1. ଫ୍ରାନ୍ସ ପ୍ରଜାତନ୍ତ୍ରର ରାଷ୍ଟ୍ରପତି ମିଷ୍ଟର ଇମାନୁଏଲ ମାକ୍ରୋଁଙ୍କ ଆମନ୍ତ୍ରଣ କ୍ରମେ ପ୍ୟାରିସଠାରେ ଦ୍ୱିପାକ୍ଷିକ ଶିଖର ବୈଠକରେ ଯୋଗ ଦେବାକୁ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ 22 ଏବଂ 23, 2019 ରେ ଫ୍ରାନ୍ସକୁ ସରକାରୀ ଗସ୍ତ କରିଥିଲେ ଏବଂ ଏହି ଅବସରରେ ଫ୍ରାନ୍ସର ଅଧ୍ୟକ୍ଷତାରେ ଜି-7 ର ବିୟାରିଜଠାରେ ଅଗଷ୍ଟ 25 ଏବଂ 26, 2019 ତାରିଖ ଦିନ ଅନୁଷ୍ଠିତ ଜି-7 ଶିଖର ସମ୍ମିଳନୀରେ ଯୋଗ ଦେବେ ।
2. 1998 ମସିହାରେ ଭାରତ ଏବଂ ଫ୍ରାନ୍ସ ଷ୍ଟ୍ରାଟେଜିକ୍ ସହଭାଗୀତା ସୂତ୍ରରେ ସଂପର୍କରେ ଆବଦ୍ଧ ହୋଇଛନ୍ତି ଏବଂ ଏହି ପାରମ୍ପରିକ ସଂପର୍କ ଦୀର୍ଘସ୍ଥାୟୀ, ନିର୍ଭରଯୋଗ୍ୟ, ସମାନୁଚିନ୍ତନଭିତ୍ତିକ ଏବଂ ସର୍ବବ୍ୟାପୀ । ଭାରତ – ଫ୍ରାନ୍ସ ସଂପର୍କ ଦୁଇ ଷ୍ଟ୍ରାଟେଜିକ ସହଯୋଗୀ ରାଷ୍ଟ୍ର ଭାବେ ପାରସ୍ପରିକ ଆସ୍ଥା ଓ ବିଶ୍ୱାସ ଉପରେ ଆଧାରିତ ଏବଂ ସେମାନେ ସଦାବେଳେ ପରସ୍ପର ସକାଶେ ସହଯୋଗୀତା ପାଇଁ ଠିଆ ହୋଇ ଆସିଛନ୍ତି । ଏହି ସଂପର୍କ ଏକ ଢ଼ାଂଚାଗତ ସହଯୋଗିତାରୁ ହିଁ ବିକଶିତ ହୋଇଛି ଯାହା ଉଭୟ ଦ୍ୱିପାକ୍ଷିକ ଏବଂ ଅନ୍ତରାଷ୍ଟ୍ରୀୟ ସଂଗଠନ ସ୍ତରରେ ପରିଲକ୍ଷିତ ହୋଇଛି । ଏହି ସହଭାଗୀତାକୁ ଏକ ମହତ୍ତ୍ୱାକାଙ୍କ୍ଷୀ ଦିଶା ପ୍ରଦାନ କରିବା ସକାଶେ ଉଭୟ ଭାରତ ଏବଂ ଫ୍ରାନ୍ସ ସିଦ୍ଧାନ୍ତ କରିଛନ୍ତି ଏବଂ ସେଥିପାଇଁ ସହଯୋଗୀତାର ନୂତନ କ୍ଷେତ୍ରମାନ ଉନ୍ମୁକ୍ତ କରାଯାଇଛି ।
3. ଉଭୟ ପକ୍ଷ ସୂଚାଇଛନ୍ତି ଯେ ଉଭୟ ରାଷ୍ଟ୍ରଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ଏବଂ ଆର୍ଥିକ ସଂପର୍କରେ ସକାରାତ୍ମକ ବିକାଶ ଘଟିଚାଲିଛି । ସେଥି ସକାଶେ ସେମାନେ ପ୍ରତିବଦ୍ଧତା ପ୍ରକଟ ସ୍ୱରୂପ ଭାରତ- ଫ୍ରାନ୍ସ ପ୍ରଶାସନିକ ଆର୍ଥିକ ଏବଂ ବାଣିଜ୍ୟ କମିଟି ( ଏଇଟିସି)କୁ ଭବିଷ୍ୟତରେ ଦ୍ୱିପାକ୍ଷିକ ବାଣିଜ୍ୟ ଏବଂ ନିବେଶର ନୂତନ ଦିଗନ୍ତ ସଂପର୍କରେ ମୂଲ୍ୟାୟନ ପୂର୍ବକ ସେସବୁ ଖୋଜି ବାହାର କରିବା ଓ ଏହାକୁ ଆଗକୁ ଆଗେଇ ନେବା ସକାଶେ ଚୟନ କରିଛନ୍ତି ତଥା ସେମାନଙ୍କର ଆର୍ଥିକ ଅପରେଟରମାନଙ୍କ ସୁବିଧା ସକାଶେ ବଜାର ପ୍ରବେଶ ସଂପର୍କୀତ ସମସ୍ୟାର ସମାଧାନ କରି ଏହାକୁ ତ୍ୱରାନ୍ୱିତ କରିବାକୁ ସ୍ଥିର କରିଛନ୍ତି । ଏହି ପରିପ୍ରେକ୍ଷୀରେ ବାଣିଜ୍ୟ ଏବଂ ନିବେଶ ସଂକ୍ରାନ୍ତ ପ୍ରସଙ୍ଗକୁ ମିଳିତ ଭାବେ ସୁଦୃଢ଼ କରିବା ସକାଶେ ସେମାନେ ନିଷ୍ପତ୍ତି ଗ୍ରହଣ କରିଛନ୍ତି ଯାହାକି ଉଭୟ ଫରାସୀ ଏବଂ ଭାରତୀୟ କମ୍ପାନୀମାନଙ୍କ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିବ । ଏଥିସହ ସେମାନଙ୍କର ବାଣିଜ୍ୟ ବ୍ୟବସାୟ ଓ ନିବେଶ ନିମନ୍ତେ ଅତିରିକ୍ତ ମାର୍ଗ ଓ ବ୍ୟବସ୍ଥା ସୃଷ୍ଟି କରିବ । ସେଥିପାଇଁ ଉଚ୍ଚ ସ୍ତରୀୟ ଫ୍ରାନ୍ସ – ଭାରତ ଅର୍ଥନୈତିକ ଓ ଆର୍ଥିକ ଆଲୋଚନା ଯଥା ଶୀଘ୍ର ଆରମ୍ଭ କରାଯିବା ନିମନ୍ତେ ଉଭୟ ରାଷ୍ଟ୍ରର ନେତୃବର୍ଗ ମିଳିତ ଭାବେ ସହମତ ହୋଇଛନ୍ତି ।
4. 2018 ମସିହା ମାର୍ଚ୍ଚ ମାସରେ ରାଷ୍ଟ୍ରପତି ମାକ୍ରୋଁଙ୍କ ଭାରତ ଗସ୍ତ ବେଳେ ଗ୍ରହଣ କରାଯାଇଥିବା ମିଳିତ ଭିଜନର ଆଭିମୁଖ୍ୟର ଅନୁସାରେ ଫ୍ରାନ୍ସ ଏବଂ ଭାରତ ସେମାନଙ୍କ ମଧ୍ୟରେ ମହାକାଶ କ୍ଷେତ୍ରରେ ସହଯୋଗକୁ ନିବିଡ଼ କରିବା ସକାଶେ ସହମତ ହୋଇଛନ୍ତି ଯଦ୍ୱାରା ଉଭୟ ରାଷ୍ଟ୍ର ମିଳିତ ଭାବେ ସମସ୍ତ ପ୍ରକାର ନୂତନ ଚାଲେଞ୍ଜକୁ ସଫଳତାର ସହ ମୁକାବିଲା କରିପାରିବେ । ତାହା ଗ୍ରହମାନଙ୍କ ଅଭିଯାନ ସମ୍ବନ୍ଧୀୟ ପ୍ରୟାସ ହୋଇଥାଉ ଅଥବା ମାନବଯୁକ୍ତ ମହାକାଶଯାତ୍ରା ସମ୍ପକୀତ ହୋଇଥାଉ । ଫ୍ରାନ୍ସ ଏବଂ ଭାରତ ସେହି ପରିପ୍ରେକ୍ଷୀରେ ଭାରତୀୟ ମହାକାଶଚାରୀମାନଙ୍କୁ ଚିକିତ୍ସାଜନିତ ସହାୟତା ତାଲିମ ପ୍ରଦାନ ସକାଶେ ହୋଇଥିବା ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି । 2022 ମସିହାରେ ଭାରତର ମାନବଯୁକ୍ତ ମହାକାଶ ଅଭିଯାନରେ ଏହି ମହାକାଶଚାରୀଙ୍କୁ ସାମିଲ କରାରିବ । ଉଭୟ ଫ୍ରାନ୍ସ ଏବଂ ଭାରତରେ ଏହି ତାଲିମ କାର୍ଯ୍ୟକ୍ରମ ସଂପାଦନ କରାଯିବ । ଏହା ବ୍ୟତୀତ ଉଭୟ ନେତା ମିଳିତ ସାମୁଦ୍ରିକ କ୍ଷେତ୍ର ସଚେତନତା ଅଭିଯାନ ସଂପର୍କୀତ ଲକ୍ଷ୍ୟ ହାସଲ ସକାଶେ ଏକ ଢ଼ାଂଚା ଗଠନ ସକାଶେ ପ୍ରବର୍ତ୍ତନ ବ୍ୟବସ୍ଥା ଗ୍ରହଣ ପାଇଁ ସ୍ୱାକ୍ଷରିତ ରାଜିନାମାକୁ ସ୍ୱାଗତ କରିଛନ୍ତି । ସେମାନେ ମଧ୍ୟ ମହାକାଶ ଜଳବାୟୁ ନିରୀକ୍ଷଣକେନ୍ଦ୍ରର ଶୁଭାରମ୍ଭକୁ ପ୍ରଶଂସା କରିଛନ୍ତି ଯାହାକି ଭାରତ- ଫ୍ରାନ୍ସ ମିଳିତ ଭାବେ ଜଳବାୟୁ ପରିବର୍ତ୍ତନକୁ ରୋକିବା ଦିଗରେ କାର୍ଯ୍ୟ କରିବ । ଏହା ବ୍ୟତୀତ ତ୍ରିଷ୍ଣା ମିଳିତ ଅଭିଯାନ ଓ ଓସେନସାଟ 3ରେ ଆଗ୍ରୋସକୁ ସାମିଲ କରିବା ନିଷ୍ପତ୍ତିରେ ସେମାନେ ସନ୍ତୋଷ ବ୍ୟକ୍ତ କରିଛନ୍ତି । ପର୍ଯ୍ୟାବରଣ ପ୍ରତି ଦେଖା ଦେଇଥିବା ବିପଦ ଦୃଷ୍ଟିରୁ , ସେମାନେ ମିଳିତ ଭାବେ ଅନ୍ତରାଷ୍ଟ୍ରୀୟ ସ୍ତରରେ ସମସ୍ତ ପ୍ରକାର ନିୟମାବଳୀକୁ ମାନିବା ଏବଂ ଶ୍ରେଷ୍ଟ କାର୍ଯ୍ୟଧାରାକୁ ଅବଲମ୍ବନ କରିବା ଯାହାକି ମହାକାଶ ଅଭିଯାନରେ ସହାୟକ ହେବ ତଦନୁସାରେ କାର୍ଯ୍ୟ କରିବା ସକାଶେ ସେମାନେ ପ୍ରତିବଦ୍ଧତା ପ୍ରକଟ କରିଛନ୍ତି ।
