• ଅଗଷ୍ଟ 15 ସୁଦ୍ଧା ବ୍ୟବସାୟୀମାନଙ୍କର ଜିଏସଟି ପଞ୍ଜିକରଣ ଶେଷ କରିବାକୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ
• ବିଳମ୍ବିତ ପ୍ରକଳ୍ପଗୁଡିକୁ ଶୀଘ୍ର ସାରିବା ଲାଗି ନିର୍ଦ୍ଦେଶ
• ବନ୍ୟା ପ୍ରଭାବିତ ରାଜ୍ୟମାନଙ୍କୁ ଆବଶ୍ୟକ ସହାୟତା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶୃତି
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓଡିଶା ସମେତ 10ଟି ରାଜ୍ୟର ଭିତ୍ତିଭୂମି ବିକାଶ ସମ୍ପର୍କରେ ପ୍ରଗତି କାର୍ଯ୍ୟକ୍ରମ ମାଧ୍ୟମରେ ସମୀକ୍ଷା କରିଛନ୍ତି । ଏହାଛଡା ବସ୍ତୁ ଓ ସେବା କର (ଜିଏସଟି) କାର୍ଯ୍ୟାନ୍ୱୟନ ସମ୍ପର୍କରେ ମଧ୍ୟ ସର୍ବଶେଷ ପରିସ୍ଥିତି ପଚାରି ଅବଗତ ହୋଇଛନ୍ତି । ଆଗାମୀ ଅଗଷ୍ଟ 15 ତାରିଖ ସୁଦ୍ଧା ଜିଏସଟି ବ୍ୟବସ୍ଥା ମଧ୍ୟରେ ସବୁ ବ୍ୟବସାୟୀଙ୍କ ପଞ୍ଜିକରଣକୁ ସୁନିଶ୍ଚିତ କରିବା ଲାଗି ପ୍ରଧାନମନ୍ତ୍ରୀ ମୁଖ୍ୟ ଶାସନ ସଚିବମାନଙ୍କୁ ପରାମର୍ଶ ଦେଇଥିଲେ ।
ଡିଜିଟାଲ ଭିତ୍ତିକ ପ୍ରଗତି ଭିଡିଓ କନଫେରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ଏହିସବୁ ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କ ସହିତ ବିସ୍ତୃତ ଭାବେ ମତ ବିନିମୟ କରିଥିଲେ । ଏହିସବୁ ରାଜ୍ୟରେ ବିଶେଷକରି ରେଳବାଇ, ଜାତୀୟ ରାଜପଥ ଏବଂ ପେଟ୍ରୋଲିୟମ ପ୍ରକଳ୍ପଗୁଡିକର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ । ଏଥିମଧ୍ୟରେ ମୁଖ୍ୟତଃ ଚେନ୍ନାଇ ବେଳାଭୂମି-କୋରୁକ୍କପେଟ ତୃତୀୟ ଲାଇନ, ଚେନ୍ନାଇ ବେଳାଭୂମି-ଆଟ୍ଟିପାଟ୍ଟୁ ଚତୁର୍ଥ ରେଳ ଲାଇନ, ହାୱଡା-ଆମତା-ଚମ୍ପାଡଙ୍ଗା ନୂତନ ବ୍ରୋଡଗେଜ୍ ଲାଇନ, ବାରଣାସୀ ବାଇପାସ୍କୁ ଚାରିଲେନ୍ ରାସ୍ତା କରିବା, ଜାତୀୟ ରାଜପଥ-58ର ମୁଜାଫରନଗର-ହରିଦ୍ୱାର ସେକ୍ସନକୁ ଚାରିଲେନ୍ କରିବା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଲାଗି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ଅନେକ ଗୁଡିଏ ଭିତ୍ତିଭୂମି ପ୍ରକଳ୍ପ ଦଶନ୍ଧି ଦଶନ୍ଧି ଧରି ପଡି ରହୁଥିବାରୁ ଏସବୁର ବ୍ୟୟ ଅଟକଳ ଅନେକ ପରିମାଣରେ ବଢ଼ିଯାଉଛି । ଏହାକୁ ଦୃଷ୍ଟିରେ ରଖି ନିର୍ମାଣାଧିନ ସଡକ, ରେଳ ଓ ପେଟ୍ରୋଲିୟମ ପ୍ରକଳ୍ପଗୁଡିକ ତୁରନ୍ତ ସମ୍ପୂର୍ଣ୍ଣ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ମୁଖ୍ୟ ସଚିବମାନେ ବିଳମ୍ବିତ ହେଉଥିବା ଏବଂ ବ୍ୟୟ ଅଟକଳ ବଢ଼ି ବଢ଼ି ଚାଲୁଥିବା ପ୍ରକଳ୍ପଗୁଡିକ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେଇ ତଦାରଖ କରିବାକୁ ପ୍ରଧାନମନ୍ତ୍ରୀ କହିଥିଲେ ।
