ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୧୬.୦୧.୨୦୨୩) ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ତିନିଟି ବାହିନୀର ଅଗ୍ନିବୀରମାନଙ୍କର ପ୍ରଥମ ବ୍ୟାଚକୁ ସମ୍ବୋଧିତ କରିଛନ୍ତି ଯେଉଁମାନେ ସେମାନଙ୍କର ମୌଳିକ ତାଲିମ ଆରମ୍ଭ କରିସାରିଛନ୍ତି।
ଅଗ୍ରଣୀ ଅଗ୍ନିପଥ ଯୋଜନାର ପଥପ୍ରଦର୍ଶକ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଅଗ୍ନିବୀରମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ନୀତିଗତ ପରିବର୍ତ୍ତନ ଯୋଗୁଁ ଏହି ଯୋଜନା ଆମ ସଶସ୍ତ୍ର ସେନାକୁ ମଜବୁତ କରିବା ସହ ଭବିଷ୍ୟତ ନିମନ୍ତେ ସେମାନଙ୍କୁ ପ୍ରସ୍ତୁତ ରଖିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଯୁବ ଅଗ୍ନିବୀରମାନେ ସଶସ୍ତ୍ର ସେନାକୁ ଅଧିକ ଯୁବସୁଲଭ ଓ ପ୍ରଯୁକ୍ତି ବିଦ୍ୟା ସମ୍ପନ୍ନ କରିବେ ବୋଲି ପ୍ରଧାନମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ଅଗ୍ନିବୀରମାନଙ୍କ ସାମର୍ଥ୍ୟର ପ୍ରଶଂସା କରି ସେ କହିଥିଲେ ଯେ ସେମାନଙ୍କ ଉତ୍ସାହ ସଶସ୍ତ୍ର ସେନାର ଶୌର୍ଯ୍ୟ ଉପରେ ପ୍ରତିଫଳିତ ଓ ସେମାନେ ସବୁବେଳେ ଜାତୀୟ ପତାକାକୁ ଊର୍ଦ୍ଧ୍ୱରେ ରଖିଛନ୍ତି। ଏହି ସୁଯୋଗ ଯୋଗୁଁ ସେମାନେ ଯେଉଁ ଅଭିଜ୍ଞତା ଅର୍ଜନ କରିବେ ତାହା ସେମାନଙ୍କ ଜୀବନ ର ଗର୍ବ ହୋଇ ରହିବ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ନବ ଭାରତରେ ନବୀନ ଉତ୍ସାହ ରହିଛି ଓ ଏହା ଆମ ସଶସ୍ତ୍ର ସେନାକୁ ଆଧୁନିକ କରିବା ସହ ଆତ୍ମନିର୍ଭର ମଧ୍ୟ କରିବ । ସେ କହିଥିଲେ ଯେ ଏକବିଂଶ ଶତାବ୍ଦୀରେ ଯୁଦ୍ଧର ପ୍ରକ୍ରିୟାରେ ମଧ୍ୟ ପରିବର୍ତ୍ତନ ଘଟୁଛି । ସଂପର୍କ ବିହୀନ ଯୁଦ୍ଧ ଓ ସାଇବର ଯୁଦ୍ଧର ଆହ୍ୱାନ ଉପରେ ଆଲୋକପାତ କରି ଆମ ସଶସ୍ତ୍ର ସେନାରେ ପ୍ରଯୁକ୍ତିବିଦ୍ୟାରେ ଅଗ୍ରଗାମୀ ସୈନିକମାନେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ସେ କହିଥିଲେ । ବର୍ତ୍ତମାନ ଯୁବପିଢୀଙ୍କ ଏହି ସାମର୍ଥ୍ୟ ରହିଛି । ତେଣୁ ଭବିଷ୍ୟତରେ ଅଗ୍ନିବୀରମାନେ ସଶସ୍ତ୍ର ସେନାରେ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିବେ ।
ଏହି ଯୋଜନା କିପରି ମହିଳାଙ୍କୁ ଆହୁରି ସଶକ୍ତ କରିବ ପ୍ରଧାନମନ୍ତ୍ରୀ ତା’ର ଅବତାରଣା କରିଥିଲେ । କିପରି ମହିଳା ଅଗ୍ନିବୀରମାନେ ନୌସେନାକୁ ଗର୍ବିତ କରିଛନ୍ତି ତାହାର ଉଦାହରଣ ଦେଇ ଭବିଷ୍ୟତରେ ସେନାର ତିନିବାହିନୀର ମହିଳା ଅଗ୍ନିବୀରମାନେ କିପରି ସାମିଲ ହେବେ ତାହା ସେ ଦେଖୁଛନ୍ତି ବୋଲି କହିଥିଲେ । ପ୍ରଧାନମନ୍ତ୍ରୀ ସ୍ମୃତିଚାରଣ କରି ମହିଳାମାନେ କିପରି ବିଭିନ୍ନ ସମ୍ମୁଖ ଯୁଦ୍ଧରେ ସଶକ୍ତ ସେନାର ନେତୃତ୍ୱ ନେଉଛନ୍ତି ଓ ସୀଆଚେନରେ ମଧ୍ୟ ନିଯୁକ୍ତ ଅଛନ୍ତି ଓ ଆଧୁନିକ ଲଢୁଆ ବିମାନ ଚାଳନା କରୁଛନ୍ତି ତାହା ବର୍ଣ୍ଣନା କରିଥିଲେ।
ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ଭିନ୍ନ ଭିନ୍ନ ଅଞ୍ଚଳରେ ନିଯୁକ୍ତି ପାଇବା ଯୋଗୁଁ ସେମାନେ ବିବିଧ ଅଭିଜ୍ଞତା ଆହରଣ ସହ ଭିନ୍ନ ଭିନ୍ନ ଭାଷା ଓ ସଂସ୍କୃତି ଏବଂ ଜୀବନଶୈଳୀ ନେଇ ଅବଗତ ହେବାର ସୁଯୋଗ ପାଇବେ । ଦଳଗତ କାର୍ଯ୍ୟ ଓ ନେତୃତ୍ୱର ବିକାଶ ସେମାନଙ୍କ ବ୍ୟକ୍ତିତ୍ୱକୁ ଏକ ନୂତନ ଦିଗନ୍ତ ପ୍ରଦାନ କରିବ । ନିଜର କ୍ଷେତ୍ର ଦକ୍ଷତା ଅନୁସାରେ ଅଗ୍ନିବୀରମାନେ ଅଧିକ ଶିକ୍ଷା ଲାଭ କରିବାକୁ ଉତ୍ସାହୀ ହେବାକୁ ପ୍ରଧାନମନ୍ତ୍ରୀ କହିଥିଲେ ।
ଯୁବକ-ଯୁବତୀ ଏବଂ ଅଗ୍ନିବୀରମାନଙ୍କ ସାମର୍ଥ୍ୟର ପ୍ରଶଂସା କରି ପ୍ରଧାନମନ୍ତ୍ରୀ ସେମାନେ ଏକବିଂଶ ଶତାବ୍ଦୀରେ ଦେଶକୁ ନେତୃତ୍ୱ ଦେଇପାରିବେ ବୋଲି କହି ତାଙ୍କ ବକ୍ତବ୍ୟ ସମାପନ କରିଥିଲେ ।
*****
SM/SLP/BS
Addressed the 1st batch of spirited Agniveers. This transformational scheme is aimed at further strengthening our armed forces and making them future ready. Proud to see this scheme also contribute to women empowerment. https://t.co/F94nOt4y6S
— Narendra Modi (@narendramodi) January 16, 2023