5. ଡ଼ିଜିଟାଲ କ୍ଷେତ୍ରରେ, ଉଭୟ ରାଷ୍ଟ୍ର ଦୁଇ ଦେଶର ଆର୍ଥିକ ଏବଂ ସାମାଜିକ ବିକାଶ ପାଇଁ ଯାହାକି ଏକ ମୁକ୍ତ, ନିରାପଦ ଏବଂ ଶାନ୍ତିପୂର୍ଣ୍ଣ ସାଇବର ସ୍ପେସ ମଧ୍ୟରେ କାର୍ଯ୍ୟ କରିବ ଏବଂ ଯେଉଁଥିରେ ଆନ୍ତର୍ଜାତିକ ନିୟମାବଳୀ ପ୍ରବର୍ତ୍ତନ ହେଉଥିବ ସେ ଦିଗରେ କାର୍ଯ୍ୟ କରିବାକୁ ସହମତ ହୋଇଛନ୍ତି । ଏହି ଲକ୍ଷ୍ୟ ହାସଲ ସକାଶେ, ଉଭୟ ନେତା ଏକ ସାଇବର ନିରାପତ୍ତା ଏବଂ ଡ଼ିଜିଟାଲ ପ୍ରଯୁକ୍ତି ରୋଡ଼ମ୍ୟାପ ଗ୍ରହଣ ପାଇଁ ରାଜି ହୋଇଛନ୍ତି ଯାହାକି ଭାରତ- ଫ୍ରାନ୍ସ ଦ୍ୱିପାକ୍ଷିକ ସହଯୋଗ ମାଧ୍ୟମରେ ସାକାର କରାଯିବ, ବିଶେଷ କରି ଉଚ୍ଚ କାର୍ଯ୍ୟଲକ୍ଷ୍ୟ ସାଧନକାରୀ କମ୍ପ୍ୟୁଟିଂ ଏବଂ କୃତ୍ରିମ ପ୍ରଜ୍ଞା ଭଳି ଷ୍ଟ୍ରାଟେଜିକ ସେକ୍ଟର ସକାଶେ ଏହା ଉଦ୍ଦିଷ୍ଟ । ଏହା ଦ୍ୱାରା ଉଭୟ ପକ୍ଷଙ୍କ ଷ୍ଟାର୍ଟ ଅପ୍ମାନେ ପରସ୍ପରର ନିକଟତର ହୋଇପାରିବେ । ସେମାନେ ଅଧିକନ୍ତୁ ସେଣ୍ଟର ଫର୍ ଡ଼େଭଲପମେଣ୍ଟ ଅଫ୍ ଆଡ଼ଭାନ୍ସଡ଼୍ କମ୍ପ୍ୟୁଟିଂ ଏବଂ ଆଟୋସ୍ ମଧ୍ୟରେ ସ୍ୱାକ୍ଷରିତ ସହଯୋଗ ରାଜିନାମାକୁ ସ୍ୱାଗତ କରିଛନ୍ତି ଯାହାକି କ୍ୱାଣ୍ଟମ୍ କମ୍ପ୍ୟୁଟିଂ, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଏବଂ ସୁପର କମ୍ପ୍ୟୁଟିଂ କ୍ଷେତ୍ରରେ ସହଯୋଗ ପାଇଁ ଅଧିକ ସୁଯୋଗ ସୃଷ୍ଟି ପାଇଁ ଉଦ୍ଦିଷ୍ଟ ।
6. ଉଭୟ ନେତା ଏନପିସିଆଇଏଲ ଏବଂ ଇଡ଼ିଏଫ ମଧ୍ୟରେ ହୋଇଥିବା ରାଜିନାମାର ପ୍ରଗତିରେ ସନ୍ତୋଷ ବ୍ୟକ୍ତ କରିଛନ୍ତି । 2018 ମସିହାରେ ଉଭୟ ପକ୍ଷଙ୍କ ମଧ୍ୟରେ ଇଣ୍ଡଷ୍ଟିଆଲ୍ ୱେ ଫରୱାର୍ଡ଼ ରାଜିନାମା ସ୍ୱାକ୍ଷରିତ ହେବା ଦିନଠାରୁ ଏହି କ୍ଷେତ୍ରରେ ଯଥେଷ୍ଟ ପ୍ରଗତି ପରିଲକ୍ଷିତ ହୋଇଛି ଯାହାକି ମହାରାଷ୍ଟ୍ରର ଜୈତାପୁର ଠାରେ ଛଅଟି ଆଣବିକ ଶକ୍ତି ରିଆକ୍ଟର ନିର୍ମାଣ ସକାଶେ ଉଦ୍ଦିଷ୍ଟ । ଏହି ଉଦ୍ଦେଶ୍ୟରେ ଟେକ୍ନୋ କମର୍ସିଆଲ୍ ସହଯୋଗ ଯୋଗାଣ ପାଇଁ ବର୍ତ୍ତମାନ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି ଏବଂ ଏହିସବୁ ପ୍ରକଳ୍ପ ସକାଶେ ଅର୍ଥବ୍ୟବସ୍ଥା କରିବା ତଥା ଏହାକୁ କିଭଳି ଭାବେ ସ୍ଥାନୀୟ ଭାବେ ଭାରତରେ ପ୍ରବର୍ତ୍ତନ କରାଯାଇପାରିବ ଓ ଉଭୟ ପକ୍ଷଙ୍କ ମଧ୍ୟରେ ସ୍ୱାକ୍ଷରିତ ସିଏଲଏନଡ଼ି ଆଇନ ଅନୁସାରେ ସମାନ ଭାବେ ବୋଧଗମ୍ୟ କରାଯାଇପାରିବ ସେ ଦିଗରେ ପ୍ରୟାସ ଜାରି ରହିଛି । ଉଭୟ ପକ୍ଷ ସେମାନଙ୍କର ପ୍ରତିବଦ୍ଧତା ପ୍ରକଟ କରିଛନ୍ତି ଯେ ସେମାନେ ଏହି ଦିଗରେ ସକ୍ରିୟ ଭାବେ ଆଲୋଚନା କରି ଏଭଳି ରାଜିନାମା ସ୍ୱାକ୍ଷର କରିବା ନିମନ୍ତେ ସେମାନେ ପ୍ରୟାସ କରିବେ । ଭାରତର ଆଣବିକ ଶକ୍ତି ବିଭାଗ (ଡ଼ିଏଇ) ଓ ଫରାସୀ ଅଲଟରନେଟିଭ ଏନର୍ଜିସ୍ ଆଣ୍ଡ୍ ଆଟୋମିକ ଏନର୍ଜି କମିଶନ (ସିଇଏ) ମଧ୍ୟରେ ସ୍ୱାକ୍ଷରିତ ବୁଝାମଣା ପତ୍ରକୁ ଉଭୟ ପକ୍ଷ ସ୍ୱାଗତ କରିଛନ୍ତି । ଗ୍ଲୋବାଲ ସେଣ୍ଟର ଫର୍ ନ୍ୟୁକ୍ଲିୟର ଏନର୍ଜି (ଜିସିଏନଇପି) ସହ 2019 ଜାନୁଆରୀ ଠାରୁ ଅଧିକ ପାଞ୍ଚବର୍ଷ ସକାଶେ ସହଯୋଗ ପାଇଁ ଏହି ବୁଝାମଣା ପତ୍ର ଉଦ୍ଦିଷ୍ଟ । ସେହିଭଳି 2018 ମସିହା ସେପ୍ଟେମ୍ବର ମାସରେ ଦୁଇ ପ୍ରବର୍ତ୍ତନକାରୀ ସଂସ୍ଥା ଭାବେ ଭାବା ଆଣବିକ ଗବେଷଣା କେନ୍ଦ୍ର (ବିଏଆରସି ) ଏବଂ ସିଇଏ ମଧ୍ୟରେ ହାଲୁକା ଜଳ (ଲାଇଟ୍ ୱାଟର) ରିଆକ୍ଟର ନିର୍ମାଣ ସକାଶେ ରାଜିନାମା ସ୍ୱାକ୍ଷରିତ ହୋଇଛି । ଉଭୟ ନେତା ଆର୍ନ୍ତଜାତିକ ଥର୍ମୋନ୍ୟୁକ୍ଲିୟର୍ ଏକ୍ସପେରିମେଣ୍ଟାଲ ରିଆକ୍ଟର (ଆଇଟିଇଆର) ଏବଂ ୟୁରୋପୀୟ ଆଣବିକ ଗବେଷଣା ପରିଷଦ (ସିଇଆରଏନ) ମଧ୍ୟରେ ମିଳିତ ସହଭାଗୀତା ସକାଶେ ହୋଇଥିବା ପ୍ରକଳ୍ପ ସହମତିକୁ ମଧ୍ୟ ପ୍ରଶଂସା କରିଛନ୍ତି ।
7. ପ୍ରତିରକ୍ଷା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ସକାଶେ ଏକ ମହତ୍ତ୍ୱାକାଙ୍କ୍ଷୀ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । 2019 ମସିହାରେ ଅନୁଷ୍ଠିତ ବରୁଣ ନୌସମରାଭ୍ୟାସ ଏବଂ ଗରୁଡ଼ ବାୟୁସେନା ସମରାଭ୍ୟାସର ସଫଳତାକୁ ପ୍ରଶଂସା ପୂର୍ବକ ଅଧୁନା ଶକ୍ତି ସମରାଭ୍ୟାସ ସକାଶେ ପ୍ରସ୍ତୁତି କରାଯାଉଛି । ଏହା ଭାରତରେ ଆଗାମୀ ଶରତ ଋତୁରେ ଅନୁଷ୍ଠିତ ହେବ । ଏଥିରେ ଫ୍ରାନ୍ସ ଏବଂ ଭାରତ ମିଳିତ ଭାବେ ସମରାଭ୍ୟାସ କରିବେ ଏବଂ ତାହା ଉଭୟ ଦେଶର ସେନାଙ୍କ ମଧ୍ୟରେ ଥିବା ସଂପର୍କକୁ ଭବିଷ୍ୟତରେ ଅଧିକ ମଜଭୁତ କରିବ । ଏହି ପରିପ୍ରେକ୍ଷୀରେ ପାରସ୍ପରିକ ଲଜିଷ୍ଟିକ୍ସ ସହଯୋଗ ବ୍ୟବସ୍ଥା ଜନିତ ରାଜିନାମା ସ୍ୱାକ୍ଷର ଏ ଦିଗରେ ନିବିଡ଼ତାର ଏକ ନିଛକ ଉଦାହରଣ ।
