ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଫଗାନିସ୍ଥାନର ସର୍ବୋଚ୍ଚ ନାଗରିକ ସମ୍ମାନ ଅମିର ଅମାନୁଲ୍ଲା ଖାନ ସମ୍ମାନରେ ସମ୍ମାନିତ କରାଯାଇଛି । ଆଫଗାନ-ଭାରତ ବନ୍ଧୁତ୍ୱପୂର୍ଣ୍ଣ ସେତୁର ଉଦଘାଟନ ଅବସରରେ ରାଷ୍ଟ୍ରପତି ଅଶ୍ରଫ ଘନୀ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ ।
ପୁରସ୍କାର ପାଇବା ପରେ ପ୍ରଧାନମନ୍ତ୍ରୀ ତାଙ୍କର ଭାବାବେଗକୁ ନିଜ ଟ୍ୱିଟର ପୃଷ୍ଠାରେ ଉଲ୍ଲେଖ କରିଛନ୍ତି…….. “ଅମିର ଅମାନୁଲ୍ଲା ଖାନ ସମ୍ମାନ ପ୍ରଦାନ କରାଯାଇଥିବାରୁ ମୁଁ ଆଫଗାନିସ୍ଥାନ ସରକାରଙ୍କ ନିକଟରେ ଗଭୀର କୃତଜ୍ଞତା ଜ୍ଞାପନ କରୁଛି” ।
ଆଫଗାନବାସୀ ଏବଂ ବିଶ୍ୱ ନେତାଙ୍କୁ ସେମାନଙ୍କର ଉଲ୍ଲେଖନୀୟ ସେବା ଓ ଅବଦାନ ନିମନ୍ତେ ଆଫଗାନ ସରକାରଙ୍କ ପକ୍ଷରୁ ଏହି ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରାଯାଇଥାଏ । ଏହି ସମ୍ମାନର ବିପରୀତ ପାର୍ଶ୍ଵରେ ଲେଖାଥିବା ମାନପତ୍ର ହେଲା – “ନିଶାନ-ଇ ଦାୱଲତି ଘାଜି ଅମିର ଅମାନୁଲ୍ଲା ଖାନ”, କିମ୍ବା “ଷ୍ଟେଟ ଅର୍ଡର ଅଫ ଘାଜି ଅମୀର ଅମାନୁଲ୍ଲା ଖାନ” ।
ଅମୀର ଅମାନୁଲ୍ଲା ଖାନ ସମ୍ମାନ ହେଉଛି ଆଫଗାନିସ୍ଥାନର ସର୍ବୋଚ୍ଚ ବେସାମରିକ ନାଗରିକ ସମ୍ମାନ । ଆଫଗାନିସ୍ଥାନର ମହାନ ବରପୁତ୍ର ତଥା ବରେଣ୍ୟ ଆଫଗାନ ସ୍ୱାଧୀନତା ସଂଗ୍ରାମୀ ଅମାନୁଲ୍ଲା ଖାନ (ଘାଜି)ଙ୍କ ନାମରେ ଏହି ପୁରସ୍କାର ନାମିତ ହୋଇଛି । ଅମାନୁଲ୍ଲା ଖାନ ୧୯୧୯ ରୁ ୧୯୨୯ ମଧ୍ୟରେ ଆଫଗାନ ଅମିରତନ୍ତ୍ରର ମୁଖ୍ୟ ଶାସକ ଥିଲେ ଯାହାଙ୍କ ନେତୃତ୍ୱରେ ଆଫଗାନିସ୍ଥାନ ସ୍ୱାଧୀନତା ହାସଲ କରିଥିଲା ।
ରାଜା ଅମାନୁଲ୍ଲା ଖାନ ଆଫଗାନିସ୍ଥାନ ପାଇଁ ଏକ ଆଧୁନିକ ସମ୍ବିଧାନ ପ୍ରସ୍ତୁତ କରିଥିଲେ ଯେଉଁଥିରେ ପ୍ରତ୍ୟେକ ନାଗରିକଙ୍କୁ ସମାନ ଅଧିକାର ଏବଂ ବ୍ୟକ୍ତି ସ୍ୱାଧୀନତାକୁ ସୁନିଶ୍ଚିତ କରାଯାଇଥିଲା । ରାଜା ଅମାନୁଲ୍ଲା ତାଙ୍କ ଦେଶରେ ପୁଅ ଓ ଝିଅଙ୍କ ଉଚ୍ଚଶିକ୍ଷା ଏବଂ ସହଶିକ୍ଷା ଦିଗରେ କାର୍ଯ୍ୟ କରିବା ସଙ୍ଗେ ସଙ୍ଗେ ୟୁରୋପ ଏବଂ ଏସିଆ ସହ ବାଣିଜ୍ୟ କାରବାର ବୃଦ୍ଧି ଘଟାଇଥିଲେ । ରାଜା ଅମାନୁଲ୍ଲାଙ୍କର ଭବିଷ୍ୟଦୃଷ୍ଟି ଏକ ଆଧୂନିକ ଏବଂ ସ୍ୱତନ୍ତ୍ର ଆଫଗାନିସ୍ଥାନ ଗଠନ ଲାଗି ଉଦ୍ଦିଷ୍ଟ ଥିଲା ଯାହାର କି ଆଜି ମଧ୍ୟ ପ୍ରାସଙ୍ଗିକତା ରହିଛି ।
