କୁୱେତ ପ୍ରଧାନମନ୍ତ୍ରୀ ମହାମହିମ ଶେଖ ସବହ ଅଲ-ଖାଲେଦ ଅଲ-ହମଦ ଅଲ-ସବହଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଟେଲିଫୋନ ଯୋଗେ ବାର୍ତ୍ତାଳାପ କରିଛନ୍ତି ।
ପ୍ରଧାନମନ୍ତ୍ରୀ କୁୱେତର ମହାମହିମ ଅମୀର, ରାଜ ପରିବାର ତଥା କୁୱେତବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ପଡୋଶୀ ରାଷ୍ଟ୍ର କୁୱେତ ସହିତ ଭାରତର ସମ୍ପର୍କ ଉପରେ ଗୁରୁତ୍ଵାରୋପ କରିଥିଲେ ।
ବିଶ୍ଵରେ ବଢିଚାଲିଥିବା କୋଭିଡ-19 ସଂକ୍ରମଣର ଉଭୟ ଘରୋଇ ଏବଂ ଆନ୍ତର୍ଜାତିକ ଦୃଷ୍ଟିକୋଣ ଉପରେ ଦୁଇ ନେତା ଆଲୋଚନା କରିଥିଲେ । କୋଭିଡ-19ର ମୁକାବିଲା ଲାଗି ଦୁଇ ଦେଶର ଅଧିକାରୀମାନେ ନିୟମିତ ଭାବେ ସମ୍ପର୍କରେ ରହିବେ, ଯାହାଫଳରେ ସୂଚନାର ଆଦାନ ପ୍ରଦାନ ହୋଇପାରିବ ଏବଂ ପାରସ୍ପରିକ ସହଯୋଗ ତଥା ସହାୟତାର ସୁଯୋଗ ସୃଷ୍ଟି ହେବ ।
ମହାମହିମ କୁୱେତ ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ, କୁୱେତରେ ବିଶାଳ ଭାରତୀୟ ସମୁଦାୟଙ୍କ ଯୋଗଦାନକୁ ରାଷ୍ଟ୍ର ବହୁତ ମହତ୍ଵ ପ୍ରଦାନ କରୁଛି ଏବଂ ବର୍ତ୍ତମାନର ପରିସ୍ଥିତିରେ ସେମାନଙ୍କ ସୁରକ୍ଷା ଓ କଲ୍ୟାଣ ସୁନିଶ୍ଚିତ କରିବା ଜାରି ରଖିବ । କୁୱେତର ଏହି ପ୍ରକାର ଆଶ୍ଵାସନା ଲାଗି ପ୍ରଧାନମନ୍ତ୍ରୀ ଧନ୍ୟବାଦ ପ୍ରଦାନ କରିବା ସହିତ ପ୍ରଶଂସା ମଧ୍ୟ କରିଥିଲେ ।
**********