Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀଙ୍କ ଇଟାନଗର ଗସ୍ତ, କେବଳ ଉତ୍ତର ପୂର୍ବାଂଚଳର ବିକାଶ ଦ୍ଵାରା ନୂତନ ଭାରତ ନିର୍ମାଣ ହୋଇପାରିବ : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀଙ୍କ ଇଟାନଗର ଗସ୍ତ, କେବଳ ଉତ୍ତର ପୂର୍ବାଂଚଳର ବିକାଶ ଦ୍ଵାରା ନୂତନ ଭାରତ ନିର୍ମାଣ ହୋଇପାରିବ : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀଙ୍କ ଇଟାନଗର ଗସ୍ତ, କେବଳ ଉତ୍ତର ପୂର୍ବାଂଚଳର ବିକାଶ ଦ୍ଵାରା ନୂତନ ଭାରତ ନିର୍ମାଣ ହୋଇପାରିବ : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀଙ୍କ ଇଟାନଗର ଗସ୍ତ, କେବଳ ଉତ୍ତର ପୂର୍ବାଂଚଳର ବିକାଶ ଦ୍ଵାରା ନୂତନ ଭାରତ ନିର୍ମାଣ ହୋଇପାରିବ : ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅରୁଣାଚଳ ପ୍ରଦେଶ, ଆସାମ ଏବଂ ତ୍ରିପୁରା ଗସ୍ତ କ୍ରମରେ ପ୍ରଥମେ ଇଟାନଗରରେ ପହଁଚିଥିଲେ । ସେ ଇଟାନଗରରେ ନୂଆ ଗ୍ରୀନଫିଲ୍ଡ ବିମାନବନ୍ଦର ଏବଂ ସେଲା ଟନେଲର ଶିଳାନ୍ୟାସ କରିଛନ୍ତି । ପ୍ରଧାନମନ୍ତ୍ରୀ ଏହି ଅବସରରେ ଡିଡି ଅରୁଣପ୍ରଭା ଚାନେଲର ଶୁଭାରମ୍ଭ କରିଥିଲେ । ସେ ଇଟାନଗରର ଆଇଜି ପାର୍କରୁ ଅନ୍ୟ କେତେକ ବିକାଶ ପ୍ରକଳ୍ପ ଅନାବରଣ କରିଥିଲେ । ପ୍ରଧାନମନ୍ତ୍ରୀ ସେଠାରେ ଲାଇନ ଲୁମ ପରିଚାଳନାର ମଧ୍ୟ ନିରୀକ୍ଷଣ କରିଥିଲେ ।

ପ୍ରଧାନମନ୍ତ୍ରୀ ଏହି ଅବସରରେ କହିଥିଲେ ଯେ ଅରୁଣାଚଳ ଉଦିତ ସୂର୍ଯ୍ୟଙ୍କ ପ୍ରଦେଶ ବୋଲି ଦେଶର ବିଶ୍ୱାସ । ଆଜି 4ହଜାର କୋଟି ଟଙ୍କାରୁ ଅଧିକ ବ୍ୟୟର ବିକାଶ ପ୍ରକଳ୍ପ ଉନ୍ମୋଚନ କରିବାର ସୁଅବସର ତାଙ୍କୁ ମିଳିଛି । 13 ହଜାର କୋଟି ଟଙ୍କାର ଅନ୍ୟ ପ୍ରକଳ୍ପଗୁଡ଼ିକ ମଧ୍ୟ ପ୍ରଗତି ପଥରେ ରହିଛି । ଅରୁଣାଚଳ ପ୍ରଦେଶ ଏବଂ ଅନ୍ୟ ଉତ୍ତର ପୂର୍ବାଂଚଳ ରାଜ୍ୟରେ ବିକାଶ ଗତିବିଧି ସମ୍ପର୍କରେ 55 ମାସର ତାଙ୍କ ସରକାର ତୁଳନାରେ ବିଗତ ସରକାରଙ୍କ 55 ବର୍ଷର କାମର ତୁଳନା କରିବା ଲାଗି ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ଆହ୍ୱାନ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଶାନୁରୂପ ଗତିରେ ଦ୍ରୁତ ବିକାଶ ହୋଇପାରିନାହିଁ । ସେ କହିଥିଲେ ଯେ ପୂର୍ବରୁ ଥିବା ସରକାର ଅରୁଣାଚଳ ପ୍ରଦେଶକୁ ଅବହେଳା କରିଆସିଥିଲା କିନ୍ତୁ ଆମେ ଏଠାରେ ପରିବର୍ତ୍ତନ ଆଣିଛୁ । ସେ ଏହା ଉପରେ ଜୋର ଦେଇ କହିଥିଲେ ଯେ ଉତ୍ତର-ପୂର୍ବ ଭାରତର ବିକାଶ ଦ୍ୱାରା ହିଁ ନୂତନ ଭାରତ ନିର୍ମାଣ ହୋଇପାରିବ । ଜନସାଧାରଣ ଏବଂ ଅଂଚଳକୁ ଯୋଡ଼ିବା ଲାଗି ବିକାଶ ହେବା ଆବଶ୍ୟକ । ଗତ 55 ମାସରେ ବିକାଶ କାର୍ଯ୍ୟ ପାଇଁ ଅର୍ଥର ଅଭାବ ହେବାକୁ ଦିଆଯାଇନାହିଁ । ସେ କହିଥିଲେ ଯେ ଆମ ସରକାର ଅରୁଣାଚଳ ପାଇଁ 44ହଜାର କୋଟି ଟଙ୍କା ଆବଂଟନ କରିଛନ୍ତି, ଯାହା ଗତ ସରକାରଙ୍କ ଦ୍ୱାର ପ୍ରଦାନ କରାଯାଇଥିବା ଅର୍ଥରାଶି ତୁଳନାରେ ଦୁଇଗୁଣ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ହୋଲାଙ୍ଗୀର ଗ୍ରୀନଫିଲ୍ଡ ବିମାନ ବନ୍ଦର ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ ଓ ତେଜୁ ବିମାନବନ୍ଦରର ଉଦଘାଟନ କରିଥିଲେ । ହୋଲାଙ୍ଗିରେ 4100 ବର୍ଗ ମିଟର କ୍ଷେତ୍ରରେ 955 କୋଟି ଟଙ୍କା ବ୍ୟୟରେ ଟର୍ମିନାଲର ନିର୍ମାଣ କରାଯିବ । ଏହାର ପରିଚାଳନା କ୍ଷମତା 200 ଯାତ୍ରୀ ଘଣ୍ଟା ପ୍ରତି ହେବ । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଠାରୁ ରାଜ୍ୟର ଯୋଗାଯୋଗ ଉନ୍ନତ ହେବ । ବର୍ତ୍ତମାନ ଇଟାନଗରରେ ପହଁଚିବା ଲାଗି ଗୌହାଟୀ ବିମାନ ବନ୍ଦରରେ ଓହ୍ଲାଇ ସଡ଼କ ମାର୍ଗ କିମ୍ବା ହେଲିକପ୍ଟର ସେବାର ଉପଯୋଗ କରିବାକୁ ପଡ଼ୁଥିଲା । ତେଜୁ ବିମାନ ବନ୍ଦରର ନିର୍ମାଣ 50 ବର୍ଷ ପୂର୍ବେ ହୋଇଥିଲା । କୌଣସି ସରକାର ରାଜ୍ୟକୁ ଦେଶର ଅନ୍ୟ ଭାଗ ସହିତ ଯୋଡ଼ିବା ଲାଗି ଚିନ୍ତା ମଧ୍ୟ କରିନଥିଲା । 125 କୋଟି ଟଙ୍କା ବ୍ୟୟରେ ଆମେ ଏହି ଛୋଟ ବିମାନ ବନ୍ଦରର ସମ୍ପ୍ରସାରଣ କଲୁ । ଉଡ଼ାନ ଯୋଜନା ଦ୍ୱାରା ଶସ୍ତା ବିମାନ ଯାତ୍ରାର ଲାଭ ଲୋକମାନଙ୍କୁ ମିଳିପାରିବ । କେବଳ ବିମାନ ବନ୍ଦର ଦ୍ୱାରା ହିଁ ନୁହେଁ ବରଂ ନୂଆ ରେଳ ଏବଂ ସଡ଼କ ସୁବିଧା ଦ୍ୱାରା ଅରୁଣାଚଳ ପ୍ରଦେଶର ଲୋକମାନଙ୍କ ଜୀବନ ଉନ୍ନତ ହୋଇପାରିବ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଅରୁଣାଚଳ ପ୍ରଦେଶରେ ସେଲା ଟନେଲ ପାଇଁ ଶିଳାନ୍ୟାସ କରିଥିଲେ । ଏହାଦ୍ୱାରା