୧. କତାରର ଅମିର ମହାମହିମ ଶେଖ୍ ତମିମ ବିନ୍ ହମଦ୍ ଅଲ୍ ଥାନିଙ୍କ ଆମନ୍ତ୍ରଣକ୍ରମେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୧୬, ଜୁନ୍ ୪-୫, ଦୁଇ-ଦିନିଆ ସରକାରୀ ଗସ୍ତ କରିଥିଲେ ।
୨. ଜୁନ୍ ୫ ତାରିଖ ଦିନ ମହାମହିମ ଅମିର ଅମିରୀ ଦିୱାନଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ଏବଂ ଏହି ଅବସରରେ ଉଭୟ ନେତା ଦ୍ୱିପାକ୍ଷିକ, କ୍ଷେତ୍ରୀୟ ତଥା ବହୁପାକ୍ଷିକ ସ୍ୱାର୍ଥ ଜଡ଼ିତ ପ୍ରସଙ୍ଗ ଉପରେ ମତ ବିନିମୟ କରିଥିଲେ । ସୌହାର୍ଦ୍ଦ୍ୟପୂର୍ଣ୍ଣ ଏବଂ ବନ୍ଧୁତ୍ୱପୂର୍ଣ୍ଣ ବାତାବରଣ ମଧ୍ୟରେ ବ୍ୟାପକ ପ୍ରସଙ୍ଗ ଉପରେ ଆଲୋଚନା ଅନୁଷ୍ଠିତ ହୋଇଥିଲା ।
୩. ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କତାରର ପ୍ରଧାନମନ୍ତ୍ରୀ ମହାମହିମ ଶେଖ୍ ଅବଦୁଲ୍ଲା ବିନ୍ ନସୀର ବିନ୍ ଖଲିଫା ଅଲ୍ ଥାନି ଏବଂ ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ ।
୪. ଆନୁଷ୍ଠାନିକ ସାକ୍ଷାତ ଆଲୋଚନାବେଳେ ଉଭୟ ପକ୍ଷ ଭାରତ-କତାର ମଧ୍ୟରେ ଥିବା ଐତିହାସିକ ସଂପର୍କର ଅବତାରଣା କରିଥିଲେ ଏବଂ ପାରସ୍ପରିକ ସ୍ୱାର୍ଥ ଓ ପାରମ୍ପରିକ ଘନିଷ୍ଠ ସଂପର୍କ ବିଷୟରେ ଅବତାରଣା କରିଥିଲେ, ଯାହାକି ବହୁ ପିଢି ଧରି ଉଭୟ ରାଷ୍ଟ୍ରର ଜନତାଙ୍କ ମଧ୍ୟରେ ରହିଆସିଛି ଏବଂ ତାହା ସମୟ ଦ୍ୱାରା ପରୀକ୍ଷିତ ।
୫. ଉଭୟପକ୍ଷଙ୍କ ମଧ୍ୟରେ ଉଚ୍ଚସ୍ତରୀୟ ପ୍ରତିନିଧିମାନଙ୍କ ଗସ୍ତ ଫଳରେ ଏବେ ଦୁଇଦେଶ ମଧ୍ୟରେ ଥିବା ସଂପର୍କରେ ଉଭୟ ନେତା ସନ୍ତୋଷ ବ୍ୟକ୍ତ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ କତାର ଗସ୍ତ କାଳରେ ଉଭୟ ପକ୍ଷଙ୍କ ମଧ୍ୟରେ ସ୍ୱାକ୍ଷରିତ ରାଜିନାମା/ବୁଝାମଣାପତ୍ରକୁ ସେମାନେ ସ୍ୱାଗତ କରିଥିଲେ । ଭାରତ–କତାର ମଧ୍ୟରେ ଅଧୁନା ସ୍ୱାକ୍ଷରିତ ଏହିସବୁ ରାଜିନାମା ଏବଂ ପୂର୍ବରୁ ସ୍ୱାକ୍ଷରିତ ରାଜିନାମା ଦୁଇଦେଶ ମଧ୍ୟରେ ବନ୍ଧୁତା ଓ ସହଯୋଗର ଭିତ୍ତିଭୂମିକୁ ସୁଦୃଢ କରିବାରେ ସହାୟକ ହେବ ବୋଲି ସେମାନେ ସ୍ୱୀକାର କରିଛନ୍ତି ।
୬. ବାଣିଜ୍ୟ ଓ ନିବେଶ, ଶକ୍ତି, ପ୍ରତିରକ୍ଷା ଓ ମାନବସମ୍ବଳ କ୍ଷେତ୍ରରେ ଏବେ ସକ୍ରିୟ ଥିବା ସୁପରିଚାଳିତ ଦ୍ୱିପାକ୍ଷିକ ଆନୁଷ୍ଠାନିକ ବ୍ୟବସ୍ଥା ସୁଚାରୁରୂପେ କାର୍ଯ୍ୟ କରୁଛି ବୋଲି ଉଭୟ ନେତା ପ୍ରଶଂସା କରିବା ସହ ସହମତ ପ୍ରକଟ କରିଛନ୍ତି ଯେ ସେକ୍ଟରୱାରୀ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ ନିୟମିତ ଭାବେ ମିଳିତ ହୋଇ ଉଭୟ ପକ୍ଷଙ୍କ ମଧ୍ୟରେ ସହଯୋଗର ବାତାବରଣକୁ ଅଧିକ ସୁଦୃଢ କରିବା ଦିଗରେ କାର୍ଯ୍ୟ କରିବ । ସେହିଭଳି ପାରସ୍ପରିକ ସ୍ୱାର୍ଥଜଡ଼ିତ ସମସ୍ତ ଦ୍ୱିପାକ୍ଷିକ କ୍ଷେତ୍ରୀୟ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ସଂପର୍କର ନିୟମିତ ସମୀକ୍ଷା ସକାଶେ ଏକ ଆନ୍ତଃମନ୍ତ୍ରଣାଳୟ ସ୍ତରୀୟ ଉଚ୍ଚ କ୍ଷମତାସମ୍ପନ୍ନ ଯୁଗ୍ମ କମିଟି ଗଠନ ଲାଗି ଉଭୟ ପକ୍ଷ ସହମତ ହୋଇଛନ୍ତି ।