8. ପ୍ରତିରକ୍ଷା ଶିଳ୍ପ କ୍ଷେତ୍ରରେ ଉଭୟ ରାଷ୍ଟ୍ରଙ୍କ ମଧ୍ୟରେ ସହଯୋଗ ବୃଦ୍ଧି ଆମ ଷ୍ଟ୍ରାଟେଜିକ୍ ସହଭାଗୀତାର ଏକ ପ୍ରମୁଖ ଦିଗ । ଏହି ପରିପ୍ରେକ୍ଷୀରେ ଭାରତର ପ୍ରଧାନମନ୍ତ୍ରୀ ଏବଂ ଫ୍ରାନ୍ସର ରାଷ୍ଟ୍ରପତି ଉଭୟ ରାଷ୍ଟ୍ରଙ୍କ ମଧ୍ୟରେ ସ୍ୱାକ୍ଷରିତ ଦ୍ୱିପାକ୍ଷିକ ସହଯୋଗ ରାଜିନାମାର କାର୍ଯ୍ୟ ପ୍ରଗତିରେ ସନ୍ତୋଷ ବ୍ୟକ୍ତ କରିଛନ୍ତି । ବିଶେଷ କରି ଚଳିତ ବର୍ଷଠାରୁ ଭାରତକୁ ଫ୍ରାନ୍ସର ପ୍ରଥମ ଦଫାର ଅତ୍ୟାଧୁନିକ ଲଢ଼ୁଆ ରାଫାଲ ବିମାନ ଯୋଗାଣ କରାଯିବା ଘେନି ଆନନ୍ଦ ପ୍ରକଟ କରିଛନ୍ତି । ସେହିଭଳି ପ୍ରତିରକ୍ଷା ଶିଳ୍ପ କ୍ଷେତ୍ରରେ ଥିବା ସହଯୋଗକୁ ଅଧିକ ସୁଦୃଢ଼ କରିବା ନିମନ୍ତେ ଉଭୟ ନେତା ସେମାନଙ୍କର ପ୍ରତିବଦ୍ଧତା ପ୍ରକଟ କରିଛନ୍ତି । ତେଣୁ ‘ମେକ୍ ଇନ ଇଣ୍ଡିଆ’ ଆଭିମୁଖ୍ୟକୁ ସ୍ମରଣ ପୂର୍ବକ ଉଭୟ ଦେଶର ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କମ୍ପାନୀମାନଙ୍କ ମଧ୍ୟରେ ଆଗାମୀ ଦିନରେ ଅଧିକରୁ ଅଧିକ ସହଯୋଗ ଘଟାଯିବାର ଲକ୍ଷ୍ୟ ରଖାଯାଇଛି । ଏହା ଉଭୟ ରାଷ୍ଟ୍ର ପାଇଁ ଲାଭପ୍ରଦ ହେବାର ଆଶା କରାଯାଉଛି । ଫରାସୀ ପ୍ରତିରକ୍ଷା ଉପକରଣ ଏବଂ ଏରୋସ୍ପେସ୍ ଓଇଏମ ବିଶ୍ୱ ଯୋଗାଣ ଚେନରେ ଭାରତୀୟ ଏମଏସଏମଇ ଦିନକୁ ଦିନ ଅଧିକରୁ ଅଧିକ ମାତ୍ରାରେ ଅଂଶବିଶେଷ ପାଲଟୁଥିବାରୁ ଉଭୟ ପକ୍ଷ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହି ଧାରାକୁ ଭବିଷ୍ୟତରେ ଜାରି ରଖିବା ସକାଶେ ସେମାନେ ନିଜର ସଂକଳ୍ପବଦ୍ଧତା ପ୍ରକଟ କରିଛନ୍ତି । ଉଭୟ ଦେଶର ଏରୋସ୍ପେସ୍ ଏବଂ ପ୍ରତିରକ୍ଷା ଶିଳ୍ପ ସହଭାଗୀତା ଯାହାକି ଭାରତର ଏସଆଇଡ଼ିଏମ ଏବଂ ଫ୍ରାନ୍ସର ଜିଆଇଏଫଏଏସ ମଧ୍ୟରେ ଏବେ କାର୍ଯ୍ୟକାରୀ କରାଯାଉଛି ତାହାକୁ ସେମାନେ ସ୍ୱାଗତ କରିଛନ୍ତି ।
9. ଦୁଇ ରାଷ୍ଟ୍ର ମଧ୍ୟରେ ଜନ- ଜନ ସଂପର୍କକୁ ବ୍ୟାପକ ମାତ୍ରାରେ ବୃଦ୍ଧି କରିବା ଏବଂ ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମ ଜାରି ରଖିବା ସକାଶେ ଉଭୟ ଫ୍ରାନ୍ସ ଏବଂ ଭାରତ ସହମତ ହୋଇଛନ୍ତି । ବାଣିଜ୍ୟ ଦୂତାବାସ ସଂପର୍କୀତ ବ୍ୟାପାରରେ ନିୟମିତ ଭାବେ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ଜାରିରଖିବା ନିମନ୍ତେ ଦୁଇ ପକ୍ଷ ଇଚ୍ଛା ପ୍ରକଟ କରିଛନ୍ତି ଯାହାକି ପାରସ୍ପରିକ ଭାବ ବିନିମୟ ଏବଂ ଗମନାଗମନକୁ ସୁଗମିତ କରିବ । ଭାରତୀୟ ପର୍ଯ୍ୟଟକମାନଙ୍କୁ ପରସ୍ପରର ରାଷ୍ଟ୍ରରେ ସ୍ୱାଗତ କରାଯିବା ଉପରେ ବିଶେଷ ଗୁରୁତ୍ୱ ଆରୋପ କରାଯାଇଛି । 2018 ମସିହାରେ ପ୍ରାୟ 700,000 ଭାରତୀୟ ପର୍ଯ୍ୟଟକ ଫ୍ରାନ୍ସ ଗସ୍ତ କରିଛନ୍ତି ଅର୍ଥାତ, 2017 ମସିହା ତୁଳନାରେ ଏହା 17% ଅଧିକ । 2017 ମସିହାରେ 250,000 ଫରାସୀ ପର୍ଯ୍ୟଟକ ଭାରତ ଗସ୍ତ କରିଥିବା ଜଣାପଡ଼ିଛି ।
10. ଶିକ୍ଷା ଉଭୟ ରାଷ୍ଟ୍ରଙ୍କ ମଧ୍ୟରେ ସହଯୋଗର ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର । ଉଭୟ ରାଷ୍ଟ୍ର ପରସ୍ପର ରାଷ୍ଟ୍ରରେ ଛାତ୍ରମାନଙ୍କ ଗମନାଗମନରେ ସନ୍ତୋଷ ବ୍ୟକ୍ତ କରିଛନ୍ତି ଯାହାକି ଭାରତରେ ଦିଆଯାଉଥିବା ଫରାସୀ ଭାଷା ଶିକ୍ଷା ଏବଂ ଫରାସୀ ଉତ୍କର୍ଷ ବିଦ୍ୟାଳୟ ଚେନ୍ ସ୍ଥାପନ ଦ୍ୱାରା ଅଧିକ ସୁଗମିତ ହୋଇପାରିଛି । 2018 ମସିହାରେ ଉଭୟ ରାଷ୍ଟ୍ରକୁ ଛାତ୍ର ଆଦାନପ୍ରଦାନ ସଂଖ୍ୟା 10,000 ହେବାକୁ ଲକ୍ଷ୍ୟ ରଖା ଯାଇଥିଲା ଯାହାକି ଚଳିତ ବର୍ଷ ପୂରଣ ହୋଇପାରିବ । ତେଣୁ 2025 ମସିହା ସୁଦ୍ଧା ଏହି ଟାର୍ଗେଟକୁ 20,000 କୁ ବୃଦ୍ଧି କରିବା ସକାଶେ ଉଭୟ ରାଷ୍ଟ୍ର ସ୍ଥିର କରିଛନ୍ତି ।
11. 2019 ମସିହା ଅକ୍ଟୋବର ମାସରେ ଫ୍ରାନ୍ସର ଲିଓଁ ଠାରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ଜ୍ଞାନ ସମ୍ମିଳନୀକୁ ଉଭୟ ରାଷ୍ଟ୍ର ସ୍ୱାଗତ କରିଛନ୍ତି । ଏହି ସମ୍ମିଳନୀ ଉଭୟ ରାଷ୍ଟ୍ର ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଶୈକ୍ଷିକ ଓ ବିଜ୍ଞାନ ସଂପର୍କୀତ ସହଭାଗୀତା ଦିଗରେ ବିଶେଷ ଉପକାରସିଦ୍ଧ ହେବାର ଆଶା ରଖାଯାଇଛି । ଏଥିରେ ଏରୋସ୍ପେସ୍, ଅକ୍ଷୟ ଶକ୍ତି, ସବୁଜ ରସାୟନ, ସ୍ମାର୍ଟ ସିଟି, କୃଷି, ସାମୁଦ୍ରିକ ବିଜ୍ଞାନ ଏବଂ କୃତ୍ରିମ ପ୍ରଜ୍ଞା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯିବା ସହ ସହଭାଗୀତାର ନୂତନ ଦିଗନ୍ତର ସନ୍ଧାନ କରାଯିବ । କୌଶଳ ବିକାଶ କ୍ଷେତ୍ରରେ ସହଯୋଗ ବୃଦ୍ଧି ସକାଶେ ଫ୍ରାନ୍ସ ଏବଂ ଭାରତ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି ।
12. ସଂସ୍କୃତି କ୍ଷେତ୍ରରେ ଭାରତ- ଫ୍ରାନ୍ସ ମଧ୍ୟରେ ସହଯୋଗର ବ୍ୟାପକ କ୍ଷେତ୍ର ରହିଛି ବୋଲି ଉଭୟ ରାଷ୍ଟ୍ର ଅନୁଭବ କରନ୍ତି ଏବଂ ଏହି ଉଦ୍ଦେଶ୍ୟରେ ପାରସ୍ପରିକ ପ୍ରମୁଖ ସାଂସ୍କୃତିକ ଉତ୍ସବ ଓ କାର୍ଯ୍ୟକ୍ରମରେ ଅନ୍ୟ ପକ୍ଷଙ୍କ ଅଂଶଗ୍ରହଣ ସକାଶେ ଦୁଇ ରାଷ୍ଟ୍ର ରାଜି ହୋଇଛନ୍ତି । ସେଥି ନିମନ୍ତେ 2020 ମସିହାରେ ହେବାକୁ ଥିବା ପ୍ୟାରିସ ଆନ୍ତର୍ଜାତିକ ପୁସ୍ତକମେଳା- ଲିଭ୍ରେ ପ୍ୟାରିସ କାର୍ଯ୍ୟକ୍ରମରେ ଭାରତ ସମ୍ମାନିତ ଅତିଥି ରାଷ୍ଟ୍ର ଭାବେ ଯୋଗଦେବ । ସେହିଭଳି ନୂଆଦିଲ୍ଲୀର ଜାତୀୟ ଆଧୁନିକ କଳା ଗ୍ୟାଲେରୀ ଭାରତରେ ଫରାସୀ ଚିତ୍ରକର ଗେରାର୍ଡ଼ ଗାରୁସ୍ତେଙ୍କ ଚିତ୍ରକଳାର ପ୍ରଥମ ପ୍ରଦର୍ଶନୀ 2020 ଜାନୁଆରୀ ମାସରେ ଅନୁଷ୍ଠିତ ହେବାକୁ ସ୍ଥିରୀକୃତ ହୋଇଛି । 2021 ମସିହାରେ ଭାରତୀୟ ଚିତ୍ରଶିଳ୍ପୀ ସୟଦ ହାଇଦର ରାଜାଙ୍କ ଚିତ୍ରକଳା ପ୍ରଦର୍ଶନୀ ଫ୍ରାନ୍ସର ମୁସୀ ନ୍ୟାସନାଲ ଡ଼େ’ଆର୍ଟ ମଡ଼ର୍ଣ୍ଣେ ( ସେଣ୍ଟର ଜର୍ଜେସ୍ ପମ୍ପିଡ଼ୁ)ଠାରେ ଆୟୋଜିତ ହେବ । 2021-2022 ରେ ଭାରତ ଫ୍ରାନ୍ସରେ ତା’ର ନମସ୍ତେ ଫ୍ରାନ୍ସ କାର୍ଯ୍ୟକ୍ରମର ଆୟୋଜନ କରିବ । ଉଭୟ ରାଷ୍ଟ୍ର ଏହି ପରିପ୍ରେକ୍ଷୀରେ 2019 ଶେଷ ସୁଦ୍ଧା ସେମାନଙ୍କର କାର୍ଯ୍ୟଯୋଜନା ଚୂଡ଼ାନ୍ତ କରିବେ । ସେଥିରେ ସହ-ଉତ୍ପାଦିତ ପ୍ରକଳ୍ପର ପରିସର ବୃଦ୍ଧି, ଏହାର ବିତରଣ ଓ ସିନେମା, ଭିଡ଼ିଓ ଗେମ୍ସ ଓ ଭର୍ଚୁଆଲ ରିଅଲିଟି କ୍ଷେତ୍ରରେ ତାଲିମ ପ୍ରଦାନର ବ୍ୟବସ୍ଥା କରାଯିବ ।ଉଭୟ ରାଷ୍ଟ୍ରରେ ସିନେମା ସୁଟିଂ ପାଇଁ ଭାରତ ଓ ଫ୍ରାନ୍ସ ସହମତ ବ୍ୟକ୍ତ କରିଛନ୍ତି ।
13. ବୈଶ୍ୱିକ କ୍ଷେତ୍ରରେ ପାରସ୍ପରିକ ସହଭାଗୀତାର ଢ଼ାଞ୍ଚା ଆଧାରରେ ଫ୍ରାନ୍ସ ଏବଂ ଭାରତ ସକ୍ରିୟତାର ସହ ଜଳବାୟୁ ପରିବର୍ତ୍ତନ ଏବଂ ଜୈବବିବିଧତା ହ୍ରାସକୁ ରୋକିବା ଦିଗରେ କାନ୍ଧକୁ କାନ୍ଧ ମିଳାଇ କାର୍ଯ୍ୟ କରିବା ସକାଶେ ସେମାନଙ୍କର ପ୍ରତିବଦ୍ଧତା ପ୍ରକଟ କରିଛନ୍ତି ।
14. ଜଳବାୟୁ ପରିବର୍ତ୍ତନର ମୁକାବିଲା ସକଶେ ବିବିଧ ସ୍ତରୀୟ -ସ୍ଥାନୀୟ, ଜାତୀୟ, କ୍ଷେତ୍ରୀୟ ତଥା ବୈଶ୍ୱିକ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତାକୁ ସ୍ୱୀକାର ପୂର୍ବକ ଫ୍ରାନ୍ସ ଏବଂ ଭାରତ ସମସ୍ତ ସହଭାଗୀମାନଙ୍କୁ 2019 ସେପ୍ଟେମ୍ବର ମାସରେ ମିଳିତ ଜାତିସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ହେବାକୁ ଥିବା ଜଳବାୟୁ କାର୍ଯ୍ୟନୁଷ୍ଠାନ ଶିଖର ବୈଠକକୁ ସଫଳ କରିବା ସକାଶେ ନିଜ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟ ସଂପାଦନ ନିମନ୍ତେ ଆହ୍ୱାନ ଜଣାଇଛନ୍ତି । ସେମାନେ ପ୍ରତିବଦ୍ଧତା ପ୍ରକଟ କରିଛନ୍ତି ଯେ ଉଭୟ ରାଷ୍ଟ୍ର ଏ ଦିଗରେ ନିଜ ନିଜର ଜାତୀୟ କର୍ତ୍ତବ୍ୟ ସଂପାଦନ କରିବେ ଯାହାକି ମିଳିତ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ ଫ୍ରେମୱାର୍କ (ୟୁଏନଏଫସିସିସି)ର ବର୍ତ୍ତମାନର ସ୍ଥିତିରେ ଉନ୍ନତି ଘଟାଯାଇପାରିବ ଏବଂ ସେମାନଙ୍କର ସର୍ବାଧିକ ଅବଦାନ ପରିଲକ୍ଷିତ ହୋଇପାରିବ । ପୁନଶ୍ଚ ଏ ଦିଗରେ ସିବିଡ଼ିଆର-ଆରସିର ସର୍ତ୍ତାବଳୀକୁ ମଧ୍ୟ ପୂରଣ କରୁଥିବ ।
15 ୟୁଏନଏଫସିସିସି ଏବଂ ପ୍ୟାରିସ୍ ଜଳବାୟୁ ରାଜିନାମାର ପ୍ରତିବଦ୍ଧତାକୁ ପୂରଣ କରିବା ସକାଶେ ଭାରତ ଓ ଫ୍ରାନ୍ସ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି ଏବଂ ସମସ୍ତ ବିକଶିତ ରାଷ୍ଟ୍ରଙ୍କୁ ଆହ୍ୱାନ ଜଣାଇଛନ୍ତି ଯେ ଗ୍ରୀନ୍ କ୍ଲାଇମେଟ ପାଣ୍ଠିକୁ ସେମାନେ ନିଜ ନିଜର ପ୍ରତିଶ୍ରୁତି ମୁତାବକ ଦେୟ ପ୍ରଦାନ କରନ୍ତୁ । ପ୍ୟାରିସ ଜଳବାୟୁ ରାଜିନାମାର ସର୍ତ୍ତାବଳୀ ଅନୁସାରେ ତଥା ନିକଟରେ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ଆନ୍ତଃ ସରକାରୀ ପାନେଲ ପ୍ରଦାନ କରିଥିବା ସ୍ୱତନ୍ତ୍ର ରିପୋର୍ଟର ମତାନୁସାରେ ବିଶ୍ୱ ଉତ୍ତାପନ ପ୍ରଭାବକୁ ପ୍ରାକ୍ ଶିଳ୍ପାୟନ ସମୟ ଠାରୁ 1.5 ଡ଼ିଗ୍ରୀ କମ୍ ରଖିôବା ତଥା ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ଆଇପିସିସି ସ୍ୱତନ୍ତ୍ର ରିପୋର୍ଟ ଆଧାରରେ କାର୍ଯ୍ୟ କରିବା ଲାଗି ଭାରତ ଓ ଫ୍ରାନ୍ସ 2020 ସୁଦ୍ଧା ୟୁରୋପୀୟ ସଂଘ ସହ ମିଲି ଏକ ଦୀର୍ଘକାଳୀନ କାର୍ଯ୍ୟଯୋଜନା ପ୍ରସ୍ତୁତ କରିବେ । ସେଥିରେ ସ୍ୱଳ୍ପ-ଜିଏଚଜି ନିର୍ଗମନର ବିକାଶ ସାମିଲ । ଏହା ସେମାନଙ୍କର ସମାନ ଏବଂ ପୃଥକ୍ ଦାୟିତ୍ୱବୋଧ ଓ ନିଜନିଜର କ୍ଷମତା ତଥା ବିଭିନ୍ନ ଜାତୀୟ ପରିସ୍ଥିତି ଆଧାରରେ ସାକାର କରାଯିବ । ତେବେ ତାହା ପ୍ୟାରିସ ରାଜିନାମା ପରିପ୍ରେକ୍ଷୀରେ ସର୍ବାଧିକ ସମ୍ଭବପର ଜାତୀୟ ମହତ୍ତ୍ୱାକାଙ୍କ୍ଷୀ ପୂରଣ କରୁଥିବା ଜରୁରି ।
16. ବିୟାରିଜ ଠାରେ ଅନୁଷ୍ଠିତ ଜି-7 ଶିଖର ବୈଠକର ଢ଼ାଞ୍ଚା ଅନୁସାରେ ଏବଂ ମିଳିତ ଜାତିସଂଘ ମହାସଚିବଙ୍କ 2019 ସେପ୍ଟେମ୍ବର 23 ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ଜଳବାୟୁ ପରିବର୍ତ୍ତନ ଶିଖର ସମ୍ମିଳନୀର ନିୟମାବଳୀ ମୁତାବକ ଫ୍ରାନ୍ସ ଓ ଭାରତ ନିମ୍ନ-ଜିଏଚଜି ବିକାଶ ସହନଶୀଳ ଜଳବାୟୁ ପରିବର୍ତ୍ତନକୁ ରୋକିବା ସକାଶେ ନୂତନ ପଦକ୍ଷେପକୁ ସହର୍ଥନ ଜଣାଇବାକୁ ସହମତ ହୋଇଛନ୍ତି । ବିଶେଷ କରି ଆର୍ଥିକ ସ୍ରୋତ ମାଧ୍ୟମରେ ପ୍ୟାରିସ ରାଜିନାମାର ଉଦ୍ଦେଶ୍ୟକୁ ପୂରଣ କରିବା ଏବଂ ମାତ୍ରାଧିକ ଅଙ୍ଗାରାମ୍ଳ ନିର୍ଗମନ କରୁଥିବା ଶିଳ୍ପସଂସ୍ଥାମାନଙ୍କରୁ ଏଭଳି ବର୍ଜ୍ୟ ନିଷ୍କାସନ ମାତ୍ରାକୁ ହ୍ରାସ କରିବା ସକାଶେ ସେମାନେ ସହମତ ହୋଇଛନ୍ତି । ତଦନୁଯାୟୀ ଉଭୟ ରାଷ୍ଟ୍ର ମିଳିତ ଭାବେ କାର୍ଯ୍ୟ କରି ହାଇଡ଼୍ରୋଫ୍ଲୁରୋକାର୍ବନ ହ୍ରାସ ସଂକ୍ରାନ୍ତ ମଣ୍ଟ୍ରିଲ ପ୍ରୋଟୋକଲର କିଗାଲି ସଂଶୋଧନକୁ ପାରିତ କରିବା ଏବଂ ଏହାର ପ୍ରବର୍ତ୍ତନ ସକାଶେ ସେମାନଙ୍କର ପ୍ରତିବଦ୍ଧତା ପ୍ରକଟ କରିଛନ୍ତି । ଏବଂ ଏଥିସହିତ ରେଫ୍ରିଜିରେସନ ସେକ୍ଟରରେ ଶକ୍ତି ସଂରକ୍ଷଣ ମାନ ବୃଦ୍ଧି ନିମନ୍ତେ ସହମତ ହୋଇଛନ୍ତି । ଅପର ପକ୍ଷରେ ଉଭୟ ରାଷ୍ଟ୍ର ‘ଫାଷ୍ଟ ଆକ୍ସନ ଅନ୍ ଏଫିସିଏଣ୍ଟ କୁଲିଂ ଅନ୍ ବିୟାରିଜ ପ୍ରତିବଦ୍ଧତା’ ଯେଉଁଭଳି ଭାବେ ଗୃହୀତ ହେବ ତାହାକୁ ସମର୍ଥନ ଜଣାଇବା ସକାଶେ ମିଳିତ ସମ୍ମତି ଜଣାଇଛନ୍ତି । ଜି-20 ଶିଖର ସମ୍ମିଳନୀ ଅବସରରେ ମଧ୍ୟବର୍ତ୍ତୀ ଟର୍ମ ସୁସଂଗତିକରଣ ଓ ପୁରୁଣା ଜୈବ ଇନ୍ଧନ ସବସିଡ଼ି ବ୍ୟବସ୍ଥାକୁ ପର୍ଯ୍ୟାୟ କ୍ରମେ ହଟାଇବା ସକାଶେ ଉଭୟ ଫ୍ରାନ୍ସ ଓ ଭାରତ ସେମାନଙ୍କର ପ୍ରତିବଦ୍ଧତା ଦୋହରାଇଛନ୍ତି । ଏଥି ସହିତ ସେମାନେ ଆପଦପୂର୍ଣ୍ଣ ବ୍ୟବସ୍ଥାକୁ ସହାୟତା ପ୍ରଦାନ କରିବା ତଥା ଏହାର ପିର୍ ରିଭ୍ୟୁ କାର୍ଯ୍ୟକ୍ରମରେ ମିଳିତ ଭାବେ ସାମିଲ ହେବାକୁ ମଧ୍ୟ ସମ୍ମତ ହୋଇଛନ୍ତି ।
17. ଉଭୟ ରାଷ୍ଟ୍ର ଅକ୍ଷୟ ଶକ୍ତିର ବିକାଶ ଏବଂ ସ୍ଥାପନା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସକାଶେ ସେମାନଙ୍କର ମିଳିତ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି । ଏହି ପରିପ୍ରେକ୍ଷୀରେ ଅନ୍ତରାଷ୍ଟ୍ରୀୟ ସୌର ସଂଗଠନରେ ଏଯାବତ୍ ହୋଇଥିବା କାର୍ଯ୍ୟ ପ୍ରଗତିରେ ସେମାନେ ସନ୍ତୋଷ ବ୍ୟକ୍ତ କରିଛନ୍ତି । ସଦସ୍ୟ ରାଷ୍ଟ୍ରମାନଙ୍କ ଦ୍ଵାରା ସୌର ଶକ୍ତି ଉତ୍ଥାପନ ଦିଗରେ ଦକ୍ଷତା ବୃଦ୍ଧି ଓ ସର୍ବଶ୍ରେଷ୍ଠ କାର୍ଯ୍ୟଧାରା ଆପଣାଇବା ଦିଗରେ ଏହିସବୁ କାର୍ଯ୍ୟ ସଂପାଦନ କରାଯାଇଛି । ଉଭୟ ରାଷ୍ଟ୍ର ଭାରତର ସୌର ଶକ୍ତି ନିଗମ (ଏସଇସିଆଇ) ଦ୍ଵାରା ପେମେଣ୍ଟ ନିରାପତ୍ତା ବ୍ୟବସ୍ଥା (ପିଏସଏମ)ର ପ୍ରବର୍ତ୍ତନକୁ ପ୍ରଶଂସା କରିବା ସହ ବିଶ୍ୱ ବ୍ୟାଙ୍କ୍ ଏବଂ ଫରାସୀ ବିକାଶ ଏଜେନ୍ସି ଦ୍ଵାରା ସୋଲାର ରିସ୍କ ମିଟିଗେସନ୍ ଇନିସିଏଟିଭ୍ (ଏସଆରଏମଆଇ) ପ୍ରକଳ୍ପ ଦ୍ଵାରା ଏଯାବତ୍ ସଂପାଦିତ କାର୍ଯ୍ୟକୁ ସ୍ୱାଗତ କରିଥିଲେ । ଏହାଦ୍ଵାରା ନିବେଶକମାନଙ୍କ ମନୋବଳ ବୃଦ୍ଧି ପାଇବ । ହାଇଡ଼୍ରୋଜେନ ଶକ୍ତି କ୍ଷେତ୍ର ପାଇଁ ଏନଆଇଏସଇ ଏବଂ ସିଇଏ ମଧ୍ୟରେ ସ୍ୱାକ୍ଷରିତ ରାଜିନାମାକୁ ସ୍ୱାଗତ କରି ସେମାନେ ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି ଯେ ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଭବିଷ୍ୟତରେ ଉଭୟ ପକ୍ଷଙ୍କ ମଧ୍ୟରେ ପ୍ରଯୁକ୍ତିଗତ ସହଯୋଗୀତାକୁ ଅଧିକ ନିବିଡ଼ କରାଯିବ । ଏହି ନିଷ୍ପତ୍ତି ପରିପ୍ରେକ୍ଷୀରେ ଭାରତ ଓ ଫ୍ରାନ୍ସ, ଯେଉଁମାନେ କି ଆଫ୍ରିକାର ପୋଷଣୀୟ ବିକାଶ କ୍ଷେତ୍ରକୁ ବ୍ୟାପକଭାବେ ସହଯୋଗ କରି ଆସୁଛନ୍ତି, ସେହି ମହାଦେଶରେ ଭବିଷ୍ୟତରେ ସେମାନେ ପ୍ରବର୍ତ୍ତନ କାର୍ଯ୍ୟରେ ଌରସ୍ପର ମଧ୍ୟରେ ସହଯୋଗ କରିବେ । ତ୍ରିପାକ୍ଷିକ ପ୍ରକଳ୍ପ ସକାଶେ ଏବେ ଏହି ଦିଗରେ ଆଲୋଚନା ଜାରି ରହିଛି ଏବଂ ବିଶେଷ କରି ସୌରଶକ୍ତି ଚାଳିତ ଜଳସେଚନ ଏବଂ ଆଫ୍ରିକୀୟ ରାଷ୍ଟ୍ରମାନଙ୍କରେ ଗ୍ରାମାଞ୍ଚଳ ବିକାଶ ଓ ଧନ୍ଦାମୂଳକ ତାଲିମ କାର୍ଯ୍ୟକ୍ରମ ମାଧ୍ୟମରେ କୌଶଳ ବିକାଶ ଓ ପୋଷଣୀୟ ବିକାଶ ଦ୍ଵାରା ଚାଦରେ ସୌର ଫୋଟେଭୋଲ୍ଟାଇକ୍ କ୍ଷେତ୍ରର ଉନ୍ନତି ସମ୍ଭବପର ହୋଇପାରିବ ।
18. ଜୈବବିବିଧତା କ୍ଷୟ ଌରିେଌ୍ରକ୍ଷୀରେ ଏବଂ ଜୈବବିବିଧତା ସଂରକ୍ଷଣ ସଂପର୍କୀତ ଘୋଷଣାନାମା ଅନୁସାରେ ଫ୍ରାନ୍ସର ବିୟାରିଜ ଜି-7 ଶିଖର ସମ୍ମିଳନୀରେ ଏହାକୁ ଅନୁମୋଦନ କରାଯିବ । ଉଭୟ ଫ୍ରାନ୍ସ ଓ ଭାରତ ଏହାକୁ ଆନ୍ତର୍ଜାତିକ, କ୍ଷେତ୍ରୀୟ, ଜାତୀୟ ଓ ସ୍ଥାନୀୟ ପ୍ରତିବଦ୍ଧତା ଭିତ୍ତିରେ 2020ରେ ଏକ ବିରାଟ ଆନ୍ତର୍ଜାତିକ କାର୍ଯ୍ୟକ୍ରମରେ ପରିଣତ କରିବା ଦିଗରେ ସକ୍ରିୟତାର ସହ ମିଳିତ ଭାବେ କାର୍ଯ୍ୟ କରିବେ । ବିଶେଷ କରି ମାର୍ସେଲିଠାରେ ଅନୁଷ୍ଠିତ ହେବାକୁ ଥିବା ଆଇୟୁସିଏନ ବିଶ୍ୱ ସଂରକ୍ଷଣ କଂଗ୍ରେସ ଓ କୋପ 15 ଅନୁସାରେ ଜୈବ ବିବିଧତାର ସଂରକ୍ଷଣ ପାଇଁ ଏହା ଉଦ୍ଦିଷ୍ଟ । ଭବିଷ୍ୟତର ବିଶ୍ୱ ଜୈବ ବିବିଧତା କାର୍ଯ୍ୟଯୋଜନାର ସଫଳ ପ୍ରବର୍ତ୍ତନ ପ୍ରସଙ୍ଗ ସ୍ମରଣ କରି ସଂରକ୍ଷଣର ତିନୋଟି ଯାକ ଉଦ୍ଦେଶ୍ୟ ସଫଳ ଦିଗରେ ସେମାନେ ସମ୍ମୁଖୀନ ହେଉଥିବା ଚାଲେଞ୍ଜ ଅନୁସାରେ ଆର୍ଥିକ ରାଶି ଚଳନ ଉପରେ ପ୍ରାଧାନ୍ୟ ଆରୋପ କରିଛନ୍ତି । ଏହା 2012 ମସିହାରେ ଗୃହୀତ ହାଇଦ୍ରାବାଦ ଟାର୍ଗେଟ ଅନୁସାରେ କରାଯିବ ଯଦ୍ୱାରା ଆନ୍ତର୍ଜାତିକ ସ୍ତରରେ ଆର୍ଥିକ ରାଶି ଚଳନ କରାଯାଇ ବିକାଶଶୀଳ ରାଷ୍ଟ୍ରମାନଙ୍କରେ ଜୈବ ବିବିଧତାର ସୁରକ୍ଷା ଦିଗରେ ବ୍ୟୟ କରାଯିବ ।
