ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶାର ବଲାଙ୍ଗିର ଗସ୍ତ କରିଥିଲେ । ସେ 1500 କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ ଏବଂ ଶିଳାନ୍ୟାସ କରିଥିଲେ ।
ପ୍ରଧାନମନ୍ତ୍ରୀ ଆଜି ପ୍ରଥମେ ରାୟପୁରସ୍ଥିତ ସ୍ୱାମୀ ବିବେକାନନ୍ଦ ବିମାନ ବନ୍ଦରରେ ପହଁଚିଥିଲେ ଏବଂ ସେଠାରୁ ବଲାଙ୍ଗିର ଅଭିମୁଖେ ଯାତ୍ରା କରିଥିଲେ । ବଲାଙ୍ଗିରଠାରେ ସେ ଝାରସୁଗୁଡ଼ାର ବହୁମୁଖୀ ଲଜିଷ୍ଟିକ ପାର୍କ (ଏମଏମଏଲପି)କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ । ଏହି ଏମଏମଏଲପି ଝାରସୁଗୁଡ଼ାକୁ ଏହି କ୍ଷେତ୍ରର ପ୍ରମୁଖ ଲଜିଷ୍ଟିକ୍ସ କେନ୍ଦ୍ରରେ ପରିଣତ କରିବ । ରେଳ ପ୍ରକଳ୍ପକୁ ପ୍ରୋତ୍ସାହନ ଦେଇ ଶ୍ରୀ ମୋଦୀ 115 କୋଟି ଟଙ୍କା ବ୍ୟୟରେ ନିର୍ମିତ ବଲାଙ୍ଗିର-ବିଛୁପାଲି ରେଳ ଲାଇନକୁ ଉତ୍ସର୍ଗ କରିଥିଲେ ।
ରାଜ୍ୟବାସୀଙ୍କ ପ୍ରତି ତାଙ୍କର ପ୍ରତିବଦ୍ଧତାର ପ୍ରତିଫଳନ ସ୍ୱରୂପ, ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଗତ ତିନି ସପ୍ତାହ ମଧ୍ୟରେ ଏହା ଓଡ଼ିଶାକୁ ତାଙ୍କର ତୃତୀୟ ଗସ୍ତ । ବଲାଙ୍ଗିରରେ ରେଳ ୟାର୍ଡ ଠାରେ ଉପସ୍ଥିତ ଜନସଭାକୁ ସମ୍ବୋଧିତ କରି ସେ କହିଥିଲେ ଯେ ପୂର୍ବ ଭାରତ ଏବଂ ଓଡ଼ିଶାର ବିକାଶ ପାଇଁ ସରକାର ନିରନ୍ତର ପ୍ରୟାସ କରୁଛନ୍ତି । ବଲାଙ୍ଗିରରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରାଯିବା ଏ ଦିଗରେ ଏକ ପଦକ୍ଷେପ ବୋଲି ସେ କହିଥିଲେ ।
ଆହୁରି ପ୍ରଧାନମନ୍ତ୍ରୀ ମଧ୍ୟ ନାଗାବଳି ନଦୀ ଉପରେ ନୂତନ ସେତୁ, ବରପାଲି-ଡୁଙ୍ଗୁରିପାଲି ଏବଂ ବଲାଙ୍ଗିର-ଦେଓଗାଁ ମଧ୍ୟରେ ରେଳ ଲାଇନର ଦୋହରୀକରଣ ଏବଂ ଝାରସୁଗୁଡ଼ା-ବିଜୟନଗରମ ଏବଂ ସମ୍ବଲପୁର-ଅନୁଗୁଳ ଲାଇନର ବିଦ୍ୟୁତିକରଣ କାର୍ଯ୍ୟକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ । ଓଡ଼ିଶାର ସୋନପୁର ଠାରେ 15.81 କୋଟି ଟଙ୍କାର ବ୍ୟୟ ଅଟକଳରେ ସୋନପୁର କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଶିଳାନ୍ୟାସ କରିଥିଲେ । ଶିକ୍ଷା ଏବଂ ଯୋଗାଯୋଗର ଗୁରୁତ୍ୱ ଉପରେ ଆଲୋକପାତ କରି ସେ କହିଥିଲେ, “ଶିକ୍ଷା ମାନବ ସମ୍ବଳ ବିକାଶ ଦିଗରେ ନେଇଯାଇଥାଏ । କିନ୍ତୁ, ଏହା ଯୋଗାଯୋଗ ଯାହା ଏପରି ସମ୍ଭାବନାକୁ ସୁଯୋଗରେ ପରିଣତ କରିଥାଏ । 6 ଟି ରେଳ ପ୍ରକଳ୍ପର ଉଦ୍ଘାଟନ ଯୋଗାଯୋଗ ସମ୍ପ୍ରସାରଣ ଲାଗି ଆମର ଏକ ପ୍ରୟାସ । ଏହା ସାଧାରଣ ଗମନାଗମନ ସୁବିଧା ଦେବା ସହିତ ଶିଳ୍ପ ପାଇଁ ଅଧିକ ଖଣିଜ ସମ୍ପଦର ଉପଲବ୍ଧତା ଏବଂ କୃଷକମାନଙ୍କୁ ସେମାନଙ୍କ ଉତ୍ପାଦକୁ ଦୂର ବଜାରକୁ ନେଇଯିବାରେ ସହାୟକ ହେବ, ଆହୁରି ଓଡ଼ିଶାର ନାଗରିକମାନଙ୍କୁ “ସହଜ ଜୀବନ ଧାରଣ‘ ସୁବିଧା ଦେବ ।
ସଂସ୍କୃତି ଏବଂ ଐତିହ୍ୟର ସଂରକ୍ଷଣ ପାଇଁ ତାଙ୍କର ପ୍ରତିବଦ୍ଧତା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ରାଜ୍ୟରେ ପର୍ଯ୍ୟଟନ ସମ୍ଭାବନା ଏବଂ ଆମର ସାଂସ୍କୃତିକ ସଂଯୋଗ ବୃଦ୍ଧି କରିବ । ବୌଦ୍ଧର ଗନ୍ଧହାରାଡ଼ିରେ ନୀଳମାଧବ ଏବଂ ସିଦ୍ଧେଶ୍ୱର ମନ୍ଦିରର ଜୀର୍ଣ୍ଣୋଦ୍ଧାର ଏବଂ ନବୀକରଣ କାର୍ଯ୍ୟକୁ ନେଇ ସେ ଖୁସି ବ୍ୟକ୍ତ କରିଥିଲେ । ଶ୍ରୀ ମୋଦୀ ଆହୁରି ମଧ୍ୟ ବଲାଙ୍ଗିରର ରାଣୀପୁର ଝରିଆଲ କୀର୍ତ୍ତିରାଜି ଏବଂ କଳାହାଣ୍ଡିର ଅସୁରଗଡ଼ ଦୁର୍ଗର ପୁନରୁଦ୍ଧାର ଏବଂ ନବୀକରଣ କାର୍ଯ୍ୟକୁ ଉଦ୍ଘାଟନ କରିଥିଲେ ।
**********