୭. ବର୍ତ୍ତମାନର ସୁସଂପର୍କକୁ ସ୍ୱୀକୃତି ପୂର୍ବକ ଦ୍ଵିପାକ୍ଷିକ ସ୍ୱାର୍ଥଜଡ଼ିତ ବିଭିନ୍ନ କ୍ଷେତ୍ରରେ କଥାବାର୍ତ୍ତା ଜାରି ରଖିବା ନିମନ୍ତେ ଉଭୟ ନେତା ସହମତ ହୋଇଥିଲେ । ସେହି ଦିଗରେ ଉଚ୍ଚସ୍ତରୀୟ ରାଜନୈତିକ ନେତୃବର୍ଗ, ବିନିମୟ, ପ୍ରତିରକ୍ଷା ଓ ନିରାପତ୍ତା ସହଯୋଗ, ବାଣିଜ୍ୟ ଓ ଅର୍ଥନୈତିକ ସଂପର୍କ ବୃଦ୍ଧି ଓ ପାରସ୍ପରିକ ଲୋକ ସଂପର୍କ ବୃଦ୍ଧି ଲାଗି ସେମାନେ ସହମତ ହୋଇଛନ୍ତି । ଉଭୟ ରାଷ୍ଟ୍ର ମଧ୍ୟରେ ଏକବିଂଶ ଶତାବ୍ଦୀରେ ଏକ ସୁଦୃଢ ସହଭାଗିତାର ସଂପର୍କ ସ୍ଥାପନ ସହ ବିଶ୍ୱ ଓ କ୍ଷେତ୍ରୀୟ ସ୍ତରରେ ଶାନ୍ତି, ସ୍ଥିରତା ଓ ନିରାପତ୍ତା ରକ୍ଷା ଉପରେ ଦୁଇ ନେତା ସହମତି ପ୍ରକଟ କରିଛନ୍ତି ।
୮. ୨୦୦୮ ନଭେମ୍ବର ମାସରେ ଉଭୟ ପକ୍ଷଙ୍କ ମଧ୍ୟରେ ପ୍ରତିରକ୍ଷା ସହଯୋଗ ନିମନ୍ତେ ସ୍ୱାକ୍ଷରିତ ଚୁକ୍ତିନାମାକୁ ସ୍ୱୀକାର ପୂର୍ବକ ଭବିଷ୍ୟତରେ ଦ୍ୱିପାକ୍ଷିକ ସୁରକ୍ଷା ସହଯୋଗର ଢାଞ୍ଚାକୁ ବଢାଇବାର ଆବଶ୍ୟକତା ଅନୁଭବ କରି ଦୁଇନେତା ଏହି ସଂପର୍କକୁ ଅଧିକ ପ୍ରୋତ୍ସାହନ ପ୍ରଦାନ ଓ ମିଳିତ ସମରାଭ୍ୟାସ, ସ୍ଥଳସେନା, ନୌସେନା ଏବଂ ଆକାଶବାହିନୀର ବ୍ୟାପକ ତାଲିମ ଏବଂ ତଟୀୟ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଭାରତରେ ମିଳିତ ପ୍ରତିରକ୍ଷା ଉତ୍ପାଦ ବୃଦ୍ଧି ଲାଗି ଭାରତ ସରକାରଙ୍କ ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ ପ୍ରତି କତାର କର୍ତ୍ତୃପକ୍ଷ ଆଗ୍ରହ ପ୍ରକଟ କରିଛନ୍ତି ।
୯. ୨୦୧୬ ଫେବୃଆରୀ ଓ ମାର୍ଚ୍ଚ ମାସରେ ଭାରତରେ ଯଥାକ୍ରମେ ଅନୁଷ୍ଠିତ ଅନ୍ତରାଷ୍ଟ୍ରୀୟ ନୌ-ଭେଳା ସମୀକ୍ଷା ଏବଂ ପ୍ରତିରକ୍ଷା ପ୍ରଦର୍ଶନୀ (DEFEXPO) ରେ କତାରର ଅଂଶଗ୍ରହଣକୁ ଭାରତ ପକ୍ଷରୁ ପ୍ରଶଂସା କରାଯାଇଛି । ଭାରତୀୟ ନୌ ଏବଂ ତଟରକ୍ଷୀବାହିନୀ ପ୍ରତିଷ୍ଠାନମାନଙ୍କୁ କତାର ପ୍ରତିନିଧିଙ୍କ ଅଧିକ ଗସ୍ତକୁ ପ୍ରଶଂସା କରାଯାଇଛି । ସେହିଭଳି ଉଚ୍ଚସ୍ତରୀୟ ପ୍ରତିନିଧିତ୍ୱ ଏବଂ ୨୦୧୬ ମାର୍ଚ୍ଚ ମାସରେ ଅନୁଷ୍ଠିତ DEMDEX କାର୍ଯ୍ୟକ୍ରମରେ ଭାରତୀୟ ନୌସେନା ଦ୍ୱାରା ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳ ଢାଂଚାରେ ନିର୍ମିତ ଗାଇଡେଡ କ୍ଷେପଣାସ୍ତ୍ର ତଥା ଭାରତୀୟ ନୌସେନା ଓ ତଟରକ୍ଷୀବାହିନୀ ଜାହାଜଗୁଡ଼ିକ ନିୟମିତଭାବେ ବନ୍ଧୁତ୍ୱପୂର୍ଣ୍ଣ ଗସ୍ତରେ କତାର ତଟକୁ ଯାଉଥିବାରୁ ସେ ଦେଶ ପକ୍ଷରୁ ଏହାକୁ ପ୍ରଶଂସା କରାଯାଇଛି । କତାରର ସଶସ୍ତ୍ରବାହିନୀ ଓ ତଟରକ୍ଷୀବାହିନୀଙ୍କୁ ଉଭୟ ଭାରତ ଓ କତାରରେ ସ୍ୱତନ୍ତ୍ର ତାଲିମ ପ୍ରଦାନ ନିମନ୍ତେ ଭାରତର ପ୍ରସ୍ତାବକୁ କତାର ସରକାର ସାଧୁବାଦ ଜଣାଇଛନ୍ତି ।
୧୦. ଉଭୟ ନେତା ପାରସ୍ୟ ଉପସାଗର ଏବଂ ଭାରତ ମହାସାଗର କ୍ଷେତ୍ରରେ ନୌବାଣିଜ୍ୟ ସୁରକ୍ଷାକୁ ଅଧିକ ସୁଦୃଢ କରିବାକୁ ସହମତ ପ୍ରକାଶ କରିଛନ୍ତି । ଏହା ଉଭୟ ରାଷ୍ଟ୍ରଙ୍କ ନିରାପତ୍ତା ଓ ସମୃଦ୍ଧି ପାଇଁ ଏକାନ୍ତ ଆବଶ୍ୟକ ।
