Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀଙ୍କ ସ୍ଵତନ୍ତ୍ରତା ଦିବସ ଅଭିଭାଷଣର ସଂକ୍ଷିପ୍ତ ମୁଖ୍ୟାଂଶ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 70ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଦିଲ୍ଲୀସ୍ଥିତ ଲାଲକିଲାରୁ ଜାତି ଉଦ୍ଦେଶ୍ୟରେ ଅଭିଭାଷଣ ପ୍ରଦାନ କରିଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ଏହି ଭାଷଣର ମୁଖ୍ୟାଂଶ ନିମ୍ନରେ ପ୍ରଦାନ କରାଗଲା –

1. ସ୍ୱାଧୀନତାର ଏହି ପବିତ୍ର ଦିବସରେ, ଦେଶର 125 କୋଟି ଭାରତୀୟ ଏବଂ ଦେଶ ବାହାରେ ବସବାସ କରୁଥିବା ଭାରତୀୟମାନଙ୍କୁ ମୋର ସାଦର ଅଭିନନ୍ଦନ । ଦେଶକୁ ଆଗାମୀ ଦିନରେ ପ୍ରଗତିର ନୂତନ ଶୀର୍ଷରେ ପହଂଚାଇବା ପାଇଁ ଆଜିକାର ସ୍ଵତନ୍ତ୍ରତା ଦିବସର ଉର୍ଜ୍ଜା ଭାରତୀୟମାନଙ୍କ ପାଇଁ ପ୍ରେରଣା ପ୍ରଦାନ କରିବ ବୋଲି ସେ କହିଥିଲେ ।

2. ମହାତ୍ମା ଗାନ୍ଧୀ, ସର୍ଦ୍ଦାର ପଟେଲ, ପଣ୍ଡିତ ନେହେରୁଙ୍କ ଭଳି ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଓ ନିଷ୍ଠା ଫଳରେ ଦେଶ ସ୍ୱାଧୀନ ହୋଇପାରିଛି । ଆଜିର ଏହି ପବିତ୍ର ଦିବସରେ ସେହିଭଳି ମହାପୁରୁଷମାନଙ୍କୁ ଆମେ ସ୍ମରଣ କରୁଛୁ ।

3. ଏହା ସତ୍ୟ ଯେ ଭାରତ ଅନେକ ସମସ୍ୟାର ସମ୍ମୁଖୀନ ହେଉଛି । ସେହିସବୁ ସମସ୍ୟାର ସମାଧାନ କରି ଆମକୁ ଆଗକୁ ବଢିବାକୁ ହେବ ।

4. କେନ୍ଦ୍ର ସରକାରଙ୍କ କାର୍ଯ୍ୟ ଅପେକ୍ଷା କାର୍ଯ୍ୟଶୈଳୀ ଉପରେ ମୁଁ ଦେଶବାସୀଙ୍କୁ ଅବଗତ କରାଇବା ପାଇଁ ଚାହେଁ ।

5. ଅତୀତରେ ଥିବା ସରକାର ବିଭିନ୍ନ ଅଭିଯୋଗରେ ଛନ୍ଦି ହୋଇପଡିଥିଲେ ମାତ୍ର ବର୍ତ୍ତମାନର ସରକାରଙ୍କ ଉପରେ ଦେଶବାସୀଙ୍କର ଆଶା ଭରସା ଏବଂ ଉଚ୍ଚାଭିଳାଷ ରହିଛି ।

6. ଆମର କର୍ତ୍ତବ୍ୟ ସ୍ୱରାଜକୁ ‘ସୁ’ ରାଜ୍ୟରେ ପରିବର୍ତ୍ତନ କରାଇବା ଯେଉଁଥିପାଇଁ ତ୍ୟାଗ, ନିଷ୍ଠା ଓ ଶୃଙ୍ଖଳାର ଯଥେଷ୍ଟ ଆବଶ୍ୟକତା ରହିଛି ।