19. ଭାରତ ଓ ଫ୍ରାନ୍ସ ସହମତ ହୋଇଛନ୍ତି ଯେ ଜଳବାୟୁ ପରିବର୍ତ୍ତନକୁ ରୋକିବା , ଜୈବବିବିଧତାର ସଂରକ୍ଷଣ ଓ ବିକାଶ ଦିଗରେ ମହାସାଗରଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି । ଏବଂ ପର୍ଯ୍ୟାବରଣ ଓ ନିରାପତ୍ତା ମଧ୍ୟରେ ଥିବା ନିବିଡ଼ ସଂପର୍କକୁ ମଧ୍ୟ ସେମାନେ ସ୍ୱୀକାର କରିଛନ୍ତି । ଏହି ପରିପ୍ରେକ୍ଷୀରେ ସେମାନେ ସିଦ୍ଧାନ୍ତ ଗ୍ରହଣ କରିଛନ୍ତି ଯେ ଏଭଳି ଚାଲେଞ୍ଜର ମୁକାବିଲା ସକାଶେ ସେମାନେ ସେମାନଙ୍କର ସାମୁଦ୍ରିକ ସହଯୋଗର ପରିସରକୁ ବୃଦ୍ଧି କରିବେ । ସାମୁଦ୍ରିକ ସଂପଦର ପୋଷଣୀୟ ଉପଯୋଗ ସକାଶେ, ଉଭୟ ପକ୍ଷ ମହାସାଗର ପରିଚାଳନା ସହ ବିଭିନ୍ନ ଆର୍ନ୍ତଜାତୀୟ ସଂସ୍ଥାମାନଙ୍କ ସହ ସମନ୍ୱୟ ରକ୍ଷାକରି କାର୍ଯ୍ୟକରିବେ । ବ୍ଲୁ ଇକୋନୋମି ଏବଂ ତଟୀୟ ସହନଶୀଳତା ଭାରତ ତଥା ଫ୍ରାନ୍ସ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ କଥା । ଏହି ପରିପ୍ରେକ୍ଷୀରେ , ଉଭୟ ପକ୍ଷ ସାମୁଦ୍ରିକ ବିଜ୍ଞାନ କ୍ଷେତ୍ରରେ ଥିବା ସହଯୋଗ ଗବେଷଣା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବାକୁ ସହମତ ହୋଇଛନ୍ତି ଯାହାକି ମହାସାଗର ଓ ବିଶେଷ କରି ଭାରତ ମହାସାଗର କ୍ଷେତ୍ରକୁ କୁ ଉତ୍ତମ ରୂପେ ବୁଝିବାରେ ସହାୟକ ହେବ ।
20. ନୂଆଦିଲ୍ଲୀ ଠାରେ 2019 ସେପ୍ଟେମ୍ବର 2 ଠାରୁ 13 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଚତୁର୍ଦ୍ଦଶ ମିଳିତ ଜାତିସଂଘ ମରୁକରଣ ନିରୋଧୀ ସମ୍ମିଳନୀ ଏବଂ 1994 ମସିହା ଜୁନ ମାସରେ ପ୍ୟାରିସ ଠାରେ ଅନୁଷ୍ଠିତ ସମ୍ମିଳନୀର 25 ତମ ବାର୍ଷିକୀ ପାଳନ ଅବସରରେ ଫ୍ରାନ୍ସ ଏବଂ ଭାରତ ଧରିତ୍ରୀ ମାତାରେ ଭୂସଂରକ୍ଷଣ ସଂପର୍କରେ ଜରୁରି କାର୍ଯ୍ୟାନୁଷ୍ଠାନ ପାଇଁ ସକ୍ରିୟତା ପ୍ରକଟ କରିଛନ୍ତି । ସେମାନେ ମିଳିତ ଭାବେ ଏଭଳି ଭୂସଂରକ୍ଷଣ ଦିଗରେ ବିହିତ ପଦକ୍ଷେପମାନ ଗ୍ରହଣ ପୂର୍ବକ ଦାରିଦ୍ର୍ୟ, ଅସମାନତା ବିରୋଧରେ ସଂଗ୍ରାମ ତଥା ଜଳବାୟୁ ପରିବର୍ତ୍ତନକୁ ରୋକିବା ଏବଂ ଜୈବ ବିବିଧତାର ସଂରକ୍ଷଣ ଓ ପୁନଃସଂସ୍ଥାପନ ଉପରେ ଗୁରୁତ୍ୱ ଆରୋପ କରିଛନ୍ତି । ଏହି ଦିଗରେ ସେମାନେ ଆଇପିବିଇଏସ ପକ୍ଷରୁ ପ୍ରଦତ୍ତ ବିଶେଷ ରିପୋର୍ଟ ଆଧାରରେ ଗ୍ରହଣ କରିବେ ଏବଂ ମୃତ୍ତିକା ସଂରକ୍ଷଣ ଓ ପୁନଃ ସଂସ୍ଥାପନ ତଥା ଜୈବବିବିଧତା ପରିପ୍ରେକ୍ଷୀରେ ବୈଶ୍ୱିକ ଆକଳନ କରିବେ । ଜଳବାୟୁ ପରିବର୍ତ୍ତନ ଓ ମୃତ୍ତିକା ସଂପର୍କରେ ଆଇପିସିସିର 2019 ରେ ଅଗଷ୍ଟ ମାସରେ ଜେନେଭା ଠାରେ ଯେଉଁ ବିଶେଷ ରିପୋର୍ଟ ପ୍ରଦାନ କରିଛି ସେହି ଆଧାରରେ ସକଳ କାର୍ଯ୍ୟ ସଂପାଦନ କରିବାକୁ ଉଭୟ ପକ୍ଷ ଆହ୍ୱାନ ଜଣାଇଛନ୍ତି ।
21. ଏତାଦୃଶ ମନୋଭାବ ନେଇ , ଭାରତ ଏବଂ ଫ୍ରାନ୍ସ ମେଜଠାରେ ଜି-7 ପର୍ଯ୍ୟାବରଣ ମନ୍ତ୍ରୀମାନଙ୍କ ଦ୍ୱାରା ଗଠିତ କମିଟି ଯାହାକି କୃଷି ଉତ୍ପାଦ ଯୋଗାଣ ବ୍ୟବସ୍ଥାର ଦୀର୍ଘକାଳୀନ ବିକାଶ ଓ ଜଙ୍ଗଲକ୍ଷୟକୁ ରୋକିବା ଆଦି ଲକ୍ଷ୍ୟ ହାସଲ ପାଇଁ ଉଦ୍ଦିଷ୍ଟ ସେହି ଦିଗରେ ବ୍ରତୀ ହେବେ । ଏହିସବୁ ପଦକ୍ଷେପ ପର୍ଯ୍ୟାବରଣ ସୁରକ୍ଷା ପାଇଁ ଉଦ୍ଦିଷ୍ଟ ତଥା ଏହା ସ୍ୱୀକୃତ ପ୍ରମାଣନ ଆଧାରରେ କାର୍ଯ୍ୟକାରୀ କରାଯିବ ।
22. ଉଭୟ ନେତା ସକଳ ପ୍ରକାର ଆତଙ୍କବାଦ ଓ ଏହାର କାର୍ଯ୍ୟ ତଥା ସୀମାପାର ଆତଙ୍କବାଦ ଓ ଆତଙ୍କ ସଂପର୍କୀତ ଘଟଣା, ତାହା ଫ୍ରାନ୍ସରେ ହୋଇଥାଉ ଅଥବା ଭାରତରେ ସଂଘଟିତ ହୋଇଥାଉ, ତାହାକୁ ଦୃଢ଼ ସ୍ୱରରେ ନିନ୍ଦା କରିଛନ୍ତି । ସେହିଭଳି ଉଭୟ ନେତା ଆତଙ୍କବାଦକୁ କୌଣସି ଦୃଷ୍ଟିକୋଣରୁ ଉଚିତ ବୋଲି ପ୍ରମାଣିତ କରାଯାଇପାରିବନାହିଁ ବୋଲି ଦୃଢ଼ତାର ସହ ସେମାନଙ୍କର ପ୍ରତିବଦ୍ଧତା ପ୍ରକଟ କରିଛନ୍ତି ଏବଂ ଏହାକୁ କୌଣସି ପ୍ରକାର ଧର୍ମ, ସଂପ୍ରଦାୟ, ଜାତୀୟତା କିମ୍ବା ଗୋଷ୍ଠୀ ସହ ଯୋଡ଼ାଯାଇ ପାରିବନାହିଁ ବୋଲି ସ୍ପଷ୍ଟ ସ୍ୱରରେ ଘୋଷଣା କରିଛନ୍ତି ।
23. 2016 ମସିହା ଜାନୁଆରୀ ମାସରେ ଉଭୟ ରାଷ୍ଟ୍ର ଆତଙ୍କବାଦ ସଂପର୍କରେ କରିଥିବା ଘୋଷଣାନାମାକୁ ସ୍ମରଣ କରି ଉଭୟ ନେତା ବିଶ୍ୱର ଯେଉଁଠାରେ ହୋଇଥାଉ ନା କାହିଁକି ଆତଙ୍କବାଦର ଉନ୍ମୁଳନ ସକାଶେ ସେମାନଙ୍କର ପ୍ରତିବଦ୍ଧତାକୁ ପୁନଃ ଉଦ୍ଘୋଷଣା କରିଛନ୍ତି । ଏଥିସହ ଆତଙ୍କବାଦର ମୁକାବିଲା କରିବା ଏବଂ ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ବନ୍ଦ୍ ନିମନ୍ତେ ସେମାନେ ଅନ୍ତରାଷ୍ଟ୍ରୀୟ ସମୁଦାୟ ସୁଦୃଢ଼ ହେବା ସକାଶେ ସେମାନଙ୍କୁ ଆହ୍ୱାନ ଜଣାଇଛନ୍ତି । ମିଳିତ ଜାତିସଂଘ ନିରାପତ୍ତା ପରିଷଦ ପକ୍ଷରୁ ଗତ ମାର୍ଚ୍ଚ 28 ତାରିଖ ଦିନ ଗୃହୀତ 2462 ଘୋଷଣାନାମା ଯାହାକି ଆତଙ୍କବାଦୀମାନଙ୍କୁ ଅର୍ଥଯୋଗାଣ ଉତ୍ସକୁ ବନ୍ଦ୍ କରିବା ପାଇଁ ଉଦ୍ଦିଷ୍ଟ ତାହାକୁ ପ୍ରବର୍ତ୍ତନ କରିବା ନିମନ୍ତେ ସେମାନେ ସମସ୍ତ ଜାତିସଂଘ ସଦସ୍ୟଭୁକ୍ତ ରାଷ୍ଟ୍ରଙ୍କୁ ଆହ୍ୱାନ ଜଣାଇଛନ୍ତି । ସେହିଭଳି ନଭେମ୍ବର 7-8 ରେ ମେଲବୋର୍ଣ୍ଣ ଠାରେ ଗଠିତ “ନୋ ମନି ଫର୍ ଟେରର”ଗୋଷ୍ଠୀକୁ ସ୍ୱାଗତ ଜଣାଇଛନ୍ତି । ସେଠାରେ ଅନୁଷ୍ଠିତ ଅନ୍ତରାଷ୍ଟ୍ରୀୟ ସମ୍ମିଳନୀ ଆତଙ୍କବାଦୀଙ୍କୁ ଅର୍ଥଯୋଗାଣ ବିରୋଧରେ ସଂଗ୍ରାମ ପ୍ରସଙ୍ଗ ଉପରେ ଆୟୋଜିତ ହୋଇଥିଲା । ଏହାପରେ 2018 ଏପ୍ରିଲ ମାସରେ ଫ୍ରାନ୍ସ ସରକାରଙ୍କ ଦ୍ୱାରା ପ୍ୟାରିସଠାରେ ଆୟୋଜିତ ସମ୍ମିଳନୀରେ ପ୍ରତିଫଳିତ ହୋଇଥିଲା ଯାହାକି ପ୍ୟାରିସ କାର୍ଯ୍ୟସୂଚୀ ଭାବେ ନାମିତ କରାଯାଇଛି । ଉଭୟ ନେତା ଏହି ପ୍ରସଙ୍ଗରେ ଯଥା ଶୀଘ୍ର ଏକ ଆନ୍ତର୍ଜାତିକ ସମ୍ମିଳନୀ ଡ଼କାଇବା ନିମନ୍ତେ ସହମତ ହୋଇଥିଲେ । ଭାରତ ଦ୍ୱାରା ପ୍ରସ୍ତାବିିତ ଏହି ସମ୍ମିଳନୀ ସାରା ବିଶ୍ୱରେ ଆତଙ୍କବାଦ ଭୟର ମୁକାବିଲା କରିବା ନିମନ୍ତେ ଉଦ୍ଦିଷ୍ଟ ।
