ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମଓ)ର ଅଧିକାରୀ ଓ କର୍ମଚାରୀମାନେ ଆଜି ସାଉଥ ବ୍ଲକଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ସାକ୍ଷାତ କରିଥିବା ପିଏମଓର ଅଧିକାରୀମାନଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶ୍ରୀ ନ୍ରିପେନ୍ଦ୍ର ମିଶ୍ର, ଜାତୀୟ ସୁରକ୍ଷା ପରାମର୍ଶଦାତା ଶ୍ରୀ ଅଜିତ ଡ଼ୋଭାଲ, ଅତିରିକ୍ତ ପ୍ରମୁଖ ସଚିବ ଶ୍ରୀ ପି କେ ମିଶ୍ର ଏବଂ ସଚିବ ଶ୍ରୀ ଭାସ୍କର ଖୁଲବେ ସାମିଲ ଥିଲେ । ଏହି ଅଧିକାରୀମାନେ ନିକଟରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀଙ୍କ ବିପୁଳ ବିଜୟ ନିମନ୍ତେ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପିଏମଓ କାର୍ଯ୍ୟାଳୟର ଅଧିକାରୀମାନଙ୍କୁ ସେମାନଙ୍କର କର୍ତ୍ତବ୍ୟନିଷ୍ଠା ଓ ପ୍ରୟାସ ପାଇଁ ସାଧୁବାଦ ଜଣାଇଥିଲେ । ଗତ ପାଞ୍ଚବର୍ଷ ମଧ୍ୟରେ ସେମାନେ କଠିନ ଶ୍ରମ ସ୍ୱୀକାର କରି ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସଂପାଦନ କରିଛନ୍ତି ଯାହାକି ଭାରତର ଜନସାଧାରଣଙ୍କ ଆଶା ଆକାଂକ୍ଷା ସାକାର କରିବାରେ ସହାୟକ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ପ୍ରଧାନମନ୍ତ୍ରୀ କହିଲେ ଯେ ସରକାରଙ୍କ ଠାରୁ ସାଧାରଣ ଲୋକମାନେ ଢ଼େର୍ କିଛି ପ୍ରତ୍ୟାଶା ରଖନ୍ତି ଏବଂ ସେହିସବୁ ଆଶା ଓ ଆକାଂକ୍ଷା ପୂରଣ କରିବା ଦିଗରେ ପିଏମଓ କାର୍ଯ୍ୟାଳୟ ସେମାନଙ୍କର ଦାୟିତ୍ୱକୁ ଚରମ ନିଷ୍ଠାର ସହ ସଂପାଦନ କରିଛି ଏବଂ ସେଥିରେ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କର ଅବଦାନ ରହିଛି ।
ପିଏମଓ କାର୍ଯ୍ୟାଳୟର ପ୍ରତ୍ୟେକ ଅଧିକାରୀ ଓ କର୍ମଚାରୀଙ୍କ କର୍ତ୍ତବ୍ୟକୁ ସ୍ଵୀକାର ପୂର୍ବକ ପ୍ରଧାନମନ୍ତ୍ରୀ କହିଲେ ଯେ ଗତ ପାଞ୍ଚ ବର୍ଷ ସେମାନଙ୍କ ସମସ୍ତଙ୍କ ପାଇଁ ଏକ ଶିକ୍ଷଣୀୟ ସମୟ ଥିଲା । ଏପରିକି ତାଙ୍କ ପାଇଁ ମଧ୍ୟ ଏହା ଅଧ୍ୟୟନର ଅବସର ଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପିଏମଓ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନଙ୍କ ପରିବାରବର୍ଗଙ୍କୁ ମଧ୍ୟ ତାଙ୍କର ଶୁଭକାମନା ଜଣାଇଛନ୍ତି ।
**************
Had a wonderful interaction with the entire PMO staff. Thanked them for their hardwork over the last 5 years. Also thanked their family members, who have been very understanding. Emphasised on the importance of teamwork and how it ensures better efficiency and service delivery. pic.twitter.com/iT2MaotX5G
— Narendra Modi (@narendramodi) May 24, 2019