୧୧. ଅନ୍ତରାଷ୍ଟ୍ରୀୟ ଆତଙ୍କବାଦକୁ ଉଭୟ ନେତା ଦୃଢସ୍ୱରରେ ନିନ୍ଦା କରିଛନ୍ତି ତଥା ଏଭଳି ବୈଶ୍ୱିକ ଅପତତ୍ତ୍ଵକୁ ସମୂଳେ ବିନାଶ କରିବା ନିମନ୍ତେ ସେମାନଙ୍କର ଦୃଢୋକ୍ତିକୁ ପୁନଃ ଦୋହରାଇଛନ୍ତି । ଆତଙ୍କବାଦ ସବୁ ରାଷ୍ଟ୍ର ଏବଂ ସବୁ ସମାଜପାଇଁ କ୍ଷତିକାରକ ବୋଲି ସେମାନେ ମତପୋଷଣ କରିଛନ୍ତି । ସେମାନେ କହିଛନ୍ତି ଯେ ବୈଶ୍ୱିକ ଏବଂ କ୍ଷେତ୍ରୀୟ ସ୍ତରରେ ଆତଙ୍କବାଦୀ ସଂଗଠନର ବିସ୍ତାର ଏବଂ ଆତଙ୍କବାଦର ବ୍ୟାପକ ବୃଦ୍ଧି ଅନ୍ତରାଷ୍ଟ୍ରୀୟ ଶାନ୍ତି ଓ ନିରାପତ୍ତାର ବାତାବରଣକୁ ପ୍ରତ୍ୟକ୍ଷଭାବେ ବ୍ୟାହତ କରୁଛି, ଯାହାକୁ ଦୀର୍ଘସ୍ଥାୟୀ ଅଭିବୃଦ୍ଧି ଓ ବିକାଶ ସୁନିଶ୍ଚିତ କରାଇବା ଦିଗରେ ବିପଦ ସୃଷ୍ଟି କରୁଛି ।
୧୨. ଉଭୟ ନେତା ସମସ୍ତ ପ୍ରକାର ହିଂସା, ଆତଙ୍କବାଦ ଓ ଉଗ୍ରବାଦକୁ ନିନ୍ଦା କରିବା ସହ ଏହା କୌଣସି ପରିସ୍ଥିତିରେ ସୁଦ୍ଧା ଯୁକ୍ତିସିଦ୍ଧ ନୁହେଁ ବୋଲି କହିଛନ୍ତି । ଏହାର ଉଦ୍ଦେଶ୍ୟ ଯାହା ହୋଇଥାଉ ନା କାହିଁକି, ଏହାର ସମସ୍ତ ଆକାର ଓ ପ୍ରକାର ସଭ୍ୟ ସମାଜ ପାଇଁ ଗ୍ରହଣୀୟ ନୁହେଁ । ତେଣୁ ଆତଙ୍କବାଦକୁ କୌଣସି ଧର୍ମ, ସଭ୍ୟତା ଅଥବା ମୂଳଗୋଷ୍ଠୀ ସହ ଯୋଡ଼ାଯାଇ ପାରିବ ନାହିଁ ବୋଲି ସେମାନେ ସ୍ୱ ସ୍ୱ ମତକୁ ଦୋହରାଇଛନ୍ତି ।
୧୩. ଆତଙ୍କବାଦ ଓ ଉଗ୍ରବାଦକୁ ପ୍ରୋତ୍ସାହନ ଓ ସମର୍ଥନ ଦେଉଥିବା ପ୍ରାୟୋଜକଙ୍କୁ ବାସନ୍ଦ କରାଯିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ଏଭଳି ଶକ୍ତିଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ଦୃଢୋକ୍ତି ପ୍ରକାଶ କରିଛନ୍ତି । ଆତଙ୍କବାଦକୁ ସମର୍ଥନ କରି ଏହାକୁ ନିଜ ନୀତିର ଏକ ଅସ୍ତ୍ରଭାବେ ବ୍ୟବହାର କରୁଥିବା ଶକ୍ତି ନିନ୍ଦନୀୟ ବୋଲି ସେମାନେ କହିଛନ୍ତି ।
୧୪. ଉଭୟପକ୍ଷ ମତ ପ୍ରକଟ କରିଛନ୍ତି ଯେ ବିଶ୍ୱ ଆତଙ୍କବାଦର ମୁକାବିଲା ବ୍ୟାପକ କାର୍ଯ୍ୟାନୁଷ୍ଠାନ ଜରିଆରେ କରାଯିବା ଉଚିତ । ଭୟାବହ ଉଗ୍ରବାଦର ଦମନ, ଉଗ୍ରବାଦ ପାଇଁ ସମର୍ଥକ ଚୟନ ଓ ସେମାନଙ୍କ ଗତିବିଧିକୁ ରୋକିବା, ଆତଙ୍କବାଦକୁ ଅର୍ଥ ଯୋଗାଣର ସବୁ ଉତ୍ସକୁ ବନ୍ଦ କରିବା, ବିଦେଶୀ ଆତଙ୍କବାଦୀଙ୍କ ଆଗମନକୁ ରୋକିବା, ଆତଙ୍କବାଦୀ ଶିବିର/ ଆଡ୍ଡା ଧ୍ୱଂସ କରିବା, ଇଣ୍ଟରନେଟ୍ ମାଧ୍ୟମରେ ଆତଙ୍କବାଦର ପ୍ରଚାରକୁ ପ୍ରତିରୋଧ କରିବା ଆଦି କାର୍ଯ୍ୟ ଏଥିରେ ସାମିଲ । କିନ୍ତୁ ଏହା ଏତିକିରେ ସୀମିତ ନୁହେଁ ।
୧୫. ସାଇବର ନିରାପତ୍ତା ଦିଗରେ ଅଧିକ ସହଯୋଗ ନିମନ୍ତେ ଅଧିକ ଉପାୟ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ଉଭୟ ପକ୍ଷ ଆଲୋଚନା କରିଥିଲେ । ଏଥିରେ ଆତଙ୍କବାଦ ଓ ମୌଳବାଦର ପ୍ରସାର ପାଇଁ ସାଇବର ଜଗତର ବ୍ୟବହାରକୁ ରୋକିବା ଏବଂ ସାମାଜିକ ସୌହାର୍ଦ୍ଦ୍ୟକୁ ବ୍ୟାଘାତ ପହଂଚାଉଥିବା ଭଳି କାର୍ଯ୍ୟ ସାମିଲ । ଉଭୟ ରାଷ୍ଟ୍ରର ଧାର୍ମିକ ବିଦ୍ୱାନ ଏବଂ ଚିନ୍ତାଶଳୀ ବ୍ୟକ୍ତିମାନଙ୍କ ପରସ୍ପର ରାଷ୍ଟ୍ର ଗସ୍ତ, ଶାନ୍ତି, ସହନଶୀଳତା, ସମାଯୋଜନ, କଲ୍ୟାଣ, ଯାହାକି ସବୁ ଧର୍ମର ମୂଳ ଆଧାର ଏହାର ପ୍ରଚାର ଓ ପ୍ରସାର ପାଇଁ ଆଲୋଚନାଚକ୍ର ଓ ସମ୍ମିଳନୀର ଆୟୋଜନକୁ ସେମାନେ ସ୍ୱାଗତ କରିଛନ୍ତି ।