7. ମୁଁ ଆଜି ଯାହା କହୁଛି ତାହା କେବଳ ସରକାରଙ୍କ ନୀତି ନୁହେଁ ତାହା ବର୍ତ୍ତମାନର ସରକାରଙ୍କ ଲକ୍ଷ୍ୟ । କେବଳ କାର୍ଯ୍ୟଧାରାକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟ ନୁହେଁ ବରଂ କାର୍ଯ୍ୟ କରିବାର ଅନୁଭୂତିକୁ ନେଇ ଆଗକୁ ଯିବାର ଲକ୍ଷ୍ୟ ।

8. ‘ସୁ’ ରାଜର ଅର୍ଥ ହେଉଛି ସାଧାରଣ ନାଗରିକଙ୍କ ବିକାଶ । ସରକାର ଲୋକଙ୍କ ଆବଶ୍ୟକତା ଏବଂ ଆଶା ଆକାଂକ୍ଷା ପୂରଣ ଦିଗରେ ସମ୍ବେଦନଶୀଳ ହେବା ଆବଶ୍ୟକ । ଦାୟିତ୍ୱ ଏବଂ ଉତ୍ତରଦାୟୀ ହେବା ‘ସୁ’ ରାଜ ର ମୂଳ ଲକ୍ଷ୍ୟ ।

9. ମଧ୍ୟବିତ୍ତ ପରିବାରମାନଙ୍କର ଆୟକର ବିଭାଗ ପ୍ରତି ଯେଉଁ ଭୟ ଅଛି ଏହାର ପରିବର୍ତ୍ତନ କରିବା ପାଇଁ ସରକାର ଚାହାଁନ୍ତି ।

10. ଦେଶରେ ଦୁଇ କୋଟି ଲୋକ ପାସପୋର୍ଟ ପାଇଁ ଦରଖାସ୍ତ କରିଥିଲେ ସେମାନଙ୍କୁ ଏକ ରୁ ଦୁଇ ସପ୍ତାହ ମଧ୍ୟରେ ପାସପୋର୍ଟ ମିଳିବ ବୋଲି ସରକାର ଯୋଜନା କରୁଛନ୍ତି ।

11 ଅତୀତରେ ଜଣେ ବ୍ୟବସାୟୀ ଦେଶରେ ପୁଂଜି ନିବେଶ କରିବା ପାଇଁ ପଂଜୀକରଣ ନିମନ୍ତେ 6 ମାସ ସମୟ ଲାଗୁଥିଲା । ମାତ୍ର ଏବେ ସରକାର ସେ ବ୍ୟବସ୍ଥାକୁ ଗତ ଜୁଲାଇ ମାସରେ ସରଳୀକରଣ କରିଛନ୍ତି । ଏ ମଧ୍ୟରେ 900 ପୁଂଜି ନିବେଶକାରୀ ପଂଜୀକୃତ ହୋଇସାରିଛନ୍ତି ।

12. ଗ୍ରୁପ ସି ଏବଂ ଡି ପଦବୀରେ ନିଯୁକ୍ତି ପାଇଁ ସାକ୍ଷାତକାର ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇଛି । ଏହି ପଦବୀ ଗୁଡିକରେ 9 ହଜାର ବ୍ୟକ୍ତିଙ୍କୁ ନିଯୁକ୍ତି ଦିଆଯାଇଛି ।

13. ବିଗତ 70 ବର୍ଷ ମଧ୍ୟରେ ଲୋକଙ୍କ ଆଶା ଓ ଆକାଂକ୍ଷାରେ ପରିବର୍ତ୍ତନ ଘଟିଛି । ସରକାରୀ ନୀତିର ଘୋଷଣା ଏବଂ ବଜେଟ ସେମାନଙ୍କୁ ହୃଦବୋଧ କରିପାରୁନାହିଁ । ତୃଣମୂଳ ସ୍ତରରେ ହୋଇଥିବା ପରିବର୍ତ୍ତନ ଦେଖାଇଦେବାକୁ ଚାହୁଁ ।

14. ଅତୀତରେ ଦିନକୁ ଗ୍ରାମାଂଚଳରେ 70-75କି.ମି ରାସ୍ତା ନିର୍ମାଣ କରାଯାଉଥିଲା ମାତ୍ର ବର୍ତ୍ତମାନ ସରକାରଙ୍କ ସମୟରେ ଦୈନିକ 100 କିଲୋମିଟର ରାସ୍ତା ନିର୍ମାଣ କରାଯାଉଛି ।

15. ଗୋଟିଏ ଦେଶ, ଗୋଟିଏ ଦେଶରେ ଗୋଟିଏ ଦର ନୀତି କାର୍ଯ୍ୟକାରୀ ହେବାକୁ ଯାଉଛି । ଏହାଫଳରେ ଜନସାଧାରଣଙ୍କୁ ବିଭିନ୍ନ ପ୍ରକାର ଟିକସ ନାମରେ କେହି ଠକି ପାରିବ ନାହିଁ ।

16. ଆମର ଲକ୍ଷ୍ୟ ଅକ୍ଷୟ ଶକ୍ତି ଉତ୍ପାଦନକୁ ବୃଦ୍ଧି କରିବା

17. ସୌର ଶକ୍ତି ଉତ୍ପାଦନ କ୍ଷେତ୍ରରେ 116 ପ୍ରତିଶତ ବୃଦ୍ଧି କରାଯାଇଛି ଯାହାକି ଅଭୂତପୂର୍ବ ।

18. ଅତୀତରେ ବର୍ଷକୁ 30 ହଜାରରୁ 35 ହଜାର କି.ମି ଟ୍ରାନ୍ସମିସନ ଲାଇନ ପ୍ରତିଷ୍ଠା କରାଯାଉଥିଲା ମାତ୍ର ଏହି ବ୍ୟବସ୍ଥା ବର୍ତ୍ତମାନ ସରକାରଙ୍କ ସମୟରେ 50 ହଜାର କି.ମି କୁ ବୃଦ୍ଧି ପାଇଛି ।

19. ବିଗତ 60 ବର୍ଷ ମଧ୍ୟରେ ରନ୍ଧନ ଗ୍ୟାସ 14 କୋଟି ଲୋକଙ୍କୁ ମିଳିଥିଲାବେଳେ ଗତ 60 ସପ୍ତାହ ମଧ୍ୟରେ 4 କୋଟି ଲୋକଙ୍କୁ ଏହି ସଂଯୋଗ ସୁବିଧା ଯୋଗାଇ ଦିଆଯାଇଛି ।

20. ନାଗରୀକମାନଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ନୈରାଶ୍ୟଜନକ ସ୍ଥିତିକୁ ଦୂର କରି ସେମାନଙ୍କ ଭିତରେ ଶକ୍ତି ସଂଚାର କରିବା ସରକାରଙ୍କ ଲକ୍ଷ୍ୟ । ଦେଶର 21 କୋଟି ଲୋକଙ୍କୁ ପ୍ରତିଷ୍ଠାନ ଋଣ ଯୋଗାଇ ଦିଆଯାଇଛି ଯାହାକି ଅତୀତରେ ଏଭଳି କାର୍ଯ୍ୟ କେବେ ହୋଇନଥିଲା ।

21. ବିଦ୍ୟୁତକରଣ କରାଯାଇନଥିବା 18 ହଜାର ଗ୍ରାମ ମଧ୍ୟରୁ 10 ହଜାର ଗ୍ରାମକୁ ଏବେ ବିଦ୍ୟୁତକରଣ କରାଯାଇଛି । ସେମାନେ ସରକାରଙ୍କ ସହିତ ଅଛନ୍ତି ଏବଂ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମ ଟେଲିଭିଜନରେ ଦେଖୁଛନ୍ତି ।

22. ଦିଲ୍ଲୀଠାରୁ ମାତ୍ର 3 ଘଣ୍ଟାର ଦୂରତାରେ ଥିବା ହାଥ୍ରାସ ଗ୍ରାମରେ ବିଦ୍ୟୁତିକରଣ ପାଇଁ 70 ବର୍ଷ ସମୟ ଲାଗିଥିଲା ।

