Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀ କୋଚି ଠାରେ ୪୫୦୦ କୋଟିରୁ ଅଧିକ ଟଙ୍କାର କୋଚି ମେଟ୍ରୋ ଓ ଭାରତୀୟ ରେଳବାଇର ବହୁ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ଜାତି ଉଦ୍ଦେଶ୍ୟରେ ସମର୍ପିତ କଲେ

ପ୍ରଧାନମନ୍ତ୍ରୀ କୋଚି ଠାରେ ୪୫୦୦ କୋଟିରୁ ଅଧିକ ଟଙ୍କାର କୋଚି ମେଟ୍ରୋ ଓ ଭାରତୀୟ ରେଳବାଇର ବହୁ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ଜାତି ଉଦ୍ଦେଶ୍ୟରେ ସମର୍ପିତ କଲେ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ଆଜି କୋଚି ଠାରେ ୪୫୦୦ କୋଟି ଟଙ୍କାର କୋଚି ମେଟ୍ରୋ ଓ ଭାରତୀୟ ରେଳବାଇର ବହୁ ପ୍ରକଳ୍ପ ଶିଳାନ୍ୟାସ କରିବା ସହ ଜାତି ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ କୋଚିର କାଲାଡି ଗାଁରେ ଥିବା ଶ୍ରୀ ଆଦି ଶଙ୍କର ଜନ୍ମଭୂମି କ୍ଷେତ୍ର ପରିଦର୍ଶନ କରିଥିଲେ ।

ଏହି ଅବସରରେ ଆୟୋଜିତ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପବିତ୍ର ଓନମ ପର୍ବ ପାଇଁ କେରଳର ପ୍ରତି କୋଣ ଅନୁକୋଣରେ ଖୁସି ଭରିଯାଇଛି । ସହଜ ଜୀବନଶୈଳୀ ଓ ବ୍ୟାବସାୟିକ ଅଭିବୃଦ୍ଧି ଆଣିବାକୁ ଥିବା ଏହି ପ୍ରକଳ୍ପଗୁଡିକ ପାଇଁ ସେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ଅବସରରେ କେରଳକୁ ୪୬୦୦ କୋଟି ଟଙ୍କାରୁ ଅଧିକ ସଂଯୋଗୀକରଣ ପ୍ରକଳ୍ପ ଉପହାର ଦିଆଯାଇଛି ।

ଆଜାଦୀ କେ ଅମୃତ କାଳ ସମ୍ପର୍କରେ ମନ୍ତବ୍ୟ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତୀୟମାନେ ଆଗାମୀ ୨୫ ବର୍ଷ ମଧ୍ୟରେ ବିକଶିତ ଭାରତ ନିର୍ମାଣ ପାଇଁ ବୃହତ ସଂକଳ୍ପ ନେଇଛନ୍ତି । ବିକଶିତ ଭାରତର ଏହି ରୋଡମ୍ୟାପରେ ଆଧୁନିକ ଭିତ୍ତିଭୂମି ବଡ ଭୂମିକା ତୁଲାଇବ । ୨୦୧୭ରେ କୋଚି ମେଟ୍ରୋ ଉଦଘାଟନ କରିବାର ସମ୍ମାନ ମିଳିଥିଲା ବୋଲି ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ । ଆଜି କୋଚି ମେଟ୍ରୋର ସମ୍ପ୍ରସାରିତ ପ୍ରଥମ ପର୍ଯ୍ୟାୟର ଶୁଭାରମ୍ଭ ହୋଇଛି ଓ କୋଚି ମେଟ୍ରୋର ଦ୍ୱିତୀୟ ପର୍ଯ୍ୟାୟ ନିର୍ମାଣ ପାଇଁ ଶିଳାନ୍ୟାସ ହୋଇଛି । ଯୁବପୀଢି ଓ କର୍ମଜୀବିଙ୍କ ପାଇଁ କୋଚି ମେଟ୍ରୋର ଦ୍ୱିତୀୟ ପର୍ଯ୍ୟାୟ ବରଦାନ ସଦୃଶ ହେବ । ସାରା ଦେଶରେ ପରିବହନ ଓ ସହରାଞ୍ଚଳ ବିକାଶ ଦ୍ରୁତ ଗତିରେ ଚାଲିଛି ।