24. ଆତଙ୍କବାଦଙ୍କ ନିରାପଦ ଆଶ୍ରୟସ୍ଥଳୀ ଓ ସେମାନଙ୍କର ଢ଼ାଞ୍ଚାକୁ ମୂଳପୋଛ କରିବା ସକାଶେ ସେମାନେ ସମସ୍ତ ରାଷ୍ଟ୍ରଙ୍କୁ ଆହ୍ୱାନ ଜଣାଇଛନ୍ତି । ସେହିପରି ଆତଙ୍କବାଦୀ ନେଟୱାର୍କକୁ ପ୍ରତିହତ କରିବା ଓ ସେମାନେ ସଂଗ୍ରହ କରୁଥିବା ଆର୍ଥିକ ଉତ୍ସକୁ ବନ୍ଦ୍ କରିବା ଓ ସୀମାପାର ଆତଙ୍କବାଦୀ ଚଳପ୍ରଚଳକୁ ବନ୍ଦ୍ କରିବା ଲାଗି ସେମାନେ ଆହ୍ୱାନ ଜଣାଇଛନ୍ତି । ଏହିସବୁ ଆତଙ୍କବାଦୀ ସଂଗଠନ ଅଲ୍ କାଏଦା, ଜ୍ୟେଶ୍/ଆଇଏସଆଇଏସ, ଜୈସ ଏ ମହମ୍ମଦ, ହିଜବୁଲ ମୁଜାହିଦ୍ଦିନ୍, ଲସ୍କର ଏ ତୋଇବା ଓ ସେମାନଙ୍କର ସହଯୋଗୀ ସଂଗଠନ ତଥା ଅନ୍ୟ ଯେକୌଣସି ଆତଙ୍କବାଦୀ ସଂଗଠନ ଯେଉଁମାନେ କି ଦକ୍ଷିଣ ଏସିଆ ତଥା ସାହିଲ କ୍ଷେତ୍ରରେ ଶାନ୍ତି ଓ ନିରାପତ୍ତାକୁ ବ୍ୟାହତ କରୁଛନ୍ତି ସେମାନଙ୍କ ବିରୋଧରେ ପଦକ୍ଷେପ ଗ୍ରହଣ ପାଇଁ ସେମାନେ ଆହ୍ୱାନ କରିଛନ୍ତି ।
25. ଉଭୟ ନେତା , ଦୁଇ ରାଷ୍ଟ୍ରର ନୋଡ଼ାଲ ଏଜେନ୍ସି ଏବଂ ଅନୁସନ୍ଧାନ ଏଜେନ୍ସିମାନଙ୍କ ମଧ୍ୟରେ ଉତ୍ତମ ସହଯୋଗ ସହ , ଅତିବାଦ, ବିଶେଷ କରି ଅନଲାଇନ ଅତିବାଦକୁ ରୋକିବା ଏବଂ ଏହା ବିରୋଧରେ ସାନି କାର୍ଯ୍ୟାନୁଷ୍ଠାନ ଗ୍ରହଣ ସକାଶେ ସେମାନଙ୍କର କାର୍ଯ୍ୟାନୁଷ୍ଠାନକୁ ବଢ଼ାଇବା ନିମନ୍ତେ ସହମତ ହୋଇଛନ୍ତି ।
26. ଉଭୟ ନେତା ଆତଙ୍କବାଦ ଉନ୍ମୁଳନ ସକାଶେ ଖ୍ରୀଷ୍ଟଚର୍ଚ୍ଚ କାର୍ଯ୍ୟାନୁଷ୍ଠାନ ଆହ୍ୱାନ ଓ ମାର୍ଚ୍ଚ 15 ତାରିଖ ଦିନ ପ୍ୟାରିସଠାରେ ଗୃହୀତ ଅନଲାଇନ ହିଂସାତ୍ମକ ଉଗ୍ରବାଦର ଉନ୍ମୁଳପ୍ରତି ସେମାନଙ୍କର ପ୍ରତିବଦ୍ଧତା ପ୍ରକଟ କରିଛନ୍ତି । ବହୁରାଷ୍ଟ୍ରୀୟ ଫୋରନ ଯଥା ମିଳିତ ଜାତିସଂଘ, ଜିସିଟିଏଫ, ଏଫଏଟିଏଫ, ଜି-20 ଇତ୍ୟାଦି ସଂଗଠନ ପକ୍ଷରୁ କରାଯାଇଥିବା ଆତଙ୍କବାଦ ନିରୋଧୀ ବ୍ୟବସ୍ଥାକୁ ସୁଦୃଢ଼ କରିବା ନିମନ୍ତେ ସେମାନେ ନିଜର ପ୍ରତିବଦ୍ଧତା ପ୍ରକଟ ସ୍ୱରୂପ ସହମତ ପ୍ରକାଶ କରିଛନ୍ତି । ସେହିଭଳି ସେମାନେ ଜାତିସଂଘ ସଦସ୍ୟଭୁକ୍ତ ରାଷ୍ଟ୍ରମାନଙ୍କୁ ଆହ୍ୱାନ ଜଣାଇ ଜାତିସଂଘ ନିରାପତ୍ତା ପରିଷଦ ଦ୍ୱାରା ଗୃହୀତ 1267 ନମ୍ବର ପ୍ରସ୍ତାବ ତଥା ଅନ୍ୟାନ୍ୟ ତତସଂପର୍କୀତ ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ଲାଗି ନିବେଦନ କରିଛନ୍ତି । ସେହିସବୁ ଗୃହୀତ ପ୍ରସ୍ତାବ ଆତଙ୍କବାଦୀ ସଂଗଠନମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଉଦ୍ଦିଷ୍ଟ । ସେହିଭଳି ମିଳିତ ଜାତିସଂଘରେ ଆନ୍ତର୍ଜାତିକ ଆତଙ୍କବାଦ ନିରୋଧୀ ବ୍ୟାପକ କାର୍ଯ୍ୟାନୁଷ୍ଠାନ ପ୍ରସ୍ତାବ (ସିସିଆଇଟି)କୁ ଯଥାଶୀଘ୍ର ଗୃହୀତ କରାଇବାକୁ ସେମାନେ ସହମତ ହୋଇଛନ୍ତି ।
27. ସାମୁଦ୍ରିକ ନୌଚଳାଚଳ ସ୍ୱାଧୀନତା, ବିଶେଷ କରି ଭାରତ- ପ୍ରଶାନ୍ତ ମହାସାଗରୀୟ ଜୋନରେ ଏଭଳି ସ୍ୱାଧୀନତା ରକ୍ଷା, ଭାରତ ଓ ଫ୍ରାନ୍ସ ମଧ୍ୟରେ ସାମୁଦ୍ରିକ ନିରାପତ୍ତା ଜନିତ ସହଯୋଗ ନିମନ୍ତେ ଉଭୟ ରାଷ୍ଟ୍ରଙ୍କ ପ୍ରତିବଦ୍ଧତା ଆଧାରରେ ଦୁଇ ରାଷ୍ଟ୍ରଙ୍କ ମଧ୍ୟରେ ଷ୍ଟ୍ରାଟେଜିକ୍ ସହଭାଗୀତ ବୃଦ୍ଧି ପାଇଁ ଦୁଇ ନେତା ରାଜି ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ, ଫ୍ରାନ୍ସ ଓ ଭାରତ , ଭାରତ ମହାସାଗର କ୍ଷେତ୍ରରେ ଭାରତ-ଫ୍ରାନ୍ସ ମିଳିତ ଷ୍ଟ୍ରାଟେଜିକ୍ ଭିଜନ ସହଯୋଗ ନିମନ୍ତେ ରାଷ୍ଟ୍ରପତି ମାକ୍ରୋଁଙ୍କ ମାର୍ଚ୍ଚ, 2018 ଭାରତ ଗସ୍ତବେଳେ ସ୍ୱାକ୍ଷରିତ ଚୁକ୍ତିନାମାକୁ ତୁରନ୍ତ କାର୍ଯ୍ୟକାରୀ କରିବା ଲାଗି ସହମତ ହୋଇଛନ୍ତି ।
28. ହ୍ୱାଇଟ ସିପିଂ ରାଜିନାମାକୁ କାର୍ଯ୍ୟକାରୀ କରିବା ସକାଶେ, ଭାରତ ଏବଂ ଫ୍ରାନ୍ସ ଗୁରୁଗ୍ରାମ ଠାରେ ସୂଚନା ସମନ୍ୱୟ କେନ୍ଦ୍ର- ଭାରତ ମହାସାଗର କ୍ଷେତ୍ର (ଆଇଏଫସି- ଆଇଓଆର) ଠାରେ ଜଣେ ଫରାସୀ ଲିଆଜନ ଅଫିସରଙ୍କ ନିଯୁକ୍ତିକୁ ସ୍ୱାଗତ କରିଛନ୍ତି ।
29. ଭାରତ ମହାସାଗର ରିମ ସଂଗଠନ (ଆଇଓଆରଏ)ରେ ଫ୍ରାନ୍ସ ଓ ଭାରତ ସେମାନଙ୍କର କାର୍ଯ୍ୟରେ ଅଧିକ ସମନ୍ୱୟ ରକ୍ଷାପୂର୍ବକ ଅନ୍ୟ ଆଗ୍ରହୀ ରାଷ୍ଟ୍ରମାନଙ୍କ ସହ ମିଶି ଦକ୍ଷିଣ ଭାରତ ମହାସାଗରୀକ୍ଷ କ୍ଷେତ୍ରରେ ଘଟୁଥିବା ସକଳ ପ୍ରକାର ସାମୁଦ୍ରିକ ଦସ୍ୟୁଗିରି ଓ ଅନ୍ୟାନ୍ୟ ଚୋରା କାରବାରକୁ ରୋକିବା ସକାଶେ କାର୍ଯ୍ୟ କରିବେ । ଫ୍ରାନ୍ସ ମଧ୍ୟ ଭାରତ ମହାସାଗର ନୌ ସିମ୍ପୋସିଅମ୍ (ଆଇଓଏନଏସ)ରେ ଭାରତ ସହ ଓତଃପ୍ରୋତ ଭାବେ କାର୍ଯ୍ୟ କରିବାକୁ ଆଗ୍ରହୀ ଏବଂ ସେଥିରେ ଭାରତ 2020-2022 ପର୍ଯ୍ୟନ୍ତ ଅଧ୍ୟକ୍ଷତା କରିବାକୁ ଯାଉଛି ।
