Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀଙ୍କ ସହ ‘ଟାଇମ୍ସ ନାଓ’ର ବିଶେଷ ସାକ୍ଷାତକାର : ପୂର୍ଣ୍ଣାଙ୍ଗ ଓଡିଆ ପ୍ରତିଲିପି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଟାଇମ୍ସ ନାଓ ଚ୍ୟାନେଲକୁ ଦେଇଥିବା ଏକ ସାକ୍ଷାତକାରରେ ବିଭିନ୍ନ ପ୍ରସଙ୍ଗ ଉପରେ ନିଜର ମତ ରଖିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏହି ସାକ୍ଷାତକାରର ପୂର୍ଣ୍ଣ ବିବରଣୀ ନିମ୍ନରେ ଏହିମତେ ପ୍ରଦାନ କରାଗଲା……………

ଅର୍ଣ୍ଣବ: ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ମୋଦୀ, ଆପଣ ଏହି ସାକ୍ଷାତକାର ଲାଗି ସୁଯୋଗ ଦେଇଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ । ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ।

ପ୍ରଧାନମନ୍ତ୍ରୀ ମୋଦୀ: ସମସ୍ତ ଜନସାଧାରଣଙ୍କୁ ମୋର ଶୁଭେଚ୍ଛା ।

ଅର୍ଣ୍ଣବ: ଆପଣ ପ୍ରଧାନମନ୍ତ୍ରୀ ହେବାପରେ ଏକ ଘରୋଇ ନ୍ୟୁଜ ଚ୍ୟାନେଲକୁ ଆପଣଙ୍କର ଏହା ପ୍ରଥମ ସାକ୍ଷାତକାର ଏବଂ ମୁଁ ଯଦି ଭୁଲ କହୁନଥାଏ, ତେବେ ଦେଶରେ କାର୍ଯ୍ୟରତ କୌଣସି ଜଣେ ପ୍ରଧାନମନ୍ତ୍ରୀ ଏକ ଘରୋଇ ଚ୍ୟାନେଲକୁ ସାକ୍ଷାତକାର ଦେବାରେ ଏହା ପ୍ରଥମ ଘଟଣା । ତେଣୁ ପ୍ରଥମେ ମୁଁ ଆପଣଙ୍କୁ ଧନ୍ୟବାଦ ଦେବାକୁ ଚାହେଁ ଏବଂ ଏହି ସୁଯୋଗ ପ୍ରଦାନ କରିଥିବାରୁ ମୁଁ ଆପଣଙ୍କ ନିକଟରେ ଋଣୀ ।

ପ୍ରଧାନମନ୍ତ୍ରୀ ମୋଦୀ: ଗଣମାଧ୍ୟମର ଦୁନିଆ ଏତେ ବିଶାଳ ଆକାର ଧାରଣ କଲାଣି ଯେ ସମସ୍ତେ ଏହା ସହ ସଂଶ୍ଳିଷ୍ଟ ହୋଇପଡିଛନ୍ତି ।

ଅର୍ଣ୍ଣବ: ମୁଁ ଏଥିପାଇଁ ଆପଣଙ୍କ ନିକଟରେ ଋଣୀ ଏବଂ ଆମର ଦର୍ଶକମାନେ ମଧ୍ୟ ଆପଣଙ୍କ ନିକଟରେ ବେଶ କୃତଜ୍ଞ ରହିବେ, ଶ୍ରୀଯୁକ୍ତ ମୋଦୀ । କାରଣ ସେମାନେ ଆପଣଙ୍କ ତୁଣ୍ଡରୁ ବିଭିନ୍ନ ପ୍ରସଙ୍ଗରେ ଆପଣଙ୍କ ମତାମତ ଶୁଣିବାକୁ ଚାହାନ୍ତି । ପ୍ରଧାନମନ୍ତ୍ରୀ ମହୋଦୟ 2014 ମସିହା ମେ 20 ତାରିଖକୁ ଆପଣଙ୍କୁ ଫେରାଇ ନେଇ ମୁଁ ସାକ୍ଷାତକାର ଆରମ୍ଭ କରିବାକୁ ଚାହେଁ । ମେ 16 ତାରିଖ ଦିନ ନିର୍ବାଚନ ଫଳାଫଳ ଆସିଲା । ଏହାର 4 ଦିନ ପରେ ଆପଣ ପାର୍ଲାମେଂଟର କେନ୍ଦ୍ରୀୟ ହଲରେ ଏକ ଐତିହାସିକ ଭାଷଣ ପ୍ରଦାନ କରିଥିଲେ ଏବଂ ଆପଣ ସଂସଦର ସଦସ୍ୟମାନଙ୍କୁ ଉଦ୍ବୋଧନ ଦେଇଥିଲେ । ଫଳାଫଳ ଘୋଷଣାର 4 ଦିନ ପରେ ଆପଣ କହିଥିଲେ ଯେ, ଦାୟିତ୍ୱବୋଧର ଏକ ନୂଆ ଯୁଗ ଆରମ୍ଭ ହେଲା ଏବଂ ଆପଣ ଆହୁରି କହିଥିଲେ ଯେ, 2019 ମସିହାର ସାଧାରଣ ନିର୍ବାଚନ ପୂର୍ବରୁ ମୁଁ ଏହି ପାର୍ଲାମେଂଟ ନିକଟକୁ ଫେରିଆସିବି ଏବଂ ସାଂସଦମାନଙ୍କୁ ନିକଟକୁ ଫେରିଆସି ମୋର ରିପୋର୍ଟ କାର୍ଡ ପ୍ରଦାନ କରିବି । ଏବେ ଆପଣଙ୍କ ଶାସନ ଅବଧିର 40 ପ୍ରତିଶତ କାଳ ବିତିସାରିଥିବା ବେଳେ ଆପଣଙ୍କ ଲକ୍ଷ୍ୟରେ ଆପଣ କେତେ ସଫଳତା ହାସଲ କରିଛନ୍ତି ତାହା ଦୟାକରି କହିବେ କି ?

ପ୍ରଧାନମନ୍ତ୍ରୀ ମୋଦୀ: ଯେତେବେଳେ ମୁଁ ଜଣେ ସାଂସଦ ଭାବେ ପ୍ରଥମ ଥର ପାଇଁ କେନ୍ଦ୍ରୀୟ ହଲକୁ ଗଲି ତାହା ଥିଲା ସଂସଦର କେନ୍ଦ୍ରୀୟ ହଲ ଦେଖିବାରେ ମୋର ପ୍ରଥମ ଅବସର । ପୂର୍ବରୁ ମୁଁ କେବେ ତାହା ଦେଖିନଥିଲି । ତେଣୁ ସେତେବେଳେ ମୁଁ କହିଥିଲି ଯେ, ପ୍ରଧାନମନ୍ତ୍ରୀ ହେବା କେବଳ ଏକ ପଦବୀ ଗ୍ରହଣ କରିବା ନୁହେଁ, ତାହା ହେଲା ପ୍ରଧାନମନ୍ତ୍ରୀ ଭାବେ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପାଦନର ପ୍ରସଙ୍ଗ । ମୁଁ ଏକଥା ବି କହିଥିଲେ ଯେ, ମୋ ସରକାର ଗରୀବ ଲୋକଙ୍କ ପାଇଁ ପ୍ରତିବଦ୍ଧ ରହିବ । ମୁଁ ଏହି ଦାୟିତ୍ୱ ପାଇଁ ସମ୍ପୂର୍ଣ୍ଣ ଭାବେ ନୂଆ ଥିଲି । ଦିଲ୍ଲୀ ମୋ ପାଇଁ ନୂଆ ଥିଲା । ଦିଲ୍ଲୀର ପରିବେଶ ମୋ ପାଇଁ ନୂଆ ଥିଲା । ଭାରତ ସରକାରଙ୍କ କାର୍ଯ୍ୟ ମଧ୍ୟ ମୋ ପାଇଁ ନୂଆ ଥିଲା । କିନ୍ତୁ ଏହା ସତ୍ତ୍ୱେ ଏତେ ଅଳ୍ପ ସମୟ ମଧ୍ୟରେ ଦେଶ ଯେଉଁ ମାତ୍ରାରେ ଆଗକୁ ଅଗ୍ରସର ହୋଇଛି ଏବଂ ଏହା ପୁଣି କୌଣସି ଗୋଟିଏ କ୍ଷେତ୍ରରେ ନୁହେଁ, ସବୁ କ୍ଷେତ୍ରରେ ତାହା ଅନୁଭବ କରିହେବ । ଆପଣ ସରକାରଙ୍କର ଯେ କୌଣସି ଗୋଟିଏ କାର୍ଯ୍ୟ ବାଛନ୍ତୁ ଏବଂ ଯଦି ତାଙ୍କୁ ଅତୀତର ସରକାରଙ୍କ କାର୍ଯ୍ୟ ସହ ତୁଳନା କରିବେ ତାହାହେଲେ ଆପଣ ଅନୁଭବ କରିପାରିବେ ଯେ, କୌଣସି ପ୍ରସଙ୍ଗକୁ ଅବହେଳା କରାଯାଇନାହିଁ । ପ୍ରତ୍ୟେକ କ୍ଷେତ୍ରରେ କିଛି ନା କିଛି ନୂଆ କରିବାର ଉଦ୍ୟମ ହୋଇଛି । ପ୍ରତ୍ୟେକ କ୍ଷେତ୍ରରେ ପରିବର୍ତ୍ତନ ଘଟାଇବାର ପ୍ରୟାସ କରାଯାଇଛି । ଆମ ନିକଟରେ ଏକ ବଡ ଚ୍ୟାଲେଞ୍ଜ ଥିଲା ଯେ, ଏ ସ୍ଥାନ ସମ୍ପର୍କରେ ମୋର କୌଣସି ପୂର୍ବ ଅଭିଜ୍ଞତା ନଥିଲା । ପୂର୍ବରୁ ମୁଁ ଏପରିକି ସାଂସଦଟିଏ ମଧ୍ୟ ହୋଇନଥିଲି । କାର୍ଯ୍ୟାଳୟ ଥିଲା ନୂଆ । ପ୍ରସଙ୍ଗ ବି ଥିଲା ନୂଆ । କିନ୍ତୁ ମୁଁ ଯେତେବେଳେ ଏହି ଦ୍ୱିତୀୟ ବୃହତ୍ତର ଚ୍ୟାଲେଞ୍ଜ ଆଡେ ଦୃଷ୍ଟିପାତ କଲି, ଆମେ ମଧ୍ୟ ସେଇ ସମୟ କଥା ସ୍ମରଣ ରଖିବା ଉଚିତ ଯେ, ଯେତେବେଳେ ସାରା ଦେଶରେ ନିରାଶ ଭିତରେ ଗୋଟା ପଣେ ଡୁବି ରହିଥିଲା । ପ୍ରତିଦିନ ଖବର ଆସୁଥିଲା 7 ଦିନ ପରେ ଦେଶରେ ବିଜୁଳୀ ଉତ୍ପାଦନ ହେବ କି ନାହଁ, କୋଇଲା ଯୋଗାଣ ହୋଇପାରିବ କି ନାହିଁ । ପରିସ୍ଥିତି ସେତେବେଳେ ଏହି ଅବସ୍ଥାକୁ ଆସିଯାଇଥିଲା । ସମଗ୍ର ବ୍ୟବସ୍ଥା ନିରାଶା ଭିତରେ ଡୁବି ରହିଥିଲା । ସବୁଠାରୁ ବଡ ଚ୍ୟାଲେଞ୍ଜ ଥିଲା ବ୍ୟବସ୍ଥା ଭିତରେ କିପରି ଏକ ନୂଆ ଆସ୍ଥା ପୁରାଇବାକୁ ହେବ ଏବଂ ଦେଶବାସୀଙ୍କ ଭିତରେ ନୂଆ ଆତ୍ମବିଶ୍ୱାସ ସୃଷ୍ଟି କରିବାକୁ ହେବ । ବାହାରେ ରହି ଏହା ଆକଳନ କରିବା କଷ୍ଟସାଧ୍ୟ ବ୍ୟାପାର । କିନ୍ତୁ ମୁଁ ଗଭୀର ଭାବେ ଏହାକୁ ଅନୁଧ୍ୟାନ କରିଛି । ଆଜି ମୁଁ ଆତ୍ମସନ୍ତୋଷର ସହ କହିପାରିବି ଯେ, ଏବେ ନିରାଶର ଲେସ ମାତ୍ର ଆଭାସ ନାହିଁ । କିଛି କରିବାର ଅଭିପ୍ରାୟ ଜଳଜଳ ହୋଇ ଦୃଶ୍ୟମାନ । ପୁଣି ଏହା କେବଳ ବାକ୍ୟରେ ନୁହେଁ, ବାସ୍ତବ ସଫଳତାରେ ପ୍ରତିଫଳିତ ହୋଇଛି । ମୁଁ କହିଥିଲି ଯେ, ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଆମେ ଦେଶର ଗରୀବ ଲୋକମାନଙ୍କ ନାମରେ ବ୍ୟାଙ୍କ ଏକାଉଣ୍ଟ ଖୋଲିବୁ । ଗଲା 60 ବର୍ଷ ଭିତରେ ଯାହା କରାଯାଇପାରି ନଥିଲା, ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ତାହା ସାକାର କରି ଦେଖାଇବା ମଧ୍ୟ ଏକ ରିସ୍କ ବା ବିପଦ ଥିଲା । କିନ୍ତୁ ସେଥିପାଇଁ ବ୍ୟବସ୍ଥାରେ ଏକ ଆସ୍ଥା ସୃଷ୍ଟି କରାଯାଇପାରିଥିଲା ଯେ ଏହା ମଧ୍ୟ ହାସଲ ସାଧ୍ୟ । ତେଣୁ ଏହା ଗୋଟିଏ ପ୍ରକ୍ରିୟା ଯାହା ମୁଁ ଆରମ୍ଭ କରିଥିଲି ଲୋକମାନଙ୍କ ମନରେ ଆସ୍ଥା ଉଦ୍ରେକ ପାଇଁ ଏବଂ ଆଜି ଆପଣ ତାହା ପ୍ରତ୍ୟେକ କ୍ଷେତ୍ରରେ ଦେଖିପାରୁଛନ୍ତି । ପରିବର୍ତ୍ତିତ ପରିସ୍ଥିତି ସମସ୍ତଙ୍କ ଆଖିକୁ ଦିଶୁଛି । ଏ ସରକାରଙ୍କ କାର୍ଯ୍ୟଦକ୍ଷତା ଆକଳନ କଲାବେଳେ ଏକଥା ଭୁଲି ଯିବା ଉଚିତ ନୁହେଁ ଯେ, ଏହା ସହ ଆପଣ ପୂର୍ବ ସରକାରଙ୍କ 10 ବର୍ଷର କାର୍ଯ୍ୟକଳାପକୁ ମଧ୍ୟ ତୁଳନା କରିବା ଦରକାର । ତେବେ ଯାଇ ଆପଣ ଜାଣିପାରିବେ ଯେ ଆମେ କେଉଁଠି ଥିଲୁ, ଏବେ କେଉଁଠି ଆସି ପହଂଚିଛୁ । ଆମେ କଣ ଆଶା ରଖିଛୁ ସେ କଥା ଉପରେ ଆଲୋଚନା କରିବା ନିରର୍ଥକ । ଆପଣମାନେ ବର୍ତ୍ତମାନ ସହ ନିକଟ ଅତୀତକୁ ତୁଳନା କରିବା ଦରକାର । ତାହାହେଲେ ଆପଣଙ୍କୁ ଏକ ଉଜ୍ୱଳ ଭବିଷ୍ୟତ ଜଳ ଜଳ ହୋଇ ଦିଶିବ ।

ଅର୍ଣ୍ଣବ: ଶ୍ରୀଯୁକ୍ତ ମୋଦୀ ଏବେ ମୁଁ ବୈଦେଶିକ ନୀତି ପ୍ରସଙ୍ଗରୁ ଆରମ୍ଭ କରିବାକୁ ଚାହେଁ । ବୈଦେଶିକ ନୀତି କ୍ଷେତ୍ରରେ ଆପଣ ଯଥେଷ୍ଟ ଆଗ୍ରହ ପ୍ରକଟ କରିଛନ୍ତି । ବୈଦେଶିକ ନୀତି କ୍ଷେତ୍ରରେ ଆପଣ ଯେଉଁ ପରିମାଣର ବ୍ୟକ୍ତିଗତ ଆଗ୍ରହ ଦେଖାଇଛନ୍ତି ସମ୍ଭବତଃ ଅତୀତର କୌଣସି ପ୍ରଧାନମନ୍ତ୍ରୀଙ୍କ ଠାରେ ତାହା ଏତେ ମାତ୍ରାରେ ପ୍ରଦର୍ଶିତ ହୋଇନଥିଲା । ଆପଣଙ୍କର ଉଦ୍ୟମ ସଦାବେଳେ ସକାରାତ୍ମକ । ଆପଣଙ୍କ ବୈଦେଶିକ ନୀତିରେ ମୋତେ ଯେଉଁ ବିଷୟଟି ଅଧିକ ଆଗ୍ରହ ଉଦ୍ରେକକାରୀ ଲାଗିଛି, ତାହା ହେଲା ଆପଣ ଭିନ୍ନ ଭିନ୍ନ ରାଷ୍ଟ୍ର ଏବଂ ଭିନ୍ନ ଭିନ୍ନ ସ୍ୱାର୍ଥ ମଧ୍ୟରେ ବେଶ୍ ସନ୍ତୁଳନ ରକ୍ଷା କରିପାରିଛନ୍ତି । ଗୋଟିଏ ପଟେ ଯୁକ୍ତରାଷ୍ଟ୍ର ଆମେରିକା ସହ ଆପଣଙ୍କ ସମ୍ପର୍କ ବୃଦ୍ଧି ମାଧ୍ୟମରେ ଆପଣ ସୁନିଶ୍ଚିତ ହୋଇଛନ୍ତି ଯେ ଭାରତ କ୍ଷେପଣାସ୍ତ୍ର ଜ୍ଞାନ କୌଶଳ ନିୟନ୍ତ୍ରଣ ବ୍ୟବସ୍ଥା (ଏମଟିସିଆର)ରେ ସାମିଲ ହେଉ । ଏହାର ଗୋଟିଏ ସପ୍ତାହ ପୂର୍ବରୁ ଆପଣ ଇରାନ ସହ ଐତିହାସିକ ଚାବାହର ବନ୍ଦର ରାଜିନାମା ସ୍ୱାକ୍ଷର କରିଥିଲେ । ତେଣୁ ଆପଣ ଭିନ୍ନ ଭିନ୍ନ ସ୍ୱାର୍ଥ ଥିବା ଶକ୍ତିଙ୍କ ସହ ବେଶ୍ ସଫଳତାର ସହ ସନ୍ତୁଳନ ରକ୍ଷା କରିପାରିଛନ୍ତି । ଏହି ପ୍ରସଙ୍ଗରେ ଆପଣଙ୍କୁ ମୋର ପ୍ରଶ୍ନ ଯେ, ଭାରତର ପ୍ରଧାନମନ୍ତ୍ରୀ ଭାବେ ଏହା କରିବା ଆପଣଙ୍କ ପକ୍ଷେ ସହଜସାଧ୍ୟ କି ? ଦ୍ୱିତୀୟରେ, ଏନ୍ଏସଜି ପ୍ରସଙ୍ଗରେ ଆପଣ ପର୍ଯ୍ୟାପ୍ତ ବ୍ୟକ୍ତିଗତ ଆଗ୍ରହ ପ୍ରକଟ କରିଥିଲେ । ବ୍ୟକ୍ତିଗତ ଭାବେ ଏହି ପ୍ରସଙ୍ଗରେ ଲବି କରି ଏହାକୁ ଆଗକୁ ନେଇଥିଲେ । ଏନ୍ଏସଜି ସିଟ୍ ପାଇବାରେ ଆପଣ ଏବେ କେତେ ନିକଟତର ହୋଇଛନ୍ତି?

ପ୍ରଧାନମନ୍ତ୍ରୀ ମୋଦୀ: ପ୍ରଥମତଃ ବୈଦେଶିକ ନୀତି ସମ୍ପର୍କରେ ଆପଣ ଜାଣିରଖିବା ଉଚିତ ଯେ, ଆମ ବୈଦେଶିକ ନୀତିକୁ କଣ ସୁଦୃଢ଼ କରିରଖିଛି । ଗତ 30 ବର୍ଷ ଧରି ଆମ ଦେଶରେ ଏକ ଅସ୍ଥିର ସରକାର ରହିଆସିଥିଲା । 30 ବର୍ଷ ଧରି କୌଣସି ନିର୍ଦ୍ଦିଷ୍ଟ ଦଳ ସ୍ପଷ୍ଟ ଜନମତ ହାସଲ କରି ସରକାର ଗଢ଼ିବାର ସୁଯୋଗ ପାଇନଥିଲା । ବିଶ୍ୱ ଯେ କୌଣସି ରାଷ୍ଟ୍ରର ସରକାରଙ୍କୁ ସେ ଦେଶର ସ୍ଥିତି ଅନୁସାରେ ମାପି ଥାଏ । ଦେଶରେ ସରକାରଙ୍କ ପ୍ରତିଶ୍ରୁତି କେତେ ଦୂର ଦୃଢ଼ ରହିଛି ତାହା ବିଚାର କରିଥାଏ । ମୁଁ ଦେଶବାସୀଙ୍କୁ ଧନ୍ୟବାଦ ଜଣାଉଛି ଯେ, 30 ବର୍ଷ ପରେ ସେମାନେ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ସରକାରଙ୍କୁ ଚୟନ କରିଛନ୍ତି ଏବଂ ଏହା ବିଶ୍ୱ ରାଜନୀତି ଉପରେ ପ୍ରଭାବ ପକାଇ ପାରିଛି । ତେଣୁ ବିଭିନ୍ନ ରାଷ୍ଟ୍ର ଏବଂ ବିଶ୍ୱ ନେତୃବର୍ଗ ଭାରତ ସମ୍ପର୍କରେ ସେମାନଙ୍କର ପୂର୍ବ ଆଭିମୁଖ୍ୟରେ ପରିବର୍ତ୍ତନ ଘଟାଇଛନ୍ତି । ଏହା ହେଲା ସବୁଠାରୁ ବଡ ଲାଭ । ଦ୍ୱିତୀୟତଃ, ବିଶ୍ୱ ମୋତେ ଚିହ୍ନି ନଥିଲା । ବିଶ୍ୱ ଜାଣିବାକୁ ଚାହେଁ, ଗୋଟିଏ ରାଷ୍ଟ୍ରର ମୁଖ୍ୟ କିଏ । ଯଦି ଜଣେ ମୋଦୀଙ୍କୁ ଗଣମାଧ୍ୟମ ଦୃଷ୍ଟି କୋଣରୁ ଜାଣିବାକୁ ଚାହେଁ ତେବେ ସେ ବିଭ୍ରାନ୍ତ ହେବ ଯେ, କେଉଁ ମୋଦୀଟି ଅସଲ ମୋଦୀ । ଯଦି ତାହା ଘଟେ ତେବେ ଏହା ଦେଶ ପାଇଁ ହାନୀକାରକ । ମୋଦୀର ବ୍ୟକ୍ତିତ୍ୱ ଭାରତ ଉପରେ ବିଶ୍ୱର ଆସ୍ଥା ସ୍ଥାପନ ଦିଗରେ ପ୍ରତିବନ୍ଧକ ହେବା ଅନୁଚିତ । ସେଥିପାଇଁ ଯଦି ମୁଁ ଏହି ସବୁ ନେତୃବର୍ଗଙ୍କୁ ଭେଟିନଥାନ୍ତି ଏବଂ ସେମାନଙ୍କ ସହ ଜଣଙ୍କ ପରେ ଜଣେ ତାଙ୍କ ସହ ଆଲୋଚନା କରିନଥାନ୍ତି, ମନଖୋଲା ଭାବେ କଥାବାର୍ତ୍ତା କରିନଥାନ୍ତି ତେବେ ସେମାନେ ଭାରତର ଶାସନ ମୁଖ୍ୟଙ୍କୁ ଭଲ ଭାବେ ଚିହ୍ନି ପାରିନଥାନ୍ତେ । ତେଣୁ ମୋ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ଥିଲା ଯେ ଯେହେତୁ ମୁଁ କୌଣସି ରାଜନୈତିକ ପରିବାରର ନୁହେଁ ଏବଂ ପୂର୍ବରୁ ବିଶ୍ୱନେତୃବର୍ଗଙ୍କ ସହ ଆଲୋଚନା କରିବାର ସୁଯୋଗ ପାଇନଥିଲି, ସେମାନଙ୍କୁ ଭେଟି କଥାବାର୍ତ୍ତା କରିବା ଏକାନ୍ତ ଜରୁରୀ ଥିଲା ।

ଅର୍ଣ୍ଣବ: ବୈଦେଶିକ ନୀତି କ୍ଷେତ୍ରରେ ଆପଣ ସମ୍ପୂର୍ଣ୍ଣ ଭାବେ ଜଣେ ଅଜଣା ବ୍ୟକ୍ତି ଥିଲେ ?

ପ୍ରଧାନମନ୍ତ୍ରୀ ମୋଦୀ: ବୈଦେଶିକ ନୀତିଠାରୁ ଅଧିକ ଥିଲା ବୈଦେଶିକ ସମ୍ପର୍କ । ହଁ, ମୁଁ ଏକ୍ଷେତ୍ର ପାଇଁ ସମ୍ପୂର୍ଣ୍ଣ ନୂଆ ଥିଲି । ତେଣୁ ମୋ ପାଇଁ ସକରାତ୍ମକ ମନୋଭାବ ପୋଷଣ କରିବା ବାଧ୍ୟତାମୂଳକ ଥିଲା । ଦ୍ୱିତୀୟତଃ ଆମେ ସମସ୍ତେ ଏକ ଟିମ୍ ଭାବେ କାମ କରୁ । ବୈଦେଶିକ ମନ୍ତ୍ରଣାଳୟ, ପ୍ରଧାନମନ୍ତ୍ରୀଙ୍କ ଅଧିକାରୀ, ବାଣିଜ୍ୟ ମନ୍ତ୍ରଣାଳୟ, ଅର୍ଥ ମନ୍ତ୍ରଣାଳୟ, ପ୍ରତିରକ୍ଷା ମନ୍ତ୍ରଣାଳୟ ସମସ୍ତେ ଗୋଟିଏ ଟିମରେ ସାମିଲ । ଆମ ଭିତରେ କୌଣସି ପାର୍ଥକ୍ୟ ନାହିଁ । ତାର ପ୍ରଭାବ ଏବେ ଦୃଶ୍ୟମାନ ହୋଇଛି ଏବଂ ଏହା କେବଳ ମୋଦୀ ପାଇଁ ନୁହେଁ, ଏହା ସମ୍ଭବ ହୋଇଛି ଟିମ୍ ପାଇଁ । ସମ୍ପୂର୍ଣ୍ଣ ଟିମ୍ ଗୋଟିଏ ନିର୍ଦ୍ଦିଷ୍ଟ ଦିଗରେ କାର୍ଯ୍ୟ କରିଥାଏ । ସେଥିପାଇଁ ପ୍ରଭାବ ଆଖିକୁ ଦିଶୁଛି । ପୂର୍ବରୁ ଏହି ଟିମ୍ ବିଭାଜିତ ହୋଇଥିଲା । ଆମେ ଏଭଳି ଦୃଷ୍ଟାନ୍ତ ଦେଖିଛେ ଯେଉଁଠି ଦଳ ଗୋଟିଏ ବିବୃତି ଦେବ, ପ୍ରଧାନମନ୍ତ୍ରୀ ଆଉ କିଛି କହିବେ, ଦଳୀୟ ନେତାମାନେ ତାଠାରୁ ଭିନ୍ନ ମତ ପୋଷଣ କରିବେ । ଏହି ଅସାମଞ୍ଜସ୍ୟ ସ୍ଥିତିର ଏକ ନକରାତ୍ମକ ପ୍ରଭାବ ରହିଛି । ତୃତୀୟତଃ ଆମକୁ ବୁଝିବା ଦରକାର ଯେ, ପୂର୍ବରୁ ବିଶ୍ୱ ଦ୍ୱି-ଅକ୍ଷ ବିଶିଷ୍ଟ ଥିଲା । ବୈଦେଶିକ ନୀତି ଦୁଇ ମହାଶକ୍ତିର ଚାରିପଟେ କେନ୍ଦ୍ରୀଭୂତ ଥିଲା । ଭାରତ ଅବଶ୍ୟ ଟିକିଏ ପରେ ଉପଲବ୍ଧି କଲା ଯେ, ଏହି ଦ୍ୱି-ଅକ୍ଷ ସ୍ଥିତି କେବଳ ନାମକୁ ମାତ୍ର । ଏବେ ସମଗ୍ର ବିଶ୍ୱ ପରିବର୍ତ୍ତିତ ପରିସ୍ଥିତିରେ ବିଶେଷ କରି ଏକବିଂଶ ଶତାବ୍ଦୀରେ ପରସ୍ପର ଉପରେ ନିର୍ଭରଶୀଳ ଏବଂ ପରସ୍ପର ସହ ସଂଯୁକ୍ତ ହୋଇଛି । ପୂର୍ବରୁ ସରକାର-ସରକାର ମଧ୍ୟରେ ବୈଦେଶିକ ନୀତି ଓ ସମ୍ପର୍କ ରକ୍ଷା ସମ୍ଭବପର ହେଉଥିଲା । ଏବେ କିନ୍ତୁ ଏହା କେବଳ ସରକାରଙ୍କ ମଧ୍ୟରେ ସମ୍ଭବପର ନୁହେଁ । ସରକାର-ସରକାର ମଧ୍ୟରେ ସମ୍ପର୍କ ରକ୍ଷା ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଲୋକ ଲୋକ ମଧ୍ୟରେ ସଂପର୍କ ବୃଦ୍ଧି ଅଧିକ ଗୁରୁତ୍ୱପୂର୍ଣ୍ଣ । ତେଣୁ ଏ ପ୍ରକାର ଆଭିମୁଖ୍ୟରେ ପରିବର୍ତ୍ତନ ଘଟିଛି । କାରଣ ମୋ ପାଖରେ ପୂର୍ବରୁ କୌଣସି ବସ୍ତାନୀ ନଥିଲା, କାରଣ ମୋ ପାଖରେ ସଫା ସିଲଟ ନଥିଲା । ତେଣୁ ମୁଁ ମୂଳରୁ ସବୁ କଥା ଲେଖୁଛି- ତାର ମଧ୍ୟ ଏକ ଉପକାରିତା ରହିଛି । ଏବେ ଆମେ ବିଶ୍ୱବ୍ୟାପୀ ସବୁ ରାଷ୍ଟ୍ରଙ୍କ ସହ ସମ୍ପର୍କ ସ୍ଥାପନ କରୁଛୁ । ସାଉଦି ଆରବ ସରକାରଙ୍କ ସହ ଆଜି ଆମେ ଯେଉଁ ସମ୍ମାନ ସହ କଥାବାର୍ତ୍ତା କରୁଛେ ସେହି ସମ୍ମାନର ସହ ଇରାନ ସରକାରଙ୍କ ସହ କଥାବାର୍ତ୍ତା କରାଯାଉଛି । ମୁଁ ଆମେରିକା ସହ କଥାବାର୍ତ୍ତା କଲାବେଳେ ଯେଉଁ ସମ୍ମାନ ଦେଖାଉଛି ଋଷିଆ ସହ କଥା ହେବା ବେଳେ ସେହି ସମ୍ମାନ ପ୍ରଦର୍ଶନ କରୁଛି । ତେଣୁ ଆମକୁ ଏକଥା ଭଲ ଭାବେ ବୁଝିବା ବି ଦରକାର । ଆମକୁ ଏହା ବି ସ୍ମରଣ ରଖିବାକୁ ପଡିବ ଯେ, କ୍ଷୁଦ୍ର ରାଷ୍ଟ୍ରମାନଙ୍କୁ ଗୌଣ ବୋଲି ଆମେ ହେତୁ କରିବା ଅନୁଚିତ । ମୁଁ ଏହି ଚିନ୍ତାଧାରାରେ ବିଶ୍ୱାସୀ । ବିଶ୍ୱର କ୍ଷୁଦ୍ର ରାଷ୍ଟ୍ରମାନେ ଯେତିକି ଗୁରୁତ୍ୱପୂର୍ଣ୍ଣ ବୃହତ୍ ଶକ୍ତିମାନେ ସେତିକି ଗୁରୁତ୍ୱପୂର୍ଣ୍ଣ । ଆମେ ଏକଥା ସ୍ଥିର କରିଛୁ ଯେ, ବୃହତ୍ ରାଷ୍ଟ୍ରମାନଙ୍କ ସହ ସମ୍ପର୍କ ରଖିବାର ପୃଷ୍ଠଭୂମିରେ ଛୋଟ ଛୋଟ ରାଷ୍ଟ୍ରଙ୍କ ସହ ଆମକୁ ସମ୍ପର୍କ ବୃଦ୍ଧି ଘଟାଇବାକୁ ପଡିବ । ଏହି ଚିନ୍ତାଧାରାରେ ମୁଁ ଏକ ପରିବର୍ତ୍ତନ ଆଣିଛି । ଆପଣମାନେ ନିଶ୍ଚୟ ଲକ୍ଷ୍ୟ କରିଥିବେ ଯେ, ପ୍ରଶାନ୍ତ ମହାସାଗରୀୟ ଦ୍ୱୀପ ରାଷ୍ଟ୍ରମାନଙ୍କ ପାଇଁ ମୁଁ ଏକ ଫୋରମ ଗଠନ କରିଛି । ଆମେ 2 ଟି ବୈଠକରେ ମିଳିତ ହୋଇସାରିଛୁ । ମୁଁ ଥରେ ସେହି ସବୁ ରାଷ୍ଟ୍ର ଗସ୍ତ କରିଛି ଏବଂ ସେମାନେ ଥରେ ଭାରତ ଗସ୍ତରେ ଆସିଛନ୍ତି । ଛୋଟ ଛୋଟ ରାଷ୍ଟ୍ରମାନେ ଅଛନ୍ତି ଯେଉଁମାନଙ୍କ ଲୋକ ସଂଖ୍ୟା 10 ଲକ୍ଷରୁ 20 ଲକ୍ଷ ମଧ୍ୟରେ । କିନ୍ତୁ ସେହି କ୍ଷୁଦ୍ର ଦ୍ୱୀପ ରାଷ୍ଟ୍ରମାନେ ବିଶ୍ୱ ଉତ୍ତାପନ ଦ୍ୱାରା ସବୁଠାରୁ ଅଧିକ ଆକ୍ରାନ୍ତ । ଯେତେବେଳେ ଭାରତ ଆନ୍ତର୍ଜାତୀୟ ସୌର ମିଶନ ଗଠନ ପ୍ରୟାସ କଲା ସେଥିରେ 122 ଟି ରାଷ୍ଟ୍ର ତୁରନ୍ତ ସାମିଲ ହେଲେ । ଏଥିରୁ ଦ୍ୱୀପ ରାଷ୍ଟ୍ରମାନେ ସବୁଠୁ ଅଧିକ ଉପକୃତ ହୋଇପାରିବେ । ସେମାନଙ୍କ ସଂଖ୍ୟା ଏବେ 50 । ଭାରତର ଏହି ଅଭିନବ ଚିନ୍ତନ ଦ୍ୱାରା 50 ଟି ରାଷ୍ଟ୍ରଙ୍କ ଏକ ଗୋଷ୍ଠୀ ନିଜକୁ ନିରାପଦ ମଣୁଛନ୍ତି । ଆମେ ଯଦି ଏହି ପରିବର୍ତ୍ତନକୁ ବୁଝିବାକୁ ଚେଷ୍ଟା କରିବା ତେବେ ବୁଝିପାରିବା ଯେ, ବିଶ୍ୱରେ କିଛି ଦିନ ତଳେ ମୁଁ ଆମ ବିଦେଶ ସେବାରେ କାର୍ଯ୍ୟରତ ଅଧିକାରୀମାନଙ୍କ ସହ ବସି ଆଲୋଚନା କରୁଥିଲି । ଯେମିତି ଆଜି ଆମେ ଏଠାରେ କଥାବାର୍ତ୍ତା କରୁଛେ । ଏକ କାବ୍ୟିକ ଢ଼ଙ୍ଗରେ ମୁଁ ସେମାନଙ୍କୁ କହିଲି ଯେ, ଦିନ ଥିଲା ଯେତେବେଳେ ଆମେ ସମୁଦ୍ର କୂଳରେ ବସି ଲହଡି ଗଣୁଥିଲୁ । କିନ୍ତୁ ଏବେ ସମୟ ବଦଳି ଯାଇଛି । ଲହଡି ଗଣା ସରିଛି । ତେଣୁ ଆମକୁ ନିଜକୁ ନିଜେ ଆଗକୁ ଆଗେଇନେବାକୁ ପଡିବ । ସମୁଦ୍ରର ଢ଼େଉକୁ ଅତିକ୍ରମ କରି ଆମର ଦିଗ, ଲକ୍ଷ୍ୟ ଏବଂ ବେଗ ନିର୍ଦ୍ଧାରଣ କରିବାକୁ ପଡିବ ।

