Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀଙ୍କ ଚେନ୍ନାଇ ଗସ୍ତ 


ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକନୋଲଜି, ମାଡ୍ରାସର 56ତମ ସମାବର୍ତ୍ତନ ସମାରୋହରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚେନ୍ନାଇରେ ପହଞ୍ଚିଛନ୍ତି । ଚେନ୍ନାଇ ଆନ୍ତର୍ଜାତିକ ବିମାନ ବନ୍ଦରରେ ସେ ଗଣମାଧ୍ୟମକୁ ସମ୍ବୋଧନ କରିଥିଲେ ।

ପ୍ରଧାନମନ୍ତ୍ରୀ ତାଙ୍କ ସମ୍ବୋଧନରେ କରିଥିଲେ ଯେ 2019ର ସାଧାରଣ ନିର୍ବାଚନ ପରେ ଏହା ହେଉଛି ତାଙ୍କର ପ୍ରଥମ ଚେନ୍ନାଇ ଗସ୍ତ । ମୁଁ ଆଇଆଇଟି ମାଡ୍ରାସର ହୀରକ ଜୟନ୍ତୀ ଉତ୍ସବରେ ଯୋଗଦେବାକୁ ଆସିଛି, ମାତ୍ର ମୋତେ ସ୍ୱାଗତ କରିବା ପାଇଁ ଏତେ ସଂଖ୍ୟାରେ ଆସିଥିବାରୁ ମୁଁ ଆପଣମାନଙ୍କ ପାଖରେ କୃତଜ୍ଞ । ଏଇ ନିକଟରେ ମୋର ଆମେରିକା ଗସ୍ତ ସମୟରେ ମୁଁ ଯେତେବେଳେ ସେଠାକାର ଭାରତୀୟ ସମ୍ପ୍ରଦାୟଙ୍କୁ ତାମିଲ ଭାଷାରେ କହିଲି ଯେ ତାମିଲ ହେଉଛି ବିଶ୍ୱର ସବୁଠାରୁ ପ୍ରାଚୀନତମ ଭାଷା ସେତେବେଳେ ଏହା ଆମେରିକାର ସମସ୍ତ ଗଣମାଧ୍ୟମରେ ବ୍ୟାପକ ଭାବେ ପ୍ରକାଶିତ ହୋଇଥିଲା ।

ସେ କହିଥିଲେ ମୋର ଆମେରିକା ଗସ୍ତ ସମୟରେ ମୁଁ ହୃଦୟଙ୍ଗମ କରିଥିଲି ଯେ ବିଶ୍ୱ ଭାରତଠାରୁ ଅନେକ କିଛି ଆଶା କରୁଛି ଏବଂ ଦିନକୁ ଦିନ ଏହି ଆଶା ବୃଦ୍ଧିପାଇବାରେ ଲାଗିଛି । ଏବେ ଭାରତକୁ ଏକ ମହାନ ଦେଶରେ ପରିଣତ କରିବା କେବଳ ଆମର ଦାୟିତ୍ୱ ନୁହେଁ ବରଂ ବିଶ୍ୱ ସମୁଦାୟର ଆଶାକୁ ପୁରଣ କରିବା ମଧ୍ୟ ଆମ ଦାୟିତ୍ୱ ।

ଶ୍ରୀ ମୋଦୀ କହିଲେ ଯେ ଏହା କେବଳ କେନ୍ଦ୍ର ସରକାରଙ୍କ ଦ୍ୱାରା ସମ୍ଭବ ନୁହେଁ । ଏହା 130 କୋଟି ଭାରତୀୟଙ୍କ ଦ୍ୱାରା ସମ୍ଭବ ହୋଇପାରିବ । ଦେଶର ପ୍ରତ୍ୟେକ କୋଣରେ ଥିବା ଭାରତୀୟ ଯିଏକି ଗରିବ ହେଉ କିମ୍ବା ଧନୀ ହେଉ, ଗ୍ରାମୀଣ ହେଉ କିମ୍ବା ସହରୀ ହେଉ, ଯୁବକ ହେଉ କିମ୍ବା ବୃଦ୍ଧ ହେଉ ସେମାନଙ୍କ ଦ୍ୱାରା ସମ୍ଭବ ।

ସେ କହିଲେ ଯେ ଆମେ ଜନସାଧାରଣଙ୍କ ଅଂଶଗ୍ରହଣ ଫଳରେ ଅନେକ ସଫଳତା ହାସଲ କରିଛୁ ଏବଂ ଏହିପରି ଭାବେ ଆମେ ଦେଶକୁ ଏକକ ପ୍ଲାଷ୍ଟିକ ବ୍ୟବହାରରୁ ମୁକ୍ତ କରିବୁ ।  କିଛି ଲୋକ ଭୁଲ ବ୍ୟାଖ୍ୟା କରୁଛନ୍ତି ଯେ ଭାରତରେ ପ୍ଲାଷ୍ଟିକର ବ୍ୟବହାର ସମ୍ପୂର୍ଣ୍ଣ ନିଷିଦ୍ଧ ହେବା ପାଇଁ ମୁଁ ଚାହୁଁଛି । ମୁଁ ଏକଥା କହିନାହିଁ । ମୁଁ କହିଛି କି ଦେଶ ଏକକ ପ୍ଲାଷ୍ଟିକର ବ୍ୟବହାରରୁ ମୁକ୍ତ ହେବା ଉଚିତ । ଏହି ପ୍ଲାଷ୍ଟିକ କେବଳ ଥରେ ବ୍ୟବହାର କରାଯାଇଥାଏ ମାତ୍ର ପରେ ଅନେକ ସମସ୍ୟା ସୃଷ୍ଟି କରିଥାଏ ।

ମହାତ୍ମା ଗାନ୍ଧୀଙ୍କ 150ତମ ଜୟନ୍ତୀ ଅବସରରେ ଅକ୍ଟୋବର 2ରେ ଆମେ ଏକ ପଦଯାତ୍ରା କରି  ଏହା ମାଧ୍ୟମରେ ଗାନ୍ଧୀଙ୍କ ଆଦର୍ଶର ପ୍ରସାର କରିବୁ ବୋଲି ସେ କହିଥିଲେ ।

ସେ କହିଲେ, “ମୋତେ ସ୍ୱାଗତ କରିବା ପାଇଁ ଏତେ ସଂଖ୍ୟାରେ ଆସିଥିବାରୁ ମୁଁ ପୁଣିଥରେ ଆପଣମାନଙ୍କୁ ଧନ୍ୟବାଦ ଜଣାଉଛି ।”

ସେ ଆଇଆଇଟି-ଏମ ଗବେଷଣା ପାର୍କରେ ସିଙ୍ଗାପୁର ଇଣ୍ଡିଆ ହାକାଥନ 2019କୁ ମଧ୍ୟ ସମ୍ବୋଧନ କରିବେ ଏବଂ ସେଠାରେ ଷ୍ଟାର୍ଟ-ଅପ ପାଭିଲିଅନ ପରିଦର୍ଶନ କରିବେ । ପ୍ରତିଷ୍ଠାନର ବିଦ୍ୟାର୍ଥୀ କାର୍ଯ୍ୟକ୍ରମ କେନ୍ଦ୍ରରେ ସମାବର୍ତ୍ତନ ଭାଷଣ ପ୍ରଦାନ କରିବେ ।