ସମସ୍ତ ଋତୁରେ ତୱାଙ୍ଗ ଘାଟିରେ ପହଁଚିବା ସମ୍ଭ ହୋଇପାରିବ । ତୱାଙ୍ଗ ପହଁଚିବା ଲାଗି ଯାତ୍ରା ସମୟରେ ଏକ ଘଣ୍ଟା ହ୍ରାସ ପାଇବ । ଏହି ପ୍ରକଳ୍ପର ନିର୍ମାଣ ବ୍ୟୟ 700 କୋଟି ଟଙ୍କା ଅଟକଳ କରାଯାଇଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ବୋଗିବିଲରେ ସଡ଼କ ଏବଂ ରେଳ ପୋଲରେ ଅରୁଣାଚଳ ପ୍ରଦେଶର ମୁଖ୍ୟ ଭୂମି ସହ ଉନ୍ନତ ଭାବେ ଯୋଡ଼ି ହୋଇଛି । ରାଜ୍ୟର ଯୋଗାଯୋଗକୁ ଉନ୍ନତ କରିବା ଲାଗି ସରକାର 1 ହଜାର କୋଟି ଟଙ୍କାର ପ୍ରକଳ୍ପ ଉପରେ କାମ କରୁଛନ୍ତି । ଗତ ଦୁଇ ବର୍ଷରେ ସଡ଼କ ମାଧ୍ୟମରେ 1 ହଜାର ଗ୍ରାମକୁ ଯୋଡ଼ାଯାଇଛି । ଟ୍ରାନ୍ସ-ଅରୁଣାଚଳ ରାଜପଥ ନିର୍ମାଣର ମଧ୍ୟ କାର୍ଯ୍ୟ ଅଗ୍ରଗତି ପଥରେ ରହିଛି । ଉତ୍ତର-ପୂର୍ବ ରାଜ୍ୟର ରାଜଧାନୀକୁ ପରସ୍ପର ସହ ଯୋଡ଼ିବା ଲାଗି ଇଟାନଗର ରେଳ ସେବା ସହ ଯୋଡ଼ାଯାଇଛି । ନାହର ଲାଗୁନରୁ ଅରୁଣାଚଳ ଏକ୍ସପ୍ରେସ ସପ୍ତାହରେ ଦୁଇ ଥର ଚାଲୁଛି । ନୂଆ ରେଳ ଲାଇନ ପାଇଁ ରାଜ୍ୟର 6ଟି ସ୍ଥାନରେ ସର୍ବେକ୍ଷଣ କାର୍ଯ୍ୟ ଜାରି ରହିଛି । ତିନୋଟି ସ୍ଥାନରେ ସର୍ବେକ୍ଷଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି । ତୱାଙ୍ଗକୁ ମଧ୍ୟ ରେଳ ସେବା ସହ ଯୋଡ଼ିବାର ଯୋଜନା ରହିଛି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ସୌଭାଗ୍ୟ ଯୋଜନା ଅନ୍ତର୍ଗତ ରାଜ୍ୟରେ ଶତପ୍ରତିଶତ ଘରେ ବିଦ୍ୟୁତ ସଂଯୋଗ ଦିଆଯାଇଛି । ପ୍ରଧାନମନ୍ତ୍ରୀ 110 ମେଗାୱାଟ କ୍ଷମତା ବିଶିଷ୍ଟ ଜଳବିଦ୍ୟୁତ ପ୍ଲାଂଟର ଲୋକାର୍ପଣ କରିଥିଲେ । ସେ କହିଥିଲେ ଯେ ଆମେ ବିଦ୍ୟୁତ ଉତ୍ପାଦନ ଉପରେ ଗୁରୁତ୍ୱାରୋପ କରୁଛୁ । ଆଜି 12ଟି ଜଳ ବିଦ୍ୟୁତ ପ୍ରକଳ୍ପର ଉଦଘାଟନ କରାଯାଇଥିଲା । ଏହି ପ୍ରକଳ୍ପ ଦ୍ୱାରା ଅରୁଣାଚଳ ପ୍ରଦେଶ ସମେତ ପଡ଼ୋଶୀ ରାଜ୍ୟଗୁଡ଼ିକୁ ଲାଭ ମିଳିବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତକାଲି ମୁଁ ଲୋକମାନଙ୍କ ଠାରୁ ଉତ୍ତର-ପୂର୍ବାଂଚଳ ରାଜ୍ୟ ଭ୍ରମଣ କରିବାର ଫଟୋଚିତ୍ର ଶେୟାର କରିବା ପାଇଁ ଆହ୍ୱାନ କରିଥିଲି । କିଛି ସେକେଣ୍ଡ ମଧ୍ୟରେ ବିଦେଶୀ ନାଗିରକମାନଙ୍କ ସମେତ ଲୋକମାନେ ହଜାର ହଜାର ଫଟୋ ଟ୍ୱିଟ କରିଥିଲେ ସେ କହିଥିଲେ ଯେଉଁ ପ୍ରକଳ୍ପଗୁଡ଼ିକର ଆଜି ଅନାବରଣ ହୋଇଛି ସେଗୁଡ଼ିକ ଦ୍ୱାରା ଲୋକମାନଙ୍କ ଜୀବନଧାରଣ ସହଜ ହେବ ଏବଂ ପର୍ଯ୍ୟଟନର ବିକାଶ ହୋଇପାରିବ । ଫଳରେ ନିଯୁକ୍ତି ସୁଯୋଗ ବୃଦ୍ଧି ପାଇବ ।

