Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପି.ଏନ୍.ପାନିକର ପଠନ ଦିବସ-ପଠନ ମାସ ପାଳନ ସମାରୋହର ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

s20170617107706


ପଠନ ମାସ ପାଳନ ସମାରୋହକୁ ଉଦ୍ଘାଟନ କରିବା ଅବସରରେ ଏଠାକୁ ଆସି ମୁଁ ଅତ୍ୟନ୍ତ ଆନନ୍ଦିତ । ଏହା ଆୟୋଜନ କରିଥିବାରୁ ମୁଁ ପି.ଏନ୍.ପାନିକର ଫାଉଣ୍ଡେସନ୍ କୁ ଅଭିନନ୍ଦନ ଓ ଧନ୍ୟବାଦ ଜଣାଉଛି । ପଢ଼ିବାଠାରୁ ଅଧିକ ଖୁସି କିଛି ନାହିଁ ଓ ଜ୍ଞାନରୁ ଅଧିକ ଶକ୍ତି ଅନ୍ୟ କିଛି ହୋଇନପାରେ ।


ବନ୍ଧୁଗଣ

ସାକ୍ଷରତା କ୍ଷେତ୍ରରେ ସମଗ୍ର ଦେଶ ପାଇଁ କେରଳ ମଶାଲ ବାହକ ଓ ପ୍ରେରଣା ରହି ଆସିଛି ।
ପ୍ରଥମ ଶତ ପ୍ରତିଶତ ସାକ୍ଷରତା ସହର ଓ ପ୍ରଥମ ଶତ ପ୍ରତିଶତ ସାକ୍ଷରତା ଜିଲ୍ଲା ମଧ୍ୟ କେରଳର । ପ୍ରାଥମିକ ଶିକ୍ଷାରେ ଶତ ପ୍ରତିଶତ ହାସଲ କରିବାରେ କେରଳ ହେଉଛି ପ୍ରଥମ ରାଜ୍ୟ । କେତେକ ସର୍ବପୁରାତନ କଲେଜ, ସ୍କୁଲ ଓ ପୁସ୍ତକାଳୟ ମଧ୍ୟ କେରଳରେ ରହିଛି । ଏହାକୁ ଏକାକୀ ସରକାରଙ୍କ ଦ୍ୱାରା ହାସଲ କରାଯାଇପାରିନଥାନ୍ତା । ନାଗରିକ ଓ ସାମାଜିକ ସଂଗଠନଗୁଡ଼ିକ ଏହି ଉଲ୍ଲେଖନୀୟ ସଫଳତା ହାସଲ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । କେରଳ ଏ କ୍ଷେତ୍ରରେ ଲୋକଙ୍କ ଭାଗିଦାରୀକୁ ନେଇ ମଧ୍ୟ ଉଦାହରଣ ସୃଷ୍ଟି କରିଛି । ସ୍ୱର୍ଗତ ପି.ଏନ୍. ପାନିକରଙ୍କ ଭଳି ବ୍ୟକ୍ତି ଓ ତାଙ୍କ ଫାଉଣ୍ଡେସନ୍ ର କାର୍ଯ୍ୟକୁ ମୁଁ ପ୍ରଶଂସା କରୁଛି । କେରଳରେ ପାଠାଗାର ନେଟୱାର୍କ ପଛରେ ଶ୍ରୀ ପି.ଏନ୍.ପାନିକର ମଧ୍ୟ ଏକ ପ୍ରେରଣାସ୍ରୋତ ପାଲଟିଛନ୍ତି । ସେ ଏହା କେରଳରେ ଗ୍ରନ୍ଥଶାଳା ସଙ୍ଗମ ମାଧ୍ୟମରେ କରିଥିଲେ, ଯାହାର ସ୍ଥାପନା ସେ 1945 ମସିହାରେ 47 ଗ୍ରାମାଂଚଳ ଲାଇବ୍ରେରୀ ସହ କରିଥିଲେ ।

ମୋ’ ମତରେ ପଢ଼ିବା ଓ ଜ୍ଞାନର ପରିସର କେବଳ କାମ ସମ୍ବନ୍ଧୀୟ ଦିଗ ମଧ୍ୟରେ ସୀମିତ ହେବା ଉଚିତ୍ ନୁହେଁ । ବରଂ ଏହା ଲୋକଙ୍କ ମଧ୍ୟରେ ସାମାଜିକ ଉତ୍ତରଦାୟିତ୍ୱ, ରାଷ୍ଟ୍ରସେବା ଓ ମାନବତାର ସେବା ଭଳି ଅଭ୍ୟାସକୁ ବିକଶିତ ଦିଗରେ ସହାୟତା କରିବା ଉଚିତ୍ । ଏହା ଦ୍ୱାରା ସମାଜ ଓ ରାଷ୍ଟ୍ରରେ କୁକାର୍ଯ୍ୟକୁ ଠିକ୍ କରିବା ଉଚିତ୍ । ଏହା ରାଷ୍ଟ୍ରୀୟ ଏକତା ଓ ଅଖଣ୍ଡତାର ସମ୍ମାନ କରି ଶାନ୍ତିର ବିଚାରଧାରାକୁ ପ୍ରସାର କରାଇବା ଉଚିତ୍ ।