୧୬. ନିରାପତ୍ତା କ୍ଷେତ୍ରରେ ଜାରି ରହିଥିବା ସହଯୋଗ କାର୍ଯ୍ୟକ୍ରମକୁ ପ୍ରଶଂସା କରି ଉଭୟ ନେତା ଆତଙ୍କବାଦ ନିରୋଧୀ କାର୍ଯ୍ୟାନୁଷ୍ଠାନ, ଗୁଇନ୍ଦା-ସୂଚନା ଆଦାନପ୍ରଦାନ, ଉତ୍ତମ କାର୍ଯ୍ୟଧାରା ଓ ପ୍ରଯୁକ୍ତିର ବିକାଶ, ଆଇନ କାର୍ଯ୍ୟକାରୀ କରିବା ଦିଗରେ ଦକ୍ଷତା ବୃଦ୍ଧି ଓ ସହଯୋଗ ସୁଦୃଢୀକରଣ, ଅର୍ଥ ଠକେଇ ବିରୋଧୀ କାର୍ଯ୍ୟାନୁଷ୍ଠାନ, ଚୋରା ନିଶା କାରବାର ରୋକିବା ଏବଂ ଅନ୍ୟ ଆନ୍ତଃଦେଶୀୟ ଅପରାଧକୁ ନିୟନ୍ତ୍ରଣ କରିବା ଦିଗରେ ଉଭୟ ରାଷ୍ଟ୍ର ପରସ୍ପର ସହ ସହଯୋଗ ଭିତ୍ତିରେ କାର୍ଯ୍ୟ କରିବେ । ସେହିଭଳି ବେଆଇନ ଭାବେ ଅର୍ଥ କାରବାର ରୋକିବାକୁ ଉଭୟ ରାଷ୍ଟ୍ର ମିଳିତ ଭାବେ କାର୍ଯ୍ୟ କରିବେ । ଅର୍ଥ ଠକେଇ, ତତସମ୍ପର୍କିତ ଅପରାଧ ଏବଂ ଆତଙ୍କବାଦୀଙ୍କୁ ଅର୍ଥ ସହାୟତା ପ୍ରଦାନଙ୍କୁ ରୋକିବା ନିମନ୍ତେ ଗୁଇନ୍ଦା ସୂଚନା ଆଦାନପ୍ରଦାନ ଲାଗି ଉଭୟ ରାଷ୍ଟ୍ରଙ୍କ ମଧ୍ୟରେ ସ୍ୱାକ୍ଷରିତ ସହଯୋଗ ବୁଝାମଣାକୁ ଦୁଇ ରାଷ୍ଟ୍ରର ନେତା ସ୍ୱାଗତ କରିଛନ୍ତି ।
୧୭. ଆତଙ୍କବାଦର ମୁକାବିଲା ସକାଶେ ବିଶ୍ୱ ସମୁଦାୟର ମିଳିତ ସହଯୋଗର ଆବଶ୍ୟକତା ଉପରେ ଉଭୟ ନେତା ଗୁରୁତ୍ୱାରୋପ କରିଛନ୍ତି । ବର୍ତ୍ତମାନ କାର୍ଯ୍ୟ କରୁଥିବା ବହୁପାକ୍ଷିକ ଅନୁଷ୍ଠାନର ସୀମା ମଧ୍ୟରେ ସେମାନେ ଆତଙ୍କବାଦର ମୁକାବିଲା ସକାଶେ ସହଯୋଗ ସୁଦୃଢ କରିବାକୁ ସହମତ ହୋଇଛନ୍ତି ।
୧୮. ଉଭୟ ରାଷ୍ଟ୍ର ମଧ୍ୟରେ ଥିବା ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ଦ୍ୱିପାକ୍ଷିକ ସୁସମ୍ପର୍କ ରକ୍ଷା ଦିଗରେ ଏକ ପ୍ରମୁଖ ଯୋଗସୂତ୍ର । ଦ୍ୱିପାକ୍ଷିକ ବାଣିଜ୍ୟ କାରବାରର ବାତାବରଣ ବିଚାରକୁ ନେଇ ଉଭୟ ପକ୍ଷ ପ୍ରତିପକ୍ଷଙ୍କର ଏକ ଦୃଢ ବାଣିଜ୍ୟ ସହଯୋଗୀ ବୋଲି ସହମତ ପ୍ରକଟ କରିବା ସହ ଏହାକୁ ଆଗାମୀ ଦିନରେ ଆହୁରି ନିବିଡ ଓ ବ୍ୟାପକ କରାଯିବ ବୋଲି ସହମତ ପ୍ରକାଶ କରିଥିଲେ । ପରସ୍ପର ରାଷ୍ଟ୍ରର ବାଣିଜ୍ୟ ମେଳାରେ ନିୟମିତ ଭାବେ ଅଂଶଗ୍ରହଣ, ବାଣିଜ୍ୟ ପ୍ରସାର ବ୍ୟବସ୍ଥାକୁ ସୁଗମ କରିବା ଘେନି ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଉଭୟ ପକ୍ଷ ରାଜି ହୋଇଛନ୍ତି । ଉଭୟ ରାଷ୍ଟ୍ରଙ୍କ ବଜାରରେ ଭାରତୀୟ ଏବଂ କାତାରୀ ବ୍ୟବସାୟୀଙ୍କ ଉପସ୍ଥିତିରେ ଦୁଇ ରାଷ୍ଟ୍ରର ନେତୃବର୍ଗ ସନ୍ତୋଷ ବ୍ୟକ୍ତ କରିଛନ୍ତି ଏବଂ ଭବିଷ୍ୟତରେ ଏହାକୁ ଅଧିକ ସୁଦୃଢ କରିବାକୁ ଆଶାପୋଷଣ କରିଛନ୍ତି । ବ୍ୟବସାୟିକ ଏବଂ ପର୍ଯ୍ୟଟନ ସଂପର୍କକୁ ବଢାଇବା ପାଇଁ ଉପଯୁକ୍ତ ବ୍ୟବସ୍ଥା ଗ୍ରହଣ ଏବଂ ଉଭୟ ରାଷ୍ଟ୍ରପକ୍ଷରୁ ବ୍ୟବସାୟିକ ଓ ପର୍ଯ୍ୟଟନ ଭିସା ପ୍ରଦାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଲାଗି ସହମତ ପ୍ରକାଶ ପାଇଛି ।
୧୯. ଫିଫା ବିଶ୍ୱକପ୍ ୨୦୨୨ର ଆୟୋଜନ ସକାଶେ କତାରର ଭିତିଭୂମି ବିକାଶ ପ୍ରକଳ୍ପମାନଙ୍କରେ ଭାରତୀୟ କମ୍ପାନୀମାନଙ୍କ ଅଂଶଗ୍ରହଣକୁ କତାର କର୍ତ୍ତୃପକ୍ଷ ପ୍ରଶଂସା କରିଛନ୍ତି ଓ ଭିଜନ-୨୦୩୦ ଫର୍ କତାର ଯୋଜନାରେ ତଥା ବିକାଶ କାର୍ଯ୍ୟକ୍ରମରେ ଭାରତର ସହଯୋଗ କାମନା କରିଛନ୍ତି ।