କୋଚିଠାରେ ୟୁନିଫାଏଡ ମେଟ୍ରୋପଲିଟାନ ପରିବହନ ପ୍ରାଧିକରଣ କାର୍ଯ୍ୟାନ୍ୱୟନ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ପ୍ରାଧିକରଣ ମେଟ୍ରା, ବସ, ଜଳମାର୍ଗ ଭଳି ପରିବହନର ସମସ୍ତ ପ୍ରକାର ମାଧ୍ୟମକୁ ଏକାଠି କରିବ । ବହୁବିଧ ସଂଯୋଗୀକରଣ ମଡେଲ ଯୋଗୁଁ କୋଚି ତିନିଟି ପ୍ରତ୍ୟକ୍ଷ ସୁବିଧା ପାଇବ । ସହର ବାସିନ୍ଦାଙ୍କ ଯାତ୍ରା ସମୟ ହ୍ରାସ ହେବ, ସଡକ ମାର୍ଗରେ ଯାତାୟତ କମିବ ଓ ସହରରେ ପ୍ରଦୂଷଣ ହ୍ରାସ ପାଇବ । ପରିବେଶ ସୁରକ୍ଷା ପାଇଁ ଶୂନ୍ୟ ନିର୍ଗମନ ସଂକଳ୍ପ ନେଇଥିବା ଭାରତ ଏହାଦ୍ୱାରା ଉପକୃତ ହେବ । କାର୍ବନ ଫୁଟପ୍ରିଣ୍ଟ ହ୍ରାସ ପାଇବ ।

ସହରାଞ୍ଚଳ ଯାତାୟତର ପ୍ରମୁଖ ମାଧ୍ୟମ ଭାବେ ମେଟ୍ରୋକୁ ଗଢି ତୋଳିବାକୁ କେନ୍ଦ୍ର ସରକାର ବିଗତ ଆଠ ବର୍ଷ ହେଲା ନିରବଚ୍ଛିନ୍ନ ପ୍ରୟାସ କରୁଛନ୍ତି । କେବଳ ରାଜଧାନୀରେ ସୀମିତ ନରହି ରାଜ୍ୟର ଅନ୍ୟ ବଡ ସହରଗୁଡିକରେ ମେଟ୍ରୋର ବିସ୍ତାର ହେଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଆମ ଦେଶର ପ୍ରଥମ ମେଟ୍ରୋ ପ୍ରାୟ ୪୦ ବର୍ଷ ପୂର୍ବେ ଚାଲିଥିଲା ଓ ଏହାର ପରବର୍ତ୍ତୀ ୩୦ ବର୍ଷରେ ମାତ୍ର ୨୫୦ କିଲୋମିଟର ମେଟ୍ରୋ ରୁଟ୍ ସାମିଲ ହୋଇପାରିଥିଲା । ବିଗତ ୮ ବର୍ଷରେ ହୋଇଥିବା ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ସାରା ଦେଶରେ ୫୦୦ କିଲୋମିଟରରୁ ଅଧିକ ମେଟ୍ରୋ ରୁଟ କାମ ସରିଛି ଓ ୧୦୦୦ କିଲୋମିଟରରୁ ଅଧିକ ନୂଆ ରୁଟରେ କାମ ଦ୍ରୁତ ଗତିରେ ଚାଲିଛି । ଆମେ ଭାରତୀୟ ରେଳବାଇକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରୁଛୁ । ଦେଶର ରେଳ ଷ୍ଟେସନଗୁଡିକୁ ବିମାନ ବନ୍ଦର ଭଳି ବିକଶିତ କରାଯାଉଛି

