Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀଙ୍କ ମେକ୍ସିକୋ ଗସ୍ତ ଅବସରରେ ଭାରତ-ମେକ୍ସିକୋ ମିଳିତ ବିବୃତି

ପ୍ରଧାନମନ୍ତ୍ରୀଙ୍କ ମେକ୍ସିକୋ ଗସ୍ତ ଅବସରରେ ଭାରତ-ମେକ୍ସିକୋ ମିଳିତ ବିବୃତି


1. ମିଳିତ ମେକ୍ସିକୋ ରାଜ୍ୟର ରାଷ୍ଟ୍ରପତି, ମହାମହିମ ମିଷ୍ଟର ଏନରିକ ପେନା ନିଏତୋଙ୍କ ଆମନ୍ତ୍ରଣକ୍ରମେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 2016, ଜୁନ 8 ରେ ସରକାରୀ ଗସ୍ତ କରିଥିଲେ । 2015, ସେପ୍ଟେମ୍ବରରେ ଅନୁଷ୍ଠିତ 70ତମ ମିଳିତ ଜାତିସଂଘ ଅଧିବେଶନରେ ଦୁଇ ନେତୃବୃନ୍ଦଙ୍କ ମଧ୍ୟରେ ହୋଇଥିବା ଆଲୋଚନା ଆଗକୁ ବଢାଇବାର ଲକ୍ଷ୍ୟ ନେଇ ଏହି ଗସ୍ତ କାର୍ଯ୍ୟକ୍ରମ କରାଯାଇଥିଲା ।

2. ଏକବିଂଶ ଶତାବ୍ଦୀ ଭାରତ-ମେକ୍ସିକୋ ମଧ୍ୟରେ ଅର୍ଥନୈତିକ, ବିଜ୍ଞାନ ଏବଂ କାରିଗରୀ କ୍ଷେତ୍ରରେ ଏକାଭିମୁଖତା ଦ୍ୱିପାକ୍ଷୀକ ଭାଗୀଦାରୀ ପାଇଁ ଉଦ୍ଦିଷ୍ଟ । ବିଶ୍ୱିକ ଗୁରୁତ୍ୱପୂର୍ଣ୍ଣ ସମସ୍ୟାଗୁଡିକ ଦୁଇ ଦେଶ ମଧ୍ୟରେ ଏକ ଦୀର୍ଘକାଳୀନ ରାଜନୈତିକ, ଅର୍ଥନୈତିକ ଏବଂ ସାମୂହିକ ଲକ୍ଷ୍ୟ ହାସଲ ମାର୍ଗକୁ ପରିଭାଷିତ କରିବାର ଅବସର ପ୍ରଦାନ କରିଛି ।

3. ରାଷ୍ଟ୍ରପତି ଏନରିକ ପେନା ନିଏତୋ ମେକ୍ସିକୋରେ ଆରମ୍ଭ କରାଯାଇଥିବା ଆର୍ଥିକ ଅଭିବୃଦ୍ଧି ଏବଂ ବିକାଶକୁ ପ୍ରୋତ୍ସାହନ ଦେବା ପାଇଁ ଢାଞ୍ଚାଗତ ସଂସ୍କାର ଉପରେ ବିସ୍ତୃତ ଭାବେ ସୂଚନା ପ୍ରଦାନ କରିଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସରକାର ଦ୍ୱାରା କରାଯାଇଥିବା ଆର୍ଥିକ ବିକାଶ ଏବଂ ଲୋକମାନଙ୍କ ଜୀବନଶୈଳୀରେ ବିକାଶ ଉପରେ ଆଲୋକପାତ କରିଥିଲେ ।

ଏହି ସନ୍ଦର୍ଭରେ ଦୁଇ ନେତା-

ରାଜନୈତିକ ବାର୍ତ୍ତା

4. ଏକବିଂଶ ଶତାବ୍ଦୀରେ ଉପଯୁକ୍ତ ବିଶେଷାଧିକାର ଭାଗିଦାରୀ ପାଇଁ ରୋଡମ୍ୟାପ ପ୍ରସ୍ତୁତ କରିବାକୁ ଦୁଇ ଦେଶର ବିଦେଶ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଚଳିତ ବର୍ଷ ମେକ୍ସିକୋଠାରେ ସପ୍ତମ ମେକ୍ସିକୋ-ଭାରତ ମିଳିତ କମିଶନ ବୈଠକ ଢାଂଚାରେ ଏହା ପ୍ରସ୍ତୁତ କରିବା ପାଇଁ କୁହାଯାଇଛି ।