କୁହାଯାଏ ଯେ, ଜଣେ ସାକ୍ଷର ମହିଳା ଦୁଇଟି ପରିବାରକୁ ଶିକ୍ଷିତ କରିପାରିବ । କେରଳ ଏ ସମ୍ବନ୍ଧରେ ଅନୁକରଣୀୟ ଉଦାହରଣ ସୃଷ୍ଟି କରିଛି ।

ମୁଁ ଜାଣିବାକୁ ପାଇଛି ଯେ ପିଏନ୍ ପାନିକର ଫାଉଣ୍ଡେସନ୍ ଅନେକ ସରକାର ଏଜେନ୍ସୀ, ଘରୋଇ ସଂସ୍ଥା ଓ ନାଗରିକ ସମାଜ ଓ ସଂଗଠନ ସହ ମିଶି ପଢ଼ିବା ପାଇଁ ପ୍ରୟାସର ନେତୃତ୍ୱ ନେଉଛି ।
ସେମାନଙ୍କ ଲକ୍ଷ୍ୟ 2022 ମସିହା ପର୍ଯ୍ୟନ୍ତ 300 ନିୟୁତ ବଞ୍ଚିତ ଲୋକଙ୍କ ନିକଟରେ ପହଂଚିବ । ଏହି ମିଶନର ମୁଖ୍ୟ ଉଦ୍ଦେଶ୍ୟ ମଧ୍ୟରେ ବିକାଶ ଓ ସମୃଦ୍ଧିର ସାଧନ ଭାବେ ପଠନାଭ୍ୟାସକୁ ପ୍ରୋତ୍ସାହିତ କରିବା ଅନ୍ୟତମ ।

ପଢ଼ିବା ଦ୍ୱାରା ଲୋକଙ୍କୁ ନିଜର ଚିନ୍ତାଧାରାକୁ ବ୍ୟାପକ କରିବାରେ ସହାୟତା ମିଳିଥାଏ । ଅଧିକ ପଢ଼ୁଥିବା ଜନସଂଖ୍ୟା ଭାରତକୁ ବିଶ୍ୱସ୍ତରରେ ଉତ୍କର୍ଷ ହାସଲ କରିବାରେ ସହାୟତା କରିବ ।
ଯେତେବେଳେ ମୁଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲି, ସେତେବେଳେ ଏହି ଭାବନା ସହ ‘ଭଂଚେ ଗୁଜରାଟ’ ନାମରେ ଏଭଳି ପ୍ରକାରର ଆନ୍ଦୋଳନ ଆରମ୍ଭ କରିଥିଲି । ଏହାର ଅର୍ଥ ହେଉଛି ‘ଗୁଜରାଟ ପଢୁଛି’ । ମୁଁ ଲୋକଙ୍କୁ ପଢ଼ିବା ପାଇଁ ପ୍ରୋତ୍ସାହିତ କରିବା ନିମନ୍ତେ ଏକ ପବ୍ଲିକ୍ ଲଇବ୍ରେରୀକୁ ଗସ୍ତ କରିଥିଲି । ଏହି ଆନ୍ଦୋଳନ ମୁଖ୍ୟତଃ ଯୁବ ପୀଢ଼ିକୁ ଦୃଷ୍ଟିରେ ରଖି କରାଯାଇଥିଲା । ମୁଁ ଲୋକମାନଙ୍କୁ ମଧ୍ୟ ଅନୁରୋଧ କରିଥିଲି ଯେ ସେମାନେ ନିଜ ଗାଁରେ ‘ଗ୍ରନ୍ଥ ମନ୍ଦିର’ ଅର୍ଥାତ ପୁସ୍ତକର ମନ୍ଦିର ନିର୍ମାଣ କରିବା ସମ୍ପର୍କରେ ଚିନ୍ତା କରନ୍ତୁ । ଏହା 50 ଅବା 100 ପୁସ୍ତକ ସହ ମଧ୍ୟ ଆରମ୍ଭ କରାଯାଇପାରିବ ।

ମୁଁ ଲୋକଙ୍କୁ ଆହ୍ୱାନ କରିଛି କି ସେମାନେ ପରସ୍ପରକୁ ଶୁଭକାମନା ଦେବାବେଳେ ଫୁଲତୋଡ଼ା ଦେବା ପରିବର୍ତ୍ତେ ପୁସ୍ତକ ଦିଅନ୍ତୁ । ଏଭଳି ପ୍ରକାରର ପଦକ୍ଷେପ ଦ୍ୱାରା ଅନେକ ପରିବର୍ତ୍ତନ ଆସିପାରିବ ।