ଅର୍ଣ୍ଣବ: ଏହା ସ୍ୱଭାବିକ । ଆପଣ ବେଶ୍ ଆକ୍ରମଣାତ୍ମକ ବୈଦେଶିକ ନୀତି ଆପଣେଇଛନ୍ତି । କିନ୍ତୁ ମୋର ଦ୍ୱିତୀୟ ପ୍ରଶ୍ନ ହେଲା ଆପଣ ଏନ୍ଏସଜି ସଦସ୍ୟତା ପାଇଁ ଏତେ ଉଦ୍ୟମ କଲେ । ମୋର ପ୍ରଶ୍ନ ହେଉଛି ଏନ୍ଏସଜି ସଦସ୍ୟତା ପାଇବାରେ କେତେ ନିକଟତର ହୋଇଛେ ଏବଂ ଚୀନର ବିରୋଧାଭାଷ ଯୋଗୁଁ ଶେଷ ମୁହୂର୍ତ୍ତରେ ଆମକୁ ହତାଶ ହେବାକୁ ପଡିଲା କି?

ପ୍ରଧାନମନ୍ତ୍ରୀ ମୋଦୀ: ଦେଖ୍ ପ୍ରଥମ କଥା ହେଲା ଯେ, ଯେଉଁ ସରକାର କ୍ଷମତାରେ ଥାଉ ନା କାହିଁକି ଭାରତ ନିରବଚ୍ଛିନ୍ନ ଭାବେ ତାର ଉଦ୍ୟମ ଏ ଦିଗରେ ଜାରି ରଖିଛି । ତାହା ମିଳିତ ଜାତିସଂଘ ନିରାପତ୍ତା ପରିଷଦରେ ସଦସ୍ୟତା ପାଇଁ ହେଉ ଅଥବା ଏସସିଓ ସଦସ୍ୟତା କିମ୍ବା ଏମଟିସିଆର ସଦସ୍ୟତା ବା ଏନ୍ଏସଜି ସଦସ୍ୟତା । ପ୍ରତ୍ୟେକ ସରକାର ତାଙ୍କ ଉଦ୍ୟମ କରିଛନ୍ତି । ଏକଥା ନୁହେଁ ଯେ, କେବଳ ଏହି ସରକାର ଉଦ୍ୟମ କଲେ । ଏହା ଏକ କ୍ରମିକ ପକ୍ରିୟା ଓ ତାହା ଜାରି ରହିଛି । ଆମ ଶାସନ ଅବଧିରେ ଆମେ ଏସସିଓ ସଦସ୍ୟତା ହାସଲ କରୁଛୁ । ଏମଟିସିଆର ସଦସ୍ୟତା ମଧ୍ୟ ଆମେ ପାଇଛୁ । ମୋର ପୂର୍ଣ୍ଣ ଆସ୍ଥା ରହିଛି ଯେ, ଏବେ ଆମେ ସମନ୍ୱିତ ଭାବେ ଏନ୍ଏସଜି ସଦସ୍ୟତା ପାଇଁ ଉଦ୍ୟମ କରୁଛୁ । ଏ ପ୍ରକ୍ରିୟା ସକରାତ୍ମକ ଭାବେ ଆରମ୍ଭ ହୋଇଛି । ପ୍ରତ୍ୟେକ ବ୍ୟବସ୍ଥାର ନିୟମ ରହିଛି, ତେଣୁ ତାହା ନିର୍ଦ୍ଧାରିତ ଉପାୟରେ ଆଗକୁ ଆଗେଇବ ।

ଅର୍ଣ୍ଣବ: ଚୀନର ମନୋଭାବ ଏ ଦିଗରେ ସମସ୍ୟା ସୃଷ୍ଟି କରୁଛି କି? ନରେନ୍ଦ୍ର ମୋଦୀ ସରକାର ଏବଂ ଚୀନ ସରକାରଙ୍କ ମଧ୍ୟରେ ବିଭିନ୍ନ ସ୍ତରରେ 13 ଟି ପର୍ଯ୍ୟାୟରେ କଥାବାର୍ତ୍ତା ଚାଲିଛି । ସଦ୍ୟ ସମାପ୍ତ ତାସ୍କେଣ୍ଟ ଗସ୍ତ ବେଳେ ଆପଣ ଆଲୋଚନା କରିଥିଲେ । ଚୀନ ରାଷ୍ଟ୍ରପତି ଜି ଜୀନପିଙ୍ଗଙ୍କ ସହ ଆପଣ କିଛି ସମୟ କଥାବାର୍ତ୍ତା କରିଛନ୍ତି । ତଥାପି ଦେଖାଯାଇଛି ଯେ, ମାସୁଦ୍ ଆଝାର ମାମଲାରେ ଜାତିସଂଘ ଦ୍ୱାରା ତାକୁ ବାସନ୍ଦ କରିବା ଲାଗି ଭାରତର ପ୍ରସ୍ତାବକୁ ଚୀନ ଅଟକେଇଲା । ଏବେ ସେମାନେ ଭାରତର ଏନ୍ଏସଜି ସଦସ୍ୟତାକୁ ମଧ୍ୟ ରୋକି ଦେଲେ । ପ୍ରଧାନମନ୍ତ୍ରୀ ମହୋଦୟ ଚୀନ କାହିଁକି ଓ ସଦାବେଳେ ଆପଣଙ୍କର ଏବଂ ଆପଣଙ୍କର ସରକାରଙ୍କ ସକାରାତ୍ମକ ଆଭିମୁଖ୍ୟ ଓ କଥାବାର୍ତ୍ତା ସତ୍ତ୍ୱେ ଆମର ଉଦ୍ୟମ କ୍ଷେତ୍ରରେ ଅନ୍ତରାୟ ସୃଷ୍ଟି କରୁଛି ।

ପ୍ରଧାନମନ୍ତ୍ରୀ ମୋଦୀ: ପ୍ରଥମ କଥା ହେଲା, ଆମର ଚୀନ ସହ ଚାଲିଥିବା କଥାବାର୍ତ୍ତା ଜାରି ରହିଛି ଏବଂ ଭବିଷ୍ୟତରେ ରହିବ । ବୈଦେଶିକ ନୀତି କ୍ଷେତ୍ରରେ ଆଲୋଚନା ପାଇଁ ଏକା ପ୍ରକାର ମତ ପୋଷଣ କରିବା ଏବେ ଆବଶ୍ୟକ ନୁହେଁ । ଏପରିକି ଯେତେବେଳେ ପରସ୍ପର ବିରୋଧୀ ମତ ପ୍ରକାଶ ପାଏ, ସେ କ୍ଷେତ୍ରରେ କଥାବାର୍ତ୍ତା ହିଁ ଆଗକୁ ଆଗେଇନେବାର ଏକମାତ୍ର ଉପାୟ । କେବଳ କଥାବାର୍ତ୍ତା ଦ୍ୱାରା ହିଁ ସମସ୍ୟାର ସମାଧାନ ବାଟ ଫିଟା ଯାଇପାରିବ । ଆମର ଚୀନ ସହ ଗୋଟିଏ ସମସ୍ୟା ନୁହେଁ, ଅନେକ ସମସ୍ୟା ସମାଧାନ ପାଇଁ ବାକି ରହିଛି । ଧୀର ଓ ସ୍ଥିର ଭାବେ ଏହି ସବୁ ପ୍ରସଙ୍ଗକୁ ଆଲୋଚନା ମାଧ୍ୟମରେ ସମାଧାନ କରିବାର ଉଦ୍ୟମ କରାଯାଉଛି । ଯଦ୍ୱାରା ସେ ସବୁ ଅଧିକ ଜଟିଳ ପାଲଟିବ ନାହିଁ । ମୁଁ କହିବି ଯେ, ସମସ୍ୟାର ସମାଧାନ ଖୋଜି ବାହାର କରିବାକୁ ଭାରତକୁ ଚୀନ ସବୁମତେ ସହଯୋଗ କରିଛି । କେତେକ ପ୍ରସଙ୍ଗରେ ସେମାନଙ୍କ ପାଇଁ ଏହା ହେଲା ନୀତିଗତ ପ୍ରଶ୍ନ । ଆଉ କେତେକ ପ୍ରସଙ୍ଗରେ ତାହା ହେଉଛି ଆମ ପାଇଁ ନୀତିଗତ ପ୍ରଶ୍ନ । ଅନ୍ୟ କେତେକ ପ୍ରସଙ୍ଗରେ କେଉଁଠି ସେମାନେ ଆମକୁ ବିରୋଧ କରୁଛନ୍ତି ତ ଆଉ କେଉଁଠି ଆମେ ତାଙ୍କ ସହ ଏକମତ ହୋଇପାରୁନାହୁଁ । ସେପରି କ୍ଷେତ୍ରରେ କେତେକ ମୌଳିକ ପାର୍ଥକ ରହିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାଟି ହେଲା – ଆମେ ଚୀନ ସହ ଆଖିକୁ-ଆଖି ମିଶେଇ କଥାବାର୍ତ୍ତା କରିପାରୁଛୁ ଏବଂ ଭାରତର ସ୍ୱାର୍ଥ ଜଡିତ ପ୍ରସଙ୍ଗକୁ ସ୍ପଷ୍ଟ ଭାବେ ଉପସ୍ଥାପନ କରିପାରୁଛୁ । ଆମେ ଏପରି ଏକ ସରକାର ଯେ, ଭାରତର ସ୍ୱାର୍ଥକୁ ଜଗିବା ଲାଗି ସଦାସର୍ବଦା ପ୍ରସ୍ତୁତ ରହିଛୁ । ଏ ଦିଗରେ ଆମେ କୌଣସି ସାଲିସ କରିପାରିବୁ ନାହିଁ । ତିନ ଦିନ ତଳେ ମୁଁ ଚୀନ ରାଷ୍ଟ୍ରପତିଙ୍କୁ ଭେଟିଥିଲି । ତାଙ୍କୁ ମୁଁ ଭାରତର ସ୍ୱାର୍ଥ କଥା ସ୍ପଷ୍ଟ ଭାବେ ଅବଗତ କରାଇଛି । ସେମାନେ ଏକ ଭିନ୍ନ ରାଷ୍ଟ୍ର, ଆମେ ଏକ ଭିନ୍ନ ରାଷ୍ଟ୍ର ।

ଅର୍ଣ୍ଣବ: ଆପଣ କଣ ଭାବୁଛନ୍ତି ଯେ, ଏନଏସଜି ସଦସ୍ୟତା ହାସଲ ପାଇଁ ଆପଣ ସେମାନଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ଆଣିବାକୁ ସକ୍ଷମ ହେବ?

ପ୍ରଧାନମନ୍ତ୍ରୀ ମୋଦୀ: ଦେଖନ୍ତୁ, ବୈଦେଶିକ ନୀତି ମାନସିକତାରେ ପରିବର୍ତ୍ତନ କଥା ସୂଚାଉନାହିଁ । ବୈଦେଶିକ ନୀତି ହେଲା ସମାନ ଭାବେ ସହମତ ହେବାର ଏକ ବିନ୍ଦୁରେ ପହଂଚିବା । ଉଭୟ ପକ୍ଷଙ୍କ ସ୍ୱାର୍ଥ କେଉଁଠାରେ ଏବଂ କେତେ ମିଶି ପାରୁଛି । ଆମକୁ ସବୁ ରାଷ୍ଟ୍ରଙ୍କ ସହ ବସି ଆଲୋଚନା କରିବାକୁ ପଡିବ । ଆମର ଏହି ଉଦ୍ୟମ ଜାରି ରହିଛି ।

ଅର୍ଣ୍ଣବ: ଆପଣ ଏହି ଯେଉଁ କଥା ଏବେ କହିଲେ ତାହା ଆମେରିକା କ୍ଷେତ୍ରରେ ମଧ୍ୟ ବେଶ୍ ପ୍ରଯୁଜ୍ୟ । ଆପଣ ସେଠାରେ ଆମେରିକା କଂଗ୍ରେସରେ ଏକ ଭାଷଣ ପ୍ରଦାନ କରିଛନ୍ତି । ସେ ଯାହା ହେଉ ପ୍ରଧାନମନ୍ତ୍ରୀ ମହୋଦୟ ମୁଁ କହିବାକୁ ଚାହେଁ ଯେ, ଆପଣ ଏକ ଚମତ୍କାର ଭାଷଣ ପ୍ରଦାନ କଲେ ।

ପ୍ରଧାନମନ୍ତ୍ରୀ ମୋଦୀ: ଆପଣଙ୍କୁ ଧନ୍ୟବାଦ ।

ଅର୍ଣ୍ଣବ: ଅନେକ ହସ କୌତୁକ ହୋଇଥିଲା । ଆପଣ ସେଠାରେ ଏକ ପ୍ରଭାବୀ ଭାଷଣ ଦେଲାବେଳେ ସୁଦ୍ଧା ବେଳେ ବେଳେ ହସୁଥିଲେ ଓ ବେଳେ ବେଳେ କୌତୁକିଆ କଥା ସବୁ କହୁଥିଲେ । ସେମାନେ ସମସ୍ତେ ଆପଣଙ୍କ ଭାଷଣକୁ ଭୁରି ଭୁରି ପ୍ରଶଂସା କଲେ । ଆପଣଙ୍କ ଭାଷଣ କଣ ନିଜ ମନରୁ ଥିଲା ।

ପ୍ରଧାନମନ୍ତ୍ରୀ ମୋଦୀ: ମୋର ଏକ ହସ କୌତୁକ ଭରା ବ୍ୟକ୍ତିତ୍ୱ ରହିଛି । କିନ୍ତୁ ଆଜି କାଲି ହସ ଖୁସି ଓ ଥଟ୍ଟାମଜା ବି ବିପଦ ପାଲଟିଗଲାଣି ।

ଅର୍ଣ୍ଣବ: ଆପଣ ସେପରି କାହିଁକି କହୁଛନ୍ତି?

ପ୍ରଧାନମନ୍ତ୍ରୀ ମୋଦୀ: ଆଜିର ଯୁଗ ହେଲା 24X7 ନ୍ୟୁଜ ଚ୍ୟାନେଲର ଯୁଗ । ଆପଣଙ୍କ ଭାଷଣରୁ ଯେ କେହି ଗୋଟିଏ ଛୋଟ ଶଦ୍ଦକୁ ନେଇ ତାକୁ ଏକ ବିରାଟ ପ୍ରସଙ୍ଗ ଭାବେ ଠିଆ କରାଇ ଦେଇପାରିବ । କିନ୍ତୁ ମୁଁ ଆପଣଙ୍କୁ ସତ କଥା କହୁଛି ଯେ, ଜନଜୀବନରେ ଥଟ୍ଟାମଜାର ଅଭାବ ହିଁ ଏଭଳି ଭୟ ସୃଷ୍ଟିର ମୂଳ କାରଣ । ମୁଁ ତ ନିଜେ ଭୟଭୀତ । ପୂର୍ବରୁ ମୁଁ ଯେତେବେଳେ କୌଣସି ଭାଷଣ ଦେଉଥିଲି, ସେତେବେଳେ ଖୁବ୍ ଥଟ୍ଟାମଜା ରହୁଥିଲା । କିନ୍ତୁ ତାକୁ ନେଇ କେବେ ବି କୌଣସି ବିବାଦ ଉପୁଜିନାହିଁ ।

ଅର୍ଣ୍ଣବ: ଆଜିକାଲି କଣ ଆପଣ ଏ ଦିଗରେ ଅଧିକ ସଚେତନ ହୋଇପଡିଛନ୍ତି?

ପ୍ରଧାନମନ୍ତ୍ରୀ ମୋଦୀ: ମୁଁ ସଚେତନ ହୋଇନାହିଁ । ମୋ ମନରେ ଭୟ ସୃଷ୍ଟି ହୋଇଛି । ଜନ ଜୀବନରେ ଥଟ୍ଟାମଜା ବୋଲି ଆଉ କିଛି ନାହିଁ ଏବଂ ଏହାର କାରଣ ହେଲା ଭୟ । ସମସ୍ତେ ଭୟଭୀତ । ମୁଁ ବି ଭୟଭୀତ । ମୋ ଭାଷଣରେ ପୂର୍ବରୁ ଥଟ୍ଟାମଜା ରହୁଥିଲା । ମୁଁ ଏକଥା ସଂସଦରେ ବି ଦେଖିଛି ଯେ ସେଠାରେ ବି ଥଟ୍ଟାମଜା ଶେଷ ହୋଇଯାଇଛି । ଏହା ଉଦବେଗର କଥା । ମୁଁ ଗୋଟିଏ ଢ଼ଗ ଉଧାର କରିବି ।

ଅର୍ଣ୍ଣବ: ହଁ, କରନ୍ତୁ ।

ପ୍ରଧାନମନ୍ତ୍ରୀ ମୋଦୀ: ଯଦିଚ ଆପଣ ଢ଼ଗ କଥା ଉଲ୍ଲେଖ କରନ୍ତି, ସେମାନେ ଏହାକୁ କାହାକୁ ନା କାହା ସହ ଯୋଡି ଦେବେ ଏବଂ ଆଲୋଚନା ଆରମ୍ଭ ହୋଇଯିବ । ଯେଉଁ ବ୍ୟକ୍ତି ଢ଼ଗଟି କହୁଥିବ ତାକୁ ଜଣାନାହିଁ ସେ କଣ କହୁଛି ।

ଅର୍ଣ୍ଣବ: ପ୍ରଧାନମନ୍ତ୍ରୀ ମହୋଦୟ, ଆପଣ କଦାପି ଆପଣଙ୍କ ହସ ପରିହାସ ସ୍ୱଭାବ ଛାଡିବା ଉଚିତ ନୁହେଁ ।

ପ୍ରଧାନମନ୍ତ୍ରୀ ମୋଦୀ: କିନ୍ତୁ ଏକଥା ସତ ଯେ, ମୋର ଆମେରିକା ଯାତ୍ରା ବେଳେ ସେଠାକାର କଂଗ୍ରେସରେ ଉଦବୋଧନ ଦେଲାବେଳେ ସେମାନେ ଭାରତ ପ୍ରତି ଯେଉଁ ସମ୍ମାନ ପ୍ରଦର୍ଶନ କଲେ ତାହା ଖୁବ୍ ଚର୍ଚ୍ଚା ହୋଇଛି । ଯଦି ତାହା ଏତେ ଚର୍ଚ୍ଚା ହୋଇନଥାନ୍ତା ତେବେ ଏନ୍ଏସଜି ପ୍ରସଙ୍ଗରେ ଏତେ ସମାଲୋଚନା ହୋଇନଥାନ୍ତା । ଏନ୍ଏସଜି ପ୍ରସଙ୍ଗକୁ ସଠିକ୍ ଭାବେ କାର୍ଯ୍ୟକାରୀ ନକରିବା ନେଇ ସରକାରଙ୍କୁ ଯେତିକି ସମାଲୋଚନାର ଶୀକାର ହେବାକୁ ପଡିନାହିଁ, ଆମେରିକାରେ ଆମର ସଫଳତା ଲାଗି ଆମକୁ ଅଧିକ ସମାଲୋଚନା ଶୁଣିବାକୁ ପଡିଛି ।

ଅର୍ଣ୍ଣବ: ଆମେରିକା ସହ ଆପଣଙ୍କ କ୍ରମବର୍ଦ୍ଧିଷ୍ଣୁ ବନ୍ଧୁତା ପ୍ରତି ଚୀନ ଅଧିକ ସଚେତନ ହୋଇପଡିଛି ବୋଲି ଆପଣ ଭାବନ୍ତ କି?

ପ୍ରଧାନମନ୍ତ୍ରୀ ମୋଦୀ: ସେଠାରେ ଯାହା ଘଟୁଛି ମୁଁ ସେହି କଥା ହିଁ କହୁଛି ।

ଅର୍ଣ୍ଣବ: କିନ୍ତୁ ଆପଣ ଯେତେବେଳେ ଆମେରିକା ପ୍ରସଙ୍ଗରେ ଭାଷଣ ପ୍ରଦାନ କଲେ, ଆପଣ ଗୋଟିଏ ଚମତ୍କାର ଶଦ୍ଦ ବ୍ୟବହାର କରିଥିଲେ । ଆପଣ କହିଥିଲେ “ଆମକୁ ଇତିହାସର ଦ୍ୱିଧାକୁ ଅତିକ୍ରମ କରିବାକୁ ପଡିବ” । ମୋ ହିନ୍ଦୀ ସେତେଟା ଭଲ ନୁହେଁ । ଯେମିତି ଇତିହାସର ଦ୍ୱିଧା । କିନ୍ତୁ ପ୍ରଧାନମନ୍ତ୍ରୀ ମହୋଦୟ ଆପଣଙ୍କୁ ମୋର ପ୍ରଶ୍ନ ହେଲା ଆମେ ଆମେରିକା ସହ କେତେ ଘନିଷ୍ଠ ହୋଇପାରିବା ? କାରଣ ଅନେକ ଭାରତୀୟ ବିଶ୍ୱାସ କରନ୍ତି ଯେ ଆମେରିକା ତଥାପି ପାକିସ୍ତାନକୁ ସମର୍ଥନ କରୁଛି । ସେମାନଙ୍କୁ ସାମରିକ ସହାୟତା ପ୍ରଦାନ କରୁଛି । ତେବେ ଆମେ ଆମେରିକାର କେତେ ଘନିଷ୍ଠ ହୋଇପାରିବା । ଆମେରିକାର ଏକ ସହଯୋଗୀ ଭାବେ ପରିଚିତ ହେବା ପୂର୍ବରୁ ଆମକୁ କେଉଁ ବିନ୍ଦୁରେ ଅଟକିବାକୁ ପଡିବ । ଏ ପ୍ରସଙ୍ଗରେ ଆପଣଙ୍କର ବିଶ୍ୱ ଦୃଷ୍ଟିକୋଣଟି କଣ?

ପ୍ରଧାନମନ୍ତ୍ରୀ ମୋଦୀ: ମୁଁ ମୋ ଦେଶର ଗଣମାଧ୍ୟମକୁ ବିଶେଷ ଭାବେ ନିବେଦନ କରିବି ଯେ ଆମେ ଭାରତରେ ପ୍ରତ୍ୟେକ କଥାକୁ ପାକିସ୍ତାନ ଦୃଷ୍ଟିକୋଣରୁ ଦେଖିବା ବନ୍ଦ କରିବା ଦରକାର । ଭାରତ ଏକ ସ୍ୱାଧୀନ ରାଷ୍ଟ୍ର । ଏହା 125 କୋଟି ଜନସଂଖ୍ୟା ବିଶିଷ୍ଟ ଏକ ରାଷ୍ଟ୍ର । ଯେତେବେଳେ ବି ଭାରତ କୌଣସି ଦେଶକୁ କିଛି ପ୍ରସଙ୍ଗରେ କଥାବାର୍ତ୍ତା କରୁଛି, ଏହା ନିଜ ସ୍ୱାର୍ଥଦୃଷ୍ଟିରୁ କଥାବାର୍ତ୍ତା କରିବା ସ୍ୱାଭାବିକ । ଏହା ଆମର ସବୁଠୁ ବଡ ଦୁର୍ବଳତା ଓ ଦୋଷ ଯେ ଆମେ ଅନ୍ୟ ଏକ ରାଷ୍ଟ୍ର ସହ ନିଜକୁ ଯୋଡି ଦେଇ କିଛି କାର୍ଯ୍ୟ କରିବାକୁ ବସୁଛୁ । ଆମେ ଏକ ସ୍ୱାଧୀନ ରାଷ୍ଟ୍ର । ଆମର ନିଜର ନୀତି ଓ ଭବିଷ୍ୟତ ଅଛି । ପ୍ରଥମେ ଆମ 125 କୋଟି ଜନତାଙ୍କ କଥା ଭାବିବା ଦରକାର । ଆମ ସ୍ୱାର୍ଥ ପ୍ରସଙ୍ଗରେ ଆମେ ଆଦୌ ସାଲିସ ନକରିବା ଉଚିତ । ଏହି ମୌଳିକ ପ୍ରସଙ୍ଗ ଆଧାରରେ ହିଁ ଆମେ ଆମେରିକା ସହ ସମ୍ପର୍କ ବୃଦ୍ଧି ଘଟାଇଛୁ ।

ଅର୍ଣ୍ଣବ: ଆମେ ସେମାନଙ୍କର କେତେ ନିକଟତର ହୋଇପାରିବା ?

ପ୍ରଧାନମନ୍ତ୍ରୀ ମୋଦୀ: ଆମ ସମ୍ପର୍କରେ ଉଷ୍ମତା ରହିଛି । ମୋର ଆମେରିକା ଗସ୍ତ ପରେ ଆପଣମାନେ ନିଶ୍ଚୟ ସେ ଦେଶର ଖବର କାଗଜ ଗୁଡିକରେ ସମ୍ପାଦକୀୟ ପୃଷ୍ଠା ଉପରେ ନଜର ପକାଇଥିବେ । ସେ ସବୁ ସମ୍ପାଦକୀୟମାନଙ୍କରେ ଗୋଟିଏ କଥା ସୂଚୀତ ହୋଇଥିଲା ଯେ ଭାରତ ସହ ଘନିଷ୍ଠ ସମ୍ପର୍କ ବୃଦ୍ଧି ଓବାମାଙ୍କ ବୈଦେଶିକ ନୀତିର ସବୁଠୁ ବଡ ସଫଳତା । ଏକଥା ସେମାନେ ଲେଖିଥିଲେ ।

ଅର୍ଣ୍ଣବ: ମୋଦୀଜୀ, ଆପଣ କହିବାକୁ ଚାହୁଛନ୍ତି ଯେ ଆମେ ଆମେରିକା ସହ ଘନିଷ୍ଠ ହେବା କିନ୍ତୁ ସେ ଦେଶର ସହଯୋଗୀ ହେବାନାହିଁ ଅଥବା ସହଯୋଗୀ ବୋଲି ବିବେଚିତ ହେବାନାହିଁ?