ରାଜା ଅମାନୁଲ୍ଲା ଭାରତ ସହିତ ଦୃଢ ସଂପର୍କ ସ୍ଥାପନ କରିଥିଲେ ଏବଂ ୧୯୨୯ରେ ସେ ସ୍ୱଳ୍ପ ସମୟ ପାଇଁ ଭାରତରେ ରହଣୀ କରିଥିଲେ । ଏବେ ଦୁଇଦେଶ ମଧ୍ୟରେ ଗଢିଉଠୁଥିବା ସୁଦୃଢ ଭାଗିଦାରୀତା ତାଙ୍କର ଭାରତ ପ୍ରୀତିର ନିଦର୍ଶନ ମାତ୍ର ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି ସମ୍ମାନ ପାଇବାରେ ହେଉଛନ୍ତି ପ୍ରଥମ ଭାରତୀୟ ଏବଂ ବିଶ୍ୱର କେତେକ ହାତ ଗଣତି ପ୍ରମୁଖ ନେତୃବର୍ଗଙ୍କ ମଧ୍ୟରେ ଅନ୍ୟତମ । ଭାରତ-ଆଫଗାନିସ୍ଥାନ ବନ୍ଧୁତାକୁ ଏକ ନୂତନ ଦିଗଦର୍ଶନ ଦେବା ଏବଂ ଏହି ମୈତ୍ରୀପୂର୍ଣ୍ଣ ସମ୍ବନ୍ଧକୁ ଏକ ଅଦ୍ୱିତୀୟ ସ୍ତରକୁ ନେବା କ୍ଷେତ୍ରରେ ଉଲ୍ଲେଖନୀୟ ବ୍ୟକ୍ତିଗତ ଅବଦାନ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଆଫଗାନିସ୍ଥାନ ସରକାର ୨୦୦୬ ମସିହାରେ ଏହି ପୁରସ୍କାର ଗଠନ କରିଥିଲେ । ମର୍ଯ୍ୟାଦାପୂର୍ଣ୍ଣ ଅମୀର ଅମାନୁଲ୍ଲା ଖାନ ଘାଜି ସମ୍ମାନ ଗ୍ରହଣ କରିଥିବା ଅନ୍ୟ ବିଶ୍ୱ ନେତୃବୃନ୍ଦମାନେ ହେଲେ – ମାର୍କିନ (ଆମେରିକା) ରାଷ୍ଟ୍ରପତି ଜର୍ଜ ବୁଶ୍, କାଜାକିସ୍ଥାନ ରାଷ୍ଟ୍ରପତି ନୁରସୁଲତାନ ନଜରବାୟେଭ, ତୁର୍କୀର ରାଷ୍ଟ୍ରପତି ରିସେପ ତାୟୀତ ଏରଡୋଗାନ, ନାଟୋର ସେନାଧକ୍ଷ ଜେମ୍ସ ଜୋନ୍ସ, ଆଫଗାନିସ୍ଥାନର ପୂର୍ବତନ ରାଷ୍ଟ୍ରପତି ତଥା ଧାର୍ମିକ ନେତା ସିବଘାତଉଲ୍ଲା ମୁଜାଦେଦି ଏବଂ ଆଫଗାନିସ୍ଥାନର ପ୍ରଧାନ ବିଚାରପତି ଅବ୍ଦୁଲ ସଲାମ ଆଜିମି ଅନ୍ୟତମ ।
My deepest gratitude to the Government of Afghanistan for conferring the Amir Amanullah Khan Award. pic.twitter.com/EfzeXIBdK1
— Narendra Modi (@narendramodi) June 4, 2016