5. ବିଜ୍ଞାନ ଏବଂ କାରିଗରୀ କୌଶଳ ସଂକ୍ରାନ୍ତ ମିଳିତ କମିଟିର ଷଷ୍ଠ ବୈଠକ ଏବଂ ବାଣିଜ୍ୟ, ପୁଂଜି ନିବେଶ ଏବଂ ସମନ୍ୱୟର ଉଚ୍ଚସ୍ତରୀୟ ଗୋଷ୍ଠୀର ଚତୁର୍ଥ ବୈଠକ ଚଳିତ ବର୍ଷର ଦ୍ୱିତୀୟାର୍ଦ୍ଧରେ ମେକ୍ସିକୋଠାରେ ଅନୁଷ୍ଠିତ ହେବ । ଏହି ଆଧାରରେ ସଂପୃକ୍ତ ବିଷୟଗୁଡିକରେ ଆଗାମୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

6. ବିଭିନ୍ନ କ୍ଷେତ୍ରରେ ହୋଇଥିବା ବିକାଶର ମୂଲ୍ୟାୟନ କରି ଏକାଭିମୁଖୀ ଏବଂ ବ୍ୟାପକ ଯୋଜନା ମାଧ୍ୟମରେ ଦୁଇ ଦେଶ ନୂତନ ଲକ୍ଷ୍ୟ ହାସଲ କରିବା ଦିଗରେ ଦ୍ୱିପାକ୍ଷିକ ସଂପର୍କକୁ ଅଧିକ ସୁଦୃଢ କରିବେ ।

7. ଆଂଚଳିକ ସ୍ତରରେ ମିଳିତ ସ୍ୱାର୍ଥ ଥିବା ସମସ୍ୟାଗୁଡିକ ଉପରେ ମତ ବିନିମୟ ହୋଇଥିଲା । ଲାଟିନ ଆମେରିକା, ସିଇଏଲଏସି ଏବଂ ପେସିଫିକ ଏଲାଏନ୍ସରେ ରାଜନୈତିକ ଏବଂ ଅର୍ଥନୈତିକ ବିକାଶ ସହିତ ଏସିଆ ପେସିଫିକ କ୍ଷେତ୍ରର ସାଂପ୍ରତିକ ସ୍ଥିତି ବିଷୟରେ ଆଲୋଚନା କରାଯାଇଥିଲା ।

ଅର୍ଥନୈତିକ ଭାଗୀଦାରୀ

8. ଲକ୍ଷ୍ୟ ହାସଲ ଦିଗରେ ବାଣିଜ୍ୟକୁ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ଅର୍ଥନୈତିକ ବିନିମୟର ବିବିଧାତ୍ମକ ବୃଦ୍ଧିକୁ ଗୁରୁତ୍ୱ ପ୍ରଦାନ କରିବା ଏବଂ ସଠିକ୍ କ୍ଷେତ୍ରରେ ପୁଂଜି ନିବେଶକୁ ସାମ୍ଭାବ୍ୟ ସ୍ତରରେ ପହଂଚାଇବା ।

9. ଆବଶ୍ୟକତାକୁ ଗୁରୁତ୍ୱ ପ୍ରଦାନ କରି ଦୁଇ ଦେଶ ମଧ୍ୟରେ ବ୍ୟାପକ ଯୋଗସୂତ୍ର ରକ୍ଷା କରାଯିବ । କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗମାନଙ୍କ ମଧ୍ୟରେ, ଫାର୍ମାସୁଟିକାଲ ଉତ୍ପାଦ, ଶକ୍ତି, ମୋଟରବାହନ କ୍ଷେତ୍ର, ସୂଚନା ପ୍ରଯୁକ୍ତି ସେବା, କୃଷି, ଖାଦ୍ୟ ପ୍ରକ୍ରୀୟାକରଣ ଏବଂ ଆନୁସଙ୍ଗିକ କ୍ଷେତ୍ରଗୁଡିକର ଭିତ୍ତିଭୂମି ବିକାଶରେ ସମନ୍ୱୟକୁ ପ୍ରୋତ୍ସାହନ ପ୍ରଦାନ କରାଯିବ ।

10. ମେକ୍ସିକୋରେ ଶକ୍ତି କ୍ଷେତ୍ରରେ ରଚନାତ୍ମକ ସଂସ୍କାର ଦ୍ୱାରା ଭାରତୀୟ କଂପାନୀଗୁଡିକ ଆକର୍ଷିତ ହୋଇ କରିଥିବା ପୁଂଜି ନିବେଶ ବେଶ୍ ସନ୍ତୋଷଜନକ । ଏହା ସହିତ ଭାରତୀୟ ବଜାରରେ ମେକ୍ସିକୋ କଂପାନୀଗୁଡିକ ପାଇଁ ଅନେକ ସୁଯୋଗ ମଧ୍ୟ ରହିଛି ।