ପ୍ରଧାନମନ୍ତ୍ରୀ ମୋଦୀ: ପ୍ରଥମ କଥା ହେଲା ଆମେ ଏବେ ଆଉ ଦ୍ୱି-ଧ୍ରୁବୀୟ ଦୁନିଆରେ ଚଳୁନାହେଁ । ବିଶ୍ୱ ପରସ୍ପର ସହ ଯୋଡି ହୋଇଯାଇଛି ଓ ପରସ୍ପର ଉପରେ ନିର୍ଭରଶୀଳ । ଏକା ସମୟରେ ଆପଣଙ୍କୁ ସମସ୍ତଙ୍କ ସହ ଯୋଡି ହୋଇ ରହିବାକୁ ପଡିବ । ଯଦି ବା କେଉଁଠି ଦୁଇଟି ପରସ୍ପର ବିରୋଧୀ ରାଷ୍ଟ୍ର ଅଛନ୍ତି, ସେମାନଙ୍କୁ ବନ୍ଧୁତା ଆଚରଣ କରିବାକୁ ହେବ । ଏବେ ସମୟ ବଦଳି ସାରିଛି ।

ଅର୍ଣ୍ଣବ: ଶ୍ରୀଯୁକ୍ତ ମୋଦୀ, 2014 ମେ 8 ତାରିଖ ଦିନ, ଆପଣଙ୍କ ସାକ୍ଷାତକାର ନେବାର ସୁଯୋଗ ମୋତେ ଜୁଟିଥିଲା । ସେ ସାକ୍ଷାତକାର ଅହମ୍ମଦାବାଦଠାରେ ହୋଇଥିଲା । ମୋର ମନେ ପଡୁଛି, ନିର୍ବାଚନର ଶେଷ ପର୍ଯ୍ୟାୟ ହେବାକୁ ବାକିଥିଲା । ଆମେ ପାକିସ୍ତାନ ପ୍ରସଙ୍ଗରେ କଥାବାର୍ତ୍ତା ହେଉଥିଲେ । ସେତେବେଳେ ଆପଣଙ୍କ ମନରେ ପାକିସ୍ତାନ ପ୍ରତି ଏକ ସାଲିସବିହୀନ ମନୋଭାବ ଥିଲା । ଦୁଇ ଦିନ ପୂର୍ବରୁ ଲସ୍କର-ଏ-ତୋଇବା ଆକଙ୍କବାଦୀମାନେ 8 ଜଣ ସିଆରପିଏଫ୍ ଯବାନଙ୍କୁ ହତ୍ୟା କରିଛନ୍ତି । ମେ 8 ସାକ୍ଷାତକାରରେ ଆପଣ ଏକ ଚମତ୍କାର କଥା କହିଥିଲେ । ଆପଣ କହିଥିଲେ “ବୋମା, ବନ୍ଧୁକ ଓ ପିସ୍ତଲ ଶଦ୍ଦରେ କଥାବାର୍ତ୍ତାର ସ୍ୱର ଶୁଭିବ କି ?” ଆପଣ ଏଇ ଶଦ୍ଦରେ ପ୍ରତିକ୍ରିୟା ପ୍ରକଟ କରିଥିଲେ । ଆପଣ କଣ ଭାବୁଛନ୍ତି ଯେ, ଆମେ ପାକିସ୍ତାନ ପ୍ରତି ଅଧିକ ଉଦାରଚେତା ହୋଇଯାଇଛେ ?

ପ୍ରଧାନମନ୍ତ୍ରୀ ମୋଦୀ: ଏଥିରେ ଦୁଇଟି କଥା ଅଛି । ପ୍ରଥମ – ଭାରତ ସଦାବେଳେ ତାର ପ୍ରତିବେଶୀ ରାଷ୍ଟ୍ରଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରକ୍ଷା ଚାହିଁ ଆସିଛି । ଏ ସଂପର୍କରେ କୌଣସି ଦ୍ୱିମତ ନାହିଁ । ଆମେ ଶାନ୍ତି ଓ ସୌହାର୍ଦ୍ଦ୍ୟ ମଧ୍ୟରେ ବଂଚିବାକୁ ଚାହୁଁ ଏବଂ ମୁଁ ଏକଥା ବାରମ୍ବାର କହି ଆସିଛୁ ଯେ ଭାରତକୁ ଦାରିଦ୍ର୍ୟ ବିରୋଧରେ ଲଢ଼େଇ କରିବାର ଅଛି । ପାକିସ୍ତାନର ବି ଦାରିଦ୍ର୍ୟ ବିରୋଧରେ ଲଢ଼ିବାର ଅଛି । ତାହେଲେ ଆମେ ଦୁହେଁ କାହିଁକି ଏକତ୍ର ମିଶି ଦାରିଦ୍ର୍ୟ ବିରୋଧରେ ଲଢ଼ି ନପାରିବା? ଏକଥା ମୁଁ ନିର୍ବାଚନ ପୂର୍ବରୁ ଓ ନିର୍ବାଚନ ପ୍ରଚାର ବେଳେ କହିଛି । ମୁଁ ମଧ୍ୟ ମୋର ଶପଥ ଗ୍ରହଣ ଉତ୍ସବକୁ ସାର୍କ ସଦସ୍ୟଭୁକ୍ତ ରାଷ୍ଟ୍ର ମୁଖ୍ୟମାନଙ୍କୁ ନିମନ୍ତ୍ରଣ କରିଥିଲି ଏବଂ ସେମାନେ ମଧ୍ୟ ଏଥିରେ ଯୋଗ ଦେଇଥିଲେ । ତେଣୁ ଆମ ମନୋଭାବ ଚିନ୍ତାଧାରା ଏବଂ ବର୍ତ୍ତମାନର ସ୍ୱଭାବରେ କିଛି ପରିବର୍ତ୍ତନ ହୋଇନାହିଁ । ଦ୍ୱିତୀୟ କଥା – ଯେଉଁମାନେ ଟେବୁଲ ପାଖରେ ବସି କାର୍ଯ୍ୟ କରିବା କଥା ସେମାନେ ଟେବୁଲ ପାଖରେ ବସି କାମ କରିବେ ଓ ଯେଉଁମାନେ ସୀମାନ୍ତରେ କାର୍ଯ୍ୟ କରିବା କଥା ସେମାନେ ପୁରା ଦମରେ ସୀମାନ୍ତରେ ନିଜ କର୍ତ୍ତବ୍ୟ ସମ୍ପାଦନ କରିବେ । ସେମାନେ ନିଜ ନିଜ ଦାୟିତ୍ୱ ସମ୍ପାଦନ କରିବେ । ଆମ ଯବାନମାନେ ସେମାନଙ୍କ ଦାୟିତ୍ୱ ନିର୍ବାହ କରୁଛନ୍ତି । ଏକଥା ସତ ଯେ ଆତଙ୍କବାଦୀଙ୍କ ଉପରେ ଚାପ ବଢ଼ିଲେ, ସେମାନଙ୍କର ଯୋଜନାମାନ ଭଣ୍ଡୁର ହୋଇଯାଉଛି । ସେମାନେ ଯେଉଁ ହୀନ ଉଦ୍ଦେଶ୍ୟ ରଖି ଆଗକୁ ଆଗେଇବାକୁ ଉଦ୍ୟମ କରୁଛନ୍ତି ତାହା ବିଫଳ ହେଉଛି ଓ ସେମାନଙ୍କୁ ବଡ ଚାଲେଞ୍ଜ ମୁକାବିଲା କରିବାକୁ ପଡୁଛି । ଏଇ ବିଫଳତା ଯୋଗୁଁ ଏପରି ଘଟଣାମାନ ଘଟୁଛି ଏବଂ ଆମର ବୀର ଯବାନମାନେ ସେମାନଙ୍କର ଜୀବନ ବାଜି ଲଗାଇ ଦେଶକୁ ରକ୍ଷା କରୁଛନ୍ତି । ଆମେ ଆମର ଯବାନମାନଙ୍କ ପାଇଁ ବେଶ ଗର୍ବ ଅନୁଭବ କରୁଛୁ ।

ଅର୍ଣ୍ଣବ: ଯେତେବେଳେ ଆପଣଙ୍କ ବୈଦେଶିକ ନୀତିକୁ ଅନୁଧ୍ୟାନ କରାଯିବ ବିଶ୍ଳେଷକମାନେ ଭାବନ୍ତି ଯେ, କଣ ଘଟୁଛି ଓ କଣ ଘଟୁନାହିଁ । ଆପଣ ଯଦି ମତେ ସୁଯୋଗ ଦିଅନ୍ତି, ମୁଁ ଏହାର କିଛି ତର୍ଜମା କରିବି । ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ମାସରେ ପାକିସ୍ତାନ ସହ ବେଶ୍ ଦ୍ରୁତ ଗତିରେ କଥାବାର୍ତ୍ତା ଚାଲିଥିଲା । ନଭେମ୍ବର 30 ତାରିଖ ଦିନ ଆପଣ ପ୍ୟାରିସଠାରେ ଆୟୋଜିତ ଜାତିସଂଘ ଜଳବାୟୁ ସମ୍ମିଳନୀ ପୃଷ୍ଠଭୂମିରେ ନୱାଜ ସରିଫଙ୍କୁ ଭେଟିଥିଲେ । ଆପଣ ଉଭୟ ଗୋଟିଏ ସୋଫାରେ ବସି ପରସ୍ପର ସହ କଥାବାର୍ତ୍ତା ହେଉଥିଲେ । ଆପଣଙ୍କ ଆଲୋଚନା ବିଷୟରେ ଅନେକ ଲୋକ ଭାବୁଥିଲେ । ଜଳବାୟୁ ସମ୍ମିଳନୀ ପୃଷ୍ଠଭୂମିରେ ଏ ଆଲୋଚନା ହୋଇଥିଲା । ଏହାର ସାତ ଦିନ ପରେ ହଠାତ୍ ଏନ୍ଏସ୍ଏ ସ୍ତରୀୟ ଆଲୋଚନା ହେଲା ଏବଂ ଅଜିତ ଡୋଡାଲ ବ୍ୟାଙ୍କକଠାରେ ନାସୀର ଜାଞ୍ଜୁଆଙ୍କ ସହ କଥାବାର୍ତ୍ତା କଲେ ଏବଂ ତା ପରେ ପୁଣି ଆପଣ ଆଫଗାନିସ୍ତାନ ବାଟ ଦେଇ ରୁଷିଆ ଗଲେ ଏବଂ ଫେରିବା ବାଟରେ ଅପ୍ରତ୍ୟାଶିତ ଭାବେ ଲାହୋର ଯାଇ ନୱାଜ ସରିଫଙ୍କୁ ଭେଟିଲେ । ଏ ଗସ୍ତ ବ୍ୟକ୍ତିଗତ ଥିଲା, କିନ୍ତୁ ଏହାର ମଧ୍ୟ ନିଜସ୍ୱ ଗୁରୁତ୍ୱ ରହିଛି । ଏହାର ଆଠ ଦିନ ପରେ ପାକିସ୍ତାନର ଆତଙ୍କବାଦୀମାନେ ପଠାନକୋଟ ଆକ୍ରମଣ କଲେ । ଆପଣ ଦୟାକରି ଆମ ଦର୍ଶକମାନଙ୍କୁ କହିବେ କି ପାକିସ୍ତାନ ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ମାସ ସାରା ସକାରାତ୍ମକ ମନୋଭାବ ପୋଷଣ କରୁଥିଲା? ପଠାନକୋଟ ଆତଙ୍କବାଦୀ ଆକ୍ରମଣ ପରିସ୍ଥିତିକୁ ବଦଳାଇ ଦେଲା କି? ସେଇ ତିନି ମାସ ମଧ୍ୟରେ ପାକିସ୍ତାନ ଆଲୋଚନାରେ ଅନେକ କିଛି ଅଗ୍ରଗତି କରିଥିବାର କଥା ସତ କି?

ପ୍ରଧାନମନ୍ତ୍ରୀ ମୋଦୀ: ଦେଖନ୍ତୁ ପାକିସ୍ତାନ ଭିତରେ ବିଭିନ୍ନ ପ୍ରକାର ଶକ୍ତି କାର୍ଯ୍ୟ କରୁଛନ୍ତି । କିନ୍ତୁ ସରକାର କେବଳ ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ବ୍ୟବସ୍ଥା ସହ କଥାବାର୍ତ୍ତା କରୁଛନ୍ତି । ଆମେ ସେହି ପ୍ରକାର କଥାବାର୍ତ୍ତା ଲାଗି ଉଦ୍ୟମ ଜାରି ରଖିଛୁ । ତେବେ ଆମର ମୁଖ୍ୟ ଉଦ୍ଦେଶ୍ୟ ହେଲା ଶାନ୍ତି । ଏକମାତ୍ର ଉଦ୍ଦେଶ୍ୟ ହେଲା ଭାରତର ସ୍ୱାର୍ଥ ରକ୍ଷା । ତେବେ ବୈଠକ ଓ ଆଲୋଚନା ପ୍ରସଙ୍ଗରେ ମୁଁ ଶପଥ ଗ୍ରହଣ କରିବା ଦିନଠାରୁ ହିଁ ଆମେ ନିର୍ଦ୍ଦିଷ୍ଟ ସଂକେତ ଦେଇସାରିଛୁ । ସେମାନଙ୍କୁ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ଆମନ୍ତ୍ରଣ କରିଛୁ ଏବଂ କହିଛୁ ଯେ ଆମ ନିଜ ସ୍ୱାର୍ଥରେ ସାଲିସ ନକରି ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରକ୍ଷା ଲାଗି ଆମେ ଆଗ୍ରହୀ । ଏବଂ ସେଥିପାଇଁ ମୁଁ କହିଛି ଯେ ମୋ ଦେଶର ସୈନିକମାନଙ୍କର ସୀମାନ୍ତରେ ଉପଯୁକ୍ତ ଜବାବ ଦେବାଲାଗି ସମ୍ପୂର୍ଣ୍ଣ ସ୍ୱାଧୀନତା ରହିଛି ଏବଂ ସେମାନେ ତାହା ଦେଇ ଚାଲିବେ ।

ଅର୍ଣ୍ଣବ: ପ୍ରଧାନମନ୍ତ୍ରୀ ମହୋଦୟ, ଯେତେବେଳେ ପାକିସ୍ତାନ ପ୍ରସଙ୍ଗ ଆସୁଛି ଆପଣ କି ପ୍ରକାର ‘ଲକ୍ଷ୍ମଣ ରେଖା’ ଟାଣିବାକୁ ଚାହାଁନ୍ତି । ଏହି ପ୍ରସଙ୍ଗରେ ନେଇ କେତେକ ବିଭ୍ରାନ୍ତ ରହିଛି । ଏ ସମ୍ପର୍କରେ ଆପଣ ବିସ୍ତୃତ ଭାବେ ଉତ୍ତର ଦିଅନ୍ତୁ ବୋଲି ମୁଁ ଚାହେଁ । 2014 ମସିହାରେ ଏହା ବିଶ୍ୱାସ କରାଯାଉଥିଲା ଯେ, ଯଦି ଆଲୋଚନା ହେଉଛି, ତେବେ ତାହା ଦୁଇ ଦେଶ ମଧ୍ୟରେ ହେବ, ହୁରିୟାତ ସାଙ୍ଗରେ ନୁହେଁ । ଏହା ଭାରତ ସରକାର ଏବଂ ପାକିସ୍ତାନ ସରକାରଙ୍କ ମଧ୍ୟରେ କରାଯିବ । ଅନ୍ୟ ଲକ୍ଷ୍ମଣ ରେଖାଟି ହେଲା ଯେ, ପାକିସ୍ତାନ 26/11 ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ । ଏ ପର୍ଯ୍ୟନ୍ତ ସେ ଦିଗରେ କୌଣସି ଅଗ୍ରଗତି ଘଟିନାହିଁ । ତୃତୀୟ କଥାଟି ହେଲା ପଠାନକୋଟ୍ ଆକ୍ରମଣ ମାମଲାର ତଦନ୍ତକୁ ଆଗକୁ ଆଗେଇ ନେବା । ତେଣୁ ବର୍ତ୍ତମାନ ‘ଲକ୍ଷ୍ମଣ ରେଖା’ ଟି କଣ? ଏବଂ ଯଦି ପାକିସ୍ତାନ ଏହି ଅବସ୍ଥାରେ ରହେ ତେବେ ରାଜନୈତିକ ଅଥବା ଅନ୍ୟ କୌଣସି ସ୍ତରରେ ଆଲୋଚନା ଅନୁଷ୍ଠିତ ହେବା ସମ୍ଭବ କି?

ପ୍ରଧାନମନ୍ତ୍ରୀ ମୋଦୀ: ପ୍ରଥମ କଥା ହେଲା ଯେ ଆମେ ପାକିସ୍ତାନର କାହା ସାଙ୍ଗରେ ବସି ‘ଲକ୍ଷ୍ମଣ ରେଖା’ ବିଷୟରେ ନିଷ୍ପତି ନେବୁ । ଏହା ନିର୍ବାଚିତ ସରକାରଙ୍କ ସହ ନା ଅନ୍ୟ କୌଣସି କର୍ତ୍ତାଙ୍କ ସହ? ସେଥିପାଇଁ ଭାରତକୁ ସବୁ ସମୟରେ ସତର୍କ ରହିବା ଆବଶ୍ୟକ । ଭାରତ ପ୍ରତି ମୁହୂର୍ତ୍ତରେ ସଜାଗ ରହିବା ଦରକାର । ଏଥିରେ ତିଳେ ହେଲେ ଖିଲାପ କରାଯିବା ଉଚିତ ନୁହେଁ । କିନ୍ତୁ ମୋର କ୍ରମାଗତ ଉଦ୍ୟମ ଯଥା ମୋର ଲାହୋର ଯାତ୍ରା ଏବଂ ଭାରତକୁ ଆସିବା ଲାଗି ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଆମନ୍ତ୍ରଣ କରିବାର କିଛିଟା ଫଳ ମିଳିଛି । ବିଶ୍ୱ ଏବେ ଏକ ସ୍ୱରରେ ଭାରତର ସ୍ଥିତିକୁ ପ୍ରଶଂସା କରୁଛି । ଏବଂ ବିଶ୍ୱ ଦେଖିପାରୁଛି ଯେ ପାକିସ୍ତାନ ଆମ କଥାର ଜବାବ ଦେବାକୁ ଅସୁବିଧାରେ ପଡୁଛି । ଯଦି ଆମେ ଏ ଦିଗରେ ପ୍ରତିବନ୍ଧକ ହୋଇଥାନ୍ତୁ ତେବେ ଆମକୁ ହୁଏତ ବିଶ୍ୱ ନିକଟରେ ଜବାବ ଦେବାକୁ ପଡିଥାନ୍ତା ଯେ ଆମେ ପ୍ରତିବନ୍ଧକ ନୋହୁଁ । କିନ୍ତୁ ଏବେ ବିଶ୍ୱକୁ ଆମେ କିଛି କହିବାର ଆବଶ୍ୟକତା ନାହିଁ । ଆମ ଉଦ୍ଦେଶ୍ୟ ସମ୍ପର୍କରେ ବିଶ୍ୱ ସମ୍ପୂର୍ଣ୍ଣ ଅବଗତ । ଯେପରି କି ଆତଙ୍କବାଦ ପ୍ରସଙ୍ଗରେ ବିଶ୍ୱ କେତେବେଳେ ହେଲେ ଭାରତର ଯୁକ୍ତିକୁ ସମର୍ଥନ କରିନଥିଲା । ବେଳେ ବେଳେ ସେମାନେ ଏକଥା କହି ପ୍ରତ୍ୟାଖ୍ୟାନ କରି ଦିଅନ୍ତି ଯେ ତାହା ତୁମର ନିଜର ଆଇନ ଶୃଙ୍ଖଳା ସମସ୍ୟା । କିନ୍ତୁ ଭାରତ ଆତଙ୍କବାଦ ପ୍ରସଙ୍ଗରେ ଯାହା ପୂର୍ବରୁ କହିଆସୁଥିଲା ଆଜି ତାହା ବିଶ୍ୱକୁ ଗ୍ରହଣ କରିବାକୁ ପଡୁଛି । ଆତଙ୍କବାଦ ପ୍ରସଙ୍ଗରେ ଭାରତର କଥାବାର୍ତ୍ତା, ଆତଙ୍କବାଦ ଯୋଗୁଁ ଭାରତ ସହ୍ୟ କରିଥିବା କ୍ଷୟକ୍ଷତି, ମାନବ ସମାଜ ସହ୍ୟ କରିଥିବା କ୍ଷତି କୁ ଏବେ ବିଶ୍ୱ ସ୍ୱୀକାର କରୁଛି । ତେଣୁ ମୋର ବିଶ୍ୱାସ ଯେ ଏହି ପ୍ରକ୍ରିୟା ଆମକୁ ଆଗେଇ ନେବାକୁ ପଡିବ ।

ଅର୍ଣ୍ଣବ: ପ୍ରଧାନମନ୍ତ୍ରୀ ମହୋଦୟ, ଏବେ ମୁଁ ଅର୍ଥବ୍ୟବସ୍ଥା ପ୍ରସଙ୍ଗ ଉପରକୁ ଆସୁଛି । ଗତ ଦୁଇ ବର୍ଷ ମଧ୍ୟରେ ଆପଣ ଅନେକ ଯୋଜନା ଆରମ୍ଭ କରିଛନ୍ତି । ଯଦି ଆମେ ଆର୍ଥିକ ସମାଯୋଜନ ପାଇଁ ଜନଧନ ଯୋଜନା ଆଡକୁ ଚାହିଁବା, ଶସ୍ୟ ବୀମା ଲାଗି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଉପରେ ଦୃଷ୍ଟି ପକାଇବା, ସ୍ୱଚ୍ଛ ଭାରତ, ସ୍କିଲ୍ ଇଣ୍ଡିଆ ଏବଂ ମେକ୍ ଇନ୍ ଇଣ୍ଡିଆ ଆଡେ ଦୃଷ୍ଟି ଦେବା ତାହା ଭଲ ଭାବେ ଜଣାପଡିବ । ଏହି ସବୁ ଯୋଜନାଗୁଡିକ ଯେଉଁ ଉଦ୍ଦେଶ୍ୟରେ କାର୍ଯ୍ୟକାରୀ ହେଉଛି ତାହା ଆପଣଙ୍କ ବ୍ୟକ୍ତିଗତ ଆର୍ଥିକ ଦର୍ଶନ ଓ ସାମାଜିକ ପରିବର୍ତ୍ତନର ମୂଳଭିତ୍ତି ଯାହା ସାମାଜିକ କାର୍ଯ୍ୟକ୍ରମ ମାନଙ୍କରେ ପ୍ରତିଫଳିତ ହୋଇଛି?

ପ୍ରଧାନମନ୍ତ୍ରୀ ମୋଦୀ: ପ୍ରଥମ କଥା ହେଲା, ଆମେ ଆଗ – ଧାଡିରେ ଠିଆ ହୋଇଥିବା ଶେଷ ଲୋକ ନିକଟରେ ପହଂଚିବା ଦରକାର । ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟଙ୍କ ଦର୍ଶନ ଆମ ରାଜନୈତିକ, ଅର୍ଥନୈତିକ ଏବଂ ସାମାଜିକ ଆଦର୍ଶର ମୂଳଭିତ୍ତି । ଏପରିକି ମହାତ୍ମା ଗାନ୍ଧୀ ସର୍ବଦା କହୁଥିଲେ ଯେ ଶେଷ ଲୋକଟି ପାଇଁ କଣ ଅଛି । ତେଣୁ ମୋର ବିକାଶ, ଚିନ୍ତନ ଖୁବ୍ ସହଜ । ତାହା ହେଲା – ବିକାଶ ଯୋଜନାରୁ କିପରି ଦରିଦ୍ରରୁ ଦରିଦ୍ରତମ ଲୋକଟି ଉପକୃତ ହୋଇପାରିବ । ଆମ ଆର୍ଥିକ ଏଜେଣ୍ଡାର ମୁଖ୍ୟ ଲକ୍ଷ୍ୟ ହେଲା ଦାରିଦ୍ର୍ୟ ବିରୋଧରେ ସଂଗ୍ରାମ । ଗରୀବ ଲୋକମାନଙ୍କୁ ଏଭଳି ଭାବେ ସଶକ୍ତ କରାଯିବ ଯେ ସେମାନେ ଯେପରି ଦାରିଦ୍ର୍ୟ ବିରୋଧରେ ଲଢ଼େଇ କରିବାକୁ ଇଚ୍ଛା ପ୍ରକଟ କରିପାରିବେ । କେବଳ ସେମାନଙ୍କ ଗୁଜୁରାଣ ମେଂଟାଇ ଦେଲେ ଓ ସେମାନେ ସେହି ଦାରିଦ୍ର୍ୟ ଭିତରେ ରହିଲେ ସମସ୍ୟାର ସମାଧାନ ହେବନାହିଁ । ମୁଁ ଭୁଲ୍ ଠିକ୍ କଥା କହୁନାହିଁ । ଏହା ହେଲା ଗୋଟିଏ ମାର୍ଗର କଥା । କିନ୍ତୁ ଆଜି ଦେଶର ପରିସ୍ଥିତି ଏପରି ହୋଇଛି ଯେ ଆମେ ଗରୀବ ଲୋକମାନଙ୍କୁ ସଶକ୍ତ କରିବାକୁ ପଡିବ । ଯଦ୍ୱାରା ସେମାନେ ଆମର ଦାରିଦ୍ର୍ୟ ବିରୋଧୀ କାର୍ଯ୍ୟକ୍ରମରେ ସହଯୋଗୀ ହୋଇପାରିବେ । ଏହି ସବୁ ଯୋଜନାଗୁଡିକ ଗରୀବ ଲୋକଙ୍କୁ ସଶକ୍ତ କରିବା ଲାଗି ଉଦ୍ଦିଷ୍ଟ । ଏବଂ ସେମାନଙ୍କ ଜୀବନର ଗୁଣାତ୍ମକ ପରିବର୍ତ୍ତନ ଆଣିବ । ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା କେବଳ ଗରୀବଙ୍କ ପାଇଁ ବ୍ୟାଙ୍କ୍ ଏକାଉଂଟ ଖୋଲିବା ପାଇଁ ଉଦ୍ଦିଷ୍ଟ ନୁହେଁ । ଏଥିଯୋଗୁ ଗରୀବ ଲୋକଙ୍କ ମନରେ ଭାବନା ଜନ୍ମିଛି ଯେ ସେମାନେ ଦେଶର ଆର୍ଥିକ ବ୍ୟବସ୍ଥାର ଅଂଶ ବିଶେଷ ହୋଇପାରିଛନ୍ତି । ଯେଉଁ ବ୍ୟାଙ୍କକୁ ସେମାନେ ଦୂରରୁ ଦେଖୁଥିଲେ ଏବେ ସେମାନେ ସେଠାରେ ପ୍ରବେଶ କରିପାରୁଛନ୍ତି । ଏହା ସେମାନଙ୍କ ମନରେ ଏକ ମନସ୍ତାତ୍ତ୍ୱିକ ପରିବର୍ତ୍ତନ ଆଣିପାରିଛି । ଅନ୍ୟ ଦିଗରୁ ଦେଖିଲେ ଆପଣ କେବେ ଚିନ୍ତା କରିପାରିଥିଲେ ଯେ, ଗରୀବ ଲୋକମାନଙ୍କ ଦ୍ୱାରା ବ୍ୟାଙ୍କ ବ୍ୟବସ୍ଥାରେ 40 ହଜାର କୋଟି ଟଙ୍କା ଗଚ୍ଛିତ ରଖାଯାଇ ପାରିବ । ଯେଉଁ ଗରୀବ ଲୋକମାନଙ୍କର ବ୍ୟାଙ୍କ ଜମା ଖାତା ନଥିଲା ସେମାନେ ଏବେ 100 ଟଙ୍କା, 50 ଟଙ୍କା କିମ୍ବା 200 ଟଙ୍କା କରି ଜମା କରିଛନ୍ତି । ତାର ଅର୍ଥ ହେଲା ଯେ ଗରୀବ ଲୋକଟି 100 ଟଙ୍କା ଜମା କରିଛି ଓ ତା ଜୀବନରେ ଏକ ପରିବର୍ତ୍ତନ ଆସିଛି । ଆମେ ଶୌଚାଳୟ ନିର୍ମାଣ କାର୍ଯ୍ୟକ୍ରମ ହାତକୁ ନେଇଛୁ । ମୁଁ ଛତିଶଗଡ଼ ଯାଇଥିଲି ଏବଂ ସେଠାରେ ଜଣେ ମାଙ୍କ ଆଶୀର୍ବାଦ ନେବାର ସୁଯୋଗ ମତେ ମିଳିଥିଲା । ଜଣେ ଆଦିବାସୀ ମା ଏହି ଶୌଚାଳୟ ନିର୍ମାଣ ଯୋଜନା ସମ୍ପର୍କରେ ଶୁଣିଲେ । ସେ ତାଙ୍କର 4 ଟି ଛେଳି ବିକ୍ରି କରି ଶୌଚାଳୟଟିଏ ନିର୍ମାଣ କଲେ । ସେହି 90 ବର୍ଷର ମା ହାତରେ ବଙ୍କୁଲି ବାଡି ଧରି ସେ ଆଦିବାସୀ ପଲ୍ଲୀର 30-40 ଘର ବୁଲି ବୁଲି ଶୌଚାଳୟ ନିର୍ମାଣ ବାର୍ତ୍ତା ପ୍ରଚାର ଓ ପ୍ରସାର କରୁଛନ୍ତି । ଏହି ପରିବର୍ତ୍ତନ ହିଁ ଜୀବନରେ ଗୁଣାତ୍ମକ ପରିବର୍ତ୍ତନର କାରଣ । ମୁଁ ସ୍ୱଚ୍ଛତା ଅଭିଯାନ କରିଥିଲି । ଆକଳନ କରାଯାଇଛି ଯେ ଜଣେ ବ୍ୟକ୍ତି ନିଜ ଚିକିତ୍ସା ପାଇଁ ହାରାହାରି 7000 ଟଙ୍କା ଖର୍ଚ୍ଚ କରିଥାଏ । ରୋଗର ମୁଖ୍ୟ କାରଣ ହେଲା ମଇଳା ଆବର୍ଜନା । ଏହି ଆବର୍ଜନା ଯୋଗୁଁ ଗରୀବ ଲୋକମାନେ ଅଧିକ କଷ୍ଟ ପାଇଥାନ୍ତି । ଯଦି ଜଣେ ଗରୀବ ଲୋକ ବେକାର ପଡେ ତେବେ ସେ ଦୁଇ ଦିନ ପାଇଁ ରିକ୍ସା ଚଳାଇପାରିବ ନାହିଁ । ତେଣୁ ତାର ପିଲାମାନେ ଘରେ ଉପାସ ରହିବେ । ତେଣୁ ଗରୀବ ଲୋକମାନଙ୍କ ଜୀବନରେ ଆମେ କିପରି ପରିବର୍ତ୍ତନ ଆଣିପାରିବା ଏବେ ଏକ ନବ୍ୟ ମଧ୍ୟବର୍ଗ ଏବଂ ମଧ୍ୟବର୍ଗ ଦେଶରେ ଅଛନ୍ତି । ଯୁବକମାନଙ୍କର ସେମାନଙ୍କ ନିଜସ୍ୱ ଆଶା ଆକାଂକ୍ଷା ରହିଛି । ତେଣୁ ମୋ ନୀତିର ଆଉ ଗୋଟିଏ ଦିଗ ହେଲା ଆପଣ ଯାହା ଦେଖିଥିବେ ତାହା ହେଲା – ଷ୍ଟାର୍ଟ ଅପ୍ ଇଣ୍ଡିଆ, ଷ୍ଟାଣ୍ଡ୍ ଅପ୍ ଇଣ୍ଡିଆ, ସାମୁଦ୍ରିକ ବନ୍ଦର କାର୍ଯ୍ୟକଳାପ, ବନ୍ଦର କାର୍ଯ୍ୟ, ରେଳବାଇ ସଂପ୍ରସାରଣ, ରେଳ ଷ୍ଟେସନ ଉନ୍ନତିକରଣ । ଏହି ସବୁ ପରିବର୍ତ୍ତନ ପ୍ରତ୍ୟେକ୍ଷ ଭାବେ ମଧ୍ୟବର୍ଗଙ୍କୁ ଆକର୍ଷିତ କରିଛି । ମଧ୍ୟବର୍ଗଙ୍କର ନିଜସ୍ୱ ଆଶା ଆକାଂକ୍ଷା ରହିଛି । ଆମକୁ ନିଯୁକ୍ତି ସୃଷ୍ଟି କରିବାକୁ ହେବ । ନିଯୁକ୍ତି ସୃଷ୍ଟି କିପରି ହୋଇପାରିବ ଯେ ପର୍ଯ୍ୟନ୍ତ ମୁଁ ଭିତ୍ତିଭୂମି ବିକାଶରେ ନିବେଶ କରିବି ନାହିଁ ସେ ପର୍ଯ୍ୟନ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ନାହିଁ । ଆପଣମାନେ ଦେଖିଥିବେ ଯେ ସ୍ୱାଧୀନତା ପରଠାରୁ ଏପର୍ଯ୍ୟନ୍ତ ଚଳିତ ବର୍ଷ ସର୍ବାଧିକ ବିଜୁଳି ଶକ୍ତି ଉତ୍ପାଦିତ ହୋଇଛି । ଚଳିତ ବର୍ଷ ସର୍ବାଧିକ କୋଇଲା ଖନନ କରାଯାଇଛି । ଦୈନିକ ସର୍ବାଧିକ ଦୈର୍ଘ୍ୟର ସଡକ ନିର୍ମାଣ ଚଳିତ ବର୍ଷ ହାସଲ କରାଯାଇଛି । ଚଳିତ ବର୍ଷ ସମୁଦ୍ରରେ ଷ୍ଟିମରରେ ଦ୍ରୁତତମ ମାଲ ବୋଝେଇ ଓ ଖଲାସ ସମ୍ଭବ ହୋଇପାରିଛି । ଏସବୁ ପରିବର୍ତ୍ତନ ଷ୍ଟାର୍ଟ ଅପ୍ ଇଣ୍ଡିଆ, ଷ୍ଟାଣ୍ଡ ଅଫ୍ ଇଣ୍ଡିଆରେ ଜରିଆରେ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି । ଉଦାହରଣ ସ୍ୱରୂପ ଷ୍ଟାଣ୍ଡ ଅଫ୍ ଇଣ୍ଡିଆରେ ମୁଁ କହିଥିଲି ଯେ ପ୍ରତ୍ୟେକ ବ୍ୟାଙ୍କ ଜଣେ ମହିଳା, ଜଣେ ଦଳିତ ଅଥବା ଜଣେ ଆଦିବାସୀ ଲୋକଙ୍କୁ ଉଦ୍ୟୋଗୀ ହେବା ଲାଗି ଆର୍ଥିକ ସୁଯୋଗ ପ୍ରଦାନ କରିବେ । ଏହା ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ତେଣୁ ଏହା ହେଲା ମୋର ଆର୍ଥିକ ଦର୍ଶନର ମୂଳଭିତ୍ତି ।