ବହୁ ବର୍ଷ ଧରି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଦାବି ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମନ୍ଦିର ଦର୍ଶନ କରିବାକୁ ଚାହୁଁଥିବା ଦେଶ ଓ ବିଦେଶର ସାବରିମାଲା ଭକ୍ତମାନଙ୍କ ପାଇଁ ଖୁସିର ଅବସର । ଏଟ୍ଟୁମାନୁର- ଚିଙ୍ଗଭନମ- କୋଟ୍ଟାୟମ ଟ୍ରାକର ଦୋହରିକରଣ ଦ୍ୱାରା ଭଗବାନ ଆୟପ୍ପାଙ୍କ ଦର୍ଶନ ସୁବିଧାଜନକ ହେବ ।

କେରଳରେ ଏବେ ୧ ଲକ୍ଷ କୋଟି ଟଙ୍କାର ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ କାମ ଜାରି ରହିଛି । କୃଷି ଠାରୁ ଆରମ୍ଭ କରି ଶିଳ୍ପ ପର୍ଯ୍ୟନ୍ତ ଏହି ଆଧୁନିକ ଭିତ୍ତିଭୂମି କେରଳ ପାଇଁ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । କେରଳର ସଂଯୋଗୀକରଣକୁ ବେଶ ଗୁରୁତ୍ୱ ପ୍ରଦାନ କରାଯାଉଛି । ସରକାର କେରଳର ଜୀବନରେଖା ଭାବେ ପରିଚିତ ଜାତୀୟ ରାଜପଥ ୬୬କୁ ୬ ଲେନ ବିଶିଷ୍ଟ କରୁଛନ୍ତି । ଏଥିପାଇଁ ୫୫ ହଜାର କୋଟି ଟଙ୍କାରୁ ଅଧିକ ବିନିଯୋଗ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପର୍ଯ୍ୟଟନ ଓ ବାଣିଜ୍ୟ ଆଧୁନିକ ତଥା ଉତ୍ତମ ସଂଯୋଗୀକରଣ ଦ୍ୱାରା ଅଧିକ ଲାଭାନ୍ୱିତ ହୋଇଥାନ୍ତି । ପର୍ଯ୍ୟଟନ ଉଦ୍ୟୋଗରେ ଗରିବ, ମଧ୍ୟବିତ୍ତ, ଗାଁ, ସହର ସବୁ ସାମିଲ ହୋଇଥାଏ ଓ ସମସ୍ତେ ରୋଜଗାର କରନ୍ତି । ଅମୃତ କାଳରେ ପର୍ଯ୍ୟଟନର ବିକାଶ ଦ୍ୱାରା ଦେଶର ବିକାଶ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

କେନ୍ଦ୍ର ସରକାର ପର୍ଯ୍ୟଟନ କ୍ଷେତ୍ର ସହ ଜଡିତ ଉଦ୍ୟୋଗ ପାଇଁ ବିଭିନ୍ନ ପ୍ରକାର ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି । ମୁଦ୍ରା ଯୋଜନାରେ ବିନା ଗ୍ୟାରେଣ୍ଟିରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯାଉଛି । ମୁଦ୍ରା ଯୋଜନାରେ କେରଳର ଲକ୍ଷ ଲକ୍ଷ ଉଦ୍ୟୋଗୀଙ୍କୁ ୭୦ ହଜାର କୋଟିରୁ ଅଧିକ ଟଙ୍କା ଋଣ ପ୍ରଦାନ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।  

ଯତ୍ନ ନେବା ଓ ଲୋକଙ୍କ ପାଇଁ ଚିନ୍ତନ କରିବା କେରଳବାସୀଙ୍କ ସାମାଜିକ ଜୀବନର ଅଙ୍ଗ । କିଛିଦିନ ପୂର୍ବରୁ ମୁଁ ହରିଆଣା ଠାରେ ମା ଅମୃତାନନ୍ଦମୟୀ ଜୀଙ୍କ ଅମୃତା ଡାକ୍ତରଖାନା ଉଦଘାଟନ କରିବାର ସୁଯୋଗ ପାଇଥିଲି । ଏହି ଅବସରରେ କରୁଣାମୟୀ ଅମୃତାନନ୍ଦମୟୀ ଆମ୍ମାଙ୍କ ଆଶୀର୍ବାଦ ପାଇଁ ଧନ୍ୟ ହୋଇଥିଲି । ଆଜି ପୁଣି ଥରେ କେରଳ ମାଟିରୁ ତାଙ୍କୁ କୃତଜ୍ଞତା ଜ୍ଞାପନ କରୁଛି ।