୨୦. ଭାରତ ସରକାରଙ୍କ ଇଜ ଅଫ୍ ଡୁଇଂ ବିଜିନେସ୍ (ସହଜ ବ୍ୟବସାୟ ପଦ୍ଧତି) କାର୍ଯ୍ୟକ୍ରମ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁତ୍ୱ ଆରୋପ କରିଛନ୍ତି । ସେ ସୂଚାଇଥିଲେ ଯେ ପ୍ରଚଳିତ ନୀତିନିୟମ ଓ ବ୍ୟବସ୍ଥାକୁ ସରଳୀକରଣ ଓ ସମାଯୋଜନ କରାଯାଇଛି । ବିଶେଷକରି ପ୍ରମୁଖ କ୍ଷେତ୍ର ମଧ୍ୟରେ ରେଳବାଇ, ପ୍ରତିରକ୍ଷା ଓ ବୀମା କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶକୁ ସହଜସାଧ୍ୟ କରାଯାଇଛି । ଭାରତରେ ୧୦୦ଟି ସ୍ମାର୍ଟସିଟିର ବିକାଶ, ୫୦ଟି ସହରରେ ମେଟ୍ରୋ ରେଳସେବା, ୫୦୦ଟି ସହରରେ ଅତ୍ୟାଧୁନିକ ବର୍ଜ୍ୟ ପରିଚାଳନା, ସମସ୍ତଙ୍କ ପାଇଁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଉପଲବ୍ଧ କରାଇବା, ୨୦୧୯ ସୁଦ୍ଧା ସମସ୍ତଙ୍କ ପାଇଁ ପରିମଳ ସୁବିଧା, ୨୦୨୨ ସୁଦ୍ଧା ସମସ୍ତଙ୍କ ପାଇଁ ବାସଗୃହ ଭଳି ବିଶ୍ୱସ୍ତରୀୟ ଭିତ୍ତିଭୂମି ବିକାଶ ଲାଗି ଭାରତ ଯୋଜନାମାନ କାର୍ଯ୍ୟକାରୀ କରୁଛି । ଭାରତର ଏହି ପ୍ରଗତି ଯାତ୍ରାରେ ସେ କତାରକୁ ଅଂଶଗ୍ରହଣ ଲାଗି ଆମନ୍ତ୍ରଣ ଜଣାଇଛନ୍ତି ।
୨୧. ଭାରତର ବିକାଶ ଓ ପ୍ରଗତିର ଧାରାକୁ ତ୍ୱରାନ୍ୱିତ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିଭଙ୍ଗୀକୁ ଭୂୟସୀ ପ୍ରଶଂସା କରି କତାରର ଅମିର ଭାରତର ବିକାଶ ଯାତ୍ରା ଉପରେ ନିଜର ଆସ୍ଥା ପ୍ରକଟ କରିଛନ୍ତି । ଭାରତୀୟ ଅର୍ଥବ୍ୟବସ୍ଥାର ସକାରାତ୍ମକ ପ୍ରଗତିର ପ୍ରଭୂତ ସାମର୍ଥ୍ୟ ସଂପର୍କରେ ଉଲ୍ଲେଖ କରି ସେ ପ୍ରଧାନମନ୍ତ୍ରୀଙ୍କ ନୂତନ ପଦକ୍ଷେପ ଯଥା ଷ୍ଟାର୍ଟ ଅପ ଇଣ୍ଡିଆ, ମେକ୍ ଇନ୍ ଇଣ୍ଡିଆ, ସ୍ମାର୍ଟସିଟି ଏବଂ କ୍ଲିନ ଇଣ୍ଡିଆକୁ ଉଚ୍ଚ ପ୍ରଶଂସା କରିଛନ୍ତି ।
୨୨. ଭାରତୀୟ ଅର୍ଥବ୍ୟବସ୍ଥାର ଉଚ୍ଚ ବିକାଶ ହାର ଏବଂ ବର୍ତ୍ତମାନର ସାମର୍ଥ୍ୟକୁ ସ୍ୱୀକୃତି ପୂର୍ବକ ଏବଂ ଏହି ବିକାଶ ଯାତ୍ରାରେ ସହଯୋଗ ନିମନ୍ତେ କାତାରର ଗୁରୁତ୍ୱପୂର୍ଣ୍ଣ ନିବେଶ ସାମର୍ଥ୍ୟ ପ୍ରସଙ୍ଗରେ ଉଭୟ ପକ୍ଷ ଭାରତରେ କତାରର ପୁଞ୍ଜିନିବେଶର ବିଭିନ୍ନ ମାର୍ଗ ଓ ଉପାୟ ଯଥା- ଭିତ୍ତିଭୂମି କ୍ଷେତ୍ର, ସରକାରୀ ଉଦ୍ୟୋଗରୁ ପୁଞ୍ଜି ପ୍ରତ୍ୟାହାର ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରିଛନ୍ତି ।
୨୩. ଉଭୟ ରାଷ୍ଟ୍ରର ଭିତ୍ତିଭୂମି କ୍ଷେତ୍ରରେ ଦୁଇଦେଶ ଅଧିକରୁ ଅଧିକ ସକ୍ରିୟଭାବେ ଅଂଶଗ୍ରହଣ କରିବାକୁ ସହମତ ହୋଇଛନ୍ତି । ସେହିଭଳି କତାର ନିବେଶ ପ୍ରାଧିକରଣ ଏବଂ ଭାରତ ସରକାରଙ୍କ ଦ୍ୱାରା ଗଠିତ ଜାତୀୟ ଭିତ୍ତିଭୂମି ଓ ନିବେଶ ପାଣ୍ଠି ମଧ୍ୟରେ ସହଯୋଗ ସ୍ଥାପନର ଗୁରୁତ୍ୱ ଓ ଆବଶ୍ୟକତା ଉପରେ ଉଭୟ ପକ୍ଷ ଆଲୋଚନା କରିଥିଲେ । କତାରର ଆନୁଷ୍ଠାନିକ ନିବେଶକ ଓ ଭାରତର ଜାତୀୟ ଭିତ୍ତିଭୂମି ଓ ନିବେଶ ପାଣ୍ଠି ମଧ୍ୟରେ ହୋଇଥିବା ସହଯୋଗ ରାଜିନାମାକୁ ଉଭୟ ନେତା ପ୍ରଶଂସା କରିଛନ୍ତି ।