ଆଜିର ବିଶଂତମ ପ୍ରଗତି କାର୍ଯ୍ୟକ୍ରମ ବେଳେ ଶ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ସହରାଂଚଳ ଆବାସ ଯୋଜନାର ଅଗ୍ରଗତି ନେଇ ସମୀକ୍ଷା କରିବା ସହ ମୁଖ୍ୟ ଶାସନ ସଚିବମାନଙ୍କୁ ଏହି କାର୍ଯ୍ୟକୁ ଆଗେଇ ନେବାକୁ ପରାମର୍ଶ ଦେଇଥିଲେ । ସହରୀ ଆବାସ ଯୋଜନାରେ ନୂତନ ତଥା ଆଧୁନିକ ଗୃହ ନିର୍ମାଣ କୌଶଳ ଅବଲମ୍ବନ କରିବାକୁ ପ୍ରଧାନମନ୍ତ୍ରୀ ସହରାଂଚଳ ବିକାଶ ମନ୍ତ୍ରଣାଳୟ ତଥା ଲାଇନ ବିଭାଗଗୁଡିକୁ ପରାମର୍ଶ ଦେଇଥିଲେ ।
ଆଲୋଚନା କାଳରେ ପ୍ରଧାନମନ୍ତ୍ରୀ ସରକାରୀ ଇ-ବଜାରସ୍ଥଳୀ ପ୍ଲାଟଫର୍ମ ମାଧ୍ୟମରେ ସରକାରୀ ଜିନିଷପତ୍ରର ସଂଗ୍ରହ କରିବା ଉପରେ ଗୁରୁତ୍ୱ ଦେଇଥିଲେ । କେନ୍ଦ୍ରୀୟ ନିର୍ମାଣ ସଂସ୍ଥା (ସିପିଡବ୍ଲ୍ୟୁଡି) ଏ ସମ୍ପର୍କରେ ଅଧିକରୁ ଅଧିକ ଭାଗିଦାରମାନଙ୍କୁ ସଚେତନ କରାଇବାକୁ କହିଥିଲେ । ସିପିଡବ୍ଲ୍ୟୁଡି ଏବଂ ଇଷ୍ଟେଟ ନିର୍ଦ୍ଦେଶାଳୟର ଅଭାବ ଅସୁବିଧା ଓ ସମସ୍ୟା ସମାଧାନ ସମ୍ପର୍କରେ ମଧ୍ୟ ପ୍ରଗତି କାର୍ଯ୍ୟକ୍ରମ ଜରିଆରେ ସମୀକ୍ଷା କରାଯାଇଥିଲା । ସହରାଂଚଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଏହି ଦୁଇଟି ଯାକ ସଂସ୍ଥାର ସମସ୍ୟା ସମାଧାନ ଦିଗରେ ତ୍ୱରିତ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି ।
ପ୍ରଧାନମନ୍ତ୍ରୀ ଆଜି ପ୍ରଗତି କାର୍ଯ୍ୟକ୍ରମ ବେଳେ ଦେଶର ବିଭିନ୍ନ ଭାଗରେ ବିଶେଷକରି ଉତ୍ତର-ପୂର୍ବାଂଚଳ ରାଜ୍ୟଗୁଡିକରେ ବନ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନେଇ ଗ୍ରହଣ କରାଯାଉଥିବା ପଦକ୍ଷେପଗୁଡିକର ସମୀକ୍ଷା କରିଥିଲେ । କେନ୍ଦ୍ର ସରକାର ପ୍ରଭାବିତ ରାଜ୍ୟମାନଙ୍କୁ ସମସ୍ତ ଆବଶ୍ୟକ ସହାୟତା ଯୋଗାଇ ଦେବ ବୋଲି ପ୍ରଧାନମନ୍ତ୍ରୀ ଆଶ୍ୱାସନା ଦେଇଥିଲେ ।
**********
We began today’s Pragati meeting with an in-depth review of the flood situation in the Northeast. https://t.co/HrbfQtChei
— Narendra Modi (@narendramodi) July 12, 2017
An extensive review of the Pradhan Mantri Awas Yojana (Urban) with a focus on adoption of new technologies in the sector also took place.
— Narendra Modi (@narendramodi) July 12, 2017
We also reviewed vital and long pending projects in the railway, road and petroleum sectors, spread over several states.
— Narendra Modi (@narendramodi) July 12, 2017