Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀଙ୍କ ଆଗାମୀ ଇସ୍ରାଏଲ, ଜର୍ମାନୀ ଗସ୍ତ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା 4-6 ଜୁଲାଇ, 2017ରେ ଇସ୍ରାଏଲ ଗସ୍ତ କରିବେ  । ପ୍ରଧାନମନ୍ତ୍ରୀ ମଧ୍ୟ ଦ୍ୱାଦଶ ଜି-20 ବୈଠକରେ ଯୋଗ ଦେବା ପାଇଁ 6-8 ଜୁଲାଇ, 2017ରେ ଜର୍ମାନୀର ହାମ୍ବର୍ଗ ଯିବେ ।

ଏକାଧିକ ଫେସବୁକ୍ ପୋଷ୍ଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି:

“4-6 ଜୁଲାଇ, 2017ରେ ମୁଁ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଆମନ୍ତ୍ରଣ କ୍ରମେ ଇସ୍ରାଏଲ ଯାଉଛି ।

ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ଏପରି ସୌଭାଗ୍ୟ ପାଇଥିବାରୁ ମୁଁ ଏହି ଅଭୂତପୂର୍ବ ଗସ୍ତ ପାଇଁ ଆଗ୍ରହୀ ଯାହା ଦୁଇ ଦେଶର ଲୋକମାନଙ୍କୁ ଆହୁରି ନିକଟତର କରିବ  । ଏହି ବର୍ଷ ଭାରତ ଏବଂ ଇସ୍ରାଏଲ କୂଟନୈତିକ ସମ୍ପର୍କର 25 ବର୍ଷ ପୂରଣ କରୁଛନ୍ତି  ।

ମୁଁ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ସହିତ ବିସ୍ତୃତ ଆଲୋଚନା କରିବି । ପାରସ୍ପରିକ ଲାଭ ପାଇଁ ବିଭିନ୍ନ କ୍ଷେତ୍ରରେ ଆମର ଭାଗିଦାରୀତାକୁ ଆହୁରି ସୁଦୃଢ଼ କରିବା ଲାଗି ଆଲୋଚନା ହେବ । ଉଭୟ ରାଷ୍ଟ୍ର ଭୋଗୁଥିବା ଆତଙ୍କବାଦ ଭଳି ସମସ୍ୟା ପ୍ରସଙ୍ଗରେ ମଧ୍ୟ ଆମେ ଆଲୋଚନା କରିବୁ।

ମୁଁ ରାଷ୍ଟ୍ରପତି ରୁଭେନ୍ ରୁଭି ରିଭ୍ଲିନଙ୍କୁ ଭେଟିବି, ଯାହାଙ୍କୁ ମୁଁ ଗତବର୍ଷ ନଭେମ୍ବର ମାସରେ ନୂଆଦିଲ୍ଲୀରେ ସ୍ୱାଗତ କରିବାର ସୁଯୋଗ ପାଇଥିଲି । ସେଠାରେ ଅନ୍ୟ ଇସ୍ରାଏଲୀ ନେତାମାନଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି  ।

ଇସ୍ରାଏଲୀ ସମାଜର ବିଭିନ୍ନ ସ୍ତରର ଲୋକମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି  । ଦୁଇ ଦେଶ ମଧ୍ୟରେ ସମ୍ପର୍କର ସେତୁ ସାଜିଥିବା ଇସ୍ରାଏଲର ପ୍ରବାସୀ ଭାରତୀୟଙ୍କୁ ଭେଟିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି  ।

ଅର୍ଥନୈତିକ କ୍ଷେତ୍ରରେ ମୁଁ ଭାରତୀୟ ଏବଂ ଇସ୍ରାଏଲ ସିଇଓମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ଢାଂଚାଗତ ନିବେଶ ଏବଂ ବ୍ୟବସାୟର ବିସ୍ତାର ସହିତ ଷ୍ଟାର୍ଟ-ଅପ୍ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । କ୍ଷେତ୍ର ପରିଦର୍ଶନ ମାଧ୍ୟମରେ ପ୍ରଯୁକ୍ତି ଏବଂ ନବୋନ୍ମେଷ କ୍ଷେତ୍ରରେ ଇସ୍ରାଏଲର ଉପଲବ୍ଧୀ ଦେଖିବାର ସୁଯୋଗ ପାଇବି ବୋଲି ମୁଁ ଆଶା କରୁଛି ।