ସବକା ସାଥ, ସବକା ବିଶ୍ୱାସ ଓ ସବକା ପ୍ରୟାସର ମୌଳିକ ମନ୍ତ୍ର ଉପରେ ଗୁରୁତ୍ୱ ପ୍ରଦାନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଏସବୁ ସିଦ୍ଧାନ୍ତକୁ ଭିତ୍ତି କରି ସରକାର ଦେଶର ବିକାଶ କରିଥାନ୍ତି । ଅମୃତ କାଳରେ ବିକଶିତ ଭାରତର ପଥ ସଶକ୍ତ କରିବା ପାଇଁ ସେ ଶପଥ ନେଇଛନ୍ତି ।

କେରଳ ମୁଖ୍ୟମନ୍ତ୍ରୀ ଶ୍ରୀ ପିନାରାୟୀ ବିଜୟନ, କେରଳ ରାଜ୍ୟପାଳ ଶ୍ରୀ ଆରିଫ ମହମ୍ମଦ ଖାନ, କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଭି ମୁରଲୀଧରନ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ପି ରାଜୀବ, ଆଡଭୋକେଟ ଆନ୍ଥୋନୀ ରାଜୁ, ସାଂସଦ ଶ୍ରୀ ହିବି ଇଡେନ ଓ କୋଚି ନିଗମର ମେୟର ଆଡଭୋକେଟ ଏମ ଅନୀଲ କୁମାର ଏହି ଅବସରରେ ଉପସ୍ଥିତ ଥିଲେ ।