୨୪. ନିଜ ନିକଟରେ ଥିବା ନିବେଶ ସୁଯୋଗ ସଂପର୍କରେ ପ୍ରତିପକ୍ଷଙ୍କୁ ନିୟମିତଭାବେ ଓ ଯଥା ସମୟରେ ଅବଗତ କରାଇବାକୁ ଉଭୟ ପକ୍ଷ ରାଜି ହୋଇଛନ୍ତି । ସେହିଭଳି କତାର ନିବେଶ ପ୍ରାଧିକରଣ ଓ ସଂପୃକ୍ତ ଭାରତୀୟ କର୍ମକର୍ତ୍ତା ତଥା ସରକାରୀ ଓ ଘରୋଇ କମ୍ପାନୀମାନଙ୍କ ମଧ୍ୟରେ ନିୟମିତ ଭାବେ ବୈଠକ ଅନୁଷ୍ଠିତ ଲାଗି ଦୁଇଦେଶ ସହମତ ପ୍ରକାଶ କରିଛନ୍ତି ।
୨୫. ଶକ୍ତି କ୍ଷେତ୍ରରେ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ବୃଦ୍ଧିରେ ଉଭୟପକ୍ଷ ସନ୍ତୋଷ ବ୍ୟକ୍ତ କରିଛନ୍ତି । କତାର ଏବେ ଭାରତକୁ ଏଲଏନଜି ଏବଂ ଏଲପିଜି ଯୋଗାଣ କ୍ଷେତ୍ରରେ ସର୍ବବୃହତ ରାଷ୍ଟ୍ର ହୋଇଛି । ଭାରତର ଶକ୍ତି ନିରାପତ୍ତା ଲାଗି କତାରର ଅବଦାନକୁ ଭାରତ ପକ୍ଷରୁ ସାଧୁବାଦ ଜଣାଯାଇଛି ।
୨୬. ଶକ୍ତି କ୍ଷେତ୍ରରେ ସହଯୋଗକୁ ଅଧିକ ବଢାଇବା ସକାଶେ ଦୁଇରାଷ୍ଟ୍ର ରାଜିହେବା ସହ ତାଲିମ ଏବଂ ମାନବସମ୍ବଳ ବିକାଶ ଓ ସହଯୋଗ, ଯୁଗ୍ମ ପେଟ୍ରୋକେମିକାଲ କଂପ୍ଲେକ୍ସର ବିକାଶ ଏବଂ ଭାରତ ଓ ଅନ୍ୟାନ୍ୟ ରାଷ୍ଟ୍ରରେ ମିଳିତ ତୈଳ ଅନୁସନ୍ଧାନ ଦିଗରେ ସହଯୋଗ ଲାଗି ଉଭୟପକ୍ଷ ସହମତ ହୋଇଛନ୍ତି ।
୨୭. କତାରରେ ଉଭୟ ପକ୍ଷଙ୍କ ସ୍ୱାର୍ଥଜଡ଼ିତ ସୁଯୋଗ କାର୍ଯ୍ୟକ୍ରମରେ ଭାରତୀୟ ଶକ୍ତି କମ୍ପାନୀମାନଙ୍କ କାର୍ଯ୍ୟ କରିବାକୁ ଆଗ୍ରହ ଉପରେ ଭାରତ ପକ୍ଷରୁ ବିଶେଷ ଭାବେ ଗୁରୁତ୍ୱ ଆରୋପ କରାଯାଇଥିଲା । କତାର ପେଟ୍ରୋଲିୟମ ଓ ଅନ୍ୟ କମ୍ପାନୀମାନଙ୍କ ସହ ମିଶି ମିଳିତ ଭାବେ ନୂଆ ତୈଳକ୍ଷେତ୍ରର ଅନୁସନ୍ଧାନ, ଆବିଷ୍କୃତ ତୈଳ ଓ ଗ୍ୟାସ କୂପଗୁଡ଼ିକର ବିକାଶ ଆଦି କ୍ଷେତ୍ରରେ କାର୍ଯ୍ୟ କରିବା ଲାଗି ଭାରତୀୟ ତୈଳ କମ୍ପାନୀମାନେ ଆଗ୍ରହ ପ୍ରକଟ କରିଛନ୍ତି ।
୨୮. ଭାରତର ନୂତନ ହାଇଡ୍ରୋକାର୍ବନ ଅନୁସନ୍ଧାନ ଏବଂ ଲାଇସେନ୍ସ ନୀତି ଓ ଆବିଷ୍କୃତ ନୂତନ କ୍ଷେତ୍ର ନୀତି ଅନୁସାରେ ଭାରତରେ ହେଉଥିବା ବ୍ଲକ ଅନୁସନ୍ଧାନ ଓ ଉତ୍ପାଦନ ପାଇଁ ନିଲାମି ଓ ଅନୁସନ୍ଧାନ କାର୍ଯ୍ୟରେ କତାର ଅଂଶଗ୍ରହଣ କରିବାକୁ ଭାରତ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି ।
୨୯. ଭାରତ ଦ୍ୱାରା ଆରମ୍ଭ କରାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଭୂତଳ ତୈଳ ସଂରକ୍ଷଣ ଭଣ୍ଡାର ବ୍ୟବସ୍ଥାର ଦ୍ୱିତୀୟ ପର୍ଯ୍ୟାୟରେ ଅଂଶ ଗ୍ରହଣ କରିବାକୁ କତାରକୁ ଭାରତ ପକ୍ଷରୁ ଆମନ୍ତ୍ରଣ କରାଯାଇଛି ।
୩୦. ଉଭୟପକ୍ଷ ଆର୍ଥିକ ସେବା କ୍ଷେତ୍ର, ଯେଉଁଥିରେ କି ବ୍ୟାଙ୍କିଙ୍ଗ୍, ବୀମା ଏବଂ ପୁଞ୍ଜି ବଜାର ଆଦି ସାମିଲ ରହିଛି – ଏହାର ସୁଦୃଢୀକରଣ ନିମନ୍ତେ ଦ୍ୱିପାକ୍ଷିକ ସହଯୋଗ ଲାଗି ବିସ୍ତୃତ ଆଲୋଚନା କରିଛନ୍ତି । ତେଣୁ ସିକ୍ୟୁରିଟି ଏଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ (ସେବି) ଏବଂ ଉଭୟ ପକ୍ଷଙ୍କ କେନ୍ଦ୍ରୀୟ ବ୍ୟାଙ୍କ ଭଳି ଆର୍ଥିକ ଅନୁଷ୍ଠାନ ମଧ୍ୟରେ ସହଯୋଗର କ୍ଷେତ୍ର ସଂପ୍ରସାରଣ ନିମନ୍ତେ ଦୁଇଦେଶ ରାଜି ହୋଇଛନ୍ତି ।
