ଦକ୍ଷତା ବିକାଶକୁ ସର୍ବାଧିକ ପ୍ରାଥମିକତା ଦେଇ ଜାତୀୟ ଧନ୍ଦାମୂଳକ ଶିକ୍ଷା ଏବଂ ତାଲିମ ପରିଷଦ (ଏନସିଭିଇଟି) ପ୍ରତିଷ୍ଠା ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି । ବର୍ତ୍ତମାନର ଦୁଇଟି ନିୟାମକ ସଂସ୍ଥା ଜାତୀୟ ଧନ୍ଦାମୂଳକ ତାଲିମ ପରିଷଦ (ଏନସିଭିଟି) ଏବଂ ରାଷ୍ଟ୍ରୀୟ ଦକ୍ଷତା ବିକାଶ ଏଜେନ୍ସି (ଏନଏସଡିଏ)ର ମିଶ୍ରଣ କରାଯାଇ ଏନସିଭିଇଟି ନାମକ ନୂଆ ପ୍ରତିଷ୍ଠାନ ପ୍ରତିଷ୍ଠା କରାଯିବ ।
ଦୀର୍ଘକାଳୀନ ଏବଂ ସ୍ୱଳ୍ପକାଳୀନ ଉଭୟ ପ୍ରକାରର ଧନ୍ଦାମୂଳକ ଶିକ୍ଷା ଏବଂ ତାଲିମ କାର୍ଯ୍ୟରେ ନିୟୋଜିତ ସଂସ୍ଥାମାନଙ୍କ କାର୍ଯ୍ୟକୁ ନିୟମିତ କରିବା ଏବଂ ଏସବୁ ସଂସ୍ଥାର ସର୍ବନିମ୍ନ ମାନକ ପ୍ରସ୍ତୁତ କରିବା ପାଇଁ ଏନସିଭିଇଟି କାର୍ଯ୍ୟ କରିବ । ଏନସିଭିଇଟିର ପ୍ରମୁଖ କାର୍ଯ୍ୟକଳାପରେ ନିମ୍ନଲିଖିତ କ୍ଷେତ୍ର ସାମିଲ ରହିଛି-
-ନିୟାମକ ସଂସ୍ଥା, ମୂଲ୍ୟାଙ୍କନ ସଂସ୍ଥା ଏବଂ ଦକ୍ଷତା ବିକାଶ ସମ୍ବନ୍ଧୀୟ ସୂଚନା ପ୍ରଦାନକାରୀମାନଙ୍କୁ ମାନ୍ୟତା ପ୍ରଦାନ ତଥା ନିୟମନ
-ନିୟାମକ ସଂସ୍ଥା ଏବଂ କ୍ଷେତ୍ର ଦକ୍ଷତା ପରିଷଦ (ଏସଏସସି) ଦ୍ୱାରା ବିକଶିତ ଯୋଗ୍ୟତାକୁ ମଞ୍ଜୁରି
-ନିୟାମକ ସଂସ୍ଥା ଏବଂ ମୂଲ୍ୟାଙ୍କନ ଏଜେନ୍ସୀ ଜରିଆରେ ଧନ୍ଦାମୂଳକ ତାଲିମ ସଂସ୍ଥାନଗୁଡ଼ିକର ପରୋକ୍ଷ ନିୟମନ
-ଗବେଷଣା ଏବଂ ସୂଚନା ପ୍ରସାର
-ଅଭିଯୋଗ ସମାଧାନ
ଜଣେ ଅଧ୍ୟକ୍ଷଙ୍କ ହାତରେ ପରିଷଦର ନେତୃତ୍ୱ ରହିବ ଏବଂ ସେଥରେ କାର୍ଯ୍ୟକାରୀ ଏବଂ ଅଣ-କାର୍ଯ୍ୟକାରୀ ସଦସ୍ୟ ରହିବେ । ଯେହେତୁ ଏନସିଭିଇଟିକୁ ଦୁଇଟି ବର୍ତ୍ତମାନର ସଂସ୍ଥାନଗୁଡ଼ିକୁ ପରସ୍ପର ସହ ମିଶାଇ ପ୍ରତିଷ୍ଠା କରିବାର ପ୍ରସ୍ତାବ ରହିଛି, ସେଥିପାଇଁ ବର୍ତ୍ତମାନର ଭିତ୍ତିଭୂମି ଏବଂ ସମ୍ବଳର ସର୍ବାଧିକ ଉପଯୋଗ କରାଯିବ । ଏହାବ୍ୟତୀତ ସହଜ କାର୍ଯ୍ୟକଳାପ ପାଇଁ ଅନ୍ୟ ପଦବୀ ମଧ୍ୟ ସୃଷ୍ଟି କରାଯିବ । ନିୟାମକ ସଂସ୍ଥା, ନିୟମନ ପ୍ରକ୍ରିୟାର ଉତ୍କୃଷ୍ଟ କାର୍ଯ୍ୟପଦ୍ଧତିଗୁଡ଼ିକ ପାଳନ କରିବ, ଯାହାଦ୍ୱାରା ଏହାର କାର୍ଯ୍ୟକଳାପ ଏବଂ ପରିଚାଳନା ପେସାଦାର ଢଙ୍ଗରେ ଏବଂ ବର୍ତ୍ତମାନର ଆଇନ ଅନୁଯାୟୀ ସୁନିଶ୍ଚିତ କରାଯାଇ ପାରିବ ।
ଲାଭ :
ଏହି ସଂସ୍ଥାଗତ ସୁଧାର ଦ୍ୱାରା ଗୁଣବତ୍ତା ପ୍ରତିଷ୍ଠା ହେବ, ଦକ୍ଷତା ବିକାଶ କାର୍ଯ୍ୟକ୍ରମଗୁଡ଼ିକର ବଜାର ପ୍ରାସଙ୍ଗିକତା ବୃଦ୍ଧି ପାଇବ, ଯାହାକୁ ଆଧାର କରି ଧନ୍ଦାମୂଳକ ଶିକ୍ଷା ଏବଂ ତାଲିମ କାର୍ଯ୍ୟକ୍ରମର ସ୍ଥିତିରେ ଉନ୍ନତି ଆସିବ । ଏହାବ୍ୟତୀତ ଦକ୍ଷତା ବିକାଶ କ୍ଷେତ୍ରରେ ଘରୋଇ ନିବେଶକୁ ପ୍ରୋତ୍ସାହନ ମିଳିବ ଏବଂ କର୍ମଚାରୀମାନଙ୍କର ଭାଗୀଦାରୀ ବୃଦ୍ଧି ପାଇବ । ଏହା ସମ୍ଭବ ହେବା ଦ୍ୱାରା ଧନ୍ଦାମୂଳକ ଶିକ୍ଷାର ମୂଲ୍ୟ ଏବଂ କୁଶଳୀ ଶ୍ରମ ଶକ୍ତିକୁ ବୃଦ୍ଧି କରିବାର ଦ୍ୱୈତ ଉଦ୍ଦେଶ୍ୟ ସାଧନରେ ସହାୟତା ମିଳିପାରିବ । ଯାହାଫଳରେ ଭାରତକୁ ବିଶ୍ୱର ଦକ୍ଷତା ରାଜଧାନୀରେ ପରିଣତ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟ ପୂରଣ ହୋଇପାରିବ ।
ଏନସିଭିଇଟି ଭାରତର ଦକ୍ଷତା ଇକୋ-ସିଷ୍ଟମର ଏକ ନିୟାମକ ସଂସ୍ଥା ଅଟେ, ଦେଶରେ ଧନ୍ଦାମୂଳକ ଶିକ୍ଷା ଏବଂ ତାଲିମ ସହ ଜଡ଼ିତ ସମସ୍ତଙ୍କ ଉପରେ ଏହାର ସକାରାତ୍ମକ ପ୍ରଭାବ ପଡ଼ିବ । ଦକ୍ଷତା ଆଧାରିତ ଶିକ୍ଷାର ବିଚାରକୁ ଆକାଂକ୍ଷୀ ଆଚରଣ ଉପରେ ଦେଖାଯିବ, ଯାହାଦ୍ୱାରା ଛାତ୍ରଛାତ୍ରୀଙ୍କୁ ଦକ୍ଷତା ଆଧାରିତ ଶିକ୍ଷା ପାଠ୍ୟକ୍ରମରେ ଭାଗ ନେବାରେ ପ୍ରୋତ୍ସାହନ ମିଳିବ । ଆଶା କରାଯାଉଛି ଯେ ଏହି ପଦକ୍ଷେପ ଦ୍ୱାରା ଉଦ୍ୟୋଗ ଏବଂ ସେବା କ୍ଷେତ୍ରରେ କୁଶଳୀ ଶ୍ରମଶକ୍ତିର ସ୍ଥିର ଯୋଗାଣ ଜରିଆରେ ବ୍ୟବସାୟିକ ସୁଗମତା ସୁବିଧା ହୋଇପାରିବ ।
**********