Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କୃଷି ଭିତ୍ତିଭୂମି ପାଣ୍ଠି ବ୍ୟବସ୍ଥାରେ ଏକ ଲକ୍ଷ କୋଟି ଟଙ୍କାର ଅର୍ଥ ଯୋଗାଣ ପ୍ରକ୍ରିୟା ଆରମ୍ଭ


 

  • ପିଏମ-କିସାନ ଯୋଜନାର ଷଷ୍ଠ କିସ୍ତିରେ ପ୍ରାୟ 8.5 କୋଟି ଚାଷୀଙ୍କ ବ୍ୟାଙ୍କ ଖାତାକୁ 17 ହଜାର କୋଟି ଟଙ୍କା ପ୍ରେରଣ କଲେ ପ୍ରଧାନମନ୍ତ୍ରୀ
  • କ୍ୟାବିନେଟ ଅନୁମୋଦନର 30 ଦିନ ମଧ୍ୟରେ କେନ୍ଦ୍ରୀୟ ଯୋଜନାରେ କୃଷି ଭିତ୍ତିଭୂମି ପାଣ୍ଠିରୁ 2280 କୃଷକ ସମବାୟ ପାଇଁ ମଞ୍ଜୁର ହେଲା ଏକ ହଜାର କୋଟି ଟଙ୍କା
  • ଏବେ ଉଦ୍ୟୋଗୀ ହେବାକୁ ଚାଷୀ ପ୍ରସ୍ତୁତ, ସେମାନଙ୍କର ଆୟ ଦ୍ୱିଗୁଣିତ ହେବାରେ ନୂଆ ଯୋଜନା ସହାୟକ ହେବ : ପ୍ରଧାନମନ୍ତ୍ରୀ

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ନୂତନ କେନ୍ଦ୍ରୀୟ ଯୋଜନା ଆରମ୍ଭ କରି କୃଷି ଭିତ୍ତିଭୂମି ପାଣ୍ଠି ଅଧୀନରେ ବିଭିନ୍ନ କୃଷି ଭିତ୍ତିକ ଭିତ୍ତିଭୂମି ସୃଷ୍ଟି ପାଇଁ ଏକ ଲକ୍ଷ କୋଟି ଟଙ୍କା ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି । ଏହି ଯୋଜନା ଦ୍ୱାରା ଚାଷୀ, ପ୍ୟାକ୍ସ, ଏଫ୍‌ପିଓ, କୃଷି ଉଦ୍ୟୋଗୀ ଆଦି ଉପକୃତ ହେବେ । ଅମଳ ପରବର୍ତ୍ତୀ ଫସଲ ପରିଚାଳନା ଓ ସଂରକ୍ଷଣ ତଥା ଚାଷୀ ସମୁଦାୟ ଦ୍ୱାରା ବିଭିନ୍ନ ପ୍ରକାର କୃଷିଭିତ୍ତିକ ନିର୍ମାଣ ପାଇଁ ଏହି ଅର୍ଥ ଖର୍ଚ୍ଚ ହେବ । ଏହା ଫଳରେ ଚାଷୀମାନେ ସେମାନଙ୍କ ଉତ୍ପାଦିତ ସାମଗ୍ରୀ ସାଇତି ରଖିବା ସହ ପରବର୍ତ୍ତୀ ସମୟରେ ଅଧିକ ଦାମରେ ବିକିବାକୁ ସକ୍ଷମ ହେବେ । ଉତ୍ପାଦିତ ସାମଗ୍ରୀର ପ୍ରକ୍ରିୟାକରଣ ଓ ମାନ ବୃଦ୍ଧି ସହିତ ସେସବୁକୁ ମଧ୍ୟ ଅପଚୟରୁ ରକ୍ଷା କରିପାରିବେ । କ୍ୟାବିନେଟ ଅନୁମୋଦନର 30 ଦିନ ଭିତରେ ଆଜି କୃଷି ଭିତ୍ତିଭୂମି ପାଣ୍ଠିରୁ ପ୍ରଥମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଏକ ହଜାର କୋଟି ଟଙ୍କା 2280 ଚାଷୀ ସମବାୟ ସମିତିକୁ ପ୍ରଦାନ କରିଛନ୍ତି । ଭିଡିଓ କନ୍‌ଫରେନ୍‌ସିଂ ବ୍ୟବସ୍ଥାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ଲକ୍ଷ ଲକ୍ଷ ଚାଷୀ, ଏଫ୍‌ପିଓ, କୋଅପରେଟିଭ ଓ ପ୍ୟାକ୍ସର ସଦସ୍ୟ ଏବଂ ନାଗରିକ ଭାଗ ନେଇଥିଲେ ।