ପ୍ରଧାନମନ୍ତ୍ରୀ ଅରୁଣାଚଳ ପ୍ରଦେଶରେ 50ଟି ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ରର ଉଦଘାଟନ କରିଥିଲେ । ସେ କହିଥିଲେ ଯେ ଆୟୁଷ୍ମାନ ଭାରତ ଯୋଜନା ମଧ୍ୟମରେ ଆମେ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ରର ନିର୍ମାଣ କରୁଛୁ । ଏହି କେନ୍ଦ୍ରରୁ ସ୍ୱାସ୍ଥ୍ୟ ସୁବିଧା ଉନ୍ନତ ହେବ । ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ପିଏମଜେଏୱାଇ) ଅନ୍ତର୍ଗତ 150 ଦିନରେ 11 ଲକ୍ଷରୁ ଗରିବ ଲୋକମାନଙ୍କୁ ଲାଭ ମିଳିଛି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ ଯେ ବଜେଟରେ ଘୋଷିତ ପିଏମ କିଷାନ ସମ୍ମାନ ନିଧି ମାଧ୍ୟମରେ 5 ଏକରରୁ କମ ଜମି ଥିବା ଚାଷୀଙ୍କ ବ୍ୟାଙ୍କ ଖାତାରେ ତିନୋଟି କିସ୍ତିରେ ବାର୍ଷିକ 6 ହଜାର ଟଙ୍କା ଦିଆଯିବ । ସେ କହିଥିଲେ ଯେ କେନ୍ଦ୍ର ସରକାର ଜୈବିକ କୃଷିକୁ ପ୍ରୋତ୍ସାହନ ଦେବା ଲାଗି ଅରୁଣାଚଳ ପ୍ରଦେଶ ସରକାରଙ୍କୁ ଯଥାସମ୍ଭବ ସହାୟତା କରିବେ ।

ପ୍ରଧାନମନ୍ତ୍ରୀ ଇଟାନଗରର ଆଇଜି ପାର୍କରେ ଅରୁଣାଚଳ ପ୍ରଦେଶ ପାଇଁ ସ୍ୱତନ୍ତ୍ର ଡିଡି ଚ୍ୟାନେଲ-ଅରୁଣ ପ୍ରଭାର ଶୁଭାରମ୍ଭ କରିଥିଲେ । ଏହି 24 ଘଣ୍ଟିଆ ଚାନେଲର ପରିଚାଳନା ଦୂରଦର୍ଶନ କରିବ । ଏହି ଚାନେଲ ଦ୍ୱାରା ରାଜ୍ୟର ଦୂରବର୍ତ୍ତୀ ଇଲାକାରେ ଲୋକମାନଙ୍କ ନିକଟରେ ସମାଚାର ପହଁଚିପାରିବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଅରୁଣାଚଳ ପ୍ରଦେଶର ଜୋଟଠାରେ ଭାରତୀୟ ଚଳଚ୍ଚିତ୍ର ଏବଂ ଟେଲିଭିଜନ ସଂସ୍ଥାନ (ଏଫଟିଆଇଆଇ)ର ସ୍ଥାୟୀ କ୍ୟାମ୍ପସ ପାଇଁ ଶିଳାନ୍ୟାସ କରିଥିଲେ ।

ଅରୁଣାଚଳ ପ୍ରଦେଶ ଭାରତର ଗୌରବ । ଏହା ଭାରତର ଦ୍ୱାର ଏବଂ ମୁଁ ଆପଣମାନଙ୍କୁ ବିଶ୍ୱାସ ଦେଉଛି ଯେ ଆମେ କେବଳ ଏହାର ସଂରକ୍ଷଣ ଏବଂ ସୁରକ୍ଷା କରିବୁ ନାହିଁ ବରଂ ଏହାର ଦ୍ରୁତ ବିକାଶ ମଧ୍ୟ କରିବୁ ବୋଲି କହି ପ୍ରଧାନମନ୍ତ୍ରୀ ନିଜ ଅଭିଭାଷଣ ଶେଷ କରିଥିଲେ ।

 

**********