ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଫିଲିପାଇନ୍ସ ରାଷ୍ଟ୍ରପତି ମହାମହିମ ରୋଡ୍ରିଗୋ ଦୁତେର୍ତେଙ୍କ ସହ ଟେଲିଫୋନ ଯୋଗେ ବାର୍ତ୍ତାଳାପ କରିଛନ୍ତି ଏବଂ କୋଭିଡ-19 ମହାମାରୀ ଆହ୍ୱାନର ମୁକାବିଲା ନେଇ ଦୁଇ ଦେଶ ଗ୍ରହଣ କରୁଥିବା ପଦକ୍ଷେପ ଉପରେ ଆଲୋଚନା କରିଛନ୍ତି ।
ଜାରି ରହିଥିବା ସ୍ୱାସ୍ଥ୍ୟ ସଙ୍କଟ ସମୟରେ ନିଜ ଦେଶରେ ନାଗରିକଙ୍କ କଲ୍ୟାଣ ସୁନିଶ୍ଚିତ କରିବା ଏବଂ ସେମାନଙ୍କ ପ୍ରତ୍ୟାବର୍ତ୍ତନ ନେଇ ଉଭୟ ନେତା କୃତଜ୍ଞତା ଜଣାଇଥିଲେ । ଫିଲିପାଇନ୍ସକୁ ଅତ୍ୟାବଶ୍ୟକ ଫାର୍ମାସ୍ୟୁଟିକାଲ ଉତ୍ପାଦ ଯୋଗାଣ ଲାଗି ଭାରତ ନେଇଥିବା ପଦକ୍ଷେପକୁ ଫିଲିପାଇନ୍ସ ରାଷ୍ଟ୍ରପତି ପ୍ରଶଂସା କରିଥିଲେ ।
ମହାମାରୀ ବିରୋଧୀ ଲଢେଇରେ ଫିଲିପାଇନ୍ସକୁ ଭାରତର ସହଯୋଗ ନେଇ ରାଷ୍ଟ୍ରପତି ଦୁତେର୍ତେଙ୍କୁ ପ୍ରଧାନମନ୍ତ୍ରୀ ନିଶ୍ଚିତ କରାଇଥିଲେ ଏବଂ ଏହା ଉପରେ ଗୁରୁତ୍ୱାରୋପ କରି କହିଥିଲେ ଯେ, ସୁଲଭ ଔଷଧ ଦ୍ରବ୍ୟ ଉତ୍ପାଦନ ପାଇଁ ଭାରତର ସୁ-ପ୍ରତିଷ୍ଠିତ କ୍ଷମତା ସହିତ ସମ୍ଭାବ୍ୟ ଟୀକା ମିଳିବା ପରେ ସମଗ୍ର ମାନବିକତାର ଲାଭ ପାଇଁ ଏହାକୁ ନିୟୋଜିତ କରାଯିବ ।
ପ୍ରତିରକ୍ଷା ସହଯୋଗ ସହ ଦ୍ୱିପାକ୍ଷିକ ସମ୍ପର୍କର ସମସ୍ତ ଦିଗରେ ନିକଟ ବର୍ଷଗୁଡିକରେ ହୋଇଥିବା ଅଗ୍ରଗତି ନେଇ ନେତାମାନେ ସେମାନଙ୍କର ସନ୍ତୁଷ୍ଟତା ପ୍ରକାଶ କରିଥିଲେ । ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ, ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଫିଲିପାଇନ୍ସକୁ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଭାବରେ ଦେଖୁଛି ।
ଫିଲିପାଇନ୍ସର ଆଗାମୀ ଜାତୀୟ ଦିବସ ପାଇଁ ପ୍ରଧାନମନ୍ତ୍ରୀ ମହାମହିମ ରାଷ୍ଟ୍ରପତି ଦୁତେର୍ତେ ଏବଂ ଫିଲିପାଇନ୍ସର ନାଗରିକଙ୍କୁ ଶୁଭେଚ୍ଛା ଜଣାଇଥିଲେ ।
Had a useful exchange with President Rodrigo Duterte about COVID-19 and other issues. I thanked him for taking care of the Indian community in the Philippines.
— Narendra Modi (@narendramodi) June 9, 2020
India and the Philippines will cooperate to reduce the health and economic impact of the pandemic, and to give shape to our common vision for the Indo-Pacific region.
— Narendra Modi (@narendramodi) June 9, 2020