ମୋର ରହଣି ସମୟରେ ମାନବ ଇତିହାସର ସବୁଠୁ ଘୃଣ୍ୟ ଘଟଣା ଭାବେ ପରିଚିତ ନରସଂହାର (ହୋଲୋକାଷ୍ଟ)ର ସ୍ମୃତିବହନ କରୁଥିବା ୟାଡ ଭାଶେମ୍ ସ୍ମାରକୀ ସଂଗ୍ରହାଳୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାର କାର୍ଯ୍ୟକ୍ରମ ରହିଛି  । ଏହାପରେ ହାଇଫାର ମୁକ୍ତି ପାଇଁ 1918 ମସିହାରେ ପ୍ରାଣବଳୀ ଦେଇଥିବା ସହିଦ ଭାରତୀୟ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାର ମୁଁ ସୁଯୋଗ ପାଇବି  ।

6 ଜୁଲାଇ ସନ୍ଧ୍ୟାରେ ମୁଁ ଜର୍ମାନୀ ପକ୍ଷରୁ ହାମ୍ବର୍ଗରେ ଆୟୋଜିତ ଦ୍ୱାଦଶ ଜି-20 ସମ୍ମିଳନୀରେ ଯୋଗଦେବା ଲାଗି ବାହାରିବି । 7 ଏବଂ 8 ଜୁଲାଇ – ଦୁଇ ଦିନ ପର୍ଯ୍ୟନ୍ତ ମୁଁ ଜି-20 ରାଷ୍ଟ୍ରନେତାମାନଙ୍କ ସହ ଆଲୋଚନା କରିବାର ସୁଯୋଗ ପାଇବି  । ବିଶ୍ୱକୁ ପ୍ରଭାବିତ କରୁଥିବା ପ୍ରସଙ୍ଗ ଯେପରିକି ଅର୍ଥନୈତିକ ଅଭିବୃଦ୍ଧି, ସ୍ଥିର ବିକାଶ ଏବଂ ଶାନ୍ତି ଓ ସ୍ଥିରତା ଆଦି ସମ୍ପର୍କରେ ଆଲୋଚନା ହେବ  ।

ଗତବର୍ଷ ହାଙ୍ଗଝାଉ ସମ୍ମିଳନୀରେ ହୋଇଥିବା ନିଷ୍ପତ୍ତିର ଅଗ୍ରଗତି ସମ୍ପର୍କରେ ମଧ୍ୟ ସମୀକ୍ଷା ହେବ । ଏହାଛଡ଼ା ଆତଙ୍କବାଦ, ଜଳବାୟୁ ପରିବର୍ତ୍ତନ, ସ୍ଥିର ବିକାଶ, ଅଭିବୃଦ୍ଧି ଏବଂ ବାଣିଜ୍ୟ, ଡିଜିଟାଲାଇଜେସନ, ସ୍ୱାସ୍ଥ୍ୟ, ନିଯୁକ୍ତି, ଶରଣାର୍ଥୀ ସମସ୍ୟା, ନାରୀ ସଶକ୍ତିକରଣ ଏବଂ ଆଫ୍ରିକା ସହ ଭାଗିଦାରୀତା ନେଇ ମଧ୍ୟ ଆଲୋଚନା ହେବ  । ଚଳିତ ବର୍ଷ ସମ୍ମିଳନୀର ବିଷୟବସ୍ତୁ ରହିଛି “ଏକ ଆନ୍ତ-ସଂଯୁକ୍ତ ବିଶ୍ୱକୁ ରୂପ ଦେବା” ।

ପୂର୍ବଭଳି ସମ୍ମିଳନୀ ଅବସରରେ ବିଭିନ୍ନ ରାଷ୍ଟ୍ରନେତାମାନଙ୍କ ସହିତ ଆପୋଷ ଲାଭ ପାଇଁ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା ଲାଗି ମଧ୍ୟ ମୁଁ ଆଗ୍ରହୀ ରହିଛି  ।”

 

**********