ଅର୍ଣ୍ଣବ: ପ୍ରଧାନମନ୍ତ୍ରୀ ମହୋଦୟ, ମୁଁ ଏଇଠି ସାମାନ୍ୟ ହସ୍ତକ୍ଷେପ କରିବାକୁ ଚାହେଁ । ଗୋଟିଏ ପଟେ ଲୋକଙ୍କ ଆଶା ଆକାଂକ୍ଷା ଓ ଅନ୍ୟ ପଟେ ଆପଣଙ୍କର ଲକ୍ଷ୍ୟ । ଆପଣ ସୂଚାଇ ଥିବା ଅନେକ କାର୍ଯ୍ୟକ୍ରମରେ କ୍ୟାଲେଣ୍ଡର ତାରିଖ ଦେଇ ହେବନାହିଁ ଏବଂ ସେମାନଙ୍କର କୌଣସି ତତ୍କାଳ ପ୍ରଭାବ ନାହିଁ । ସେଗୁଡିକ ହୁଏତ 3, 4, 5 ବେଳେ ବେଳେ ପାଞ୍ଚ ବର୍ଷରେ କିଛି ଫଳାଫଳ ଦେଖାଇବେ । ପୁଣି ସେଥିରେ ବିଭିନ୍ନ ପ୍ରକାର ଚାଲେଞ୍ଜ ରହିଛି । ପ୍ରଧାନମନ୍ତ୍ରୀ ମହୋଦୟ, ଅନ୍ୟ ଯେକୌଣସି ବ୍ୟକ୍ତିଙ୍କ ଠାରୁ ଆପଣଙ୍କୁ ଏକଥା ଅଧିକ ଭଲ ଭାବେ ଜଣା ଯେ ଲୋକମାନେ ତୁରନ୍ତ ଫଳାଫଳ ଆଶା କରନ୍ତି । ଏବେ ଆପଣ ନିଯୁକ୍ତି ସୁଯୋଗ ସୃଷ୍ଟି କଥା କହିଲେ । ପ୍ରଥମ କଥା ଯେ ସଫଳତା ସ୍ୱରୂପ ଆପଣ ଅର୍ଥବ୍ୟବସ୍ଥାରେ 7.5 ପ୍ରତିଶତ ଅଭିବୃଦ୍ଧି ହାସଲ କରିଛନ୍ତି । ଯେତେବେଳେ କି ବିଶ୍ୱ ଆର୍ଥିକ ପରିବେଶ ବେଶ୍ ଦୁର୍ବଳ ରହିଛି ଆପଣ ଏ ବିଷୟରେ ମଧ୍ୟ କହିଛନ୍ତି । ଆପଣ ନିଅଣ୍ଟିଆ ଆର୍ଥିକ ଲକ୍ଷ୍ୟ ହାସଲ କରିଛନ୍ତି । ଏଫଡିଆଇ ପ୍ରବେଶ ବୃଦ୍ଧି ପାଇଛି । କିନ୍ତୁ ଲୋକମାନେ କହୁଛନ୍ତି ଯେ ନିଯୁକ୍ତି ସୁଯୋଗ ବୃଦ୍ଧି ପାଉନାହିଁ । ଆପଣ ଭିତ୍ତିଭୂମି କଥା କହିଛନ୍ତି । କିନ୍ତୁ ବର୍ତ୍ତମାନର ବେକାରି ହାର ଢ଼େର ଆଗରେ ରହିଛି । ପ୍ରଧାନମନ୍ତ୍ରୀ ମହୋଦୟ, ସଦ୍ୟତମ ଶ୍ରମ ବ୍ୟୁରୋ ହିସାବ ଆପଣଙ୍କ ପାଇଁ ଚିନ୍ତାର ବିଷୟ କି?

ପ୍ରଧାନମନ୍ତ୍ରୀ ମୋଦୀ: ପ୍ରଥମ କଥା ହେଲା ଯେ ଆମ ଦେଶର 800 ନିୟୁତ ଲୋକଙ୍କ ବୟସ 35 ବର୍ଷରୁ କମ୍ । ତେଣୁ ଆମକୁ ଗ୍ରହଣ କରିବାକୁ ପଡିବ ଯେ, ଦେଶରେ ନିଯୁକ୍ତି ଚାହିଦା ଢ଼େର ବେଶୀ । କିନ୍ତୁ ସେମାନେ ନିଯୁକ୍ତି ପାଇବେ କେଉଁଠି ? ନିବେଶ ଆସିବା ଦରକାର । ଏହି ନିବେଶ ଭିତ୍ତିଭୂମି କ୍ଷେତ୍ର, ବିନିର୍ମାଣ ଏବଂ ସେବା କ୍ଷେତ୍ରରେ ବ୍ୟବହୃତ ହେବା ଦରକାର । ଏବେ ଆମେ ଯେଉଁ ଭଳି ଉଦ୍ୟମ ଆରମ୍ଭ କରିଛୁ ସେଥିରେ ଆମେ ମୁଦ୍ରା ଯୋଜନା ଆରମ୍ଭ କରିଛୁ । ଦେଶର 3 କୋଟିରୁ ଅଧିକ ଲୋକ ଧୋବା, ନାପିତ, କ୍ଷୀରବାଲା, ଖବର କାଗଜ ବିକ୍ରେତା ଏବଂ ରାସ୍ତା କଡ଼ ଉଠାଦୋକାନୀ ଭାବେ ଅଛନ୍ତି । ଆମେ ସେମାନଙ୍କୁ କୌଣସି ଗ୍ୟାରେଣ୍ଟି ବିନା 1.25 ଲକ୍ଷ କୋଟି ଟଙ୍କା ଯୋଗାଇ ଦେଇଛୁ । ଏହି ଲୋକମାନେ ଏ ଟଙ୍କାକୁ ସେମାନଙ୍କ ବ୍ୟବସାୟ ସଂପ୍ରସାରଣ ଲାଗି ନେଇଛନ୍ତି । ଯେତେବେଳେ ସେମାନେ ନିଜ ନିଜର କାର୍ଯ୍ୟର ସଂପ୍ରସାରଣ କରିବେ ସେତେବେଳେ ଏବେ ଯଦି ସେମାନେ ଜଣେ ବ୍ୟକ୍ତିଙ୍କୁ ନିଯୁକ୍ତ କରିଥିବେ ତେବେ ପରିବର୍ତ୍ତିତ ସ୍ଥିତିରେ ସେମାନଙ୍କୁ 2 ଜଣଙ୍କୁ ନିଯୁକ୍ତି ଦେବାକୁ ପଡିବ । ଯଦି ପୂର୍ବରୁ 2 ଜଣ ନିଯୁକ୍ତି ପାଇଥାନ୍ତି ଏବେ 3 ଜଣ ଆବଶ୍ୟକ ପଡିବ । ଏବେ ଭାବି ଦେଖନ୍ତୁ ଯେତେବେଳେ ଏହି ଭଳି 3 କୋଟି କ୍ଷୁଦ୍ର ବ୍ୟବସାୟୀଙ୍କୁ ଆର୍ଥିକ ଋଣ ମିଳିପାରିଛି ସେମାନେ ନିଶ୍ଚିତ ଭାବେ ସେମାନଙ୍କ ବ୍ୟବସାୟୀକ କାର୍ଯ୍ୟରେ ସଂପ୍ରସାରଣ ଘଟାଇଥିବେ । ପୁଣି ଏହି ସବୁ ଲୋକମାନେ ଶ୍ରମ ବିଭାଗରେ ପଞ୍ଜିକୃତ ହୋଇଥିବା ଲୋକ ନୁହଁନ୍ତି । 3 କୋଟି ଲୋକ ସେମାନଙ୍କ ବ୍ୟବସାୟିକ କାର୍ଯ୍ୟରେ ସଂପ୍ରସାରଣ ଘଟାଇଛନ୍ତି । ଆମେ ଆଉ ଗୋଟିଏ ଛୋଟ ନିଷ୍ପତ୍ତି ଗ୍ରହଣ କରିଛୁ । ଦେଶର ବଡ ବଡ ମଲ୍ ଗୁଡିକ ବର୍ଷର 365 ଦିନ ଖୋଲା ରହେ । କିନ୍ତୁ ଛୋଟ ଛୋଟ ଦୋକାନ ଗୁଡିକ ଛୁଟି ଦିନ ମାନଙ୍କରେ ବନ୍ଦ ହୋଇଥାଏ । ତେଣୁ ଆମେ ବଜେଟରେ ଘୋଷଣା କରିଛୁ ଯେ ଏପରିକି ଛୋଟ ଦୋକାନୀଟିଏ ନିଷାର୍ଦ୍ଧ ପର୍ଯ୍ୟନ୍ତ ଦୋକାନ ଖୋଲା ରଖିପାରିବେ । ଏବଂ ତାହା ସପ୍ତାହକୁ ସାତ ଦିନ । ଯଦି ମଲ୍ ଗୁଡିକ ଉପରେ ନିୟନ୍ତ୍ରଣ ନାହିଁ ତାହାହେଲେ ଛୋଟ ଦୋକାନୀମାନଙ୍କ ଉପରେ କାହିଁକି ଏଭଳି ନିୟନ୍ତ୍ରଣ । ତେଣୁ ଏବେ ଯେତେବେଳେ ଛୋଟ ଦୋକାନୀଟିଏ ସପ୍ତାହକୁ ସାତ ଦିନ ବେପାର କରେ ପୂର୍ବରୁ ସେ ଜଣଙ୍କୁ ନିଯୁକ୍ତି ଦେଇଥିବା ବେଳେ ଏବେ 2 ଜଣ ଲୋକ ତା ପାଇଁ ଆବଶ୍ୟକ ପଡିବ । ତାହା ନିଯୁକ୍ତି ବୃଦ୍ଧିର ଏକ ସୁଯୋଗ ନୁହେଁ କି?

ଅର୍ଣ୍ଣବ: ତାହେଲେ ଆପଣଙ୍କ ଉଦ୍ୟୋଗ ଉପରେ ଏଭଳି ପ୍ରଧାନ୍ୟ ଦେଉଛନ୍ତି?

ପ୍ରଧାନମନ୍ତ୍ରୀ ମୋଦୀ : ସବୁ ପ୍ରସଙ୍ଗ ଉପରେ ଆମେ ପ୍ରଧାନ୍ୟ ଦେଉଛୁ । ଏବେ ଆମେ କହୁଛୁ ଯେ, 2022 ମସିହା ସୁଦ୍ଧା ଆମେ ସମସ୍ତଙ୍କ ପାଇଁ ବାସଗୃହ ସୁନିଶ୍ଚିତ କରିବୁ । ଗୃହ ନିର୍ମାଣ କ୍ଷେତ୍ରରେ ନିଯୁକ୍ତି ସୃଷ୍ଟିର ସର୍ବାଧିକ ସାମର୍ଥ୍ୟ ରହିଛି । ଏତେ ବିପୁଳ ସଂଖ୍ୟାରେ ଗୃହ ନିର୍ମାଣ କରାଯିବ ଏବଂ ତାହା ଦ୍ୱାରା ଅନେକ ଲୋକ ନିଯୁକ୍ତି ପାଇବେ । ଆପଣ ନିଶ୍ଚୟ ଦେଖିଥିବେ ଯେ ଗତ ବର୍ଷ ଆମେ ଏକ ବୟନ ନୀତି ଆଣିଛୁ । ଏହି ବୟନ ନୀତି ଅନୁସାରେ ଯେଉଁମାନେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବେ ସେମାନଙ୍କୁ ଆୟକର ଲାଭ ମିଳିବ । ଜଣେ ଯେତେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ତାଙ୍କୁ ସେତେ ଅଧିକ କର ରିହାତି ମିଳିବ । ପ୍ରଥମ ଥର ପାଇଁ ନିଯୁକ୍ତି ସୃଷ୍ଟି ଏବଂ କର ବ୍ୟବସ୍ଥା ମଧ୍ୟରେ ସଂଯୋଗ ସ୍ଥାପନ କରାଯାଇଛି । ଏଭଳି କାର୍ଯ୍ୟକ୍ରମ ନିଯୁକ୍ତି ବୃଦ୍ଧିରେ ସହାୟକ ହୋଇଥାଏ ଏବଂ ଏହିଭଳି ଆମେ ସାଧାରଣ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗର ବାତାବରଣ ସୃଷ୍ଟି କରୁଛୁ ।

ଅର୍ଣ୍ଣବ: ପ୍ରଧାନମନ୍ତ୍ରୀ ମହୋଦୟ, ଏବେ ଖାଦ୍ୟ ମୁଦ୍ରାସ୍ଫୀତି ଘେନି ପ୍ରଶ୍ନ ଉଠୁଛି, ଯାହା ଏ ପର୍ଯ୍ୟନ୍ତ ହ୍ରାସ ପାଇନାହିଁ । ଆଶା କରାଯାଉଥିଲା ଯେ, ଖାଦ୍ୟ ମୁଦ୍ରାସ୍ଫୀତି କମିବ । ପ୍ରଧାନମନ୍ତ୍ରୀଙ୍କ ଉପରେ ଲୋକମାନେ ଆଶା ରଖିଥିଲେ ଯେ ଆପଣ ଦରଦାମ୍ ବୃଦ୍ଧିରେ ହ୍ରାସ ଘଟାଇବେ । ଏହାର କେବଳ ଏକ ରାଜନୈତିକ ପ୍ରଭାବ ନାହିଁ । ଏକ ସାମାଜିକ ପ୍ରଭାବ ମଧ୍ୟ ରହିଛି । ଗତ ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟମାନ ପ୍ରକାଶ ପାଇଛି ଯେ, କେତେକ ସ୍ଥାନରେ ହରଡ ଡାଲିର ମୂଲ୍ୟ 150 ଟଙ୍କା ଏବଂ ଅନ୍ୟ ଡାଲି ଜାତୀୟ ଶସ୍ୟ ମୂଲ୍ୟ 200 ଟଙ୍କା ଛୁଇଁଛି । ଟମାଟ ମୂଲ୍ୟ ମଧ୍ୟ ବୃଦ୍ଧି ପାଉଛି । ଏହା କଣ କେବଳ ଋତୁ ଭିତ୍ତିକ? କାରଣ ଖାଦ୍ୟ ମୁଦ୍ରାସ୍ଫୀତି ବର୍ଷ ପରେ ବର୍ଷ 7.5 ପ୍ରତିଶତକୁ ବୃଦ୍ଧି ପାଉଛି । ବିଶ୍ୱ ବଜାରରେ ତୈଳ ଦର ହ୍ରାସ ପାଇଛି । ଆପଣ କଣ ଭାବୁଛନ୍ତି ଏହି ସବୁ ଘଟଣା ଆପଣଙ୍କ ସରକାର ସମ୍ପର୍କରେ ଏକ ଭିନ୍ନ ଆଭିମୁଖ୍ୟ ସୃଷ୍ଟି କରିବ ।

ପ୍ରଧାନମନ୍ତ୍ରୀ ମୋଦୀ: ଆପଣ କେବେ ମୁଦ୍ରାସ୍ଫୀତିକୁ ଆଭିମୁଖ୍ୟ ପ୍ରସଙ୍ଗ ବୋଲି ଧରିପାରିବେ ନାହିଁ । ଦର ବୃଦ୍ଧିକୁ ଏକ ବାସ୍ତବତା ବୋଲି ଦେଖାଯିବା ଉଚିତ । ଜଣେ ଖାଉଟି ପାଇଁ ଯାହା କିଛି ଉପଲବ୍ଧ ତାହା ସେଇଆ ଭାବେ ଦେଖାଯିବା ଦରକାର । ତେଣୁ ଦରବୃଦ୍ଧିକୁ ଆଭିମୁଖ୍ୟ ପ୍ରସଙ୍ଗ ବୋଲି ଧରାଯିବା ଉଚିତ ନୁହେଁ ଓ ମୂଲ୍ୟବୋଧ ବାସ୍ତବତାକୁ ଏଡାଇ ଯିବାର ଏହା ଏକ ଉପାୟ ନୁହେଁ । ଏ ବାସ୍ତବତା ଆମକୁ ଗ୍ରହଣ କରିବାକୁ ହେବ । ଆପଣ ଦେଖିଥିବେ ଯେ ପୂର୍ବବର୍ତ୍ତୀ ସରକାର ଅମଳରେ କେମିତି ଦରଦାମ ବୃଦ୍ଧି ଘଟିଥିଲା । ଏବେ ଏହି ଦରବୃଦ୍ଧି ମାତ୍ରାରେ ହ୍ରାସ ଘଟିଛି । ଆପଣ ପରିସଂଖ୍ୟାନକୁ ଦେଖିପାରନ୍ତି ସେଥିରୁ ସ୍ପଷ୍ଟ ବୁଝାପଡିବ । ଦ୍ୱିତୀୟ କଥା ହେଲା ଦେଶ ଲଗାତାର ଦୁଇ ବର୍ଷ ଧରି ପ୍ରବଳ ମରୁଡିର ସମ୍ମୁଖୀନ ହୋଇଛି । ପନିପରିବା, ଖାଦ୍ୟ ଓ ଡାଲିଜାତୀୟ ଶସ୍ୟର ମୂଲ୍ୟ ଉପରେ ସ୍ଵଳ୍ପ ବୃଷ୍ଟି ଓ ମରୁଡିର ପ୍ରତ୍ୟେକ୍ଷ ପ୍ରଭାବ ରହିଛି । କାରଣ ଏସବୁ ପଦାର୍ଥ ମୃର୍ତ୍ତିକାରୁ ହିଁ ଉତ୍ପାଦିତ ହୋଇଥାଏ । ଏବେ ଯେତେବେଳେ ଏକ ବଡ ମରୁଡି ଘଟିଛି ତାହା କାହାରି ହାତର କଥା ନୁହେଁ । ଏପରି ପରିସ୍ଥିତିରେ ଦ୍ୱିତୀୟ ଉପାୟଟି ହେଲା ଆମଦାନୀ । ଭାରତ ସରକାର ପ୍ରଚୁର ପରିମାଣର ଡାଲି ବିଦେଶରୁ ଆମଦାନୀ କରିଛନ୍ତି । ତୃତୀୟତଃ ଏହା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ଦାୟିତ୍ୱ । ଏହା କେବଳ ରାଜ୍ୟମାନଙ୍କ ଦାୟିତ୍ୱ ନୁହେଁ । କିମ୍ବା ସମ୍ପୂର୍ଣ୍ଣ ରୂପେ କେନ୍ଦ୍ରର ଦାୟିତ୍ୱ ମଧ୍ୟ ନୁହେଁ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ମିଳିତ ଭାବେ ଦାୟୀ । ତେବେ ଏହାକୁ ଏକ ଦୋଷାରୋପ ପ୍ରସଙ୍ଗ ଭାବେ ଧରାଯିବ ଅନୁଚିତ ଯେ ରାଜ୍ୟ ସରକାର କେତେକ କାର୍ଯ୍ୟପନ୍ଥା ଗ୍ରହଣ କଲେ ନାହିଁ ଏବେ କେନ୍ଦ୍ର ସରକାର ଆଉ କିଛି ପଦକ୍ଷେପ ନେଲେନାହିଁ । କିନ୍ତୁ ଏକଥା ସ୍ଵୀକାର କରିବାକୁ ପଡିବ ଯେ ଉଭୟଙ୍କ ପାଇଁ ଏହା ମିଳିତ ଦାୟିତ୍ୱ । ସେଥିପାଇଁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଅଧିକ ସୁଦୃଢ଼ ଆଇନ ପ୍ରଣୟନ ଲାଗି ଅଧିକାର ଦେଇଛନ୍ତି । କେତେ ମାଲ୍ ମହଜୁଦ୍ ରଖାଯିବ ଅବା ନଯିବ ସେ ନିଷ୍ପତ୍ତି ରାଜ୍ୟ ସରକାର ଗ୍ରହଣ କରିବେ । ଏ ଦିଗରେ ରାଜ୍ୟମାନଙ୍କୁ ସମ୍ପୂର୍ଣ୍ଣ ଅଧିକାର ପ୍ରଦାନ କରାଯାଇଛି । ଏଥିରେ କିଛି ରାଜ୍ୟ ଖୁବ୍ ଭଲ ପ୍ରଦର୍ଶନ କରିଛନ୍ତି, କିଛି ରାଜ୍ୟ ଉଦ୍ୟମ କରୁଛନ୍ତି । କିନ୍ତୁ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ଏ ଦିଗରେ କାର୍ଯ୍ୟ କରିବାକୁ ଚେଷ୍ଟିତ ଅଛନ୍ତି । ମୋର ବିଶ୍ୱାସ ଯେ ଯେଉଁ ମାତ୍ରାରେ ଦରଦାମ୍ ବୃଦ୍ଧି (ୟୁପିଏ ସରକାର ବେଳେ) ଘଟୁଥିଲା, ଆମେ ତାକୁ ରୋକିବାରେ ସଫଳ ହୋଇଛୁ । ଯଦି ସେଇ ମାତ୍ରାରେ ଦରଦାମ ବୃଦ୍ଧି ଘଟି ଚାଲିଥାନ୍ତା ତେବେ ଅବସ୍ଥା କଣ ବା ହୋଇଥାନ୍ତା କିଏ ବା କହିବ । ଆମେ ଦରଦାମ ବୃଦ୍ଧିକୁ ସଫଳତାର ସହ ରୋକି ପାରିଛୁ । କିନ୍ତୁ ଡାଲି ଜାତୀୟ ଶସ୍ୟ ପ୍ରସଙ୍ଗରେ କୁହାଯାଇପାରେ ଯେ ଭାରତରେ ଏହାର ଉତ୍ପାଦନ ଖୁବ୍ ସ୍ୱଳ୍ପ । ଅନେକ କୃଷକ ଯେଉଁମାନେ ପୂର୍ବରୁ ଡାଲି ଜାତୀୟ ଶସ୍ୟ ଚାଷ କରୁଥିଲେ ସେମାନେ ଏବେ ଆଖୁ ଚାଷ କରିବା ଆରମ୍ଭ କରିଛନ୍ତି । ତାହା ମଧ୍ୟ ଉଦ୍ବେଗର ଏକ ପ୍ରସଙ୍ଗ । ଆମେ ଡାଲି ଜାତୀୟ ଶସ୍ୟ ପାଇଁ ସ୍ୱତନ୍ତ୍ର ପ୍ରୋତ୍ସାହନ ଦେଇଛୁ । ଡାଲି ଜାତୀୟ ଶସ୍ୟ ପାଇଁ ଆମେ ଭିନ୍ନ ଭିନ୍ନ ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ ପାଇଁ ଚେଷ୍ଟା କରିଛୁ । ଆମେ କୃଷକମାନଙ୍କୁ ବୋନସ୍ ଦେଇ ଡାଲି ଜାତୀୟ ଶସ୍ୟ ସଂଗ୍ରହ ପାଇଁ ପଦକ୍ଷେପ ଗ୍ରହଣ କରିଛୁ । ଆମର ଗୁରୁତ୍ୱ ହେଲା – ଡାଲି ଜାତୀୟ ଶସ୍ୟ ଉତ୍ପାଦନ ବୃଦ୍ଧି କରିବା । ତେଣୁ ବିଶେଷରୁ ଏହି ସବୁ ଡାଲି ଜାତୀୟ ଶସ୍ୟ ଆମଦାନୀ କରି ଗଚ୍ଛିତ ରଖିବା ଉପରେ ଆମେ ଗୁରୁତ୍ୱ ଦେଉଛୁ । ଏଥିଲାଗି ସରକାର ସବୁ ମତେ ଉଦ୍ୟମ କରୁଛନ୍ତି ଏବଂ ମୋର ବିଶ୍ୱାସ ଯେ ସରକାରଙ୍କର ଏହି ନିଷ୍ଠାକୁ କେହି ସନ୍ଦେହ କରୁନାହାନ୍ତି ।

ଅର୍ଣ୍ଣବ: ପ୍ରଧାନମନ୍ତ୍ରୀ ମହୋଦୟ, ଆରବିଆଇ ଗଭର୍ଣ୍ଣର ରଘୁରାମ ରାଜନଙ୍କ ବିଦାୟ ବିବାଦ ସଂପର୍କରେ ଆପଣଙ୍କର ମତ କଣ? ଏ ପ୍ରସଙ୍ଗରେ ଅନେକ ଚର୍ଚ୍ଚା ହୋଇସାରିଛି । ଏପରି କଥା ବି ଉଠିଛି ଯେ, ଏହା ଭାରତର ମର୍ଯ୍ୟାଦା ଓ ଏକ ବିଶ୍ୱ ଆର୍ଥିକ ଶକ୍ତି ଭାବେ ମୁଣ୍ଡ ଟେକୁଥିବା ଦୃଷ୍ଟିଭଙ୍ଗୀକୁ ଆକ୍ରାନ୍ତ କରିପାରେ । ରଘୁରାମ ରାଜନଙ୍କ ବିଦାୟ ବିବାଦ ସମ୍ପର୍କରେ ଆପଣଙ୍କର ବ୍ୟକ୍ତିଗତ ମତ କଣ?

ପ୍ରଧାନମନ୍ତ୍ରୀ ମୋଦୀ: 2014 ମେ ମାସରେ ଯେତେବେଳେ ମୋ ସରକାର ଗଠନ ହେଲା, ଆପଣ ମେ, ଜୁନ, ଜୁଲାଇ 2014 ର ସମ୍ବାଦପତ୍ର ରିପୋର୍ଟକୁ ନେଇପାରନ୍ତି ଏବଂ ସେଇ ସମୟର ଟେଲିଭିଜନରେ ହୋଇଥିବା ଆଲୋଚନା ଉପରେ ବି ନଜର ପକାଇପାରନ୍ତି । ସେତେବେଳେ ଟେଲିଭିଜନ ଆଲୋଚନାର ପ୍ରସଙ୍ଗ ଥିଲା – ନୂଆ ସରକାର ରଘୁରାମ ରାଜନଙ୍କୁ ତାଙ୍କ ପଦରେ ରହିବାକୁ ଦେବେ କି? ନା ରଘୁରାମ ରାଜନଙ୍କୁ ବିଦା କରିବେ? ଏବଂ ପ୍ରାୟତଃ ସଭିଏଁ ଏକମତ ଥିଲେ ଯେ ସେ ପୂର୍ବ ସରକାରଙ୍କ ଅମଳରେ ନିଯୁକ୍ତି ପାଇଥିଲେ ତେଣୁ ମୋଦୀ ତାଙ୍କୁ ତାଙ୍କ କାର୍ଯ୍ୟକାଳ ପୂରଣ ହେବାକୁ ଦେବେନାହିଁ ଓ ବିଦା କରିବେ । ଆପଣ ଦେଖିଲେ ଯେ ସେ ତାଙ୍କ କାର୍ଯ୍ୟକାଳ ପୂରଣ କଲେ । ପୂର୍ବ ସରକାରଙ୍କ ବେଳରୁ ନିଯୁକ୍ତି ପାଇ ସେ ସଂପୂର୍ଣ୍ଣ ଅବଧି ପୂରଣ କରିଛନ୍ତି । ତେଣୁ ସବୁ ପ୍ରକାର କଳ୍ପନାଜଳ୍ପନା ଦୂର ହୋଇଛି । ଦ୍ୱିତୀୟତଃ ସରକାରରେ ମୋର ଦୁଇ ବର୍ଷର ଅଭିଜ୍ଞତା ହେଉଛି, ଯେଉଁମାନେ ବିବାଦ ସୃଷ୍ଟି କରୁଛନ୍ତି, ସେମାନେ ରଘୁରାମ ରାଜନଙ୍କ ପ୍ରତି ନ୍ୟାୟ କରୁନାହାନ୍ତି ।

ଅର୍ଣ୍ଣବ: କାହିଁକି ଏପରି ହେଉଛି?