30. ଫ୍ରାନ୍ସ ଏବଂ ଭାରତ ଉଭୟ ଗଣତାନ୍ତ୍ରିକ ସମାଜ ବ୍ୟବସ୍ଥା ଉପରେ ଆଧାରିତ ଏବଂ ସେମାନେ ବିବିଧତାକୁ ବଜାୟ ରଖିବା ସକାଶେ ପ୍ରତିଶ୍ରୁତିବଦ୍ଧ । ପୂର୍ବବତ୍ ସେମାନେ ବିଶ୍ୱାସ ଯେ ଏକ ସଂସ୍କାରିତ, ତଥା ଅଧିକ ସକ୍ରିୟ ଅନ୍ତରାଷ୍ଟ୍ରୀୟ ବ୍ୟବସ୍ଥା ହିଁ ଏକବିଂଶ ଶତାବ୍ଦୀର ସକଳ ପ୍ରକାର ଚାଲେଞ୍ଜର ମୁକାବିଲା କରିପାରିବ । ତେଣୁ, ଫ୍ରାନ୍ସ ଜି-7 ଶିଖର ସମ୍ମିଳନୀରେ ଭାରତ ସଂଶ୍ଳିଷ୍ଟ ହେବାକୁ ସମର୍ଥନ କରେ ଏବଂ ଏହା ଦ୍ୱାରା ଡ଼ିଜିଟାଲ ସଂସ୍କାର, ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ଆପାତ କାର୍ଯ୍ୟନୁଷ୍ଠାନ ଓ ଜୈବବିବିଧତା କ୍ଷୟକୁ ରୋକିବା ଦିଗରେ ଅଧିକ ସକ୍ରିୟ ଭାବେ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇପାରିବ । ଫ୍ରାନ୍ସ ଏବଂ ଭାରତ ମିଳିତ ଜାତିସଂଘ ନିରାପତ୍ତା ପରିଷଦର ସଂସ୍କାର ପାଇଁ ଆହ୍ୱାନ ଜଣାନ୍ତି ଯଦ୍ୱାରା ଭାରତ ଏହି ସଂଗଠନରେ ସ୍ଥାୟୀ ସଦସ୍ୟତା ଲାଭ କରିପାରିବ । ସେହିଭଳି ବିଶ୍ୱ ବାଣିଜ୍ୟ ସଂଗଠନର ଆଧୁନିକୀକରଣ ଦିଗରେ ଅଧିକ ତ୍ୱରିତ ତଥା ଗଠନମୂଳକ ଭାବେ କାର୍ଯ୍ୟ କରିବା ସକାଶେ ସେମାନେ ନିଜ ନିଜର ପ୍ରତିବଦ୍ଧତା ପ୍ରକଟ କରିଛନ୍ତି ଯେଉଁଥିରେ 2020 ମସିହା ଜୁନ ମାସରେ ଅନୁଷ୍ଠିତ ହେବାକୁ ଥିବା ଡ଼ବ୍ଲୁଟିଓର 12ଶ ମନ୍ତ୍ରିସ୍ତରୀୟ ସମ୍ମଳନୀକୁ ସଫଳତାର ସହ ସଂପାଦନ କରାଯାଇପାରିବ । ଏହି ସଂଗଠନର ନିୟମାବଳୀର ସଂସ୍କାର ଏବଂ ଏହାର କାର୍ଯ୍ୟଧାରାରେ ଉନ୍ନତି ସାଧନ ଦ୍ୱାରା, ଏବଂ ବିଶେଷ କରି ଏହାର ବିବାଦ ସମାଧାନ ବ୍ୟବସ୍ଥାର ସଂସ୍କାରୀକରଣ ଓ ନୀତିଭିତ୍ତିକ ବହୁପକ୍ଷିୟ ବାଣିଜ୍ୟ କାରବାର ବ୍ୟବସ୍ଥାକୁ ସୁସଂଗତ କରାଯାଇପାରିବ । ଏହା ଦ୍ୱାରା ବର୍ତ୍ତମାନର ବ୍ୟବସ୍ଥାକୁ ମୁକ୍ତ, ଅବାଧ ଓ ସ୍ୱଚ୍ଛ ତଥା ନୀତିଭିତ୍ତିକ ବହୁପାକ୍ଷିକ ବାଣିଜ୍ୟ କାରବାର ବ୍ୟବସ୍ଥାରେ ପରିଣତ କରାଯାଇପାରିବ । ଦୀର୍ଘଦିନରୁ ଏଥିପାଇଁ ପ୍ରୟାସ କରାଯାଇଆସୁଛି ଯଦ୍ୱାରା ଉନ୍ନତି ଓ ବିକାଶ ଧାରାକୁ ତ୍ୱରାନ୍ୱିତ କରାଯାଇପାରିବ । ଉଭୟ ନେତା ଜି-20 ଗୁଣାତ୍ମକ ସଂସାଧନ ନିବେଶ ନୀତି ପ୍ରବର୍ତ୍ତନକୁ ସେମାନଙ୍କର ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି । ଅଧିକନ୍ତୁ, ପ୍ୟାରିସ କ୍ଲବ ଯାହାକି ଦ୍ୱିପାକ୍ଷିକ ଋଣ ବ୍ୟବସ୍ଥାର ପୁନର୍ଗଠନର ମୁଖ୍ୟ ଆନ୍ତର୍ଜାତିକ ଫୋରମ ତାହା ଅଧୀନରେ ସେମାନେ ସବୁପ୍ରକାର ସହଯୋଗ ପାଇଁ ପ୍ରତିବଦ୍ଧତା ପ୍ରକଟ କରିଛନ୍ତି ।
31. ଏଭଳି ଦ୍ୱିପାକ୍ଷିକ ସଂପର୍କକୁ ୟୁରୋପୀୟ ସଂଘ ଅତିରିକ୍ତ ମୂଲ୍ୟ ପ୍ରଦାନ କରିବ ବୋଲି ସଚେତନ ରହି ଫ୍ରାନ୍ସ ଓ ଭାରତ ୟୁରୋପୀୟ ସଂଘ ଭାରତ ସହ ସେମାନଙ୍କର ସହଯୋଗକୁ ନିବିଡ଼ କରିବା ଲାଗି ବଚନବଦ୍ଧତା ପ୍ରକଟ କରିଛନ୍ତ ଯାହାକି ସେମାନଙ୍କର ବାଣଜ୍ୟ, ନିବେଶ ଓ ଅଭିନବତ୍ୱ ଭଳି ଷ୍ଟ୍ରାଟେଜିକ୍ ତଥା ବହୁପକ୍ଷିୟ ପ୍ରସଙ୍ଗ ପାଇଁ ଜରୁରି ।
32. ଆନ୍ତର୍ଜାତିକ ଶାନ୍ତି ଓ ନିରାପତ୍ତା ରକ୍ଷା ସକାଶେ ଫ୍ରାନ୍ସ ଓ ଭାରତ ସକ୍ରିୟତାର ସହ ସହଯୋଗ ପାଇଁ ସହମତ ହୋଇଛନ୍ତି । ଏଥିରେ ଯେଉଁସବୁ କ୍ଷେତ୍ରୀୟ ସମସ୍ୟା ସେମାନଙ୍କ ପାଇଁ ବିପଦ ସୃଷ୍ଟି କରୁଛି ତାହା ସାମିଲ । ସେମାନେ ଆଫଗାନିସ୍ତାନରେ ଏକ ସମାବେଶୀ ଶାନ୍ତି ଓ ସମାଧାନ ପ୍ରକ୍ରିୟାକୁ ସମର୍ଥନ କରନ୍ତି । ଏହା ଆଫଗାନ ନେତୃତ୍ୱାଧୀନ, ଆଫଗାନ ମାଲିକାନା ଏବଂ ଆଫଗାନିସ୍ତାନ ନିୟନ୍ତ୍ରିତ ହୋଇଥିବା ଆବଶ୍ୟକ । ତଦ୍ୱାରା ସେଠାରେ ସମସ୍ତଙ୍କ ପାଇଁ ଉପକାରସିଦ୍ଧ ହୋଇଥିବା ଏକ ରାଜନୈତିକ ସମାଧାନ ସୂତ୍ର ବାହାରିପାରିବ ଯେଉଁଥିରେ ସାମ୍ବିଧାନିକ ଶୃଙ୍ଖଳା ଥିବ, ମାନବିକ ଅଧିକାର ସୁରକ୍ଷିତ ରହୁଥିବ, ବିଶେଷ କରି ମହିଳାମାନଙ୍କ ଅଧିକାର ଓ ସ୍ୱାୟତ୍ତତା ଯାହାକି ବିଗତ 18 ବର୍ଷ ମଧ୍ୟରେ ହ୍ରାସ ପାଇଛି ତାହା ସୁରକ୍ଷିତ ରହିପାରିବ । ସେଠାରେ ନିର୍ଦ୍ଧାରିତ ସମୟରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବା, ଆତଙ୍କବାଦୀ ହିଂସାକାଣ୍ଡର ବିଲୋପ ଘଟିବା, ଏବଂ ଆତଙ୍କବାଦୀମାନେ ସେଠାରେ ପାଉଥିବା ନିରାପଦ ଆଶ୍ରୟସ୍ଥଳୀର ବିଲୋପସାଧନ ଘଟିବ ତଥା ଆଫଗାନିସ୍ତାନରେ ସ୍ଥାୟୀ ଶାନ୍ତି, ନିରାପତ୍ତା ଓ ସ୍ଥିରତା ବିରାଜମାନ କରିବା ଉଭୟ ପକ୍ଷ ଆଶା କରନ୍ତି ।
33. ଫ୍ରାନ୍ସ ଓ ଭାରତ ସହମତ ହୋଇ ମିଳିତ ଜାତିସଂଘ ନିରାପତ୍ତା ପରିଷଦର ଘୋଷଣାନାମା 2231 ଯାହାକି ଇରାନ ଆଣବିକ କାର୍ଯ୍ୟକ୍ରମ ସଂପର୍କୀତ ଓ ଏଥିପାଇଁ ହୋଇଥିବା ମିଳିତ ବ୍ୟାପକ କାର୍ଯ୍ୟଯୋଜନା (ଜେସିପିଓଏ)କୁ ସଂପୂର୍ଣ୍ଣ ଭାବେ ପାଳନ କରାଯିବା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି । ଏହା କ୍ଷେତ୍ରୀୟ ତଥା ଆନ୍ତର୍ଜାତୀୟ ଶାନ୍ତି ଓ ନିରାପତ୍ତା ରକ୍ଷା ପାଇଁ ଉଦ୍ଦିଷ୍ଟ । ବର୍ତ୍ତମାନ ସୃଷ୍ଟ ସକଳ ପ୍ରକାର ବିବାଦ ଆଲୋଚନା ମାଧ୍ୟମରେ ଶାନ୍ତିପୂର୍ଣ୍ଣ ଭାବେ ସମାଧାନ କରାଯିବା, ଏବଂ ସୃଷ୍ଟ ଉତ୍ତେଜନା ହ୍ରାସ ପାଇବା ପାଇଁ ସେମାନେ ଆହ୍ୱାନ ଜଣାଇଛନ୍ତି ।
34. ବର୍ତ୍ତମାନ ଉଭୟ ପକ୍ଷ କରୁଥିବା ଆଲୋଚନାରେ ସନ୍ତୋଷ ବ୍ୟକ୍ତ କରି ଉଭୟ ପକ୍ଷ ଏହି ସହଭାଗୀତା ସଂପର୍କକୁ ଅଧିକ ସୁଦୃଢ଼ କରିବା ସକାଶେ ସେମାନଙ୍କର ପ୍ରତିବଦ୍ଧତା ପ୍ରକଟ କରିଛନ୍ତି । ଏହାଦ୍ୱାର ସେମାନଙ୍କର ଦ୍ୱିପାକ୍ଷିକ ସଂପର୍କ ବ୍ୟାପକ, ନିବିଡ଼ ଓ ପାରସ୍ପରିକ ସଂପର୍କକୁ ସୁଦୃଢ଼ କରିପାରିବ ଯଦ୍ୱାରା ସେମାନେ କ୍ଷେତ୍ରୀୟ ଓ ଆନ୍ତର୍ଜାତିକ ଗୁରତ୍ୱ ବହନକାରୀ ପ୍ରସଙ୍ଗଗୁଡ଼ିକୁ ସମାଧାନ କରିବାରେ ସକ୍ଷମ ହୋଇପାରିବେ ।
***********************