ପ୍ରକଳ୍ପଗୁଡିକର ବିବରଣୀ

ପେଟ୍ଟା ଠାରୁ ଏସଏନ ଜଙ୍କସନ ପର୍ଯ୍ୟନ୍ତ ସମ୍ପ୍ରସାରିତ କୋଚି ମେଟ୍ରୋ ରେଳ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିଛନ୍ତି । ଏହି ପ୍ରକଳ୍ପରେ ସମୁଦାୟ ୭ ଶହ କୋଟିରୁ ଅଧିକ ଟଙ୍କା ବିନିଯୋଗ ହୋଇଛି । କୋଚି ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଆବଶ୍ୟକ ପ୍ରାୟ ୫୫ ପ୍ରତିଶତ ବିଦ୍ୟୁତ ସୌର ଶକ୍ତିରୁ ମିଳିବ । ପ୍ରଧାନମନ୍ତ୍ରୀ ଜେଏଲଏନ ଷ୍ଟାଡିୟମରୁ ଇନଫୋପାର୍କ ପର୍ଯ୍ୟନ୍ତ ୧୧.୨ କିଲୋମିଟର ଏବଂ ୧୧ ଷ୍ଟେସନ ଥିବା କୋଚି ମେଟ୍ରୋ ରେଳ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ଶିଳାନ୍ୟାସ କରିଛନ୍ତି । ସମୁଦାୟ ପ୍ରକଳ୍ପରେ ପ୍ରାୟ ୧୯୫୦ କୋଟି ଟଙ୍କା ବିନିଯୋଗ ହେବ । କୋଚି ସହରର କ୍ରମବର୍ଦ୍ଧିଷ୍ଣୁ ପରିବହନ ଆବଶ୍ୟକତା ପୂରଣ ପାଇଁ କୋଚି ମେଟ୍ରୋ ରେଳ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ କରିଡର ପ୍ରସ୍ତାବିତ ହୋଇଛି ଓ ଏହି ମେଟ୍ରୋ ରେଳ ନେଟୱର୍କ ମଧ୍ୟରେ ଜିଲ୍ଲା ମୁଖ୍ୟାଳୟ, ସ୍ୱତନ୍ତ୍ର ଅର୍ଥନୈତିକ ଜୋନ ଓ ସୂଚନା ପ୍ରଯୁକ୍ତି କେନ୍ଦ୍ରକୁ ସାମିଲ କରିବା ପାଇଁ ଯୋଜନା ରହିଛି । କାମ ସରିବା ପରେ ମେଟ୍ରୋ ନେଟୱର୍କର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ସହରର ପ୍ରମୁଖ ଆବାସିକ ଓ ବାଣିଜ୍ୟିକ କେନ୍ଦ୍ରଗୁଡିକ ରେଳଷ୍ଟେସନ ଓ ବସଷ୍ଟାଣ୍ଡ ଭଳି ପ୍ରମୁଖ ପରିବହନ କେନ୍ଦ୍ରକୁ ସଂଯୋଗ କରିବ । ଫଳରେ ବହୁବିଧ ଐକୀକରଣ ଓ ଶେଷ ମାଇଲ ସଂଯୋଗୀକରଣ କଳ୍ପନା ସାକାର ହେବ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ପ୍ରାୟ ୭୫୦ କୋଟି ଟଙ୍କା ବିନିଯୋଗରେ ନିର୍ମିତ କୁରୁପ୍ପାନ୍ଥରା- କୋଟ୍ଟାୟମ- ଚିଙ୍ଗଭନମ ରେଳ ବିଭାଗର ଦୋହରିକରଣକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଦ୍ରୁତ ଓ ବିରାମହୀନ ସଂଯୋଗୀକରଣର ପ୍ରତିଶ୍ରୁତି ସ୍ୱରୂପ ଥିରୁଭନନ୍ଥପୁରମରୁ ମାଙ୍ଗାଲୁରୁ ପର୍ଯ୍ୟନ୍ତ ରାସ୍ତା ଦୋହରିକରଣ ହୋଇଛି । ଉଲ୍ଲେଖଯୋଗ୍ୟ ସାବରିମାଳା ଭଗବାନ ଆୟାପ୍ପା ମନ୍ଦିର ଯାଉଥିବା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଦୋହରିକରଣ ହୋଇଥିବା ସେକ୍ସନର କୋଟ୍ଟାୟମ କିମ୍ବା ଚେଙ୍ଗନୁର ରେଳଷ୍ଟେସନରେ ସହଜରେ ଓହ୍ଲାଇ ସଡକ ପଥରେ ପାମ୍ବା ଯାଇପାରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନୂତନ ଭାବେ ବୈଦ୍ୟୁତିକରଣ ହୋଇଥିବା କୋଲାମ- ପୁନାଲୁର ରେଳ ସେକ୍ସନକୁ ଜାତି ଉଦ୍ଦେଶ୍ୟରେ ସମର୍ପଣ କରିଛନ୍ତି ।

ଏର୍ଣ୍ଣାକୁଲମ ଜଙ୍କସନ, ଏର୍ଣ୍ଣାକୁଲମ ଟାଉନ ଓ କୋଲ୍ଲାମ ରେଳଷ୍ଟେସନର ପୁନଃବିକାଶ ପାଇଁ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିଛନ୍ତି । ଷ୍ଟେସନଗୁଡିକର ପୁନଃବିକାଶ ପାଇଁ ପ୍ରାୟ ୧୦୫୦ କୋଟି ଟଙ୍କା ବିନିଯୋଗ ହେବ । ଏସବୁ ଷ୍ଟେସନରେ ଅତ୍ୟାଧୁନିକ ସୁବିଧା ସହ ସ୍ୱତନ୍ତ୍ର ଆଗମନ/ପ୍ରସ୍ଥାନ କରିଡର, ସ୍କାଏୱାକ୍ସ, ସୌର ପ୍ୟାନେଲ, ସ୍ୱେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ, କମ ବିଦ୍ୟୁତ ଖର୍ଚ୍ଚ ହେଉଥିବା ଆଲୋକ ବ୍ୟବସ୍ଥା, ବର୍ଷା ଜଳ ସଂରକ୍ଷଣ ଓ ଇଣ୍ଟରମୋଡାଲ ପରିବହନ ଭଳି ବିଶ୍ୱସ୍ତରୀୟ ବ୍ୟବସ୍ଥା ଉପଲବ୍ଧ ହେବ ।  

 

SR