ପ୍ରଧାନମନ୍ତ୍ରୀ ମୋଦୀ: ମୁଁ ଆପଣଙ୍କୁ କହୁଛି, ଯେଉଁମାନେ କହୁଛନ୍ତି. . . ମୋର ବିଶ୍ୱାସ ରଘୁରାମ ରାଜନଙ୍କ ଦେଶପ୍ରୀତି ଆମମାନଙ୍କ କାହାରି ଦେଶଭକ୍ତିଠାରୁ କୌଣସି ଗୁଣେ ନ୍ୟୁନ ନୁହେଁ । ଏହା ତାଙ୍କ ପ୍ରତି ଅନ୍ୟାୟ ହେବ ଯଦି କେହି କହନ୍ତି ଯେ ସେ ଏକ ନିର୍ଦ୍ଦିଷ୍ଟ ପଦବୀରେ ରହନ୍ତି ତେବେ ସେ ତାଙ୍କ ଦେଶ ସେବା କଲେ ପାଇବେ । ମୁଁ ରଘୁରାମ ରାଜନଙ୍କୁ ଯେତିକି ଜାଣେ, ସେ ଯେଉଁ ପଦବୀରେ ଥାଆନ୍ତୁ, ଯେଉଁଠି ଥାଆନ୍ତିୁ, ସେ ଏପରି ଜଣେ ବ୍ୟକ୍ତି ଯିଏ ନିଜ ଦେଶ ମାତୃକାର ସେବା କରିପାରିବେ, ସେ ଏପରି ଜଣେ ବ୍ୟକ୍ତି ଯିଏ ନିଜ ଦେଶକୁ ଖୁବ୍ ଭଲ ପାଆନ୍ତି । ତେଣୁ ଏପରି ନୁହେଁ ଯେ ଭାରତ ରଘୁରାମ ରାଜନଙ୍କ ସେବାରୁ ବଂଚିତ ହେବ । ରଘୁରାମ ରାଜନ ସେପରି ବ୍ୟକ୍ତି ନୁହଁନ୍ତି । ସେ ତାଙ୍କ ମାତୃଭୂମିକୁ ଅନେକ ଶ୍ରଦ୍ଧା କରନ୍ତି । ଯେଉଁମାନେ ଏପରି ଭାଷାରେ ତାଙ୍କୁ ସମାଲୋଚନା କରୁଛନ୍ତି, ସେମାନେ ତାଙ୍କ ପ୍ରତି ଅନ୍ୟାୟ କରୁଛନ୍ତି । ତାଙ୍କ ସହ ମୋର ଅନୁଭୂତି ବେଶ୍ ଉତ୍ତମ । ସେ କରିଥିବା କାର୍ଯ୍ୟର ମୁଁ ଜଣେ ଉଚ୍ଚ ପ୍ରଶଂସକ ଏବଂ ତାଙ୍କ ପ୍ରତି ମୋର ଶୁଭକାମନା ସଦାବେଳେ ରହିବ ।

ଅର୍ଣ୍ଣବ: ପ୍ରଧାନମନ୍ତ୍ରୀ ମୋଦୀ ମହୋଦୟ, ଏ ସଂପର୍କରେ ପ୍ରଶ୍ନଟିଏ ଅଛି । କାର୍ଯ୍ୟକାରୀ ବୈଠକରେ ଆପଣ ଉଦ୍ବୋଧନ ଦେଉଥିବାବେଳେ, ଆପଣ “ସ” ରେ ଆରମ୍ଭ ହେଉଥିବା 7 ଟି ଶଦ୍ଦ ବ୍ୟବହାର କରିଥିଲେ । ତାହା ଥିଲା “ସେବାଭାବ”, “ସନ୍ତୁଳନ”, “ସଂଯମ”, “ସମବାଦ”, “ସମନ୍ୱୟ”, “ସକାରାତ୍ମକ” ଏବଂ “ସମବେଦନା” । ମୁଁ ରଘୁରାମ ରାଜନଙ୍କ ସମ୍ପର୍କରେ ଆପଣଙ୍କୁ ପ୍ରଶ୍ନଟିଏ ପଚାରିବାକୁ ଚାହେଁ । କାରଣ ଆପଣ ଆହ୍ଲାବାଦଠାରେ ଅନୁଷ୍ଠିତ ଦ୍ୱିତୀୟ କାର୍ଯ୍ୟକାରିଣୀରେ ଭାଷଣ ଦେବା ବେଳେ ଏଇ ସବୁ ଶଦ୍ଦ ବ୍ୟବହାର କରିଥିଲେ । ଆପଣ କହିଥିଲେ, “ଆମର ଦଳୀୟ ନେତା ଓ କର୍ମୀଗଣଙ୍କ ଦୈନିନ୍ଦିନ କାର୍ଯ୍ୟାବଳୀ ଓ ଆଚରଣରେ ଏଭଳି ଗୁଣ ପ୍ରତିଫଳିତ ହେବା ଉଚିତ ।” ପ୍ରଧାନମନ୍ତ୍ରୀ ଜୀ, ରଘୁରାମ ରାଜନଙ୍କ ପରିପ୍ରେକ୍ଷୀରେ, ଆପଣଙ୍କ ଦଳର ରାଜ୍ୟସଭା ସାଂସଦ ଅନେକ ସମାଲୋଚନା କରୁଛନ୍ତି । ପରେ ସେ ବରିଷ୍ଠ ଅମଲାମାନଙ୍କ ପ୍ରତି ବି କଟୁ ମନ୍ତବ୍ୟମାନ ଦେଇଛନ୍ତି । ମୋର ପ୍ରଶ୍ନ ହେଲା, ଆପଣ ଏହାକୁ ଉଚିତ ବୋଲି ଭାବୁଛନ୍ତି କି? ଆମେ ଯେତେବେଳେ “ସଂଯମ” ଓ “ସନ୍ତୁଳନ” କଥା କହୁଛୁ, ଏପରି କହିବା ଠିକ୍ ହୋଇଛି କି?

ପ୍ରଧାନମନ୍ତ୍ରୀ ମୋଦୀ: ସେପରି ବ୍ୟକ୍ତି ମୋ ଦଳର ହୋଇଥାନ୍ତୁ ବା ନହୋଇଥାନ୍ତୁ, ମୋର ବିଶ୍ୱାସ ଯେ ଏପରି ଘଟଣା ସ୍ପୃହଣୀୟ ନୁହେଁ । ଏଭଳି “ପ୍ରଚାର ଧର୍ମୀ ଦୁଃସାହସ”ରୁ ରାଷ୍ଟ୍ର ଆଦୌ ଉପକୃତ ହେବନାହିଁ । ନିଜ ଆଚରଣରେ ଜଣେ ଅଧିକ ଦାୟିତ୍ୱବାନ ହେବା ଆବଶ୍ୟକ । ଯିଏ ବି ବ୍ୟବସ୍ଥାଠାରୁ ନିଜକୁ ବଡ ବୋଲି ଭାବନ୍ତି ସେ ଭୁଲ କରିବସିଥାନ୍ତି ।

ଅର୍ଣ୍ଣବ: ଏ ବାର୍ତ୍ତା ତ ବେଶ୍ ସ୍ପଷ୍ଟ ।

ପ୍ରଧାନମନ୍ତ୍ରୀ ମୋଦୀ: ମୋ ବାର୍ତ୍ତା ବେଶ୍ ସ୍ପଷ୍ଟ । ଏଥିରେ ମୋର ଦ୍ୱିମତ ନାହିଁ ।

ଅର୍ଣ୍ଣବ: ପ୍ରଧାନମନ୍ତ୍ରୀ ମହୋଦୟ, ମୁଁ କହିପାରେ ଯେ ମେ 8 ଏବଂ ଆଜି ମଧ୍ୟରେ ଆପଣ ପୂର୍ବଭଳି ସିଧାସଳଖ ଆପଣଙ୍କ ସ୍ପଷ୍ଟମତ ପୋଷଣ କରିଛନ୍ତି । ମୁଁ ଭାବୁଛି ଆପଣଙ୍କ ଉତ୍ତର ମୋତେ ମୋର ପରବର୍ତ୍ତି ପ୍ରସଙ୍ଗକୁ ନେଇଯାଉଛି । ପ୍ରଧାନମନ୍ତ୍ରୀ ଜୀ ଏ ପ୍ରସଙ୍ଗଟି ହେଉଛି କଳାଧନ ଉପରେ । ଖୁବ୍ ବଢ଼ିଆ ଢ଼ଙ୍ଗରେ ଆପଣ କହିଥିଲେ, ଅନୁଭୂତି ଦୃଷ୍ଟିକୋଣରୁ ମୂଲ୍ୟକୁ ବିବେଚନା କରାଯିବା ଅନୁଚିତ । ପ୍ରଧାନମନ୍ତ୍ରୀ ଜୀ ସେଇ ନ୍ୟାୟରେ କୁହାଯାଇପାରେ ଯେ ଅନୁଭୂତି ଦୃଷ୍ଟିକୋଣରୁ କଳାଟଙ୍କା ପ୍ରସଙ୍ଗକୁ ବି ଦେଖାଯିବା ଅନୁଚିତ । କିନ୍ତୁ ଏହା ଏକ ଅନୁଭୂତି ସୃଷ୍ଟିକାରୀ ପ୍ରସଙ୍ଗ । ଏ ସଂପର୍କରେ ରାଜନୈତିକ ଆଲୋଚନା ହେଉଛି, ବିଶେଷଜ୍ଞମାନେ କହୁଛନ୍ତି ଯେ କଳାଟଙ୍କା ଅର୍ଥ ବ୍ୟବସ୍ଥା ସଂକୁଚିତ ହୋଇଛି । 10-15 ପ୍ରତିଶତ ଅର୍ଥ ବ୍ୟବସ୍ଥା ଜମିଜମା କାରବାର ଓ ଅନ୍ୟ ପ୍ରସଙ୍ଗ ଯୋଗୁଁ କମିଛି । ଆପଣ କଳା ଟଙ୍କା ବିଲ୍ ଗୃହୀତ କରାଇଛନ୍ତି । କର ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ କରିଛନ୍ତି । ଅନ୍ୟ ରାଷ୍ଟ୍ରଙ୍କ ସହ ଆପଣ ସୂଚନା ବିନିମୟ ଆରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ଜୀ ଏ ଦିଗରେ ଆପଣ ଅନେକ ପଦକ୍ଷେପ ନେଇଛନ୍ତି । କିନ୍ତୁ ଲୋକମାନେ ଆଶାକରନ୍ତି ଯେ 25 ଲକ୍ଷ କୋଟି ଅଣାଯାଇ ସେମାନଙ୍କ ବ୍ୟାଙ୍କ ଜମାଖାତାରେ ଭରାଯିବ । ସେମାନଙ୍କର ଏ ଆଶାକୁ ଆପଣ କିପରି ପୂରଣ କରିବେ? କଳା ଟଙ୍କା ସମ୍ପର୍କରେ ସେମାନଙ୍କ ଆଶା ଆକାଂକ୍ଷାକୁ ଆପଣ କିଭଳି ମୁକାବିଲା କରିବେ?

ପ୍ରଧାନମନ୍ତ୍ରୀ ମୋଦୀ: କଳା ଟଙ୍କା ପ୍ରସଙ୍ଗ କେମିତି ମୁଣ୍ଡ ଟେକିଥିଲା ଓ ଏହା କିପରି ଏକ ଗୁରୁତର ପ୍ରସଙ୍ଗ ହେଲା? ଆମକୁ ଏହାର ପୃଷ୍ଠଭୂମି ଉପରେ ନଜର ପକାଇବାକୁ ପଡିବ । ସାଧାରଣ ଲୋକଙ୍କ ମନରେ ଏହା ଏକ ବଦ୍ଧମୂଳ ଧାରଣ ଯେ ଯେଉଁମାନେ ଟଙ୍କା ଚୋରି କରନ୍ତି ସେମାନେ ସେ ଟଙ୍କାକୁ ନେଇ ଦରିଆପାରି(ବିଦେଶ)ରେ ଲୁଚାଇ ରଖନ୍ତି । ଏହା ଏକ ସାଧାରଣ ଚିନ୍ତାଧାରା । ଯଦିବା ମୁଁ ଏକଥା ସାଧାରଣ ଲୋକଙ୍କ ଦୃଷ୍ଟିକୋଣରୁ ଗ୍ରହଣ କରେ । ମୁଁ ବି ଆଶ୍ଚର୍ଯ୍ୟ ହେଉଛି ଏତେ ଟଙ୍କା ଗଲା ଗୁଆଡେ? ଏହି ପ୍ରସଙ୍ଗକୁ ନେଇ ସଂସଦରେ ହଟ୍ଟଗୋଳ ଚାଲିଠାଉଛି । ଯେତେବେଳେ ଏକଥା ସୁପ୍ରିମକୋର୍ଟରେ ପହଂଚିଲା, ସୁପ୍ରିମକୋର୍ଟ କହିଲେ ସ୍ୱତନ୍ତ୍ର ଅନୁଧ୍ୟାନକାରୀ ଦଳ (ଏସଆଇଟି) ଏହାର ଅନୁଧ୍ୟାନ କରିବେ । ତଥାପି ପୂର୍ବ ସରକାର ଏହାକୁ ତିନି ବର୍ଷ ଟାଳିଦେଲେ 2011 ରୁ 2014 ପର୍ଯ୍ୟନ୍ତ । ଏଇ ଘଟଣା ପରେ ରାଜନୈତିକ ଦଳ, ଗଣମାଧ୍ୟମ ଓ ସାଧାରଣ ଲୋକ ବିଶ୍ୱାସ କରିବାକୁ ଆରମ୍ଭ କଲେ ଯେ କିଛି ଗୋଟାଏ ଭୁଲ ହୋଇଛି । ତା ପରେ ଯାଇ କଳା ଟଙ୍କା ଏଜେଣ୍ଡାରେ ପରିଣତ ହେଲା । ଏପରିକି ମୁଁ ଆଜି ସୁଦ୍ଧା କହିବି. . . ଯେ, ହଁ, ବିଦେଶରେ ଯେଉଁଠି ବି କଳା ଟଙ୍କା ଗଚ୍ଛିତ ରହିଛି, ସେ ପ୍ରସଙ୍ଗରେ ବିଦେଶୀ ରାଷ୍ଟ୍ରଙ୍କ ସହ ଆଲୋଚନା ଜାରି ରହିଛି । 2011-14 ମଧ୍ୟରେ ଏ ଲୋକମାନଙ୍କୁ ଟଙ୍କାକୁ ଏଠି ସେଠି ଲୁଚାଇ ରଖିବାକୁ ସୁଯୋଗ ଦିଆଯାଇଥିଲା ।

ଅର୍ଣ୍ଣବ: 2015 ଫେବ୍ରୁଆରୀ 17 ତାରିଖ ଦିନ ଆପଣ ମଧ୍ୟ ଏହି ପ୍ରସଙ୍ଗରେ କହିଥିଲେ ଯେ ତତ୍କାଳୀନ ଆଇନମନ୍ତ୍ରୀ କେବଳ ମୁହଁରେ ସବୁକଥା କହୁଥିଲେ କାର୍ଯ୍ୟରେ ନୁହେଁ ।

ପ୍ରଧାନମନ୍ତ୍ରୀ ମୋଦୀ: ଫଳ ହେଲା ଏଇଆ ଯେ ଲୋକମାନେ ଟଙ୍କା ହଡପ କରିବାର ଅନେକ ସୁଯୋଗ ପାଇଲେ । ଦ୍ୱିତୀୟତଃ, ଆମ ସରକାର ଗଠିତ ହେବାପରେ ଆମ କ୍ୟାବିନେଟ୍ ପ୍ରଥମ ନିଷ୍ପତ୍ତି ନେଇଥିଲା ଯେ କଳା ଟଙ୍କା ସମ୍ପର୍କରେ ସ୍ୱତନ୍ତ୍ର ଅନୁଧ୍ୟାନକାରୀ ଦଳ (ଏସଆଇଟି) ଗଠନ କରାଯିବ ଓ ବିଦେଶରେ ଗଚ୍ଛିତ କଳା ଟଙ୍କା ଫେରାଇ ଅଣାଯିବ ଯାହାକି ସୁପ୍ରିମକୋର୍ଟଙ୍କ 2011 ଆଦେଶ ସତ୍ତ୍ୱେ କାର୍ଯ୍ୟକାରୀ ନହୋଇ ପଡିରହିଥିଲା । ଏହା ଆମ ନିଷ୍ଠାକୁ ପ୍ରମାଣିତ କରେ । ସେଇ ଦିନଠାରୁ, କଳା ଟଙ୍କା ଫେରାଇ ଆଣିବାକୁ ଆଇନକୁ କେତେ ଜଟିଳ କରାଯାଇଛି ତାହା ଆପଣ କଳ୍ପନା ସୁଦ୍ଧା କରିପାରିବେନି । ଯିଏ ବି ଏଇ ପରିସରଭୁକ୍ତ ହେବେ ସେମାନେ ଜାଣିପାରିବେ ଆଇନ କେତେ କଡା କଡି କରାଯାଇଛି । ତୃତୀୟତଃ ମୁଁ ଜି-20 ସମ୍ମିଳନୀରେ ଯୋଗଦେଇଥିଲି । ଏହା ପୂର୍ବରୁ ଜି-20 ସମ୍ମିଳନୀରେ କଳା ଟଙ୍କା ପ୍ରସଙ୍ଗରେ କେବେ ବି ଆଲୋଚନା ହୋଇନଥିଲା । ଏହା ଥିଲା ମୋର ପ୍ରଥମ ଜି-20 ସମ୍ମିଳନୀରେ ଯୋଗଦାନ । ମୁଁ ପ୍ରଥମ ଥର ପାଇଁ ସେଠାରେ ବିଶ୍ୱ ନେତୃବର୍ଗଙ୍କୁ ଭେଟିଲି ଏବଂ ସେଠାରେ ପ୍ରଥମ ଥର ପାଇଁ ଜି-20 ବୈଠକରେ ହିସାବ ନଥିବା ଅର୍ଥ ସମ୍ପର୍କରେ ଗୋଟିଏ ପାରା ଯୋଗ କରାଯାଇଥିଲା । କଳା ଟଙ୍କା ବିଷୟରେ ବି ସେଥିରେ ଉଲ୍ଲେଖ ରହିଲା । 20ଟି ରାଷ୍ଟ୍ର କହିଲେ ଯେ କଳା ଟଙ୍କା ପ୍ରସଙ୍ଗରେ ବିଶ୍ୱ ଏକଜୁଟ୍ ହେବା ଦରକାର । ଏଇ ଘୃଣ୍ୟ ଟଙ୍କା କଳା ଟଙ୍କା ଆତଙ୍କବାଦ ସହ ମଧ୍ୟ ଜଡିତ । ସେଠାରେ ବିଶ୍ୱ ସହମତର ଏକ ପରିବେଶ ସୃଷ୍ଟି ହୋଇଥିଲା । ଆମେ ଏବେ ଗୋଟିଏ ପରେ ଗୋଟିଏ ରାଷ୍ଟ୍ର ସହ ଏଥି ଘେନି ରାଜିନାମା ସ୍ୱାକ୍ଷର କରୁଛୁ । ନିର୍ଦ୍ଧାରିତ ସମୟ ମଧ୍ୟରେ ଓ ସ୍ୱତଃପ୍ରବୃତ ଭାବେ ସୂଚନା ଆଦାନ ପ୍ରଦାନ କରାଯିବ । କିନ୍ତୁ ମୁଁ ସେଠାରୁ ଫେରିବା ପରେ, ସୁଇଜରଲାଣ୍ଡରୁ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଭାରତ ଗସ୍ତରେ ଆସିଥିଲେ । ଭାରତ ସରକାରଙ୍କ ସହ ସେମାନେ ଆଲୋଚନା କରେ । ଅନେକ ବର୍ଷ ଧରି, ଆମେ ବିଶ୍ୱାସ କରୁଥିଲୁ ଯେ ସବୁ କଳ ଟଙ୍କା ସୁଇଜରଲାଣ୍ଡରେ ଗଚ୍ଛିତ ରହିଛି । ଏବେ ସେଇ ଦେଶ ସହ ସ୍ୱତଃପ୍ରବୃତ ସୂଚନା ଆଦାନ ପ୍ରଦାନ ଲାଗି ଆଲୋଚନା ଚାଲିଛି । ଯଦି ଆମେ ସହମତ ହେଲୁ ଏହା ଏକ ବିରାଟ ଉପଲବ୍ଧି ହେବ । ତୃତୀୟତଃ, ଆପଣ ଲକ୍ଷ୍ୟ କରିଥିବେ ଯେ ମରିସସ ବାଟ ମଧ୍ୟ ସବୁ କଥାରେ ଆସୁଛି । କୁହାଯାଏ ଯେ ଭାରତରୁ ଟଙ୍କା ଚାଲିଯାଏ କିନ୍ତୁ ଫେରେ ମରିସସ ବାଟ ଦେଇ । ସେ କଥା ବି ଆଲୋଚନା ହୋଇଛି । ସମସ୍ତେ ଭାବୁଥିଲେ ଯେ ମରିସସ ଚୋରା ବାଟ ସମ୍ପର୍କରେ କିଛି କରିହେବ ନାହିଁ । କିନ୍ତୁ ଆମ ସରକାର ମରିସସ୍ ସରକାରଙ୍କ ସହିତ ଏ ବିଷୟରେ ଆଲୋଚନା କରିଛି । ପୁରୁଣା ରାଜିନାମାରେ ପରବର୍ତ୍ତନ ଅଣାଯାଇଛି । ମରିସସ୍ ବାଟ ଦେଇ ଆସୁଥିବା ଟଙ୍କାକୁ ରୋକିବା ସକାଶେ ଆମେ ଏକ ନୂଆ ରାଜିନାମା ସଫଳତାର ସହ ସ୍ୱାକ୍ଷର କରିଛୁ । ଖୁବଶୀଘ୍ର ପୁରୁଣା ରାଜିନାମା ବଦଳରେ ନୂଆ ରାଜିନାମା କାର୍ଯ୍ୟକାରୀ ହେବ । କଳା ଟଙ୍କା ବିପଦକୁ ଟାଳିବା ଲାଗି ଏହିସବୁ ନିଷ୍ପତ୍ତିମାନ ଗ୍ରହଣ କରାଯାଇଛି । ଏହା କେବଳ ଏକପକ୍ଷର ସଂଗ୍ରାମ ନୁହେଁ । ଦ୍ୱିତୀୟତଃ ସରକାର ମଧ୍ୟ ଏହି ଦିଗରେ କାର୍ଯ୍ୟ କରୁଛନ୍ତି ଯଦ୍ୱାରା ଭାରତରେ କଳା ଟଙ୍କା ସୃଷ୍ଟି ହେବନାହିଁ କିମ୍ବା ଭାରତରୁ କଳା ଟଙ୍କା ବାହାରକୁ ଯାଇପାରିବ ନାହିଁ । ଆପଣ ଏ ସବୁର ସୁଫଳ ଲକ୍ଷ୍ୟ କରିପାରୁଥିବେ ।

ଅର୍ଣ୍ଣବ: ଯେତେବେଳେ ବିରୋଧୀ ଦଳମାନେ 15 ଲକ୍ଷ କୋଟି ଟଙ୍କା ପ୍ରସଙ୍ଗ ଉଠାଉଛନ୍ତି?

ପ୍ରଧାନମନ୍ତ୍ରୀ ମୋଦୀ: ସେକଥା କେବଳ ବିରୋଧୀ ମାନେ ନିର୍ବାଚନ ସମୟରେ ଉଠାଇଥାନ୍ତି । କୌଣସି ଏକ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ଆଗେଇ ଆସନ୍ତୁ ।

ଅର୍ଣ୍ଣବ: ପ୍ରଧାନମନ୍ତ୍ରୀ ମହୋଦୟ, ଗତ ଦୁଇ ବର୍ଷ ମଧ୍ୟରେ ଆପଣଙ୍କ ଶାସନ କାଳରେ କୌଣସି ବଡ ଧରଣର ଆର୍ଥିକ ଦୁର୍ନୀତି ଅଥବା ହେରଫେର ଘଟିନାହିଁ । ଲୋକମାନଙ୍କ ଭାବନା ପୁଣି ଥରେ, ଯାହା ଲୋକମାନେ କହନ୍ତି ଯେ ଆପଣ ସରକାରଙ୍କ ଉପରେ ଦୃଢ଼ ନିୟନ୍ତ୍ରଣ ରଖିଛନ୍ତି । କିନ୍ତୁ ପ୍ରଶ୍ନ ହେଉଛି ଏପରି ଲୋକ ଅଛନ୍ତି ଯେଉଁମାନେ ଜାଣି ଶୁଣି ଖିଲାପକାରୀ ହୁଅନ୍ତି । ସେମାନେ ଆର୍ଥିକ ଦୃଷ୍ଟିରୁ ଦୋଷୀ । ସେମାନେ ଦେଶରୁ ଯଥେଷ୍ଟ ଟଙ୍କା ଲୁଟନ୍ତି କିମ୍ବା ଆର୍ଥିକ ଅପରାଧ ଘଟାଇଥାନ୍ତି । ପୁଣି ବିଦେଶକୁ ପଳାଇଯାଇ ଆଇନ୍ ଓ ଆଇନଜ୍ଞଙ୍କୁ ବ୍ୟବହାର କରନ୍ତି । ସେମାନେ ଭାରତକୁ ଆଉ ଫେରନ୍ତି ନାହିଁ । ଏବଂ ଏବେ ଲୋକମାନେ ପଚାରୁଛନ୍ତି, ଏଭଳି ଜାଣିଶୁଣି ଖିଲାପ କରୁଥିବା ଏବଂ ଆର୍ଥିକ ଅପରାଧ ଘଟାଉଥିବା ଲୋକମାନଙ୍କ ବିରୋଧରେ ନରେନ୍ଦ୍ର ମୋଦୀ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପ୍ରତିବଦ୍ଧ କି?

ପ୍ରଧାନମନ୍ତ୍ରୀ ମୋଦୀ: ପ୍ରଥମତଃ ଏଭଳି ପ୍ରଶ୍ନ ଲୋକମାନଙ୍କ ମନରେ ନାହିଁ । ଭାରତର ଲୋକମାନଙ୍କର ବିଶ୍ୱାସ ଅଛି ଯେ, ଯଦି କେହି ଏକଥା କରିପାରିବ ସେ ହେଉଛି ନରେନ୍ଦ୍ର ମୋଦୀ । ଏବଂ ସେ ଏହା ନିଶ୍ଚୟ କରିବେ । ଜନସାଧାରଣଙ୍କର ପୂର୍ଣ୍ଣ ଆସ୍ଥା ରହିଛି ।

ଅର୍ଣ୍ଣବ: ଆପଣଙ୍କୁ ଏହା ଦୁଶ୍ଚିନ୍ତାରେ ପକାଉଛିକି ଯେ ଲୋକମାନେ ଆଇନର ଅପବ୍ୟବହାର କରୁଛନ୍ତି?

ପ୍ରଧାନମନ୍ତ୍ରୀ ମୋଦୀ: ମୁଁ ଏହାକୁ ଏକ ସୁଯୋଗ ଭାବେ ଗ୍ରହଣ କରୁଛି ଏବଂ ସେମାନଙ୍କୁ ଦେଖାଇ ଦେବି ଯେ ଆଇନ କଣ କରିପାରେ ।

ଅର୍ଣ୍ଣବ: ଶ୍ରୀଯୁକ୍ତ ମୋଦୀ ପୂର୍ବ ସରକାରଙ୍କ ବିରୋଧରେ ଅନେକ ଦୁର୍ନୀତି ମାମଲା ରହିଛି । ଯାହା ଏବେ ପଦାକୁ ଆସିଛି । ଅଗଷ୍ଟା ୱେଷ୍ଟଲେଣ୍ଡ, ଏକାଧିକ ପ୍ରତିରକ୍ଷା ଦୁର୍ନୀତି ଏବଂ ପ୍ରତିରକ୍ଷା କାରବାର ସମ୍ପର୍କରେ ଏବେ ଗୁରୁତ୍ଵର ସହ ତର୍ଜମା କରାଯାଉଛି । ସିଏଜି ରିପୋର୍ଟରେ ଯେଉଁ ମାମଲା ସବୁ ଉଲ୍ଲେଖ ରହିଥିଲା କିନ୍ତୁ ତାକୁ ଛାଡି ଦିଆଯାଇଥିଲା । ତାହା ଏବେ ଲୋକଲୋଚନକୁ ଆସୁଛି । ଏ ପ୍ରଶ୍ନଟି ବେଶ୍ ଗୁରୁତ୍ୱ ବହନ କରେ । କାରଣ ଏହା କେବଳ ଆର୍ଥିକ ଦୁର୍ନୀତି ନୁହେଁ, ଏହା ଦେଶର ଜାତୀୟ ସୁରକ୍ଷା ସହ ମଧ୍ୟ ପ୍ରତ୍ୟକ୍ଷ ଭାବେ ଜଡିତ । ଆପଣ ଭାବୁଛନ୍ତି କି, ଯେତେବେଳେ ସେମାନେ କହନ୍ତି ଯେ ଏହା ନରେନ୍ଦ୍ର ମୋଦୀ ସରକାରଙ୍କର ଏକ ରାଜନୈତିକ ପ୍ରତିଶୋଧମୂଳକ କାର୍ଯ୍ୟ, ଆପଣ ଅନୁଭବ କରନ୍ତି କି ରାଜନୈତିକ ପୃଷ୍ଠପୋଷକତା ବିନା ଏହିସବୁ ମାମଲା ଘଟାଇବା କେବେ ବି ସମ୍ଭବପର ହୋଇଥାନ୍ତା ।