23. ବିଦ୍ୟୁତ ଶକ୍ତିର ଅପଚୟ ରୋକିବା ପାଇଁ ଏଲଇଡି ବଲ୍ବ ବ୍ୟବହାର ପ୍ରତି ସରକାର ଗୁରୁତ୍ୱ ଦେଉଛନ୍ତି ଏବଂ ମାତ୍ର 50 ଟଙ୍କାରେ ଯୋଗାଇ ଦିଆଯାଉଥିବା ଏଲଇଡି ବଲ ଶକ୍ତି ସଂଚୟ ଏବଂ ଅପବ୍ୟୟ ରୋକିବାରେ ସହାୟକ ହେବ ।

24. ଇରାନ, ଆଫଗାନିସ୍ଥାନ ଏବଂ ଭାରତର ସହଯୋଗରେ ଚାବାହାର ବନ୍ଦର ନିର୍ମିତ ହେବ ଏବଂ ଏହା ଅସମ୍ଭବକୁ ସମ୍ଭବ କରି ଦେଖାଇଦେବ ।

25. ମୁଦ୍ରାସ୍ଫିତିକୁ 6 ପ୍ରତିଶତ ମଧ୍ୟରେ ରଖିବା ପାଇଁ ମୋ ସରକାର ବଦ୍ଧପରିକର । ଦୁଇ ବର୍ଷ ଧରି ଦେଶ ଲଗାତାର ମରୁଡିର ସମ୍ମୁଖୀନ ହେବା ପରେ ଖାଦ୍ୟଶସ୍ୟ ଉତ୍ପାଦନକୁ ନେଇ ଚିନ୍ତାଜନକ ସ୍ଥିତି ଉତ୍ପନ୍ନ ହୋଇଥିଲା । ମାତ୍ର ମୋ ସରକାର ସବୁ ପ୍ରକାର ଉଦ୍ୟମ କରି ସମସ୍ୟାର ସମାଧାନ କରିପାରିଛି । ପୂର୍ବ ସରକାରଙ୍କ ତୁଳନାରେ ମୋ ସରକାର ଗରିବ ଲୋକଙ୍କୁ ସୁଲଭ ମୂଲ୍ୟରେ ଖାଦ୍ୟ ଯୋଗାଇ ଦେଇପାରୁଛି ।

26. ଗୁରୁ ଗୋବିନ୍ଦ ସିଂ ଙ୍କ 350ତମ ଜୟନ୍ତୀ ଆମେ ପାଳନ କରୁଛୁ । ସେ କହିଥିଲେ ଯେ ଯିଏ ଅନ୍ୟମାନଙ୍କ ସେବା ନ କରିପାରିଛି ତାଙ୍କ ହାତକୁ ଆମେ କିପରି ଦାତାର ହାତ ଭଳି ପବିତ୍ର ବୋଲି କହିବା ? ଆମର କୃଷକମାନେ ପୂର୍ବ ସରକାରଙ୍କ ତୁଳନାରେ ମରୁଡି ସତ୍ତ୍ୱେ ଦେଢ ଗୁଣା ଡାଲିଜାତୀୟ ଫସଲ ଉତ୍ପାଦନ କରି ଦେଶର ଉତ୍ପାଦନକୁ ନୂତନ ଉଚ୍ଚତାରେ ପହଂଚାଇ ପାରିଛନ୍ତି ।

27. ଆମ ଦେଶର କୃଷି ବୈଜ୍ଞାନିକମାନେ 131 ପ୍ରକାର ଅଧିକ ଉତ୍ପାଦନକ୍ଷମ ବିହନ ସୃଷ୍ଟି କରି କୃଷି ଉତ୍ପାଦନକୁ ବୃଦ୍ଧି କରିପାରିଛନ୍ତି । ସ୍ୱାଧୀନତା ଦିବସ ଅବସରରେ ସେମାନଙ୍କୁ ମୁଁ ଅଭିନନ୍ଦନ ଜଣାଉଛି । ଅତୀତର ଏକ ତୃଟିପୂର୍ଣ୍ଣ ନିଷ୍ପତ୍ତି ପାଇଁ ରାସାୟନିକ ସାରର ଅଭାବ ସୃଷ୍ଟି ହୋଇଥିଲା । ଏବେ ସେହି ଅଭାବର ଆଉ ପୁନରାବୃତ୍ତି ହେବନାହିଁ ।