ବନ୍ଧୁଗଣ

ଉପନିଷେଦ କାଳରୁ ହିଁ ଜ୍ଞାନୀ ଲୋକମାନଙ୍କୁ ଯୁଗଯୁଗ ଧରି ସମ୍ମାନ କରାଯାଉଛି । ଏବେ ଆମେ ସୂଚନା ଯୁଗରେ ପହଂଚି ସାରିଛୁ । କିନ୍ତୁ ଏବେବି ଜ୍ଞାନ ଆମର ସବୁଠୁ ଭଲ ମାର୍ଗଦର୍ଶକ ହୋଇ ରହିଛି ।

ମୋତେ କୁହାଯାଇଥିଲା କି ଡିଜିଟାଲ ଲାଇବ୍ରେରୀର ପାଇଲଟ୍ ପରିଯୋଜନା ଭାବେ ନୂଆଦିଲ୍ଲୀସ୍ଥିତ ଇଣ୍ଡିଆନ ପ୍ଲବିକ୍ ଲାଇବ୍ରେରୀ ମୁଭମେଣ୍ଟ ସହଭାଗିତାରେ ପାନିକର ଫାଉଣ୍ଡେସନ୍ ମିଶି ରାଜ୍ୟରେ 18ଟି ପବ୍ଲିକ୍ ଲାଇବ୍ରେରୀରେ କାର୍ଯ୍ୟ କରୁଛି ।

ମୁଁ ସମଗ୍ର ଦେଶରେ ଏଭଳି ପ୍ରକାରର ପଢ଼ିବା ଓ ଲାଇବ୍ରେରୀ ଆନ୍ଦୋଳନ ଦେଖିବାକୁ ଚାହୁଁଛି । ଏହି ଆନ୍ଦୋଳନ କେବଳ ଲୋକଙ୍କୁ ସାକ୍ଷର କରିବା ମଧ୍ୟରେ ସୀମିତ ରହିବା ଅନୁଚିତ୍ । ବରଂ ଏହା ମାଧ୍ୟମରେ ସାମାଜିକ ଓ ଆର୍ଥିକ ପରିବର୍ତନ ଆଣିବାର ବାସ୍ତବିକ ଲକ୍ଷ୍ୟକୁ ହାସଲ କରିବାର ପ୍ରୟାସ ହେବା ଉଚିତ୍ । ଭଲ ଜ୍ଞାନର ମୂଳଦୁଆ ଉପରେ ହିଁ ଉତ୍ତମ ସମାଜର ଏକ ବ୍ୟାପକ ଢାଞ୍ଚା ପ୍ରସ୍ତୁତ କରାଯିବା ଉଚିତ୍ ।

ମୁଁ ଖୁସିର ସହ କହିବାକୁ ଚାହୁଁଛି କି ରାଜ୍ୟ ସରକାର ଜୁନ୍ 19କୁ ‘ପଠନ ଦିବସ’ ଭାବେ ଘୋଷଣା କରିଛନ୍ତି । ଏହାକୁ ଲୋକପ୍ରିୟ କରିବା ପାଇଁ ଅଧିକ ପ୍ରୟାସ କରିବାକୁ ପଡ଼ିବ ।

ଭାରତ ସରକାର ମଧ୍ୟ ଏହି ଫାଉଣ୍ଡେସନର ଗତିବିଧିକୁ ସହାୟତା ପ୍ରଦାନ କରୁଛନ୍ତି । ମୋତେ କୁହାଯାଇଛି ଗତ ଦୁଇବର୍ଷ ମଧ୍ୟରେ ଏହି ଫାଉଣ୍ଡେସନକୁ 1.20 କୋଟି ଟଙ୍କା ଦିଆଯାଇଛି ।
ମୋତେ ଦେଖି ଖୁସି ଲାଗୁଛି ଯେ ଏହି ଫାଉଣ୍ଡେସନ ଏବେ ଡିଜିଟାଲ ସାକ୍ଷରତା ଉପରେ ମଧ୍ୟ ଧ୍ୟାନକେନ୍ଦ୍ରୀତ କରୁଛି । ଏହା ମଧ୍ୟ ସମୟର ଆବଶ୍ୟକତା ।

ବନ୍ଧୁଗଣ

ମୋତେ ଲୋକଙ୍କ ଶକ୍ତି ଉପରେ ଭରସା ଅଛି । ସେମାନଙ୍କ ମଧ୍ୟରେ ଏକ ଉତ୍ତମ ସମାଜ ଓ ରାଷ୍ଟ୍ର ଗଠନର ସାମର୍ଥ୍ୟ ରହିଛି ।

ମୁଁ ଏଠି ଉପସ୍ଥିତ ସମସ୍ତ ଯୁବବର୍ଗଙ୍କୁ ପଢ଼ିବାର ପ୍ରତିଜ୍ଞା କରିବା ପାଇଁ ଆହ୍ୱାନ କରୁଛି । ଆଉ ଏଭଳି କରିବା ପାଇଁ ସମସ୍ତଙ୍କୁ ସମର୍ଥ କରାଯିବା ଉଚିତ୍ ।

ମିଶିକରି ଆମେ ଭାରତକୁ ପୁଣିଥରେ ଜ୍ଞାନ ଓ ବୁଦ୍ଧିର ଭୂମି କରିପାରିବା ।

ଧନ୍ୟବାଦ ।

**********