ପ୍ରଧାନମନ୍ତ୍ରୀ ମୋଦୀ: ଅନେକ କଥା ଅଛି, ଯାହା ଆଖିକୁ ଦେଖାଯାଉନାହିଁ । ଜଣେ କଦାପି କଳ୍ପନା କରିପାରିବ ନାହିଁ ଯେ ଅଳିଆ ଗଦାରୁ ଏହିସବୁ ଘଟଣାକୁ ଖୋଜି ବାହାର କରିବା ଲାଗି ମୁଁ କି ପ୍ରକାର ସମସ୍ୟା ସମ୍ମୁଖୀନ ହେଉଛି । ଯିଏ ସେଠାରେ କାମ କରୁଛି ସେ କେବଳ ଜାଣେ କେତେ ଅଳିଆ ରହିଛି । ଏବଂ କିଛି ଘଟଣା କିପରି ଜାଲରେ ଧରା ପଡିଛି । ଏହା ପଛରେ ନିଶ୍ଚିତ ଭାବେ କିଛି ଶକ୍ତି ରହିଛି । ଅଗଷ୍ଟା ହେଲିକପ୍ଟର କିଣା ଘଟଣାରେ ମୁଁ ଏହି କଥା ଅସ୍ୱୀକାର କରିବି ନାହିଁ ଏବଂ ମୋର ବିଶ୍ୱାସ ଯେ ଏହା ପଛରେ ଥିବା ଲୋକମାନେ ଖୁବ୍ ଚାଲାକ ଓ ଅଭିଜ୍ଞ । ସେମାନେ ଦୁର୍ନୀତି କରିବା କଳାରେ ଅତି ଚତୁରତାର ସହ ନେଇଆଣି ଥୋଇଛନ୍ତି । ସେମାନେ ବେଶ୍ ଅଭିଜ୍ଞ ଏବଂ ଧୂର୍ତ୍ତ । ଜଣେ କେବଳ ଏତିକି ଗନ୍ଧ ବାରିପାରିବ ଯେ ଉପଯୁକ୍ତ ଛତ୍ରଛାୟା ବ୍ୟତୀତ ଏକଥା କଦାପି ସମ୍ଭବପର ହୋଇନଥାନ୍ତା । ଏବେ ଏଜେନ୍ସୀମାନେ ଏହାର ତଦନ୍ତ କରୁଛନ୍ତି । ଦେଖାଯାଉ, ଏ ତଦନ୍ତ କେତେଦୂର ଯାଉଛି । କିନ୍ତୁ ଯେ ପର୍ଯ୍ୟନ୍ତ ଲୋକଙ୍କୁ ଟାର୍ଗେଟ୍ କରାଯାଉଥିବ ତଦନ୍ତ ଆଗକୁ ଆଗେଇପାରିବ ନାହିଁ । ମୋ ସରକାର କୌଣସି ବ୍ୟକ୍ତିଙ୍କୁ ଟାର୍ଗେଟ କରୁନାହିଁ । ଏଭଳି ଏକ ଅପରାଧ ଘଟିଛି । କିନ୍ତୁ ଯାହା ଘଟିଛି କିପରି ତାହା ଘଟିପାରିଲା, କିଏ ତାହା ଘଟାଇଲା, ତଦନ୍ତକାରୀ ଏଜେନ୍ସୀ ମାନେ ପେଶାଦାରୀ ଢ଼ଙ୍ଗରେ ସେ ସତ୍ୟ ଖୋଜି ବାହାର କରିବେ । ଯାହା କିଛି ସତ୍ୟ ଉଦ୍ଘାଟିତ ହେବ ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଅର୍ଣ୍ଣବ: ପ୍ରଧାନମନ୍ତ୍ରୀ ମହୋଦୟ, ଆମେରିକା କଂଗ୍ରେସରେ ଆପଣ ଦେଇଥିବା ଭାଷଣ ଏବଂ ସେଥିରେ ଥିବା ହସପରିହାସ କଥା ସୂଚାଉଛି । ମୋତେ ଲାଗିଲା ଅନେକ ଥଟ୍ଟାତାମସା ସ୍ୱତଃପ୍ରବୃତ ଥିଲା । କିନ୍ତୁ ଆପଣ ଯାହା ସୂଚାଇବାକୁ ଚାହୁଁଥିଲେ, ଆମେରିକୀୟମାନେ ତାହା ଧରି ପାରିଥିଲେ । ମୋର ତ ନିର୍ଦ୍ଦିଷ୍ଟ ଶଦ୍ଦ ମନେ ନାହିଁ । ଆପଣ କହିଥିଲେ ମୁଁ ଶୁଣିଛି ଯେ ହସପରିହାସ ମଧ୍ୟରେ ମାର୍କିନ କଂଗ୍ରେସର କାର୍ଯ୍ୟ ପରିଚାଳିତ ହୋଇଥାଏ । ସେତେବେଳେ ଟିକିଏ ନୀରବତା ଉପୁଜିଥିଲା ଏବଂ ଲୋକମାନେ ହସୁଥିଲେ । ତା ପରେ ଆପଣ କହିଥିଲେ ‘ମୁଁ ଶୁଣିଛି’ – ଆପଣ ଏହା ଉପରେ ଗୁରୁତ୍ୱ ଦେଇଥିଲେ ଓ କହିଥିଲେ ‘ମୁଁ ଶୁଣିଛି ଯେ ଆପଣମାନେ, ଆପଣମାନଙ୍କ ଦୁଇ-ଦଳୀୟ ବ୍ୟବସ୍ଥା ପାଇଁ ସୁପରିଚିତ’ । ତା ପରେ ଘନ ଘନ ପ୍ରଶଂସା ମିଳିଥିଲା । ଏବଂ ତା ପରେ ଆପଣ କହିଲେ ‘ଆପଣ ଏକାକୀ ନୁହଁନ୍ତି । ଏକଥା ମୁଁ ଭାରତୀୟ ସଂସଦରେ ବାରମ୍ବାର ଦେଖିଛି’ । ଆପଣ ଏକ ଜଟିଳ ପ୍ରସଙ୍ଗ ବେଶ୍ ରୋଚକ ଢ଼ଙ୍ଗରେ ପ୍ରକାଶ କରିଥିଲେ । ଆପଣ ରାଜ୍ୟସଭା କଥା ଦର୍ଶାଇଥିଲେ । ସେ ପ୍ରସଙ୍ଗରେ ମଧ୍ୟ ଅନେକ ପ୍ରଶଂସା ମଳିଥିଲା । ଆପଣଙ୍କ ହସକୌତୁକର ଢ଼ଙ୍ଗ ବାସ୍ତବରେ ପ୍ରଶଂସନୀୟ । ଏବଂ ମୁଁ ଭାବୁଛି ଯେତେବେଳେ ଆପଣ ଏକଥା କହୁଥିଲେ ତାହା ଏକ ଅପୂର୍ବ ମୁହୂର୍ତ୍ତ ଥିଲା । କିନ୍ତୁ, ପ୍ରଧାନମନ୍ତ୍ରୀ ମହୋଦୟ ଯେତେବେଳେ ଆପଣ ସଂସଦ ଆଡକୁ ଇଙ୍ଗିତ କରୁଛନ୍ତି, ଅନେକ ଲୋକଙ୍କୁ ମନରେ ପ୍ରଶ୍ନ ଉଙ୍କି ମାରୁଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଣ ତାଙ୍କ ନିଜ ଲକ୍ଷ୍ୟ ସାଧନରେ ପଛେଇ ଯାଉଛନ୍ତି ଏବଂ ଏହାର କାରଣ ହେଉଛି ନିରବଚ୍ଛିନ୍ନ ଭାବେ ପାର୍ଲାମେଂଟରେ ଘଟୁଥିବା ଅଚଳାବସ୍ଥା? ତାଙ୍କ ଲକ୍ଷ୍ୟ ହାସଲ କରିବା ଦିଗରେ ଏହା କେତେଦୂର ତାଙ୍କୁ ପ୍ରତିରୋଧ କରୁଛି? ଯଦି ଏହାକୁ ଗୁରୁତ୍ଵର ସହ ବିଶ୍ଳେଷଣ କରି ଦେଖାଯାଏ ଆପଣ ଅନୁଭବ କରୁଛନ୍ତି କି ଯେ ଆପଣଙ୍କ ସରକାର ଅଧିକ ପରାମର୍ଶ ଗ୍ରହଣଧର୍ମୀ ହୋଇଥାନ୍ତା ଅଥବା ଆପଣ ଭାବୁଛନ୍ତି ଯେ ଏଥିପାଇଁ ସମ୍ପୂର୍ଣ୍ଣ ଭାବେ ବିରୋଧୀ ପକ୍ଷକୁ ଦାୟୀ କରାଯିବ?

ପ୍ରଧାନମନ୍ତ୍ରୀ ମୋଦୀ: ଏ ପ୍ରସଙ୍ଗକୁ ମୁଁ ଭିନ୍ନ ଢ଼ଙ୍ଗରେ ଦେଖେ । ମୋର ଧାରଣା ଯେ ଅନେକ ସମସ୍ୟା ରହିଛି । ଦୋଷ ଆମର ହେଉ ଅଥବା ସେମାନଙ୍କର, ମୁଁ ଏକଥା ଲୋକମାନଙ୍କ ଉପରେ ଛାଡିଦେଉଛି ସେମାନେ ହିଁ ଏହାର ନିଷ୍ପତ୍ତି କରିବେ । ସଂସଦରେ ଆଲୋଚନା ହୋଇପାରୁ ନଥିବାରୁ – ଆମେ କୌଣସି ନିଷ୍ପତ୍ତିରେ ପହଂଚିପାରୁନାହୁଁ, ନିଷ୍ପତ୍ତି ଆମ ମତକୁ ବିରୋଧ କରୁଥାଇପାରେ ସେଥିରେ ମଧ୍ୟ କିଛି ଭୁଲ ନାହିଁ । କିନ୍ତୁ ଅନ୍ତତଃପକ୍ଷେ ସଂସଦରେ ସେ ପ୍ରସଙ୍ଗରେ ଆଲୋଚନା ହେବା ଉଚିତ । ଦୁଃଖର କଥା ହେଲା ଯଦି କେହି ଆଲୋଚନା ଠାରୁ ଓହରି ଯାଏ କିମ୍ବା ଆଲୋଚନା ହେବାକୁ ନଦିଏ ତାହେଲେ ଗଣତନ୍ତ୍ର ପାଇଁ ଏହା ଚିନ୍ତାର ବିଷୟ । ସରକାରଙ୍କ କାମ ସମ୍ପୂର୍ଣ୍ଣ ହେଉ କିମ୍ବା ନହେଉ ଏକଥାକୁ ମୁଁ ଚିନ୍ତାର କାରଣ ବୋଲି ଭାବୁନାହିଁ । ଯଦି ଆଜି ନ ହୋଇଛି, ଏହା ଆସନ୍ତା କାଲି ହେବ । ଏପରି କିଛି ଜିନିଷ ଅଛି ଯାହା କେବଳ ପ୍ରଶାସନିକ ସ୍ତରରେ ହିଁ କରାଯାଇପାରିବ । ସବୁଠୁ ବଡ କଥାଟି ହେଲା – ସଂସଦ ହେଲା ଆଲୋଚନାର ପୀଠ । ସଂସଦରେ ବିରୋଧାଭାଷ ପ୍ରଦର୍ଶନ କରାଯାଇପାରେ । ସଂସଦ ନିଜର ବିରୋଧୀଯୁକ୍ତିକୁ ଉପସ୍ଥାପନ କରିବା ପାଇଁ ସୁଯୋଗ ପ୍ରଦାନ କରେ । ଯେତେବେଳେ ଏହି କୌଣସି ପ୍ରସଙ୍ଗକୁ ସମର୍ଥନ କରେ ସେ ମଧ୍ୟ ତାଙ୍କ ମତ ରଖିପାରିବେ । ସଂସଦର ଏହି ମୌଳିକ ଭାବନାକୁ ଅକ୍ଷୂର୍ଣ୍ଣ ରଖିବା ହେଲା ଗଣତାନ୍ତ୍ରିକ ମୂଲ୍ୟବୋଧରେ ବିଶ୍ୱାସୀ ପ୍ରତ୍ୟେକ ବ୍ୟକ୍ତିଙ୍କ ଦାୟିତ୍ୱ । ସଂସଦ ମଧ୍ୟରେ ଉପସ୍ଥିତ ଥିବା ଏବେ ଯେଉଁ ମାନେ ସଂସଦ ବାହାରେ ରହିଛନ୍ତି ଉଭୟଙ୍କର ଏହା ଦାୟିତ୍ୱ । ଯେଉଁମାନେ କ୍ଷମତାରେ ଅଛନ୍ତି ଓ ଯେଉଁମାନେ କ୍ଷମତାରେ ନାହାନ୍ତି ସେମାନଙ୍କର ଏହା ଦାୟିତ୍ୱ । ଏହା ହେଲା ମନୋଭାବର କଥା ଏବଂ ଏହାକୁ ଅକ୍ଷରେ ଅକ୍ଷରେ ପାଳନ କରାଯିବ ଉଚିତ । ସରକାରଙ୍କ ସମ୍ପର୍କରେ ମୁଁ କହିବି ଯେ ପ୍ରତ୍ୟେକ ପ୍ରସଙ୍ଗରେ ଏବଂ ପ୍ରତିଟି ମଞ୍ଚରେ ଆମେ ଆଲୋଚନା କରିବା ପାଇଁ ଉଦ୍ୟମ କରିଛୁ । ମୁଁ ନିଜେ ବିରୋଧୀ ଦଳ ନେତୃବର୍ଗଙ୍କୁ ଭେଟିଛି ଏବଂ ସେମାନଙ୍କ ସହ କଥାବାର୍ତ୍ତା କରିଛି । ସରକାରଙ୍କ ପ୍ରମୁଖ ସଦସ୍ୟମାନେ ମଧ୍ୟ ସେମାନଙ୍କ ସହ ସମ୍ପର୍କରେ ଅଛନ୍ତି । ଏବଂ ଆପଣ ମଧ୍ୟ ନିଶ୍ଚୟ ଦେଖିଥିବେ ଯେ ଅନେକ ପ୍ରସଙ୍ଗ ସମାଧାନ ହୋଇସାରିଛି । ଗତ ଅଧିବେଶନ ବେଳେ ଆମେ ରାଜ୍ୟସଭାରେ 12ଟି ବିଲ ଏବଂ ଲୋକସଭାରେ 10ଟି ବିଲ୍ ଗୃହୀତ କରାଇଛୁ । ତେଣୁ ଧୀରେ ଧୀରେ ଏହାର ବେଗ ବଢ଼ୁଛି । ଯେତେବେଳେ ଲୋକମାନେ ‘ବିରୋଧୀ’ ବୋଲି କହନ୍ତି, ବାସ୍ତବରେ ବିରୋଧୀ ଦଳଙ୍କ ପ୍ରତି ଏହା ଉଚିତ ସମ୍ମାନ ନୁହେଁ । ସଂସଦରେ ଏପରି କେତେକ ଦଳ ଅଛନ୍ତି ଯେଉଁମାନେ ବିଜେପି ଅଥବା ଏନଡିଏ ସହ ନାହାନ୍ତି । କିନ୍ତୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ ବେଳେ ସେମାନେ ସରକାରଙ୍କ ପକ୍ଷରେ ଅଛନ୍ତି । ତେଣୁ ବିରୋଧୀ ଶଦ୍ଦକୁ ବନ୍ଧନୀମୁକ୍ତ କରିବା ସକାଶେ ସବୁ ବିରୋଧୀ ଦଳ ଯେ ଆମ ବିରୋଧରେ ଅଛନ୍ତି କିଛି ଲୋକ ଏପରି କହି ଭୁଲ କରୁଛନ୍ତି । ଗୋଟିଏ ଦଳ ଅଛି ଯାହାର କିଛି ସମସ୍ୟା ରହିଛି ଏବଂ ସାର ଦୁନିଆ ସେଇ ଦଳକୁ ଜାଣିଛି । ଦ୍ୱିତୀୟରେ ‘ଯେତେବେଳେ ଆପଣ ବିରୋଧୀ ଭୂମିକାରେ ଥିଲେ, ଆପଣ ଏମିତି ଢ଼ଙ୍ଗରେ କାର୍ଯ୍ୟକରୁଥିଲେ’ ବୋଲି କହିବା ଠିକ୍ ନୁହେଁ । ପ୍ରତ୍ୟେକ ବିରୋଧୀ ଦଳ ମଧ୍ୟରେ ମତଭେଦ ରହିଛି । ‘ଆମେ ଗଲା 60 ବର୍ଷ ଧରି ସରକାର ଚଳାଇ ଆସିଛୁ ଏବେ ଆମେ ବିରୋଧୀ ଆସନରେ ବସିଛୁ । ତେଣୁ ଆମେ ସରକାରଙ୍କର ସବୁ ଟିକିନିଖି ଜାଣିଛୁ, ଆମେ ଦାୟିତ୍ୱବୋଧ କଣ ଜାଣିଛୁ । ନୂଆ ନୂଆ ବିରୋଧୀ ଦଳମାନେ ଯେଉଁଭଳି ଆଚରଣ କରୁଛନ୍ତି ଆମେ ସେପରି ଢ଼ଙ୍ଗ ପ୍ରଦର୍ଶନ କରିବୁ ନାହିଁ’ । ଗୋଟିଏ ଦଳ ଯାହା କ୍ଷମତାରେ ନାହିଁ ଅଥବା କିଛି ହେଲେ ଦେଖିନାହିଁ ସେହି କେବଳ ଏଭଳି ଭାବେ ଆଚରଣ କରିପାରେ । ଉଦାହରଣ ସ୍ୱରୂପ ଆମେ କ୍ଷମତାରେ ଅଛୁ । ଏବଂ ଚିନ୍ତା କରନ୍ତୁ, 2040 ମସିହାରେ ଆମେ ବିରୋଧୀ ଦଳ ହୋଇଗଲୁ । ତେଣୁ 2040 ମସିହାରେ ଆମେ କଦାପି ସେଭଳି ଆଚରଣ କରିବୁ ନାହିଁ, ଯାହା ଆମେ 2009 କମ୍ବା 2010 ମସିହାରେ କରୁଥିଲି ।

ଅର୍ଣ୍ଣବ: କଂଗ୍ରେସ ଏକ ଅନୁଭବୀ ଓ ପୁରୁଣା ରାଜନୈତିକ ଦଳ ।

ପ୍ରଧାନମନ୍ତ୍ରୀ ମୋଦୀ: ସେଇଥିପାଇଁ ମୁଁ କହୁଛି ଯେ, ଯେଉଁମାନେ ଏତେ ବର୍ଷ ଧରି କ୍ଷମତାରେ ରହିଆସିଥିଲେ ସେମାନେ ଏଭଳି କରିବା ଉଚିତ । ଯଦି ବିରୋଧୀ ଆସନରେ ଏକ ନୂଆ ଦଳ ବସିଛି ସେମାନଙ୍କର ନିଜ ରାଜ୍ୟ ପାଇଁ ଏକ ଛୋଟ ଦାବି ଅଛି । ଅଥବା ଯଦି ଜଣେ ସାଂସଦଙ୍କର ନିଜ ନିର୍ବାଚନ କ୍ଷେତ୍ର ଲାଗି କୌଣସି ଦାବି ଥାଏ ଏବଂ ସେ ଏପରି କିଛି ଆଚରଣ କରନ୍ତି ତେବେ ତାହା ଆମେ ବୁଝିପାରିବୁ । କିନ୍ତୁ ଏକ ଦଳ ଯାହା ଦୀର୍ଘ ଦିନ ଧରି କ୍ଷମତାରେ ରହିଆସିଥିଲା ସେତ ଏପରି କରିବା ଆଦୌ ସ୍ପୃହଣୀୟ ନୁହେଁ ।

ଅର୍ଣ୍ଣବ: ପ୍ରଧାନମନ୍ତ୍ରୀ ମୋଦୀଜୀ, ଦୀର୍ଘ ଦେଢ଼ ବର୍ଷ ଧରି GST ବିଲ ଅଟକି ରହିଛି । ଏହା ଆର୍ଥିକ ସଂସ୍କାର ଦିଗରେ ଏକ ଯୁଗାନ୍ତକାରୀ ଅଭିଯାନ । ଏହା ସମଗ୍ର ଦେଶକୁ ଏକୀକୃତ କରିବ । ନିକଟରେ ଆପଣ ସୁଶ୍ରୀ ଜୟଲଳିତାଙ୍କୁ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଭେଟିଛନ୍ତି । ମମତା ବାନାର୍ଜୀ ମଧ୍ୟ ଜିଏସଟିକୁ ସମର୍ଥନ କରିବେ ବୋଲି ଜଣାଇଛନ୍ତି ଏବଂ ରାଜ୍ୟସ୍ତରରେ କଂଗ୍ରେସର ସହଯୋଗୀ ଦଳମାନେ ମଧ୍ୟ ଜିଏସଟିକୁ ସମର୍ଥନ କରୁଛନ୍ତି । ଆପଣ ଭାବୁଛନ୍ତି କି ସଂସଦର ଆଗାମୀ ଅଧିବେଶନ ବେଳେ ଜିଏସଟି ବିଲ୍ ଗୃହୀତ ହୋଇପାରିବ ।

ପ୍ରଧାନମନ୍ତ୍ରୀ ମୋଦୀ: ପ୍ରଥମତଃ ଆମେ ବୁଝିବା ଦରକାର ଯେ, ଯେତେବେଳେ ଏକ ଆର୍ଥିକ ସଂସ୍କାର ଦୃଷ୍ଟିକୋଣରୁ ଆମେ ଜିଏସଟିକୁ ଦେଖୁଛୁ ସେତେବେଳେ ସେଥିରୁ ଠିକ୍ ସୂଚନା ବାହାରୁନାହିଁ । ଜିଏସଟିକୁ ସିଧାସଳଖ ଲାଗୁ କରାଯାଇନଥିବାରୁ ଉତ୍ତର ପ୍ରଦେଶର ଗରୀବ ଲୋକମାନଙ୍କର ଯଥେଷ୍ଟ କ୍ଷତି ହେଉଛି । ବିହାରର ଗରୀବ ଲୋକମାନଙ୍କର କ୍ଷତି ଘଟୁଛି ସେହି ଜିଏସଟି ଅଭାବରୁ । ପଶ୍ଚିମ ବଙ୍ଗ, ଓଡିଶା ଓ ଆସାମର ଗରୀବ ଲୋକମାନେ ମଧ୍ୟ କ୍ଷତି ସହ୍ୟ କରୁଛନ୍ତି । ଯେଉଁମାନେ ରାଜ୍ୟସଭାରେ ବସିଛନ୍ତି ସେମାନେ ଏକଥା ବୁଝିବା ଉଚିତ । ଯେଉଁ ରାଜ୍ୟମାନଙ୍କୁ ସେମାନେ ପ୍ରତିନିଧିତ୍ୱ କରୁଛନ୍ତି ସେହି ରାଜ୍ୟର ଗରୀବ ଲୋକମାନଙ୍କ ପାଇଁ ଜିଏସଟି ଶୁଭଙ୍କର ହେବ । କାରଣ ସେ ସବୁ ରାଜ୍ୟମାନେ ଜିଏସଟିରୁ ଲାଭବାନ ହେବେ । ସେହି ସବୁ ରାଜ୍ୟମାନଙ୍କରେ ଗରୀବ ଲୋକମାନଙ୍କ କଲ୍ୟାଣ ପାଇଁ ଅସୁଲ ଟିକସ ବ୍ୟୟ କରାଯାଇପାରିବ । ସେଇଥିପାଇଁ ମମତା ବାନାର୍ଜୀ ହୁଅନ୍ତୁ କି ନୀତୀଶ କୁମାର କିମ୍ବା ଅଖିଳେଶ ଯାଦବ ଅଥବା ନବୀନ ପଟ୍ଟନାୟକ, ଏହିସବୁ ରାଜ୍ୟମାନେ ଜିଏସଟି ବିଲ୍ ଯଥାଶୀଘ୍ର ଗୃହିତ ହେବା ଲାଗି ଆଗ୍ରହୀ । କେବଳ ଗୋଟିଏ ଗୋଷ୍ଠୀ ଅଛନ୍ତି ଯେଉଁମାନେ ଏହାକୁ ମର୍ଯ୍ୟାଦାର ପ୍ରସଙ୍ଗ କରିଛନ୍ତି । ଏବେ ଯେଉଁ ପ୍ରକାର ଗାଣିତିକ ହିସାବ କରାଯାଉଛି ମୋର ଆଶା ଯେ ଗରୀବ ଲୋକମାନଙ୍କ ସପକ୍ଷରେ ନିଷ୍ପତ୍ତି ନିଆଯାଇପାରିବ । ବିରୋଧୀ ଦଳମାନେ କି ପ୍ରକାର ବିକୃତୀକରଣ ପର୍ଯ୍ୟାୟକୁ ଯାଇପାରନ୍ତି ସେକଥା ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବେ । ଗତ ଅଧିବେଶନ ବେଳେ ଆମେ ଏକ ଆଇନ ପ୍ରଣୟନ କରିଥିଲୁ । ଭାରତ ସରକାରଙ୍କର କାମ୍ପା ପାଣ୍ଠିରେ 40 ହଜାର କୋଟି ଟଙ୍କା ରହିଛି । 40 ହଜାର କୋଟି ଟଙ୍କା । ଆମେ ସେ ଟଙ୍କାକୁ ରାଜ୍ୟମାନଙ୍କୁ ଦେବାକୁ ଚାହୁଁଥିଲୁ । ରାଜ୍ୟମାନେ ସେ ଅର୍ଥକୁ ବନୀକରଣ, ସବୁଜିମା ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ବିନିଯୋଗ କରିପାରିଥାନ୍ତେ । ବିଲଟିର ଏହି ଉଦ୍ଦେଶ୍ୟ ଥିଲା ଯଦି ମୌସୁମୀ ପୂର୍ବରୁ ରାଜ୍ୟମାନଙ୍କ ନିକଟରେ ସେହି 40 ହଜାର କୋଟି ଟଙ୍କା ପହଂଚିଥାନ୍ତା ତେବେ ଯେଉଁ ଲୋକଟି ବୃକ୍ଷରୋପଣ କରୁଛି ତାକୁ କର୍ମସଂସ୍ଥାନ ମିଳିପାରିଥାନ୍ତା । ବନୀକରଣ ହୋଇଥାନ୍ତା । ବର୍ଷା ଯୋଗୁଁ ଗୋଟିଏ ବର୍ଷ ଭିତରେ ଚାରା ଗଛ ଗୁଡିକ ବେଶ୍ ବଢ଼ିପାରିଥାନ୍ତା । କେବଳ ବିରୋଧ କରିବା ଅଭିପ୍ରାୟରେ ରାଜ୍ୟମାନଙ୍କୁ 40 ହଜାର କୋଟି ଟଙ୍କା ପାଇବା ସୁଯୋଗରୁ ବଂଚିତ କରାଗଲା । ଏହି ଅର୍ଥ ଜଙ୍ଗଲ ଓ ଆଦିବାସୀ ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ । ସେମାନେ ଏହାର ଗତିରୋଧ କଲେ । ଏହା ଉପରେ କୌଣସି ଆଲୋଚନା ହେଲାନାହିଁ ।

ଅର୍ଣ୍ଣବ: ଏହାର କାରଣ… ଆପଣ ଚେଷ୍ଟା କରିଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ: ସବୁ ପ୍ରକାର ଉଦ୍ୟମ କରିଥିଲୁ ।

ଅର୍ଣ୍ଣବ: ଆପଣ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ ସୋନିଆ ଗାନ୍ଧୀଙ୍କୁ ଏହି ରେସ କୋର୍ସ ରୋଡକୁ ଆମନ୍ତ୍ରଣ କରିଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ: ସବୁ ପର୍ଯ୍ୟାୟରେ ଆମେ କଥାବାର୍ତ୍ତ କରିଛୁ ।

ଅର୍ଣ୍ଣବ: ତଥାପି? ଆପଣ ଯେଉଁ ଶଦ୍ଦ ‘ଅହଂକାର ପ୍ରସଙ୍ଗ’ ବୋଲି ବ୍ୟବହାର କରିଛନ୍ତି, ତାହା କାହିଁକି ଅହଂକାର ପ୍ରସଙ୍ଗ ହୋଇଛି ? ଏବଂ ଲୋକମାନେ ଜାଣିବାକୁ ଚାହାନ୍ତି ଯେ କାହିଁକି ପ୍ରଧାନମନ୍ତ୍ରୀ ଏହାର ଅନ୍ତ ଘଟାଇବାକୁ ଅକ୍ଷମ ହେଉଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ: ଏ ପ୍ରଶ୍ନର ଉତ୍ତର ପ୍ରଧାନମନ୍ତ୍ରୀ ଦେଇପାରିବେ ନାହିଁ । ଯେଉଁମାନେ ପ୍ରତିରୋଧ କରୁଛନ୍ତି କେବଳ ସେହିମାନେ ଏହାର ଉତ୍ତର ଦେଇପାରିବେ । ଏହାସତ୍ତ୍ୱେ ମୁଁ ମୋର ଉଦ୍ୟମ ଜାରି ରଖିବି । ଯେ କୌଣସି ଉପାୟରେ ହେଉ ସେମାନଙ୍କୁ ରାଜି କରାଇବା ପାଇଁ ମୁଁ ପ୍ରସ୍ତୁତ ଅଛି । ଯଦି ସେମାନଙ୍କ ଘରେ ଚା କପେ ସହ ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ମୋତେ ଡକାଯାଏ ସେଥିପାଇଁ ବି ମୁଁ ପ୍ରସ୍ତୁତ ଅଛି । ମୋର କୌଣସି ସମସ୍ୟା ନାହିଁ । ମୋର ଏକମାତ୍ର ଉଦ୍ଦେଶ୍ୟ ହେଲା ମୋ ଦେଶର ଗରୀବ ଲୋକଙ୍କ କଲ୍ୟାଣ ଏବଂ ଉତ୍ତର ପ୍ରଦେଶ ଭଳି ଗରୀବ ରାଜ୍ୟଙ୍କ ବିକାଶ ।

ଅର୍ଣ୍ଣବ: ପ୍ରଧାନମନ୍ତ୍ରୀ ମହୋଦୟ, ଆପଣ ଉତ୍ତର ପ୍ରଦେଶ କଥା କହିଲେ । ଆଉ 6, 7, 8 ମାସ ମଧ୍ୟରେ ଉତ୍ତର ପ୍ରଦେଶରେ ନିର୍ବାଚନ ଅନୁଷ୍ଠିତ ହେବ । ଏହା ଉପରେ ସାରା ଦେଶର ନଜର ରହିବ । ଆପଣ ବାରଣାସୀକୁ ସାଂସଦ ଭାବେ ପ୍ରତିନିଧିତ୍ୱ କରୁଛନ୍ତି । କିନ୍ତୁ ବିଜେପି ଦ୍ୱାରା କିଛି ମନ୍ତବ୍ୟ ପ୍ରକାଶ ପାଉଛି । କିଏ କହୁଛି ସଂଘ ପରିବାର, କେତେକ ସ୍ୱାଧୀନ ଗୋଷ୍ଠୀ ଏହାକୁ ସାମ୍ପ୍ରଦାୟିକତା ରଙ୍ଗ ଦିଆଯାଉଛି । ଏହା କେବଳ ଗୋଟିଏ ଦଳର ନୁହେଁ ଅନ୍ୟ ଦଳ ମାନଙ୍କଠାରୁ ମଧ୍ୟ ଏଭଳି ମନ୍ତବ୍ୟ ଆସୁଛି । ପ୍ରଧାନମନ୍ତ୍ରୀ ମହୋଦୟ, ଆପଣ କଣ ବିକାଶକୁ ଏକ ମାତ୍ର ଏଜେଣ୍ଡା ଭାବେ ଗ୍ରହଣ କରିବାକୁ ସ୍ଥିର କରିଛନ୍ତି । ଉତ୍ତର ପ୍ରଦେଶ ନିର୍ବାଚନରେ କେବଳ ବିକାଶକୁ ମୁଖ୍ୟ ପ୍ରସଙ୍ଗ କରାଯିବ କି? ଏଥିରୁ ଫାଇଦା ହାସଲ କରାଯିବା ଉଚିତ ନୁହେଁ । ଆପଣ କଣ ଦୃଢ଼ ନିଶ୍ଚିତ ଯେ ବିକାଶ ଏଜେଣ୍ଡା ତୁଳନାରେ ସାମ୍ପ୍ରଦାୟିକ ଏଜେଣ୍ଡା ଅଗ୍ରପ୍ରାଧାନ୍ୟ ପାଇବ ନାହିଁ?