28. ଅତୀତ ସରକାରଙ୍କ ଅମଳରେ ରାଜକୋଷ (Treasury) ଅନେକ ସମୟରେ ଖାଲି ପଡୁଥିଲା ମାତ୍ର ସେଭଳି ଘଟଣା ଆଉ ସୃଷ୍ଟି ହେବନାହିଁ । ସରକାର ସମ୍ପର୍କରେ ବିଶ୍ୱ କଣ ଭାବୁଛି ତାହା ବଡକଥା ନୁହେଁ, ବିଶ୍ୱରେ ମୋ ଦେଶର ଛବି ମୋ ପାଇଁ ବଡ କଥା । ଲୋକ ଦେଖାଣିଆ ପ୍ରତୀକାତ୍ମକ କାର୍ଯ୍ୟ ଅପେକ୍ଷା ଠୋସ କାର୍ଯ୍ୟ ଦରକାର । ଅଧିକାର ଅପେକ୍ଷା ସଶକ୍ତିକରଣ ଆବଶ୍ୟକ । ଦଳ ଅପେକ୍ଷା ଦେଶ ମୋ ପାଇଁ ବଡ ।

29. ସରକାର ଏକ ଧାରାବାହିକ ବ୍ୟବସ୍ଥା । କୌଣସି ସରକାରଙ୍କ ସମୟରେ ଭଲ କାମ ହୋଇଥିଲେ ଆମେ ସେମାନଙ୍କ ଆଗରେ ନତ ମସ୍ତକ ହୋଇପାରିବୁ । ପୂର୍ବ ସରକାରଙ୍କ ସମୟରେ 118 ପ୍ରକାର କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । 270ଟି ପ୍ରକଳ୍ପରେ 10 ଲକ୍ଷ କୋଟି ଟଙ୍କା ଅଟକିଯାଇଥିଲା । ଏହା ହେଉଛି ଅପରାଧିକ ଅବହେଳା । ଏହି କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ମୋ ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି ।

30. ମୋ ସରକାରଙ୍କର ସ୍ୱଚ୍ଛ ନୀତି, ସ୍ୱଚ୍ଛ ଉଦ୍ଦେଶ୍ୟ, ଦୃଢ ନିଷ୍ପତ୍ତି ନେଇପାରୁଛି । ପ୍ରତ୍ୟେକ ବର୍ଷ ଉତ୍ତରପ୍ରଦେଶର ଆଖୁ ଚାଷୀମାନଙ୍କର ବକେୟା ଅର୍ଥ ରହିଥିବାର ଦେଖାଯାଏ । କିନ୍ତୁ ମୋ ସରକାରଙ୍କ ସମୟରେ ଆଖୁ ଚାଷୀ ମାନଙ୍କୁ 95 ଭାଗ ଅର୍ଥ ପ୍ରଦାନ କରାଯାଇପାରିଛି । ଉଜ୍ଜଳା ଯୋଜନାରେ 50 ଲକ୍ଷ ପରିବାରର ରୋଷେଇ ଘରକୁ ଧୂମହୀନ କରାଯାଇପାରିଛି ।

31. ବିଶ୍ୱସ୍ତରୀୟ ହେବା ସହିତ ବିଶ୍ୱ ଅର୍ଥବ୍ୟବସ୍ଥାର ନେତୃତ୍ୱ ଭାରତ ନେଇପାରିଲେ ତାହା ଆମପାଇଁ ଗୌରବର ବିଷୟ ହେବ । ଗତ କିଛି ଦିନ ଧରି ରେଟିଂ ସଂସ୍ଥାଗୁଡିକ ବ୍ୟବସାୟ କ୍ଷେତ୍ରରେ ଆମର କାର୍ଯ୍ୟ ପ୍ରଣାଳୀକୁ ପ୍ରଶଂସା କରିଛନ୍ତି ।