୩୧. ପ୍ରତିଯୋଗିତାମୂଳକ ମୂଲ୍ୟ ଦୃଷ୍ଟିକୋଣରୁ ଭାରତ ପ୍ରଦାନ କରୁଥିବା ବିଶ୍ୱସ୍ତରୀୟ ଚିକିତ୍ସା ସୁବିଧାକୁ ସ୍ୱୀକୃତି ପ୍ରଦାନ ପୂର୍ବକ ସ୍ୱାସ୍ଥ୍ୟ କ୍ଷେତ୍ରରେ ସହଯୋଗ ବୃଦ୍ଧି ଦିଗରେ କାର୍ଯ୍ୟ କରିବାକୁ ଉଭୟ ରାଷ୍ଟ୍ର ସହମତ ହୋଇଛନ୍ତି । ଏଥିମଧ୍ୟରେ ସ୍ୱାସ୍ଥ୍ୟସେବା, ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପାରସ୍ପରିକ ରାଷ୍ଟ୍ର ଭ୍ରମଣ, ସ୍ୱାସ୍ଥ୍ୟ ଶିକ୍ଷା ଏବଂ ଔଷଧ ପ୍ରସ୍ତୁତି ଆଦି କ୍ଷେତ୍ର ସାମିଲ । ଦୁଇଦେଶ ମଧ୍ୟରେ ସ୍ୱାସ୍ଥ୍ୟସେବା ସହଯୋଗ ଲାଗି ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି ଓ ଏହାକୁ ଉଭୟ ପକ୍ଷ ସ୍ୱାଗତ କରିଛନ୍ତି ।
୩୨. ଅନ୍ତରାଷ୍ଟ୍ରୀୟ ସୌର ସଂଗଠନ ଗଠନ ସକାଶେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗ୍ରହଣ କରିଥିବା ପଦକ୍ଷେପକୁ କତାର କର୍ତ୍ତୃପକ୍ଷ ବିଶେଷ ପ୍ରଶଂସା କରିଛନ୍ତି । ବିଶ୍ୱବ୍ୟାପୀ ନୂଆ ନୂଆ ସୌରଶକ୍ତି ଉତ୍ପାଦନ ପ୍ରଯୁକ୍ତି ବିଦ୍ୟାର ବିକାଶ ଦିଗରେ ଏହି ସଂଗଠନର ଗୁରୁତ୍ୱକୁ କତାର ସ୍ୱୀକୃତି ପ୍ରଦାନ କରିଛି ।
୩୩. ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳନ ପ୍ରତି ମିଳିଥିବା ବିପୁଳ ସମର୍ଥନକୁ ଉଭୟ ପକ୍ଷ ଗୁରୁତ୍ୱ ପ୍ରଦାନ କରିବା ସହ ବିଶ୍ୱ ସମୁଦାୟ ଏକ ସନ୍ତୁଳିତ, ସୁସ୍ଥ ଏବଂ ଦୀର୍ଘ ଜୀବନ ଓ ଭବିଷ୍ୟତ ଲାଗି ଆଗ୍ରହୀ ଥିବା ସ୍ୱୀକାର କରିଛନ୍ତି । ୨୦୧୫ ମସିହା ଜୁନ୍ ୨୧ ତାରିଖ ଦିନ ପ୍ରଥମ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳନକୁ କତାର ସମର୍ଥନ ଜଣାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେ ଦେଶ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲୋ ଏହି ଦିବସ ଉପଲକ୍ଷେ କତାରର ଡାକ ବିଭାଗ ପକ୍ଷରୁ ଏକ ସ୍ମାରକୀ ଡାକଟିକେଟ ମଧ୍ୟ ଜାରି କରାଯାଇଛି ।
୩୪. ଭାରତ ଓ କତାରର ନାଗରିକଙ୍କୁ ପରସ୍ପରର ନିକଟବର୍ତ୍ତୀ କରାଇବାରେ ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମର ଭୂମିକାକୁ ଉଭୟ ନେତା ଭୂୟସୀ ପ୍ରଶଂସା କରିଥିଲେ । ତେଣୁ ଦ୍ୱିପାକ୍ଷିକ ସାଂସ୍କୃତିକ ସହ କ୍ରୀଡ଼ା ସହଯୋଗ, ଯେଉଁଥିରେ ସାଂସ୍କୃତିକ ଗୋଷ୍ଠୀ ଓ କ୍ରୀଡ଼ାଦଳଙ୍କ ଉଭୟ ରାଷ୍ଟ୍ର ଭ୍ରମଣକୁ ପରିସର ବୃଦ୍ଧି ନିମନ୍ତେ ଉଭୟ ପକ୍ଷ ସହମତ ହୋଇଛନ୍ତି । ସେହିଭଳି ସିନେମା କ୍ଷେତ୍ରରେ ସହଯୋଗ ବୃଦ୍ଧି କରାଯିବ । ୨୦୧୯କୁ କତାର-ଭାରତ ସଂସ୍କୃତିର ବର୍ଷ ଭାବେ ପାଳନ କରିବାକୁ ସ୍ଥିର କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କତାର ମ୍ୟୁଜିୟମ କର୍ତ୍ତୃପକ୍ଷଙ୍କୁ ପ୍ରଶଂସା କରିଥିଲେ । ସେହିଭଳି ଉଭୟ ନେତା ବହିଃଶୁଳ୍କ ବ୍ୟାପାରରେ ସହଯୋଗ ଏବଂ ପାରସ୍ପରିକ ସହାୟତା ରାଜିନାମା ସ୍ୱାକ୍ଷରକୁ ସ୍ୱାଗତ କରିଥିଲେ । ଏହାବ୍ୟତୀତ ପର୍ଯ୍ୟଟନ ବୃଦ୍ଧି ପାଇଁ ସ୍ୱାକ୍ଷରିତ ବୁଝାମଣାପତ୍ର ଦୁଇଦେଶ ମଧ୍ୟରେ ଯୁବ ଓ କ୍ରୀଡ଼ା କ୍ଷେତ୍ରରେ ସହଯୋଗ ନିମନ୍ତେ ସ୍ୱାକ୍ଷରିତ ପ୍ରଥମ କାର୍ଯ୍ୟନିର୍ବାହୀ କାର୍ଯ୍ୟକ୍ରମକୁ ଉଭୟ ରାଷ୍ଟ୍ର ପକ୍ଷରୁ ସ୍ୱାଗତ କରାଯାଇଛି ।