11. ସୌର ଶକ୍ତି କ୍ଷେତ୍ରରେ ପୁଂଜି ନିବେଶ ଏବଂ ଏହାର ବ୍ୟବହାର ପାଇଁ ପ୍ରୋତ୍ସାହନ ଦେବା ନେଇ ସମନ୍ୱୟ ରକ୍ଷା କରାଯିବା ଉପରେ ସହମତି ଜଣାଇଛନ୍ତି । ଅନ୍ତର୍ରାଷ୍ଟ୍ରୀୟ ସୌର ଚୁକ୍ତି ଲକ୍ଷ୍ୟକୁ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ଦୁଇ ଦେଶ ଏହାର ପଥ ଏବଂ ମାଧ୍ୟମ ଉପରେ ଅନୁସନ୍ଧାନ କରିବେ ।

12. ଦୁଇ ଦେଶର ଲୋକମାନଙ୍କ ମଧ୍ୟରେ ଆଦାନ ପ୍ରଦାନ ଦ୍ୱାରା ଉତ୍ତମ ବୁଝାମଣାକୁ ପ୍ରୋତ୍ସାହନ ପ୍ରଦାନ ଏବଂ ସଂସ୍କୃତି, ଶିକ୍ଷା ଏବଂ ପର୍ଯ୍ୟଟନ କ୍ଷେତ୍ରରେ ଦ୍ଵିପାକ୍ଷିକ ସଂପର୍କକୁ ସୁଦୃଢ କରାଯିବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା ।

ଦ୍ୱିପାକ୍ଷିକ ସମନ୍ୱୟ

13. ମତାମତ ବିନିମୟ ଏବଂ ମେକ୍ସିକୋର ନେସନାଲ ଡିଜିଟାଲ ଷ୍ଟ୍ରାଟେଜୀ ଏବଂ ଭାରତର ଡିଜିଟାଲ ଇଣ୍ଡିଆ ପଦକ୍ଷେପର ସମାନତା ସାଧାରଣ ଉଦ୍ଦେଶ୍ୟ ସାଧନ କରୁଥିବାରୁ ଏହାକୁ ସ୍ୱାଗତ କରାଯାଇଥିଲା ।

14. ଅନ୍ତରୀକ୍ଷ ବିଜ୍ଞାନ, ଭୂ-ପର୍ଯ୍ୟବେକ୍ଷଣ, ଜଳବାୟୁ ଏବଂ ପର୍ଯ୍ୟାବରଣ ଅଧ୍ୟୟନ, ମେକ୍ସିକୋ ଏବଂ ଭାରତରେ ରିମୋଟ ସେନସିଂ ପାଇଁ ଅନ୍ତରୀକ୍ଷ ସମ୍ବନ୍ଧୀୟ ସାଧନର ବ୍ୟବହାର, ବିପର୍ଯ୍ୟୟ ପ୍ରତିରୋଧ ପାଇଁ ଆଗୁଆ ସତର୍କ ସୂଚନା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା । ମେକ୍ସିକୋର ଅନ୍ତରୀକ୍ଷ ସଂସ୍ଥା (ଏଇଏମ) ଏବଂ ଭାରତୀୟ ଅନ୍ତରୀୟ ଅନୁସନ୍ଧାନ ସଂସ୍ଥା (ଇସ୍ରୋ) ମଧ୍ୟରେ ଉପଗ୍ରହ ପ୍ରେରଣ ସଂକ୍ରାନ୍ତ ସମନ୍ୱୟକୁ ସ୍ୱାଗତ କରାଯାଇଥିଲା ।

15. ଦୁଇ ଦେଶର ବିଭିନ୍ନ ସଂପ୍ରଦାୟର ଲୋକ ବିଦେଶରେ ରହୁଛନ୍ତି । ମତ ବିନିମୟ, ସୂଚନା, ସଂସ୍ଥା ଏବଂ ସାଧାରଣ ଜନତା ତାଙ୍କ ସଂପ୍ରଦାୟର ବିକାଶ ଏବଂ କଲ୍ୟାଣ ସହିତ ସୁରକ୍ଷା ପ୍ରଦାନ ନେଇ ସଫଳ କାହାଣୀ ଜଣାଇବା ନିମନ୍ତେ ଦୁଇ ନେତା ସହମତି ଜଣାଇଛନ୍ତି ।

