Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ଅଖିଳ ଜାମ୍ମୁ-କାଶ୍ମୀର ପଞ୍ଚାୟତ କନଫେରେନ୍ସର ପ୍ରତିନିଧିମଣ୍ଡଳୀ

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ଅଖିଳ ଜାମ୍ମୁ-କାଶ୍ମୀର ପଞ୍ଚାୟତ କନଫେରେନ୍ସର ପ୍ରତିନିଧିମଣ୍ଡଳୀ


ଅଖିଳ ଜାମ୍ମୁ-କାଶ୍ମୀର ପଞ୍ଚାୟତ କନଫେରେନ୍ସର ଏକ ପ୍ରତିନିଧିମଣ୍ଡଳୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନୂଆଦିଲ୍ଲୀସ୍ଥିତ ୭, ଲୋକ କଲ୍ୟାଣ ମାର୍ଗଠାରେ ସାକ୍ଷାତ କରିଛନ୍ତି ।

ଅଖିଳ ଜାମ୍ମୁ-କାଶ୍ମୀର ପଞ୍ଚାୟତ କନଫେରେନ୍ସ ରାଜ୍ୟର ପଞ୍ଚାୟତ ସଂଗଠନର ସର୍ବବୃହତ ସଂସ୍ଥା । ରାଜ୍ୟର ୪୦୦୦ ଗ୍ରାମ ପଞ୍ଚାୟତକୁ ଏହା ପ୍ରତିନିଧିତ୍ଵ କରେ ଏବଂ ଏଥିରେ ୪୦୦୦ ସରପଞ୍ଚ ଏବଂ ୨୯୦୦୦ ପଞ୍ଚ ସଦସ୍ୟ ରହିଛନ୍ତି । କନଫେରେନ୍ସ ଅଧ୍ୟକ୍ଷ ଶ୍ରୀ ସଫିକ ମୀର ଏହି ପ୍ରତିନିଧି ମଣ୍ଡଳୀର ନେତୃତ୍ଵ ନେଇଥିଲେ ।

ରାଜ୍ୟର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଏହି ପ୍ରତିନିଧିମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ରାଜ୍ୟର ପଞ୍ଚାୟତ ସଂଗଠନଗୁଡିକୁ ଦେଶର ଅନ୍ୟ ରାଜ୍ୟମାନଙ୍କ ଭଳି ସଶକ୍ତ କରାଯାଇନଥିବାରୁ ରାଜ୍ୟକୁ ମିଳୁଥିବା କେନ୍ଦ୍ରୀୟ ସହାୟତାର ସୁଫଳ ଗ୍ରାମମାନଙ୍କରେ ପହଞ୍ଚି ପାରୁନାହିଁ ବୋଲି ଏହି ପ୍ରତିନିଧିମାନେ କହିଥିଲେ । ଏହି ପରିପ୍ରେକ୍ଷୀରେ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ସମ୍ମିଧାନର ୭୩ ତମ ଏବଂ ୭୪ ତମ ସଂଶୋଧନ – ଯାହାକି ପଞ୍ଚାୟତ ସଂସ୍ଥା ପରିପ୍ରେକ୍ଷୀରେ ଗୃହୀତ ତାହାର ପରିସରକୁ ଜାମ୍ମୁ-କାଶ୍ମୀରକୁ ସଂପ୍ରସାରଣ କରିବା ନିମନ୍ତେ ସେମାନେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କରିଥିଲେ । ଯଥାଶୀଘ୍ର ରାଜ୍ୟରେ ପଞ୍ଚାୟତ ଏବଂ ପୌର ନିର୍ବାଚନ କରାଇବା ସକାଶେ ସେମାନେ ନିବେଦନ କରିଥିଲେ । ୨୦୧୧ ନିର୍ବାଚନରେ ରାଜ୍ୟବାସୀ ବେଶ ଆଗ୍ରହ ପ୍ରକଟ କରିଥିବା ଏବଂ ଉତ୍ସାହର ସହ ଅଂଶଗ୍ରହଣ କରିଥିବା ସେମାନେ କହିଥିଲେ । ପ୍ରତିନିଧିମାନେ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ ଯେ ୭୩ ଏବଂ ୭୪ ତମ ସମ୍ମିଧାନ ସଂଶୋଧନର ବ୍ୟବସ୍ଥା ଜାମ୍ମୁ-କାଶ୍ମୀରକୁ ସଂପ୍ରସାରଣ କରାଗଲେ ତାହା ପଞ୍ଚାୟତ ସଂସ୍ଥାଗୁଡିକୁ ସଶକ୍ତ କରିବ ଏବଂ ଗ୍ରାମାଂଚଳରେ ବିଭିନ୍ନ ପ୍ରକାର ବିକାଶମୂଳକ କାର୍ଯ୍ୟକ୍ରମ ପ୍ରବର୍ତ୍ତନ ଦିଗରେ ସହାୟକ ହେବ । ଏହା ଫଳରେ ଲୋକମାନେ କେନ୍ଦ୍ରୀୟ ଅନୁଦାନ ଓ ସହାୟତାରୁ ପ୍ରତ୍ୟକ୍ଷ ସୁଫଳ ପାଇପାରିବେ ।