32. ରାମାନୁଜାଚାର୍ଯ୍ୟଙ୍କ ମତରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସମାନ ଦୃଷ୍ଟିରେ ଦେଖିବା ଉଚିତ୍, କାହାକୁ ଅସମ୍ମାନିତ କରିବା ଠିକ୍ ନୁହେଁ । ସେହି ଧାରାରେ ଆମ୍ବେଦକର ଏବଂ ଗାନ୍ଧୀଜୀ ମଧ୍ୟ କହିଛନ୍ତି । ସମାଜରେ ଉଚ୍ଚ-ନୀଚ ଭେଦଭାବ ସୃଷ୍ଟି କଲେ ସମାଜ ଖଣ୍ଡ ବିଖଣ୍ଡିତ ହୋଇଯିବ । ସେହିଭଳି ଭେଦଭାବକୁ ଦୂର କରିବା ପାଇଁ ଆମର ଉଦ୍ୟମ ଚାଲୁ ରହିବ । କେବଳ ଅର୍ଥନୈତିକ ବିକାଶ ଯଥେଷ୍ଟ ନୁହେଁ, ସାମାଜିକ ସମତା ଗୁରୁତ୍ୱପୂର୍ଣ୍ଣ । ସାମାଜିକ କୁ-ସଂସ୍କାର ବିରୁଦ୍ଧରେ ମିଳିତ ସଂଗ୍ରାମର ଆବଶ୍ୟକତା ରହିଛି ।

33. ବସ୍ତୁ ଓ ସେବାକର(GST) ଆମ ଅର୍ଥବ୍ୟବସ୍ଥାକୁ ମଜବୁତ କରିବ । ଏହି ବିଧେୟକ ଗୃହିତ କରାଇବାରେ ସବୁ ଦଳର ପୂର୍ଣ୍ଣ ସମର୍ଥନ ମିଳିଛି ।

34. ସରକାର କୌଣସି କଥା ଦେଇ କଥା ଭାଙ୍ଗିବାକୁ ପସନ୍ଦ କରନ୍ତି ନାହିଁ । ଗୋଟିଏ ପାହ୍ୟା ପାଇଁ ଗୋଟିଏ ପେନସନ (One Rank One Pension) ଲାଗି ଦିଆଯାଇଥିବା ପ୍ରତିଶୃତିକୁ କାର୍ଯ୍ୟକାରୀ କରିଛନ୍ତି । ସେହିଭଳି ପ୍ରତିଶୃତି ଅନୁଯାୟୀ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ସମ୍ପର୍କରେ ରହିଥିବା ଅନେକ ଦସ୍ତାବିଜ ଓ ନଥିକୁ ବିବର୍ଗୀକୃତ ଏବଂ ସାର୍ବଜନୀନ କରାଯାଇଛି ।

35. ଭିନ୍ନତା ଭିତରେ ଏକତା ହେଉଛି ଆମର ଶକ୍ତି । ଅନ୍ୟମାନଙ୍କୁ ସମ୍ମାନ ଦେବା ଆମ ସଂସ୍କୃତିର ଅଭିନ୍ନ ଅଙ୍ଗ । ସେଥିପାଇଁ ଆମ ସଭ୍ୟତା ଦୀର୍ଘଦିନ ଧରି ତିଷ୍ଠି ରହିପାରିଛି ।