ପ୍ରଧାନମନ୍ତ୍ରୀ ମୋଦୀ: ଏହା ମୋର ଆତ୍ମବିଶ୍ୱାସ ଏବଂ ଏହା ମୋର ପ୍ରତିବଦ୍ଧତା । 2014 ନିର୍ବାଚନ ବେଳେ ଆପଣ ନିଶ୍ଚୟ ଲକ୍ଷ୍ୟ କରିଥିବେ ଯେ ମୁଁ ବିକାଶ ପ୍ରସଙ୍ଗ ଉପରେ ହିଁ ନିର୍ବାଚନ ଲଢ଼ିଥିଲି । ଦେଶରେ ଅବସ୍ଥାପିତ ନୂଆ ସରକାର କେବଳ ବିକାଶରେ ହିଁ ବିଶ୍ୱାସ କରେ । ମୋର ବିଶ୍ୱାସ ଯେ ସବୁ ସମସ୍ୟାର ସମାଧାନ ବିକାଶରେ ହିଁ ହୋଇଥାଏ । ଲୋକମାନେ ଯେଉଁ ଉଦ୍ବେଗର ସହ କଥାବାର୍ତ୍ତା ହେଉଛନ୍ତି ତାର ସମାଧାନ ଉପାୟ ବି ବିକାଶ । ଆମେ ଯଦି ଲୋକମାନଙ୍କୁ ନିଯୁକ୍ତି ଯୋଗାଇ ପାରିବା, ଯଦି ସେମାନଙ୍କ ଖାଇବା ଥାଳିରେ ଖାଦ୍ୟ ସୁନିଶ୍ଚିତ କରିପାରିବା ଓ ସେମାନଙ୍କୁ ଶିକ୍ଷା ଓ ଅନ୍ୟାନ୍ୟ ସୁବିଧା ଯୋଗାଇପାରିବା, ସବୁ ପ୍ରକାଶ ଦୁଶ୍ଚିନ୍ତାର ବିଲୋପ ଘଟିବ ଏବଂ ସେଥିପାଇଁ ଯେଉଁମାନେ ଦେଶର ଭଲ ଚାହାନ୍ତି ମୁଁ ସେମାନଙ୍କୁ ଅନୁରୋଧ କରୁଛି ଯେ ସେମାନେ ବିକାଶ ପାଇଁ ଓ ବିକାଶ ଅଭିମୁଖେ ପ୍ରତିଦ୍ୱନ୍ଦ୍ୱୀ ହୁଅନ୍ତୁ । ଦେଶରେ ଏହିଭଳି ବାତାବରଣ ସୃଷ୍ଟି କରାଯାଉ । ଏବଂ ମୁଁ ଭାବୁଛି ଏବେ ଦେଶରେ ଏଭଳି ବାତାବରଣ ସୃଷ୍ଟି ହୋଇଚାଲିଛି ।

ଅର୍ଣ୍ଣବ: ତେଣୁ ଯେଉଁ କ୍ରୋଧୀ ଲୋକମାନେ ଏଭଳି ମାତ୍ରାତିରିକ୍ତ ମନ୍ତବ୍ୟ ମାନ ଦେଉଛନ୍ତି ସେମାନଙ୍କୁ ନିୟନ୍ତ୍ରଣ କରାଯିବାର ଆବଶ୍ୟକତା ଅଛି କି? ଯଦ୍ୱାରା ଧର୍ମ ନାମରେ ରାଜନୀତି କରାଯାଇ ପାରିବ ନାହିଁ ।

ପ୍ରଧାନମନ୍ତ୍ରୀ ମୋଦୀ: ପ୍ରଥମତଃ ମୋର ଦୃଢ଼ ବିଶ୍ୱାସ ଯେ ବିକାଶ ଏଜେଣ୍ଡା ଉପରେ ରାଷ୍ଟ୍ରକୁ ପ୍ରଗତି କରିବାକୁ ଦିଆଯିବା ଉଚିତ ଏବଂ ଏକଥା ମଧ୍ୟ ଆବଶ୍ୟକ ଯେ ସେହି ବିକାଶ ଦିଗରେ ଦେଶ ଆଗକୁ ଆଗେଇବା ଦରକାର । ତେଣୁ ମୋର ଗଣମାଧ୍ୟମକୁ ନିବେଦନ ଯେ ସେଭଳି ବିବଦମାନ ମନ୍ତବ୍ୟ ଦେଉଥିବା ଲୋକମାନଙ୍କୁ ‘Hero’ କରାନଯିବା ଉଚିତ ।

ଅର୍ଣ୍ଣବ: କିନ୍ତୁ ସେମାନେ ସେହିଭଳି ମନ୍ତବ୍ୟ ଦେଇଚାଲିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ: ସେମାନଙ୍କୁ ହିରୋ କରାନଯାଉ । ଆପେ ଆପେ ସେମାନେ ଚୁପ୍ ହୋଇଯିବେ ।

ଅର୍ଣ୍ଣବ: ଆମେ ସେମାନଙ୍କୁ ହିରୋ କରୁନାହୁଁ, ବରଂ ଖଳନାୟକ କରୁଛୁ ।

ପ୍ରଧାନମନ୍ତ୍ରୀ ମୋଦୀ: କିନ୍ତୁ କାହିଁକି ସେମାନଙ୍କୁ ଏତେ ବଡ କରାଯାଉଛି । ଟିଭି ପର୍ଦ୍ଦାରେ ଲୋକମାନେ ଏଭଳି ବିବୃତି ଦେଉଥିବା ମୁଁ ଦେଖିଛି । ଯେଉଁମାନଙ୍କ ମୁହଁ ମୁଁ କେବେ ଦେଖିନାହିଁ ସେମାନେ କେବଳ ଟିଭି ପର୍ଦ୍ଦାରେ ମୁଖପାତ୍ର ସାଜୁଛନ୍ତି ।

ଅର୍ଣ୍ଣବ: ଆତ୍ମଘୋଷିତ ମୁଖପାତ୍ର ।

ପ୍ରଧାନମନ୍ତ୍ରୀ ମୋଦୀ: ମୁଁ ଜାଣିପାରୁନାହିଁ, ଏପରି ଲୋକମାନଙ୍କୁ କାହିଁକି ପ୍ରୋତ୍ସାହନ ଦିଆଯାଉଛି ।

ଅର୍ଣ୍ଣବ: ପ୍ରଧାନମନ୍ତ୍ରୀ ମହୋଦୟ, 2016 ଓ 2017ର ନିର୍ବାଚନ କଥା ଆଲୋଚନା କରାଯାଉ । ଦିଲ୍ଲୀ ପରେ ବିହାର, ଆସାମ, ପଶ୍ଚିମବଙ୍ଗ ଏହା ପରେ ଆମେ ପଞ୍ଜାବ କଥାବାର୍ତ୍ତା ହେବା । ଆମେ ପଞ୍ଜାବ ସମ୍ପର୍କରେ କଥାବାର୍ତ୍ତା ଶେଷ କରିବା ପୂର୍ବରୁ ଉତ୍ତର ପ୍ରଦେଶ କଥା ଆଲୋଚନା କରିବା । ତା ପରେ ଗୁଜରାଟ ରାଜ୍ୟର ନିର୍ବାଚନ ହେବାକୁ ଅଛି । ଆପଣ ଭାବୁନାହାନ୍ତି କି ଏ ଦେଶ ସ୍ଥାୟୀ ଭାବେ ଏକ ନିର୍ବାଚନୀ ଚକ୍ର ଭିତରେ ଫସିଯାଇଛି? ସଦାବେଳେ ଦୃଷ୍ଟି ରହୁଛି ଏବଂ ମୁଁ ଏ ସମ୍ପର୍କରେ ଆପଣଙ୍କ ମତ ଜାଣିବାକୁ ଚାହେଁ ଯେ ଦଳୀୟ ରାଜନୀତି ଉପରେ କାହିଁକି ଫୋକସ ଦିଆଯାଉଛି । ଶାସନ ଉପରେ ନୁହେଁ । ମୁଁ କହିବି ଯେ ଆମେ ଏପରି ଏକ ଦେଶ ଯେଉଁଠି ସଦାବେଳେ ଏକ ରାଜନୈତିକ ପ୍ରଚାର ମନୋଭାବ ରହୁଛି । ଏହା କଣ ଉଚିତ କଥା । ଏ ମନୋଭାବରୁ ଆମେ ମୁକୁଳିବା ଉଚିତ ନୁହେଁ କି? ଏ ସମ୍ପର୍କରେ ଆପଣଙ୍କ ମତ କଣ?

ପ୍ରଧାନମନ୍ତ୍ରୀ ମୋଦୀ: ଦେଖନ୍ତୁ, ଏହା ନରେନ୍ଦ୍ର ମୋଦୀ ଅଥବା ପ୍ରଧାନମନ୍ତ୍ରୀଙ୍କ ସଂକ୍ରାନ୍ତ ଏକ ପ୍ରସଙ୍ଗ ନୁହେଁ । ପୁଣି କୌଣସି ନିର୍ଦ୍ଦିଷ୍ଟ ଦଳ ଅଥବା ନିର୍ଦ୍ଦିଷ୍ଟ ସରକାରଙ୍କ ସମ୍ପର୍କରେ ନୁହେଁ । କିନ୍ତୁ ଗତ ସଂସଦ ଅଧିବେଶନ ପୂର୍ବରୁ ବାଚସ୍ପତି ମହୋଦୟ ସବୁ ରାଜନୈତିକ ଦଳକୁ ଏକ ଭୋଜିକୁ ଆମନ୍ତ୍ରଣ କରିଥିଲେ । ଏହି ବୈଠକ ପରେ ସମସ୍ତେ ଖାଇବାକୁ ବସିଥାନ୍ତି । ସେହି ସମୟରେ ମୁଁ ସେଠାରେ ପହଂଚିଥାଏ । ଖାଇବାବେଳେ ସ୍ୱାଭାବିକ ଭାବେ କଥାବାର୍ତ୍ତା ବେଳେ ସବୁ ରାଜନୈତିକ ଦଳର ନେତାମାନେ କହିଲେ ଯେ କେନ୍ଦ୍ର ଓ ରାଜ୍ୟ ନିର୍ବାଚନ ଏକ ସଙ୍ଗେ କରାଯିବା ଉଚିତ ସମସ୍ତେ ଏକଥା କହିଲେ । ଏହା ପରେ ରାଜ୍ୟସଭା ସାଂସଦଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ଭିନ୍ନ ଭିନ୍ନ ଦଳର ନେତାମାନେ ପରସ୍ପର ମଧ୍ୟରେ କଥାବାର୍ତ୍ତା ହେଲେ । ସେମାନଙ୍କ ମଧ୍ୟରୁ ଜଣେ ନେତା କହିଲେ ମୋଦୀ ଜୀ କିଛି ଗୋଟାଏ କରନ୍ତୁ ଯଦ୍ୱାରା ଆମକୁ ଏ ନିର୍ବାଚନ ଚକ୍ରରୁ ମୁକ୍ତି ମିଳିବ ।

ଅର୍ଣ୍ଣବ: ସେ ନେତା ଆପଣଙ୍କ ଦଳର କି?

ପ୍ରଧାନମନ୍ତ୍ରୀ ମୋଦୀ: ନା, ସେ ଦଳର ନଥିଲେ । ତେଣୁ ମୁଁ କହିଲି ଯେ ଏହା ଉପରେ ଆଲୋଚନା କରାଯାଉ । ସେଥିରେ ଅସୁବିଧା କଣ ଅଛି । ତା ପର ଦିନ ମୁଁ କହିଲି ଯେ ଏକଥା ଆଲୋଚନା ହେଉଛି । ସଂସଦୀୟ କମିଟିରେ ବି ଏହି ପ୍ରସଙ୍ଗ ଆଲୋଚନା ହୋଇସାରିଛି । ନିର୍ବାଚନ କମିସନ ମଧ୍ୟ ଏ ଦିଗରେ କାର୍ଯ୍ୟ ଆରମ୍ଭ କରିଛନ୍ତି । ଏବଂ ମୁଁ ଭାବୁଛି ଏ ସମ୍ପର୍କରେ ସେମାନେ ଚିଠି ବି ଲେଖିଛନ୍ତି ଯେମିତି କଳା ଟଙ୍କା ବିରୋଧରେ ସଂଗ୍ରାମ । ନିର୍ବାଚନ ପ୍ରସଙ୍ଗ ମଧ୍ୟରେ କଳା ଟଙ୍କା ଯୋଡି ହୋଇରହିଛି । ଦେଶକୁ କଳା ଟଙ୍କା କବଳରୁ ମୁକ୍ତି ପାଇବାକୁ ହେଲେ ନିର୍ବାଚନୀ ସଂସ୍କାର ଅଣାଯିବା ଏକାନ୍ତ ଆବଶ୍ୟକ । ନିର୍ବାଚନ ସଂସ୍କାରର ଏହା ଏକ କ୍ଷେତ୍ର । ମୋର ବିଶ୍ୱାସ ଯେ ଏହା ଉପରେ କେବଳ ପ୍ରଧାନମନ୍ତ୍ରୀ କୌଣସି ନିଷ୍ପତ୍ତି ନେଇପାରିବେ ନାହିଁ । ଏବଂ ସେ ଏହା ନେବା ବି ଅନୁଚିତ । ସରକାର ବି ଏକଥା କରିପାରିବେ ନାହିଁ । ଏହା ଉପରେ ଏକ ସାମୂହିକ ଆଲୋଚନା ହେବା ଦରକାର । ଏବଂ ଏଭଳି ଆଲୋଚନାରୁ ଆମେ ଦୂରେଇ ରହିବା ଅନୁଚିତ । ଭାରତୀୟ ଭୋଟରମାନେ ଏବେ ବେଶ ପରିପକ୍ୱ । ସେମାନେ ଲୋକସଭା ନିର୍ବାଚନରେ ଗୋଟିଏ ଢ଼ଙ୍ଗରେ ଭୋଟ ଦିଅନ୍ତି ପୁଣି ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ଆଉ ଏକ ଢ଼ାଂଚାରେ ମତାଧିକାର ସାବ୍ୟସ୍ତ କରନ୍ତି । ଆମେ ଏକଥା ଦେଖି ସାରିଛେ । 2014ରେ ସାଧାରଣ ନିର୍ବାଚନ ଏବଂ ଓଡିଶା ବିଧାନସଭା ନିର୍ବାଚନ ଏକ ସଙ୍ଗେ ଅନୁଷ୍ଠିତ ହୋଇଥିଲା । ସେହି ଏକା ଭୋଟରମାନେ ଓଡିଶା ପାଇଁ ଗୋଟିଏ ପ୍ରକାର ବିଚାର କଲେ ଏବଂ ଦିଲ୍ଲୀ ପାଇଁ ଆଉ ଏକ ନିଷ୍ପତ୍ତି ନେଲେ । ତେଣୁ ଏ ଦେଶର ଭୋଟରମାନେ ବେଶ୍ ପରିପକ୍ୱ । ଏବଂ ଆମେ ସେମାନଙ୍କ ପରିପକ୍ୱତା ଉପରେ ଆସ୍ଥା ପ୍ରକଟ କରିବା ଉଚିତ । ଆଲୋଚନା କରାଯିବା ଉଚତି ଯେ ଏକ ସଙ୍ଗେ ନିର୍ବାଚନ କରି କିପରି ଖର୍ଚ୍ଚକାଟ କରିପାରିବା, କଳା ଟଙ୍କାର ପ୍ରଭାବକୁ କିପରି ହ୍ରାସ କରିପାରିବା, କିପରି ପାଂଚ ବର୍ଷରେ ଦେଶକୁ ଆଗେଇ ନେବା ଦିଗରେ ଉଦ୍ୟମ କରିପାରିବା । ଆଜି ଆଦର୍ଶ ଆଚରଣ ବିଧି ଯୋଗୁଁ ସେଠାରେ କିଛି କ୍ଷତି ଘଟୁଛି । ମୁଁ ଯେତେବେଳେ ଗୁଜରାଟରେ ଥିଲେ ଦେଖିଲି ଯେ 80ରୁ 90 ଜଣ ଅଫିସର ନିର୍ବାଚନ କାର୍ଯ୍ୟରେ 2ରୁ 3 ମାସ କାଳ ଅନ୍ୟ ରାଜ୍ୟରେ ବିତାଉଛନ୍ତି । ଅନ୍ୟ ରାଜ୍ୟରେ ମଧ୍ୟ ସେହି ଏକାପ୍ରକାର ଘଟଣା ଘଟୁଥିବ । ଏହା ଏକ ଉଦ୍ବେଗର ଘଟଣା ଏବଂ ଦିନେ ଦିନେ ଏ ପ୍ରସଙ୍ଗ ଉପରେ ଚିନ୍ତା କରାଯିବା ଦରକାର । ଏହି ପ୍ରସଙ୍ଗକୁ ନିର୍ବାଚନ କମିସନ ତର୍ଜମା କରିବା ଉଚିତ । କମିସନ ସବୁ ରାଜନୈତିକ ଦଳକୁ ଆମନ୍ତ୍ରିତ କରିବା ସହ ସେମାନଙ୍କ ସହିତ ଆଲୋଚନା କରି ସେଥିରୁ ଏକ ନିଷ୍କର୍ସ ବାହାର କରିବା ଉଚିତ ।

ଅର୍ଣ୍ଣବ: ଏହି ପ୍ରସଙ୍ଗକୁ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କଣ ସମାଧାନ କରାଯାଇପାରିବ ନାହିଁ?

ପ୍ରଧାନମନ୍ତ୍ରୀ ମୋଦୀ: ଏହା ଉପରେ ଆଲୋଚନା ପାଇଁ ନିର୍ବାଚନ କମିସନ ସବୁ ରାଜନୈତିକ ଦଳଙ୍କୁ ଆମନ୍ତ୍ରଣ କରିବା ଦରକାର । ଯଦି ଗୋଟିଏ ଦଳ ଏ ପ୍ରସଙ୍ଗ ଉତ୍ଥାପନ କରିବ ତାହେଲେ ଏହା ପଥଭ୍ରଷ୍ଟ ହୋଇଯିବାର ଆଶଙ୍କା ରହିଛି ।

ଅର୍ଣ୍ଣବ: ଏ ପ୍ରସଙ୍ଗରେ ସହମତ ସୃଷ୍ଟି ଲାଗି ଆପଣ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଇଚ୍ଛୁକ କି?

ପ୍ରଧାନମନ୍ତ୍ରୀ ମୋଦୀ: ପ୍ରଧାନମନ୍ତ୍ରୀ ହେବା ସତ୍ତ୍ୱେ ମୁଁ ମଧ୍ୟ ଏକ ରାଜନୈତିକ ଦଳର ସଦସ୍ୟ । ତେଣୁ ସବୁଠୁ ଭଲ ହେବ ନିର୍ବାଚନ କମିସନ ଏ ପ୍ରସଙ୍ଗ ଉପରେ ଉଦ୍ୟମ ଆରମ୍ଭ କରିବା ଉଚିତ । ଆଜି ନିର୍ବାଚନ ଆୟୋଗ ଦେଶର ଏକ ଅତି ସମ୍ମାନସ୍ପଦ ଅନୁଷ୍ଠାନରେ ପରିଣତ ହୋଇଛନ୍ତି । ସବୁ ରାଜନୈତିକ ଦଳ ନିର୍ବାଚନ ଆୟୋଗଙ୍କ ଉପରେ ଆସ୍ଥା ପ୍ରକଟ କରନ୍ତି ଏବଂ ଏହାଦ୍ୱାରା ସେ ଅନୁଷ୍ଠାନ ଅଧିକ ସଶକ୍ତ ହୋଇପାରିବ ଓ ସମସ୍ତଙ୍କ ପାଇଁ ମଙ୍ଗଳକର ହେବ ।

ଅର୍ଣ୍ଣବ: ମୁଁ ଭାବୁଛି ଏକ ସଙ୍ଗେ ନିର୍ବାଚନ ଅନୁଷ୍ଠିତ କରାଇବା ଏକ ଅଭିନବ ଚିନ୍ତାଧାରା । ଯଦିଚ ରାଜ୍ୟସ୍ତରୀୟ ଦଳ, ଆଂଚଳିକ ଦଳ ଚିନ୍ତା କରିପାରନ୍ତି ଯେ ଏହା ସେମାନଙ୍କ ସ୍ୱାର୍ଥରେ ବାଧା ପହଂଚାଇବ ତଥାପି ବିଜେପି ଭଳି ଜାତୀୟ ସ୍ତରର ରାଜନୈତିକ ଦଳମାନେ ଏଥିରୁ ଲାଭବାନ ହୋଇପାରିବେ ।

ପ୍ରଧାନମନ୍ତ୍ରୀ ମୋଦୀ: ଓଡିଶା ହେଲା ଏହାର ଶ୍ରେଷ୍ଠ ଉଦାହରଣ । 2014 ମସିହାରେ ରାଜ୍ୟରେ ବିଜେପିର କୌଣସି ସୁବିଧା ନଥିଲା ତଥାପି ବିଜେପି ଲୋକସଭା ଆସନରେ ବିଜୟୀ ହେଲା । ଏଥିରୁ ତଫାତ୍ ସହଜରେ ଅନୁମେୟ ।

ଅର୍ଣ୍ଣବ: ପ୍ରଧାନମନ୍ତ୍ରୀ ମହୋଦୟ, ଆଜି କାଲି ଆପଣ ନିଜର କାର୍ଯ୍ୟ ନିର୍ଘଣ୍ଟ କିପରି ପରିଚାଳନା କରିପାରୁଛନ୍ତି? ମୋର କହିବାର କଥା ହେଲା ଆପଣ ଏକ ବିସ୍ମୟକର ଗତିରେ କାର୍ଯ୍ୟ କରୁଛନ୍ତି । ଯେତେ ସଂଖ୍ୟକ ବୈଠକ ଅନୁଷ୍ଠିତ କରାଉଛନ୍ତି, ଲୋକେ କଥାବାର୍ତ୍ତା ହେଉଛନ୍ତି ଯେ ଆପଣଙ୍କ ଅଫିସରମାନେ ଆପଣଙ୍କ ସହ ପାଦମିଳାଇ ଚାଲିବାକୁ ବେଳେ ବେଳେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ: କଥା ଟା ତାହା ନୁହେଁ । ଦୁଇ ବର୍ଷ ହେବାକୁ ବସିଲାଣି ଏବଂ ସମସ୍ତେ ନିଜ ନିଜ କାର୍ଯ୍ୟସହ ଅଭ୍ୟସ୍ତ । ମୋର ବିଶ୍ୱାସ ଯେ ଆମ ଦେଶ ଏଡେ ବିଶାଳ ଯେ ଜଣେ ଯେତେ ଅଧିକ ସମ୍ଭବ ସେତେ କାର୍ଯ୍ୟ କରିବା ଉଚିତ । ତେଣୁ ମୁଁ ସେହି ଢ଼ଙ୍ଗରେ କାର୍ଯ୍ୟ କରିଚାଲିଛି ।

ଅର୍ଣ୍ଣବ: ପ୍ରଧାନମନ୍ତ୍ରୀ ମହୋଦୟ, ଆପଣଙ୍କୁ ମୁଁ ମୋର ଶେଷ ପ୍ରଶ୍ନ ପଚାରିବା ପୂର୍ବରୁ ଯେଉଁ ପ୍ରସଙ୍ଗଟି ଉପରକୁ ଆସିବାକୁ ଚାହୁଁଛି ତାହା ହେଲା କୃଷକମାନଙ୍କ ସମସ୍ୟା । ଆପଣ ଜାଣନ୍ତି ଯେ ଦେଶରେ ଏକ ସମସ୍ୟା ମୁଣ୍ଡ ଟେକିଛି । ଆପଣ ମଧ୍ୟ ଏକଥା ସୂଚାଇଛନ୍ତି । ସାଂସଦମାନଙ୍କୁ ଆପଣ ପ୍ରଦାନ କରିଥିବା ଉଦ୍ବୋଧନରେ ମୁଁ ଆପଣଙ୍କୁ ପୂର୍ବରୁ ମଧ୍ୟ ପଚାରିଛି । ମେ 20 ତାରିଖ ଦିନ ସଂସଦର କେନ୍ଦ୍ରୀୟ ହଲରେ ଉଦ୍ବୋଧନ ଦେଇ ଆପଣ କହିଥିଲେ ଯେ “ଏ ସରକାର ମୋ ପାଇଁ ନୁହେଁ, ଏ ସରକାର ଗରୀବମାନଙ୍କ ପାଇଁ, ଆମେ ସେମାନଙ୍କ ପାଇଁ କିଛି କରିବା ଦରକାର ।” ପ୍ରଧାନମନ୍ତ୍ରୀ ମହୋଦୟ, କୃଷକମାନଙ୍କ ସମସ୍ୟା ଏକ ବାସ୍ତବତା । ମୁଁ ଖୁସି ଯେ ଏହି ସାକ୍ଷାତକାରରେ ଆପଣ ଏହି ବାସ୍ତବତାକୁ ଏଡାଇ ଯାଇନାହାନ୍ତି । ଆପଣ ଏହାର ସମ୍ମୁଖୀନ ହୋଇଛନ୍ତି । ଆପଣ ଏ ସଂପର୍କରେ ଆଲୋଚନା କରିଛନ୍ତି । ଆପଣ ଆମର ସମଗ୍ର ଭବିଷ୍ୟତକୁ ମୌସୁମୀ ସହ ଯୋଡି ଦେଇଛନ୍ତି । ଏ ଦେଶରେ ଏହା ଏକ ବାର୍ଷିକ ସମସ୍ୟା ହୋଇଥିବାରୁ ଆମେ ଏଥିରୁ କିଭଳି ମୁକ୍ତି ପାଇପାରିବା?

ପ୍ରଧାନମନ୍ତ୍ରୀ ମୋଦୀ: ଆମକୁ ଏଠାରେ ଜଳପରିଚାଳନା ଉପରେ ଗୁରୁତ୍ୱ ଦେବାକୁ ପଡିବ । ପ୍ରଧାନମନ୍ତ୍ରୀ କୃଷି ସିଂଚନ ଯୋଜନା ମାଧ୍ୟମରେ ତାହା କରାଯାଉଛି, ଆପଣ ନିଶ୍ଚୟ ଏକଥା ଲକ୍ଷ୍ୟ କରିଥିବେ । ଏବେ ମରୁଡି ବେଳରେ, ମୁଁ 11ଟି ରାଜ୍ୟର ନେତୃବର୍ଗଙ୍କୁ ପୃଥକ୍ ପୃଥକ୍ ଭାବେ ଭେଟିଛି । ସେମାନଙ୍କ ସହ ଦୁଇ/ତିନି ଘଂଟା ଧରି ବସି ଆଲୋଚନା କରିଛି । ଦେଶ ନିଶ୍ଚୟ ଅନୁଭବ କରିଥିବ ଯେ ତାଙ୍କ ପ୍ରଧାନମନ୍ତ୍ରୀ ଏ ବିଷୟରେ କାର୍ଯ୍ୟ କରୁଛନ୍ତି । ଯଦିବା ସେଇ 11ଟି ରାଜ୍ୟର ନେତୃବର୍ଗଙ୍କ ସହ ମିଳିତ ଭାବେ ମୁଁ ମାତ୍ର 10 ମିନିଟ୍ ପାଇଁ ଆଲୋଚନା କରିପାରିଥାନ୍ତି । କିନ୍ତୁ ମୁଁ ସେପରି କରିନଥିଲି । ମୁଁ ସବୁ ରାଜ୍ୟର ନେତାଙ୍କ ସହ ପୃଥକ୍ ପୃଥକ୍ ଭାବେ ଆଲୋଚନା କରି ସେମାନଙ୍କ ନିର୍ଦ୍ଦିଷ୍ଟ ସମସ୍ୟା କଣ ତାହା ଜାଣିଥିଲି ଓ ସେ ଦିଗରେ ଆମେ କଣ କରିପାରିବା ତାହା ଆଲୋଚନା କରିଥିଲୁ । ମୁଁ ଖୁସି ଯେ, ରାଜ୍ୟରେ ଯେଉଁ ଦଳ ସରକାରରେ ଥାଆନ୍ତୁ ନା କାହିଁକି, ଚଳିତ ବର୍ଷ ଖରାଦିନେ ଜଳ କଷ୍ଟ ଉପରେ ସମସ୍ତେ ଗୁରୁତ୍ୱ ଆରୋପ କରିଥିଲେ । ଚଳିତ ବର୍ଷ ବର୍ଷା ଦିନେ ଆମେ ଏହାର ସୁଫଳ ପାଇବୁ । ବୈଜ୍ଞାନିକ ପଦ୍ଧତି ଅବଲମ୍ବନ କରି ଆମେ ଜଳ ସଂଗ୍ରହ ଓ ଜଳସେଚନ ବ୍ୟବସ୍ଥା କରିବୁ । ଜଳ ସଂଗ୍ରହ କରି ତାକୁ କୃଷିକ୍ଷେତ୍ର ପର୍ଯ୍ୟନ୍ତ ପହଂଚାଇବୁ । ସମସ୍ତେ ସେଇଆ କରୁଛନ୍ତି । ଅଣୁ ଜଳସେଚନ ଉପରେ ଗୁରୁତ୍ୱ ଦିଆଯାଉଛି । ଏପରିକି ଆଖୁ ଚାଷୀ ଓ କ୍ଷେତ ବି ଅଣୁ ଜଳସେଚନ ଆଡକୁ ମୁହାଉଛନ୍ତି । ପୂର୍ବରୁ ଯାହା ବନ୍ୟା ଜଳପ୍ଳାବନ ଦ୍ୱାରା ହେଉଥିଲା । ଧାନ ଚାଷ ଲାଗି ପ୍ରଚୁର ଜଳସେଚନର ଆବଶ୍ୟକତା ରହିଛି । ଏବେ ଚାଷୀମାନେ ସେଥିରେ ବୁନ୍ଦା ଜଳସେଚନ ବ୍ୟବହାର କରିବାକୁ ଆରମ୍ଭ କରିଛନ୍ତି । ଆମେ ଯଦି ଜଳସେଚନର ସୁବନ୍ଦୋବସ୍ତ କରିପାରୁଛୁ ତା ହେଲେ ଗୋଟିଏ ବଡ ସମସ୍ୟାର ସମାଧାନ ହୋଇଯିବ । ଦେଶ ସ୍ୱାଧୀନ ପରେ, ପ୍ରଥମ ଥର ପାଇଁ, ଆମେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କାର୍ଯ୍ୟକାରୀ କରୁଛୁ, ଯାହା ଅଧୀନରେ ଅଧିକାଂଶ କୃଷକ ଉପକୃତ ହୋଇପାରିବେ । କୃଷକମାନଙ୍କୁ ଏଥିପାଇଁ 2% ପ୍ରିମିୟମ ଦେବାକୁ ପଡିବ । ମାତ୍ର 2% । ଅବଶିଷ୍ଟ ରାଶି ସରକାର ବହନ କରିବେ । କୃଷକମାନଙ୍କୁ ଆଶ୍ୱସ୍ତି ମିଳିବ । ଉଦାହରଣ ସ୍ୱରୂପ, ମହାରାଷ୍ଟ୍ରରେ ଜୁନ ମାସରେ ମୌସୁମୀ ବର୍ଷା ହେବାର ଆଶା କରାଯାଏ । କୃଷକମାନେ ସବୁ ପ୍ରସ୍ତୁତି କରିଛନ୍ତି, କିନ୍ତୁ ସେମାନେ ବୁଣାବୁଣି ଆରମ୍ଭ କରିନାହାନ୍ତି । ଏବେ ଯଦି ଅଗଷ୍ଟ ମାସରେ ବର୍ଷା ନହୁଏ, ବାସ୍ତବ ଦୃଷ୍ଟିକୋଣରୁ ତା ଫସଲର କ୍ଷତି ହୋଇନି । କାରଣ ସେ ବିହନ ବୁଣିନି । କିନ୍ତୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କୃଷକର କ୍ଷତିକୁ ବିଚାରକୁ ନେଇଛି ଏବଂ କୃଷକକୁ ତାର ଉପଯୁକ୍ତ ରାଶି ପ୍ରଦାନ କରୁଛି । ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା, ଫସଲ ଅମଳ ହେଲା ପରେ ତାହା କଟାଯାଇ କ୍ଷେତରେ ଗଚ୍ଛିତ ରଖାଯାଏ । ଆଶା କରାଯାଏ ଯେ ଏ ବର୍ଷ ଭଲ ଅମଳ ହେଲା । 100% ଫସଲ ହୋଇଛି । କିନ୍ତୁ ସେ ପର୍ଯ୍ୟନ୍ତ ତାହା ଟ୍ରକରେ ଲଦା ହୋଇ ବଜାରକୁ ଯାଇନି । ଫସଲ ଅମଳର 15 ଦିନ ପରେ ବି ଯଦି ବର୍ଷା ହେଲା, ଯଦି ଅମଳ ଫସଲର କ୍ଷତି ହେଲା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ କୃଷକକୁ କ୍ଷତିପୂରଣ ମିଳିବ । ସୁରକ୍ଷାର ଦ୍ୱିତୀୟ ପର୍ଯ୍ୟାୟଟି ହେଲା, ସର୍ବନିମ୍ନ ପ୍ରିମିୟମରୁ ସର୍ବାଧିକ ଉପକାରିତା । ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଆମେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କାର୍ଯ୍ୟକାରୀ କରିଛୁ । ପ୍ରଥମ ଥର ଲାଗି ଆମେ ଇ-ମଣ୍ଡି ବ୍ୟବସ୍ଥା ଆରମ୍ଭ କରିଛୁ । ଗାଁରୁ କୃଷକଟିଏ, ଦେଶରେ ଶ୍ରେଷ୍ଠ ବଜାରରେ ତାର ଉତ୍ପାଦନକୁ ବିକ୍ରି କରିପାରିବେ, ଆଉ ତାହା ପୁଣି ନିଜ ମୋବାଇଲ୍ ଫୋନ୍ ମାଧ୍ୟମରେ । କୃଷକ ତା ଅମଳର ମୂଲ୍ୟ ଉଲ୍ଲେଖ କରିବ । ପୂର୍ବରୁ କୃଷକମାନଙ୍କୁ ଶଗଡ଼ ଓ ଟ୍ରାକ୍ଟରରେ ଲଦି ବଜାରକୁ ନେବାକୁ ପଡୁଥିଲା । ମଣ୍ଡି 20-25 କିମି ଦୂରରେ ଥିଲା । ସମସ୍ୟାରୁ ତାକୁ ବେଳେବେଳେ 10ଟଙ୍କା କମ୍ ମୂଲ୍ୟରେ ବିକ୍ରି କରିବାକୁ ପଡୁଥିଲା । ଏବେ କିନ୍ତୁ ଘରେ ବସି ସେ ତା ଫଲସର ମୂଲ୍ୟ ନିର୍ଦ୍ଧାରଣ କରିପାରିବ । ପରବର୍ତ୍ତି କଥାଟି ହେଲା, ଖାଦ୍ୟ ପ୍ରକ୍ରିୟାକରଣ ଓ ମୂଲ୍ୟ ସମ୍ବର୍ଦ୍ଧନ । ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଆମେ 100% ପ୍ରତ୍ୟକ୍ଷ ପୁଞ୍ଜି ନିବେଶ ବ୍ୟବସ୍ଥା ଆରମ୍ଭ କରିଛୁ । ଉଦାହରଣ ସ୍ୱରୂପ, ଯଦି ଜଣେ କୃଷକ ଟମାଟ ବିକ୍ରି କରୁଛି ଏବଂ ଗୋଟିଏ କମ୍ପାନୀ ଟମାଟ କେଚ ଅପ୍ ପ୍ରସ୍ତୁତ କରୁଛି, ସେଥିରୁ ମୋ କୃଷକ ଭାଇମାନେ ଉପକୃତ ହୋଇପାରିବେ । ଯେଉଁ କମ୍ପାନୀମାନେ ଆରେଟେଡ୍ ଡ୍ରିଙ୍କସ୍, କୋକାକୋଲା, ପେପ୍ସୀ ପ୍ରସ୍ତୁତ କରୁଛନ୍ତି, ମୁଁ ସେମାନଙ୍କୁ ସେଥିରେ 5% ପ୍ରାକୃତିକ ଫଳ ରସ ମିଶାଇବାକୁ ଅନୁରୋଧ କରିଥିଲି । ନାଗପୁର ଓ ବିଦର୍ଭ ପାଖାପାଖି ଅଂଚଳ ଯେଉଁଠାରେ କି ପ୍ରଚୁର କମଳା ଉତ୍ପାଦିତ ହୁଏ, ସେଠାରେ କୋକାକୋଲା 5% ଫଳରସ ମିଶ୍ରଣ ପାଇଁ ରାଜି ହୋଇଛି । ଅମ୍ଳଯୁକ୍ତ ପାନୀୟରେ ଆମେ ଯଦି 5% ଫଳରସ ମିଶାଇବା, କୃଷକମାନଙ୍କୁ ବଜାର ମିଳିଯିବ ଓ ସେମାନଙ୍କ ଫଳ ବି ନଷ୍ଟ ହେବନି । ଆମକୁ ଏକ ବ୍ୟାପକ ସାମଗ୍ରିକ ଯୋଜନା ପ୍ରସ୍ତୁତ କରିବାକୁ ହେବ । ଆମର ବ୍ୟାପକ କ୍ଷେତ କ୍ଷତିଗ୍ରସ୍ତ ହୋଇଛି । ଆମେ ଏବେ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବ୍ୟବସ୍ଥା ପ୍ରଚଳନ କରିଛୁ । ମୃତ୍ତିକା ସ୍ୱାସ୍ଥ୍ୟ ପରୀକ୍ଷା ଅଭିଯାନ ଆରମ୍ଭ କରିଛୁ । ଏହା ମାଧ୍ୟମରେ କୃଷକ ତା କ୍ଷେତର ମୃତ୍ତିକାର ଉର୍ବରତା ନିର୍ଦ୍ଦିଷ୍ଟ ଭାବେ ଜାଣିପାରିବ । ତା ହେଲେ ରସାୟନିକ ସାର ଦରକାର କି ନାହିଁ ସେ ଜାଣିପାରିବେ । ଏହା ଦ୍ୱାରା ଜଣେ କୃଷକ ହେକ୍ଟର ପିଛା 15,000-20,000 ଟଙ୍କା ବଂଚାଇପାରିବେ । ତେଣୁ ଆମେ ଏଭଳି ବୈଜ୍ଞାନିକ ପଦ୍ଧତି ଗ୍ରହଣ କରିଛୁ । ଆମେ ଜାଣିଛୁ ଯେ ଆମ ଦେଶରେ କୃଷକମାନେ ୟୁରିଆ କିଣିବାକୁ ଯିବାବେଳେ ଲାଠିମାଡର ଶିକାର ହୋଇଛନ୍ତି । ତେଣୁ କଳାବଜାରରୁ ସେମାନଙ୍କୁ ତାହା କିଣିବାକୁ ପଡୁଥିଲା । ଆମେ ୟୁରିଆକୁ 100% ନିମ ପ୍ରଲେପଯୁକ୍ତ କରିଛୁ । ପୂର୍ବରୁ ୟୁରିଆ ରସାୟନିକ କାରଖାନାକୁ ଚାଲିଯାଉଥିଲା । କୃଷକଙ୍କ ନାଁରେ ସବସିଡି ଚୋରି ଓ ବାଟମାରଣା ହେଉଥିଲା । ନିମ ପ୍ରଲେପ କରାଯିବା ପରେ କେବଳ କୃଷି ବ୍ୟତୀତ ୟୁରିଆ ଆଉ କୌଣସି କାର୍ଯ୍ୟରେ ବ୍ୟବହୃତ ହୋଇପାରୁନାହିଁ । ନିମ ପ୍ରଲେପ ଯୋଗୁ ଏକ ଗୁଣାତ୍ମକ ପରିବର୍ତ୍ତନ ବି ଘଟିଛି ଯାହା କ୍ଷତିଗ୍ରସ୍ତ ମୃତ୍ତିକାର ଉର୍ବରତା ଫେରାଇ ଆଣିବାରେ ସହାୟକ ହେଉଛି । ଏବେ ଯେଉଁ ଜମିରେ 10 କିଲୋଗ୍ରାମ ୟୁରିଆ ଦରକାର ପଡୁଥିଲା ସେଥିରେ 7 କିଲୋଗ୍ରାମ ନିମ ପ୍ରଲେପଯୁକ୍ତ ୟୁରିଆ ବ୍ୟବହାର ଯଥେଷ୍ଟ ହେଉଛି । ଏସବୁ ଉଦ୍ୟମ କୃଷିର ଉନ୍ନତି ଲାଗି ଉଦ୍ଦିଷ୍ଟ ଏବଂ ଏହାର ସୁଫଳ ଖୁବଶୀଘ୍ର ଜଣାପଡିବ ।

