେ ।
***
SSP