ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ) ଅନ୍ତର୍ଗତ ହିତାଧିକାରୀଙ୍କ ପାଇଁ ବ୍ୟାଙ୍କ ଖାତା ସହ ଆଧାର ଯୋଡ଼ିବାର ବାଧ୍ୟତାମୂଳକ ନିୟମକୁ କୋହଳ କରିବା ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ମଞ୍ଜୁର କରାଯାଇଛି ।
ଏହି ଯୋଜନା ଅନ୍ତର୍ଗତ କେତେକ ବ୍ୟତିକ୍ରମକୁ ବାଦ ଦେଲେ ଜମି ଥିବା କୃଷକ ପରିବାରଗୁଡ଼ିକୁ ବାର୍ଷିକ 6 ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଉଛି । ଏହି ଯୋଜନା ଅନ୍ତର୍ଗତ ପ୍ରତ୍ୟେକ ଚାରି ମାସରେ 2 ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ତିନୋଟି କିସ୍ତିରେ ପ୍ରଦାନ କରାଯାଇଥାଏ । ଏହି ଅର୍ଥରାଶି ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ମାଧ୍ୟମରେ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଜମା କରାଯାଇଥାଏ ।
ଏହି ଯୋଜନା ଅନ୍ତର୍ଗତ 1 ଅଗଷ୍ଟ, 2019 ପରେ ହିତାଧିକାରୀଙ୍କୁ ତୃତୀୟ କିସ୍ତି ପ୍ରଦାନ କରାଯାଇଛି । ପୂର୍ବରୁ ଡିସେମ୍ବର 2018 ଓ ମାର୍ଚ୍ଚ 2019ରେ ହିତାଧିକାରୀଙ୍କୁ ଯଥାକ୍ରମେ ପ୍ରଥମ ଏବଂ ଦ୍ୱିତୀୟ କିସ୍ତି ପ୍ରଦାନ କରାଯାଇଥିଲା । ଏହି ଅର୍ଥରାଶି କେବଳ ଆଧାର ସଂଖ୍ୟା ଥିବା ବ୍ୟାଙ୍କ ଖାତାଧାରୀଙ୍କୁ ପ୍ରଦାନ କରାଯାଇଥିଲା । ଅବଶିଷ୍ଟ ହିତାଧିକାରୀଙ୍କୁ 1 ଅଗଷ୍ଟ, 2019ରେ ପ୍ରଥମ କିସ୍ତି କେବଳ ଆଧାର ସଂଯୁକ୍ତ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଦିଆଯାଇଥାନ୍ତା । ଆଧାର ସଂଯୁକ୍ତ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଅର୍ଥ ପଇଠ ସମ୍ଭବ ହେଉନଥିବାରୁ ଆସାମ, ମେଘାଳୟ ଓ ଜମ୍ମୁ ଓ କଶ୍ମୀରର କୃଷକଙ୍କ ପାଇଁ ୩୧31 ମାର୍ଚ୍ଚ 2020 ପର୍ଯ୍ୟନ୍ତ ଏହି ନିୟମ କୋହଳ କରାଯାଇଛି ।
ତେବେ 1 ଅଗଷ୍ଟ, 2019 ପରେ କିସ୍ତି ଜାରି କରିବାର ନିର୍ଦ୍ଧାରିତ ସମୟ ସୁଦ୍ଧା ଅର୍ଥରାଶି ଜାରି କରିବା ଲାଗି 100 ପ୍ରତିଶତ ଆକାଉଣ୍ଟକୁ ଆଧାର ସହିତ ଯୋଡ଼ିବା ସମ୍ଭବ ହୋଇପାରିଲା ନାହିଁ । ବର୍ତ୍ତମାନ କୃଷକମାନେ ରବି ଋତୁ ପାଇଁ ପ୍ରସ୍ତୁତି କରୁଛନ୍ତି । ଏଭଳି ସ୍ଥିତିରେ ସେମାନଙ୍କୁ କୃଷି ସହ ଜଡ଼ିତ ଅନେକ କାର୍ଯ୍ୟ ଯେପରିକି ବିହନ କ୍ରୟ, ମାଟି ପ୍ରସ୍ତୁତି ଏବଂ ଜଳସେଚନ ଗତିବିଧି, ମେସିନ ଏବଂ ସରଞ୍ଜାମ ରକ୍ଷଣାବେକ୍ଷଣ ଲାଗି ଅର୍ଥର ନିତାନ୍ତ ଆବଶ୍ୟକତା ରହିଛି । ଏହି ଆବଶ୍ୟକତା ସହିତ, ନିକଟରେ ଆରମ୍ଭ ହୋଇଥିବା ପାର୍ବଣ ଋତୁରେ ମଧ୍ୟ ଗରିବ କୃଷକ ପରିବାର ଉପରେ ଅତିରିକ୍ତ ଅର୍ଥ ବୋଝ ପଡ଼ିବ । ଆଧାର ସଂଖ୍ୟା ସହିତ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସଂଯୋଗ କରାଯାଇ ନପାରିବା କାରଣରୁ ପରବର୍ତ୍ତୀ କିସ୍ତି ଜାରି ହେବାରେ ବିଳମ୍ବ ହେବ । ଏହି କାରଣରୁ କୃଷକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବ । ସେଥିପାଇଁ 1 ଅଗଷ୍ଟ 2019 ପରେ ହିତାଧିକାରୀଙ୍କୁ ଲାଭ ଜାରି କରିବା ଲାଗି ବ୍ୟାଙ୍କ ଆକାଉଣ୍ଟକୁ ଆଧାର ସଂଖ୍ୟା ସହ ଯୋଡ଼ିବାର ବାଧ୍ୟତାମୂଳକ ନିୟମକୁ କୋହଳ କରାଯାଇଛି । ଫଳରେ ବହୁ ସଂଖ୍ୟକ କୃଷକମାନଙ୍କୁ ତୁରନ୍ତ ଅର୍ଥରାଶି ପ୍ରଦାନ କରାଯିବା ସମ୍ଭବ ହେବ । ଲାଭ ଜାରି କରିବା ଲାଗି ଏହି ବାଧ୍ୟତାମୂଳକ ନିୟମ 1 ଡିସେମ୍ବର, 2019 ପରେ ଲାଗୁ ହେବ । ସରକାର କିସ୍ତି ପଇଠ କରିବା ପୂର୍ବରୁ ଏହି ତଥ୍ୟର ବୈଧତା ଲାଗି ସରକାର ଆବଶ୍ୟକ ଉପାୟ କରିବେ ।
**********