ଅର୍ଣ୍ଣବ: ଆପଣ କଣ ଭାବୁଛନ୍ତି ଯେ ଏହା ଦ୍ୱାରା କୃଷକମାନଙ୍କର ସବୁ ସମସ୍ୟାର ସମାଧାନ ହୋଇପାରିବ । ମୁଁ ଜାଣିବାକୁ ଚାହୁଁଛି, ଏହା କେବଳ ଏକ ବାର୍ଷିକ ବ୍ୟାପାର ନୁହେଁ, ମୌସୁମୀ ଉପରେ ନିର୍ଭରଶୀଳତା କମିବ?

ପ୍ରଧାନମନ୍ତ୍ରୀ ମୋଦୀ: ଦେଖନ୍ତୁ, କୃଷି ହେଲା ଏକ ରାଜ୍ୟ କର୍ତ୍ତୃତ୍ୱାଧୀନ ବିଷୟ । ଭାରତ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ଯଦି ରାଜ୍ୟ ସରକାରମାନେ ଏହାକୁ ପ୍ରବର୍ତ୍ତନ କରିବାରେ ଆଗ୍ରହ ପ୍ରକଟ କରନ୍ତି, ମୁଁ ଭାବୁଛି ସେମାନେ ତାହା କରିବେ । ମୁଁ ଆପଣଙ୍କୁ କହିଛି ଯେ ମୁଁ ରାଜ୍ୟ ନେତୃବର୍ଗଙ୍କୁ ଭେଟିଛି । ଜଳସେଚନ ପ୍ରସଙ୍ଗରେ ସେମାନେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ଯଦି ଏହା କାର୍ଯ୍ୟ କରେ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ କେନ୍ଦ୍ର ସରକାର ପ୍ରତ୍ୟକ୍ଷ ଭାବେ ଜଡିତ ଅଛନ୍ତି । ତାହା ଲୋକମାନଙ୍କୁ ଅନେକ ମାତ୍ରାରେ ଉପକୃତ କରାଇବ ।

ଅର୍ଣ୍ଣବ: ପ୍ରଧାନମନ୍ତ୍ରୀ ମହୋଦୟ, ଏବେ ମୁଁ ଆପଣଙ୍କୁ ଆଉ ଦୁଇଟି ପ୍ରଶ୍ନ ପଚାରୁଛି ।

ପ୍ରଧାନମନ୍ତ୍ରୀ ମୋଦୀ: ସାକ୍ଷାତକାର ବେଶ୍ ଲମ୍ବି ଗଲାଣି ।

ଅର୍ଣ୍ଣବ: ମୁଁ ମୋର ଦୁଇଟି ଯାକ ପ୍ରଶ୍ନକୁ ଏକାଠି ମିଶାଇ ଦେଇଛି । ଆପଣ ବି ଖୁସି ହେଉଛନ୍ତି । ମୁଁ ଖସି ଯେ ଆପଣ ଏତେ କଥା କହୁଛନ୍ତି । ପ୍ରଧାନମନ୍ତ୍ରୀ ମହୋଦୟ, ଆହୁରି ଅନେକ କଥା ଅଛି । ମୁଁ ଭାବୁଛି ଦର୍ଶକମାନେ ଆପଣଙ୍କ ମତାମତ ଜାଣିବାକୁ ଚାହିଁବେ । ଆପଣ ଯଦି ଅନୁମତି ଦିଅନ୍ତି ପ୍ରକୃତରେ ତିନୋଟି ପ୍ରଶ୍ନ ଅଛି । ସେସବୁ ଛୋଟ ଛୋଟ ପ୍ରଶ୍ନ । ପ୍ରଥମଟି ହେଲା ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ, ଆପଣଙ୍କ ମନରେ କେତେ ମାତ୍ରାରେ ରାଜନୀତି ଅଛି? ଏଇ ଦୃଷ୍ଟିରୁ ଯେ ପ୍ରତ୍ୟେକ ପ୍ରଧାନମନ୍ତ୍ରୀ ଏବଂ ବିଶେଷ କରି ଆପଣଙ୍କ ଭଳି ଜଣେ ସ୍ପଷ୍ଟବାଦୀ ପ୍ରଧାନମନ୍ତ୍ରୀଙ୍କ ପକ୍ଷେ । ପରବର୍ତ୍ତି ବଡ ଚାଲେଞ୍ଜ, 2019 ନିର୍ବାଚନ ଲାଗି ଆପଣଙ୍କ ମୁଣ୍ଡରେ କେତେ ଚିନ୍ତା ଅଛି ।

ପ୍ରଧାନମନ୍ତ୍ରୀ ମୋଦୀ: ଯେଉଁମାନେ ମୋତେ ଗୁଜରାଟରେ ଦେଖିଛନ୍ତି ଏବଂ ଯେଉଁମାନେ ମୋତେ ଏଇ ଦୁଇ ବର୍ଷ ଦେଖିଛନ୍ତି, ଯେଉଁମାନେ ମନରେ କୌଣସି ପକ୍ଷପାତିତା ନରଖି ମୋତେ ଲକ୍ଷ୍ୟ କରିଛନ୍ତି ସେମାନେ ଜାଣିପାରିବେ ଯେ ମୁଁ ଜଣେ ରାଜନୀତି ରହିତ ପ୍ରଧାନମନ୍ତ୍ରୀ । ନିର୍ବାଚନ ବ୍ୟତୀତ, ମୁଁ କଦାଚିତ୍ ରାଜନୀତିରେ ଜଡିତ ହୋଇଥାଏ । ଆପଣ ନିର୍ବାଚନକୁ ଏକ ଆବଶ୍ୟକତା ବୋଲି ଧରି ପାରନ୍ତି । କିମ୍ବା ଏକ ବାଧକ ବା ଏକ ଦାୟିତ୍ୱ । ଆମକୁ ଏହା କରିବାକୁ ପଡିବ । ମୁଁ ଅନେକ କାର୍ଯ୍ୟକ୍ରମରେ ଯୋଗଦିଏ, ଅନେକ ସ୍ଥାନକୁ ଯାଏ । ସେଠାରେ ମୋ ତୁଣ୍ଡରୁ ଆପଣ କୌଣସି ରାଜନୈତିକ ଟିପ୍ପଣୀ ଶୁଣିନଥିବେ । ଯଦି ମୁଁ କୌଣସି ସରକାରୀ କାର୍ଯ୍ୟକ୍ରମକୁ ଯାଏ, ମୁଁ ସେଠାରେ ସରକାରଙ୍କ ସମ୍ପର୍କୀତ କିଛି କହିଯାଏ । ଯଦି ମୁଁ ରେଳବାଇର କିଛି କାର୍ଯ୍ୟକ୍ରମକୁ ଯାଏ, ମୁଁ ରେଳବାଇ କଥା ହିଁ କହେ । ଯଦି ଜଳ କାର୍ଯ୍ୟକ୍ରମରେ ଯୋଗଦିଏ କେବଳ ଜଳ କଥା ହିଁ ଆଲୋଚନା କରେ । ଜଳାଶୟ କାର୍ଯ୍ୟକ୍ରମରେ ଜଳାଶୟ କଥା । ମୋର ଗୁରୁତ୍ୱ ସଦାବେଳେ ଶାସନ ଉପରେ । ଦେଶ ଅଶେଷ କ୍ଷତି ସହ୍ୟକରିଛି, କାରଣ ସରକାର କେବଳ ନିର୍ବାଚନ ପାଇଁ ଚାଲୁଥିଲା । କେବଳ ନିର୍ବାଚନ ସକାଶେ ସରକାର ଚାଲିବା ଉଚିତ ନୁହେଁ । ସାଧାରଣ ଲୋକଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବା ହେଉଛି ସରକାରର ପ୍ରଥମ ଓ ପରମ କର୍ତ୍ତବ୍ୟ । ନିର୍ବାଚନ କେବଳ ଏହାର ଏକ ପାର୍ଶ୍ଵ କାର୍ଯ୍ୟକ୍ରମ । ଏହା ଏକ ଗଣତନ୍ତ୍ର । ହାରିବା-ଜିଣିବା ଏହାର ଗୋଟିଏ ଗୋଟିଏ ପାର୍ଶ୍ଵ । ତାକୁ ଏତେ ଗୁରୁତ୍ୱ ଦେବା ଅନୁଚିତ୍ । ଆପଣ ଜାଣନ୍ତୁ ଯେ ଏବେ ମୁଁ ଲୋକମାନଙ୍କୁ ନିବେଦନ କରୁଛି ଯେ ସେପ୍ଟେମ୍ବର 30 ସୁଦ୍ଧା ସେମାନେ ନିଜ ନିଜ ଟିକସ ଭରନ୍ତୁ । ଗଲା କାଲି ମନ କୀ ବାତ୍ କାର୍ଯ୍ୟକ୍ରମ ବେଳେ ବି ସେଇକଥା କହିଛି । ଜଣେ ବ୍ୟକ୍ତି ଯେ କେବଳ ନିର୍ବାଚନ କଥା ଚିନ୍ତା କରୁଥିବେ, ସେ କେବେ କହିପାରିବ କି ଟିକସ ନଦେଲେ ସେପ୍ଟେମ୍ବର 30 ତାରିଖ ପରେ ଅସୁବିଧାରେ ପଡିବ ।

ଅର୍ଣ୍ଣବ: ଏହା ଗୋଟିଏ ଦୃଷ୍ଟିରୁ ଚେତାବନୀ ।

ପ୍ରଧାନମନ୍ତ୍ରୀ ମୋଦୀ: ଏହା ଗୋଟିଏ ଚେତାବନୀ । ନିଶ୍ଚିତ ଭାବେ ଚେତାବନୀ । ମୋର ପ୍ରଥମ ଚେତାବନୀ ହେଉଛି ମୋର ସରକାରୀ ଅଧିକାରୀମାନଙ୍କୁ ଯେ ସେମାନେ ନାଗରିକମାନଙ୍କୁ ଚୋର ବୋଲି ନ’ଭାବନ୍ତୁ । ମୁଁ ସେମାନଙ୍କୁ ସତର୍କ କରାଇ ସାରିଛି । ପ୍ରଥମେ ମୁଁ ମୋର ଅଫିସରମାନଙ୍କୁ ବୁଝାଇଛି । ଏଥିଲାଗି ମୋତେ ଢ଼େର ସମୟ ଲାଗିଲା । ଆପଣ ଜାଣି ବିସ୍ମିତ ହେବେ ଯେ ସାଧୁତା କାରଣରୁ ମୁଁ ଆୟକର ବିଭାଗର 30 ରୁ ଅଧିକ ଅଧିକାରୀଙ୍କୁ ସମୟ ପୂର୍ବରୁ ଅବସର ପ୍ରଦାନ କରିଛି । ଏଇଟି କିଛି ଛୋଟ କଥାନୁହେଁ । ଯେଉଁ ଅଧିକାରୀମାନେ ଗଲା 20ବର୍ଷ ଧରି ବଦଳି ହୋଇନଥିଲେ, ସେମାନଙ୍କୁ ମୁଁ ବଦଳି କରାଇଛି, ତେଣୁ ପ୍ରଥମ ଗୁରୁତ୍ୱର କଥା ହେଲା ବ୍ୟବସ୍ଥା । ଦ୍ୱିତୀୟରେ ମୁଁ ଦେଶବାସୀଙ୍କୁ କହିଛି, ଦେଶର ଗରୀବ ଲୋକଙ୍କ ପାଇଁ ଆମକୁ କିଛି ଦେବାକୁ ପଡିବ । ପ୍ରତ୍ୟେକ ଟଙ୍କାର ହିସାବ ଦେବା ହେଲା ମୋ ଦାୟିତ୍ୱ । ଠିକ ସ୍ଥାନରେ ମୁଁ ତାର ଉପଯୋଗ କରିବି । ତାକୁ ଚୋରି ହେବାକୁ ମୁଁ କଦାପି ଦେବିନି । ମୋର ଯଦି ଗରୀବ ଲୋକଙ୍କୁ ଘର ଦେବାର ଅଛି, ଆମକୁ ରାଜସ୍ୱ ଦରକାର । ମୁଁ ଟିକସ ବଢ଼ାଇବାକୁ ଚାହେଁନା । ଦେଶବାସୀଙ୍କୁ ଅସୁବିଧାରେ ନପକାଇ ବି ଦେଶ ଚାଲି ପାରିବ । ମୋର କହିବା କଥା ହେଲା, ଲୋକମାନେ ନିଷ୍ଠାର ସହ ସେମାନଙ୍କ କର ପୈଠ କରନ୍ତୁ । ମୁଁ ଏ ଦିଗରେ କାଯ୍ୟ କରୁଛି । ସେଇଥି ଲାଗି ସେପ୍ଟେମ୍ବର 30 ସୁଦ୍ଧା ଲୋକମାନେ କର ପୈଠ କରିବାକୁ ସେମାନଙ୍କୁ ସୁଯୋଗ ଦିଆଯାଇଛି । ତାହା 10 ହଜାର ହୋଇଥାଉ କି 50 ହଜାର । ସେମାନେ ଯଦି ମୁଖ୍ୟସ୍ରୋତକୁ ଆସିବାକୁ ଚାହୁଁଥାନ୍ତି, ସେମାନେ ଏଥିଲାଗି ଆଦୌ ଚିନ୍ତିତ ହେବା ଅନୁଚିତ୍ । ସେପ୍ଟେମ୍ବର 30 ତାରିଖ ପରେ ସରକାର ପଦକ୍ଷେପ ନେବା ଆରମ୍ଭ କରିବେ । ନିର୍ବାଚନ ପାଇଁ ମୁଁ ବ୍ୟତିବ୍ୟସ୍ତ ନୁହେଁ । ମୁଁ ଆବଶ୍ୟକ ପଦକ୍ଷେପ ନେବି । ଦେଶର ଗରୀବ ଲୋକଙ୍କ ପାଇଁ ମୋର କିଛି କରିବାର ଅଛି ।

ଅର୍ଣ୍ଣବ: ପ୍ରଧାନମନ୍ତ୍ରୀ ମହୋଦୟ, ଆଗାମୀ ତିନି ବର୍ଷ ପାଇଁ କିଛି ଉଜ୍ଜ୍ୱଳ ଲକ୍ଷ୍ୟ ଉପରେ ଏକାଗ୍ର ଚିତ୍ତ ରଖିବେ । ଆଗାମୀ ତିନି ବର୍ଷ ପାଇଁ କ୍ରିକେଟ ଭାଷାରେ କହିଲେ, ଏ ପର୍ଯ୍ୟନ୍ତ ଆପଣ ନିଜ ରନ-ରେଟ କିପରି ରଖିଛନ୍ତି ଓ ଆପଣ ନିଜ ରନ-ରେଟ ବଢ଼ାଇ ଆସନ୍ତା ତିନି ବର୍ଷରେ ନିଜ ଲକ୍ଷ୍ୟ ହାସଲ କରିବାକୁ ଚାହାନ୍ତି କି?

ପ୍ରଧାନମନ୍ତ୍ରୀ ମୋଦୀ: ଦେଖନ୍ତୁ, ମୁଁ ଯେଉଁ ହାରରେ ଆଗକୁ ବଢ଼ୁଥାଏ ନା କାହିଁକି, ମୁଁ ଆଦୌ ସନ୍ତୁଷ୍ଟ ନୁହେଁ । ଆଜି ଯଦି ମୁଁ 100 ସ୍ପିଡିରେ ଦୌଡୁଛି, ତାହେଲେ 200 ସ୍ପିଡିରେ ଦୌଡିବାକୁ ମୁଁ ଲକ୍ଷ୍ୟ ଧାର୍ଯ୍ୟ କରିବି । ମୁଁ ଭାବେ ଯେ ଯେଉଁ ଦୁନିଆ ଆମ ପଛରେ ରହିଥିଲା । ତାହା ଆଗକୁ ଆସିଯାଇଛି । ସେଇ ପର୍ଯ୍ୟାୟକୁ ପହଂଚିବାକୁ ହେଲେ ଆମକୁ ଆହୁରି ଦ୍ରୁତ ଗତିରେ ଧାଇଁବାକୁ ପଡିବ । ତେଣୁ ଆମକୁ ହିସାବ କରିବାର ଅବସର ନାହିଁ । ଆମକୁ ଏଥିପାଇଁ ସର୍ବସ୍ୱ ବାଜି ଲଗାଇ ଦେବାକୁ ପଡିବ । ତେଣୁ ମୁଁ ଏଥିଲାଗି ସବୁ କିଛି ସମର୍ପଣ କରିଦେଇଛି । ମୋ ସରକାରକୁ ମୁଁ ଆଗକୁ ଟାଣି ନେବାରେ ସଫଳ ହୋଇଛି । ମୋର ବିଶ୍ୱାସ ଯେ ଦେଶ ବି ଆଗକୁ ବଢ଼ିବା ଲାଗି ପ୍ରତିବଦ୍ଧ ।

ଅର୍ଣ୍ଣବ: ପ୍ରଧାନମନ୍ତ୍ରୀ ମହୋଦୟ, ଆପଣଙ୍କୁ ମୋର ଶେଷ ପ୍ରଶ୍ନ । ଆପଣଙ୍କୁ କଣ ସବୁଠାରୁ ଅଧିକ ପ୍ରଭାବିତ କରେ? ପ୍ରଥମତଃ ମୁଁ ଯାହା କହିଛି, ଆପଣ ଏଇ ବେଗରେ ଆଗକୁ ବଢ଼ିପାରିବେ କି? ଆପଣଙ୍କୁ କଣ ସର୍ବାଧିକ ପ୍ରଭାବିତ କରେ ଓ ଯଦି ଆପଣ ନିଷ୍ଠାର ସହ ଆମ ଦର୍ଶକମାନଙ୍କ ସହ ତାହା ବାଂଟିବାକୁ ଚାହାନ୍ତି, ତାହେଲେ ଆପଣଙ୍କ ମନର ସବୁଠାରୁ ବଡ ଦୁଶ୍ଚିନ୍ତାଟି କଣ?

ପ୍ରଧାନମନ୍ତ୍ରୀ ମୋଦୀ: ପ୍ରଥତଃ ମୁଁ କେତେ ବେଳେ ବି ଦୁଶ୍ଚିନ୍ତା ଚାପରେ ରହେନାହିଁ । ସମସ୍ୟା ଓ ଚାଲେଞ୍ଜ ତ ଆସିବ । ଆପଣ ତାକୁ ଅସ୍ୱୀକାର କରିପାରିବେ ନାହିଁ । ତେଣୁ ଆପଣ ଚାଲେଞ୍ଜକୁ ଚାଲେଞ୍ଜ କରିବାକୁ ପଡିବ । ତେବେ ଚାଲେଞ୍ଜ ଯେପରି ଦୁଶ୍ଚିନ୍ତା ହୋଇ କବଳିତ କରି ନବସେ । ଏହା ହେଲା ମୋ ନୀତି । ମୁଁ ଚାଲେଞ୍ଜକୁ ଚାଲେଞ୍ଜ କରେ । ସମସ୍ୟାର ସାମ୍ନା କରିବାକୁ ମୋତେ ଭଲ ଲାଗେ । ସେଗୁଡିକ ଠାରୁ ମୁଁ ଦୂରେଇ ପଳାଏ ନାହିଁ । ମୋର ଯେତେ କ୍ଷତି ସହ୍ୟ କରିବାକୁ ଥାଉ ପଛେ ମୁଁ ତାର ସାମ୍ନା କରେ । କିନ୍ତୁ ଦେଶକୁ ଅସହାୟ ଅବସ୍ଥାରେ ମୁଁ ଛାଡି ଦେଇପାରିବି ନାହିଁ । ଏ ଦାୟିତ୍ୱକୁ ମୁଣ୍ଡାଇବାକୁ ପଡିବ ଏବଂ ମୁଁ ତାହା ଜାରି ରଖିବି । ମୋର କୌଣସି କଥାରେ ଅନୁଶୋଚନା ନାହିଁ । ମୋର ବିଶ୍ୱାସ ଯେ ଦେଶବାସୀ ମୋ କାନ୍ଧରେ ଏକ ଗୁରୁଦାୟିତ୍ୱ ଦେଇଛନ୍ତି ଏବଂ ମୋତେ ତାହା ପୂରଣ କରିବାକୁ ହେବ । ତୃତୀୟ କଥା ହେଲା, ଯେତେବେଳେ ଦେଶର ଗରୀବ ଲୋକମାନଙ୍କ ଆଡକୁ ମୁଁ ଦେଖେ, ସେତେବେଳେ ସେମାନଙ୍କ ପ୍ରତି ମୋର କର୍ତ୍ତବ୍ୟ କଥା ମନେ ପଡେ । ଗଲା 15 ଦିନ, ମୁଁ ପୁନେରେ ଥିଲି ଓ ସେଠାରେ ଶ୍ରୀମାନ୍ ଚନ୍ଦ୍ରକାନ୍ତଜୀଙ୍କୁ ଭେଟିଥିଲି । ଜଣେ ଅବସରପ୍ରାପ୍ତ ଶିକ୍ଷକ ଯାହାଙ୍କ ମାସିକ ପେନସନ ମାତ୍ର 16,000ଟଙ୍କା । ସେଥିରୁ ସେ ପ୍ରତି ମାସରେ ସ୍ୱଚ୍ଛଭାରତ ଅଭିଯାନ ପାଇଁ 5,000 ଟଙ୍କା ଦାନ କରୁଛନ୍ତି । ଯଦି ଜଣେ 70 ବର୍ଷ ବୟସର ବୃଦ୍ଧ ଯାହାଙ୍କର ଗୋଟିଏ ପରିବାର ଓ ପିଲାଛୁଆ ଅଛନ୍ତି । ସେ ଯଦି ପରିବାର କଥା ଚିନ୍ତା ନକରି ଦେଶ କଥା ପ୍ରଥମେ ଚିନ୍ତା କରିପାରନ୍ତି, ତା ହେଲେ ଦେଶର ପ୍ରଧାନମନ୍ତ୍ରୀ ହୋଇ ମୋତେ ଚନ୍ଦ୍ରକାନ୍ତଜୀଙ୍କ ଠାରୁ ହଜାର ଗୁଣ ସକ୍ରିୟତାର ସହ କାର୍ଯ୍ୟ କରିବାକୁ ପଡିବ । ଏଇ ହେଲା ମୋ ପ୍ରେରଣା । ଏ ଦେଶର ଲୋକେ ଯେଉଁମାନେ ଦିନ ରାତି ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି, ସେଇମାନେ ମୋ ପ୍ରେରଣା । ମୁଁ ସେମାନଙ୍କ ଆଡକୁ ଚାହେଁ ଓ ଅଧିକ ଶ୍ରମ କରିବାକୁ ଚେଷ୍ଟାକରେ ।

ଅର୍ଣ୍ଣବ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହୋଦୟ, ଆପଣଙ୍କ ସହ କଥାବାର୍ତ୍ତା ହେବା ଏକ ଗୌରବର କଥା । ଏଇ ସାକ୍ଷାତକାର ପାଇଁ ମୁଁ ଆପଣଙ୍କ ନିକଟରେ କୃତଜ୍ଞ ।

ପ୍ରଧାନମନ୍ତ୍ରୀ ମୋଦୀ: ଆପଣଙ୍କୁ ଧନ୍ୟବାଦ ।

ଅର୍ଣ୍ଣବ: ଏବଂ ଆପଣ ଯେଉଁ ଦର୍ଶକମାନଙ୍କୁ ଏତେ ସ୍ପଷ୍ଟ ଭାବେ କହିଲେ ସେମାନଙ୍କ ତରଫରୁ ବି ଧନ୍ୟବାଦ । ଏଇ କାର୍ଯ୍ୟକ୍ରମଟି ହେଲା “ଫ୍ରାଙ୍କଲି ସ୍ପିକିଂ” (ସ୍ପଷ୍ଟ କଥା) । ଆପଣ ଏତେ ସ୍ପଷ୍ଟ ସ୍ୱରରେ କହିଥିବାରୁ ଆପଣଙ୍କୁ ଧନ୍ୟବାଦ ।

ପ୍ରଧାନମନ୍ତ୍ରୀ ମୋଦୀ: ମୋର କେବଳ ଗୋଟିଏ ଅନୁରୋଧ ଯେ ଏଥିରୁ କୌଣସି ବିବାଦ ସୃଷ୍ଟି କରନ୍ତୁ ନାହିଁ, ବରଂ ଏହାକୁ ଦେଶର ହିତ ନିମନ୍ତେ ଉପଯୋଗ କରନ୍ତୁ ।

ଅର୍ଣ୍ଣବ: ଦୟାକରି ସେପରି ଭାବନ୍ତୁ ନାହିଁ । ଆପଣଙ୍କୁ ଧନ୍ୟବାଦ ।

ପ୍ରଧାନମନ୍ତ୍ରୀ ମୋଦୀ: ଅଶେଷ ଧନ୍ୟବାଦ । ଆପଣଙ୍କୁ ବହୁତ ଧନ୍ୟବାଦ ।

(ପ୍ରଧାନମନ୍ତ୍ରୀଙ୍କ ମୂଳ ସାକ୍ଷାତକାର ହିନ୍ଦୀ ଭାଷାରେ ରହିଛି । ଓଡିଆ ପ୍ରତିଲିପିରେ କୌଣସି ମାର୍ମିକ ଓ ଭାବଗତ ପାର୍ଥକ୍ୟ ଜଣାପଡିଲେ ଦୟାକରି ଆପଣମାନେ ମୂଳ ହିନ୍ଦୀ ସାକ୍ଷାତକାରକୁ ଉପରେ ପ୍ରଦତ୍ତ ଭିଡ଼ିଓ ଲିଙ୍କକୁ କ୍ଲିକ କରି ଶୁଣି ପାରିବେ …………)