ଏହି ପ୍ରତିନିଧିମାନେ ରାଜ୍ୟର ସଦ୍ୟତମ ସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ଜାତୀୟତା ବିରୋଧୀ ତତ୍ତ୍ଵଙ୍କ ଦ୍ୱାରା ବିଦ୍ୟାଳୟଗୁଡିକୁ ପୋଡାଯାଉଥିବା କାଣ୍ଡକୁ ସେମାନେ ଦୃଢ଼ ସ୍ଵରରେ ନିନ୍ଦା କରିଥିଲେ । ଏହି ସଂଗଠନ ଜାମ୍ମୁ-କାଶ୍ମୀରର ସର୍ବନିମ୍ନସ୍ତର ସଂଗଠନ ଏବଂ ଏହା ସାଧାରଣ ଲୋକଙ୍କୁ ପ୍ରତିନିଧିତ୍ଵ କରେ । ଦେଶର ଗଣତାନ୍ତ୍ରିକ ପ୍ରକ୍ରିୟାରେ ସେମାନଙ୍କ ଗଭୀର ଆସ୍ଥା ରହିଛି ବୋଲି କହିବା ସହ ସେମାନେ ଏହାର ଦୃଢ଼ ସମର୍ଥକ ବୋଲି କହିଛନ୍ତି । ପ୍ରତିନିଧି ଦଳର ନେତା ଶ୍ରୀ ସଫିକ ମୀର କହିଛନ୍ତି ଯେ, ରାଜ୍ୟର ଅଧିକାଂଶ ଜନତା ଶାନ୍ତି ଓ ସମ୍ମାନର ସହ ଜୀବନ ବଂଚିବାକୁ ଚାହାନ୍ତି । ନ୍ୟସ୍ତସ୍ଵାର୍ଥ ଗୋଷ୍ଠୀ ଯୁବଗୋଷ୍ଠୀଙ୍କୁ ଉପଯୋଗ କରୁଛନ୍ତି ଓ ସେମାନଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି । ଜାମ୍ମୁ-କାଶ୍ମୀରରେ ଶାନ୍ତି ପୁନଃସ୍ଥାପନ ନିମନ୍ତେ ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତ ଭାବେ ପଦକ୍ଷେପ ନେବାକୁ ସେମାନେ ନିବେଦନ କରିଥିଲେ ।

ପ୍ରତିନିଧିମାନଙ୍କ ସହ କଥାବାର୍ତ୍ତା ବେଳେ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଆଶ୍ଵାସନା ପ୍ରଦାନ କରି କହିଛନ୍ତି ଯେ, ସେମାନଙ୍କର ଦାବି ପ୍ରତି କେନ୍ଦ୍ର ସରକାର ଅବଶ୍ୟ ବିଚାର କରି ଦେଖିବେ । ଜାମ୍ମୁ-କାଶ୍ମୀରର ବିକାଶକୁ କେନ୍ଦ୍ର ସରକାର ବିଶେଷ ଗୁରୁତ୍ଵ ପ୍ରଦାନ କରନ୍ତି । କାରଣ ସାଧାରଣ ଲୋକ ବସବାସ କରୁଥିବା ଗ୍ରାମାଂଚଳର ବିକାଶ ଦ୍ୱାରା ହିଁ ରାଜ୍ୟର ସାମଗ୍ରିକ ବିକାଶ ସମ୍ଭବପର ହୋଇପାରିବ । ତେଣୁ ମାନବିକ ଦୃଷ୍ଟିକୋଣରୁ ସରକାର ଏ ଦିଗରେ ସବୁମତେ ଉଦ୍ୟମ କରିବେ । କେନ୍ଦ୍ର ସରକାର “ବିକାଶ” ଓ “ବିଶ୍ଵାସ” ଉପରେ ଗଭୀର ଆସ୍ଥାବାନ ଓ ଆଶାବାଦୀ । ଜାମ୍ମୁ-କାଶ୍ମୀରର ବିକାଶ ଏହା ମାଧ୍ୟମରେ ସମ୍ଭବପର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

***