ସେହି ଏକା ମଞ୍ଚରେ ପ୍ରଧାନମନ୍ତ୍ରୀ ମଧ୍ୟ ପିଏମ-କିସାନ ଯୋଜନାର ଷଷ୍ଠ କିସ୍ତିରେ 8.5 କୋଟି ଚାଷୀଙ୍କ ପାଇଁ 17 ହଜାର କୋଟି ଟଙ୍କା ପ୍ରଦାନ କରିଥିଲେ । ପ୍ରଧାନମନ୍ତ୍ରୀ ବଟନ ଚିପିବା ମାତ୍ରେ ଏହି ନଗଦ ସୁବିଧା ସଂପୃକ୍ତ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଯାଇଥିଲା । ଏହି ପର୍ଯ୍ୟାୟ ସହିତ ସରକାର ମୋଟ 90 ହଜାର କୋଟିରୁ ଅଧିକ ଟଙ୍କା 10 କୋଟି ଚାଷୀଙ୍କୁ ୨୦୧୮ ଡିସେମ୍ବର ପହିଲାରୁ ଯୋଗାଇଦେଲେଣି । ଡିସେମ୍ବର ପହିଲା 2018ରେ ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା ।

ପ୍ରାଥମିକ କୃଷିଋଣ ସମିତି ସହ କଥାବାର୍ତ୍ତା

ଏହି ଅବସରରେ ପ୍ରଧାନମନ୍ତ୍ରୀ କର୍ଣ୍ଣାଟକ, ଗୁଜରାଟ ଓ ମଧ୍ୟପ୍ରଦେଶର 3ଟି ପ୍ରାଥମିକ କୃଷି ଋଣ ସମବାୟ ସମିତିର ପ୍ରତିନିଧିଙ୍କ ସହ ଭର୍ଚୁଆଲ ବ୍ୟବସ୍ଥାରେ କଥାବାର୍ତ୍ତା କରିଥିଲେ । ଏମାନଙ୍କ ମଧ୍ୟରେ ସମସ୍ତେ ଏହି ଯୋଜନାର ପ୍ରାରମ୍ଭିକ ହିତାଧିକାରୀ । ପ୍ରଧାନମନ୍ତ୍ରୀ ସେମାନଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିବା ସହ ଏହି ଋଣ ଅର୍ଥ କିପରି ବିନିଯୋଗ କରିବେ ସେ ବିଷୟରେ ପଚାରି ବୁଝିଥିଲେ । ସଂପୃକ୍ତ ଅର୍ଥରେ ଗୋଦାମ ନିର୍ମାଣ, ଉତ୍ପାଦିତ ଫସଲର ସଟିଂ ଓ ଗ୍ରେଡିଂ ଯନ୍ତ୍ର ବସାଇବାକୁ ଖର୍ଚ୍ଚ କରାଯିବ ବୋଲି ସେମାନେ କହିଥିଲେ । ଏହାଫଳରେ ଉତ୍ପାଦିତ ସାମଗ୍ରୀକୁ ଅଧିକ ମୂଲ୍ୟରେ ବିକ୍ରି କରିହେବା ଘେନି ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।

ରାଷ୍ଟ୍ର ଉଦ୍ଦେଶ୍ୟରେ ଭାଷଣ

ପ୍ରାଥମିକ କୃଷି ଋଣ ସମିତିର ସଦସ୍ୟଙ୍କ ସହ କଥୋପକଥନ ପରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେଇଥିଲେ । ଏହି ଯୋଜନା ଦ୍ୱାରା ଚାଷୀ ଓ କୃଷି ଉଦ୍ୟୋଗ କିପରି ଉପକୃତ ହୋଇପାରିବ ସେ ବିଷୟରେ କହିଥିଲେ । ଏହି ଯୋଜନାରେ ଚାଷୀଙ୍କୁ ଆର୍ଥିକ ଲାଭ ମିଳିବା ସହ ଦେଶରେ କୃଷି ଉତ୍ପାଦନ ବୃଦ୍ଧି ପାଇବ ଏବଂ ଭାରତ କୃଷିଜାତ ସାମଗ୍ରୀ କ୍ଷେତ୍ରରେ ବିଦେଶୀ ବଜାରରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସକ୍ଷମ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉତ୍ପାଦନ ପରବର୍ତ୍ତୀ ଫସଲ ପରିଚାଳନା ପାଇଁ ଭାରତରେ ବିପୁଳ ସୁଯୋଗ ସୁବିଧା ରହିଛି । ଦେଶରେ ଅଧିକରୁ ଅଧିକ ପଣ୍ୟାଗାର, କୋଲ୍‌ଡ ଚେନ୍‌, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ବ୍ୟବସ୍ଥା ଆଦି ନିର୍ମାଣ ଦ୍ୱାରା ଏ କ୍ଷେତ୍ରରେ ଏକ ବଡ ଧରଣର ପରିବର୍ତ୍ତନ ଆସିବ । ଏହା ଫଳରେ ସରକାରୀ ଯୋଜନାର ସୁଯୋଗ ନେଇ ଉଦ୍ୟୋଗୀମାନେ ଷ୍ଟାର୍ଟଅପ୍‌ ସ୍ଥାପନ କରିବା ସହିତ କୃଷି କ୍ଷେତ୍ରରେ ଏକ ନୂଆ ପରିବେଶ ସୃଷ୍ଟି କରିପାରିବେ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପିଏମ-କିସାନ ଯୋଜନାର କାର୍ଯ୍ୟକାରିତା ଘେନି ସନ୍ତୋଷ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଏହି ଯୋଜନାରେ ଯେତେ ଚାଷୀଙ୍କ ପାଖରେ ଅର୍ଥ ପହଞ୍ଚୁଛି ସେମାନଙ୍କ ସଂଖ୍ୟା ଏକାଧିକ ଦେଶ ମିଳିତ ଲୋକ ସଂଖ୍ୟାଠାରୁ ଅଧିକ । ଏହି ଯୋଜନାର କାର୍ଯ୍ୟକାରିତାରେ ରାଜ୍ୟମାନେ ଉତ୍ତମ ସହଯୋଗ କରିଥିବାରୁ ସେ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମର ମଧ୍ୟ ଉପସ୍ଥିତ ଥିଲେ ।

କୃଷି ଭିତ୍ତିଭୂମି ପାଣ୍ଠି

କୃଷି ଭିତ୍ତିଭୂମି ପାଣ୍ଠି ଏକ ମାଧ୍ୟମ ଯାହା ଅମଳ ପରବର୍ତ୍ତୀ ଫସଲ ପରିଚାଳନା ଓ ସଂରକ୍ଷଣ ପାଇଁ ଆବଶ୍ୟକ ଭିତ୍ତିଭୂମି ସୃଷ୍ଟି କରିବାକୁ ଉଦ୍ଦିଷ୍ଟ । ଏହା ମଧ୍ୟ କୋଠ ଚାଷ ବା କମ୍ୟୁନିଟି ଫାର୍ମିଂ ନିମନ୍ତେ ସ୍ଥାୟୀ ସମ୍ବଳ ସୃଷ୍ଟି କରିବାକୁ ଅଭିପ୍ରେତ । କୃଷି ଭିତ୍ତିଭୂମି ପାଣ୍ଠିରୁ ସରକାର ଯେଉଁ ଅର୍ଥ ଋଣ ଆକାରରେ ଯୋଗାଇବେ ତା ଉପରେ ହିତାଧିକାରୀ ଉଭୟ ସୁଧ ରିଆତି ଓ ଋଣ ଗ୍ୟାରେଣ୍ଟି ସୁବିଧା ପାଇବେ । ଏହି ଯୋଜନାର କାର୍ଯ୍ୟକାଳ 2020 ଆର୍ଥିକ ବର୍ଷରୁ 2029 ବା 10 ବର୍ଷ ରଖାଯାଇଛି । ଏହି ଯୋଜନାରେ ବିଭିନ୍ନ ବ୍ୟାଙ୍କ ଓ ବିତ୍ତୀୟ ଅନୁଷ୍ଠାନ ସଂପୃକ୍ତ ହିତାଧିକାରୀଙ୍କୁ ଏକଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇଦେବେ । ବାର୍ଷିକ ଋଣ ଉପରେ ସୁଧରେ 3 ଶତାଂଶ ଛାଡ ମିଳିବ । ଗୋଟିଏ ଗୋଟିଏ ପ୍ରକଳ୍ପ ପାଇଁ ସର୍ବାଧିକ 2 କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦେବାକୁ ସରକାର ସଂପୃକ୍ତ ଅର୍ଥଲଗାଣକାରୀ ସଂସ୍ଥାକୁ ଗ୍ୟାରେଣ୍ଟି ପ୍ରଦାନ କରିବେ । ଏହି ଯୋଜନାରେ ଚାଷୀ, ପ୍ୟାକ୍ସ, ବିପଣନ ସମବାୟ ସମିତି, ଏଫ୍‌ପିଓ, ଏସ୍‌ଏଚ୍‌ଜି, ଜେଏଲ୍‌ଜି, ବହୁମୁଖୀ ସମବାୟ ସମିତି, କୃଷି ଉଦ୍ୟୋଗୀ, ଷ୍ଟାର୍ଟଅପ୍‌, ରାଜ୍ୟ ଓ କେନ୍ଦ୍ରୀୟ ସଂସ୍ଥା, ସ୍ଥାନୀୟ ସଂସ୍ଥା ଦ୍ୱାରା ପ୍ରାୟୋଜିତ ସରକାରୀ ଓ ବେସରକାରୀ ଅଂଶୀଦାରୀରେ ପରିଚାଳିତ ପ୍ରକଳ୍ପ ଆଦି ଉପକୃତ ହୋଇପାରିବେ ।