୩୫. ଉଭୟ ନେତା ସ୍ୱୀକାର କରିଛନ୍ତି ଯେ ଉଭୟ ରାଷ୍ଟ୍ରର ଜନତାଙ୍କ ମଧ୍ୟରେ ସଂପର୍କ ଭାରତ-କତାର ସଂପର୍କର ହୃତପିଣ୍ଡ ସଦୃଶ । ତେଣୁ ଏହାକୁ ଭବିଷ୍ୟତରେ ଜାରି ରଖିବାକୁ ଉଭୟ ପକ୍ଷ ସହମତ ହୋଇଛନ୍ତି । କତାରର ବିକାଶ ଓ ଉନ୍ନତି ପଥରେ ଭାରତୀୟ ସମ୍ପ୍ରଦାୟଙ୍କ ଭୂମିକା ଓ ଯୋଗଦାନକୁ ମହାମହୀମ ଅମିର ଭୂୟସୀ ପ୍ରଶଂସା କରିଥିଲେ । କତାର କର୍ତ୍ତୃପକ୍ଷ ସେ ଦେଶରେ ଅଣାଯାଉଥିବା ଶ୍ରୀ ସଂସ୍କାର ନୀତି ସଂପର୍କରେ ଭାରତୀୟ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ, ଯଦ୍ୱାରା କତାରରେ କାର୍ଯ୍ୟରତ ଉଭୟ କୁଶଳୀ ଓ ଅଣକୁଶଳୀ ଶ୍ରମିକମାନେ ଉପକୃତ ହୋଇପାରିବେ । ଭାରତୀୟ ସମ୍ପ୍ରଦାୟଙ୍କୁ ଏପରି ସୁଯୋଗ ଦେବା ଏବଂ ସେମାନଙ୍କ କଲ୍ୟାଣ ଓ ନିରାପତ୍ତାକୁ ସୁନିଶ୍ଚିତ କରୁଥିବାରୁ ପ୍ରଧାନମନ୍ତ୍ରୀ କତାର ନେତୃବର୍ଗଙ୍କୁ କୃତଜ୍ଞତାର ସହ ଧନ୍ୟବାଦ ଜଣାଇଛନ୍ତି । ଉଭୟପକ୍ଷଙ୍କ ମଧ୍ୟରେ ସ୍ୱାକ୍ଷରିତ କୌଶଳ ବିକାଶ ଓ ଶିକ୍ଷାଗତ ଯୋଗ୍ୟତା ସ୍ୱୀକୃତି ବୁଝାମଣାପତ୍ରକୁ ଦୁଇନେତା ସ୍ୱାଗତ କରିଛନ୍ତି ।
୩୬. ଉଭୟପକ୍ଷଙ୍କ ସ୍ୱାର୍ଥଜଡ଼ିତ କ୍ଷେତ୍ରୀୟ ଓ ଅନ୍ତରାଷ୍ଟ୍ରୀୟ ପ୍ରସଙ୍ଗ ଉପରେ ଉଭୟ ନେତା ମତ ବିନିମୟ କରିଥିଲେ । ଏହି କଥାବାର୍ତ୍ତାରେ ପଶ୍ଚିମଏସିଆ, ମଧ୍ୟପ୍ରାଚ୍ୟ ଏବଂ ଦକ୍ଷିଣ ଏସିଆର ନିରାପତ୍ତା ପରିସ୍ଥିତି ପ୍ରସଙ୍ଗ ସାମିଲ । ସେହିଭଳି ସିରିଆ, ଇରାକ, ଲିବ୍ୟା ଏବଂ ୟେମେନରେ ଉତ୍ପନ୍ନ ନିରାପତ୍ତା ପରିସ୍ଥିତି ନେଇ ସେମାନେ ଉଦ୍ବେଗ ପ୍ରକଟ କରିବା ସହ କଥାବାର୍ତ୍ତା ଓ ରାଜନୈତିକ ଆଲୋଚନା ଜରିଆରେ ସେସବୁର ସମାଧାନ ଉପରେ ଗୁରୁତ୍ୱ ଆରୋପ କରିଥିଲେ ।
୩୭. ଜାତିସଂଘ ସଂସ୍କାର ପ୍ରସଙ୍ଗରେ ଉଭୟ ନେତା ଏକ ସକ୍ରିୟ ବହୁପକ୍ଷ ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହା ବ୍ୟତୀତ ସମସାମୟିକ ବାସ୍ତବତା ଉପରେ ଜାତିସଂଘ କିପରି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବ ଏବଂ ବିଶ୍ୱରେ ଉତ୍ପନ୍ନ ସମସ୍ୟା ଓ ଜଟିଳ ପରିସ୍ଥିତିର ସମାଧାନ କରିପାରିବ, ଏହାକୁ ଉଭୟପକ୍ଷ ଅଗ୍ରପ୍ରାଧାନ୍ୟ ପ୍ରଦାନ କରିଥିଲେ । ଏହି ପରିପ୍ରେକ୍ଷୀରେ ଜାତିସଂଘ ସଂସ୍କାର ଜରୁରୀ ହୋଇପଡ଼ିଛି ଏବଂ ଏଥିରେ ଜାତିସଂଘ ସଂସ୍କାର ଓ ନିରାପତ୍ତା ପରିଷଦର ଉଭୟ ଏହାର ସଦସ୍ୟ ସଂଖ୍ୟାରେ ବୃଦ୍ଧି ଓ ଅଧିକ ପ୍ରତିନିଧିମୂଳକ, ସକ୍ରିୟ ଓ ନିର୍ଭରଯୋଗ୍ୟ କରିବା ଲାଗି ସଂସ୍କାର ଘଟାଇବାର ଜରୁରୀ ଆବଶ୍ୟକତା ଉପରେ ଉଭୟ ନେତା ଗୁରୁତ୍ୱାରୋପ କରିଛନ୍ତି ।
୩୮. ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଏବଂ ଭବ୍ୟ ଆତିଥ୍ୟ ପ୍ରଦାନ କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କତାରର ଅମିରଙ୍କୁ ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି । ଏଥିସହ ଉଭୟ ପକ୍ଷଙ୍କୁ ଗ୍ରହଣୀୟ ହେବାଭଳି ଏକ ସମୟରେ ମହାନୁଭବ ଅମିର ଭାରତ ଗସ୍ତରେ ଆସିବାପାଇଁ ପ୍ରଧାନମନ୍ତ୍ରୀ ଆମନ୍ତ୍ରଣ ଜଣାଇଥିଲେ, ଯାହାକୁ ମହାମହିମ ଅମିର ସାଦରେ ଗ୍ରହଣ କରିଥିଲେ ।