36. ଆମ ଦେଶରେ ହିଂସାର ସ୍ଥାନ ନାହିଁ । ଆତଙ୍କବାଦ ଏବଂ ମାଓବାଦକୁ ଗ୍ରହଣ କରେ ନାହିଁ ।

37. ଯେଉଁମାନେ ମାନବିକତାର ମୂଲ୍ୟବୋଧ ବୁଝନ୍ତି ସେମାନଙ୍କୁ କହିବାକୁ ଚାହେଁ ଯେ ଆମେ ମାନବିକତାରେ ସମର୍ଥନ କରୁ । ପେଶାୱର ସ୍କୁଲରେ ନୀରିହ ପିଲାମାନଙ୍କୁ ଗଣହତ୍ୟା କରାଗଲା ସେଭଳି କଥାକୁ ଆମେ କେବେ ସମର୍ଥନ କରିବୁ ନାହିଁ । ଏହି ଘଟଣାରେ ଭାରତରେ ପ୍ରତ୍ୟେକ ସ୍କୁଲ ଗଭୀର ଭାବେ ମର୍ମାହତ ଏବଂ ଏଥିପାଇଁ ସାଂସଦଙ୍କ ଆଖିରେ ଲୁହ ଦେଖିବାକୁ ମିଳିଥିଲା । ଏହା ହେଉଛି ଆମ ମାନବିକତା ମୂଲ୍ୟବୋଧର ପରିଚୟ । ଅନ୍ୟପକ୍ଷରେ ଦେଖିବାକୁ ଗଲେ ଏହିଭଳି କେତେକ ଦେଶ ଅଛନ୍ତି ଯେଉଁମାନେ ଏଭଳି ଘଟଣାକୁ ପ୍ରଶ୍ରୟ ଦେଉଛନ୍ତି ।

38. ମୁଁ ମୋର ପଡୋଶୀ ଦେଶମାନଙ୍କୁ କହିବାକୁ ଚାହେଁ, ଦାରିଦ୍ର୍ୟ ବିରୁଦ୍ଧରେ ମିଳିତ ଭାବେ ସଂଗ୍ରାମ କରିବା । ଏହା ନକରି କେବଳ ନିଜ ନିଜ ଭିତରେ ଲଢେଇ କଲେ ପ୍ରଗତି ସମ୍ଭବ ହେବନାହିଁ ।

39. ଗତ କିଛି ଦିନ ତଳେ ବେଲୁଚିସ୍ଥାନ, ଗିଲଗିଟ, ପାକିସ୍ଥାନ ଅଧିକୃତ କାଶ୍ମୀରବାସୀ ମୋତେ ଧନ୍ୟବାଦ ଜଣାଇବା ସହିତ ଦେଶର 125 କୋଟି ଲୋକଙ୍କୁ ସମ୍ମାନ ପ୍ରଦର୍ଶନ କରିଛନ୍ତି । ମୁଁ ସେହି ଲୋକମାନଙ୍କୁ ଧନ୍ୟବାଦ ଜଣାଇବାକୁ ଚାହେଁ ।

40. ସ୍ୱାଧୀନତା ସଂଗ୍ରାମୀଙ୍କ ପେନସନ 20 ପ୍ରତିଶତ ବୃଦ୍ଧି କରିବାକୁ ଆମେ ନିଷ୍ପତ୍ତି ନେଇଛୁ ।

41. ବିପିଏଲ ପରିବାରଙ୍କ ଚିକିତ୍ସା ପାଇଁ ବାର୍ଷିକ 1 ଲକ୍ଷ ଟଙ୍କା ବହନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।

42. ଆମେ ଯେତେବେଳେ ସ୍ୱାଧୀନତା ସଂଗ୍ରାମ କଥା କହୁ କେବଳ କିଛି ସଂଗ୍ରାମୀଙ୍କ ନାଁ ଉଠାଯାଇଥାଏ । ମାତ୍ର ବହୁ ଆଦିବାସୀ ସ୍ୱାଧୀନତା ସଂଗ୍ରାମରେ ପ୍ରାଣବଳି ଦେଇଛନ୍ତି । ସେମାନଙ୍କ ମଧ୍ୟରେ ବିର୍ସା ମୁଣ୍ଡାଙ୍କ ଭଳି ଅନେକ ରହିଛନ୍ତି । ଅଳ୍ପ କିଛି ଦିନ ମଧ୍ୟରେ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀମାନଙ୍କର ତାଲିକା ପ୍ରସ୍ତୁତ କରାଯାଇ ସଂଗ୍ରହାଳୟରେ ସ୍ଥାନିତ କରାଯିବ ।

43. ଗୋଟିଏ ସମାଜ, ଗୋଟିଏ ମିଶନ, ଆମର ଲକ୍ଷ୍ୟ ।

44. ଭାରତ ମାତା କି ଜୟ, ବନ୍ଦେ ମାତରମ ଏବଂ ଜୟ ହିନ୍ଦ ।

++++++++++