ବିଶ୍ୱ ବ୍ୟାପାର ଉପରେ କଥାବାର୍ତ୍ତା

16. ପରମାଣୁ ନିରସ୍ତ୍ରୀକରଣ ଏବଂ ଆଣବିକ ଅସ୍ତ୍ର-ଅପ୍ରସାର ପ୍ରସଙ୍ଗରେ ମିଳିତ ଭାବେ ବିଭିନ୍ନ ଆନ୍ତର୍ଜାତିକ ମଞ୍ଚରେ କାର୍ଯ୍ୟ କରିବାକୁ ଦୁଇ ପକ୍ଷ ସଙ୍କଳ୍ପବଦ୍ଧ ହୋଇଛନ୍ତି । ଏହାଛଡା ଆନ୍ତର୍ଜାତିକ ନିରାପତ୍ତା ପ୍ରସଙ୍ଗରେ ମଧ୍ୟ ଦୁଇ ରାଷ୍ଟ୍ର ସମନ୍ଵୟ ରକ୍ଷା କରି ସଂଯୁକ୍ତ ପଦକ୍ଷେପ ନେବାକୁ ସହମତ ହୋଇଛନ୍ତି ।

17. ମାନବ ସଭ୍ୟତା ପ୍ରତି ଆତଙ୍କବାଦ ସୃଷ୍ଟି କରୁଥିବା ବିପଦକୁ ଉଭୟ ନେତା ପୁନର୍ବାର ଗରୁତ୍ଵର ସହ ଗ୍ରହଣ କରିଛନ୍ତି ଏବଂ ଏହାକୁ ଦୃଢ ସ୍ୱରରେ ନିନ୍ଦା କରିଛନ୍ତି ।

18. ମିଳିତ ଜାତିସଂଘ ଭଳି ଏକ ବହୁପକ୍ଷୀୟ ପ୍ରଭାବଶାଳୀ ଆନ୍ତର୍ଜାତିକ ସଂସ୍ଥାର ଆବଶ୍ୟକତା ଉପରେ ଅଗ୍ରାଧିକାର ଦେଇ ଦୁଇ ପକ୍ଷ ଏହାର ବ୍ୟାପକ ସମୟୋପଯୋଗୀ ସଂସ୍କାର ଦିଗରେ ସମ୍ମିଳିତ ଉଦ୍ୟମ କରିବାକୁ ସହମତ ହୋଇଥିଲେ ।

19. ଆନ୍ତର୍ଜାତିକ ମଞ୍ଚ G-20 ରେ ଦୁଇ ରାଷ୍ଟ୍ରର ମିଳିତ ସହଯୋଗଭିତ୍ତିକ କାର୍ଯ୍ୟ ବହୁତ ଫଳପ୍ରଦ ଓ ବିସ୍ତାରିତ ଥିବା ବିଷୟରେ ଉଭୟ ପକ୍ଷ ଏକମତ ହୋଇଥିଲେ ।

20. ପ୍ୟାରିସଠାରେ 2015 ଡିସେମ୍ବରରେ ଅନୁଷ୍ଠିତ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀର ସଫଳ ସମାପନକୁ ସ୍ୱାଗତ କରିବା ସହିତ ଚଳିତ ବର୍ଷ 22 ଏପ୍ରିଲରେ ପ୍ୟାରିସ ଚୁକ୍ତିପତ୍ରରେ ଦୁଇ ଦେଶର ହସ୍ତାକ୍ଷରକୁ ପ୍ରଶଂସା କରିଥିଲେ । ଯଥାଶୀଘ୍ର ଏହି ଦୁଇ ଦେଶ ପ୍ୟାରିସ ଚୁକ୍ତିର ଅନୁସମର୍ଥନ କରିବା ନେଇ ପ୍ରତିବଦ୍ଧ । ଏହାସହିତ ଦୁଇ ଦେଶର ବିକାଶ ସମ୍ବନ୍ଧୀୟ ଆହ୍ୱାନର ମୁକାବିଲା କରିବା ପାଇଁ ନୂତନ ପାରମ୍ପରିକ ଶକ୍ତି ଉତ୍ସର ବିକାଶ କରିବେ ।

21. ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ପୁଣି ଥରେ ନିକଟ ଭବିଷ୍ୟତରେ ସରକାରୀ ଗସ୍ତରେ ମେକ୍ସିକୋ ଆସିବା ପାଇଁ ରାଷ୍ଟ୍ରପତି ଏନରିକ ପେନା ନିଏତୋ ସାଦର ନିମନ୍ତ୍ରଣ କରିଥିଲେ । ସେହିଭଳି, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ରାଷ୍ଟ୍ରପତି ଏନରିକ ପେନା ନିଏତୋଙ୍କୁ ମଧ୍ୟ ଭାରତକୁ ସରକାରୀ ଗସ୍ତରେ ଆସିବା ପାଇଁ ସାଦର ନିମନ୍ତ୍ରଣ କରିଥିଲେ । ପାରସ୍ପରିକ ଗସ୍ତ ପାଇଁ କୂଟନୀତିକ ଚାନେଲ ଜରିଆରେ ଉପଯୁକ୍ତ ତାରିଖ ବାହାର କରାଯାଇପାରିବ ବୋଲି ଦୁଇ ନେତା ସହମତ ହୋଇଥିଲେ ।

**********