ପିଏମ-କିସା

ପିଏମ-କିସାନ ଯୋଜନା 2018 ଡିସେମ୍ବରରେ ଆରମ୍ଭ ହୋଇଥିଲା । ଚାଷୀଙ୍କୁ ନଗଦ ଅର୍ଥ ଯୋଗାଣ ସୁବିଧା ମାଧ୍ୟମରେ ଆୟ ସହାୟତା ଯୋଗାଇଦେବା ଏହାର ପ୍ରଧାନ ଲକ୍ଷ୍ୟ । ଏଥିରେ ଜମି ମାଲିକାନା ଥିବା ସବୁ ଚାଷୀ ହିତାଧିକାରୀ ହେବାର ଯୋଗ୍ୟତା ପାଇଛନ୍ତି । କେବଳ ଅଳ୍ପ କେତେକ କ୍ଷେତ୍ରରେ କିଛି ଚାଷୀଙ୍କୁ ଜମି ଥିବା ସତ୍ତ୍ୱେ ବାଦ ଦିଆଯାଇଛି । ଏହି ସରକାରୀ ଅର୍ଥ ସହାୟତାରେ ଚାଷବାସ ପାଇଁ ପଇସା ଲଗାଇବା ଏବଂ ପରିବାରର ଆବଶ୍ୟକତା ପୂରଣ କରିବା ସଂପୃକ୍ତ ଚାଷୀମାନଙ୍କ ପାଇଁ ସହଜ ହେବ । ଏହି ଯୋଜନାରେ ପ୍ରତ୍ୟେକ ଚାଷୀ ହିତାଧିକାରୀଙ୍କୁ ବାର୍ଷିକ 6 ହଜାର ଟଙ୍କା ୩ଟି ସମାନ କିସ୍ତିରେ ଯୋଗାଇ ଦିଆଯାଉଛି ।

କୃଷି କ୍ଷେତ୍ରରେ ନୂଆ ସକାଳ

କୃଷି କ୍ଷେତ୍ରରେ କେନ୍ଦ୍ର ସରକାର ଯେଉଁସବୁ ସଂସ୍କାର କରୁଛନ୍ତି ସେସବୁ ପ୍ରଧାନମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହେଉଛି । ଏହିସବୁ ପଦକ୍ଷେପ ଫଳରେ ଦେଶରେ କୃଷି କ୍ଷେତ୍ରରେ ଏକ ବଡ ଧରଣର ପରିବର୍ତ୍ତନ ଆସିବା ସହ ଚାଷୀଙ୍କ ଭାଗ୍ୟରେ ଉନ୍ନତି ଆସିବ । ଚାଷୀଙ୍କ ଜୀବିକା ଅର୍ଜନ ନିଶ୍ଚିତ କରିବା ସହ ଏହାକୁ ନିରନ୍ତର ବଜାୟ ରଖିବା ଏବଂ ସେମାନଙ୍କ ସର୍ବାଙ୍ଗୀନ ଉନ୍ନତି ଲକ୍ଷ୍ୟରେ ସରକାର ଅଙ୍ଗୀକୃତ । ଏସବୁ ପଦକ୍ଷେପ କୃଷି କ୍ଷେତ୍ରରେ ଏକ ନୂଆ ସକାଳ ଆଣିବ ବୋଲି ସରକାର ଆଶାବାଦୀ ।

 

**********